Unknown

 

 

 

 

 

 

 

 

 

 

 

ତ୍ରିବିଧ

ଅକ୍ଷୟ କୁମାର ମହାନ୍ତି

 

ଦିନ ଆସି ଘଡ଼ିଏ ହେଲାଣି ।

 

ଲିପା କନା ମେଞ୍ଚାକ ଲଥ୍‌ କିନା ତଳେ ପକେଇଦେଇ ଠିଆ ହେଲା ଝୁନିୟାଁ । ଖଣ୍ଡେ ଦୂରକୁ ଯାଇ ଆଖି ପାଇଲାଯାକେ ଚାରିଆଡ଼କୁ ଥରେ ନିରେଖି ଚାହିଁଦେଲା.....

 

କାଇଁ ତ ଦିଶୁ ନି ମୋଟେ...

 

ପୁଣି ଫେରିଆସି ତା’ ଲିପା ଜାଗାକୁ ଚାହିଁଲା ।

 

...ନାଇଁ ଆଉ ଟିକେ ବଡ଼ ଚକଡ଼ାଟା ହବା ଦରକାର ।

 

ପୁଣି କନା ମେଞ୍ଚାକ ଧରି କାଦୁଅ ଗୋବର ପାଣିରେ ବୁଡ଼େଇଲା ।

 

ଆଜି ମନେ ମନେ ଖାଲି ଚଜୁଛି ଜଣକୁ ।

 

କେଡ଼େ ସକାଳୁ ଉଠି ଆସି କେତେ ଯେ କାମ କରିଗଲାଣି ତା’ର ଇୟତ୍ତା ନାହିଁ । ହେଲେ, ବେଳ ଦି’ଘଡ଼ିକ ଆସି ମୁଁହକୁ ନେଫେଡ଼ି କହିଦବ ‘ଅଳସେଇଟା’... ।

 

...ଆଚ୍ଛା ! ଆଜି ଆସୁ ତ କେମିତି କହିବ । କାଳି ଅନ୍ଧାରରୁ ଆସି ସେ ଘରର ଚାରିକାନ୍ଥ ଲିପାପୋଛା କରି ତା’ ଚାରିକଡ଼ରୁ ଏଡ଼େ ଅରାଏ ଲିପିଦେଇ ସାରିଲାଣି ।

 

ନାଇଁ ମ....ଆଜି ଆଉ ସେ ରାଗିବନି । ଦେଖି ନିଶ୍ଚୟ ଖୁସି ହବ...ପ୍ରଶଂସା କରିବ । ଆଜି ଆଉ କହିବ ଘର ଖଣ୍ଡେ ବି ନାଇଁ ବୋଲି ?

 

ହେଲେ ସବୁ ତ ତା’ରି ଯୋଗୁଁ । କାଲି ଯଦି ସେ ଅଧଗାଡ଼ିଏ ହବ ଅମର ଡାହ ଭାଙ୍ଗି ଗଦାକରି ଦେଇନଥାନ୍ତା, ଆଉ ଶିଆଳୀ ଲଟାକୁ କଟୁରୀଟାଏ ଧରି ଏମିତି ଚେନେଇ କାଟିଦେଇ ନଥାନ୍ତା ତା’ହେଲେ ଘର ନାଁ ଫର । ଏତେ କଷ୍ଟ କରି ତାକୁ ଗଣ୍ଠି ପକେଇବା...ବାବା ଜମ୍ମା ହେଇନଥାନ୍ତା, ସେ ଲଟାଗୁଡ଼ାକ କାଟିବା ପୁଣି ଯୋଉ କଷ୍ଟ ।

 

ଏଃ...ମା...ସେ ଯୋଉ ସାପଟା ବାହାରିଲା ଲଟା ମୂଳରୁ...ଇସ୍‌ ! ଆଉ ଟିକିଏ ବେନଜର ହେଇଥିଲେ କଥା ନ ଥିଲା । ଭଗବାନ ! ଏଇଟା ଏଡ଼ିକି ଇଏ...ତାକୁ ପାହାରେ ଦେଇଚି; ସେ ମରିନାଇଁ, ତା’ ଲାଙ୍ଗୁଳକୁ ଧରି ବୁଲାଉଚି । କ’ଣ ନାଁ ବୁଲେଇ ବୁଲେଇ ପିଟି ପିଟି ମାରିବ । ଏମିତି ଗୋଟାଏ...ଛିଃ... ! ଆଜି ଯଦି ବୁଲଉ ବୁଲଉ ପବନ ବାଜି ତା’ର ଜୋର ହେଇ ଯାଇଥାନ୍ତା ଟିକେ–ଆଉ ବୁଲେଇ ଫଣା ମାରିଥାନ୍ତା ? ...ଜନ୍ମ ବାହାଦୁରୀଆଟେ ତ, ରାଗିଲାରୁ କହୁଚି–ଆମ ଗାଁ ନୀଳକଣ୍ଠ ମହାଦେବ ମୁଁ । ଏଇଟାକୁ କାନ୍ଧରେ ପକେଇ ବୁଲିବି । ଓଃ...ଖାଲି ଏମିତି ବୁଲିଲେ ଭୋଗ ଯାଚିକରି ଦେଇଦେବେ ୟାକୁ ।

 

ଏମିତି ଆହୁରି କେତେ କ’ଣ ଭାବି ଚାଲିଚି । ହାତର କହୁଣୀ ପର୍ଯ୍ୟନ୍ତ ଆଉ ଗୋଡ଼ର ଭଣ୍ଡା ପର୍ଯ୍ୟନ୍ତ କାଦୁଅ ଛିଟା ପଡ଼ି ଶୁଖି ଚିତା’ ଲେଖା ହେଲା ଭଳି ହେଇ ସାରିଲାଣି, ତା’ର ନିଘା ନାହିଁ । ସେ ଲିପି ଚାଲିଛି । କେତେବେଳେ ହାଣ୍ଡିରୁ କାଦୁଅ ପାଣି ସରି ଖାଲି କନା ଘଷି ହେଇ ଭୂଇଁରୁ ଦଲକା ଉଠିଲାବେଳେ ତା’ର ହୋସ୍‌ ପଶିଲା । ଠିଆ ହେଇ ଦେଖିଲା ସେ...

 

ଏଃ, କେତେ ଲିପି ଗଲାଣି ମ ସିଏ... । ଆଜି ଖୁସିହବ ନିଶ୍ଚୟ ୟାକୁ ଦେଖି । ତଥାପି ଖରା ଏଯାଏ ଆସିନି । କୋଉ ସକାଳୁ ଆଜି ଉଠିଚି ଯେ ସିଏ ? ସତରେ କ’ଣ ତାକୁ ନିଦ ନଥିଲା ରାତିରେ... । କେମିତି ନିଦ ହବ ଯେ–ଆଜି କ’ଣ ଛୋଟିଆ ଦିନଟିଏ । ଅଳପ କାମ ବାକି ଅଛି ? ଇଏ ତ ଖାଲି...ହୁଃ ! ସବୁ ତ ତାକୁଇ କରିବାକୁ ପଢ଼ିବ ।

 

...ଥାଉ ସେତିକି । ଆଉ ଲିପିବା ଦରକାର ନାଇଁ । ଆଗ ପଟରୁ ଟିକେ ଶୁଖି ଆସିଲାଣି-। ହୁଏ ତ ସେ ଆସିଲା ବେଳକୁ ନିଶ୍ଚୟ ସବୁ ଶୁଖିଯାଇଥିବ । ହେ ମହାପ୍ରୁ ! ଆଉ ଟିକେ ଡେରି କରି ଆସନ୍ତା କି, ଆସିଲାବେଳକୁ ଏ ସବୁତକ ଚିକ୍‌କ’ଣ ହେଇ ଶୁଖି ଯାଇଥାନ୍ତା ପବନ ବାଜି-। ଆଉ ଝୁନିୟା...ସେ ଗଛମୂଳେ ଲୁଚି କରି ମଜା ଦେଖନ୍ତା, କୋଉଠି ନ ପାଇ ଭାବନ୍ତା–ରାଗକରି ପଳେଇଲା ବୋଲି । ଯାଇ ଇଆଡ଼େ ସିଆଡ଼େ ଖୋଜନ୍ତା । କୋଉଠି କୋଉଠି ଖୋଜନ୍ତା...-? ଠାକୁର ତୋଟାରେ, ପୋଖରୀ ତୁଠରେ, ଛବି ଅପା ଘରେ ।

 

ନାଁ...ବହୁତ ହଇରାଣ ହବ । ପୁଣି ରାଗିଯିବ ଯଦି ନାଁ...ଗଲା । ...ନାଇଁ ରାଗୁ ପଛେ ନିଶ୍ଚେ ଲୁଚିବ ସିଏ । ଖୋଜୁ ପଟାଏ ।

 

‘ଆରେ ଆରେ...କିଏ ମ ! ମୋ ଆଖି ଗଲା,...ଆରେ’ ଚିତ୍କାର କରି ଉଠିଲା ଝୁନିୟାଁ । ପଛଆଡ଼ୁ ଆଖି ଦି’ଟାକୁ କିଏ ବୁଜି ଧରିଚି ।

 

‘ଆରେ ବାଃ...ଆଜି କେତେ କାମ କରିଚ ମ... ?’

 

ପଛକୁ ଫେରି ଆଖିକୁ ଆଉଁଷି ଚାହିଁଲା ଝୁନିୟାଁ–ବାଜିଆ ଆସିଗଲାଣି କେତେବେଳେ । ଆଉ ଲୁଚିବ ବୋଲି କ’ଣ ପାଞ୍ଚ କରୁଚି ?

 

‘ଇଲୋ, ତୁ ରାଗିଚୁ ମୋର ଉଛୁର ହେଲା ବୋଲି ? ନାଇଁ ଲୋ, ମୁଁ ପରା ଚୋରି କାମ କରୁଥେଲି । ହେଇ ଦେଖିଲୁ... ।

 

ଦେଖିଲା ଝୁନିୟାଁ ଗୋଟାଏ ବଡ଼ ଭୋଗେଇରେ ଭୋଗେଇଏ ଫୁଲ । ରାଗ ତା’ର କମିଗଲା ଟିକିଏ ।

 

ଆରେ ସତେ ତ ! ଫୁଲ କଥା ତ ତା’ର ଜମା ହେଜ ନ ଥିଲା । ଫୁଲ ବିନା ଏଡ଼େ ବଡ଼ କାମଟାଏ ହେଇଥାନ୍ତା କେମିତି ଯେ...

 

‘ଆଲୋ ଝୁନିୟାଁ, ଏ ଘରଟା କେଡ଼େ ବଢ଼ିଆ ହେଇଚି ଲୋ ! ତତେ ଏମିତି ସୁନ୍ଦର ଲିପି ଆସେ ? ...ଓହୋ ! କିଛି କହିବୁନି ? ରାଗ ହେଇଚି ତ ? ହଉ ଦେଖ୍‌ କେମିତି କଥା କୁହାଇବି ତତେ । ଏକ୍‌–ଦୁଇ–ତିନି...

 

‘ମରିଗଲି ମରିଗଲି ବାଜିଆ’ଇ ମରିଗଲି । ଆ...ନାଇଁ ନାଇଁ ମତେ ଛାଡ଼ । ଇଲୋ ବୋଉ...’ ‘ହଁ । ...କଥା କହିବୁନି ? ଆରେ, ଜାଣିଚୁ ମୋର ଜୋର କେତେ ?’

 

‘ଉଁ...ମୁଁ ଯଦି ଆଜି ପଡ଼ିଯାଇଥାନ୍ତି ? ଏତେ ଉପରକୁ ଟେକି ଦଉଚୁ ? ପଢ଼ିଯାଇଥିଲେ ମୁଣ୍ଡ ଫାଟି ଯାଇଥାନ୍ତା ।’

 

‘ମୁଁ ତ ସେଇଥିପାଇଁ ଟେକିଦେଲି । ତୁ ଯଦି ସାଙ୍ଗେ ସାଙ୍ଗେ କଥା କହି ନ ଥାନ୍ତୁ ତା’ହେଲେ ଟେକି କଚାଡ଼ି ଦେଇଥାନ୍ତି ।’

 

‘କଚାଡ଼ି ଦେଇଥିଲେ ମୁଁ ମରିଯାଇଥାନ୍ତି ।’

 

‘ମରିଯାଇଥିଲେ । ମୁଁ ଦଉଡ଼ି ପଳେଇ ଯାଇଥାନ୍ତି ଆମ ଘରକୁ । କାହାକୁ କିଛି କହିନଥାନ୍ତି ।’

 

‘ଏଁ... ।’

 

ଆଖି ଛଳଛଳ ହେଇ ଉଠିଲା ଝୁନିୟାଁର ଏଇ କଥାରେ । ତା’ହେଲେ ସେ ମରିଗଲେ ବାଜିଆ ତ ତାକୁ ଛାଡ଼ିଦେଇ ପଳେଇଯିବ ଲୁଚିକରି...ଆଉ କାହାକୁ କିଛି କହିବ ନାଇଁ ?

 

ନାକଟା ଆହୁରି ତା’ର ଫୁଲିଫୁଲି ଉଠିଲା ।

 

ବାଜିଆ ଦେଖିଲା ଝୁନିୟାଁ ଆଖିରେ ଲୁହ । ତା’ଭୁଲଟାକୁ ବୁଝିପାରି ଜାଣିଲା ଯେ ଝୁନିୟାର ଅଭିମାନ ହେଇ ଯାଇଚି । ଆଉଜେଇ ନେଲା ତାକୁ ।

 

‘ନାଇଁ ଲୋ, ମୁଁ ମିଛରେ ସେମିତି କହିଲି ନାଁ । ସତରେ କ’ଣ ତତେ ମୁଁ ଫୋପାଡ଼ି ଦେଇଥାନ୍ତି ? ଗୋଟାଏ ଡର ଦେଖଉଥେଲି । ଯେତେହେଲେ ପରା ଆମେ ମରଦ ପୁଅ । ମାଇକିନିଆଁ କୁ ଡର ନ ଦେଖେଇଲେ ଡରିବେ କେମିତି ?’

 

ଗୋଟାଏ ବଡ଼ ଜ୍ଞାନୀପୁରୁଷ ଭଲ କହିଦେଲା ବାଜିଆ । ହେଲେ କାଇଁ, ଝୁନିୟାଁ, ମନ ତ ବୁଝିଲା ନି । ସତରେ ଫୋପାଡ଼ୁ କି ମିଛରେ ଫୋପାଡ଼ୁ ସେ ତ ଅଲଗା କଥା । ହେଲେ, ଯଦି ପ୍ରକୃତରେ ଝୁନିୟାଁ ର କୋଉଠି କ’ଣ କେବେ ହେଇଯାଏ ତା’ହେଲେ ବାଜିଆଇ ଏମିତି ଘରକୁ ପଳେଇବ ? କାହାକୁ କିଛି କହିବ ନି ?

 

‘ଆଲୋ କ’ଣ ହେଲା ? କହିଲା ପରା ମିଛରେ ସେମିତି କହୁଥେଲି । ତୋ କାନ୍ଦ କମୁନି-?’

 

‘ନାଇଁ ତୁ କହ । ମୁଁ ଯଦି ମରିଯାଇଥାନ୍ତି, ତୁ କ’ଣ ଘରକୁ ପଳେଇଥାନ୍ତୁ ?’

 

ଏତେବେଳକେ ବାଜିଆ ବୁଝିଲା କୋଉଠି ତା’ର ଅଭିମାନ ।

 

‘ଇଲୋ, ତୁ ସତରେ ଭାବୁଚୁ ମୁଁ ପଳେଇଯାନ୍ତି ? ଏଇଠି ପରା ସେମିତି ବସି ରହିଥାନ୍ତି-। ଖାଲି ତ କାନ୍ଦନ୍ତି ଆଉ...’

 

‘ହଁ...ଅଃ...’

 

‘ବିଶ୍ଵାସ କର ଲୋ ! ଖାଲି ପରା ବସି କାନ୍ଦନ୍ତି ।’

 

‘ସେଇଠୁ ?’

 

‘ସେଇଠୁ, ଆଉ କ’ଣ ? କାନ୍ଦି କାନ୍ଦି ରାତି ହେଇଯାନ୍ତା...’

 

‘ତା’ପରେ... ?’

 

‘ତା’ପରେ ବହୁତ ରାତିରେ ଈଶ୍ଵର–ପାର୍ବତୀ ଆକାଶରେ ଉଡ଼ିଯାଇଥାନ୍ତେ । ମୋ କାନ୍ଦ ଶୁଣି ପାର୍ବତୀ କହନ୍ତେ– ହେ ଶୁଣ ମ ! କିଏ ଗୋଟିଏ କାନ୍ଦୁଚି । ଈଶ୍ଵର କହନ୍ତେ–ସେ ପରା ବାଜିଆ । ପାର୍ବତୀ ସେଇଠୁ କହନ୍ତେ–ଚାଲିଲି ତାକୁ ଟିକେ ଦେଖି ଆସିବା । ଆସି ଦେଖିଲାବେଳକୁ ଏମିତିଆ କଥା । ମୁଁ ତ ସବୁକଥା ତାଙ୍କୁ କହନ୍ତି । ସେଇଠୁ ମୋ ଦୁଃଖରେ ମନ ବ୍ୟସ୍ତ କରି ପାର୍ବତୀ ଈଶ୍ଵରଙ୍କୁ କହନ୍ତେ ତତେ ବଞ୍ଚେଇଦବା ପାଇଁ । ଯେମିତି ଈଶ୍ଵର ଅମୃତ ପାଣି ଛିଞ୍ଚି ଦିଅନ୍ତେ ତଥାସ୍ତୁ କହି ତା’ପରେ ତ ତୁ ଉଠି ବସନ୍ତୁ ।’

 

‘ତା’ପରେ... ?’

 

‘ଏଁ, ତା’ପରେ କ’ଣ ? ତୁ ପରା ବଞ୍ଚିଲୁ । ପୁଣି ଯେମିତି ଆମେ ଅଛେ ସେମିତି ।’

 

‘ନାଇଁ...ତା’ପରେ... ?’

 

‘ତା’ପରେ ? ତା’ପରେ ତୁ ଯାଇ ତମ ଘରେ କହିଦିଅନ୍ତୁ ଯେ ମତେ ଏମିତି କଚାଡ଼ି ଦେଲେ ବୋଲି । ମତେ ତମ ଘରେ ଆସି ସମସ୍ତେ ପିଟନ୍ତେ । ପିଟି ପିଟି ମାରି ପକାନ୍ତେ । ମୁଁ ମରିଯାନ୍ତି ।’

 

‘ଆଁ ...ସେଇଠୁ ?’

 

‘ସେଇଠୁ ତ ମୋର ମୁଁ ମରିଯାନ୍ତି...’

 

‘ନାଇଁ ମ, ତା’ପରେ... ?’

 

‘କ’ଣ ନାଇଁ ମ ? ତମ ଘରେ ତ ତତେ ସମସ୍ତେ ଜବରଦସ୍ତି ଜଞ୍ଜିର ଲଗେଇ ଦିଅନ୍ତେ-। ତୁ କ’ଣ ଆଉ ଆସିପାରନ୍ତୁ ଯେ ଈଶ୍ୱର–ପାର୍ବତୀଙ୍କୁ କାନ୍ଦିକରି କହିପାରନ୍ତୁ ମତେ ବଞ୍ଚେଇବାକୁ-।’

 

‘ଇସ୍‌...ମତେ କାଇଁ କି ସେମାନେ ରଖନ୍ତେ କି !’

 

‘ନାଇଁ...ତତେ ତ ମୋ ଭଳିଆ ଛାଡ଼ି ଦିଅନ୍ତେ । ଝୁଅ ପିଲାଟା ତୁ ?’

 

‘ନ ହେଲେ ବି....ତା’ପରେ ?’

 

‘ଆରେ, ଆଉ ତା’ପରେ କ’ଣ ? ତା’ପରେ ତତେ ତ ଗୋଟାଏ ଭଲ ବର ଦେଖି ବାହାଦେଇ ଦିଅନ୍ତେ । ତୁ ତ ଭୁଲିଯାନ୍ତୁ...’

 

‘ଆଉ ତୁ... ?’

 

‘ମୁଁ ପରା ମରିଯାଇଚି....’

 

‘ନାଁ ନାଁ...ଆରେ କହ ମ...’

 

‘କ’ଣ କହିବି ଆଉ ?’

 

‘ତା’ପରେ... ?’

 

‘ତା’ପରେ ଆଉ କ’ଣ ତ ମତେ ଆସେ ନି । ତୁ ଯଦି ଜାଣିଚୁ ତା’ହେଲେ କହ ଭଲା ! ଏଇଠି ତ ସରିଗଲା ।’

 

‘କହିବି... ?’

 

‘କହୁନୁ ।’

 

‘ତୁ ମରିଗଲା ପରେ ମତେ ତ ସେମାନେ ଆକଟ କରି ଗୋଟିଏ ଘରେ କୋଲପ ପକେଇ ରଖନ୍ତେ । ହେଲେ, ମୁଁ ତ କାନ୍ଦନ୍ତି । କାନ୍ଦି କାନ୍ଦି ଯେମିତି ରାତି ହେଇଯାନ୍ତା ପୁଣି ଈଶ୍ଵର–ପାର୍ବତୀ ଉଡ଼ିଯାଉଥାନ୍ତେ । ମୋ କାନ୍ଦ ତାଙ୍କୁ ଶୁଣାଯାନ୍ତା ।’

 

‘ଇସ୍‌ ! କେମିତି ଶୁଣାଯିବ ? ମୁଁ ସିନା ଏଠି ଖୋଲା ଗଛମୂଳେ କାନ୍ଦିଥାନ୍ତି । ତୁ ତ ଘର ଭିତରେ କାନ୍ଦିବୁ । ତାଙ୍କୁ ଆଉ ଶୁଣାଯିବ କେମିତି ?’

 

‘ଘର ଉପରେ ଆଉ କଣା ନାଇଁ କି ? ସେଇବାଟେ ତ ଚାଲିଯିବ । ଆଉ ସେ ପରା ଠାକୁର । ତାଙ୍କୁ ସବୁ କଥା ଶୁଣାଯିବ ଯେ !’

 

‘ହଉ ହେଲା, ତା’ପରେ... ?’

 

‘ସେ ତ ଠାକୁର; ସବୁ ମନକଥା ବି ଜାଣିପାରନ୍ତି । ବେଶ୍‌ ! ମୋ ମନକଥା ଜାଣିପାରିବେ । ଘରର ସେ ଜଳାବାଟେ ସେଇଠୁ ପାର୍ବତୀ ମୋ କତିକି ଗୋଟାଏ ପତରରେ ଟିକିଏ କଜ୍ଜ୍ଵଳ ପକେଇଦେବେ ସେ ଘରର ଫାଙ୍କ ବାଟେ...’

 

‘କଜ୍ଜ୍ଵଳ ପକେଇବେ ?’

 

‘ହଁ ମ, କଜ୍ଜ୍ଵଳ । ଏଇ ଯୋଉ ଆଖିରେ ପିନ୍ଧିଛି ମୁଁ । ସେମିତିଆ ।’

 

‘ସେ କ’ଣ ହବ ?’

 

‘ଆରେ, ତୁ ଏଇ ଯୋଉ ପଞ୍ଚୁ ଦୋଳକୁ ହଉଥେଲା ଦାସକାଠିଆ ଶୁଣିନୁ ? ସେ କଳା ପିନ୍ଧିଦେଲାରୁ କେମିତି ରଜାପୁଅ ପାଇଁ ସାତ କବାଟ ଖୋଲିଗଲା । ମୁଁ ତ ଯେମିତି ପିନ୍ଧିଦେବି ସେଇଠୁ ସେ କବାଟ ଖୋଲିଯିବ । ମୁଁ ଚାଲିଆସିବି ତୋ କତିକି ଆଉ... ।’

 

‘ମୁ ତ ମରିଥିବି...’

 

‘ହଁ, ସେଇଠୁ ତ ଈଶ୍ଵର–ପାର୍ବତୀ ଆସିବେ, ମତେ ପଚାରିବେ । ପାର୍ବତୀ କହିବେ ଈଶ୍ଵରଙ୍କୁ ତତେ ବଞ୍ଚେଇବାକୁ, ହେଲେ, ଈଶ୍ଵର ଟିକେ ରାଗିଯିବେ ।’

 

‘କାଇଁକି... ?’

 

‘କହିବେ–ସବୁବେଳେ ଗୋଟାଏ ପାଲା କରୁଚନ୍ତି ଏ ଦି’ଜଣ । ସେଇଠୁ ପାର୍ବତୀ କହିବେ, ନାଇଁ । ତାଙ୍କୁ ଗୋଟାଏ ବର ଦେଇଦିଅ ଯେମିତି ସେ ଦି’ଜଣ ଆଉ ଜମ୍ମା ମରିବେ ନାଇଁ-

 

‘ଏଁ... ।’

 

‘ହଁ ପରା ! ଈଶ୍ଵର ସେଇଠୁ ସେମିତି ବର ଗୋଟାଏ ଦେଇଦେବେ ଯେ ଆଉ ଆମେ ଜମ୍ମା ମରିବା ନାଇଁ...

 

ଦି’ଜଣ ଯାକ ଏଇ କଥା ଉପରେ ଆନନ୍ଦରେ ଖୁବ୍‌ ପଟାଏ ହସିଲେ ହଠାତ୍‌ ନଜର ପଢ଼ିଲା ବାଜିଆର ଫୁଲ ଡାଲା ଉପରେ ।

 

‘ଆଲୋ ଆଲୋ... ଖରା ଆସିଲାଣି ତା’ ଉପରକୁ–ମଉଳିଯିବ । ସେ ଗଛ ଖୋଲରେ ରଖି ଦେ ।’

 

ଫୁଲଭୋଗେଇକୁ ଛାଇରେ ରଖିଲା ଝୁନିୟାଁ । ଗୋବରପାଣି ଗୋଳା ଜାଗାଟାକୁ ସେ କନା ସହିତେ ଦୂରକୁ ପକେଇଦେଲା, ବାଜିଆକୁ ଅନେଇଲା–ବେଳକୁ ସେ ଲାଗିଚି ଆମ୍ବଡାଳ ଭାଙ୍ଗିବାରେ । ବଡ଼ ବଡ଼ ଡାହି ଦି’ଖଣ୍ଡ ଭାଙ୍ଗି ଆଣି କହିଲା–

 

‘ଏଇଥିରୁ ତ ଦି’ଟୋକେଇ ବାହାରିବ ପତର ।’

 

ଚାରିକଡ଼ଯାକ ଆମ୍ବପତରର ମାଳ ଝୁଲେଇବ । ଯେମିତି ସତେ କି ଛାମୁଡ଼ିଆରେ ବନ୍ଧା ହେଇଚି ।

 

‘କିରେ ବାଜିଆ, ଆଜି ଗାଡ଼ିଆକୁ ଯିବୁନି କି ? ଦି’ଟା କଇଁଫୁଲ ତୋଳି ଦିଅନ୍ତୁ ନି ଆମକୁ...’

 

ଅନେଇ ଦେଖିଲା ବାଜିଆ–ଶାରୀଅପା, ହେମି ଦେଈ, ମାଳିଅପା ହେରିକା ପାଞ୍ଚ କି ଛଅ ଝିଅ ଗାଧୋଇ ଯାଉଛନ୍ତି ସା’ନ୍ତରା ଗାଡ଼ିଆକୁ । ସବୁଦିନେ ସେମାନେ ଏମିତି ଦଳବାନ୍ଧି ଯାଆନ୍ତି ଗାଧୋଇ, ବାଜିଆକୁ ବାଟରେ ଦେଖିଲେ ଫୁଲ ତୋଳିବାକୁ ଡାକନ୍ତି । ବାଜିଆ ବି ଆଗ୍ରହରେ ଦଉଡ଼ିଯାଏ । ଆଜି ବି ସେମିତି ଡାକିଦେଲେ ସେମାନେ ।

 

‘ଯିବା କିଲୋ ସା’ନ୍ତରା ଗାଡ଼ିଆକୁ ?’

 

ପଚାରିଲା ଚାପା ଗଳାରେ ଝୁନିୟାଁକୁ । ହେଲେ, ଝୁନିୟାଁର କେମିତି କେଜାଣି ରାଗ ସେମାନଙ୍କ ଉପରେ । କାଇଁକି ତା’ ବାଜିଆଇକୁ ସେମାନେ ଡାକିବେ, ବାଜିଆଇ କ’ଣ ତାଙ୍କର ?

 

‘ନାଇଁ...’

 

ପୁଣି ଡାକିଲା ହେମିଦେଈ ।

 

‘କିରେ ଆସୁଚୁ ଟି... ?’

 

‘ନାଇଁ ପରା ମୋର କେତେ କାମ ଅଛି ଆଜି ।’

 

ନିଠେଇ କରି ସତରେ କାର୍ଯ୍ୟବ୍ୟସ୍ତ ଥିଲା ଭଳି ଗଛ ଉପରୁ ଉତ୍ତରଦେଲା ବାଜିଆ । ଏଇ କଥା ଉପରେ ଶାରୀ ଅପା କହିଲା–

 

‘ହଁ ବା, ଫୁଲଗୁଡ଼ାକ ତ ବହୁତ ଦୂରକୁ ଅଛି । ସେତେବାଟ ଯାଏ କ’ଣ ବାଜିଆ ପହରି ପାରିବ ? ସେ ସିନା ପାଖରୁ ପାଖରୁ ତୋଳି ଦବ ।’

 

ଏଥରକ ସାପ ଲାଙ୍ଗୁଡ଼ରେ ହାତ ବାଜିଗଲା ପରା ! ବାଜିଆର ପୁରୁଷପଣିଆ ଉପରେ ଟିକେ ଆଘାତ ଲାଗିଲା । ...ତା’ହେଲେ ଦୂରକୁ ସେ ପହଁରି ପାରେ ନି... ? ଦିନକୁ ଦଶ ଥର ଏକାଦମକେ ଏପାଖ ସେପାଖ ହେଲାବାଲା ସେ ସା’ନ୍ତରା ଗାଡ଼ିଆରେ । ଆଉ ଫୁଲ କେଇଟା ଦୂରରେ ହେଇଚି ଯେ ସେ ପାରିବ ନାଇଁ ?

 

ମରଦପଣିଆ ତା’ ପେଟ ଭିତରୁ ଗୁମୁରି ଉଠିଲା । ହେଲେ, ଆଉ ପାଖକେ ଝୁନିୟାଁ... !

 

‘ଚାଲ ଝୁନିୟାଁ ଆମେ ଯିବା । କ’ଣ କହିଲା ଶାରୀଅପା–ମତେ ସେଯାକେ ପହଁରି ଆସିବ ନାଇଁ ? ତାଙ୍କରି ଆଗରେ ସବୁ ଫୁଲତକ ମୁଁ ତୋଳି ଆଣି ତୋ’ରି ହାତକୁ ଦେବି । ଆମର ନେଇକରି ଆସିବା । ସେମାନେ ସେମିତି ଅନେଇଥିବେ ।’

 

ଝୁନିୟାଁ ବି ଭାଙ୍ଗିଲାନି କଥାଟା । କାଇଁକିନା ତା’ ବାଜିଆଇକୁ ଅପମାନ୍‌ ମାନେ ତା’ର ବି ଅପମାନ । ସେ ଆଖିରେ ଦେଖିଚି କଦମ୍ବଗଛରେ ସେ ଅଗଡାହିରୁ ବାଜିଆଇ ଏକା କ୍ଷେପା ମାରେ ଯେ ଯାଇ ପୋଖରୀ ମଝିରେ, ଆଉ ତାକୁ କୁଆଡ଼େ ଦୂର ହବ ସେ ଫୁଲଗୁଡ଼ାକ । ତା, ଛଡ଼ା ଲିପା ହେଇଥିବା ଅରାଟା ତ ଶୁଖିନି ଏ ଯାକେ, ତା’ଉପରେ ଗୋଡ଼ ଦେଇ ଏଇନେ କିଛି କରି ହବନାଇଁ, ତେଣୁ ଏଇ ସମୟ ଭିତରେ ମେଞ୍ଚାଏ ଫୁଲନେଇ ଆସିଲେ କ୍ଷତ କ’ଣ ? ମୁଣ୍ଡଟୁଙ୍ଗାରି ହଁ ଭରିଲା ସେ ।

 

ସତେ ଯେମିତି ବାଜିଆକୁ ଅନୁମତି ମିଳିଗଲା । ଝୁନିୟାଁର ଗୋଟାଏ ହାତକୁ ଧରି ଏକରକମ ଦଉଡ଼େଇ ନେଲା ସେ । ଟିକେ ଆଗରେ ଯାଉଚନ୍ତି ସେ ଦଳକ ଯାକଝିଅ । ବାଜିଆ ଚୁପ୍‌ ଚୁପ୍‌ କହିଲା ଝୁନିୟାଁ କୁ–

 

‘ତୁ ଚାଲୁଥା ଏକା, ମୁଁ ଯାଇ ଗଛ ଉପରେ ଆଗରୁ ବସିଯାଏ ।’

 

କିଛି କହିଲା ନି ଝୁନିୟାଁ, ଉତ୍ତରକୁ ଅପେକ୍ଷା ନ କରି ଚିଲ ଭଳି ଗୋହିରୀ ତଳବାଟ ଦେଇ ନଇଁ ନଇଁକା ସେ ପୋଖରୀ ପାଖରେ ପହଞ୍ଚି କଦମ୍ବଗଛ ଉପରକୁ ଚଢ଼ି ଗଲା ବାଜିଆ । ଛକି କରି ଥାଏ–କେତେବେଳେ ସେମାନେ ସବୁ ପାଣିରେ ଗୋଡ଼ ଦେବେ । ସେତିକିବେଳେ ସମସ୍ତଙ୍କୁ ଚମକେଇ ଦେଇ ଖେପାଟାଏ ମାରିବ ସେ ଗଛ ଉପରୁ ।

 

ଝୁନିୟାଁ ଚାଲିଚି ଖଣ୍ଡେ ଦୂରରେ ତାଙ୍କ ପଛେ ପଛେ । ହେଲେ, ତା’ ମନରେ ସେ ଫୁଲକଥା ନାହିଁ । ସେ କେବଳ ଗୋଟିଏ କଥା ଭାବୁଚି–

 

ଆଚ୍ଛା, ବାଜିଆଇର ଏତେ ବଳ କେମିତି ! ଗୋଟା ସୁଦ୍ଧା ତାକୁ ଆଜି ଟେକି ଦେଲା ? ସତେ ଯେମିତି କଣ୍ଢେଇଟିଏ ।

 

ନିଜ ଦେହକୁ ଭଲକରି ଚାହିଁଲା ଝୁନିୟାଁ । ନିରେଖି କରି, ଆଗପଛ ହାତ ଗୋଡ଼ ସବୁ ଉପରେ ଭଲକରି ଆଖି ବୁଲେଇ ନେଲା ।

 

କାଇଁ ନାଁ ତ ସେ ତ ସେତେ ପିଲା ନୁହେଁ । ତା’ହେଲେ କେମିତି ତାକୁ ଟେକି ଦେଲା ଶୂନ୍ୟକୁ । ନିଶ୍ଚୟ ବାଜିଆଇର ବହୁତ ଜୋର, କେଡ଼େ ହୁଣ୍ଡାଟା ମ–ଆଜି ଯଦି ସତରେ କଚାଡ଼ି ଦେଇଥାନ୍ତା ? ନା ତାକୁ କେବେ କଚାଡ଼ିବ ନାଁ ଇ ସେ । କିନ୍ତୁ ଭାରି ବଢ଼ିଆ ଲାଗିଲା ଖାଲି ସିନା ଡର ଟିକେ ଲାଗୁଥିଲା ପଡ଼ିଯିବ କାଳେ ବୋଲି । ନ ହେଲେ ଦୋଳି ଖେଳିଲା ଭଳି ଲାଗିଲା । ଆଉ ଥରେ କହିଲେ ହୁଅନ୍ତା ବାଜିଆଇକୁ ସେମିତି ଟେକି ଦବାକୁ... । ହେଃ...ସେ କ’ଣ ଭାବିବ ? କି…କ’ଣ ଭାବିବ ଯେ ! ତାକୁ ଭଲ ନ ଗିଲା ସେ କହିବ...ହେଲେ ବାଜିଆଇ ରାଗୀଟା । କାଳେ ଯଦି ମନା କରିଦେବ । ହଉ ଦେଲେ ଦବ । ନାଁ ସେ ସେମିତି ନୁହେଁ । ପୁଣି ସେ ବାଜିଆଇ ସାଙ୍ଗରେ କଥା ବନ୍ଦ କରିବ । କଥା ନ କହିବାଯାଏ ତ ସେ ଟେକି କରି ଧରିଥିବ...କଥା କହିବା ଖାଲି ଟିକେ ଡେରି କଲେ ହେଲା...

 

ଦୁମ୍‌ କରି ଶବ୍ଦଟାଏ ହେଲା । ସେ ଦେଖିଲା, ପୋଖରୀ ତୁଠ ପାଖରେ ସେ କେତେବେଳେ ପହଞ୍ଚିଗଲାଣି । ବାଜିଆଇ ଡେଇଁଲା ଗଛରୁ । ଭଣ୍ଡାଏ ପାଣିରେ ପଶି ପଥର ଉପରେ ଏ ପଞ୍ଚାକ ଝିଅ ଗୋଡ଼ ଘଷିଲାବେଳେ ନିଜ ଦେହରୁ ଖସି ଆସିଥିବା ପଣତ ତଳୁ ନିଜ ଫୁଙ୍ଗୁଳା ଦିହଗୁଡ଼ାକ ଉପରେ ଥରେ ଆଖି ବୁଲେଇ ଆଣିଲାବେଳେ ଡେଇଁଲା ବାଜିଆ । ସମସ୍ତେ ଚମକି ପଢ଼ିଲେ । କ’ଣ ଗୋଟାଏ ବୋଲି ବୁଲିପଡ଼ି ଦେଖି ସାରିବା ପରେ ଭଲକରି ଲୁଗା ଖସେଇ ନଣ୍ଡାଏ ନଣ୍ଡାଏ ଛେପ ନିଜ ଛାତି ଉପରକୁ ପକେଇଲା ବେଳେ ଉପରେ ଠିଆ ହୋଇ କିରି କିରି ହସୁଥିଲା ଝୁନିୟାଁ । ତା’ ବାଜିଆଇ ଯାଇଁ ଫୁଲ ପାଖରେ ପହଞ୍ଚି ଗଲାଣି ।

 

ମାଳିଅପା ଠାରିଲା ସମସ୍ତଙ୍କୁ । ସେମାନେ ବି ଖୁସି ହେଇ ଚାହିଁଲେ ତାକୁ । ବାଜିଆ ମେଞ୍ଚାଏ ଫୁଲଧରି ଫେରୁଚି । ମଝିରୁ ଡାକ ଛାଡ଼ିଲା ଝୁନିୟାଁକୁ । ଝୁନିୟାଁ ଓହ୍ଲେଇଗଲା ଆଉ ଟିକିଏ ପାଣି କତିକି । ତୁଠରେ ନ ଆସି ଗୋଟାଏ ଅତୁଠରେ ଉଠି ଫୁଲତକ ବଢ଼େଇଦେଲା ଝୁନିୟାଁକୁ ! ପୁଣି ପଶିଲା ବାଜିଆ ପାଣିରେ, ପୁଣି ଆହୁରି ମେଞ୍ଚାଏ...ପୁଣି ଆହୁରି... ।

 

ଏମିତି ଗୋଛା ଗୋଛା କରି ପ୍ରାୟ ଟୋକେଇଏ ଗଦା କରିଦେଲା ବାଜିଆ ! ସେମିତି ଡାକ ଛାଡ଼ିଥାଆନ୍ତି ଶାରୀ ଅପା ହେରିକା; ସେ ଶୁଣୁ ନ ଥାଏ । ସେତେବେଳକୁ ସେମାନେ ଫୁଲ ଆଶାରେ ଗାଧୁଆ ସାରିଲେଣି । ଚିପୁଡ଼ା କାନିକୁ ପିନ୍ଧି ପୁଣି ଆର କାନିକୁ ଚିପୁଡ଼ିଲାବେଳେ ଝୁନିୟାଁ-। କହିଲା ବାଜିଆକୁ–

 

‘ସେତିକି ଥାଉ...’

 

ବାଧ୍ୟ ପିଲାଟି ପରି ବାଜିଆ କୂଳକୁ ଉଠିବାର ଚେଷ୍ଟା କରି କହିଲା, ତୁ ବୁଡ଼ାଟାଏ ମାରି ଦେ; ଏକାଥରକେ କାମ ସରିଯିବ । ତେଣେ କେତେ କାମ ବାକି ପଡ଼ିଚି । ସହଳ ଯିବା ।

 

ଝୁନିୟାଁ ମନା କଲା । ସବୁ ଫୁଲକୁ ଗୋଟେଇ ତୁଠକୁ ଆଣିଲା, ଏ ପଞ୍ଝାକ ଠିଆ ହୋଇଥାନ୍ତି ସେଠି । ଶାକୁଲେଇଲା ପରି କହିଲା ଶାରୀ ଅପା–

 

‘ହଇ ରେ ବାଜିଆ ! ତୁ ଏତେ ବାଟ ପହଁରି ପାରୁଚୁ ? ଆଜିକା ଫୁଲଗୁଡ଼ାକ ବଢ଼ିଆ ଫୁଲ ହେଇଚି !’

 

କାହାକୁ ଦିଆ ଯିବ ନି, କାହିଁକି, ମତେ ତ ପହଁରି ଆସୁନଥିଲା । ମୁଁ କାଇଁ କି ଦେବି ?’

 

‘ଇରେ ତତେ ପହଁରି ଆସେ ନି ? ଆମେ ସେମିତି ଟାପରା କରୁଥିଲୁ ନାଁ, ତୋ ଭଳିଆ ପିଲା ଏ ଗାଁରେ କିଏ ଅଛି ?’

 

‘ସେ କଥା ଶୁଣାଯିବନି, ଆଜି ଫୁଲ ନାଇଁ ।’

 

‘ବାଜିଆ, ମତେ ବି ଦବୁ ନି ନାଁ ...ହଉ...

 

ମୁହଁ ଫୁଲେଇ କହିଲ ଲତା । ଏଇ ଝିଅଟା ପ୍ରତି ଟିକେ ବାଜିଆର ଅନ୍ୟମାନଙ୍କ ଅପେକ୍ଷା ମମତା ବେଶି । ବାଜିଆଠୁ ବଡ଼ ହେଲେ ବି ଲତା ଏଇ ଶାରୀ ଅପା ହେରିକାଙ୍କଠାରୁ ଯଥେଷ୍ଟ ସାନ । ଆଗେ ଏଇ ବାଜିଆ ହେରିକାଙ୍କ ସାଙ୍ଗେ ଖେଳୁଥିଲା । ଖାଲି ଗୋଟାଏ ଶାଢ଼ୀ ପିନ୍ଧିବା ଦିନଠାରୁ ସେମାନଙ୍କ ପଛରେ ଗୋଡ଼ଉଚି ।

 

ତା’ରି କଥାଟାକୁ ଏଡ଼ିଦେଇ ପାରିଲା ନି ବାଜିଆ । ଗୋଟାଏ ଫୁଲ ବଢ଼େଇ ଦେଲା ତା’ ହାତକୁ । ସାଙ୍ଗେ ସାଙ୍ଗେ ଡଙ୍କଟା ଭାଙ୍ଗି ଦେଇ ସେ ତା’ ମୁଣ୍ଡରେ ଗୁଞ୍ଜିଦେଲା ।

 

‘ଆଉ ଗୋଟାଏ...ଏଇଟା ତ ମୁଣ୍ଡରେ ନାଇଲି ।’

 

ପୁଣି ଗୋଟାଏ ବାଜିଆ ବଢ଼େଇ ଦେଲା । ସମସ୍ତେ ମୁହଁ ଶୁଖେଇ କହିଲେ–’ହଇ ରେ ବାଜିଆ, ଲତାକୁ ଦେଲୁ, ଆମେ ତୋର ବଡ଼ ଭଉଣୀଗୁଡ଼ାକ; ଆମକୁ ଦେଲୁ ନାଇଁ ନାଁ । ? ତା’ହେଲେ ତୋ ସାଙ୍ଗରେ କଟିସ୍‌ ।’

 

‘ହଉ ତା’ହେଲେ ଗୋଟାଏ ଗୋଟାଏ ନିଅ ।’

 

ବଢ଼େଇଦେଲା ଗୋଟାଏ ଗୋଟାଏ ସମସ୍ତଙ୍କ ହାତକୁ ।

 

‘ଆଉ ଆମ ମୁଣ୍ଡ ପାଇଁ ? କହିଲା ହେମିଦେଈ ।

 

ଅତି ପୋଖତ ଲୋକ ଭଳି ହସି କହିଲା ବାଜିଆ–

 

କଇଁ ଫୁଲ କିଏ ଖୋସାରେ ନାଏ ? ସେଇଟା ହୁଣ୍ଡିଟା ବୋଲି ନାଁ । ଏତେ ବଡ଼ ଫୁଲ କ’ଣ ମୁଣ୍ଡରେ ରହିବ ?

 

ଏଇ କଥା ଉପରେ ଲତା ମୁଣ୍ଡକୁ ବୁଲେଇ ପଛ କରି ଦେଖେଇଲା ବାଜିଆକୁ । ‘ହେଇ ଦେଖିଲ ରହିଚି କି ନାଇଁ... ?

 

ସତକୁ ସତ ଦେଖିଲା ବାଜିଆ ଏତେ ବଡ଼ ହାଣ୍ଡି ପରି ଖୋସାଟାଏ କରିଚି ବେଣୀକୁ ବୁଲେଇ ବୁଲେଇ ଲତା । ମୁଣ୍ଡର ଅଧେ ମାଡ଼ି ବସିଚି ଖୋସାଟା । ଆଉ ତା’ଉପରେ ଫୁଲଟା ବେଶ ଜମି ଯାଇଚି ।

 

‘ଆରେ ଲତାର ବେଶି ଗହଳା ବାଳ, ସେଇଥିପାଇଁ ରହିଲା, ଗୋଟାଏ ହାଣ୍ଡି ଭଳିଆ ହେଇଚି ।’

 

‘ଆରେ’...କହି କାନ ମୂଳରୁ ପୁଳାଏ ବାଳକୁ ଜବରଦସ୍ତି ଟାଣିଆଣି ଛେପ ପକେଇ ଦେଲା ଲତା ତା’ ବାଳକୁ । ଖୁଣୀ ଦେଲା ବୋଲି ଆଉ ସମସ୍ତେ ସେମିତି ପଛ କରି ବୁଲିପଡ଼ି ବାଜିଆକୁ ନିଜ ମୁଣ୍ଡର ଖୋସା ଦେଖେଇଲେ ।

 

ଆରେ ସତେ ତ ! ସମସ୍ତଙ୍କ ମୁଣ୍ଡରେ ଗୋଛାଏ ଗୋଛାଏ ବାଳ ଆଉ ଗୋଟାଏ ଗୋଟାଏ ଖୋସା । କାଇଁ ତା’ ଝୁନିୟାଁ । ମୁଣ୍ଡରେ ତ ଏତେ ବାଳ ନାଇଁ ? ବାଧ୍ୟ ହେଇ ଅନ୍ୟମନସ୍କ ଭାବରେ ଆଉ ପୁଳାଏ ପୁଳାଏ ସମସ୍ତଙ୍କୁ ଦେଇ ଦେଲା ସେ ଫୁଲରୁ । ମନରେ ତା’ର ଗୋଟିଏ କଥା–ଝୁନିୟାଁ ମୁଣ୍ଡରେ ଏମିତି ବାଳ ହେଇ ଯାଆନ୍ତା ନାଇଁ ! ସେ ସବୁ ଦିନେ ତାକୁ ଫୁଲ ଦିଅନ୍ତା ଖୋସିବାକୁ... ।

 

ଫୁଲ ନେଇ ସାରିଲା ପରେ ଖୁସି ହେଇ ବାଜିଆକୁ ବହୁତ ପ୍ରଶଂସା କରି ଝିଅ ପଞ୍ଝାକ ବୀର ଯୋଦ୍ଧା ଆଦି ଯେତେ ବିଶେଷଣ ଲଗେଇ କହିଦେଇ ଗଲେ । ବାଜିଆ ଖାଲି କୁରୁଳି ଉଠୁଥାଏ । ସତରେ ସେ କେଡ଼େ ପାରିବାର... !

ସେମାନେ ଟିକେ ଦୂରେଇଗଲେ । ହଠାତ୍‌ ବାଜିଆର ହୋସ୍‌ ଆସିଲା ଝୁନିୟାଁ କଥା । ପଛକୁ ଚାହିଁଲା ବେଳକୁ ଝୁନିୟାଁ । ଠିଆ ହେଇଚି ମୁହଟାକୁ ଫୁଲେଇ ଆଖି ଛଳ ଛଳ କରି, ହାତରେ ତା’ର ଛୋଟିଆ ଶୁଖିଲା ବାକି ଫୁଲ ଦି’ଟା । ବାଜିଆକୁ ଅସଜ ଲାଗିଲା, ସବୁ ସହିବ ସେ, ହେଲେ ଝୁନିୟାଁ । ଆଖିରେ ଲୁହ, ତା’ର ଶୁଖିଲା ମୁହାଁ ଫୁଲା...ନଁ

‘ଆଉ ଜମା ଏତିକି ଫୁଲ ରହିଲା କିଲୋ ?

ଏଇ କଥାରେ ସେତକ ଫୁଲକୁ ଦୂରକୁ ଫିଙ୍ଗି ଦେଲା ଝୁନିୟାଁ । ସତେ ଯେମିତି ବଳକା ଫୁଲଗୁଡ଼ାକ ପରି ସିଏବି ବଳକାଟାଏ ।

ରାଗିଲୁ କି ?’

ଆହୁରି ମୁହଁ ଫୁଲେଇ କୋହ ଉଠେଇଲା ଝୁନିୟାଁର । ମନରେ ତା’ର କେତେ ଅଭିମାନ, ହଁ, ସେ ତା’ର କିଏ ? ଶାରୀ ଅପା, ଲତା ଅପା, ମାଳୀ ଅପା ଏମାନେ ସିନା ସବୁ ।

କାଇଁ କି ନ ହେବେ ଯେ ସେମାନେ ? ସେମାନେ ତ ବଡ଼ ଝିଅଗୁଡ଼ାକ, ଶାଢ଼ୀ ପିନ୍ଧି ପାଦକୁ ମାପିଚୁପି ପକେଇ ଚାଲୁଚନ୍ତି । କଣେଇ କରି ଅନେଇ ପାରୁଚନ୍ତି, ତାଙ୍କର ଏଡ଼େ ବଡ଼ ବଡ଼ ଖୋସା ମୁଣ୍ଡରେ, ଆଉ ବାଜିଆଇ ତାଙ୍କୁ ଫୁଲ ଦବ ନାଇଁ ଆଉ କ’ଣ ତାକୁ ଦେବ ?

 

ଆଃ...ସତରେ ଯଦି ସେ ଗୋଟାଏ ସେମିତି ବଡ଼ ଝିଅଟାଏ ହେଇଯାନ୍ତା...ତା’ ମୁଣ୍ଡରେ ଗୋଛାଏ ବାଳ ହେଇଯାନ୍ତା, ଦିହରେ ପୁଳାଏ ମାଉଁସ ଲାଗିଯାନ୍ତା ଆଉ ତା’ ଆଖିରେ ଚହଲା ଠାଣି ଭରିଯାନ୍ତା... । ସେତେବେଳେ ତାକୁ ତ ଫୁଲ ଆଣି ଦିଅନ୍ତା ବାଜିଆ, ଆଉ ସେ ତା’ରି ମୁହଁ ଉପରକୁ ଫୋପାଡ଼ି ଦେଇ କହନ୍ତା, ତୁ ଟା ମାଇଚିଆଟାଏ । କିନ୍ତୁ ହାୟ ! ଏଗୁଡ଼ା ସିନା ଭାବନା ।

 

‘କିଆ କହିବୁନି ତ ? ହଲେଇ ଦେଲା ଝୁନିୟାଁ କୁ ବାଜିଆ । ହଠାତ୍‌ ଝୁନିୟାଁର ମନେପଡ଼ିଗଲା କଥା ନ କହିବାକୁ । ସେ ଉପରକୁ ଟେକାଟା...ଟିକିଏ ଆଗରୁ ପାଞ୍ଚ କରୁଥିଲା ଆଉ ଥରେ ଟେକନ୍ତା କି ? ମନରେ ଭାବିଲା ଏଇ ତା’ହେଲେ ସୁଯୋଗ, କଥା କହିବ ନି ସେ । ଆଉ ସେମିତି ଟେକିନେବ ବାଜିଆ ତାକୁ ।

 

‘କ’ଣ ? ଫୁଲଗୁଡ଼ାକ ଦେଇ ଦେଲି ବୋଲି ରାଗିଲୁ ?

 

ତଥାପି ଝୁନିୟାଁ । ନୀରବ ।

 

କିଛି କହିବୁ ନି ? ଶେଷଥର ପାଇଁ ପଚାରିବି–କଥା କହିବୁ ନି ? ଏଇଥର ବୋଧହୁଏ ଟେକିଦବ ବାଜିଆ । ବେଳ ଆସିଗଲା । ଗୋଟାଏ ଆଗାମୀ ଅଜଣା ଆନନ୍ଦରେ ଆଶା ରଖି ଆଖି ବୁଜି ଆଣିଲା ଝୁନିୟାଁ । ଏଇ ବୋଧହୁଏ ତାକୁ ଟେକିଲା ।

 

‘ବେଶ୍‌ ! ...ଧପ୍‌ଧପ୍‌ ହେଇ ଚାଲିଗଲା ବାଜିଆ । ହଠାତ୍‌ ଆଖି ଖୋଲିଲା ଝୁନିୟାଁ ।

 

ଆରେ ଏ କ’ଣ ବାଜିଆଇ ଚାଲିଯାଉଚି । କାଇଁ ତ ଆଉ ଫେରିଲା ଭଳି ଜଣାପଡ଼ୁନି । ତା’ହେଲେ ସବୁ ଯୋଜନା ତା’ର ମାଟି ହେଇଯିବ ! ଆଜି ଦିନଟା ପାଇଁ କେତେ କଥା ହବାର ଅଛି, ନାଇଁ...ହୁଏ ତ ଆଉ ଡେରି ନ କଲେ ସେ କୋଉଠି ଲୁଚିଯିବ । ତାକୁ ପାଇହବ ନି । ଦୌଡ଼ିଗଲା ପଛେ ପଛେ ।

 

ବାଜିଆଇ ! ତୁ ଚାଲି ଯାଉଚୁ ?

 

କିଛି କହିଲାନି ବାଜିଆ । ଯେତେଥର ସେ ପଚାରିଚି ଝୁନିୟାଁକୁ ଠିକ ତା’ର ବଦଲା ନବ ସିଏ ।

 

‘ଏ ବାଜିଆଇ ! ଆରେ କହନାଁ...’

 

‘କ’ଣ କହିବି... ?’

 

‘ତୁ ରାଗିଲୁ ? ଚାଲି ଯାଉଁଚୁ ଯେ ?’

 

‘ଆଉ ତୁ ତ କିଛି କହିଲୁ ନି; ମୁଁ ରହିଥାନ୍ତି କାଇଁ କି ?’

 

‘ତୁ କାଇଁ ସବୁ ଫୁଲ ଦେଇ ଦେଲୁ କି ?’

 

‘ଆରେ ସେମାନେ ନିକୁଟି ହେଇ ମାଗିଲେ ।’

 

‘ମୋ ପାଇ ତ ଶୁଖିଲା ଫୁଲଗୁଡ଼ାକ...’

 

‘ଏଃ’ ଶୁଖିଲା ଫୁଲଗୁଡ଼ାକ । ତୁ ତ ହୁଣ୍ଡୀଟା । ପୋଖରୀରେ ପରା ସବୁ ଭଲ ଫୁଲତକ ଭର୍ତ୍ତି ହେଇଚି, ତାକୁ ଜାଣି କରି ମୁଁ ଆଣିନି ।’

 

‘ହେଲେ, ଲତା ମୁଣ୍ଡପାଇଁ ତୁ ତ ଭଲ ଫୁଲ ଦେଲୁ ? କାଇଁ କି ଗୋଟାଏ ଗୋଟାଏ ଦେଲୁନି ।

 

‘ଆରେ ମାଗିଲେ ସେମାନେ, ଝିଅପିଲାଗୁଡ଼ାକ, ଆଉ କ’ଣ ନିଜେ ଆଣିପାରିବେ ? ତାକୁ ନ ଦେଇଥିଲେ ତୋରିପରି ମୁହଁ ଶୁଖେଇଥାନ୍ତେ । ହେଲେ, ମୁଁ ତାଙ୍କୁ ତ ଅଳ୍ପ ଦେଇଛି, ପୋଖରୀରେ ଆହୁରି ପରା ଗାଡ଼ିଏ ଫୁଲ ଅଛି ।’

 

ପଛକୁ ଫେରି ଚାହିଁଲା ଝୁନିୟାଁ । ସାନ୍ତରା ଗାଡ଼ିଆଟା ଦେଖାଯାଉଚି ସେଇଠୁ । ସତେ ତ ! ଭର୍ତ୍ତି ହେଇଚି ଫୁଲ । ବାଜିଆର ତା’ହେଲେ ଜାଣି କରି ଭଲ ଫୁଲ ତୋଳି ନ ଥିଲା... ।

 

‘ଚାଲ, କେତେ ଫୁଲ ନବୁ...’ହାତକୁ ଧରି ଏକ ରକମ ଟାଣି ନେଇଗଲା ଝୁନିୟାଁକୁ । ପୋଖରୀ ଭିତରକୁ ଖେପାଟାଏ ମାଇଲା । ଉପରେ ସେମିତି ଠିଆ ହେଇଥାଏ ଝୁନିୟାଁ । ଚାଲିଲା ଫୁଲ ତୋଳା । ହେରେ ଝୁନିୟାଁ ମନ ସେ ଫୁଲରେ ନାଇ,...କାଇଁ କଥା ବନ୍ଦ କଲାରୁ ବାଜିଆଇ ସେମିତି ଟେକି ଦେଲାନି ତ ! ତା’ହେଲେ ଟେକା ହବା ପାଇ ଚାହିଁଲେ କଥା ବନ୍ଦ୍‌ କଲେ ହବ; ଏ କଥା ନୁହେ ?

 

ସତେ ଯେମିତି ଏକ ବିରାଟ ଗବେଷଣାର ତଥ୍ୟ ଭୁଲ ପ୍ରମାଣିତ ହୋଇଗଲା ଝୁନିୟାଁର-। ଆଖି ଫେରେଇଲା ସେ । ଦଣ୍ଡକେ ଆଣି ତୋଫା ତୋଫା ଫୁଲ ଗଦା କରିଦେଲାଣି-। ସେଗୁଡ଼ାକୁ ଚାହିଁ ଝୁନିୟାଁ । ଓଠରେ ଚେନାଏ ହସ ଝୁଲି ପଢ଼ିଲା । କହିଲା ସେ–

 

‘ସେତିକି ଥାଉ ବାଜିଆଇ, ତତେ ଥଣ୍ଡା ଧରିବ ।’

 

‘ତୋର କେତେ ଦରକାର କହ ।’

 

ଗୋଟାଏ କ୍ଷୁଧିତ ପୁରୁଷସିଂହ ପରି ଅଭିମାନରେ ପଚାରିଲା ବାଜିଆ । ଉତ୍ତରରେ କଅଁଳେଇ ଜବାବ ଦେଲା ଝୁନିୟାଁ–

 

‘ସେତିକି ।’

 

‘ତା’ହେଲେ ତୁ ବୁଡ଼ାଟାଏ ମାରି ଦେ । ଏକାଥରେ କାମ ତୁଟିଯିବ ।’

 

‘ନାଇଁ...’

 

‘ନାଇଁ କାଇଁ କି ?’

 

ବାଜିଆ ଜିଦଖୋରିଆଟାଏ । ଦି’ତିନିଥର ଏଇକଥା ଉପରେ ନାହିଁ କଲାଣି ଝୁନିୟା ତା’କୁ । ତା’ହେଲେ ନିଶ୍ଚୟ ତାକୁ ସେଇଆ କରିବାକୁ ହିଁ ପଢ଼ିବ । ତାକୁ ଅଲବତ୍‌ ଗାଧୋଇବାକୁ ହେବ । ହଠାତ୍‌ ତା’ର ମନେପଢ଼ିଲା–ଆରେ ତା’ର ତ ପିନ୍ଧିକରି ଗାଧୋଇବାର କିଛି ନାହିଁ । ଓ...ସେଇଥିପାଇଁ ସେ ମନା କରୁଛି । ତା’ମୁଣ୍ଡରେ ଗୋଟାଏ ବୁଦ୍ଧି ଦିଶିଲା ! ଛାତିଏ ପାଣିକୁ ପଶିଯାଇ, ଠିଆ ହୋଇ ନିଜ ଗାମୁଛାଟାକୁ ଖୋଲିଦେଲା ।

‘ଏଇ ଝୁନିୟାଁ । ଆଖି ବୁଜିଲୁ ।’

‘କାଇଁ କି ?’

‘ବୁଜ୍‌ ପରା କହୁଚି...’

ଅବାଧ୍ୟ ନ ହେଇ ଆଖି ବୁଜିଲା ଝୁନିୟାଁ । ବାଜିଆ ଟିକେ ପାଖେଇ ଆସି ତା’ ଉପରକୁ ଓଦା ଗାମୁଛା ଝପ୍‌ କରି ପକେଇ ଦେଇ ଛାତିଏ ପାଣିକି ପଶିଗଲା । ଚମକି ପଡ଼ି ଝୁନିୟାଁ ଆଖି ଖୋଲିଲା ବେଳକୁ ତା’ ଉପରେ ଓଦା ଗାମୁଛାଟା । ଆଉ ବେକେ ପାଣିରେ ଠିଆ ହୋଇ ଦାନ୍ତ ଦେଖଉଚି ।

‘ଜଲଦି ଗାଧୋଇ ପଡ଼–ସେଇଟାକୁ ପାଲଟି...

ଗାମୁଛାକୁ ଦେଖି ଝୁନିୟାଁ । ଆହୁରି ଲଜ୍ଜାରେ ସଢ଼ି ଗଲା । ବାଜିଆଇ ତା’ହେଲେ... ?

କାଇଁକି ଡେରି କରୁଚୁ ମ ? ମତେ ଥଣ୍ଡା ଧରିବ ପରା... !

ସତରେ ତ ବାଜିଆଇକୁ ଥଣ୍ଡା ଧରିବ । ଗାମୁଛାକୁ ଦର ଦର ଚିପୁଡ଼ା କରି ଫ୍ରକ୍‌ପେଣ୍ଟ ବଦଳି ପାଣିରେ ପଶିଲା ଝୁନିୟାଁ । ହେଲେ, କାଇଁକି କେଜାଣି ତାକୁ ଭାରି ସଙ୍କୋଚ ଲାଗୁଥାଏ । ହଠାତ୍ ତା’ର ମନେ ପଢ଼ିଗଲା ଦିନକର କଥା–

 

ଏକା ଗାଧୋଉଥିଲା ସେ । କୁଆଡ଼ୁ ଖେପାଟାଏ ମାରି ଆସିଲା ବାଜିଆ ପହଁରି ପହଁରି ତା’ ପାଖକୁ ଆସି କହିଲା–

 

ଏତିକି ପାଣିରେ କ’ଣ ଗାଧୋଉଚୁ ? ବେଶି ପାଣିକୁ ଆ...

 

ହେଲେ, ସେ ମନାକଲା ପହଁରା ଜାଣେ ନି ବୋଲି । ତାକୁ ଦେଖେଇବାକୁ ଦି’ତିନି ରକମ ପହଁରିଗଲା ବାଜିଆ । ଲୋଭ ହେଲା ତା’ର ।

 

କହିଲା–ମୁଁ ଟିକେ ପହଁରନ୍ତି ନାଇଁ ?

 

‘ହେଃ, ତୁଟା ଝିଅଟାଏ ପାଣିକୁ ଡରିବୁ । ତୁ ମୋ ପିଠିକୁ ଧର । ମୁଁ ତତେ କିଛି ବାଟ ବୁଲେଇଦେବି ।’

 

ଆଗପଛ ନ ବିଚାରି ଝୁନିୟାଁ । ହଁ ଭରିଲା । ପହଁରିଲାବେଳେ ଭାରି ଭଲ ଲାଗୁଥେଲା ତାକୁ । ହଠାତ୍‌ ତା’ର ପାଟିରୁ ବାହାରି ପଢ଼ିଲା–

 

‘ବଢ଼ିଆ ଲାଗୁଛି ।’

 

ବାଜିଆ କହିଲା, ‘ତୁ ଏମିତି ଯଦି ଗାଧୋଇବାବେଳେ ଆସିବୁ ନାଁ ...ତତେ ବୁଡ଼େଇଦେବି । ଆଉ ତୋର ବି ପହଁରା ହେଇଯିବ ।

 

ଆଜି ସେଇଆ ମନେ ପଢ଼ିଲା ଝୁନିୟାଁର । ସତରେ ଯଦି ସେଇ କଥାକୁ ମନେ ରଖି ବାଜିଆଇ ଆସିବ ତାକୁ ଏଇନେ ପହଁରେଇବାକୁ ? ଗୋଟା ସୁଦ୍ଧା ପାଣି ଭିତରେ ଶିହରି ଉଠିଲା ଝୁନିୟାଁ, ସେଦିନ ସିନା ବାଜିଆର ଅଣ୍ଟାରେ ଜୋର ହବ ବୋଲି ଭଲକରି ଗଣ୍ଠିଦେଇ ଗାମୁଛା ଭିଡ଼ିଥିଲା ଆଉ ପେଣ୍ଟଟାଏ ପିନ୍ଧିଥିଲା ଝୁନିୟାଁ, ହେଲେ ଆଜି... ?

 

କି ଲୋ ସଇଲା ?

 

ଦୂରରୁ ପାଟିକଲା ବାଜିଆ । ନିଶ୍ଵାସ ପଶିଲା ଝୁନିୟାଁର ।

 

ନାଇଁ ବୋଧହୁଏ ଆଉ ସେ ପାଖକୁ ଆସିବ ନାଇଁ...

 

‘ଆରେ ମୋର ପରା ହାତ ଥକି ଗଲାଣି ଠିଆ ପହଁରା ପହଁରି କରି । ଆଉ କେତେବେଳ ଯାକେ ଏମିତି ପହଁରୁଥିବ ?

 

‘ନାଇଁ ସରିଲାଣି...କହି ଓଦା ସଡ଼ସଡ଼ ହେଇ ଉପରକୁ ଉଠିଲା ଝୁନିୟାଁ । ବେକେ ପାଣିରେ ନିଜକୁ ବୁଡ଼େଇ ରଖିବାକୁ ବାଜିଆ ଠିଆ ପହଁରା ପହଁରୁଛି । ଗାମୁଛା ତା’ ପାଖକୁ ପକେଇଲେ ସେ ଉପରକୁ ଉଠିବ । ପାଣିକୁ ପଛକରି ଫ୍ରକ୍‌ଟାକୁ ଗଲେଇ ପକେଇଲା ଆଗ । ତା’ପରେ ଗାମୁଛାଟାକୁ ବଦଳି ପେଣ୍ଟଟା ପିନ୍ଧିଲା । ବେକତଳେ ଫ୍ରକକୁ ଜାକି ପେଣ୍ଟରେ ଗଣ୍ଠି ପକେଇଲା ଝୁନିୟାଁ । ତା’ପରେ ସିନା ଦି’ହାତରେ ଗାମୁଛା ଚିପୁଡ଼ି ତା’ ପାଖକୁ ପକେଇବ । ନହେଲେ ପାଲଟା ପାଣି ଥିବା ଗାମୁଛାଟା...

 

ଚମକି ପଢ଼ିଲା ଝୁନିୟାଁ...

 

ବାଜିଆଇ ??

 

ବାଜିଆଇ କାଇଁ ? ଆଉ ତ ପାଣିରେ ଦିଶୁନି, ଦି ଥର ଡାକିଲା ପାଟିକରି–ତା’ ପରେ କିଛି ସୋର ନ ପାଇ କାନ୍ଦିଉଠିଲା ସେ ? ସତେ କ’ଣ ବାଜିଆଇ ବୁଡ଼ିଗଲା ?

 

ଭେଁ କରି କାନ୍ଦି ଉଠିଲା ଝୁନିୟାଁ ।

 

ବାଜିଆଇ, ତୁ ଯଦି ନ ଶୁଣିବୁ ତା’ ହେଲେ ମୁଁ ପଶିଯିବି ପାଣି ଭିତରକୁ...

 

ହେଲେ, ତଥାପି ଉତ୍ତର ମିଳିଲା ନି କିଛି ! ସମ୍ଭାଳିପାରିଲା ନି ଝୁନିୟାଁ । ଆହୁରି କାନ୍ଦି କାନ୍ଦି ପାଣିକୁ ଗୋଡ଼ ବଢ଼େଇଲା.... ।

 

ଠୋ... କରି ଆସି ତା’ ପିଠିରେ ବସିଲା କଦମ୍ବ ଫୁଲଟାଏ ।

 

ଚମକି ପଡ଼ିଲା ଝୁନିୟାଁ ସେଇ କାନ୍ଦ ଭିତରେ । କଦମ୍ବଗଛକୁ ଚାହିଁ ଦେଖିଲା ପେଣ୍ଟ ପିନ୍ଧି ଠିଆ ହେଇଚି ବାଜିଆ ସେଠି । ତାଳିମାରି ହସୁଚି ।

 

ଆଶ୍ଚର୍ଯ୍ୟ ହେଲା ଝୁନିୟାଁ । ବାଜିଆ କେତେବେଳେ ବୁଡ଼ା ପହଁରାରେ କୂଳକୁ ଯାଇ ସେ ପେଣ୍ଟରେ ଗଣ୍ଠି ଦଉଥିବାବେଲେ ଗଛ ଉପରକୁ ଚଢ଼ି ସେଠି ତା’ ରଖିଥିବା ପେଣ୍ଟ ପାଲଟି ସାରିଲାଣି । ଆଉ ତା’ର ଗାମୁଛା ଦରକାର ପଡ଼ିଲା ନି । ଭାରି ରାଗ ହେଲା ଝୁନିୟାଁର । ବାଜିଆଇ ତାକୁ ସବୁବେଳେ ଏମିତି ବୋକା ବନେଇ ଦେଇ ଓଲୀ, ହୁଣ୍ଡୀ ବୋଲି କହୁଚି ।

 

ଫୁଲ ସବୁକୁ ବିଡ଼ା ବାନ୍ଧି ଧଇଲା ଝୁନିୟାଁ । ଆଖିରୁ ଭଲ କରି ଲୁହ ଶୁଖି ନଥାଏ ।

 

‘ପାଣି ଭିତରକୁ ପଶୁଥିଲୁ ନା ? କ’ଣ ମତେ ଖୋଜିବାକୁ ?’ପଛରେ ଆସି ପହଞ୍ଚିଗଲାଣି ବାଜିଆ । ଆହୁରି ଅଭିମାନ କଲା ଝୁନିୟାଁ ।

 

‘ଦେଖିଲୁ କେମିତି ତୁ ଜାଣି ପାରିଲୁନି । ମୁଁ ଗଛକୁ ଚଢ଼ି ଗଲି କେମିତି... ?’

 

ପ୍ରକୃତରେ ପାଣିରୁ ଉଠି ସେ କେମିତି ଯାଇଥିବ ଆଉ ସେଇ ଦୃଶ୍ୟଟା...ମନେ ପକେଇ ଭାରି ଲାଜେଇ ଗଲା ଝୁନିୟାଁ । ଭଲ ହେଇଚି ପଛେ ସେ ନ ଜାଣି ପାରିଚି । ଆଖିରୁ ଲୁହ ପୋଛିଦେଲା ବାଜିଆ ।

 

‘ତୁ ସତରେ କାନ୍ଦୁଥିଲୁ ମୁଁ ବୁଡ଼ିଗଲି ବୋଲି ନା ?’

 

ଝୁନିୟାଁ କିଛି ନ କହି ଆହୁରି ନଇଁଗଲା ବାଜିଆ ଆଡ଼କୁ । ବାଜିଆ କଦମ୍ବଫୁଲରୁ କେଇଟା ତା’ ହାତରେ ଗୁଞ୍ଜି ଦେଇ କହିଲା, ‘ମୁଁ ଟିକେ ସେମିତି ମଜା କରୁଥିଲି ନା !’

 

ଦିହେଁ ଚାଲିଗଲେ ଫୁଲରୁ ମେଞ୍ଚାଏ ମେଞ୍ଚାଏ ଧରି ।

 

ଗୋହରୀ ତଳ ଦେଇ ଆଗପଛ ହେଇ ଚାଲିଥାନ୍ତି ଦି’ଜଣ ଯାକ । ଯେମିତି ଏକ ବିରାଟ ଲକ୍ଷ୍ୟ ନେଇ ଚାଲିଛନ୍ତି । ଆଗରେ ସାରି ସାରି ଧାନକିଆରୀ । ତା’ରି ହିଡ଼ ଉପର ଦେଇ ଚାଲିଛନ୍ତି ଦି’ଜଣ ଯାକ । ସାହି ଭିତରେ ଯାଇଥିଲେ କିଏ କେତେ ସାକୁଲେଇ ହେଇଥାନ୍ତେ ଫୁଲ ପାଇଁ । ଏବାଟେ ଗଲେ କେହି ଦେଖିବେନି ।

 

ହିଡ଼ ଉପର ଦେଇ ଚାଲିଚି ବାଜିଆ ଆଗରେ, ପଛରେ ଝୁନିୟା । ଏ କିଆରୀରୁ ସେ କିଆରୀକୁ ସିଆର କଟା ହେଇଚି । ମଝିରେ ମଝିରେ ସେ ମଝି ଫାଙ୍କ ଜାଗାଟାକୁ ଅବଲୀଳାକ୍ରମେ ଡେଇଁଯାଉଚି ବାଜିଆ । ତା’ରି ଗୋଇଠିକୁ ଚାହିଁ ଚାହିଁ ଚାଲିଚି ଝୁନିୟାଁ ।

 

‘ସତରେ କେଡ଼େ ଜୋର୍‌ରେ ଡେଇଁଯାଉଚି ମ ବାଜିଆଇ !’

 

ସରୁ ହିଡ଼ ରାସ୍ତାଟା ବଙ୍କେଇ ହେଇ ଲମ୍ବିଯାଇଚି । ଖାଲି କିଆରୀଗୁଡ଼ାକ ମାଟିଆ ମାଟିଆ ଦିସୁଛନ୍ତି । ତା’ରି ଉପରେ ସକାଳୁଆ ଫିକା ଖରାଟା ବେଶ୍‌ ନେପ୍‌ଟେଇ ଗଲାଣି ।

 

ଚାଲିଛନ୍ତି ବାଜିଆ ଆଉ ଝୁନିୟାଁ ।

 

ବାଜିଆ ଆଉ ଝୁନିୟାଁ ।

 

ଟିକିଲିପୁର ଗାଁ, ନା ଅନୁଯାୟୀ ବେଶ୍‌ ଛୋଟ ଗାଁ’ଟିଏ । ତଥାପି ଗାଁରେ ପ୍ରାୟ ପାଞ୍ଚଶ ଘର ହବ । ଗାଁର ଗୋଟିଏ ମୁଣ୍ଡରେ ନଈର ଧାର କଟା ହେଇ ଫସଲ ପାଇଁ ତିଆରି ହେଇଥିବା ଛୋଟ ନାଳରୁ ଗୋଟାଏ ଶୋଇ ଶୋଇ ଲମ୍ବି ଯାଇଚି । ବର୍ଷାଦିନେ ନଈରୁ ପାଣି ଆଣି ବିଲରେ ଢାଳି ଦେଇଯାଏ । ସେତିକିବେଳେ କେତେ ରକମର ହାକିମ ସବୁ ଆସି ଗାଁ ବୁଲିଯାନ୍ତି । ଚାଷ ଦେଖିଯାନ୍ତି । ସାର ବିହନ ଦେଇଯାନ୍ତି । ନ ହେଲେ ଅନ୍ୟ ଦିନେ ଏ ଗାଁର ସୁଖଦୁଃଖ ଏ ଗାଁରେ । ସମସ୍ତେ ନିଜ ନିଜ ଧନ୍ଦାରେ ବ୍ୟସ୍ତଥାନ୍ତି ।

 

ସବୁ ଗାଁପରି ଏଠି ବି ମେଳା ମଉଚ୍ଛବ ହୁଏ । ରଜ, କୁଆଁର ପୁନେଇ, ଦୋଳ, ଜାଗର ହୁଏ । ଭାଗବତ ଟୁଙ୍ଗୀରେ ସମସ୍ତେ ଏକାଠି ହେଇ ନାମ ସଂକୀର୍ତ୍ତନ କରନ୍ତି । ତ୍ରିନାଥ ମେଳା କରନ୍ତି ।

 

ଗାଁର ଗୋଟିଏ ପାଖକୁ ଦୂରରେ ଖଣ୍ଡେ ଛୋଟିଆ ପାହାଡ଼ । ତା’ ମୂଳ ପର୍ଯ୍ୟନ୍ତ ବି ଲମ୍ବିଛି କିଆରୀ । ବର୍ଷା ଦିନେ ଉପରୁ ପାଣି ଗଡ଼ି ଆସି ଏ ଅରାକ ବି ବେଶ ଫସଲ ହୁଏ । ଆର ମୁଣ୍ଡରେ ତୋଟାଟାଏ । ତା’ର ଟିକେ ଦୂରକୁ ବଡ଼ ବରଗଛ ଟାଏ । ଗାଁ ମୁଣ୍ଡ ବରଗଛ ଏଇଟା । ମଝି ଗାଁରେ ଭାଗବତ ଟୁଙ୍ଗୀ । ତା’ ପାଖକୁ ମହାଦେବଙ୍କ ମନ୍ଦିର । ମନ୍ଦିର ଉପରକୁ ଲାଗି ଠିକ ବଡ଼ ବେଲଗଛଟାଏ । ମହାଦେବଙ୍କ ମନ୍ଦିର ବିଷୟରେ ଛୋଟିଆ କାହାଣୀଟିଏ ଅଛି । ବେଳେ ବେଳେ ଗାଁର ବୟୋଜ୍ୟେଷ୍ଠ ମୁରବୀ ଶମ୍ଭୁ ମିଶ୍ର ଅଙ୍ଗେ ନିଭେଇଲା ଭଳି ବର୍ଣ୍ଣନା କରନ୍ତି ।

 

ସେ ଅନେକ ଦିନ ତଳର କଥା । ଶମ୍ଭୁ ମିଶ୍ରଙ୍କ ଗୋସବାପ ତ୍ରିନାଥ ମିଶ୍ରଙ୍କର କୁଆଡ଼େ ସେତେବେଳେ ଜନ୍ମ ନାହିଁ । ତାଙ୍କର ବାପ କଣ୍ଠ ମିଶ୍ରେ ଭରାଜୁଆନ । କାଣି ଆଙ୍ଗୁଠି ମୋଟର ପଇତା’ ପକେଇ ଆଣ୍ଠୁ ତଳ ପର୍ଯ୍ୟନ୍ତ ପାଟଲୁଗା ପିନ୍ଧି ଗୋରା ତକ ତକ ଚଉଡ଼ା ଛାତିଟା ଯେତେବେଳେ ଫୁଲେଇ ଗାଁ ଦାଣ୍ଡରେ ଚାଲିଯାନ୍ତି–ଗର୍ଭିଣୀ ଗାଈ ବାଟ ଛାଡ଼ିଦିଏ । ଝରକା କବାଟ ଫାଙ୍କରୁ କୁଆଡ଼େ ଝିଅ ବୋହୂମାନେ ସେ ମୂର୍ତ୍ତି ଦେଖି ସାତଥର ଜୁହାର ହୁଅନ୍ତି । ନିଶା ରାତିରେ ସେ ଏକା ସେମିତି କାରବାର ହୁଅନ୍ତି । ଏମିତିକା ଝଡ଼ ବରଷା ରାତିରେ । ପୁଷ ମାସିଆ କାଠୁଆ ଶୀତରେ ବି ସେମିତି ଖୋଲା ଦିହ । ଦିନେ ଦିହ ଖରାପ ହବାର କେହି ଶୁଣି ନାଇଁ । ଡାହାଣ ହାତର କହୁଣୀ ଉପରକୁ ଇଞ୍ଚେ ଚଉଡ଼ାର ସୁନା ଡେଉଁରିଆ, ମହାଦେବଙ୍କ ତୃତୀୟ ନୟନ ଭଳି ତାଙ୍କ କପାଳରେ ସିନ୍ଦୂର କଲିଟା ସବୁବେଳେ ଝଟକୁଥାଏ । ସେ କୁଆଡ଼େ ଦେବ ପୁରୁଷ । ଏ ଦେବ ପୁରୁଷ କଥାଟା ବି ମନ ଫନ୍ଦା ମୋଟେ ନୁହେଁ । ଲୋକମାନେ ଆଖିରେ ଦେଖିଛନ୍ତି ରାତିରେ କଠଉ ପିନ୍ଧି ଠକ୍‌ଠକ୍‌ ହେଇ ଯେତେବେଳେ କଣ୍ଠ ମିଶ୍ରେ ଯାଉଥିବେ ସାଧନାକୁ । ସେତେବେଳେ ବାଘଟାଏ କି ଭାଲୁଟାଏ ହାବୁଡ଼ରେ ପଢ଼ିଲେ ଠିକ୍‌ ବିଲେଇ ଛୁଆଟି ଭଳି ଲାଙ୍ଗୁଡ଼ ଜାକି କଡ଼େଇ ହୋଇ ଠିଆ ହୋଇଯାନ୍ତି । ଇଏ ଯାଇ ସାରିଲା ପରେ ସେମିତି ଆସ୍ତେ ଆସ୍ତେ ଚାଲିଯାନ୍ତି, କୁଆଡ଼େ ଯେମିତିକି ମୋଟେ ଶବଦ ହବ ନାଇଁ । କାଳେ ତାଙ୍କ ମନ୍ତ୍ରରେ ଗୋଳମାଳ ହବ ।

 

ସେ ଗାଁର ସବୁଠୁ ଧାର୍ମିକ ଲୋକ ଥେଲା କୁଆଡ଼େ ଅରକ୍ଷ ପ୍ରଧାନ । କାହାର ହାନି ଲାଭରେ ନଥାଏ । ଦୁଃଖ କେବେ କାହାରି ଦେଖିପାରେନି । ସେଇ ଅନେକ ଥର ଦେଖିଚି । ଗାଁର ଶେଷମୁଣ୍ଡ ଆଡ଼କୁ ତା’ ଘରଟା । ଆଗରୁ ଜଙ୍ଗଲଟା ଏକବାରେ ପାଖ ଥେଲା । ବାଘ ଭାଲୁଗୁଡ଼ାକ ରାତି ଅଧରେ ବାହାରି ଏଇବାଟ ଦେଇ ପଶି ଆସନ୍ତି ଗାଁ ଭିତରକୁ । କାହା ଗୁହାଳରୁ ଗାଈଟାଏ, ବଳଦଟାଏ ଝାମ୍ପି ନେଇ ପଳାନ୍ତି । ସେଥିପାଇଁ ଅରକ୍ଷ ପଧାନର ନିଦ ଟିକେ ଚାଉଁକା, ଟିକେ ସୋର ପାଇଲାତ ସାଙ୍ଗେ ସାଙ୍ଗେ ହାଲ୍ଲା କରିଦିଏ ।

 

ହଠାତ୍‌ ଦିନେ ରାତି ଅଧରେ ତା’ ନିଦ ଭାଙ୍ଗିଗଲା, ସେ ଶୁଣିଲା କିଏ କଥାବାର୍ତ୍ତା କରୁଛି-। ପାଖରେ କାନ ପାରିଲା–ଚୋର କି ଡକାୟତ ହବ କି କ’ଣ । ଉଠି ଯାଇ ଜଳାକବାଟି ବାଟେ ଯାହା ଦେଖିଲା ସେଥିରେ ତ ହତବାକ୍‌ । ଦଉଡ଼ି ଆସି ତା’ ସ୍ତ୍ରୀକୁ ଡାକି ଆଣି ଦେଖେଇଲା–ଛାତି ଥରି ଉଠିବ ସେ ଦୃଶ୍ୟ ଦେଖିଲେ ।

 

ଯୋଡ଼ାଏ ଏଡ଼େ ଏଡ଼େ ବାଘ ବାଘୁଣୀ ଠିଆ ହୋଇଛନ୍ତି । ତା’ରି ମଝିରେ ଠିଆ ହେଇଚନ୍ତି କଣ୍ଠ ମିଶ୍ରେ । କଣ୍ଠ ମିଶ୍ରେ ପଚାରୁଚନ୍ତି ।

 

ତମମାନଙ୍କୁ କ’ଣ ଆଉ ବଣରେ କିଛି ମିଳୁ ନାଇ ? ତମେ ମୋର ଗାଁଟାକୁ ଆସି ପଦା କରିଦେଲଣି ? ମୁଁ ପରା ମନା କରିଚି ଏ ଗାଁକୁ କେହି ଆସିବନି ? କ’ଣ ଖାତିରି ପଡ଼ିଲାନି ? କାଇଁକି ଆସିଚ ଏଁ ?

 

ଏଇଆ କହି ରାଗି କରି ତାଙ୍କ ଆଡ଼କୁ ଖେଦି ଯାଉଥାନ୍ତି ମିଶ୍ରେ, ଆଉ ଲାଙ୍ଗୁଡ଼ ଯାକି ସେ ଦି’ଟାଯାକ ମାଡ଼ ଭୟରେ ମୁଣ୍ଡକୁ ତଳକୁ ନୁଆଇଁ ଦଉଥାନ୍ତି । ପୁଣି ପଚାରିଲେ ମିଶ୍ରେ–

 

ଆଶ୍ଚର୍ଯ୍ୟର କଥା ମଣିଷ ଭଳି ସେ ଦି’ଟାଯାକ ମୁଣ୍ଡ ହଲାଇ ମନାକଲେ ।

 

ଥରେ ଯେବେ କେବେ ଆଉ ଦେଖିଚି, ତା’ହେଲେ ବିଲେଇ କରି ବୁଲେଇବି ଏ ଗାଁରେ ଜାଣିଥା । ଯା ପଳା କହୁଚି ।

 

ଦି’ଟାଯାକ ସେମିତି ମୁହଁ ତଳକୁ କରି ଲାଙ୍ଗୁଡ଼ ଜାକି ପଳେଇଲେ । ଏ ଦୃଶ୍ୟ ଦେଖି ଅରକ୍ଷ ଆଉ ତା’ ସ୍ତ୍ରୀ ସେଇଠି କାଠ ହୋଇ ରହିଗଲେ । କେତେବେଳେ କେଜାଣି ତାଙ୍କର ହୋସ ନାହିଁ । ଶେଷ ପହରିଆ ଥଣ୍ଡା ପବନ ବାଜିବାରେ ଦିହିଁଙ୍କର ହୋସ ଆସିଲା । ଦିହେଁ ମୁଣ୍ଡିଆ ମାରି ସେଠୁ ଉଠିଲେ ।

 

ଇଏତ ଦିନକର କଥା...

 

ଆଉ ଥରେ ସେମିତି କେତେଦିନ ପରେ ଅରକ୍ଷର ସ୍ତ୍ରୀ ଶୋଇଥାଏ । ଦିହରେ ନ ମାସର ଗର୍ଭ, କେଇଟା ଦିନଗଲେ ଭୂଇଁକୁ ଆସିବ ଛୁଆଟା । ଅରକ୍ଷର ସେଥିପାଇଁ କେତେ ଚିନ୍ତା । ଗଲାଥର କଥା ମନେ ପଢ଼ିଲା ବେଳକୁ ତା’ର ଦିହ ଶୀତେଇ ଉଠେ । କେତେ ଆଶା କରିଥିଲା–ପହିଲିଥର ପୁଅଟାଏ ହବ ନିଶ୍ଚେ । ଗର୍ଭ ଯନ୍ତ୍ରଣା ଏମିତି ହେଲା ଯେ ତିନିଦିନ ତିନିରାତି କେଡ଼େ କେଡ଼େ କାଟପାଣି କଲାବାଲା ବଇଦ, ଧାଈ ସବୁ ହଟିଗଲେ । ଆଶା ହରେଇଦେଲା ଅରକ୍ଷ– ତା’ ସ୍ତ୍ରୀ ସୁଭଦ୍ରାଠଉଁ । ହଠାତ୍‌ ଗୋଟିଏ ଚିତ୍କାର କରି ମଲା ପିଲାଟିଏ ଜନ୍ମକରି ବେହୋସ ହେଇଗଲା ସୁଭଦ୍ରା । ଅରକ୍ଷ ଭାବିଲା ସିଏ ବି ଗଲା । ହେଲେ ସେ ବଞ୍ଚିଲା । ଲୋକେ କହିଲେ ଭଲ ହେଲା–ଗୋଟିଏ ଫଳ ସିନା ପୋକରା ପଡ଼ିଲା, ହେଲେ ଗଛ ତ ବଞ୍ଚିଗଲା, କେତେ ଫଳିବ, ସେଇ କଥାରେ ମନକୁ ବୋଧ ଦେଇଛି ଅରକ୍ଷ । ହେଲେ ତା’ ମନରେ ଚିନ୍ତା ଏଥରକ ପାଇଁ... । ଏଥରର ସବୁ ଲକ୍ଷଣ ତ ଗଲାଥର ସାଙ୍ଗରେ ମେଳ ଖାଉଚି । ସେମିତି କଷ୍ଟ ପାଇବ ନାଇଁତ ଶେଷରେ !! ଆଉ ଭାବି ପାରେନି, ତାମୁଣ୍ଡରେ ଗୋଟେ ଚିନ୍ତା ହେଇ ବସିଚି ଏଇଟା ।

 

ସେଇ ସୁଭଦ୍ରା ଶୋଇଚି ରାତିରେ । ଖଣ୍ଡେ ଦୂରକୁ ଆଉ ଖଣ୍ଡେ ମସିଣା ପାରି ଶୋଇଯାଇଚି ଅରକ୍ଷ । ତାକୁ ଛାଇ ନିଦ ଲାଗି ଯାଇଚି ସେଇକ୍ଷଣି । ଏଇ ଘଡ଼ିକ ଆଗରୁ ଏକା ଚାହାଣୀରେ ସେ ନିଦରେ ଶୋଇଥିବା ସୁଭଦ୍ରା ଆଡ଼କୁ ଅନେଇ କେତେ କ’ଣ ଭାବୁଥିଲା । ସମୟ ପାଖେଇ ଆସିଲାଣି ତା’ର । ଭାରୀ ଦିହଟାରେ କଡ଼େଇ ହେଇ ଶୋଇଚି କେତେ କଷ୍ଟରେ ସେ । ବେଳେ ବେଳେ ଚିହିଙ୍କି ଉଠୁଚି । ସତେକି ବିଧା ଗୋଇଠା ମାରୁଚି ଭିତରର ମଣିଷଟା ବାହାରକୁ ଆସିବ ବୋଲି । ଇଏ ପୁଣି କୁଆଡ଼େ ଗୌରବ । ଏଇ କଷ୍ଟ ପାଇଁ କେତେ ପୂଜା ମାନସିକ, ଦିଅଁ ଦେବତା–ସେଇଥିପାଇଁ କଥାରେ କହିଚି ମା’ କଷ୍ଟ କାହାରି ନାଇଁ । କାଲି କେଡ଼େ ଧକ୍‌କାଟାଏ ମାଇଲା ସେ ସୁଭଦ୍ରାକୁ କିଛି ନ ଜାଣି । ବିଲରୁ ଆସିଲା ବେଳକୁ ବିରି ଅଖା ଖୋଲି ଭୋଗେଇଏ ମାଟି ବାଛି ତାକୁ ଖାଇ ଚାଲିଚି ... । ସେଇ ଗୁଡ଼ାକୁ ଖାଇ ମୋ ଛୁଆକୁ ମାରିବୁ’ ବୋଲି ଧକ୍‌କାଟାଏ ପକାଇଲା ତାକୁ । ଦିନେ ନାଇଁ କାଳେ ନାଇଁ କେଡ଼େ କଥାଟାଏ କରି ପକେଇଲା ସେ । ସେ ସିନା ବସିଥେଲା ବୋଲି, ନହେଲେ ଠିଆ ହୋଇଥିଲେ ତ ପଢ଼ି ଯାଇଥାନ୍ତା । ତା’ହେଲେ ଏ ଗୋଳ ହାଳିକି ସେ ଗୋଳ ବଲେଇ ପଢ଼ିଥାନ୍ତା । ସେ କ’ଣ ମୂର୍ଖଟା ଜାଣିଚି ଯେ......ଏଇ ବେଳରେ ଏମିତି ଇଚ୍ଛା ହୁଏ ।

 

ଏମିତି କେତେ କ’ଣ ଭାବୁ ଭାବୁ ଛାଇନିଦ ଲାଗି ଯାଇଚି ତାକୁ ।

 

ସୁଭଦ୍ରାର ନିଦ ଚାଉଁକିନା ଭାଙ୍ଗିଗଲା । ଯେମିତି କିଏ କଥାଭାଷା ହେଲାଭଳି ତାକୁ ଜଣାଗଲା । ଚାପା ଗଳାରେ ଡାକିଲା ସେ ଅରକ୍ଷକୁ ।

 

‘ହେଇ ଶୁଣୁଚ...ଶୁଣିଲ, କିଏ ଯେମିତି କୋଉଠି କଥା କହୁଚି ।

 

ଛାଇ ନିଦଟା ଭାଙ୍ଗିଗଲା ଅରକ୍ଷର । ଉଠି ବସି କାନ ପାରିଲା ।

 

ଆରେ ସତେ କି ! ଉଠି ଗଲା ଜଳାକବାଟି ପାଖକୁ । ତା’ ପଛେ ପଛେ ଭାରି ଦିହଟାକୁ କଷ୍ଟରେ ଉଠେଇ ଚାଲିଗଲା ସୁଭଦ୍ରା । ଦିହେଁ ଦେଖି ପକେଇଲେ–କଣ୍ଠ ମିଶ୍ରେ ଠିଆ ହେଇଚନ୍ତି । ସାମନାରେ ତାଙ୍କର ଗୋଟାଏ ମସ୍ତବଡ଼ ସାପ । ସାପଟା ବି ଠିଆ ହେଇଚି ମିଶ୍ରଙ୍କ ଉଚ୍ଚା ହେଇ । ମିଶ୍ରେ ତା’ ଗଳାକୁ ଧରିଚନ୍ତି । ଏତେ ଉଚ୍ଚ ଠିଆ ହେଇ ବି ଆହୁରି ଲମ୍ବିଚି ସେଇଟା ସାତ କି ଆଠ ହାତ । ମିଶ୍ରେ କହୁଚନ୍ତି–

 

‘ଓହୋ ମୋର ମନେ ଅଛି, ତୁ ଯା ମହାପ୍ରଭୁଙ୍କୁ କହିବୁ ବେଲଟା ପାଚି ନାଇଁ । ସେ ଗଛର ପହିଲି ବେଲ–ମୁଁ କ’ଣ ଜାଣିନେଇଁ, କାଲି ଆଡ଼କୁ ପାଚି ଯିବ । ମୁଁ ଖଣ୍ଡ କ୍ଷୀର ବରାଦ ଦେଇ ସାରିଚି । ନନ୍ଦ ଦେଇ ପଣାଟେ କରି ମହାପ୍ରଭୁଙ୍କୁ ନାଗି କରିବି । ସେଇ କଥାଟା ମନେ ପକେଇଦବାକୁ ତୁ ଚାଲି ଆଇଲୁ ? କିଏ ଦେଖି ପକେଇବ ତତେ...ଡରିବ ? ପଳା ମହାପ୍ରଭୁଙ୍କୁ ମୋର ଜୁହାର କହିବୁ ।

 

ଏ ଦୃଶ୍ୟରେ ଦୁମ୍ କରି ଗଛ କାଟିଲା ଭଳି ଡରରେ କଚାଡ଼ି ହେଇ ପଢ଼ିଲା ସୁଭଦ୍ରା ସେଇଠି । ଚମକି ପଢ଼ିଲା ଅରକ୍ଷ । ଆଉ ତାକୁ ବୁଦ୍ଧି ଦେଖାଗଲା ନାହିଁ । ଆଉ କ’ଣ ସେ ବଞ୍ଚିବ ନା ତା’ ଛୁଆ ବଞ୍ଚିବ । କିଛି କୁଆଡ଼ୁ ନ ପାଇ ଦଉଡ଼ିଲା ଦାଣ୍ଡକୁ ଡାକ ପକେଇ... ।

 

‘ଗୋସେଇଁ ମହାପ୍ରୁ ...ଗୋସେଇଁ ମହାପ୍ରୁ’

 

‘କିରେ ... କ’ଣ ?’

 

ଜବାବ ଦେଇ ଅଟକି ଗଲେ କଣ୍ଠ ମିଶ୍ରେ । ଏତେବଡ଼ ସାପଟା କୁଆଡ଼େ ଅନ୍ତର୍ଦ୍ଧାନ ହେଇ ଯାଇଥାଏ ।

 

ଲମ୍ବ ହେଇ ଗୋଡ଼ ତଳେ ପଡ଼ିଗଲା ଅରକ୍ଷ ।

 

‘ମାହାପ୍ରୁ ! ନିଦ ଭାଙ୍ଗିଗଲା ବୋଲି ଏ ପାପୀ ଆଖିରେ ଭଗବତ ଲୀଳା ଦେଖୁଥେଲୁ । ମୋ ସ୍ତ୍ରୀ ସୁଭଦ୍ରାର ନ ମାସ ଗର୍ଭ । କଚାଡ଼ି ହେଇ ପଡ଼ିଲା ଡରରେ । ଆଉ ତା’ର ହୋସ ନାହିଁ କି ଜୀବନ ନାହିଁ । ମୋର ସଂସାର ସରିଗଲା ।

 

ହୋ ହୋ ହେଇ ହସି ଉଠି ଲେ କଣ୍ଠ ମିଶ୍ରେ । ସେମିତି କଠଉ ଠକ ଠକ୍‌କରି ଚାଲିଗଲେ ଜଙ୍ଗଲ ଆଡ଼କୁ ଆଉ କିଛି ନକହି ।

 

କ’ଣ କରିବ ଅରକ୍ଷ । ତା’ର ଆଉ ଗୋଡ଼ ଚଳିଲାନି ! ଭାବିଲା ଘରକୁ ଯାଇ ଆଉ ଲାଭ କ’ଣ ? ଯାଇ ସାହିରୁ କାହାକୁ ଡାକିଲେ ହେଲେ ଯାହା କରିବାର କରିବେ । ମରିଥେଲେ ତ ମଡ଼ା ଉଠେଇବେ । ନ ହେଲେ...ଆଉ ତୁଣ୍ଡ ପଇଠୁ ନ ଥାଏ ଭାବିବାକୁ । ଦଉଡ଼ିଯାଇ ଆଖପାଖ ଦି’ଘରେ ଖବର ଦେଲା । ପାଟି ଖନି ବାଜି ଯାଉଥାଏ । କିଛି କାହାକୁ ଭଲକରି କହିପାରୁ ନଥାଏ । ହେଲେ ଗୋଟାଏ କ’ଣ ଅଘଟଣ ହେଇଚି ଭାବି ସେମାନେ ଉଠି ଆସିଲେ । ଅରକ୍ଷ ଭାବିଲା ରାତି ବିକାଳି ଆଉ କାହିଁକି କାହାକୁ ଉଠେଇବି । ସକାଳ ହେଲେ ତ ଜାଣିବେ ସମସ୍ତେ । ଯାହାକୁ ଉଠେଇଲା ନିଦରୁ ଉଠି ଧାଇଁଲେ ଅରକ୍ଷ ଘରକୁ । ହେଲେ ଅରକ୍ଷର ଗୋଡ଼ ଚଳିଲାନି ଭିତରକୁ ଯିବାକୁ । କାଇଁକି ଯିବ...କ’ଣ ଦେଖିବ ?

 

ସାଇ ଭାଇ ଯିଏ ଭିତରକୁ ଗଲେ ବାହାରକୁ ଆସି କହିଲେ–’ବଇଦ ତ ଅଛନ୍ତି । ଧାଈମା ତ ଅଛନ୍ତି ଆଉ ଚିନ୍ତା କାଇଁ କରୁଚୁ ?

 

ଏଇ କଥାରେ ଚମକି ପଢ଼ିଲା ଅରକ୍ଷ ।

 

ବଇଦ ଆଉ ଧାଈମା ?

 

କାହାରି ଘର ଦି’କୋଶ ବାଟରୁ କମ୍‌ ନୁହେଁ । ସେମାନେ କେମିତି ଜାଣିଲେ ? ଜାଣିଲେନି ଆସିଲେ କେମିତି ? ବିଶ୍ୱାସ ହେଲାନି ତା’ର । ଭିତରକୁ ଯିବାକୁ ଗୋଡ଼ ଉଠେଇଚି ଭିତରୁ ବଇଦ ଆସିଲେ ।

 

“ହଇରେ ଅରକ୍ଷ ! କାଳକ ତୋର ଡରକୁଳା ପଣ ଗଲା ନାଇଁ ? ଆରେ ଧାଈମାକୁ ଡକେଇଥିଲୁ । ସେ ତ ଥେଲା । ଆଉ ଏ ବୁଢ଼ାଟାକୁ ରାତିରେ ହଇରାଣ କରିନଥିଲେ କ’ଣ ହେଇନଥାନ୍ତା ? ସକାଳୁ ଆସି ମୁଁ ଯାହା କାଟ ଦବାର ଦେଇନଥାନ୍ତି ?

 

ପାଟି ସେତେବେଳକୁ ଆଙ୍ଗୁ ଆଙ୍ଗୁ ହେଇ ଆସିଲାଣି ଅରକ୍ଷର । କ’ଣ ସେ ଉତ୍ତର ଦବ-। ପାଟି ଖୋଲିଲା ଆଗରୁ ଭିତରୁ ବାହାରି ଆସିଲା ଧାଈମା ।

 

‘ଓହୋ, ଏମିତି ଛାନିଆଁ । ଝଅଟ ଆସ...ଝଅଟ ଆସ । ଆଉ ରଖି ଥୋଇ ଦେଲା ନାଇଁ ମତେ । କ’ଣ ବା ଆସିକରି ମୁଁ କଲି । ଆସିଲା ବେଳକୁ କେଡ଼େ ସୁନ୍ଦର କଅଁଳା ପିଲାଟା ତା’ର ଖେଳୁଚି । ଇଏ ମା’ଟା ଟିକିଏ ପାଣି ପାଇଁ ହାତ ଠାରୁଚି । ତାକୁ ଦେଖିବାର ନାଇଁ । ତୁ ଦଉଡ଼ୁ ଚୁ ୟାକୁ ତାକୁ ଖବର ଦବା ପାଇଁ ? ଯା...ଦେଖି ଆସିବୁ ଯା । ମୁଁ ସବୁ ସାରିଦେଲିଣି ।

 

କ’ଣ କହିବ ସେ ? କେମିତି ମନା କରି ଦବ ଯେ ସେ ଖବର ମୋଟେ ଦେଇ ନାଇଁ ବଇଦକୁ ଆଉ ଧାଈମାକୁ । ସେ ଯଦି ଖବର ଦେଇ ନାଇଁ ତା’ହେଲେ ସେ ଦି ‘କୋଶ ବାଟରୁ ଆସିଲେ କେମିତି ? ସେମାନେ ଯଦି ବହୁତ ସମୟ ହେଲା ଆସି ନାହାନ୍ତି, ତା’ହେଲେ ଧାଈମା ଅନ୍ତୁଡ଼ିର ଏତେ କାମ ସାରିଲାଣି କେମିତି ? ... ହେଲେ ସେ ବୁଝି ପାରୁନାଇଁ ଯେ ଏଇ କ୍ଷଣକ ଆଗରୁ ତ ସେ ଏ ଦୃଶ୍ୟ ଦେଖିଲା–ଦଉଡ଼ି କରି ଯାହା ପାଖ ଘର ଦି’ଟାକୁ ଖବର ଦେଇଚି । ସେତିକି ସମୟ ୟା ଭିତରେ କଟିଚି । ହେଲେ...ଏ କ’ଣ ସବୁ ।

 

ନାଃ, ଏଗୁଡ଼ା ତାକୁ ମୋଟେ ବିଶ୍ୱାସ ହେଲା ନାଇଁ । ଭିତରକୁ ପଶିଗଲା ସେ । ଦେଖିଲା ସତକୁ ସତ କଅଁଳା ପିଲାଟାଏ ଶୋଇଚି ସୁଭଦ୍ରା ପାଖରେ । ଆଉ ସୁଭଦ୍ରା ଆଖି ବନ୍ଦ କରି ତା’ ଉପରେ ହାତ ପକେଇଚି ।

 

କାଠଟାଏ ଭଳି ବାହାର ଆସି ଲଥ୍‌କରି ବସି ପଢ଼ିଲା ଦାଣ୍ଡ ପିଣ୍ଢାରେ । ବଇଦ ଆଉ ଧାଈମା ମୁହଁରେ ସେଇ ଗୋଟିଏ କଥା–ଯାହା ହାତରେ ସେ ଖବର ପଠେଇଥେଲା କୁଆଡ଼େ ସେ ଅଥୟ କରି ପକେଇଲେ ଏଙ୍କୁ ଆସିବାକୁ । ପଢ଼ିଶାର ଯେ କେତେଜଣ ବସିଥେଲେ କହି ଉଠିଲେ–

 

‘ଆର ଥରକ ଚମକଟା ତା’ ମନରେ ଅଛି ନା... ଟିକେ ସେଇଥିପାଇଁ ଜାଗତିଆର ରହିବାକୁ ଡାକ ପଠେଇଲା । ଯା’ହଉ ସୁରୁଖରୁରେ ହେଇଗଲା । ନିର୍ବିକାର ଚିତ୍ତରେ ଶୁଣୁଥାଏ ଅରକ୍ଷ । ମନେ ମନେ ଭାରିଲା ଯଦି କିଛି ଉତ୍ତର ସେ ଦବ ଏ କଥାକୁ କାଟି ତାକୁ କେହି ବିଶ୍ୱାସ କରିବେନି । ବରଂ ତୁନି ରହିବା ଭଲ । ଏତିକିବେଳେ ଫରଚା ହେଇ ଆସୁଥାଏ । ସେ ଜଙ୍ଗଲ ଆଡ଼ୁ ଫେରିଲେ କଣ୍ଠ ମିଶ୍ରେ । ତାଙ୍କର କଠଉ ଠକ୍‌ ଠକ୍‌ ଶୁଣାଗଲା ।

ଏ ଘଟଣା ସବୁ ବୁଝିବାକୁ ଚେଷ୍ଟା କରି କିଛି ନ ବୁଝିପାରି ଅରକ୍ଷ ଯେତକ ବୁଝିଥିଲା...ସେ କେବଳ ଗୋଟିଏ କଥା–

ଏଇଟା ଜଣକର ଦୟା ଆଉ ସେ ଜଣକ ମଣିଷ ନୁହେଁ ।

କଣ୍ଠ ମିଶ୍ରେ ପାଖେଇ ଆସିଲେଣି । ଆଉ ସମ୍ଭାଳି ପାରିଲାନି ଅରକ୍ଷ । ଆନନ୍ଦରେ ଗଦ୍‌ ଗଦ୍‌ ହେଇ ପିଲାଙ୍କ ଭଳି କାନ୍ଦି ଉଠି ସିଧା ଯାଇ ମିଶ୍ରଙ୍କ ଆଗରେ ମୁଣ୍ଡିଆ ମାରି ପଢ଼ିଗଲା । ନ ଜାଣିଲା ଭଳି ମିଶ୍ରେ ପଚାରିଲେ ଅନ୍ୟମାନଙ୍କୁ–

‘କିରେ ୟା’ର ପୁଣି କ’ଣ ହେଲା, ଏଁ ? ହଉ ଉଠ... ଉଠ୍‌... ଉଠ୍‌’

ହୋ ହୋ ହେଇ ସେମିତି ହସି କଠଉ ଠକ୍‌ ଠକ୍‌ କରି ଚାଲିଗଲେ । ସେ ଚାଲିଗଲା ପରେ ମାଟିରେ ତାଙ୍କର କଠଉ ଦାଗକୁ ଆମ୍ପୁଡ଼ି ଆଣି ଦିହରେ ବୋଳି ହେଲା ଅରକ୍ଷ । ସେହି ଧୂଳିରୁ ମୁଠାଏ ନେଇ ଘର ଭିତରକୁ ଦଉଡ଼ିଲା । ଲୋକେ ଭାବିଲେ ବୋଧହୁଏ ଏତେ କଷ୍ଟରେ ପୁଅଟିଏ ହେଇଚି ବୋଲି ବ୍ରାହ୍ମଣ ବୈଷ୍ଣବ ମନୁଚି ।

ସେଇ କଣ୍ଠ ମିଶ୍ରେ । ଏଡ଼େ ଦେବ ପୁରୁଷ । ତାଙ୍କୁ କୁଆଡ଼େ ସାକ୍ଷାତ ଶିବ ଥରେ ଆସି ଡାକିଲେ–ଆରେ ତୁ ତ ବର ସୁକୃତରୁ ତାକୁ ବାହା ହେଲୁ । ଆଉ ମୁଁ କ’ଣ ସେ ପାହାଡ଼ରେ ଏକା ବୁଲୁଥିବି ? ନାଇଁ, ତୋର ତ ବର ପୂର୍ଣ୍ଣ ହେଲା, ତୁ ଏଥର ଦ୍ୱିତୀୟ ବାହା ହେଇ ସୁଖରେ ରହ ।

 

ସେଇଦିନ ରାତିରେ କୁଆଡ଼େ ଗୋଟିଏ ଝାଡ଼ା ହେଲା ମିଶ୍ରଙ୍କ ସ୍ତ୍ରୀକୁ । ତା’ପରେ ସବୁ ଶେଷ । ଗାଁର ସମସ୍ତେ କାନ୍ଦିଲେ । ଆହା, ସାକ୍ଷାତ ଦେବୀଟିଏ...ଗୋଟିଏ ଚାଉଳରେ ଗଢ଼ା । କାହାକୁ ଉଁ କି ଚୁଁ କହିବାର ଶୁଣା ନାହିଁ । ହାତେ ଓଢ଼ଣା ଦିନେ ଚାଖଣ୍ଡେ ହେଇ ନାଇଁ... ଏମିତି କେତେ କ’ଣ ? ହେଲେ ହସି ହସି ଶବଦାହ କରିଚନ୍ତି କଣ୍ଠ ମିଶ୍ରେ । ତାଙ୍କୁ ଯିଏ ପଚାରନ୍ତି ସେ ହସି ହସି ଖାଲି କହିଚନ୍ତି–

 

‘ଆରେ ମୋର ସ୍ତ୍ରୀ କିଏ ମ ? ବାୟା ନାଁ କ’ଣ ?’

 

ତା’ପରେ କଣ୍ଠ ମିଶ୍ରେ ଠାକୁରଙ୍କ ଆଦେଶ ଅନୁଯାୟୀ ଆଉ ଗୋଟିଏ ବାହା ହେଲେ ଯାହାଙ୍କ ସକାଶେ ତାଙ୍କ ବଂଶ ବଢ଼ିଲା । ହେଲେ ପ୍ରଥମାର କିଛି ନାଇଁ ।

 

ଆଉ ଦିନେ ସେମିତି କୁଆଡ଼େ ଆଦେଶ ହେଲା–

 

‘କିରେ ତୋ ବାପ ସିନା ଲଗେଇ ଦେଇ ଗଲା ବେଲ ଗଛଟା !, ବେଲପତ୍ର ଦି’ଟା ପାଇଁ କ’ଣ ମୁଁ ଆସି ଗଛମୂଳେ ଠିଆ ହେବି ?’

 

ବାସ୍ ! ତା’ପର ଦିନଠାରୁ ଆରମ୍ଭ ହେଇଗଲା ମନ୍ଦିର ତୋଳା । ବେଲ ଗଛଟିର ଚାରିକଡ଼େ ବେଶ୍‌ ଚଉପାଢ଼ୀଟିଏ କରାଗଲା । ତାକୁଇ ଲାଗି ଛୋଟ ମନ୍ଦିରଟିଏ ତିଆର ହେଲା । ସେଇ ମନ୍ଦିର ତିଆରି ବେଳେ କଣ୍ଠ ମିଶ୍ରେ ଦିନେ ସପନ ଦେଖିଲେ ପାହାଡ଼ କତିରେ କୋଉ ଅତଡ଼ା ପଥର । ତା’ରି ତଳକୁ କୋଉ ଗଜା ପଥରଟିଏ ଉଭା ହେଇଥିବ । ତାକୁଇ ଆଣି ମନ୍ଦିରରେ ଲିଙ୍ଗ କରି ଥାପିବାକୁ । ସତକୁ ସତ ସେଇଆ ହେଲା ।

 

କଣ୍ଠ ମିଶ୍ରଙ୍କ ପ୍ରଥମା ସ୍ତ୍ରୀ ପାର୍ବତୀ ସାଜି ସେ ପାଖର ପାହାଡ଼ରେ ମହାଦେବଙ୍କ ସାଙ୍ଗରେ କେଳି କଲେ ବୋଲି ତା’ ନାଁ କେଳି କୈଳାସ ରହିଲା । ଭୂଗୋଳ ପୋଥିରେ ସେଇ ପାହାଡ଼ ଖଣ୍ଡି କର ନାଁ ଆଉ ଯାହା ହେଇଥାଉ ନା କାହିଁକି ଟିକିଲିପୁରର ଲୋକ ତାକୁ କେଳିକୈଲାସ ବୋଲି ଜାଣନ୍ତି । ମହାଦେବଙ୍କ ନାଁ ଅନୁଯାୟୀ ପୁରୁଷ ପୁରୁଷ ଧରି କଣ୍ଠ ମିଶ୍ରଙ୍କ ବଂଶଧରମାନଙ୍କ ନାଁ କେବଳ ଶିବଙ୍କ ନାଁ ଅନୁଯାୟୀ ଦିଆହେଇ ଆସିଚି ସେଥିପାଇଁ ।

 

ସେଇ କଣ୍ଠ ମିଶ୍ରଙ୍କ ଦ୍ଵିତୀୟ ପକ୍ଷର ତ୍ରିନାଥ ମିଶ୍ର ଯେ କି ଆଜିକାର ଶମ୍ଭୁ ମିଶ୍ରଙ୍କ ଗୋସବାପ । ଏବେ ବି ଶମ୍ଭୁ ମିଶ୍ରେ କୁଆଡ଼େ ତାଗିଦା ପାଆନ୍ତି ମହାଦେବଙ୍କଠାରୁ । ଆଉଥରେ ଅଧେ ନିଶୂନ ରାତିରେ କେବେ କୋଉଥିପାଇଁ ଉଠିଲା ବେଳେ ଦେଖିଛନ୍ତି–ତାଙ୍କର ସେଇ ଅଣ ଗୋସେବାପ କଣ୍ଠ ମିଶ୍ରଙ୍କ ଆଗର ସ୍ତ୍ରୀ ଆଉ ଭଗବାନ ଶିବ କେଳି କୈଲାସରେ ତାଣ୍ଡବ କରୁଥାନ୍ତି-। ଦୂରରୁ ଖାଲି ୟାଙ୍କୁ ଆଦେଶ ଆସେ–‘କାହାକୁ କହିବୁ ନାଇଁ କି କାହାକୁ ଦେଖେଇବୁ ନାଇଁ’-। ସେଥିପାଇଁ ବଡ଼ ପ୍ରତ୍ୟକ୍ଷ ଏ ମହାଦେବ । ଏ କାହାଣୀ ଏବେ ବି ଶମ୍ଭୁ ମିଶ୍ରେ ଭଗବତ ଟୁଙ୍ଗୀରେ କି ବେଲଗଛ ଚଉପାଢ଼ୀରେ ବସି କାହାକୁ କହିଲା ପରେ ଦେଖେଇ ଦିଅନ୍ତି ତାଙ୍କ ଲୋମ କେମିତି ଟାଙ୍କୁରି ଉଠିଚି ।

 

ସେଇ ସେ ଟିକିଲିପୁର ।

 

ପାଖା ପାଖି ଘର ଦିହିଙ୍କର । ବାଜିଆ କରଣ ଘରର ପୁଅ । ବାପା ତା’ର ନିଧି ପଟ୍ଟନାୟକ । ଗାଁର ପାଞ୍ଚ ଭାଇ ମୁଖିଆ ଭିତରୁ ଜଣେ । ଚଉପାଢୀ ଉପରେ ନ୍ୟାୟ ଅନ୍ୟାୟ ନେଇ କଥାଟାଏ କହିଦେଲେ ହଠାତ୍‌ ତଳେ ପକେଇ ଦବାକୁ ଗାଁ ଭାଇଙ୍କର ଜୁ ନାହିଁ । ଜାତିରେ ସିନା କରଣ, ହେଲେ ଶମ୍ଭୁ ମିଶ୍ରେ କହନ୍ତି ଆର ଜନ୍ମରେ ସେଇଟା କଂସେଇ ଥିଲା ବୋଧହୁଏ । ତାଙ୍କ ଧାରଣାରେ କଂସେଇଙ୍କ ହୃଦୟରେ ଦୟା ମାୟା ନଥାଏ । ‘ଧ’ବୋଇଲେ ବାନ୍ଧିଲେ । କିଛି ବୁଝନ୍ତି ନାଇଁ । ନିର୍ବୁଦ୍ଧିଆ ଗୁଣ୍ଡାଗୁଡ଼ାକ । ଯେହେତୁ ନିଧିର ସେଇ ଦସ୍ତୁର । ସେ ଆର ଜନ୍ମରେ ସେମିତି କିଛି ଥିଲା ବୋଲି ଶମ୍ଭୁ ମିଶ୍ରଙ୍କର ମତ ।

 

ଦିହରେ କାଠିଏ ବଳ । ଛାତିରେ ଇଞ୍ଚେ ବହଳର ବାଳ । ହାତ ଗୋଡ଼ ଗୁଡ଼ାକ ଲୁହା ପିଟା ହାତୁଡ଼ି ଖଣ୍ଡେ ଖଣ୍ଡେ ସତେକି.... ମୋଟା ମୋଟା ଆଉ ଟାଣ । ତା’ ସ୍ତ୍ରୀ କେତକୀ ଏଇ ଦାଜିଆକୁ ଦେଢ଼ ବରଷର କରି ଛାଡ଼ି ଦେଇ ସେପୁରକୁ ଚାଲିଗଲା । ସେତେବେଳକୁ ନିଧିର ସଚା ବୟସ ଜମା ଆରମ୍ଭ । ବାଇଶ ତେଇଶ ହବ । ସମସ୍ତେ ନଗେଇଲେ ଦୂତୀୟ ହେବାକୁ–ହେଲା ନାଇଁ । କହିଲା–

 

‘କାଳେ ସେ ମୋ ପିଲାଟାକୁ ନ ଦେଖିବ । ଯିଏ ଯେତେ ବୁଝେଇ କହିଲେ–

 

‘ଆରେ ଭଲ ମନଲାଖି କନିଆଁଟିଏ ବାହାହଅ । ତୋ କଥାରୁ କ’ଣ ସେ ବାହାରିଯିବ । ସେ ନିଶ୍ଚେ ପିଲାଟାକୁ ଭଲ ଦେଖାଶୁଣା କରିବ ।’

 

ମନା କରିଦେଲା, କହିଲା–

 

‘କେବେ ନାଇଁ ... ଆରେ ବାବୁ ତମେ କେହି ସେତେବେଳେ ପିଠି ରେ ପଢ଼ିବ ନାଇଁ । ଏଇ ମେଞ୍ଚଡ଼ ଟୋକାଟା ପାଇଁ ଆମେ ମାଇକିନିଆ ମରଦ ଦିଟା ବାଡ଼ିଆ ବାଡ଼ି ହେଇ ଚଉପାଢ଼ୀକୁ ଯିବୁ ? ମୁଁ ଗାଁର ଗୋଟାଏ ପଞ୍ଚେଇତି । ମୋଘର କଳି, ମୋ ସମ୍ମାନ ଯାଇ ପଦାରେ ପଢ଼ିବ ? ଓ ନେହି ହୋଙ୍ଗା । ମୋ ବାପ କହିଯାଇଚି–ସବ୍‌ କରେଙ୍ଗା ମଗର ମାଇକିନିଆ ଜାତିକୋ ବିଶ୍ଵାସ ନେହି କରଙ୍ଗା ।

 

ଟିକିଏ ରାଗିଗଲେ ‘ଏମିତି ବଙ୍କା ତେଢ଼ା ହିନ୍ଦିରେ ଦି’ପଦ କହିପକାଏ ନିଧି । କରଣ ଘର ଛୁଆ ହିସାବରେ ତା’ର ଟିକେ ବେଶୀ ଜ୍ଞାନ ଥିବାର କଥା କୁଆଡ଼େ ଏଇ ପାଠଶାଠ ଦିଗରୁ । ହେଲେ ଏଇସିନା ଅବଧାନକୁ ବାଡ଼େଇ ପାଠ ଛାଡ଼ିଲା, ତଥାପି ଅନ୍ୟମାନଙ୍କଠଉ ଟିକେ ଆଗୁଆ ଜଣାପଡ଼େ ଢାଞ୍ଚାରୁ । ଗାଁରେ ଏକା ହିନ୍ଦି ଦିପଦ କହିଜାଣେ ବୋଲି ଅନ୍ୟମାନଙ୍କ ଅପେକ୍ଷା ତା’ର ସେ ଗାଁର ଝିଅ ବୋହୁ ମାନଙ୍କ ପାଖରେ ମଧ୍ୟ ଚାହିଦା । ଅନ୍ୟ ସମସ୍ତଙ୍କୁ ଆଡ଼ ହେଲେ ବି ସେମାନେ ୟା ପାଖରେ ବିଶେଷ ଆଡ଼ ହେଇପାରନ୍ତି ନାଇଁ । ବୁଲେଇ କରି ହଉ, ଦେଖେଇ କରି ହଉ ବା ସିଧା ସିଧି ହଉ ସମସ୍ତେ ଥରେ ଅଧେ ଅତି କମ୍‌ରେ ତା’ ସାଙ୍ଗରେ କଥା କହିଥିବେ । ତା’ର ଗୋଟିଏ କାରଣ ଅଛି ।

 

ଏ ଗାଁରେ ନ ହେଲେ ବି ପାଖ ଆଖ ଗାଁରେ ଜଣେ ଅଧେ ପୁଅ ଝିଅ କଲେଜ ଗଲେଣି-। ସାତ ଆଠ ଜଣ ସରିକି ସହରରେ ରହିଲେଣି । ଗଣ୍ଡାଏ ପାଞ୍ଚୁଟା ହାଇସ୍କୁଲରେ ପଢ଼ିଲେଣି-। ଏଇ ବ୍ଳକ୍‌ ହବା ଦିନଠାରୁ କେତେବେଳେ କା ଭାଁ ଗୋଟାଏ ଅଧେ ମାଗଣା ସିନେମା ଗାଁରେ ଆସି ସରକାରଙ୍କ ଦୟାରୁ ହେଇଯାଇଚି । ସେ ‘କୁକୁଡ଼ା ଚାଷ’ ହଉ ତ ‘ସୀତା’ ବିବାହ’ ହଉ ତେବେ ଆସିଚି । ହୁଏତ ସେଥିରେ ଅଧେ ଅସ୍ପଷ୍ଟ ହେଇଥାଉ ବା ଆଲୁଅ ଦୋଷରୁ ଅଧାରୁ ବନ୍ଦ ରହୁ ହେଲେ ଗାଁବାଲାଙ୍କର ନାସ୍ତିଦୋଷ କଟିଯାଇଚି । ସେଇଥିରେ ବାହାରନ୍ତି ଯୋଉ ଝିଅ ବୋହୁମାନେ–କେମିତି ସଜପଟା ହେଇଥାନ୍ତି... । ଅବିକଳ ସେମିତି ସଜେଇଲେଣି ସେପାଖ ଗାଁମାନଙ୍କର ପଢ଼ୁଆ, ଦରପଢ଼ୁଆ ବା ଅଣପଢ଼ୁଆ ଝିଅ ବୋହୁମାନେ । କଥାରେ କହନ୍ତି ଦେଖା ଶିଖା ଓଡ଼ିଶା–ସେଥିରେ କ’ଣ ଅଛି । ତାଙ୍କୁ ଦେଖି ଏ ଗାଁର ଝିଅ ବୋହୁମାନେ ଟିକେ ସେ ପବନ ଖୋଜିଲେଣି । ତେଣୁ ସେଇଥିପାଇଁ ବୋଧହୁଏ ଆଗ ଅପେକ୍ଷା ଆଜିକାଲି ରିବନ, ମୁଣ୍ଡକଣ୍ଟା, ଅଳତା, ଫୁଲର ତେଲ, ଅତର, କୁଙ୍କୁମ, ନଖ ପାଲିଶର ଟିକେ ବେଶୀ ବେଶୀ ଚାହିଦା ହେଲାଣି ଏ ଗାଁରେ । ଘରକେ ମାଣିଆ ବନ୍ଦୀ, ପିଚାପକା, ଛାପା ଶାଢ଼ୀ ଖଣ୍ଡେ ଦି’ଖଣ୍ଡ ନ ବାହାରିବ ବୋଲି ନୁହେଁ, ଏଇ ଶୋଭା ଜିନିଷଗୁଡ଼ାକ ବିକିରି କରି ଆଣନ୍ତି ଯୋଉମାନେ ସେମାନେ ପ୍ରାୟ ଓଡ଼ିଆ ବୁଝନ୍ତି ନାଇଁ । ତାଙ୍କ ଭାଷାରେ ସେମାନେ କ’ଣ କହିଲେ କିଣିଲା ବାଲା ଆଲକୁ କାଲ୍‌ ବୁଝନ୍ତି । ସେଇଥିପାଇଁ ନିଧିକୁ ସମସ୍ତଙ୍କର ଖୋଜା ପଡ଼େ ।

 

କାବୁଲିବାଲାଟାଏ ଯଦି ବିକି ଆଣିଚି ଅତର–ତା’ର ଡାକ ଶୁଣିବା ମାତ୍ରେ ତାକୁ ଡାକ ପକେଇ ଘର ପିଛା ଝିଅ ବୋହୁ ଆଗ ଖୋଜି ବସନ୍ତି ନିଧିଆଇକି । ବଡ଼ଠୁ ସାନ ସମସ୍ତଙ୍କର ସେ ଭାଇ । ଚହଳ ପଢ଼ିଯାଏ, ‘ଆଲୋ ! ନିଧିଆଇଙ୍କି ଡାକ ବା...’

 

ନିଧି ମଧ୍ୟ କୋଉଠି ଥାଏ ଠିକ ବେଳକୁ ଆସି ପହଞ୍ଚିଯାଏ । ଏ ଅତର ବିକା, ଶାଢ଼ୀ ବିକା, ରିବନ, ଅଳତା ବିକା ଲୋକଗୁଡ଼ାକ ମଧ୍ୟ ବେଶ୍ ଚିହ୍ନିଗଲେଣି ନିଧି ପଟ୍ଟନାୟକକୁ ।

 

‘କ୍ୟା ଭାଇ ସାବ ! ଆ ଗିୟା ଏତା’ ଦିନ୍‌ବାଦ୍ ।’ କହି ସେ ଆଗ କରି ଅତରବାଲାଙ୍କ କାନ୍ଧରେ ଯେତେବେଳେ ହାତ ପକେଇ ଦିଏ, ସେତେବେଳେ କବାଟ ଫାଙ୍କରେ ଝିଅ ବୋହୁଙ୍କର ଆନନ୍ଦ କହିଲେ ନସରେ । ‘ହେଇ ପରା ନିଧି ଭାଇ ଆଇଲେ ତା’ ସାଙ୍ଗରେ...’

 

ଘର ପିଛା ତା’ ତାସରା ରଖି ଦେଇ ସେ ଅତର ବାଲା ଯେତେବେଳେ ଡାକ ପକାଏ ସେତେବେଳେ ନିଧି କବାଟ ସନ୍ଧି ପର୍ଯ୍ୟନ୍ତ ଉଠିଯାଇ ପଚାରିଦିଏ–

 

‘କ’ଣ ସବୁ ରଖିବରେ... ?’

 

ସେଇଠୁ ଆରମ୍ଭ ହେଇଯାଏ ହିନ୍ଦି ନିଧି ମୁହଁରେ ।

 

‘କ୍ୟା ସବ୍‌ ହାଏ ଭାଏ ? ଦେଖାଓ...’

 

‘ହାଁ ଜୀ ! ଚମ୍ପା ହୈ, ଚାମେଲୀ ହୈ, ଗୁଲାବ୍‌ ହୈ, ଜାସ୍‌ମିନ୍‌ ହୈ, ଅଗୁରୁ ହୈ, ହରେକ୍‌ ନଇ ନଇ ଚିଜ୍‌ ଲାୟା ହୁଁ । ଇସ୍‌ବାର ସିର୍ଫ ୟହି ଗାଓ କେ ଲିଏ’ ।

 

‘କିଲୋ କ’ଣ ଶୁଣିଲ ? କିଛି ତ ବୁଝିବ ନାଇଁ...ଯେତେ କହିଲି ଟିକିଏ ଟିକିଏ ହିନ୍ଦୀ ଶିଖ... । ସେ କହୁଛନ୍ତି ଚମ୍ପା ଅଛି ଚାମେଲୀ ଅଛି । ଚମ୍ପା କହିଲେ ବୁଝୁଚ ? ତା’ମାନେ ସେ ଅତରଟା ଚମ୍ପା ଫୁଲରୁ ତିଆରି ଆଉ ସେମିତିଆ ବାସନା । ଚାମେଲୀ ବୋଲି...ତାଙ୍କ ଦେଶରେ ଗୋଟାଏ ଫୁଲ ଅଛି...ସେଇଥିରୁ ଚାମେଲୀ... ।’

 

‘ନେହିଁ ସାହବ ଆପ୍‌କା ଭି ହୈ... ୟେ ଯୋ ଆପ କହତେ ହୈଁ...ଚାମେଲୀ...କ୍ୟା ଓ ଫୁଲକା ନାମ୍‌ ?

 

‘ହାଁ ମେ ସମଝତା’ । ସେଇ ଚାମେଲୀ ଅଛି, ଗୋଲାପ ଅଛି, ଅଉର କ୍ୟା ହୈ ଭାଏ’ ? ନିଜ ଦୁର୍ବଳତାଟାକୁ ଗୋଳେଇ ଦେଇ ବୁଝୁଚୁ ବୋଲି କହିଦିଏ ନିଧି ।

 

‘ଅଗୁରୁ ହୈ...’

‘ହଁ ଅଗୁରୁ ବି ସେମିତି ଗୋଟିଏ ଫୁଲ...ସେ ବି...’

‘ନେହିଁ ସାହାବ୍‌... ଅଗୁରୁକା ମତଲବ...’

‘ହାଁ ମେ ସମଝତା’ । ସେଇ ସବୁ ଅଛି ବୁଝିଲ । କ’ଣ କିଣିବାର ଅଛି କିଣି ମୁଁ ଟିକେ ଆସେ ମୋର କାମ ଅଛି ।

କବାଟ ଫାଙ୍କରୁ ସାଙ୍ଗେ ସାଙ୍ଗେ ଦି’ ତିନିଟା ଗୋଳିଆ ମିଶା ସ୍ଵରରେ ଏକା ଥରକେ ଉତ୍ତର ଆସେ ‘ନାଇଁ ନାଇଁ ସେମିତି କେମିତି ହବ...ଟିକେ ମୂଲ ନ କରି ଦେଲେ...’

‘ଓହୋଃ ଆଚ୍ଛା, ଝଅଟ ଝଅଟ କିଣିପକା ।

ସେଇଠୁ ବଛା ଚାଲେ ଚମ୍ପା କିଣା ହବ କି ଚାମେଲୀ କିଣା ହବ ନା ଇଂଲିସ ମାଲ ଜାସମିନ୍‌ କିଣା ହବ । ସେଇଠୁ ଅତରବାଲା କହିବଯେ ସେ ସବୁର ଗୁଣ–କେମିତି ସିନେମାବାଲୀ ଯେତେକ, କଲେଜ ପଢ଼ୁଆ ଯେତେକ ସେଗୁଡ଼ା ବୋହି ନଉଚନ୍ତି, ଖାଲି ପେଟି ଖୋଲିଲା ମାତ୍ରେ ସେଗୁଡ଼ା କେମିତି କାଟ୍‌ତି ହେଇଯାଉଚି ।

ତା’ରି ଭିତରେ ଏ ସବୁର ବାସନା ପରୀକ୍ଷା କରିବା ପାଇଁ ଠିପି ଖୋଲା ହୁଏ । ହେଲେ ଅତରବାଲା ବାହାରର ଲୋକ, ସେ କ’ଣ ତାଙ୍କୁ ଶୁଙ୍ଘେଇବ ନା ହାତ ପାପୁଲି ପିଠି ରେ ମାଲିସ କରିଦେଇ ପରୀକ୍ଷା କରେଇବ । ଯେତେହେଲେ ଅଭିଆଡ଼ୀ ଝିଅ କି ସଜ ବାହିଲୀ ବୋହୁଗୁଡ଼ାକ । ହେଲେ ନିଧିଟା ଗାଁର ଲୋକ, ଘର ଲୋକ ଭଳିଆ । ତେଣୁ ନିଧି ଭାଇ ଘର କ’ଣକୁ ଯାଇ ସେ ଅତରରୁ ଟିକିଏ ତାଙ୍କ ହାତପିଠିରେ ଲଗାଇ ଦେଲାବେଳେ ସେମାନେ ଲାଜ ଲାଜ ମୁହରେ ବରଂ ହାତକୁ ବଢ଼େଇ ଦିଅନ୍ତି ସିନା–ଆପତ୍ତି କରିବାର କେହି ଶୁଣିନି । ଗୋଟାଏ ଅତର ପରେ ଆର ବୋତଲ ମୁହଁ ଠିପିଟା ଖୋଲିଲାବେଳେ କାଳେ ଏ ଅତର ବାସନା ରହିଯିବ ତେଣୁ ଆଙ୍ଗୁଠିଟା ପୋଛିବାତ ଦରକାର । ସେଥିପାଇଁ ସେମାନଙ୍କ ପିଠିରେ କି କାନିରେ ନିଧି ଜୋର କରି ଟିପ ପୋଛିଦେଲା ବେଳେ ବି ବୟସ୍କା ସ୍ତ୍ରୀ, ଶାଶୁ କିମ୍ବା ମା ସ୍ଥାନୀୟ ଯେଉଁମାନେ ଠିଆ ହେଇଥାନ୍ତି ସେମାନେ ଦେଖୁଥାନ୍ତି ସିନା, ତାଙ୍କର ଆକଟ କରିବାର ପ୍ରଶ୍ନ ଉଠେନି ।

ଏମିତି ଦେଖା ଦେଖି ପରେ କୋଉଟା କିଣିବାର କଥା ନିଧିଭାଇ ନିଧାର୍ଯ୍ୟ କଲେ ସେଇଟା ରହେ । କିଣାସରିଲା ପରେ ଅନ୍ତରବାଲା ଯେତେବେଳେ ତା’ର ବନ୍ଧାବନ୍ଧି କରି ଓଳିତଳକୁ ଓହ୍ଲାଏ ଟିକିଏ ଫେରିପଡ଼ି କବାଟ କ’ଣକୁ ପଶିଯାଇ ନିଧି ଚାପାଗଳାରେ କହିଦେଇ ଆସେ–

‘ସାତଟଙ୍କାରୁ ଏକ୍‌ପଇସା କମି ନଥାନ୍ତା...ଖାଲି ମୋରି ମୁହଁ କୁ ଅଢ଼େଇ ଟଙ୍କାରେ ଦେଇଗଲା ବୋଲିପରା କହୁଚି । ଆରେ ଦବନାଇଁ... ତା’ ସାଙ୍ଗରେ ଏତେ ଭାବ । ‘ଆଉ ନ ଦେଇଥିଲେ ତା’ ବାକ୍ସଟାକୁ ଏଇଠି ଜବରଦସ୍ତ କଚାଡ଼ି ଦେଇନଥାନ୍ତି ।’

କୃତ୍ୟ କୃତ୍ୟ ହେଇଯାନ୍ତି ସେ କବାଟ ପଛରେ ଅନ୍ଧାରୀ ଜୀବ କେତୋଟି । ଆଃ...ନିଧିଭାଇ ନଥିଲେ... ।

 

ନିଧି ପିଣ୍ଡାତଳକୁ ଆସିଲାବେଳେ ଥରେ ଥରେ ତା’ କାନରେ ପଡ଼େ...ଆଗ ଅପେକ୍ଷା ଟିକିଏ ଉଚ୍ଚକଣ୍ଠରେ କେଇପଦ...ବୋଉ ! ନିଧିଭାଇଙ୍କି କହୁନୁ ଥରେ ଦିନେ ଆମଘରେ ଆସି ଖାଇଦେଇଯାନ୍ତେ ।’

 

ସେଇ କଥାଟା ଯଦି ବୋଉ ବା ସ୍ଥାନେ ସ୍ଥାନେ ଶାଶୁଙ୍କ ପାଟିରେ ଦୋହରା ହୁଏ ତା’ହେଲେ ନିହାତି ନିଜରଭଳି ନିଧି ହସିଦେଇ କହେ–

 

‘‘ଓହୋ...ନିଜର ଘରଟା, ଯେତେବେଳେ ଆସି ପହଞ୍ଚିଯିବ ଶୁଖୁଆ ମେଞ୍ଚାଏ ପଖାଳ ବେଲାଏ ଥୋଇଦବ, ଆଉ ଦିନବାର ଗୋଟାଏ କ’ଣ ? କହିଦେଇ ଫେରିବାଲା ସାଙ୍ଗରେ ଚାଲେ ପୁଣି ଆରଖଞ୍ଜାକୁ...ସେପଟୁ ଡାକ ପଢ଼ିଲାଣି । ଘର ଘରପିଛା ନିଧିର ଚାହିଦାଟା ଏଇଥିପାଇଁ ବେଶୀ ।

 

ଖାଲି ହିନ୍ଦିବୋଲି ନୁହେଁ ଓଡ଼ିଆ ଛଡ଼ା ଆଉ ଯୋଉ ଭାଷାକଥା ପଢ଼ିଲେ ସେଥିରେ ବି ନିଧି ପଟ୍ଟନାୟକର ଅଧିକା ଦଉଡ଼ । ଏଇସିନା କାବୁଲିବାଲା କି ହିନ୍ଦୁ ସ୍ଥାନୀ ବାଲା ବୋଲି ତାଙ୍କ ସାଙ୍ଗରେ ହିନ୍ଦି କହିଦିଏ, ହେଲେ ଯୋଉ ଫେରିବାଲା ଗୁଡ଼ା ସେମିଜ, ବ୍ଳାଉସ, ଶାଢ଼ୀ, କାପଡ ଡାକି ଡାକି ଆସନ୍ତି କି କାଚ ଆସନ୍ତି ସେଗୁଡ଼ାତ ପୁରା ବଙ୍ଗାଳୀ । ବଙ୍ଗଳା ନହେଲେ ବୁଝି ବେ ନାଇଁ । ତାଙ୍କ ପାଇଁ କ’ଣ ଆଉ କିଏ ଅଛି ? ସେଇ ନିଧିଭାଇ । ବଙ୍ଗଳାରେ ବି ବେଶ୍‌ ଧୁରନ୍ଧର । ସେପରା କହେ, ଲେଖୁ ଲେଖୁ କରଣ । ଲେଖା ପଢ଼ା, ଜ୍ଞାନ, ଭାଷା, କଥାବାର୍ତ୍ତାରେ କରଣ ଜାତି କାଳକ ଉଚ୍ଚରେ । ତେଣୁ ବଙ୍ଗଳା କ’ଣ ସେ ଜାଣିନାଇଁ ?’

 

ଫେରିବାଲା ଶାଢ଼ୀ କାପଡ଼୍‌ ଡାକଟା ଡାକିବା ମାତ୍ରେ ଅବିକଳ ସେମିତି ଖୋଜାପଡ଼େ ନିଧିକୁ । ନିଧିବି କୁଆଡ଼ୁ ଆସି ଜୁଟିଯାଏ । ପ୍ରଥମ ଦେଖାରେ– ‘କି ଆପନ ଭାଲ ଆଛେନ୍‌ ବୋଲି କହି ଯେତେବେଳେ ନିଧିଭାଇ ଆଉ ସେ ଫେରିବାଲା ଗାଁ ଦାଣ୍ଡରେ ନାଶ ଶୁଙ୍ଘାଶୁଙ୍ଘି ହୁଅନ୍ତି–ଘରଭିତରେ ଏ କେତୋଟି ପ୍ରାଣୀଙ୍କର ଆନନ୍ଦ ଦେଖେ କିଏ... ? ଗଣ୍ଠିଲି ଥୋଇଲାମାତ୍ରେ ନିଧି ପଚାରିବସେ ଆଗକରି–

 

‘କି–ଏବାର ଭାଲ ଲୁଗାପଟା ଆନିଛେନ ନାଁ ସେଇ ସବ୍‌ ପୁରନା ଗୁଡ଼ା– ?’

 

‘ନାଁ ମୋସାୟ ! ଆପ୍‌ନାର ଜାଇଗାକେ ସବ୍‌ଥେକେ ଭାଲ ଜିନିଷ ଏବାର ଏନେଚି ।

 

ସେଇଠୁ ଆରମ୍ଭ ହେଇଯାଏ, ପିଚାପକା, ପାଇପିନ୍‌, ଜଙ୍ଗଲୀ, ଛିଟ, ଢାକାଇ ଶାଢ଼ୀର ତାଲିକା । ଖଣ୍ଡକୁ ଖଣ୍ଡ ନିଧିନେଇ ଭିତରୁ ପସନ୍ଦ କରେଇ ଆଣେ । ଦରକାର ପଢ଼ିଲେ ବ୍ଳାଉସଟା କି ସାୟାଟା କାନ୍ଧପାଖରୁ କି ଅଣ୍ଟା ପାଖରୁ ଧରି ବେଳେ ବେଳେ କିଛି ଆଣେ–ବଡ଼ସାନ ହବ କି କ’ଣ ।

 

ସେଇଥିପାଇଁ ଗାଁରେ କୋଉ ଝୁଅର ଚମ୍ପାକଢୀ ଆଙ୍ଗୁଠି, କାହାର ଲକ୍ଷ୍ମୀପାଦ, କାହା ଅଣ୍ଟା ଚଉଡ଼ା, କାହାର ଅଣ୍ଟା ତଳକୁ ଆଉ ପୁଳାଏ ମାଉଁସ ଥେଲେ ଗୁଣ୍ଠୁଣୀ ହାତୀଭଳି ଚାଲନ୍ତା ଏସବୁ ଗୁଣ ନିଧିର ଜିଭ ଅଗରେ । ଶାୟାର ମୁହଁ ସାଙ୍ଗକୁ, ଅଣ୍ଟାର ଗୋଲେଇକୁ ସାଇଜ ଠିକ ହବକି, କଛିଲାବେଳକୁ କୋଉ ଝୁଅର କୁତୁକୁତୁଟା ଅଣ୍ଟାପାଖରେ କି କାହାର ଖର ବାହୁ ମୂଳରେ, ଏକଥା ଭୋ ଦୈବାତ୍‌ ଯେ ତା’ର କେବେ କେମିତି ନଜର ନପଢ଼ିଚି ଏକଥା ନୁହେଁ ।

 

କାଚ ପିନ୍ଧିଲାବେଳେ କାହାର ହାତରେ ବେଶୀ ରୁମ କାହାର ଅବା କୋଉ ହାତରେ କେତେପଟ ଚୁଡ଼ି ଭାଙ୍ଗିଲା–କେତେ ଟାଣୁଆ ଗଣ୍ଠି ଏଗୁଡ଼ା ବି ତାକୁ ଅଛପା ନାହିଁ ।

 

ମୂଲଚାଲ ବି ଏତେ ସୁନ୍ଦର କରେ ନିଧି–ଯାହା ଆଉକେହି ପାରିବେନି, ଏ ଫେରିବାଲାମାନେ ଶାଢ଼ୀ ଗୋଟାଏ କୋଡ଼ିଏ, କୋଡ଼ିଏ ପାଞ୍ଚ ଏମିତି କରି ମୂଲକରନ୍ତି । ନିଧି ତାକୁ ସଫା ବତେଇଦିଏ–

 

‘ଆମ୍ରା କିନେ କିନେ ବୁଢ଼ା, ଅତି ମହଙ୍ଗା କେନ ? ନାଁ ଏଇଟା ଚଉଦ ଟାକା’ ।

 

‘ଆଛା ମୋସାୟ ଆପନାର ସଙ୍ଗେ ଆର ଝିକ ଝିକ କେନ–ଦିନ ପନର ଟାଙ୍କା ।

 

କୋଡ଼ିଏ ଟଙ୍କାର ଲୁଗା ପନ୍ଦରଟଙ୍କାରେ ଠନ୍‌ କରି ମୂଲ ହେଇଯାଏ । ନିଧି ଟିକେ ବୁଝେଇଦେଇ କହିଦିଏ ଚୁପ୍‌ଚୁପ୍‌ କରି ଭିତରକୁ ଯାଇ–

 

‘ଏଠି ସିନା ସେ କୋଡ଼ିଏ କହୁଥେଲା, ଅନ୍ୟଗାଁରେ ତିରିଶକୁ ଏକଛଦାମ ହଟିବନାଇଁ । ଏଇ ଶାଢ଼ୀଟା ଏମିତି ବଢ଼ିଆ ଶାଢ଼ୀନାଁ–କ’ଣ କହିବି । ସେଇ ସିନିମାରେ ସେ ଯୋଉ ଝୁଅଟା ପିନ୍ଧି ନଥେଲା–କ’ଣ ତା’ ନାଁ ତ ! ତମେ ଛୁଆଗୁଡ଼ାକତ କିଛି ମନେ ରଖିବ ନାଇଁ–ଆଉ ମୁଁ କେତେ ତମପାଇଁ ମନେ ରଖିବ ।’

 

ଲୁଗା କିଣା ହୁଏ, ନିଧିଭାଇ ପୁଣି ଚାଲନ୍ତି ଆର ଡେରାକୁ ।

 

ଏଇ ହେଲା ନିଧି ପଟ୍ଟନାୟକଙ୍କର ପରିଚୟ ସେ ଗାଁ ଭିତରେ । ତେଣୁ ଅଳ୍ପେ ବହୁତେ ସମସ୍ତେ ଶରଧା ପାଆନ୍ତି ଯେମିତି, ଲୋକଟାକୁ ସେମିତିବି ଡରନ୍ତି । ତା’ରିପୁଅ ବାଜିଆ । ମା ଛେଉଣ୍ଡ ଛୁଆଟା ବୋଲି ବାଜିଆ, ତାକୁ କିଛି କହେନି । ତାକୁ ଛଅ ବରଷରେ ଖଡ଼ିଛୁଆଁ କରେଇଥିଲା ନିଧି ବିଶୁନାହାକ ପାଖରେ । ପ୍ରଥମେ ପ୍ରଥମେ ବିଶୁ କହୁଥେଲା ଭାରୀ ବୁଦ୍ଧିଆ ହବ ଟୋକାଟା । ଦିନେ ବିଲକୁ ଯାଉଯାଉ ଚାହାଳୀରେ ଆଖି ପଢ଼ିଲା ନିଧିର । ଦେଖିଲା ବାଜିଆ ଢ଼ିଙ୍କିଆ ପଢ଼ିଚି । ଆଖିରେ ତା’ର ଲୁହ, ଡାକିଲା ନିଧି ବିଶୁ ନାହାକକୁ–

 

‘ଅବଧାନେ ! ପାଠପଛେ ନହଉ ତାକୁ ସେମିତି ଦଣ୍ଡଫଣ୍ଡ ଦବନାଇଁ... ହଇହୋ... ପାଠପଢ଼ି କେଇଜଣ ସରଗକୁ ଯାଇଚନ୍ତି ଆଉ ସେ ଯିବ ? ସେତ ପାଠପଢ଼ି ହାକିମ ହବ, ଆଉ କ’ଣ ହଳିଆରଖି ଜମି ଚାଷକରିବ ମୋ ମଲାପରେ ? ମାଆଖିଆ ଛୁଆଟା-। ତା’ର ପାଠ ହେଲେ ହେଲା ନହେଲେ ନାଇଁ ତାକୁ ମରାମରି କରନାଇଁ ।’

 

ସେଇଦିନୁ ବାଜିଆର ବାୟାପାଳକ, ଇଚ୍ଛାହେଲେ ପଢ଼ିଲା ନହେଲେ ନାଇଁ, ଇଏ ପ୍ରାୟ ଛଅବରଷ ତଳର କଥା । ସେ ଚାଟଶାଳୀ ଜାଗାରେ ଗାଁରେ ନୂଆ ପ୍ରାଇମେରୀ ସ୍କୁଲଟିଏ ହେଇଚି ୟା ଭିତରେ । ବାଜିଆଇ ଇଚ୍ଛା ମୁତାବକ ସେ ସ୍କୁଲ ଯାଏ ନହେଲେ ନାଇଁ । ସବୁବେଳେ ଖେଳିବା ପାଇଁ ତା’ର ଆପତ୍ତି ନାହିଁ, ନିଧିର ମତ ହେଲା–

 

ପିଲାଗୁଡ଼ା ଖେଳରଙ୍କୁଣା । ଖେଳରୁ ତାଙ୍କୁ ଅଲଗା କରିଦେଲେ ବାପାମା ସମସ୍ତେ ମନେ ପଡ଼ନ୍ତି । ତେଣୁ ସେ ଯେତେଇଚ୍ଛା ଖେଳୁ । ତା’ହେଲେ ମା କଥା ତା’ର ମନେପଢ଼ିବ ନାଇଁ ଜମା ।

 

ହାଉଡ଼ାଟାଏ ନିଧିଟା । କିଏ ତା’ କଥାରେ ପାଟି ଫିଟେଇବ ? ଯେତେ ଯିଏତ କହିଲେ ସେ ପିଲାଟା ଅମଣିଷ ହେଇଯିବ ତା’ରିପାଇଁ, ଆଉ ଗୋଟାଏ ବାହାହଅ, ଏକ୍‌ ନାହିଁ । ବରଂ ବେଶୀ ଚିଡ଼େଇଲେ କହେ–

 

‘ଶଳାପଛେ ଗୋଟାଏ ମରଦ ବାହାହେବି ଆଉ ମାଇକିନିଆଟାଏ ନୁହଁ’ ।

 

ଏ କଥାଟା ତନିତାନ୍ତ ଅନାଗତ ନୁହେଁ ତା’ ପାଇଁ । ଲୋକେ ବି ବେଳେ ବେଲେ କୁହାକୁହି ହୁଅନ୍ତି ଯେ ନିଧିଆର ଅଧେ ରୋଜଗାର ସେ ଗଉରା ପଛରେ ଯାଉଚି ।

 

ଗଉରା... !

 

ସେ ଗାଁର ବେଶ ଭେଣ୍ଡା ଟୋକାଟାଏ । ହେଲେ ଟିକେ ଆଡ଼ ମାଇଚିଆ । ଗୋରା ତକ ତକ ଚେହେରା । ଗୋରାମୁହଁ । ମାଉଁସିଆ ଦିହହାତ । କେମିତିଆ ନେସମା ଚେହେରାଟା । ତୁମ ଜମାନାହିଁ ଦିହରେ । ଆଖିରେ ମେଞ୍ଚାଏ କଳା ନଗେଇଥିବ । ବେକତଳକୁ ବୋଲି ବାବୁରି ବାଳ ବୋଝେ ।

 

ପାଣିଆଣିଲା ବେଳେ କି ସାଥି ସଙ୍ଗାତ ମେଳରେ ଗଲାଆଇଲା ବେଳେ ବଡ଼ ବଡ଼ ଝିଅ କି କଞ୍ଚା ଭୁଆଷୁଣୀଙ୍କ ଦେହରୁ ପଛେ ଲୁଗା ଖସିପଢ଼ିବାର ଲୋକେ ଦେଖିଛନ୍ତି, ହେଲେ ଗଉରା ଛାତିରୁ କେବେ ଗାମୁଛା ଖସିଚି ସେକଥା କେହି କହିପାରିବେନି ।

 

ଗାଁର ରାମନବମୀକୁ ରାମନାମୀ ହୁଏ । ଏ ଗାଁର ସବୁଠୁ ବଡ଼ ପରବ କହିଲେ ଚଳେ । ସେତିକିବେଳେ ଯାତରେ ଗଉରାହୁଏ ମନ୍ଦୋଦରୀ । ପୁରାଣରେ କୁଆଡ଼େ ଅଛି ମନ୍ଦୋଦରୀ ସବୁଠୁ ସୁନ୍ଦରୀ ବୋଲି ରାବଣ ତାକୁ ବାହା ହେଇଥିଲା । ସେଥିପାଇଁ ସେ ମନ୍ଦୋଦରୀ ହୁଏ । କିନ୍ତୁ ଏଇଟା ସତକଥା ଯେ ପାଉଡ଼ର ଲଗେଇ ବେଣୀ ବାନ୍ଧି ମନ୍ଦୋଦରୀ ରାଣୀବେଶରେ ଯେତେବେଳେ ନାଲି ସିଲ୍‌କ ଶାଢ଼ୀ ଖଣ୍ଡେ ପିନ୍ଧିଦେଇ ଯାତରେ ଠିଆହୁଏ–ଖାସ୍‌ ଖାସ୍‌ ସୁନ୍ଦରୀ ଝିଅ ବୋହୁମାନେ ନିଜକୁ ତା’ ପାଖରେ ତୁଚ୍ଛ ମଣନ୍ତି । ତା’ ସାଙ୍କକୁ ରାବଣ ହୁଏ ନିଧି । ଫି ବରଷ ଏ ଦି’ଟା ପାର୍ଟ ଧରାବନ୍ଧା ଏଥିରେ ବଦଳ ନାହିଁ । ଶମ୍ଭୁ ମିଶ୍ରଙ୍କୁ ନିଧି ତାଗିଦ କରି କହିଦେଇଚି ଯେ ରାମନାମୀକୁ ଯେତେଟଙ୍କା ତା’ ଭାଗରେ ଚାନ୍ଦା ପଢ଼ିବ ସେ ପଛେ ତା’ର ଡବଲ ଦବ, ହେଲେ ସେ ନିଶ୍ଚେ ରାବଣ ହବ । ଆଉ ତା’ ସାଙ୍ଗକୁ ଗଉରା ମନ୍ଦୋଦରୀ । ପ୍ରକୃତରେ ଦିହେଁ ଭାରୀ ମାନନ୍ତି ଏକା ।

 

ଆଉ ଏଇଟାବି, ସତକଥା ଯେ ନିଧି ଗଉରା ପାଇଁ କମ୍‌ ଖରଚ କରେ ନାଇଁ । ଭଲଲେ ମନ୍ଦରେ ଖାଇବା ଜିନିଷଟାଏ ହେଲେ କି ଜଟିଲେ ପାଖରେ ବସେଇ ଗଉରାକୁ ଖୁଆଏ । ବେଳେ ବେଳେ ଆକଟ କରି କହିବାର ବି ଲୋକେ ଶୁଣିଚନ୍ତି...

 

‘ଆବେ ଭଲକରି ଖା । ନ ଖାଇଲେ ଆଉ ଚେହେରା ରହିବ କେମିତି ? ଠାକରା ଠାକରା ଗାଲ ନେଇ ମୋ ସାଙ୍ଗରେ ମନ୍ଦୋଦରୀ ହେଇ ଠିଆ ହବୁତ ଧକ୍‌କା ମାରି ବିଦା କରିଦେବି ସେଠୁ ।’

 

ଗଉରାର ମଧ୍ୟ ରାଜଭୋଗ । ଏଠି ସେଠି ବୁଲିଚାଲି ଆସି ଖାଇପିଇ ଶୁଏ । କେତେବେଳେ କେମିତି ଅବଶ୍ୟ ନିଧିର ଦରକାର ପଢ଼ିଲେ କି ଦିହ ଖରାପ ହେଲେ ଦିହରେ ମୁଣ୍ଡରେ ହାତ ବୁଲେଇ ଦିଏ । ପଥି କରିଦିଏ, ଆଉ ବାଜିଆର ଖବର ବୁଝିଦିଏ । ତେବେ ଏକରକମ କହିବାକୁ ଗଲେ ନିଧିର ଭଲମନ୍ଦ ହାନି ଲାଭରେ ଗଉରାର ପୁରା ନଜର । ମାଗଣାରେ ଉଠିଆ ଖାଇ ସେ ଡଉଲ ଡାଉଲ ଚେହେରାଟିଏ ତିଆରି କରିଥେଲେ ବି ସୁଦ୍ଧା ନିଧିପାଇଁ ସେ ପ୍ରାଣ ଦେଇଦବ ।

 

ଯା’ହଉ ନିଧିର ସଂସାର ଏମିତି କଟେ । ଆଉ ତା’ର ସଂସାର ଭିତରେ ତା’ ପୁଅ ବାଜିଆ ମନଇଚ୍ଛା ଖେଳିବୁଲି ଫୂର୍ତ୍ତି କରି ସମୟ କଟାଏ । ତା’ ଖେଳର ସବୁଠୁ ବଡ଼ କଣ୍ଢେଇ ହେଲା ଝୁନିୟାଁ । ସେଇ କଣ୍ଢେଇଟା ତା’ ପାଖରେ ଥିଲେ ତା’ର ଖାଇବା ପିଇବା ଦରକାର ନାହିଁ ?

 

ଝୁନିୟାଁ ବି ସେଇ ଗାଁର ଝିଅ ।

 

ଏକା ସାହିର । ନିଧି ଘରଠୁ ଦି’ ଖଞ୍ଜା ଛାଡ଼ି ଅଇଁଠୁ ପଧାନର ଘର । ସେଇ ଅଇଁଠୁର ଝିଅ ଝୁନିୟାଁ । ପିତୃ ପୁରୁଷଙ୍କ ପରିଚୟ ପଚାରିଲେ ଅଇଁଠୁ ପଧାନ ସେ ଗାଁର ଯେକି ସବୁଠଉଁ ଧାର୍ମିକ ପୁରୁଷ ଥିଲା ସେଇ ଅରକ୍ଷ ପଧାନର ନାଁ ପକେଇ ତା’ରି ବଂଶଧର ବୋଲି କହିଥାଏ । ଅରକ୍ଷ ପଧାନର ବଂଶଧର ହେଲେ ବି କାଳକ୍ରମେ ଭାଇଭାଗ ଅନୁଯାୟୀ ସେମାନେ ସବୁ ଅଲଗା ହେଇଯାଇଚନ୍ତି । ଗାଁର ସେପାଖ ମୁଣ୍ଡ ଛିଡ଼ି ଏ ପାଖରୁ ଚାଲି ଆସିବ ଅଇଁଠୁ । ତେବେ ଏଇକ୍ଷଣି ଫରକ୍‌ଟା ଟିକିଏ ବେଶୀ । ସେଇ ଭାଇ ବିରାଦରମାନେ ଟିକେ ଅନ୍ୟଆଡ଼େ ସହରୀ ଜାଗାରେ ସବୁ ବନ୍ଧୁ କରିଗଲେଣି ବୋଲି ନିଜକୁ ଖଣ୍ଡାୟତ ବୋଲି କହିଲେଣି । ହେଲେ ଅଇଁଠୁ ଆଜିଯାକେ ସେଇ ଚଷାଭୂଷା ବୋଲି କଥାପଢ଼ିଲେ କୁହେ । ଅଇଁଠୁକୁ ତା’ର ଜାତି କ’ଣ ବୋଲି ପଚାରିଲେ ସେ ମଜ୍ଜା ଗପଟିଏ କହେ–

 

ତା’ର ଭଉଣୀ ବାହା ହେଇଚି କୁଆଡ଼େ ସହରରେ କୋଉଠି । ତା’ପିଲା କୁଆଡ଼େ ଗୋଟାଏ କଲେଜରେ ପଢ଼ିଲାଣି । ଥରେ କୁଆଡ଼େ ମକଦ୍ଦମା ତାରିଖ ନେଇ ସେ ସହରକୁ ଯାଇଥେଲା । ଭଉଣୀ ଘରେ ରହିଲା । ଆଦର ଯତ୍ନରେ ମୋଟେ ହେଳା କରିନି ତା’ ଭଉଣୀ, ଭଣଜା କୁଆଡ଼େ ଆସି ଜୁହାରହେଲା । ଏମିତି କଥା ପଡ଼ୁ ପଡ଼ୁ ଗାଁ କଥା ଗପୁ ଗପୁ ତା’ ଭଣଜାର ସାଙ୍ଗ ସିଏ ଆସିଥେଲା ଭଣଜା ସାଙ୍ଗରେ । ସେ କୁଆଡ଼େ ପଚାରିଲେ–“ଆଜ୍ଞା କ’ଣ ଆଉ ଖବର ସବୁ କୁହନ୍ତୁ । ଗାଁର ସବୁ ହାଲଚାଲ କ’ଣ ?

 

ଅଇଁଠୁ କୁଆଡ଼େ ଉତ୍ତରଦେଲା–

 

‘ଖବର ଆଉ କ’ଣ ଆଜ୍ଞା । ଆମେତ ଚଷାଭୂଷା ଲୋକ, ମାଟି ହାଣିଲେ ଖାଇବୁ । ମାଟିର ହାଲ ପଚାରିଲେ ସିନା କହିବି, ଦେଶର ହାଲ ପଚାରିଲେ କ’ଣ କହିବି ?

 

ସିଏ ତ ଗଲା । ବାବୁଟି ଗଲା ପରେ ଆରମ୍ଭ ହେଲା ଭଣଜାଙ୍କର ଉପଦେଶ ।

 

‘ମାମୁଁ ! ତମେ କ’ଣସବୁ ଯେ କୁହ ! କିହୋ ତମେ ଆମେ ପରା ସବୁ ଖଣ୍ଡାୟତ । ଆଉ ଚଷା ବୋଲି କ’ଣ କହୁଚ ? କିହୋ ସେ ଯିଏସବୁ ପଧାନ ଥିଲେ ସେମାନେ ଚଷାଥିଲେ । ଆଉ ଆମେ ପ୍ରଧାନ । ଏଇ ଧରଣର ଅଇଁଠୁ ପ୍ରଧାନ । ଆଉ ଚଷା ବୋଲି ତମେମାନେ ଗୋଟାଏ ଭୁଲ ଧାରଣା ରଖିଚ । ଆଉ ସବୁବେଳେ ଛୋଟ କରିଦଉଚ ?

 

ହାଁ ଟା କରି ଚାହିଁଲା ଅଇଁଠୁ । କିଛି ବୁଝିଲାନି ସେ ଏଥିରୁ । ପଧାନ ଆଉ ପ୍ରଧାନ–ଭିତରେ ଫଳାଟାଏ ତଫାତ୍ । ହେଲେ ତା’ର ମାନେ ପୁଣି ଏତେ ? ସେ ସିନା ଭାଗବତ ଟୁଙ୍ଗୀରେ ଆଲୋଚନା ହେଲାବେଳେ, ପାଲା ଗାୟକମାନେ ଆଲୋଚନା କଲାବେଳେ ବୁଝିଥିଲା ଯେ ଜାତି ଯେତେବେଳେ ତିଆରି ହେଲା, ସମାଜ ଯେତେବେଳେ ଗଢ଼ାହେଲା, ସେତେବେଳେ ଯାହାକୁ ଚାଷ କରିବାକୁ ଦିଆଗଲା ସେ ଚାଷୀ ବା ଚଷା ବୋଲେଇଲା । ଯେ ଯୁଦ୍ଧ କରିବାକୁ ଗଲା ସେ ଯୋଦ୍ଧା ବା ଖଣ୍ଡାୟତ ବୋଲେଇଲା । ଯେ ପୂଜାକଲା ସେ ବ୍ରାହ୍ମଣ ହେଲେ । ଖଣ୍ଡାୟତ ହବାଟା ଯେ କୋଉ ଗୁଣରେ ଗୌରବ, ଆଉ ଚଷା ହବାଟା ଲାଜକଥା ସେତ ବୁଝିନି । ଆଉ ଚଷା କହି ନିଜକୁ ସେ କେମିତି ଛୋଟ କଲା । ଆଉ ତା’ ଭଣଜା ନିଜକୁ ଖଣ୍ଡାୟତ କହି କେମିତି ବଡ଼ଲୋକ କରିଚି, ତା’ ମଗଜରେ ଧରିଲାନି । ହଠାତ୍‌ ତା’ର ମନେ ପଡ଼ିଲା ତା’ ଭଉଣୀ ତାକୁ ତୁନି ତୁନି କହୁଥେଲା ଦି’ପହରେ ଖାଇଲାବେଳେ ଯେ ତା’ର ଶଶୁରଘର ଗାଁରେ କୁଆଡ଼େ ଯୋଉ ଦି’ତିନିଘର ସାହୁଥିଲେ ସେ ଖଣ୍ଡାୟତ ବୋଲି କହିଲେଣି ନିଜକୁ । ୟାରି ପରେ ଅଇଁଠୁର ମୁଣ୍ଡରେ ପଶିଲା ଯେ ଖଣ୍ଡାୟତ ବୋଲେଇବାଟା ହିଁ ସବୁଠାରୁ ଆଜିକାଲି ଗୌରବର ବିଷୟ ହେଇଥିବ । ଆଉ କେତେଟା ଜାତି ସେଗୁଡ଼ାସବୁ ବୋଧହୁଏ ମଣିଷ ନୁହଁନ୍ତି । ସେଇଥିପାଇଁ ମଣିଷ ବୋଲେଇବାକୁ ସେମାନେ ଆଉ ଗୋଟାଏ ଜାତିହେଇ ପଡ଼ିଚନ୍ତି ।

 

ତା’ ବେଳରେ ସିନା ଏସବୁ ନଥେଲା । ଏବକାଳ ପାଠଶାଠରେ କାଳେ ହେଇଥିବ । ନହେଲେ ଭଣଜା ତା’ର କାଇଁକି କଥାଟା ଧରିଥାନ୍ତା । ସେଥିପାଇଁ ସେ ଚଷା କହେନାହିଁ କି ଖଣ୍ଡେଇତ କହେନାହିଁ, ଖାଲି ହସିଦିଏ ।

 

ସେଇ ଅଇଁଠୁ ପଧାନ ଝୁନିୟାଁର ବାପ । ଅଇଁଠୁ ଯଦି ଜୀବନରେ ମାନେ ଗାଁଭିତରେ ତା’ହେଲେ ଜଣକୁ । ସେ ଜଣକ ହେଲା ନିଧି ପଟ୍ଟନାୟକ । ତଳେ ତା’କଥା ପକେଇ ଦବନାଇଁ । ଭଲରେ ମନ୍ଦରେ ତା’ ସ୍ତ୍ରୀ ଯୋଉଦିନ ଭଲ ପିଠାପଣା କରିଥିବ ତା’ହେଲେ ନିଧି ନିଶ୍ଚୟ ତାଙ୍କ ଘରେ କୁଣିଆଁ । ମାଳତୀ ଆଉ ଅଇଁଠୁ ଭିତରେ ବୁଝାମଣା ବେଶ୍‌ । କେବେ କଳିକଜିଆ କରି ମନ ଫଟାଫଟି ହବାର, କେହି ଦେଖି ନାଇଁ । କାହିଁକି ବା ହବ । ସେତ ଆଉ ଅନ୍ୟମାନଙ୍କ ପରି ଦେଖାଶୁଣା ନକରି ବାହାହେଇ ନାହାନ୍ତି । ଦେଖିଚାହିଁ ପଚାରି ଉଚାରି ଦିହେଁ ଦୁଇଙ୍କୁ ବାହା ହେଇଚନ୍ତି । ତାଙ୍କର ଏ ହସଖୁସିର ସଂସାର ପାଇଁ ଦାୟୀ କେବଳ ନିଧି ପଟ୍ଟନାୟକ–ଯୋଉଥିପାଇଁ କି ଦିହିଙ୍କର ଏତେ ମାନତି । ସେ ବାହାଘର ପାଇଁ ନିଧିର ଦାନ କଳି ହବ ନାଇଁ । ସେ ବି ଗୋଟିଏ ଛୋଟକାଟର ଭାଗବତଟିଏ ।

 

ଟିକିଲିପୁର ଗାଁର ଉତ୍ତରପଟର ସୀମାଆଡ଼କୁ ଶେଷ କେଇଘର ଧୋବାଘର । ଗାଁର ସାତପୁରୁଷି ଧୋବା ସେମାନେ । ଦି’ଚାରିଘର ହେଇଗଲେଣି କାଳକ୍ରମେ । ନହେଲେ ଏକା କୁଟୁମ୍ବ କହିଲେ ଚଳେ । ସେଇ ଘରପରେ ଆଉ ଘର ନାହିଁ । ଖାଲି ଆରମ୍ଭ ହେଲା ଚାଷ ଜମି ଯେ ଆଖିପାଇବ ନାଇଁ । ସାରିସାରି ଧାନ କିଆରୀ କୋଉଯାକେ ବୋଲି ଲମ୍ବିଚି । ତାକୁ ଟପିକରି ଗଲେ ଯାଇଁ ସେ କେନାଲକୁ ଯିବାକଥା । ସେଇ ଧୋବାଘରଠୁ ଠିଆ ହେଇ ନାକସଳଖ ଅନେଇଲେ ଅଇଁଠୁର ବିଲ ଦେଖାଯାଏ । ସେଇ ହିଡ଼ ରାସ୍ତାରେ ଯାଇ ତା’ କିଆରୀ ଟପି ଆଉ କିଛିବାଟ ଗଲେ କେନାଲ ପଢ଼ିବ ।

 

ମାଳତୀ ସେଇ ଧୋବାଘରର ଝିଅ । ଆଖି ଦୁରୁଶିଆ ଚେହେରା ଖଣ୍ଡେ । ଧୋବାଘରେ ସିନା ଜନ୍ମ, ନହେଲେ ଲୋକେ କହନ୍ତିପରା କୋଉ ରାଜାଝିଅଟା ତା’ ପାଶଙ୍ଗରେ ପଢ଼ିବ ନାଇଁ ।

 

କହିଲା କହିଲା ଆଖି, ହସିଲା ହସିଲା ଓଠ, ପୁରିଲା ପୁରିଲା ମୁହଁ । ପୁଚୁକା ପୁଚୁକା ଗାଲ ସଙ୍ଗକୁ ଦୋହଲି ଦୋହଲି ସେ ଯେତେବେଳେ ଚାଲିଯାଏ ସେତେବେଳେ କେଡ଼େ ମୁନିକୁମାର ବି ଦଣ୍ଡେ ଅନେଇ ରହିଯିବ । ଗରିବଘର, କ’ଣ ବା ସେ ଖାଏ । ହେଲେ ସତେଯେମିତି ଚିକ୍‌ଣ ଖସିପଡ଼ୁଚି ଦିହରୁ । ଏଇରୂପ ପାଇଁ ତା’ ବାପ ମନାକଲା–ସେ ଗାଁକୁ ଲୁଗା ଆଣିବାକୁ ଯିବନାଇଁ । ସେଇଥିପାଇଁ ଯୋଉଁଦିନଠୁ ଘରଯୋଗ୍ୟ ହେଲା ସେହିଦିନଠୁ ସେ ଆଉ ଗାଁ ଭିତରକୁ କମେଇ ଯାଏନାହିଁ । ଅନ୍ୟମାନେ ତା’ ଘରକୁ ଯାନ୍ତି । ଗାଁରେ ପାଞ୍ଚ ଲୋକରେ ପାଞ୍ଚକଥା-। କେତେବେଳେ କ’ଣ ହବ ? କାହାସାଙ୍ଗରେ ଛୋଟ ମୁହଁ ରେ ବଢ଼ିବାକୁ ଯିବ ତା’ ବାପ । ମୂଳରୁ ମାରିଲେ ତ କଥା ସରିଲା । ତେଣୁ ତା’ର କାମହେଲା ତୁଠକୁ ଯିବ–ଖାଲିଲୁଗା କାଚିବାକୁ-। ସେଥିରେ କିଛିନାଇଁ, ଏକଲା ଏକଲା । ବିଲ ମଝିରେ ତା’ର ସେ ଯିବ ନିଜଘରର ଅନ୍ୟମାନଙ୍କ ସାଙ୍ଗରେ । କେନାଲରୁ ଲୁଗା ସଫାକରି ଆଣିବ ।

 

ସେଇଆ ବି ହେଲା । ଲୁଗା କାଚିବାରେ ତା’ ରୂପ ମଉଳିବ କ’ଣ ମାଂସଳିଆ ଦିହଟା ଆହୁରି ଡଉଲ ହେଇ ଉଠିଲା ।

 

ଏମିତି କେଇଦିନ କଟିଲା, ହେଲେ ଝିଅ ଘିଅ । କେତେ ଜାଗତିଆର ହବ । ନିଆଁ ଧାସ ପାଇଲେ ତରଳିଲା । କେନାଲ ବାଟରେ ବିଲ ମଝିରେ ସବୁଦିନ ଆଖିପଡ଼େ ଅଇଁଠୁ ଉପରେ । କଞ୍ଚାଜୁଆନ ଟୋକା–ତାତିଲା ବୟସ, ପ୍ରଥମେ ଖାଲି ଦେଖାଦେଖି । ତା’ପରେ ଟିକେ କଣେଇକରି ଚାହାଁଚାହିଁ । ସେଇଟା ହସାହସିକୁ ପାଇଗଲା । ତା’ପରେ ଠାରଠୁରରେ ପହଞ୍ଚିଯାଇ ଯାହାହବାର କଥା ହେଲା । ଏମିତି ଏମିତି ନିତି ନିତି ଦେଖାଚାହାଁ । ଭାବନାଭରା ଆଦାନ ପ୍ରଦାନ ଦିହିଁଙ୍କ ଭିତରେ । ଅଇଁଠୁ ବିଲକୁ ଗଲାବେଳେ ମାଳତୀଘର ପାଖରେ ଜୋରରେ ଟିକେ କାଶିଦେଇ ଯାଏ-। ମାଳତୀ ବୁଝେ–ଅଇଁଠୁ ଗଲା ବିଲକୁ । ସହଳ ସହଳ ତା’ ବୋଝଟା ମୁଣ୍ଡରେ ଥୋଇ ବାହାରିପଡ଼େ ସେ ତୁଠକୁ ।

 

Unknown

ଦିନକୁଦିନ ତାକୁ ବେଶୀଲୁଗା ନବାକୁ ହେଲା, ହେଲେ ସେଗୁଡ଼ାସବୁ କାଚିକରି ଆଣିଲାବେଳକୁ ଓଦାଲୁଗା ଗୁଡ଼ା ବହେ ଭାରୀ ହେଇଯାଏ । ସେଥିପାଇଁ ଆଜିକାଲି ସେ ଆଉ ଓଦାଲୁଗା ନେଇ ଆସୁନି । କାଚିକରି ତାକୁ ଶୁଖେଇ, ଶୁଖି ସାରିଲା ପରେ ଗଣ୍ଠିଲି ବାନ୍ଧିନେଇ ଆସୁଚି । ଅନ୍ୟମାନେ ଆଗରେ ଚାଲିଆସିଲେ ବି ସେ ତା’ର ଏକା ଆସିବାକୁ ଓଜର କରିନି । ଫେରିଲାବେଳକୁ ତା’ର ଟିକେ ସମସ୍ତଙ୍କ ଅପେକ୍ଷା ବେଶୀ ଡେରିହୁଏ । ଦିନେ ଦିନେ ଝଡ଼ିବରଷା ଆସିଗଲେ କି ପବନ ଆସିଗଲେ ବୋଝବୋହି ଆସିବାକୁ ତାକୁ ଅସୁବିଧା ହୁଏ । ତେଣୁ ସଞ୍ଜପଛେ ଗଡ଼ିଯାଉ ସେ କୋଉଠି ହିଡ଼ଉପରେ କି ଗଛତଳେରେ କି କେନାଲ କୂଳରେ ଅଟକି ପବନ ଥଇଥାନ ହେଲାପରେ ଆସେ । ଏମିତି ଯୋଉଦିନ ସମୟ ଗଡ଼େଇ ଆସେ ମାଳତୀ ବାଟଯାକ ଭଲକରି ନିଜକୁ ଚାହିଁ ଚାହିଁ ଆସେ କୋଉଠି ଧୂଳି କି ଶୁଖିଲା ପତର କି ମୁଣ୍ଡବାଳରେ ଶୁଖିଲା ଡାଙ୍ଗ କି ନାକଫୋଡ଼ି କଣ୍ଟାଝଣ୍ଟା ଲାଖିଯାଇଁ ନାଇଁ ତ... !!!

 

ଦିନକୁଦିନ ଦିହରେ ତା’ର ବେଶୀ ଚିକ୍‌କ’ଣ ଭରିଲା । ସେଇଥିପାଇଁ ବୋଧେ ସେ ଛାଇଅନ୍ଧାରରେ ଘରକୁ ଫେରିଲାବେଳେ କାହାରି ଆଖି ନପଢ଼ିବା ଭଳି ଲୁଗା କାନିରେ ନିଜ ମୁହଁକୁ ପୋଛି ପୋଛି ଆସେ ।

 

ଏମିତି ଦିନ ଗଡ଼ିଚାଲେ–ଦିହେଁ ଆଗେଇ ଚାଲନ୍ତି । ହେଲେ ଚୋରଘର ନିତି ଅନ୍ଧାର ନୁହେଁ । କଥାଟା ବାସିଲା । ଆଉ ବି ବୋଝନେଇ ପାରୁନି ମାଳତୀ । ତା’ ନିଜ ବୋଝଟା ଦିନକୁଦିନ ବଳେଇ ପଡ଼ୁଚି । ମା ବାପ ତା’ର ଜାଣିଲେ ମୁଣ୍ଡ ଟେକିହବ ନାଇଁ ବୋଲି ଯେତେ ଝିଙ୍ଗାସିଲେ । ଶେଷରେ ବାଟ ବି ଦେଖେଇ ଦେଲେ କନିଅର ମଞ୍ଜି ବାଟି ଖାଇବାକୁ ।

 

ମନେ ମନେ ଭାବିଲା ମାଳ–

 

ସତେତ ତା’ରି ସବୁ ଭୁଲ । ନହେଲେ ଅଇଁଠା ଯାଉଚିତ ସବୁଦିନେ ଆଗଭଳି ବିଲକୁ । ହେଲେ ସେ କାଇଁ ଯାଇପାରୁନି ତୁଠକୁ । ତା’ହେଲେ ସେ କନିଅରମଞ୍ଜି ଖାଇବ ନାଇଁତ ଆଉ କ’ଣ ଅଇଁଠା ଖାଇବ ? ବେଶ୍‌ । ଯେତେ ସହଳ କଥାଟା ତୁଟିଯିବା ଭଲ । କାଇଁ କି ପ୍ରଘଟ କରିବ ଡେରିକରି ।

 

ସବୁ ମନେ ମନେ ଠିକ୍‌କରି ତା’ ଦାଦାପୁଅ ଭାଇ ଗୁରିଆ ହାତରେ ମେଞ୍ଚାଏ କନିଅର ମଞ୍ଜି ଲୁଚେଇକରି ମଗେଇଲା ମାଳତୀ । ଗୁରିଆ ଦଶବର୍ଷର ନଙ୍ଗଳା ଟୋକା । ସେ ବା କାଇଁ କି ଜାଣନ୍ତା କ’ଣ ସେ ମଞ୍ଜି...କ’ଣ ତା’ର ଦରକାର । ମନକୁ ଆଣ୍ଟ କରିଦେଲା ମାଳତୀ–ଆଜି ରାତିରେ...ବାସ ସବୁଶେଷ । ହେଲେ ତା’ ମନଟା କାଇଁକି ଟିକେ ଛକପକ ହେଲା । ଆରେ ଅଇଁଠାତ ଜାଣିବ ନାଇଁ......ଏଇ କେଇଦିନ ହେଲା ସେ ତୁଠକୁ ଯାଇନାଇଁ ବୋଲି ଓଲଟି ରାଗିଥିବ ୟା ଉପରେ । ସେଇଥିପାଇଁ ଟିକେ ଚଢ଼ାଗଳାରେ ଏଇ କେଇଦିନ ହବ ଗଳା ଖଙ୍କାରି ଯାଉଚି ଗଲାବେଳେ । ହେଲେ ସେ କ’ଣ ବୁଝିବ ଯେ କେମିତିଆ ଶିକୁଳିରେ ବାନ୍ଧିଚି ତାକୁ ?

 

ମନେ ମନେ ଠିକ୍‍ କଲା–ନାଇଁ ଏକଥା କରିବା ପୂର୍ବରୁ ଶେଷଥର ପାଇଁ ଟିକେ ଦେଖା କରିଦେଇ ଆସିବ ତାକୁ । ଅଇଁଠାର ରକତକୁ ସିନା ସେ ଜୀବନଦେଇ ତା’କୁ ଦେଖେଇପାରିବ ନାଇଁ ହେଲେ ତା’ ରକତର ପ୍ରକୋପଟାକୁ ତ ଦେଖି ବୁଝିପାରିବ ଅଇଁଠା ।

 

ଉଦୁଉଦିଆ ଦି’ପହରଟାରେ ତାଟି ମେଲାକରି ବାହାରିଲା ମାଳତୀ । ଦେଖିଲା ହିଡ଼ମୁଣ୍ଡରେ ଅଇଁଠା ବସି ଦା’ଟାକୁ ବିଲଉପରକୁ ଅନ୍ୟମନସ୍ଥ ଭାବରେ କେଞ୍ଚି ଚାଲିଛି । ମାଳତୀକୁ ଦେଖି କ’ଣ କରିବ ଆଗ ଠିକ୍‍ କରିପାରିଲା ନାଇଁ ।

 

ହେଲେ ଡଗ୍‌ ଡଗ୍‌ କରି ସବୁ ବଖାଣିଲା ମାଳତୀ ତା’ ଆଗରେ । ଆଉ ତା’ର ସିଦ୍ଧାନ୍ତ ଯେତେବେଳେ ସେ ଜଣେଇଲା–ପାଞ୍ଚହାତର ଜୁଆନ୍‌ ଅଇଁଠା ହାତରୁ ଦା’ ଖସିପଡ଼ିଲା । ସେ ଡରି କାଠ ହୋଇଗଲା । ସତେତ ! ମାଳତୀ ଛାର ମାଇକିନିଆଟେ–ତା’ର ପୁଣି ଏତେ ହେମ୍ମତ ହବ ସେକଥା ସେ ଜମା ବିଶ୍ଵାସ ଗଲାନାଇଁ । ତା’ହେଲେ ସେ ମରଦପୁଅ ହେଇ କ’ଣ ସେମିତି କିଛି ଗୋଟାଏ କରିପାରିବ ନାଇଁ ? ଦମ୍ଭବାନ୍ଧି କହିଲା–

 

‘ନାଇଁ ମାଳ । ମୁଁ ତତେ ବାହାହେବି’ ।

 

ଏକରକମ ଝିଙ୍ଗାସି ଉଠିଲା ମାଳତୀ ଏଇ କଥାରେ ।

 

‘ଆହାଲୋ ମୋ ପାରିବାର ମରଦ । ବାହାଟାତ ଏମିତି ହୁଅନ୍ତି ଆଉ...ଆଶ୍ଚର୍ଯ୍ୟ ହେଲା ଅଇଁଠା । ଆଉ କେମିତି ବାହା ହୁଅନ୍ତି । କେତେ ରକମର ବୁଝେଇବାକୁ ଚେଷ୍ଟାକଲା ସେ ମାଳତୀକୁ । ମାଳତୀ କିନ୍ତୁ ଭୁଲିବାକୁ ନାରାଜ । ଶେଷକୁ ହାତଯୋଡ଼ି ନେହୁରା ହେଇ କହିଲା ଅଇଁଠା–

 

‘ମାଳ ! ତୁତ ଏତେଦିନ ସତାରିଲୁ । ଆଉ ମୋ ଜାଣିଲା ପରେ ତୁ ଦି’ଟା ଦିନ ସତାରିଯା । ତା’ପରେ ତୋର ଦେଖିଲା କାମ କରିବୁ ।’

 

‘କାଇଁକି, କ’ଣ ଦି’ଦିନ ଭିତରେ ବଇଦଠୁ କାଟପାଣି...’

 

‘ମାଳ...’ତା’ ମୁହଁ ରେ ହାତଦେଲା ଅଇଁଠା । ‘ତୁ ଏଡ଼େ କଥାଟାଏ କହୁଚୁ ?’

 

ଆଖି ଛଳଛଳ ହେଇ ଆସିଲା ମାଳତୀର । ସତେତ ଅଇଁଠା ଆଗରେ ତା’ ରକତଟାକୁ ସେ ସମ୍ଫୁଚି । ଆଉ ସେ ସହିବ କେମିତି ? କିଛି ନକହି ଗାଲ ଉପରୁ କାନିରେ ଲୁହପୋଛି ଲେଉଟିପଡ଼ି ଚାଲିଗଲା ।

 

କେମିତି ଗୋଟାଏ ହତାଶିଆ ଆଖିରେ ଦଣ୍ଡେ ଚାହିଁ ରହିଲା ଅଇଁଠା ମାଳତୀର ଫେରିବା ବାଟକୁ । ତା’ପରେ କ’ଣ ଭାବି ଦାଆଟାକୁ ଧରି ଭୁଷ୍‌ଭୁଷ୍‌ ହେଇ ଚାଲିଲା ସେ ସିଧା ଶମ୍ଭୁମିଶ୍ରଙ୍କ ପାଖକୁ ।

 

ଠୋ ଠୋ ହେଇ ଶମ୍ଭୁମିଶ୍ରେ ହସି କଥାଟାକୁ ଏକାଥରକେ ନାପସନ୍ଦ କରି ଉଡ଼େଇଦେଲେ । ତାକୁ ଦି’ତିନିଟା ଶାସ୍ତ୍ରର ଶ୍ଳୋକ ବୋଲିଦେଇ କହିଲେ ଶାସ୍ତ୍ର କହୁଚି ଏଇଟା ପୁରାପୁରି ଅସମ୍ଭବ ।

 

ହାତଯୋଡ଼ି ପ୍ରାର୍ଥନା କରି ମୂଳରୁ ସବୁକଥା ବୁଝେଇ ଦୋଷ ମାନିଗଲା ଅଇଁଠୁ । ତଥାପି ଶମ୍ଭୁମିଶ୍ରଙ୍କ ଶାସ୍ତ୍ର ତା’ ପାଇ କୋହଳ ହବାର ଜଣାପଡ଼ିଲାନି । ବରଂ ସେ କହିଲେ–କଥାଟାଏ କାନକୁ ଆସିଲାଣି ତ ଆଜି ଚଉପାଢ଼ୀ ପଞ୍ଚେଇତରେ ପଢ଼ିବ, ଫଇସଲାଟା ଯାହାହବ ।

 

ସତକୁ ସତ ପଞ୍ଚେଇତ ଡାକରାହେଲେ ସେଇଦିନ ସଞ୍ଜବେଳକୁ । ତା’ ସପକ୍ଷରେ ନିଷ୍ପତ୍ତିଟାଏ ହବବୋଲି କେଡ଼େ ଆଶା କରି ଅଇଁଠା ଯାଇ ବସିପଡ଼ିଲା ଟିକେ ଦୂରେଇ କରି । ସତେକି ଆସାମୀଟାଏ । ମନେ ମନେ ଭାବିଲା ନିତି ନିତି ଦେଖାଚାହାଁ ଏମାନଙ୍କ ସାଙ୍ଗରେ । ଏମାନେ କ’ଣ ଆଉ ମୋର ଅମଙ୍ଗଳ ଚାହିଁବେ । ଗୋଟାଏ କିଛି କିନାରା ହେଇଯିବ । ଶମ୍ଭୁମିଶ୍ରେ ମଝିରେ ବସି ପାନ କୁଟି କୁଟି ବକ୍ତୃତା’ କରୁଥାନ୍ତି । ଅସଲ ସଭା ଆରମ୍ଭ ହେଇ ନଥାଏ । ସୁଖ ଦୁଃଖ ପଢ଼ିଥାଏ କହିଲେ ଚଳେ । କଥାଟାଏ ବଙ୍କେଇ କରି ମିଶ୍ରେ କହି ଉଠିଲେ–

 

‘ସତରେ କି କାଳହେଲା ହୋ...ମୁଁ ସେମିତି ଆରପାରି ଗାଁକୁ ଯାଇଥେଲି । ଗାଁଟା ଭିତରେ ପଶୁ ପଶୁ ଯାହା ଏ ଆଖି ଦେଖିଲା କ’ଣ କହିବି । ସେ ଗାଁରେ କେଇଟା ଟିକେ ପାଠ ପଢ଼ିଲେଣି ବୋଲି ମଣିଷ ମାନୁ ନାହାଁନ୍ତି ? ସାଆନ୍ତ ସାଇର ସେ ବଡ଼ ପଣସ ଗଛଟା ମୂଳେ ଟୋକାଟାଏ, ଟୋକୀଟା–କେତେ ନବଜରେ କଥାବାର୍ତ୍ତା ! ହଇହୋ କଥାବାର୍ତ୍ତା ତ ଯାହା, ପୁଣି ସେଥିରେ ଇଏ ତାକୁ, କୁତୁକୁତୁ କରିଦଉଚି ସିଏ ତାକୁ କୁତୁକୁତୁ କରିଦଉଚି । ସକାଳଟାରୁ ଯବାନ ଟୋକାଟୋକୀ ଦି’ଟା–ହଇହୋ...କଥାବାର୍ତ୍ତା ତ ହେଲା । ହେଲା, ମାନିଲୁ । ହଉ ଚଳେଇନେଲୁ । ହଇହୋ....ସେ କୁତୁକୁତୁ ଗୋଟାଏ କ’ଣ ଏଁ– ? ... କୁତୁକୁତୁ...’

 

କେତେଜଣ ହଁ ମରା ଲୋକ ପାଳି ଧଇଲେ ।

 

‘ଛ୍ୟା...ଛ୍ୟା...’

 

“ସେଇଠୁ ମତେ ଟିକେ ଅଖଞ୍ଜ ଲାଗିଲା । କେମିତି ସେବାଟେ ଯିବ, ଠିଆ ହେଇକରି ଖଣ୍ଡେ ଦୂରରେ ଆଡ଼ମୁହଁ କରି ଗଳାଝଙ୍କାର ମାଇଲି । ହେଲେ ସେ କାଇଁ ଶୁଣିବେ–ହଇହୋ...ଲାଜ ନା ସରମ ? ଧରମକୁତ ପୋଡ଼ି ଖାଇଲେଣି, ଆଉ ସରମକୁ ବାଜିବ କାଇଁକି ?

 

ପୁଣି ସେଇ ପାଳି...ଛ୍ୟା...ଛ୍ୟା...

 

‘ହଇହୋ ଯାହାକର, ଟିକେ ଭାବିଚିନ୍ତି କରିବ ନାଇ–’ୟା ବୋଲି ଆଉ ତା’ର ଗୋଟାଏ ଆଗପଛ ନାଇଁ ? ଆମ ପିଲାକୁ ତା’ହେଲେ ରାସ୍ତା ମଝି ରେ ପୀରତି କରିବାକୁ କହିବା ? ମନଇଚ୍ଛା ଯାହାକୁ ପାରିଲେ ବାହାହେଇ ପଢ଼ିଲେ, ମନ ଯାହା ପାଇଲା କରି ପକେଇଲେ । ଜାତିଗୋତ୍ର ସବୁ କ’ଣ କୁଆଡ଼େ ଯିବ ?’

 

‘ଛ୍ୟା–ଛ୍ୟା–’

 

‘ନାଇଁ ଆମକୁ ଜାତି ରଖିବାକୁ ପଡ଼ିବ । ଗୋତ୍ର ରଖିବାକୁ ପଢ଼ିବ । ଧର୍ମ ରଖିବାକୁ ପଡ଼ିବ । ତା’ନହେଲେ କେମିତି ହବ– ?’

 

ଏଇ ସମୟରେ ଜଣେ ଆସିକରି ଖବର ଦେଲା ନିଧି ପଟ୍ଟନାୟକ ଯାଇଚି ଆର ପାରିକୁ ଆଜି ଫେରିବନାଇଁ । ନିଧି ପଞ୍ଚେଇତିର ଗୋଟାଏ ଟାଣୁଆ ଲୋକ । ସେଥିପାଇଁ ତାକୁ ବାତେନି ଯାଇଥେଲା । ହେଲେ ସେ ନାଇଁ । ମିଶ୍ରେ ଆଦେଶ ଦେଲେ–

 

‘ତା’ହେଲେ ସଭା ଆରମ୍ଭ ହଉ ।’

 

ଅଇଁଠା ଆଉ ଟିକିଏ ସଜିଲ ହେଇ କାନଡ଼େରି ବସିଲା । ହେଲେ ସେ ଯେତେ ଭାବିଥିଲା ସଭାରେ ଟାଣଟୁଣ ହବ ବୋଲି ତା’ ଜମାହେଲା ନାଇଁ । ଭାରି ସହଳ ଛିଣ୍ଡି ଗଲା ସଭାଟା । ଆଉ ତା’ର ସାରକଥା ହେଲା–

 

ପୃଥିବୀର ସବୁ ଧର୍ମଶାସ୍ତ୍ର ଅନୁଯାୟୀ କୁଆଡ଼େ ଅଇଁଠା ମହାଦୋଷ କରିଚି । ତେଣୁ ଏକମାତ୍ର ଦଣ୍ଡବିଧାନ ତା’ପାଇଁ–କାଲିଠାରୁ ନିଆଁ ପାଣି ଅଟକ । ପ୍ରାୟଶ୍ଚିତ କରିବାପାଇଁ ଶାସ୍ତ୍ର କୁଆଡ଼େ ଗୋଟିଏ ବାଟ ମୋଟେ ଲେଖିଲା–ଆଉ ସେଇଟା ହେଉଚି ଏଇ ଚଉପାଢୀ ପଞ୍ଚେଇତିକୁ ସେ ଯଦି ପାଞ୍ଚଶହ ପାଞ୍ଚଟଙ୍କା ଜୋରିମାନା ଦେଇ କ୍ଷମା ମାଗିବ ତାହେଲେ ଅବା ତା’ କଥା ବିଚାର କରାଯାଇପାରେ । ସେଥିରୁ ଚାରିଶହ ଟଙ୍କା ଗାଁବାଲା ପ୍ରସାଦ ସେବନ କରିବେ । ଆଉ ଶହେଟଙ୍କା ଦିଆଯିବ ସେ ମାଳତୀର ବାପକୁ । ସେ ଗାଁ ବାହାରେ ଖଣ୍ଡିଏ ଜାଗାରେ ମାଳତୀକୁ ଘରଖଣ୍ଡିଏ କରେଇଦବ । ସେଇଠି ସେ ରହିବ ଆଜୀବନ କୁମାରୀ ହେଇ–ତା’ର ଜନ୍ମିତ ଛୁଆକୁ ଧରି । ତା’ସାଙ୍ଗରେ ତା’ର ବାପ, ମା’ର ବି ସମ୍ପର୍କ ରହିବ ନାହିଁ । ବାକି ପାଞ୍ଚଟଙ୍କାର ନୀଳକଣ୍ଠଙ୍କ ପାଖରେ ଗଞ୍ଜେଇ ହବ ।

 

ମୁଣ୍ଡ ଝାଇଁ ଝାଇଁ କରି ଉଠିଲା ଅଇଁଠାର । ନିଆଁପାଣି କଥାକୁ ସେ ଚଳେଇନବ କି କାଲି ସକାଳେ ତା’ର ସବୁ ଜମିତକ ମିଶ୍ରଙ୍କ ପାଦତଳେ ଥୋଇ ପାଞ୍ଚଶଟଙ୍କା ଆଣିଦେଇ କ୍ଷମା ପ୍ରାର୍ଥନା କରିବ । ହେଲେ ସେ ପାଞ୍ଚଶଟଙ୍କା ନେଇ ସେମାନେ ଯଦି ମାଳତୀକୁ ବାହାହବାର ଫଇସଲାଟା କରିଥାନ୍ତେ ତା’ ହେଲେ କେଡ଼େ କଥାଟାଏ ହେଇନଥାନ୍ତା । ତା’ନକରି ସେ ଦବ କ’ଣ ମାଳତିକୁ ଗାଁରୁ ବିଦାକରି ସେମିତି କଳଙ୍କ ପସରାଟାଏ ଗାଁ ବାହାରେ ସ୍ଥାପନା କରିବାକୁ– ???

 

ଗୋଟି ଗୋଟି ହେଇ ସମସ୍ତେ ଗଲେଣି ଚଉପାଢ଼ୀରୁ । ଏକା ରହିଯାଇଚି ଅଇଁଠା । ଗୋଟିଏ ଗୋଟିଏ ପାଦପକେଇ ତା’ ଘରକୁ ଫେରିଲା । ରାତିଟାସାରା ତାକୁ ନିଦ ନାହିଁ, କ’ଣ କରିବ କିଛି କୂଳ କିନାରା ପାଉନାହିଁ । ହଠାତ୍‌ ଶେଷ ପହର ଆଡ଼କୁ ତା’ ମୁଣ୍ଡରେ ଢୁକିଲା ମାଳତୀକୁ ନେଇ ପଳେଇବ ଗାଁ ଛାଡ଼ି କୁଆଡ଼େ । ହେଲେ ମାଳତୀ କ’ଣ ଏ କଥାରେ ରାଜିହବ ? କେମିତି ସକାଳ ପାହିଲେ ତାକୁ ରାଜି କରେଇବ ବୋଲି ସେଇ ଚିନ୍ତାରେ ଦାଣ୍ଡପିଣ୍ଡାରେ ସେମିତି ମୁଣ୍ଡରେ ହାତ ଦେଇ ବସିରହିଲା ଅଇଁଠା । କେତେବେଳେ ଫରଚା ହେଲାଣି ତା’ର ହୋସ ନାହିଁ ।

 

ଧପ୍‌ଧପ୍‌ ହେଇ ଜଣେ କିଏ ଧପାଲି ଆସୁଥେଲା ଭଳିଆ ଜଣାପଡ଼ିଲା ତାକୁ । ଛାଇ ଅନ୍ଧାରରେ ଦେଖିଲା ସେ ନିଧି ପଟ୍ଟନାୟକ ଆସୁଚି ଆର ଗାଁରୁ । ହାତରେ ତା’ର ଚିତାଏ ଉଚ୍ଚର ଠେଙ୍ଗାଟାଏ । ଧଅସି ଚାଲିଚି ସେ । ଏତେ ଅନ୍ଧାରରୁ ଏମିତି ଗାଲରେ ହାତଦେଇ ଅଇଁଠାକୁ ବସିବାର ଦେଖି ଦଣ୍ଡେ ଅଟକିଯାଇ ପଚାରିଲା ନିଧି–

 

‘କିରେ ଏମିତି କାଇଁକି ବସିଚୁ ?

 

ହଠାତ୍‌ ଆଉକିଛି କହିପାରିଲାନି ଅଇଁଠା । ଓଳିତଳକୁ ଓହ୍ଲେଇଯାଇ ନିଧିର ହାତଟାକୁ ଧରିପକେଇଲା ।

 

‘ନିଧିଆଇ ! ତୋ ସ୍ତିରୀ ମତେ ମାହାର୍ଦ୍ଦ ଦେଇ ଭାଇ କରିଥେଲା । ତୋ ଛଡ଼ା ତ ଆଉ କେହି ମୋର ନିଜର ନାଇଁ । ତୋରି ହାତରେ ସଅଁପି ଦେଇ ଯାଉଚି ମୋର ସମ୍ପତ୍ତି । ମୋଘର, ଜମିସବୁ ତୋ ଦାୟିତ୍ଵରେ ରହିଲା । ତୁ ଭୋଗ କରିବୁ । ତୋର ବା କିଏ ଅଛି । ସବୁ ସେଇ ବାଜିଆକୁ ଦବୁ । ସେ ଯା’ହଉ ମୁଁ ଚାଲିଲି, ଯଦି କେବେ ଫେରେ ତୋ ଇଚ୍ଛାହେଲେ ଦବୁ ନହେଲେ ନାଇଁ । ମୋର ଦୁଃଖନାଇଁ । ଆଉ କାହାକୁ ମୁଁ ଦେବିନାଇଁ । ସେଗୁଡ଼ାକ ଖଣ୍ଟଗୁଡ଼ାକ ।’

 

ଭେଳକା ହେଇ ଅନେଇଲା ନିଧି । କିଛି ବୁଝିପାରିଲାନି ଏତେଗୁଡ଼ାଏ କଥାରୁ ସେ । ‘କିରେ କଥା କ’ଣ ତୁ କୁଆଡ଼େ ଯିବୁ ? ମୁଁ ତ କିଛି ବୁଝିପାରୁ ନାଇଁ...

 

ଗୋଟି ଗୋଟି କରି କହିଗଲା ସବୁକଥା ଅଇଁଠୁ, ଆଉ ତା’ ସାଙ୍ଗରେ ଗଲା ରାତିରେ ପାଞ୍ଚ ପରମେଶ୍ୱରଙ୍କର ଆଦେଶ କଥାବି ଠିକେ ଠିକେ କହିଗଲା ।

 

ସବୁ ଶୁଣିସାରି ବଡ଼ ନିଶ୍ଵାସଟାଏ ପକେଇ କହିଲା–

 

‘ହୁଁ–ତା’ହେଲେ ଗୋଟାଏ ବଡ଼ ବିଚାର ହେଇଯାଇଚି ନାଁ ? ପଞ୍ଚେଇତି ଏଡ଼େ ବିଚାରଟାଏ କରିଦେଲେ ? ଆଚ୍ଛା ହଉ, ମୁଁ ତ ଫେରୁଚି ଆର ଗାଁରୁ । ତୁ ବେଳ ଦି ଘଡ଼ିକି ମୋ କତିକି ଆ । ଯାହା ଯେମିତି ବୁଝେଇବାର କଥା ଜମିବାଡ଼ି ବିଷୟରେ ବୁଝେଇଦେଇ ଯିବୁ ।

 

ଏତିକି କହିଦେଇ ଗୁମ୍‍ମାରି ଦୁମ୍‌ଦୁମ୍‌ ହେଇ ଚାଲିଗଲା ନିଧିଆ । କ’ଣ ମୁଣ୍ଡରେ ପଶିଲା ତା’ର ସେଇଠୁ ସେ ଆଉ ଘରକୁ ଫେରିଲାନି । ନାକସଳଖ ଚାଲିଲା ଆଗ ଶମ୍ଭୁ ମିଶ୍ରଙ୍କ ଘରକୁ । ଶମ୍ଭୁମିଶ୍ରେ ସେତେବେଳେକୁ ଉଠି ମୁହଁ ଧୋଇବାରେ ବ୍ୟସ୍ତ । ତାଟି ଖୋଲି ନିଧିକୁ ଭିତରକୁ ପଶିବାର ଦେଖି ଡାକ ପକେଇଲେ–

 

‘କିରେ ନିଧି ! ଏତେ ସକାଳୁ ? ଆ... ଆ...’

 

କଥାକୁ ଅପେକ୍ଷା ନରଖି ପଚାରିଲା ଠୋସରେ ନିଧି–

 

‘ମୁଁ ଶୁଣିଲି ଆଜିଠଉଁ କୁଆଡ଼େ ଅଇଁଠାକୁ ନିଆଁ ପାଣି ଅଟକ ହବ ବୋଲି ଗାଁରେ ବିଚାର ହେଇଗଲା ?’

 

‘ହଁ, ହଁ, ଠିକ୍‌ ଶୁଣିଚୁ ବାପ । ତୁ ତ ନଥେଲୁ । ତୋ ପାଖକୁ ଖବର ପଠେଇଥିଲି । ତେବେ ବଡ଼ ଛୋଟ କାମଟାଏ କରିଦେଲା... ।’

 

ଏଇ କଥାରେ ବିଷ ଉଦ୍‍ଗାରିଲା ପରି ପାଟିକଲା ନିଧିଆ–

 

‘ଆରେ ସେ ଛୋଟ କାମଟାଏ କଲା ତା’ ଘରେ ନାଁ ଆଉ କାହାକୁ ଡାକି କରି କରିବାକୁ ଯାଇଥେଲା ? କିଏ ଛୋଟ କାମ ନ କରୁଚି ହୋ ?’

 

‘ନାଇଁ, ନାଇଁ, ତୁ ବୁଝୁନୁ ବାପ...’

 

‘ମୁଁ କିଛି ବୁଝିବି ନାଇଁ । ମୁଁ ଦେଖିବି କୋଉ ବାପର ହେମ୍ମତ ଅଛି ତାକୁ ନିଆଁପାଣି ଅଟକ ରଖିବ । ଏ ଗାଁରୁ କ’ଣ ନ୍ୟାୟ ଉଠିଗଲାଣି ?

 

‘ନିଧି, ଶୁଣ୍‌ କଥାଟା ସେମିତି ହେଇଚି । ତେବେ ବି ତାକୁ ଏ ବାସନ୍ଦରୁ ମୁକୁଳିବା ବାଟ ବତେଇଦିଆ ହେଇଚି ।

 

‘କ’ଣ୍ ଏଇ ଯୋଉ ପାଞ୍ଚଶହ ଟଙ୍କା ଜୋରିମାନା ? ହଁ...କଥାଟା ବୁଝିଲି ନାଇଁ । ପାଞ୍ଚଶହ ଟଙ୍କା ସେତ ବିକି ଭାଙ୍ଗି ଦେଇଦବ । ଗାଁବାଲା ଖାଇବେ କାଇଁକି ? କ’ଣ...ଅଇଁଠା ଯେତେବେଳେ ମାଳ ସାଙ୍ଗରେ ରସିକ ହଉଥେଲା ଇଏ ଯାଇ ମାଳର ଲୁଗା ଗାଣ୍ଠିଲି କାଚି ଦଉଥେଲେ ନାଁ ଅଇଁଠାର କୋଡ଼ି ହାଣି ଦଉଥେଲେ ? ହଉ ହେଲା । ଗାଁବାଲା ବି ଖାଇଲେ । ଆଉ ସେ ଗାଁ ଠଉଁ ଦୂରରେ ଯବାନ ଝୁଅଟା କାଇଁକି ରହିବ ? କ’ଣ ତମମାନଙ୍କର ସୁବିଧା ହଉ ନାଇଁ । ଆଉ ଦାରୀ ଘରଟାଏ ଦୂରେଇ କରି ଖୋଲିଦେଲେ ତମ ଭଳିଆ ବୁଢ଼ା ଦରବୁଢ଼ା ରସିକ ସବୁ ଜୁଟିବେ ?’

 

ଏକା ନିଃଶ୍ଵାସକେ ଏତକ ସିନା କହିଦେଲା ନିଧିଆ । ହେଲେ ଶମ୍ଭୁ ମିଶ୍ରଙ୍କ ମରମକୁ ବାଜିଗଲା । ଟିକିଏ ନାଲିପଡ଼ି ଯାଇ କହିଲେ ।

 

‘ନିଧି, ଟିକେ କଥାଟାକୁ ବୁଝି ସମଝି କହ । କାହାକୁ କ’ଣ କହିଯାଉଚୁ ?

 

‘କ’ଣ ବୁଝିବି ହୋ ମତେ ବୁଝଉଚ ? ମୁଁ କ’ଣ କାହାର ଖାଏ ନାଁ ଧରେ ? କ’ଣ ଟାଏ ଏମିତି କରିପକେଇଚି ଅଇଁଠା ? ହଇହୋ ମିଆଁ ବିବି ରାଜି କ୍ୟା କରେଗା କାଜି । ସେ ଦି’ଜଣଙ୍କର ମନ ମାନିଲା ସେମାନଙ୍କର ରାଜି ହେଲା । ତମ ଦିହ କାଇଁ ସହିବ ନାଇଁ ?

 

‘ଆମ ଦିହ କ’ଣ ସହିଲାନି ?’

 

ଆଉ ନୁହଁ ? ଆଚ୍ଛା ହଉ, ଆଜି ମୁଁ ସେ ମାଳତୀକୁ ଡାକି ଆଣିବି ଚଉପାଢ଼ୀକୁ । ପୁଣି ପଞ୍ଚେଇତି ଡାକରା ହେବ, ମୋ ସାମନାରେ ଆଜି କଥା ପଢ଼ିବ, ସବୁ ଗୁମର ମୁଁ ପଦାରେ ପକେଇବି, ତମେ ପରା ବୁଢ଼ାଟିଏ ହେଲଣି–ସେ ଦିନ ଆର ପାରିରୁ ଅଇଲାବେଳେ ନାଳକୂଳରେ ନାହାଲେଇ ନାହାଲେଇ କହୁଥେଲ–’କିଲୋ ମାଳତୀ ତୁ ଆଉ କାଇଁ ଗାଁ ଆଡ଼କୁ ଜମା ଆସୁନୁ-?’ ସେ କ’ଣ କହିଲା ବୋଲି ତମେ ସେଠୁ ଆହୁରି ପାଖକୁ ନାଗିଯାଇ ତା’ କାନ୍ଧରୁ କାନି ଟାଣୁନଥଲ-? ମୁଁ ଦୂରରେ ସେ ଆମ୍ବଗଛରେ ଥାଇ ଆମ୍ବ ତୋଳିଲା ବେଳେ ଗଳାଖଙ୍କାର ନ ମାରେ ନାଁ ତମେ ନ ଆସ...କ’ଣ ମନେ ନାହିଁ ? ଗାଁଠୁ ଦୂରଛଡ଼ା କରି ଘର କରିଦେଲେ ତମର ସୁବିଧା ହବ ନାଇଁତ ତାହାର ହବ ? ଏଇଟା ଆଉ ଛୋଟ କାମ ନୁହେଁ... ?

 

ଏଇ କଥାରେ ଶମ୍ଭୁ ମିଶ୍ରେ ଟିକିଏ ଅଡ଼ୁଆରେ ପଡ଼ିଗଲେ । ପିଣ୍ଡାତଳକୁ ଓହ୍ଲାଇଗଲେ । ଏତିକି ଯଦି ଘରଣୀଙ୍କ କାନରେ ପଢ଼ିଯିବଣି ତା’ହେଲେ ଆଜିଠଉଁ ନିଜ ଘରୁ ବାସନ୍ଦ । ଆଉ କଥାକୁ ପଚାରେ କିଏ ?

 

‘ଶୁଣ ଶୁଣ ନିଧି...ମୁଁ କ’ଣ କହୁଥେଲି କି’...କହି କହି ତାଟି ବାହାର ପଟକୁନେଇ ଆସିଲେ ନିଧିକୁ ଯେମିତି ଭିତରକୁ ଆଉ କଥାଗୁଡ଼ା ଶୁଣା ନଯାଏ । ବୁଝେଇଲା ଭଳି କହିବା ଆରମ୍ଭ କଲେ–

 

‘ଯେତେହେଲେ ଅଇଁଠୁ ଆମରି ଭିତରର ଲୋକଟା । ମୁଁ କହୁଥିଲି କ’ଣ କି ତାକୁ ତ ପର କରି ଦେଇ ହବ ନାହିଁ । କିଛି ଗୋଟାଏ ବିଚାର କରିବା ।’

 

‘ବିଚାର କରିବା କ’ଣ ହୋ ? ସିଏ ତ ତାକୁ ଅଲବତ ଘରକୁ ନବ । ତମେ ତା’ର କ’ଣ କରିବ ମୁଁ ଟିକେ ଦେଖିବି । ଆଉ ଶଳା ଚନ୍ଦ୍ରା ଓଝା, ସେ ଗୋଟାଏ ମୁରବୀ ହୋଇଗଲାଣି ଏ ଗାଁରେ । ବାପର ପାଟିରୁ କଥା ବାହାରୁ ନ ଥେଲା, ପୁଅ ପଞ୍ଚେଇତିରେ ବସି ବିଚାର କରିପକେଇ ରାୟ ଦେଇଦେଲା ! ମୁଁ ଯାଉଚି ଏଇଛୁଣିକା ତା’ ପାଖକୁ । ଗୋଟାଏ ଚାପୁଡ଼ାରେ ତା’ର ଅଧପାଟିଏ ଦାନ୍ତ ଯଦି ଝାଡ଼ି ନ ଦେଇଚି ସେ ମତେ ଚିହ୍ନିବ । ଶଳା, ମାଳତୀକୁ ଦେଖ ସବୁବେଳେ ନସର ପସର ହଉଥବ...ମତେ ପଚାଶ ଥର କହିଚି–ଆଃ...ମାଳତୀ, ଝୁଅ ଖଣ୍ଡେ ତ...ରାଜା ଝୁଅ ତା’ ସରିହବ ନାଇଁ । ସବୁବେଳେ ତା’ ଘର ଆଡ଼େ କାମ ନ ଥେଲେ ବି ହେର୍‌ଫେର୍‌ ହଉଥିବ ଆସି-। ଆଉ ମଉକା ଦେଖି ବିଚାର କରି ଦେଲା ! ଆଜ୍‌ ଦେଖ୍‌ ଲେଗା ସବ୍ କୋ...’

 

କହି ଦେଇ ଚାଲିଯିବାକୁ ବାହାରିଥେଲା ।

 

ମିଶ୍ରେ ଦେଖିଲେ, ନିଧି ହିନ୍ଦୀ କହିଲାଣି ମାନେ ତା’ ରାଗଟା ନିଶ୍ଚେ ମାତ୍ରା ଚଢ଼ିଗଲାଣି, କୋଉଠି ନାଇଁ କ’ଣ କହିଦବ । କ’ଣ କରି ପକେଇବ । ଅଟକେଇଲେ ତାକୁ...

 

‘ଶୁଣ ନିଧି, ମୁଁ ଭାବିଚି, ପାଞ୍ଚଶ ଟଙ୍କା କେଉଁଠୁ ସେ ଆଣିବ ? ଶୂନ କାଟି ପଚାଶ ଟଙ୍କା ସେ ଗାଁବାଲାଙ୍କୁ ବାଳଭୋଗ ପାଇଁ ଦଉ, ଆଉ ମାଳତୀକୁ ଯେମିତି ହେଲେ ତାକୁ ଛାଡ଼ିବାକୁ ପଡ଼ିବ-

 

‘ଜମା ନାଇଁ, ହେଇ ଶୁଣ ମିଶ୍ରେ ଆପଣେ ! ମୋର ଗୋଟିଏ କଥା, ଅଇଁଠୁ, ମାଳକୁ ବାହାହବ । ତା’ର କେମିତି ହେଲେ ତମ ମଗଜକୁ ବୁଦ୍ଧି କାଢ଼ି ଗୋଟାଏ କିନାରା କରିଦିଅ, ତା’ହେଲେ ତ ଭଲକଥା ହବ, ନ ହେଲେ ମୁଁ ଠିଆ ହେଇ ସମସ୍ତଙ୍କ ଗଇଗୋତ୍ର ଉଝାଳି ମନ୍ଦରେ କରେଇବି, ଆଉ ପଚାଶ ଟଙ୍କା ଗାଁବାଲାଙ୍କୁ ଦବ ବୋଲି କହିଲ ଯେ, ପଚାଶ କାଇଁକି ? ଶହେ ଖରଚ କରିବେ ସେ । ହେଲେ, ସେଇ ବାହାଘରରେ ଆମେ ସମସ୍ତେ ତା’ପରେ ପତର ପକାଇବା, ଶହେ ଟଙ୍କା ଖର୍ଚ୍ଚ ହବ ।’

 

ମିଶ୍ରେ ତ ଥଣ୍ଡା ପଡ଼ି ଆସିଥେଲେ–ବାଧ୍ୟରେ କହିଲେ–

 

‘ହଁ, ତା’ର ଗୋଟିଏ କିଛି ବନ୍ଦୋବସ୍ତ କରିବାକୁ ପଢ଼ିବ, ନ ହେଲେ ନିଜର ଲୋକଟା, ରାତି ପାହିଲେ ମୁହଁ ଚାହାଁଚାହିଁ, ଅସୁନ୍ଦର ହେବ କାଳକୁ, ତେବେ...ବାପ, ନିଧି ଗଞ୍ଜେଇ ଖର୍ଚ୍ଚ ବାବତ... ।’

 

‘ଓହୋ ମିଶ୍ରେ ଆପଣେ ! ସେଥିପାଇଁ ମୁଁ ଦାୟୀ ରହିଲି । ଚଉପାଢ଼ୀର ଗଞ୍ଜେଇ ଖର୍ଚ୍ଚଟା ସେ ଦବ । ହେଇତି ନିଅ ଧର–ଏଇ ପାଞ୍ଚ ଟଙ୍କା, ଏଇଟା ମୁଁ ତୁମକୁ ଦେଲି ତମର ଏକଲା ଗଞ୍ଜେଇ ଖର୍ଚ୍ଚ । ବାକି ଚଉପାଢ଼ୀର–କଥା ଛିଣ୍ଡିଲେ । ଏଇଟା କେବଳ ତମର ।

 

ଅଣ୍ଟା ଗାଞ୍ଜିଆରୁ ପାଞ୍ଚ ଟଙ୍କା ଠଣ ଠଣ ଗଣିଦେଲା ନିଧିଆ । ଟଙ୍କାକୁ ମୁଣ୍ଡରେ ମାରି ଅଣ୍ଟାରେ ଖୋସିଲେ ମିଶ୍ରେ ।

 

‘ହଁ ବାପ ମୋର କ’ଣ ? ସବୁ ତ ସେଇ ତ୍ରିନାଥ ଗୋସେଇଁଙ୍କ ଚିଲମ ଭିତରକୁରେ ବାପ...ହଉ ତୁ ଯା; ଆଜି ଗୋଟାଏ ପଞ୍ଚେଇତି ଡାକିଲେ ଯାହା ହବ । ମୁଁ ଖବର ଦଉଚି ସମସ୍ତଙ୍କୁ-।’

 

‘ନାଇଁ ଯାହା ଫାହା ନାହିଁ । କାମଟା ଠିକ୍‌ ଯେମିତି କରିଦବ । ନ ହେଲେ ଆଜି ତ ମୋର ଏ ଠେଙ୍ଗାକୁ ମୁଁ ନେଇକରି ଯାଉଚି ସେଠିକି । ସେଇଠୁ ଆରମ୍ଭ କରିବି, ମୁଁ ତ ନଂଘାଟାଏ । ମୋର କେହି ନାହିଁ, ହେଇ ହେଇ ଛୁଆ ବକଟେ, ସେ ଭିକ ମାଗିକି ଏଥରକ ବଞ୍ଚିଯିବ । କିନ୍ତୁ ଯଦି ଟିକେ ବେଆଡ଼ା ହେଲା କଥା, କାହାରିକୁ ପ୍ରାଣରେ ଛାଡ଼ିବ ନାହିଁ... । ମୁଁ ଯାଉଛି... ।’

 

‘ହଁ...ତା’ର ଗୋଟାଏ କରିଦବା ବନ୍ଦୋବସ୍ତ, ହଉ ତୁ ଘରକୁ ଯା, ଆଉ ସେ ଚନ୍ଦ୍ରାଘରକୁ ଯିବୁ ନାଇଁ ବାପ...ଛିଃ... !

 

‘ନାଇଁ ସେ ଗୋଟାଏ କ’ଣ ରାୟ ଦେଲା ମୁରବୀ ସାଜି ! ମୁଁ ତା’ ସାଙ୍ଗରେ ଟିକିଏ ମୁକାବିଲା ନ କଲେ ହବ ନାଇଁ ।’

 

‘ଛ୍ୟା ଛ୍ୟା ନିଧି ଜମା ନାଇଁ । ସେଇଟା କେତେକର ମଣିଷ’ ! ଚୁଙ୍ଗୁଡ଼ି ଚିପିଲେ ମୁଣ୍ଡରେ ଗୁହ, ତା’ ମୁହଁ ବଙ୍କା କରିଦବାକୁ କେତେ ସମୟ ଲାଗିବ ? ତୁ ଘରକୁ ଯା ।

 

ଡେଙ୍ଗାଏ ଡେଙ୍ଗାଏ ମୁଣ୍ଡିଆଟାଏ ମାରିଦେଇ ଠେଙ୍ଗାଟାକୁ କଚାଡ଼ି କଚାଡ଼ି ଘରଆଡ଼େ ମୁହାଁଇଲା ନିଧି ।

 

ବେଳ ଦି’ଘଡ଼ି ସରିକି ଘରେ ବସିଚି ସେ । କ’ଣ ମନେ କରି ଠେଙ୍ଗାଟାକୁ ଆଣିଲା, ବାଉଁଶନଳୀରୁ ସୋରିଷ ତେଲ ଗିନାଏ ଆଣି ସେ ଠେଙ୍ଗାଟାରେ ଭଲକରି ଘଷିଲା । ବାଡ଼ିଟା ଖାଲି ନାଲି ଦେଖାଯାଉଥାଏ–ତେଲ ସର ସର ହେଇ । ଆସିଲା ଅଇଁଠୁ, ବସିପଡ଼ି ଜମିବାଡ଼ି କଥା ଆରମ୍ଭ କଲା । କେତେବେଳକେ ଅଇଁଠୁ ବୁଝିଲା ନିଧି କିଛି ଶୁଣୁ ନାଇଁ, କ’ଣ ଯେମିତି ଭାବୁଚି ! ଆହୁରି ନିଠେଇ କରି କହିବା ଆରମ୍ଭ କଲା ସେ, କେତେବେଳକେ ପାଟିଟାଏ କରିଉଠିଲା ନିଧି ।

 

‘ଯା ପଳାଃ ବେ ମାଇଚିଆ, ମତେ ଆସି ଜମି ଦେଖଉଚି ! ଏମିତି ଯଦି ପଳେଇବାକୁ ତରଛ...ନାଗର ସାଜିଦାକୁ ସକ୍‌ ବାହାରୁଥେଲା କାଇଁକି ? ମଉଜ କଲାବେଳକୁ ଅଣ୍ଡିରାଟାଏ । ଆଉ ଏତେବେଳକୁ ସେ ଅଣ୍ଡିରାପଣଟା କୁଆଡ଼େ ଗଲା ?

 

ଅଇଁଠା ବୁଝିଲା ବେଳ ଖରାପ ପଡ଼ିଲେ କୁଟାଖିଅଟା ହେଇ ଆଶ୍ରା ମିଳେ ନାଇଁ । ଦି’ଘଡ଼ି ଆଗରୁ ଯୋଉ ନିଧିଆଇ ତା’ କଥା ଶୁଣି ତାକୁ ପ୍ରବୋଧ ଦେଇ ଆସିବାକୁ କହୁଥେଲା, ଭାଗ୍ୟ ଖରାପ ନ ହେଇଥେଲେ ସେ ଏମିତି ବଦଳି ପଡ଼ିଥାନ୍ତା ? ଆଉ ତାକୁ କିଛି କହିବା ଉଚିତ ହବ କି ନାଇଁ ବୋଲି ଠିକ କଲା । କହିଲା ନିଧି–

 

‘ଆଜି ପଞ୍ଚେଇତି ସଭାକୁ ତତେ ଡାକରା ଆଇଲାଣି ?’

 

‘ନାଇଁ ତ...’

 

‘ଆଜିକା ସଭାଟା ଗଲା ପରେ ଯୋଉ କଥା ମତେ କହିବୁ ଯା, ସେତେବେଳ ପର୍ଯ୍ୟନ୍ତ ମୋ ମୁଣ୍ଡ ଠିକ୍‌ ନାହିଁ ।

 

କିଛି ନ ବୁଝି ସୁଦ୍ଧା ଆଜ୍ଞାବହଟିଏ ଭଳିଆ ପଦଟିଏ ବି ଓଲଟ ନକହି ପିଣ୍ଡାତଳକୁ ଓହ୍ଲେଇଲା ଅଇଁଠୁ । ପଛରୁ ଡାକିଲା ନିଧି–

 

‘ତୋ ପାଖରେ ଟଙ୍କା ଅଛି କି ରେ ?’

 

‘କେତେ ?’

 

‘ପାଞ୍ଚଟା ଖଣ୍ଡେ’...

 

‘ଅଛି–’

 

‘ତାକୁ ନେଇ କରି ଆଜି ସଞ୍ଜକୁ ଚଉପାଢ଼ୀକୁ ଆସିବୁ ।’

 

କାଇଁକି...କ’ଣ...ଏ ସବୁ ପଚାରିବାକୁ ସାହସ କୁଳେଇଲାନି ଅଇଁଠାର । ସେମିତି ତୁନି ହେଇ ତା’ ଘରକୁ ଚାଲିଗଲା । ଆଜି ଦିନଟା ତା’ର ସମୟ ଅଛି ମାଳତୀ ପାଖରେ, କାଲି ଦି’ପହରକୁ ସେ ପଚାରିବାକୁ ଆସିବ କ’ଣ କଲା ବୋଲି । ତାକୁ ଆଉ କ’ଣ ଉତ୍ତର ଦବ ? ଯଦି ସେ ଶୁଣିସାରିଥିବ, ତା’ହେଲେ ନ ଆସି ଯଦି ସେ କନିଅର ମଞ୍ଜି ଖାଇବ ? ଆଉ କିଛି ଭାବିପାରିଲା ନି ଅଇଁଠା । ଘରେ ଆସି ବସିଲା ତୁନି ହେଇ ଦୋଷୀଟି ଭଳିଆ–ସେ ଦିନ ଗାଁରେ ଦି’ଟା ଦୃଶ୍ୟ, ସେ ବାଟେ ଯିଏ ଯାଇଚନ୍ତି ଦେଖିଚନ୍ତି ଯେ ଦିନଯାକ ଗୋଟିଏ ଜାଗାରେ ବସି ନିଧି ଖାଲି ତା’ ଠେଙ୍ଗାରେ ତେଲ ଘଷୁଛି । ଆଉ ଅଇଁଠା ତା’ ଘର ପିଣ୍ଡାରେ ବସି ଆଉ ଗୋଟିଏ ଖୁଣ୍ଟ ପାଲଟିଛି ।

 

ସଞ୍ଜ ହେଲା । ଗୋଟି ଗୋଟି ହେଇ ସମସ୍ତେ ଆସିଲେ । ତଥାପି ପୂରା ହେଇନଥାଏ ବୋଲି ଏମିତି ବାହାରିଆ ଆଲୋଚନା ପଡ଼ିଥାଏ ୟାଡ଼ୁ ସିଆଡ଼ୁ ।

 

କ’ଣ କଥା ପଡ଼ୁ, ପଡ଼ୁ ଚନ୍ଦରା ଓଝା କହି ପକେଇଲା–’ବଡ଼ ବେଆଡ଼ା ଯୁଗ ହୋଇଗଲା– ।’

 

ଚଟ୍‌ କରି କଥାଟାକୁ ଧରି ପକେଇଲେ ମିଶ୍ରେ–

 

‘ନାଇଁ ଚନ୍ଦରା, ସେ କଥା କହିଲେ ହବ ନାଇଁ ତମେ ସିନା ସବୁ ଗାଁ ଭିତରେ ରହିଚ । କୂପ ମଣ୍ଡୁକ, ନ ହେଲେ ଯୁଗ ବଦଳିଗଲାଣି । ତା’ ସାଙ୍ଗକୁ ରୀତିନିତି ବି ବଦଳି ଗଲାଣି । ସେଇ ସାଥିରେ ଆମକୁ ଟିକେ ଚଳେଇନବାକୁ ପଡ଼ିବ ।

 

ସେଇଠୁ ପୁଳାଏ ପାଳିଧରା ଲୋକ କହି ଉଠିଲେ–

 

‘ହଁ, ତା’ ନୁହେଁ ଆଉ କ’ଣ ?’

 

ପୁଣି ମିଶ୍ରେ ବଖାଣିଲେ–

 

‘ଏଇ ଧର, ଆମେ ଶାସ୍ତ୍ର ପୁରାଣ ପଢ଼ୁଥେଲେ । ତାକୁ କେବଳ ସେଇ ଶାସ୍ତ୍ର ପୁରାଣ କାମରେ ଲଗଉଥିଲେ । ହେଲେ, ଅନ୍ୟ କୋଉଥିରେ ସେଇଟା ଲାଗନ୍ତା ସେ କଥାଟା ମୁଣ୍ଡରେ ନଥିଲା । ତେବେ ଆଜିକାଲିର ଯୋଉ ଶିକ୍ଷା ପବନଟା ଆସିଲା, ସେ କହିଲା ଏକା ନୀତି ସବୁଠି ପ୍ରଯୁଜ୍ୟ ।

 

ପାଳି–’ହଁ...ହଁ... ।’

 

‘ଏଇ ଯୋଉ କହୁଥେଲି ସେ ଗାଁରେ ମୋର ଆଖି ପଡ଼ିଲା...

 

ସମବେତ କଣ୍ଠରେ ସମସ୍ତେ କହି ଉଠିଲେ

 

‘କୁତୁ କୁତୁ...’

 

ହଁ ସେଇଆ ବୋଲି, ହଇହୋ...ଏଇଟାକୁ ସିନା ନାପସନ୍ଦ କରୁଚେଁ । ହେଲେ ବିଚାର କଲେ ଦେଖିବା ଯେ, ସେଥିରେ ଧର୍ତ୍ତବ୍ୟ କିଛି ନାହିଁ , ହଇ ହୋ...ନାଇଁ କହୁନାଁ, ଇଏ ଝିଅଟେ, ସିଏ ପୁଅଟେ... ଥଟ୍ଟା ହେଲେ ତ ସେଇ ଦିହିଁଙ୍କର ହବାର କଥା । ଆଉ ସିଏ ନ ହେଇ ଆଉ କ’ଣ ଝିଅଟା ସାଙ୍ଗରେ ଝିଅଟା ହବ, ନାଁ ପୁଅଟା ଯାଇ ଗଛ ପତର ସାଙ୍ଗରେ ନକଲ ହେବ... ?’

 

ସମବେତ କଣ୍ଠରେ–’ନାଃ, ତା’ କୁଆଡ଼େ ହବ ?’

 

‘ତେବେ କଥା ହଉଚି ସବୁ ହବ । ହେଲେ, ବିଚାର କରିବାର କଥା ଏଇ ଦିନ ବେଳଟାରେ ସମସ୍ତଙ୍କ ଆଖି ଆଗରେ...କ’ଣ ?

 

ସମବେତ କଣ୍ଠରେ ପାଦପୂରଣ ହେଲା–ଏଇ କୁତୁ କୁତୁ ।

 

‘ନାଁ ନାଁ ତା’ ବି ଚଳନୀୟ ଆଉ ଗ୍ରହଣୀୟ ! ମାନେ ଦେଖ, ଆମେ ସମସ୍ତେ ପ୍ରତିଦିନ ଅଳ୍ପେ ବହୁତେ ଆମ ସ୍ତ୍ରୀ ସାଙ୍ଗରେ...ମାନେ...ଆରେ ଏଥିରେ ଲଜ୍ଜା କରିବାର କିଛି ନାଇଁ ନାଁ କ’ଣ-? ଆରେ ସେଇଟା ଦେବ-ସମ୍ଭୋଗ, ଭଗବାନଙ୍କ ସର୍ଜ୍ଜନା ଆଉ...

 

ପାଳି–ହଁ...ହଁ...

 

‘ତେବେ ଇଆଡ଼େ ତ କହୁଚେ ଲୁଚେଇ ଚୋରେଇ କିଛି କରିବା ମହାପାପ, ନା...ନାଇଁ-?’

 

ସମବେତ...’ହଁ ...ହଁ ...’

 

‘ତା’ହେଲେ ସେଇଥିପାଇଁ ବର୍ତ୍ତମାନର ଶିକ୍ଷା କହିଲା ଯୋଉଟା କରିବାର କଥା ତାକୁ ଲୁଚେଇ ଚୋରେଇ କାଇଁ କରିବ ? ଦେଖେଇ କଲେ କ୍ଷତି ନାଇଁ, ଠିକ କଥାଟାଏ !

 

ପାଳି...’ହଁ ...ହଁ’

 

‘ସେଇଥିପାଇଁ ନବ୍ୟ ସଭ୍ୟଯୁଗରେ ବିଶେଷ କରି ବିଦେଶରେ ସବୁ କ’ଣ ହେଲାଣି ନାଁ-। ...ସମୁଦ୍ରକୂଳରେ, ହୋଟେଲରେ, ସିନେମାରେ, ରାସ୍ତାରେ ବୋଲି...ସବୁ ସ୍ଵାମୀ ସ୍ତ୍ରୀ ଯୋଡ଼ି ଯୋଡ଼ି, ଜମ୍ମା ଲାଜ ସରମ ନାଇଁ, କାଇଁ କି...ନାଁ ପାଠ ସେଇଆ କହୁଚି, ହଇ ହୋ... !’

 

ସମବେତ ‘ହଁ...ହଁ’

 

‘ଖାଲି ସେତିକି ନୁହେଁ ; ଆଉ ଗୋଟିଏ କଥା । ଏଇ ଧର, ଯୋଉ ପୁଅ ଝୁଅଙ୍କ କଥା ମୁଁ କହୁଥେଲି, ସେମାନଙ୍କର ବେଶି ସୁବିଧା, ନାଇଁ ହେଜ ଟିକିଏ ! ହଇ ହୋ, ଦିହେଁ ଦିହିଁଙ୍କୁ ଦେଖାଚାହାଁ କଲେ, ମନ ମିଳିଲା, ବାହାହେଲେ, ଆଉ ଆମ ବେଳେ ଯୋଉ ଥେଲା, ନ ଦେଖେଇ ନ କରି ଛୋଟିଟାଏ ହଉ କି କାଣିଟାଏ ହଉ ...ନାଇଁ ନାଇଁ ସତ କଥା ତମ ଆମ ଜୀବନରେ ଯାହା ହେଇଚି ନାଁ ଆଉ ...’

 

ପାଳି ‘ହଁ...ହଁ ...’

 

‘କିନ୍ତୁ ଆମର ଏ ରୀତିନୀତିରେ ସେମାନେ ସବୁ ଦୋଷ ବାହାର କଲେଣି, ଏଇ ଧର–ସେମାନେ କହୁଚନ୍ତି ଯେ ଝୁଅପୁଅଙ୍କର ମିଳାମିଶାଟା ତ ଏତେ ଖରାପ କଥାଟାଏ, ବାପ–ମା ଏତେ ତାଗିଦ କରୁଚନ୍ତି ? ପୁଣି ସେଇମାନେ କେମିତି ତାଙ୍କର ବାହାହବା ସକାଶେ ମୁଣ୍ଡକୋଡ଼ି ହଉଚନ୍ତି-? ହଇ ହୋ...ନିହାତି ସତ କଥାଟାଏ । କାଲି ସକାଳେ ମୋ ପୁଅ ଯଦି କାହା ବଢ଼ିଲ ଝୁଅକୁ ଅନେଇଲା ମୋର ନିଆଁ ଲାଗି ଯାଉଚି । ଆଜି କେମିତି ବାହାଘର କରିଦେଇ ତାକୁ ସେ ପାଖ ଘରେ ତା’ ସ୍ତ୍ରୀଟା ସାଙ୍ଗରେ ରହିବାକୁ ଦଉଚି, ମାନେ...କଥାଟା ବୁଝ...ହଇ ହୋ... ।

 

ପାଳିଟା ଏଥର ଜୋର ଶୁଣାଗଲା...’ହଁ ହଁ ନିହାତି ସତକଥା’ । ଏଇ କଥାପରେ ଦେଖାଗଲା ଆସୁଚି ନିଧି । ହାତରେ ତା’ର ସତକୁ ସତ ସେଇ ଠେଙ୍ଗାଟା ! ଠେଙ୍ଗାଟାକୁ ଦେଖି ସକାଳ କଥାଟା ଆଉ ଟିକେ ଭଲହେଇ ମନେ ପଡ଼ିଗଲା ଶମ୍ଭୁ ମିଶ୍ରଙ୍କର, ପାଞ୍ଚ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଚଉପାଢ଼ୀ ଉପରେ ମୁଣ୍ଡିଆଟିଏ ମାରି ନିଧି ବସିଲା ଠେଙ୍ଗାଟାକୁ ଡେରି ଦେଇ । ପଚାରିଲେ ଶମ୍ଭୁ ମିଶ୍ରେ...

 

‘କିରେ ଅଇଁଠା ଆସିଲାନି କି ଏ ଯାକେ ?’

 

ନିଧି ଉତ୍ତର ଦେଲା–’ଆସୁଥିବ...’

 

ହଠାତ୍‌ ଚନ୍ଦରା ଓଝା ଆଗ ବଳିପଡ଼ି କହିଲା–’ନିଧିଭାଇ ତୁ କାଲି ନଥେଲୁ; ଅଇଁଠା ନାଁରେ ଯୋଉ ବିଚାର ହେଇଚି ଶୁଣିଚୁ ନାଁ ?’

 

‘ହଁ...’

 

‘ତୋ ମନକୁ କେମିତି ପାଇଲା ?’

 

‘ହଁ, ପଞ୍ଚେଇତି ଯେତେବେଳେ କରିଚି ବିଚାର ଆଉ ମୋ ମନକୁ ଯିବ ନାଇଁ... ? ଜିଭଟାକୁ କଳରେ ପୂରେଇ ଏତକ କହିଲା ନିଧି । କଥାଟାକୁ କିନ୍ତୁ ଧଇଲେ ମିଶ୍ରେ ।

 

‘ନାଁ...ସେଇଟା ଗୋଟାଏ ଧମକ ଦବା ପାଇଁ ବିଚାରଟା ହେଲା ନାଁ ଆଉ, ସତରେ ସେଇଟା ହବ ନାଁ କ’ଣ ?’

 

ଚମକି ପଡ଼ିଲେ ସମସ୍ତେ, ତା’ହେଲେ କାଲି ଯାହାସବୁ ନିଧାର୍ଯ୍ୟ ହୋଇଥିଲା ସେଗୁଡ଼ା କିଛି ଲାଗୁ ହବନାଇଁ ଅଇଁଠାକୁ ? କିଛି ନ ଜାଣିଲା ପରି ପଚାରିଲା ନିଧି...

 

‘କାଇଁକି ମିଶ୍ରେ ଆପଣେ ! ଏ କଥାଟା କାଇଁକି କହିଲେ ?’

 

‘ନାଇଁ ନାଇଁ ତୁ ବୁଝୁନୁ ବାପ, କାଳ ବଦଳି ଗଲାଣି, ତା’ ସାଙ୍ଗରେ ମାମଲତିଟାକୁ ବଦଳେଇବାକୁ ପଡ଼ିବ, ନହେଲେ ଗୋଟି ଗୋଟି ହେଇ ସମସ୍ତେ ବନ୍ଧାହେଇ ଚାଲିଯିବାଟି ..ହଁ ... । ହଇ ହୋ...’

 

ଏଥର କିନ୍ତୁ ପାଳି ଧରିଲେ ନାଇଁ କେହି, ତାଜ୍ଜବ ହେଇ ଅନେଇଲେ ମିଶ୍ରଙ୍କୁ ବନ୍ଧା ହେଇଯିବା କଥା ଶୁଣି । ନିଧି ପୁଣି ପାଟି ଖୋଲିଲା ।

 

‘କିଏ ଏମିତି ବାନ୍ଧି ନବ ବା...ପୁଅଟା ଅଛି ?’

 

ମିଶ୍ରେ ଟିକେ ଚଢ଼ାଗଳାରେ ତାଙ୍କର ବଡ଼ିମା ପ୍ରକାଶ କରିବା ଭଙ୍ଗୀରେ ଅଣ୍ଟା ସଳଖ କରି ବସି କହିଲେ...

 

‘କିରେ କାଇଁକି ? ସରକାର... ? ତମେମାନେ ତ କୂଅବେଙ୍ଗ ଭଳି ସବୁ କିଛି ଜାଣିବ ନାଇଁ, ଆଉ ମୁଁ କେତେ କହିବି କୁହ । ଆରେ ଦେଶକୁ ସ୍ଵାଧୀନତା ଆଣିଲା କିଏ ? ଗାନ୍ଧୀବୁଢ଼ା । ସେ ପରା କହିଗଲା ଯେ ଜାତି ଅଜାତି ନାହିଁ ...ସେଇଥିପାଇଁ ଦେଶଟା ସାରା ହୁରି ପଡ଼ିଚି ଯେ ଜାତି ଅଜାତି କିଛି ହେବ ନାଇ । ଆଉ ତମେ ତ ହେଇତ ଗାଁର ସବୁ ମୁଖିଆଗୁଡ଼ାକ ବସି ତାକୁ ଧୋବା ଘରେ ପଶିଚି ବୋଲି ନିଆଁ ପାଣି ଆକଟ କରି ରଖିବ । ଆଉ ଇଏ ହେଲା ନାଇଁ କି ଦୁର୍ନୀତିଟାଏ...ହଇହୋ ?

 

ଏଇ ଥର ପୁଣି ପାଳ ଆରମ୍ଭ ହେଲା–

 

‘ନାଇଁ ନାଇଁ, ସତ କଥା’

 

ନିଧି କିନ୍ତୁ ସେମିତି କିଛି ନଜାଣିଲା ପରି ପଚାରିଲା–

 

‘ଓହୋ ସେ ତ ଜାତିଗୋତ୍ର କଥା ପଛକୁ, ଆଗ କଥାଟା ହଉଚି ସେ ବାହା ନ ହେଇ କେମିତି ଏତେ କାମଟାଏ କଲା ! ସେଇ ଅନ୍ୟାୟଟା କଥା ପଡ଼ିଚି ନାଁ... ?’

 

‘ଆରେ, ବାହା ନ ହେଇଚି ଯଦି ହବ । ସେଥିରେ କ’ଣ ଅଛି ? ତୁ ବୁଝୁନୁ ନିଧି । ଏଇଟିକେ ଆଗରୁ ମୁଁ ଏମାନଙ୍କୁ ବୁଝଉଥିଲି ଯେ ବାହା ହବାର, ଭାବନାଭରା ଧାରା ସବୁ କେମିତି ବଦଳି ଗଲାଣି । ସେଇ ଧାରା ଅନୁଯାୟୀ ଆମକୁ ଚଳେଇନବାକୁ ପଡ଼ିବ । ଚଳେଇନେଲେ ଆମେ ଫିଟ୍‌ ନ ହେଲେ ଆମେ ଅନ୍‌ଫିଟ୍‌ । ଆର ଗାଁମାନଙ୍କରେ ସବୁ ଚଳିଲାଣି, ସେଗାଁରେ ପାଠୁଆ ଶାଠୁଆ ଟିକେ ହେଇଗଲେଣି । ରାଜିରୁଜା ବାହାଘରଟା ସବୁବେଳେ ହିତ ମଁ । ଆଉ...ହଇ ହେ । ତେବେ କଥା ହଉଚି ତା’ର ଦୋଷ ଧରାହନ୍ତା ଯଦି ସେ ତାକୁ ଅକଳରେ ପକେଇ ବାହାହବାକୁ ମନା କରନ୍ତା, ସେ ତ ରାଜିଅଛି...ହଇ ହୋ...ଆମେ ସିନା ଏଗାଁରେ ତାକୁ ବାହା କରେଇ ଦବାନାଇଁ...ସେ ଯଦି ରାତାରାତ୍‌ ଅନ୍ୟକୁଆଡ଼େ ଚାଲିଯାଇ ଗିରସ୍ତ ଭାରିଜା ବୋଲେଇ ବ୍ରାହ୍ମଣ ଜାତି କହି... ନାଁ ନାଁ ଗୋଟାଏ କଥାକୁ...ହଇ ହୋ ?’

 

ପଳିର ଦୋହା ସେମିତି...’ନାଇଁ ନାଇଁ ସତକଥା...’

 

‘ହଇରେ ଚନ୍ଦରା ! ତୋ ମତ କ’ଣ ?’ –ପଚାରିଲା ନିଧି ।

 

ବଡ଼ ଗମ୍ଭୀରିଆ ସ୍ଵରରେ କହିବାକୁ ଆରମ୍ଭ କଲା ଚନ୍ଦରା–

 

‘ମୋର ମତଟା ହଉଚି ଅଇଁଠାକୁ ପଛେ ବିନା ଜୋରିମାନାରେ କ୍ଷମା ଦିଆ ଯାଉ । ହେଲେ, ସେ ତାକୁ ବାହା ହେଇପାରିବ ନାଇଁ, ମାଳତୀକୁ ସେଇ ଗାଁଠଉଁ ଦୂରରେ ସେମିତି ଘରଟାଏ କରେଇ ଆଜୀବନ ରହିବାକୁ ଦିଆଯାଉ ।’

 

ନିଧି ଖାଲି କଟ୍‌ମଟ୍‌ କରୁଥାଏ ଦାନ୍ତ । ତା’ର ଇଚ୍ଛା ହଉଥାଏ ଠେଙ୍ଗାଟାକୁ ଧରି ପାହାରେ ଦିଅନ୍ତା ଯେ ନଡ଼ିଆ ଫାଳ ଭଳିଆ ଠୋ କରି ଫାଟିଯାନ୍ତା ମୁଣ୍ଡଟା ତା’ର । ହେଲେ, ଅବସ୍ଥାକୁ ଚାହିଁ ସେ ମନକୁ ବୁଝେଇଦେଲା, ମିଶ୍ରେ କଥାଟାକୁ ବୁଲେଇ ବୁଲେଇ ଠିକ୍‌ ଚାବି ମୋଡ଼ି ଆଣୁଚନ୍ତି । ଦେଖାଯାଉ କୋଉ ପାଣି କୁଆଡ଼କୁ ଯାଉଚି ।

 

ଚନ୍ଦରାର ଏ କଥା ଉପରେ ଶମ୍ଭୁ ମିଶ୍ରେ ନାକଟେକି ପାଟିକରି ଉଠିଲେ–

 

‘ଛ୍ୟା...ଛ୍ୟା ! କଥାଟା ଅସୁନ୍ଦର ହବ, ହଇ ହୋ...ତା’ର ପରିଣାମଟା ତମେ ସିନା ଭାବିନ । ହେଲେ ମୁଁ ଭାବିଚି । କିହୋ ତାକୁ ତ ତମେ ଗାଁଠଉଁ ଦୂରରେ ଏକ ଘରକିଆ କଲ, ସେଠି କ’ଣ ଜଗୁଆଳି ରଖିବ ? ଏତେ ଦିନର ଭାବ ଅଇଁଠା ସାଙ୍ଗରେ । ସେ ଯିବାଆସିବା କରିବ ନାଇଁ-? ହେଲେ, ସେଇଆ ତ ହେଲା, କିନ୍ତୁ କଥାଟା ଅନ୍ୟ ପ୍ରକାରେ ହବ । ଏମିତି ସିନା ଘରର ଘରଣୀ ହେଇ ରହିଥାନ୍ତା...ସେମିତି ଗାଁର କୁଳଟା ହେଇ ରହିବ । ସେଇଠୁ ତା’ର ମନ ଡାକିବ, କିହୋ ରକ୍ତ ତ ସମସ୍ତଙ୍କ ଦିହରେ, ନାଁ କହୁନାଁ କାଇଁକି ? ସେଇଠୁ ତୁ...ସିଏ...ସିଏ...ଯିଏ ଓର ପାଇଲା ସେଠିକି ଗଲା, ତା’ପରେ ଜଣକୁ ଦି’ଜଣ, ଦି’ଜଣକୁ ଚାରିଜଣ ସମସ୍ତେ ଯାଇଁ ସଞ୍ଜ ହେଲେ ସେଠି ଜୁଟିବେ-। ସେଠି ତାସ ମାଡ଼ ହବ, ପଶା ମାଡ଼ ହବ । କେତେ ନବଜରେ ହିଁ ହିଁ ଖିଁ ଖିଁ କିଏ ନୁଚାଚୋରାରେ, କିଏ ଦେଖେଇକରି ସବୁରକମର ତାମସା ଆରମ୍ଭ ହୋଇଯିବ ସେଠି । ଭଲରେ ପୁଣି ଭେଲ କମ୍‌ ନାହିଁ ବାପଧନ । ମୁଣ୍ଡ ଗରମ ହେଲେ ସେ ନିଶା କ’ଣ କରିବ ସେ ବିଷୟରେ ତମର ହୋସ ନାହିଁ-। ସାତକାଣ୍ଡ, ରାମାୟଣ ଅଠରଖଣ୍ଡ ମହାଭାରତ ତ ସେଠି ଆରମ୍ଭ ହବ । ଆଉ ଚଉପାଢୀ କିଏ ନାଁ-। ଭାଗବତ ଟୁଙ୍ଗୀ କିଏ ? ଏଇଟା ତ ସେଇଠି କି ଉଠେଇ ନବା...ହରିବୋଲ ଶିବ ଶମ୍ଭୁ, ହଇ ହୋ...’

 

ବଡ଼ଜୋର୍‌ରେ ଏହାର ପାଟିଟା ଶୁଣାଗଲା...’ଛ୍ୟା...ଛ୍ୟା’’ଖାଲି ସେତିକିରେ ତ ସରିଲାନି-। ଏଇନେ ମନକର ଚନ୍ଦର, ସେଠି କି ଗଲା । ତା’ର ପୁଅଟାଏ ଦଶବରଷର ହୋଇଗଲା ବୋଲି-। ସେ କ’ଣ ବୁଢ଼ା ହେଇଗଲା କି ? ସେ ଗଲା, କେଇଟା ଦିନପରେ ତା’ ପୁଅଟା ଯେତେବେଳେ ଗଜା ଭେଣ୍ଡିଆଟାଏ ହେଇ ବାହାରିବ ସେତେବେଳକୁ କ’ଣ ମାଳ ବୁଢ଼ୀ ହେଇଯାଇଥବ କି-? ହଇ ହୋ...ନାଇଁ କହୁନ... ? ହଉ ସେଇଠି ତ ରହିଲି ନି କଥାଟା । ଅସଲଟି ହଉଚି ଯେ ମାଳତୀର ଗର୍ଭ ରେ ବର୍ତ୍ତମାନ ଯୋଉଟି ଅଛି ତାପାଇଁ କ’ଣ ବ୍ୟବସ୍ଥା କଲେ ଆମେ ? ଯଦି ସେଇଟା ପୁଅଟାଏ ନ ହୋଇ ଝୁଅଟାଏ ହେଲା...ତା’ ହେଲେ... ? ତା’ର ତ ବାପର ପରିଚୟ ନାଇଁ, ସେ ମା’ଠୁ ସବୁଗୁଡ଼ିକ ଶିଖିବ । ସିଠୁ ଚନ୍ଦରାର ପୁଅ ଯେତେବେଳେ ଦେଖିବ ଯେ ମାଳର ବୟସ ଖସିଗଲାଣି ତା’ ବଳିକି ତା’ ଝୁଅ ଭଲ ଦେଖାଯାଉଚି ସେଇଠି... ହରିବୋଲ... ହରିବୋଲ... ହରିବୋଲ... ଶିବଶମ୍ଭୁ ! ହଇ ହେ....କ’ଣ କଥା ମିଛ ?’ଏଇ କଥାଟା ଉପରେ କେବଳ ଜୋର୍‌ରେ ପାଳି ଧରିପକେଇଲା ଚନ୍ଦରା । ଆଉସବୁ କାଠ ହେଇ ଅନେଇ ରହିଲେ ।

 

‘ଛ୍ୟା.......ଛ୍ୟା...’

 

ମନେ ମନେ ଶହେ ଥର ଜୁହାର ହେଇ ପଡ଼ିଲା ଶମ୍ଭୁ ମିଶ୍ରଙ୍କୁ ନିଧିଆ । ସତରେ କେମିତି ବାଟରେ କଥାଟାକୁ ସେ ବୁଲେଇ ନେଲେ ମଁ !

 

ତେଣୁ ଆମର ବର୍ତ୍ତମାନକୁ ବିବେକ ଡାକୁଚି–ଆମେ ପଞ୍ଚେଇତି ମିଳି ସେ ଦି’ଜଣଙ୍କୁ ମିଳେଇଦବା । ସେ ଦିହେଁ ଭଲ, ଆମେ ବି ଭଲ । ...ମନେକର, ପତର ପକେଇବା ତା’ ଭଲରେ । ଆଉ ଜାତିଅଜାତି ଭେଦାଭେଦ ବି ଉଠିଲା ଏମିତିରେ । କାଲି ତମ ପଞ୍ଚେଇତି ନାଁ । ଖବର କାଗଜରେ ବାହାରିବ ନାଇଁକି ?’

 

ପାଳି ‘ହଁ...ହଁ....’

 

ନିଧି ସେଇଠୁ ମୁହଁ ଖୋଲିଲା–

 

‘ତା’ହେଲେ ଗୋଟାଏ କାମ କରାଯାଉ । ଏଇଠିକି ଅବିକା ମାଳତୀର ବାପକୁ ଡାକରା ହଉ । ସବୁ କଥା ତାକୁ ଆଦେଶ ଦଉନ୍ତୁ ମିଶ୍ରେ–ଆପଣେ । ଘରେ ସେ ନିଶ୍ଚେ ତା’ ଝିଅଟାକୁ ହନ୍ତସନ୍ତ କରୁଥିବ । ଅଇଁଠାକୁ ବି ସେମିତି ଆଦେଶ ହଉ । ଦୁଇ–ଚାରି ଦିନ ଭିତରେ ଗୋଟାଏ ଭଲ ଦିନ ଦେଖି ସର୍ବମଙ୍ଗଳ ଜଗନ୍ନାଥ କହି ବାହାଘର କରିଦେବା । ଗାଁର ସମସ୍ତେ ଗୋଟାଏ ପତର ପକେଇବା । ସମସ୍ତଙ୍କୁ ସେ ତା’ ସାଧ୍ୟମତେ ଖୋଇବାକୁ ବାଧ୍ୟ ।

 

ପାଳି–’ହଁ...ହଁ–’

 

ସାଙ୍ଗେ ସାଙ୍ଗେ ମିଶ୍ରଙ୍କ ମୁହଁରୁ ହୁକୁମ୍‌ ହେଇଗଲା ମାଳତୀର ବାପକୁ ଡାକି ଆଣିବାକୁ ଆଉ ଅଇଁଠାକୁ ଖବର ଦବାକୁ । ଏତିକିବେଳେ ନିଧିକୁ ଖୁବ୍‌ଜୋରରେ କାଶ ଦେଖେଇଲା କି କ’ଣ, ଖୁବ ଜୋରରେ, ସେ ଖଣ୍ଡିକାଶଟାଏ ମାରିଲା ଯେ ଯେମିତି ଖଣ୍ଡେ ବାଟ ସରିକି ଶୁଣାଯିବ । ଦେଖାଗଲା ଆଗ ସାହି ମୋଡ଼ରୁ ଅଇଁଠା ଆସୁଚି ଦୋଷୀଟିଏ ପରି । ଆସି ପାଞ୍ଚପରମେଶ୍ଵରଙ୍କୁ ଜୁହାର ହେଲାବେଳେ, ନିଧି କହିଉଠିଲା–

 

‘ହେଲେ, ଗୋସେଇଁ ଆପଣେ, ଅଇଁଠା ଚଉପାଢ଼ୀର ଗଞ୍ଜେଇଖର୍ଚ୍ଚ ପାଞ୍ଚ ଟଙ୍କା ନ ଥୋଇଲା ପର୍ଯ୍ୟନ୍ତ ତା’ର ପ୍ରାର୍ଥନା ଶୁଣାଯାଇପାରିବ ନାଇଁ ।’

 

ହଁ ହଁ, ସେଇଟା ତ ନିଶ୍ଚିତ କଥା । ହଇରେ ଅଇଁଠୁ...ଦେ ବାପ, ପଞ୍ଚେଇତିର ଗୋଟାଏ ବଡ଼ମୁଣ୍ଡର ତୁଣ୍ଡରୁ ଯଦି କଥାଟା ଖସିଗଲାଣି ତ୍ରିନାଥ ମହାପ୍ରଭୁଙ୍କ ଚିଲମ ଖର୍ଚ୍ଚଟା ନ ଦେଲାଯାକେ କିଛି ତ ବିଚାର ହେଇ ପାରିବ ନାଇଁ ରେ....’

 

କିଛି ଜବାବ ନ ଦେଇ ଆସାମୀଟାଏ ଭଳି ଅଣ୍ଟାରୁ ପାଞ୍ଚଟି ଟଙ୍କା କାଢ଼ି ମିଶ୍ରଙ୍କ ପାଦତଳକୁ ଥୋଇଦେଇ ଜୁହାର ହେଲା । ଟଙ୍କାତକ ଗୋଟେଇ ରଖି କହିଲେ ମିଶ୍ରେ–

 

‘ସବୁ ତ ତା’ରି ଚିଲମକୁ ନଅଣ୍ଟ ରେ ବାପ...ଶିବଶମ୍ଭୁ’–

 

ପଞ୍ଚେଇତି ଡାକରାରେ ଧଡ଼ପଡ଼ ହେଇ ଧାଇଁକରି ଆସିଲା ମାଳତୀର ବାପ । ଆସି ଟିକେ ଦୂରେଇ ଠିଆହେଲା ଓଳଗିହେଇ । ମିଶ୍ରେ ଜେରା ଆରମ୍ଭ କଲେ ।

 

‘ହଇ ରେ ! ତୋ ଝୁଅ ମାଳତୀ ସାଙ୍ଗରେ ଅଇଁଠାର ଭାବନାଭ କଥା ତୁ ଜାଣିନଉଁ ?’

 

‘ଜାଣିନେଇ ବୋଲି କେମିତି କହିବି ଆଜ୍ଞା ! ଏଇଛୁଣି ତ ଡିବି ହେଇ ଗାଁଟାସାରା ବାଜଚି ସେ କଥା । ଆଉ ମୁଁ ଜାଣିନେଇଁ ବୋଲି ଏଡ଼େ କଥାଟାଏ ଚଉପାଢ଼ୀ ଆଗରେ କହିବି ? ସେ ପୋଡ଼ାମୁହୀଁ ମଲାନାହିଁ କି ମତେ ଏ ଦଶା ଦେଲା । ତାକୁ କୂଅ ପୋଖରୀ ଯାହା ଜୁଟୁନାଇଁ ଯେ ସେ ବଞ୍ଚିଚି ।’ ଦୋଷୀଟାଏ ଭଳି କହିଗଲା ଏତକ ଦାନ୍ତକାମୁଡ଼ି ମାଳତୀର ବାପ ।

 

‘ହଉ ହଉ, ଶୁଣ୍‌ । ବର୍ତ୍ତମାନକୁ ପଞ୍ଚେଇତର ହୁକୁମଟା ଶୁଣ୍‌ । ଚଉପାଢ଼ୀ ବିଚାରରେ ଠିକ୍‌ହେଲା ଯେ...ଅଇଁଠା ଯୋଉ କାମଟା କରିପକେଇଚି, ସେଇଟା ବିଶେଷ ଗର୍ହିତ ଦୋଷ ନୁହେଁ....ହୁଁ.....ମାର୍ଜନୀୟ ବୋଲି । ସେ ଯଦି ଏପରି କଥାଟାଏ କରି ଫାଙ୍କିଦବାକୁ ବସିଥାନ୍ତା, ତା’ହେଲେ ତା’ର ଦୋଷର ବା ତମ ଝୁଅ ମାଲତୀର ଦୋଷର ବିଚାର କରାଯାଇଥାନ୍ତା । ସେ ତ ମାନୁଚି, ଆଉ ଦରକାର ପଡ଼ିଲେ ତାକୁଇ ବାହାହବ ବୋଲି କହୁଚି ।’

 

‘ଆଜ୍ଞା, ଏଡ଼େ କଥାଟାଏ କେମିତି ହବ ? ଆମେ ଛୋଟଜାତି ।’

 

‘ଓହୋ ! ସେ ଛୋଟଜାତି ଫୋଟଜାତି ରଖ ହେ ! ହଇ ହୋ...ଗାନ୍ଧୀବୁଢ଼ା ପରା କହିଲା ଜାତି ଫାତି ନାହିଁ । ସକାଳ ହେଲେ ତୁ ତ ଇଠାଫଳ ସାଉଁଟି ତୁଠକୁ ଯିବୁ ଲୁଗାକାଚିବାକୁ; ତତେ ଏ ଖବର କେମିତି ମାଲୁମ୍‌ ହବରେ ? ସେଥିପାଇଁ...ବାହାଘର ହବ । ଆଉ ଆମର ଖାଇବା ବାବଦ...ନାଁ କ’ଣ ନିଧି...ସେ ତ ଆଉ ତା’ ଘରେ...ମାନେ....ଏଇ ଧର କନିଆଁ ଘରଟାକୁ କାଇଁକି ଆଉ ଯିବା...ତେବେ ତା’ର ସାଧ୍ୟମତେ ଯାହା ସେ ଦବାର କଥା ଅଇଁଠାକୁ ଦେଲେ ସେ ତା’ନିଜର ଆଉ ୟା’ର ମିଶେଇ...କ’ଣ ଚନ୍ଦରା....ନା ନାଇଁ... ?

 

‘ହଁ, ଦି’ପଟର ଖାଇବାଟା ଅଇଁଠାଘରେ ହବ । ସବୁ ଗାଁବାଲା ଆମେ ଯିବୁ । ଆଉ କ’ଣ...କହିଉଠିଲା ଚନ୍ଦରା ।

 

ସତେ କି କୋଟିନିଧି ଆକାଶରୁ ପାଇଲା ପରି ମାଳତୀବାପ କୃତକୃତ୍ୟ ହେଇ ସମ୍ମତି ଦେଇ ଆଉ ଚଉପାଢ଼ୀକୁ ମୁଣ୍ଡିଆମାରି ଘରକୁ ଫେରିଲା । ସେ ଦିନର ଚଉପାଢ଼ୀ ପ୍ରାୟ ସେତିକିରେ ସରିଲା । ସମସ୍ତେ ହରିବୋଲ ପକେଇ ଉଠିଲେ । ଝାଲି ଉଠିଲାବେଳକୁ ଶମ୍ଭୁ ମିଶ୍ରେ କହିଲେ–’ଆରେ ନିଧି, ଟିକେ କାଲି ସକାଳୁ ଘରଆଡ଼େ ଆସିବୁ ।’ ହଁ, ଯିବି ଗୋସେଇଁ ।’’

 

‘ନାଇଁ, ମନେକର କଥାଟା ଯେତେବେଳେ ହାତକୁ ନେଲେଇଁ ତାକୁ ହାତରୁ ଛାଡ଼ିଦେଲେ ହବ ନାଇଁ, ଦିନ–ବାର ଟିକେ ଧରିଦେବା । ପାରିବବୁ ତ ଅଇଁଠାକୁ...’’

 

‘‘ହଁ, ସାଙ୍ଗରେ ଧରି ଆସିବି ଗୋସେଇଁ !’

 

ସମସ୍ତେ ସ୍କୁଲ ଗଲେ ଯେଝା ବାଟରେ; କେବଳ ନିଧିଆ ଆଉ ଅଇଁଠା ସାଙ୍ଗ ହେଇଯାଉଥାନ୍ତି । ନିଧିଆ ହାତରେ ସେ ଠେଙ୍ଗାଟା । ବାଟଯାକ ଦିହେଁ କେହି କାହାରିକି ପଦେ ହେଲେ କଥା କହିନାହାନ୍ତି । ଖାଲି ନିଧିଆ ତା’ ଘର ପାଖରେ ପହଞ୍ଚିଲା ପରେ କହିଲା–

 

‘କିରେ ଯାଉଚୁ କି ? କ’ଣ ଜମିବାଡ଼ି କଥା କହିଯିବୁ ପରା ?

 

ଆଉ ସମ୍ଭାଳିପାରିଲା ନି ଅଇଁଠୁ, ଶିଧା ଲମ୍ବହେଇ ରାସ୍ତାରେ ତା’ ଗୋଡ଼ତଲେ ପଡ଼ିଗଲା ।

 

‘ନିଧିଆଇ ! ତୁ ମତେ ବଞ୍ଚେଇଲୁ....

 

‘ଯାବେଃ ମାଇଚିଆଟେ, କହିଲା.....ବଞ୍ଚେଇଲୁ ! ଛାତିରେ ତତ ହେମ୍ମତ ନ ଥେଲା, ନାଗର ସାଜୁଥେଲୁ କାହିଁକି ? ଯାଉନୁ ଅଇଚ୍ଛା ଟିକେ ସେଇପାଖରେ ଜୋର୍‌ରେ ଗଳା ଖଙ୍କାରିଦେଇ ଆସିବୁ । ବାପ ତ ଯାଇଁ ଘରେ କହିଦେବଣି ଆଉ କ’ଣ ? ଧିକ୍‌ତୋ ଅଣ୍ଡିରାପଣକୁ ! ଯା ଯା ଉଠୁ ।

 

କହି ବାଡ଼ିଅଗରେ ଥିରକରି ତା’ ପିଠିକୁ ଗୋବେ ଦେଇ ନିଜ ପିଣ୍ଡା ଉପରକୁ ଉଠିଗଲା ନିଧିଆ । ଅଇଁଠା ଉଠି ଆନନ୍ଦରେ ନିଜ ଘରକୁ ଗଲା । ସେ ରାତିସାରା ସେ ଜମ୍ମା ଶୋଇନି । ଖାଲି ତକିଆଟାକୁ ଧରି ବାଡ଼େଇ କଚାଡ଼ି ହେଇଚି । କେତେ କ’ଣ କୁଳ୍ପନା କରିଯାଇଚି ମନେ ମନେ । ତା’ରି ଭିତରେ କେତେବେଳେ ସେ ମସିଣାରୁ ଅଧେ ଛିଣ୍ଡେଇ ସାରିଚି ତା’ର ନିଘା ନାହିଁ । ତା’ର କେବଳ ଗୋଟାଏ ଚିନ୍ତା କାଲି କେମିତି ସକାଳ ହବ... ।

 

ବାହାଘରଟା ସଇଲା ପରଠୁ ନିଧି ଆହୁରି ନିଜର ହେଇ ଉଠିଚି ଅଇଁଠୁର । ଯେତେବେଳେ ପିଠାପଣାଟାଏ ଭଲରେ ମନ୍ଦରେ ତିଆରି କରେ ମାଳ, ଅଇଁଠା ଆଗ ନେଇ ତା’ ନିଧିଆଇକୁ ଦେଇ ଆସେ । ଏବେ କିନ୍ତୁ ଆଉ ସେ ସବୁ ନାଇଁ ଘରୁ ମଣିଷପରି ନିଧି ଯାଇ ଘର ଭିତରେ ବସି ଖାଇଦେଇ ଆସେ । ତା’ ଘରକୁ ନିଜ ଘର ପରି ବ୍ୟବହାର କରେ । ପହିଲେ ପହିଲେ ନିଧିକୁ ମାଳ ଟିକେ ଆଉ ଆଉ ହଉଥେଲା । ଯେତେହେଲେ ତ ଅଇଁଠୁ ଡାକୁଚି ତାକୁ ଭାଇ ବୋଲି । ଆଉ ତା’ ଆଗରେ କେମିତି ହେର ଫେର ହବ ଖୋଲାଖୋଲି ହେଇ ! ସେ ଝୁ ଅବେଳ କଥା ନିଆରା । ସେଇ ନିଧିଭାଇ ଆଗରେ ସେ ମଣିଷ କହିଲେ ଚଳେ ଏକା ଗାଁରେ । କିନ୍ତୁ ଏବକୁ ସଂକୋଚ ଟିକେ ଲାଗିବା କଥା ! ହେଲେ, ନିଧି ସେଗୁଡ଼ା ଛଡ଼େଇ ଦେଇଚି ଏକ ରକମ୍‌ ।

 

ହେଇ ପରା, ସେଦିନ ସମ୍ବରଦଶମୀ ହେଇଥାଏ । ଦିନଗଡ଼ି ଗଲାଣି । ସୁରୁଜ ଦେବତା ନଇଁଗଲେଣି ପାହାଡ଼ ପାଖାପାଖି ହେଇ । ସହଳ ବିଲରୁ ଫେରି ଆସି ଗଉରା ହାତରୁ ମୋଡ଼ା ଖାଉଥାଏ ନିଧି । ଅଇଁଠା ଆସି କହିଦେଇ ଗଲା, ନିଧିଆଇ ଆଜି ଦଶେଇଁରେ ମାଳ କ’ପିଠା କରୁଚି ଘରେ । ତତେ କହିଚି ଖାଇବାକୁ ଯିବାକୁ ।

 

ନିଧି ଭିଡ଼ିମୋଡ଼ି ହେଇ କହିଲା–

 

‘ହଉ’ । ଡାକଟାଏ ମାରିଦବୁ ମତେ ସଞ୍ଜ ଗଡ଼ିଗଲେ, ଯିବା ସାଙ୍ଗ ହେଇ ।’

 

ତା’ କଥା ଶୁଣି ଅଇଁଠା କହିଲା–

 

ନାଇଁରେ, ମୁଁ ମୁହଁସଞ୍ଜ ଆଗରୁ ପିଠା ଦି’ଟା ନେଇ ସେପାରିକି ମୋର ଭଉଣୀଘରକୁ ଯିବି, ଆସୁ ଆସୁ ରାତି ବହୁତ ହେଇଯିବ । ତୁ ଖାଇଦେଇ ଆସିବୁ–କହି ଚାଲିଗଲା ସେ । ନିଧି ଆର କଡ଼ ମାଡ଼ି ଶୋଇଲା । ଗଉରା ଘଷି ଦେଇଗଲା ପରେ ନିଧିକୁ ଟିକେ ଥକ୍କା ନିଦ ଧରିଗଲା । ଉଠିଲାବେଳକୁ ବେଶ୍‌ ସଞ୍ଜ ହେଇଗଲଣି । ମନେପଡ଼ିଲା ତା’ର । ଗୋଟାଏ ଉଠିଆ ଖାଇବାର ଅଛି ପରା ଉଠି ଚାଲିଲା ଅଇଁଠା ଘରକୁ । ପଶିଗଲା ଘର ଭିତରକୁ ଡାକି ଡାକି–

 

‘ଇଲୋ ମାଳ ! କ’ଣ ପିଠା ଖାଇବାକୁ ଦବୁ ପରା ? ରଖିଚୁ ନାଁ ଖାଇସାରିଲୁଣି ?’ନିଧି ପାଟି ଶୁଣି ମସିଣା’ ଖଣ୍ଡେ ବିଛେଇଦେଲା ମାଳତୀ । ପାଣି ଢାଳଟା ଥୋଇଦେଇ ରୋଷେଇଘରକୁ ଗଲା ପିଠା ବାଢ଼ିବାକୁ । ହଠାତ୍‌ ତା’ ମୁଣ୍ଡରେ କ’ଣ ଚାଉଁକିନା ହେଇଗଲା । ତାକୁ ଜଣାଗଲା, ଯେମିତି କାହିଁ କେତେଦିନର ସେ ପିଜୁଳି ଗଛଟା ସେ ରୋଷୋଇଘର ଭିତରଟାରେ ଠିଆହେଇଚି, ତା’ ମୂଳରେ ସେ ଆଉ ନିଧି । ତା’ କାନରେ ଝାଇଁ ଝାଇଁ ହୋଇ ବାଜିଉଠିଲା ନିଧିର କଥା–

 

‘ଆଉ ତ ପାକଲା ପିଜୁଳି ନାଇଁ ଗଛରେ । କେଇଟା ହେଲା କହ ?’’ଛଅଟା ।’

 

‘ଆଉ ଦିଟା ?’

 

କୋଉ ଦି’ଟାମଁ, ଏତିକି ତ ଜମ୍ମା ଦେଇଚ । ଦେଖୁନ ?

 

ଅଣ୍ଟି ଦେଖେଇଲା ମାଳତୀ, କିନ୍ତୁ ନିଧି ଛାଡ଼ିବା ଜନ୍ତୁ ନୁହେଁ । କହିଲା,

 

‘ନାଁ, ତୁ କୋଉଠି ନୁଚେଇଚୁ ଦେ....’

 

କାନ୍ଦ କାନ୍ଦ ହେଇ ଅଭିମାନରେ ଫାଟିପଡ଼ି କହିଲା ମାଳତୀ,

 

‘କାଇଁ...ନେଇ ଯାଉ ନ ତମର ସବୁ । ମୁଁ ତ ଆଉ ରଖି ନି କହିଲି....’ନିଧି ଦେଖିଲା ସେଇଟ । ହୁଣ୍ଡୀଟାଏ । ତା’ର ଏତେ ବୁଦ୍ଧି ହବ କୁଆଡ଼ୁ ଯେ ସେ ବୁଝିବ ନିଧିଆର କଥା । ଦିହରେ ସିନା ମାଉଁସ ପୁଲାଏ ନେସି ହେଇ ଯାଇଚି କେଇଟା । ଦିନ ଭିତରେ; ହେଲେ, ବଅସ ତ ଚଉଦ କି ପନ୍ଦର । ଯେତେହେଲେ ପିଲାଟାଏ । ତାକୁ ବୁଝେଇ ନ ଦେଲେ କ’ଣ ହବ ? ସେ ସିନା ନିଜେ ଶାସ୍ତ୍ରପୁରାଣ ସବୁ ପଡ଼ିଚି, ଜାଣିଚ–ତାକୁ ନ କହିଲେ ସେ କ’ଣ ଜାଣିବ ?

 

କହିଲା–’ଆଲୋ, ତୁ ତ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ନଟୁଚୋରୀ କଥା ଜାଣିଚୁ ?

 

ମୁଣ୍ଡ ହଲେଇ ମନକଲା ମାଳତୀ ।

 

‘ଆରେ ବଢ଼ିଆ ଗପଟାଏ ମଁ....ଶୁଣିବୁ ?’

 

ପିଜୁଳି ଖଣ୍ଡେ ଦାନ୍ତରେ କାମୁଡ଼ି ‘ହଁ’ ଭରିଲା ମାଳତୀ ।

 

ଦାସକାଠିଆରୁ ଯାହା ଶୁଣିଥେଲା, ନିଧି ସେଇ ନଟୁଚୋରୀ କଥା ବାଗେଇ କରି ଯେତେବେଳେ କହିଲା ମାଳତୀର ଆଗରେ, ମାଳତୀ ଗୋଟାପଣ ଲାଜରେ ନାଲି ପଡ଼ିଗଲା । ସେତେବେଳକୁ ଗୋଟାଛାଏଁ ନିଧି କୋଳରେ । କିଛି କହିବାକୁ ତା’ ଯେମିତି ଦମ୍‌ପାଉ ନ ଥାଏ । କେତେବେଳକେ ବହୁତ ଜୋର ସଞ୍ଚି ସେ କହିଲା–

 

‘ଆରେ ଛାଡ଼ ମୁଁ । କାଳେ କିଏ ଆସୁଥବ....ଦେଖିବ.... ।’

 

‘ଦେଖୁ, କ’ଣଟା କରିବ ? ଦେଖି କହିଲେ ସାଙ୍ଗେ ସାଙ୍ଗେ ବାହା ହେଇ ପଡ଼ିବ ।’’

 

‘ଆଉ...ମୁଁ କାହିଁକି ବାହାହେବି ବା ! ବାହାହେଇ ଯିବା ଦିନଠଉଁ ସେ ଟୋକାଟା ମତେ ବୋଉ ବୋଲି ଡାକିବ ।’

 

‘ଏଇ କଥାରେ ବିଜୁଳି ମାଇଲା ପରି ହେଇଗଲା ନିଧିର ମନଟା । ଆପେ ଆପେ ତା’ ବାହୁ କଅଁଳ ହେଇ ଆସିଲା । ମାଳତୀକୁ ଛାଡ଼ିଦେଲା ସେ । ମନରେ ତା’ର ପୁଣି ସେଇ କଥା ହୋସ୍‌ ଧରିଲା । ଆରେ ସତେ ତ ମାଳତୀ ବି ତ ମାଇକିନାଟେ । ବାଜିଆକୁ କେବେହେଲେ ସେ ଦେଖିପାରିବ ନାଇଁ । ବାହାହବାର ତ ଦୂରର କଥା, ଏଗୁଡ଼ାଙ୍କୁ ମୋତେ ଉପ୍ରୋଧ ନାଇଁ.... ।

ବେଶ୍‌; ସେଇ ଦିନ ପରଠୁ ଆଉ ଅବଶ୍ୟ ସେମିତି ସୁଯୋଗ ଆସି ନି ନିଧିର ମାଳତୀକୁ ପାଇବା ପାଇଁ, ନିଧି ବି କେବେହେଲେ ସେ ସୁଯୋଗ ଉଣ୍ଡି ନାଇଁ । ତା’ପରେ ପରେ ତ ତା’ର ଅଇଁଠା ସାଙ୍ଗରେ ଦେଖାଚାହାଁ ଚିହ୍ନା ପରିଚୟ ଆଉ ଯେତେ ଯାହା, ନିଧିକୁ ସେ କେବେ ମନେ ରଖିନାଇଁ କି ରଖିବା ଦରକାର ପଡ଼ି ନାଇଁ । ଆଜି କାଇଁ ଏକଲା ଦେଖିବାରୁ ହଠାତ୍‌ ସେ କଥାଟା ମନେ ପଡ଼ିଗଲା ମାଳତୀର ।

‘କିଲୋ, କ’ଣ ଏମିତି ଆଣୁଚୁ କି ? ହାତୀରେ ନାଁ ଘୋଡ଼ାରେ ?’ଚମକି ପଡ଼ିଲା ମାଳତୀ । ଆରେ ସତେ ତ; କେତେବେଳ ବସି ଗଲାଣି ସେ ବାଢ଼ୁଚି ବୋଲି । ତର ତର କରି ଭଲ କରି ଗଣ୍ଡାଏ ନେଇଗଲା ଆଗ । ନିଧି ପାଖରେ ଥୋଇଦେଇ ଓଢ଼ଣାଟାକୁ ସଳଖି ଦେଲା ନିଜର । ବାହା ହେଲେ ପରଠଉଁ ନିଧି ଭଲ କରି ଦେଖି ନ ଥେଲା ମାଳତୀକୁ । ନଇଁପଡ଼ି ତା’ ସାମନାରେ ପିଠା ଥୋଇଦେଲା ବେଳକୁ ନିଧି ଦେଖିଲା–

ଛୁଆଟା ହବା ପରେ ମାଳତୀ କେମିତି ବହୁତ ବଦଳି ଯାଇଚି । ଦିହରେ ମୁହଁରେ ଆହୁରି ରଙ୍ଗ ଉତୁରି ଆସିଚ । ଆଗ ଅପେକ୍ଷା ଦିହ, ହାତ, ଗୋଡ଼, ଅଣ୍ଟା ସବୁ ଗୋଟାଏ ଜେମିତି ସାଇଜ୍‌ଧରି ଯାଇଚି । ବେଶ ସୁନ୍ଦର ଦେଖାଯାଉଚି ସେ ପାଦର ଦି ପାଟି ଅଳତା, ମୁଣ୍ଡରେ ଏଡ଼େ ଟୋପାଟାଏ ସିନ୍ଦୂର, ହାତରେ ଦି’ସାଜ ବଟଫଳ ସାଙ୍ଗକୁ ଦି’ଗୋଛା ପାଣିକାଚ, ବେଶ ମନେଇଚି ତାକୁ । ନିଧିଆର ବି ମନେପଡ଼ିଗଲା । ସେ ଦିନର ସେଇ କଥାଗୁଡ଼ାକ । ଗୋଲେଇ ହେଲା ମନ– ଭିତରେ ।

 

ପୁଣି ପୁଞ୍ଜାଏ ଖସା ମଣ୍ଡାଧରି ମାଳତୀ ଯେତେବେଳେ ତା’ ଆଗରେ ନଇଁ ତା’ ଥାଳିରେ ଥୋଇଲା, ସେତେବେଳେ ଆପଣାଛାଏଁ’ ନିଧିର ନିଜର ପଡ଼ିଲା ମାଳତୀର ବେକ ତଳକୁ । କେମିତି ତା’ ମନରେ, ରକ୍ତରେ ଆହୁରି ଚାଉଁକା ଲାଚିଲା । କିଛି ସମୟ ପରେ ଯେତେବେଳେ ପାଣି ଗିଲାସଟା ଧରି ତା’ ପାଖକୁ ଆସିଲା ମାଳତୀ, ଧରି ପକେଇଲା ନିଧି ତା’ର ହାତକୁ–

 

‘ହଇଲେ, ମାଳ, ତୁ ମତେ ଏତେ ଲାଜ କରୁଚୁ ଯେ, କଥା ପଦେ କହୁନୁ ?’

 

ଶିହରି ଉଠିଲା ମାଳତୀର ନିଧିରୁ ଛୁଆଁରେ । ଟିକେ କଣେଇ ଏପାଖ ସେପାଖ ଚାହିଁ କହିଲା–

 

‘ବାଡ଼ୁଚି ପରା....ଆଉ କହୁନାଇଁ କ’ଣ ?’

 

‘ଏତେ ଲାଜ କରୁଚୁ ? କ’ଣ ମୁଁ ତତେ ଦେଖି ନାଇଁ ?’

 

‘ସେଦିନ କଥା ନିଆରା, ଏଇଛୁଣିକା ପରା ଘରର ଭୁଆସୁଣୀ !’

 

ଏକଥାକୁ କିଛି ଉତ୍ତର ନେଇ ନ ପାରି ଖାଲି କାନି ମିଶାକରି ଆଉଟିକେ ନିଜ ଆଡ଼କୁ ଝୁଙ୍କେଇ ଆଣିଲା ନିଧି । ଭାରି ସଙ୍କୋଚ ଲାଗିଲା ମାଳତୀ । ଏଇ କେଇଦିନ ଭିତରେ ସେ ଅଇଁଠା ଛଡ଼ା ଆଉ କାହା କଥା ମନରେ ଆଣିନାଇଁ, ମୁହଁ ଭୁରୂଙ୍ଗେଇ କହିଲା–

 

‘ହେଃ ନିଧିଭାଇ ଛାଡ୍‌, ଛାଡ୍‌, ସେଗୁଡ଼ା କ’ଣ ? ମୁଁ ପରା ବାହା ହେଇ ସାରିଚି ।

 

‘କ’ଣ ଗୋଟିପଣ ଅଇଁଠାରୁ ?’

 

‘ହାତଧରି ବାହା ହେଇଚି ପରା...’

 

‘ସେ ବାହାଘରରେ କ’ଣ ମୋର କିଛି ହକ୍‌ନାଇଁ ? ମୁଁ କିଛି କରିନାଇଁ ତମ ବାହାଘର ପାଇଁ ?’

 

ମନେପଡ଼ିଲା ମାଳତୀର ସତେ ତ ଏଇ ନିଧି ପାଇଁ ସିନା ଏତକ ସମ୍ଭବ ହେଇଚି, ନ ହେଲେ ତ ଏତେବେଳକୁ କନିଅର ମଞ୍ଜି ଖାଇ କୋଉଠି ମାଟିରେ ମିଶିଥାନ୍ତା । ତା’ଉପରେ ଘାସ ଉଠିଯାନ୍ତାଣି, ନ ହେଲେ ବା ଗାଁ ଠଉଁ କୋଉ ଦୂରରେ ରହି ଆଜି ଖାଲି ନିଧି କାହିଁକି, ସବୁ ବୁଢ଼ା–ଟୋକାଙ୍କ ମନ ରଞ୍ଜିବାକୁ ବାଧ୍ୟ ହେଇଥାନ୍ତା । ପେଟ ତ ପୋଷିଥାନ୍ତା ସିଏ ? କିନ୍ତୁ ଏଇ ନିଧିଭାଇ... ୟାରି ପାଇଁ ଆଜି ଏତେ କଥା ସମ୍ଭବ ହେଇ ପାରିଚି । ସେ ଘରର ବୋହୂ, ସ୍ୱାମୀର ସ୍ତ୍ରୀ, ପିଲାର ମା’ । ତା’ର ବାପ ମା’ ମୁଣ୍ଡଟେକି ଗାଁ’ଦାଣ୍ଡରେ ବାଟ ଚାଲୁଛନ୍ତି । ସବୁ କେବଳ ସମ୍ଭବ ହେଇଚି ଏଇ ନିଧିଭାଇ ପାଇଁ । ସେ ଗୋଟି ଗୋଟି କରି ସବୁ ଶୁଣିଚି ତା’ ସ୍ୱାମୀ ଅଇଁଠାଠାରୁ । ନିଧିଭାଇ ମଣିଷ ନୁହନ୍ତି, ଅଇଁଠୁ ସାକ୍ଷାତ ଦେବତା । ତଳେ ନଇଁ ସେ ଜୁହାର ହୁଏ ସତେ କି ଚଳନ୍ତି ଭଗବାନ୍‌ । ସେଇ ଭଗବାନ୍‌ ଯଦି କିଛି ଭୋଗ ମାଗି ବସିଚନ୍ତି ମାଳତୀ ପାଖରେ, କ’ଣ କରିବ ସେ-? ଫେରେଇଦେଲେ ସେ ଦେବତା ଯଦି ରାଗି–ରୁଷିଯାନ୍ତି, ତା’ ହେଲେ ରକ୍ତ ଅଇଁଠା ଆଗରେ ସେ ଠିକ୍‌ କୈଫିତ୍‌ ଦେଇପାରିବ ତ ? କେମିତି ଅଇଁଠାକୁ କହିବ ମାଳ ଯେ, ନିଧିଭାଇରୁ ଏଇଥି ପାଇଁ ସେ ବାଧା ଦେଇଚି । ହେଲେ, କେବେହେଲେ ସେ କ’ଣ କହିପାରିବ ଯେ ଅତୀତରେ ଏ ଦେହ–ଦେଉଳରେ ସେଇ ଠାକୁର ତା’ର ଜାଣତରେ ହଉ ବା ଅଜାଣତରେ ହଉ, ଥରେ ଅଧେ ଭୋଗ ଖାଇ ଚାଲିଯାଇଚି । ହଉ ପଛେ ସେଁ ଅବା ଉଖୁଡ଼ା କଦଳୀ ଅବା ତା’ ଠଉଁ ଆଉ ନ୍ୟୁନ ଜିନିଷ... ।

 

ତା’ ଭାବନା ଭାଙ୍ଗିଗଲେ ଯେତେବେଳେ ସେ ଦେଖିଲା ନିଜେ ଆହୁରି ଟିକେ ନଇଁ ଆସିଚି ନିଧି ପାଖକୁ । ମୁଣ୍ଡରୁ ତା’ର ଓଢ଼ଣା ଅଳ୍ପ ଖସିଯାଇଚି । ଖୋସାରେ ବେଳବୁଡ଼େ ମୁଣ୍ଡ କୁଣ୍ଢେଇଲାବେଳେ ଖୋସି ଦେଇଥିଲା ଅଗଣାରେ ଥିବା ଦୁଲ୍ଲଭା ଗଛର କେନା ଖଣ୍ଡେ । ସେଇଟା ବୋଧହୁଏ କାନି ସାଙ୍ଗରେ ଖସି ଆସୁଥେଲା । ଭଲ କରି ତାକୁ ଗୁଞ୍ଜି ଦେଇ ନିଧି କହିଲା–

 

‘ମୁଁ ଜାଣେ ଲୋ ମାଳ, ତୁ ଅଇଁଠାର ବୋହୂ, ମୁଁ କ’ଣ ଜାଣିନାଇଁ ? ହେଲେ, ଅଇଁଠା କ’ଣ ଏଠି ଅଛି ନାଁ ଜାଣୁଚି...ସେ ପର, ଦି’କୋଶ ଦୂରରେ... ?’

 

ଏଇ କଥାରେ ରକ୍ତ ତାତିଗଲା ମାଳତୀର ।

 

ତା’ହେଲେ ତମେ କ’ଣ କହୁଚ ଯେ ମୁଁ ଲୁଚେଇ ଛପେଇ ଏଇଆ କରିବି ? ତମକୁ କେନ୍ଦୁ ହୋଇ ତାଙ୍କ ମୁଣ୍ଡରେ ଅଠା ବୋଲି ଦେବି ?’

 

ଏତକ କହିଦେଇ ନିଜକୁ ଆକଟ କରି ନେଇ ମାଳତୀ । ଭାଲୁ ଆଶ୍ଚର୍ଯ୍ୟ ଲଗିଲା–କେମିତି ଏତେ ଠେସ୍‌ରେ ସେ ଏତେ ବଡ଼ କଥାଟିଏ ନିଧି ଭଲ ଲୋକକୁ କହିପାରିଲା । ବୋଧହୁଏ ଏଇଥି ପାଇଁ ଯେ ସେ ତା’ ମୁହଁକୁ ଭଲ ଭାବରେ ଦେଖିପାରୁନି । ସଞ୍ଜ ଅନ୍ଧାର ବେଶ୍‌ ନଇଁ ଗଲାଣି-। ଲଣ୍ଠନ୍‌ ଜାଳିନି ସେ ଏ ଯକେ । ଅଗଣା ସାରା ମିଟ୍‌ମିଟ୍‌ ଅନ୍ଧାର । ପାଖରେ ବସିଲେ ବି ପରିଷ୍କାର ମୁହଁ ଦେଖାଯାଉନି । କଥାଟା ନିଧି ମଗଜରେ ବେଶ୍‌ହାଣ ଟାଏ ଥୋଇଲା ପରି ଲାଗିଲା-। ଝାଣୁଆ ହାତଟା ମାଳତୀ ହାତଟା କୋହଲ ହେଇଗଲ । ସତ କଥା ତ....ସେ ଚୋର ନୁହେଁ ଆଉ କ’ଣ ? ମାଲିକ ନ ଥେଲାବେଳେ ଘରେ ପଶି ତା’ର ସର୍ବସ୍ୱ ଲୁଟି କରୁଚି ସେ । ଚୋର ଛଡ଼ା ଆଉ କ’ଣ ହେଇପାରେ । କୋଉ ଟିକେ ଉପକାର କରିଥେଲା ସେ ତା’ ପାଇଁ । ଦଳେ ଖଣ୍ଟ ମାରି ନଉଥେଲେ । ଅଇଁଠାର ସେ ସମ୍ପତ୍ତି କି । ଆଗ ବଳିପଡ଼ି ଖଣ୍ଟକୁ ଧରେଇ ସମ୍ପତ୍ତି ଉଦ୍ଧାର କଲା ସେ-। ହେଲା ସତ କଥା । ୟା ବୋଲି କହିବ ଯେ, ଯେଣୁ ମୁଁ ଉଦ୍ଧାର କରିଚି ସେ ସମ୍ପତ୍ତିତକ–ମତେ ସେଗୁଡ଼ା ଦେଇ ଦେ ? ତ’ହେଲେ ଅଇଁଠାର ଆଉ ସ୍ୱାର୍ଥ କ’ଣ ରହିଲା ? ଖଣ୍ଡ ନେଲେ ଯାହା, ଆଉ କିଏ ନେଲେ ବି ସେଇଆ । ମାଳତୀର ଜବାବଟା ତାକୁ ଭାରି କାଟିଲା । ବହୁତ କଷ୍ଟରେ ସେ ପାଟିରେ ଥିବା ପିଠା ଖଣ୍ଡକୁ ଢୋକି ଦୋଷୀଙ୍କ ପରି କହିଲା–

 

‘ସତକଥା କହିଚୁ ମାଳ, ମୋର ବୋଧେ ଭୁଲ୍‌ ହେଇଗଲା । କ’ଣ କରିବି କହ । ରକ୍ତ ମାଉଁସର ଦିହ ବୋହିଁଚି ଯେତେବେଳେ ତା’ର ଓରିମାନା ଭୋକ ତ ଅଛି । ସେଇଥି ପାଇଁ ଯେତେ ମନକୁ ବାନ୍ଧିଲେ ବି କେତେବେଳେ କେମିତି ବାର–ଚାଉଳିଆ ଧରେ । ତୁ କଥାଟା ଧରିବୁନି ।

 

ମାଳତୀ ଆଉ କିଛି କହିପାରିଲା ନିଧି କଥାରେ । ଖାଲି ଅନୁଭବ କଲା ତା’ ହାତଟାକୁ ଏକରକମ ନିଧି ଛାଡ଼ିଦେଇ ଥେଲେ ବି ସେ ଖସେଇ ଆଣିପାରୁନି । ବରଂ ତାକୁ ଲାଗୁଚି ସେ ଜାଗାଟା ବଧିରା ହେଇଗଲା ପରା ! କିନ୍ତୁ ନିଧି ଧରିଥେଲା– ବେଳେ ସେଠି ରକତଟା କେମିତ ଶକ୍‌ମକ୍‌ ହେଇ ଫୁଟୁଥେଲା ।

 

କଥା କ’ଣ୍‌ ଜାଣିଚୁ ମାଳ ! ଅଚ୍ଛା କହ ନାଁ ଦେଖି, ଏତେ ଲୋକ ତ ଗାଁରେ ଅଛନ୍ତି, ଅଇଁଠା ମତେ କାଇଁ ତୋ ଘରକୁ ପିଠା ଖାଇବାକୁ ଡାକିଲା ! ପିଲାଙ୍କ ଭିତରେ ଖାଲି ବାକିଆ କାଇଁ ତୋ ହାତରୁ ପେଟେ ପିଠା ଖାଇ ଦାଣ୍ଡରେ ଝଡ଼େଇ ହଉଚି ? ନାଇଁକି ଜାଣିଚୁ–ମୁଁ ଅଘରୀଟାଏ । ଘରଦୁଆର ପର–ଆପଣା ହେଇ କିଛି ମୋର ନାହିଁ । ଖାଲି ସେଇ ମେଞ୍ଚଡ଼ ଟୋକା ଖଣ୍ଡେ ଯାହା । ସେଇଥି ପାଇଁ ମୁଁ ଅଘରୀ । ଆଜି ଏଡ଼େ ବଡ଼ ପରବରେ ସମସ୍ତଙ୍କ ଘରେ ପିଠାପଣାର ଗୋଳ ନାଗିଚି । ହେଲେ, ମୋ ଘରେ ? କିଏ କରିବ ମୋର ? ସେଇ ଅଘରୀଟା ବୋଲି ଦୟା ପାଇ ଅଇଁଠା ଡାକିଛି ତା’ ଘରକୁ ପିଠା ଖାଇବାକୁ ? ଆହା ! କାଲେ ନିଧିଭାଇ ମନ ହଉଥବ ପିଠା ଦି’ଖଣ୍ଡ ଖାଇବାକୁ ! ଆଉ କିଛି ନୁହେଁ । ସେଇଥିପାଇଁ ମୁଁ ଭାବିଲି ସେ ଯେମିତି ମୋ ମନ କଥା ବୁଝି ମତେ ଖାଇବାକୁ ଡାକିଚି, ତୁ ସେମିତି ମନ– କଥାଟା ବୁଝି; ମୋର ଆଉ ଯାହାଟା ଦରକାର, ସେ ଅଭାବଟା ପୂରଣ କରିଦେବୁ । ହେଲେ, ମୋ ଭାବନାରେ ଭୁଲ୍‌ ହେଇଗଲା । ସେଇଟା କାଳ ଚିନ୍ତାଟା ତା’ ହେଲେ ମୋ ମୁଣ୍ଡରେ ପଶିଥେଲା । ସତରେ.......ଅଇଁଠାରୁ ତ ମୁଁ ଜମ୍ମା ଅମଙ୍ଗଲ ଚାହିଁପାରିବିନି ।’

ଏଇ କଥାରେ ମାଳତୀ କେମିତି ଭାଙ୍ଗିପଡ଼ିଲା ମନ ଭିତରେ । କିଛି କିଛି ଅନ୍ଧାର ଭିତରେ ବି ନିଧିର ହାଡ଼ୁଆ ମୁହଁର ଆଖି ଭିତରୁ ସେ କେମିତି ଦେଖିପାରିଲା ଚେନାଏ ଚେନାଏ ମୁକ୍ତା ଚିକ୍‌ଚିକ୍‌ କରୁଚି । ହାତଟା କେତେବେଳଠୁ ବନ୍ଦ କରିଥିଲା ଥାଳି ଉପରେ ନିଧି । ପାଣି ଗିଲାସଟା ଉଠେଇବା ଦେଖି ମାଳତୀ ଭାବିଲା କଥାଟା, ଖୁବ୍‌ ଆଘାତ ଦେଇଚି ନିଧିଭାଇକୁ, ଆଉ ସେ ଖାଇବ ନାଇଁ । ଥାଳିକି ଅନେଇଲା, ପଛଥରରେ ହାତ ବି ବାଜି ନାଇଁ କହିଲେ ଚଳେ । ଶଙ୍କିଗଲା ସେ–

କାହିଁକି ଏଡ଼େ କଥାଟାଏ କହିଦେଲୁ ! ସତେ ତ ନିଧିଭାଇ ଯାହା କହିଗଲା କ’ଣ ସବୁ ମିଛକଥା ? ଅଘରୀ ସେ । ଏଡ଼େ ପରବଟାରେ ତା’ର ଯେମିତି ଇଚ୍ଛା ହଉଥବ ପିଠା ଖଣ୍ଡେ ଖାଇବାକୁ; ସେମିତି କ’ଣ ଇଚ୍ଛା ହଉ ନ ଥବ ତା’ର ଭଳି ଜଣେ ତା’ ପାଖକୁ ବସି ଆଉଁ ଖଣ୍ଡେ ଖା, ଆଉ ଖଣ୍ଡେ ଖା ବୋଲି କହି ବଳେଇ ଦବାକୁ ? ବାହାହେଲାର ଦି’ବର୍ଷ କଟିନାଇଁ, ତା’ ସ୍ତ୍ରୀ ମରିଗଲା । ସେତେବେଳକୁ ଜମ୍ମା ବାଇଶି ବର୍ଷ ନିଧିକୁ । ତଥାପି ସେ ଘର କଲାନାଇଁ । ହଁ, ହେପାଜତ୍‌ କରିଥେଲେ ସେ କ’ଣ କରିନଥାନ୍ତା । ଥରକୁ ଦି’ଥର କରି ବଳେଇ କହିବାକୁ ତା’ର ହେଇ କେହି ନାହାନ୍ତି । ଆଉ ଏ ଗାଁବାଲା କହିବେ... ହବ ? ପର ହାଣିଲା କୋଡ଼ି ବାଆକୁ ନେଖା ଛାଡ଼ି–ସେଇ ଦିନଠୁ ସେ ସେମିତି ଅଛି । ରକ୍ତମାଂସର ଭୋକ ତା’ର ବି ତ ଅଛି । ମଣିଷ ପରି ମଣିଷଟାଏ ତ ସେ । ନିଜେ ସିନା ଅଘରୀ ହେଇଚି; ହେଲେ, ଅନ୍ୟକୁ ତ ଘର କରେଇ ଦେଇଚି ! ତା’ ତୁଳନାରେ କ’ଣ ମାଳତୀର ତାଂଗଟ ! ଏତେ ବଡ଼ ? ପଦେ ଖୁସିରେ କହିଥିଲେ ସେଇ ଅଘରୀ ମଣିଷର ମୁହଁରୁ ଯୋଉ ହସ ଝରିଥାନ୍ତା ତା’ ଅପେକ୍ଷା କ’ଣ ମାଳତୀର ସ୍ଵାର୍ଥଟା ଏତେ ଦାମିକା ? ଭାରି ଖରାପ ଲାଗିଲା ମାଳତୀକୁ । ସତେ ଯେମିତି ବଡ଼ ଗର୍ହିତ କାମଟାଏ କରିପକେଇଚି ସେ । ଅନୁତାପରେ ମାଳତୀର ନିଧି ପ୍ରତି ଅନୁରାଗ ଭରିଗଲା । କୋଉଠୁ କେଜାଣି ତା’ର ସାହସ କୁଳେଇଗଲା ।

ଧରି ପକେଇଲା ସେ ନିଧିର ହାତ ।

‘ତମେ ଏତକ ନ ଖାଇ ଯାଇପାରିବନି’…..

‘ଆଉ ଭୋକ ନାଇଁ....

‘କ’ଣ ଏମିତି କହି ପକେଇଲି ଯେ କଥାଟାକୁ ଧଇଲ ? ହଉ ଏ ହେଲା, ମୋ କଥା ମୁଁ ଫେରେଇ ନଉଚି ।’’ଏତକ କହି ଯେତେବେଳେ ମାଳ ଦେଖିଲା ଯେ ନିଧି ହାତ ଉଠେଇନି–ମଣ୍ଡା ପିଠାଟାଏ ନିଜ ହାତରେ ନିଧି ମୁହଁ ପାଖରେ ଧଇଲା, ପୁଳାଏ ନେଇ ନିଧି କହିଲା–

 

‘ତୁ ଠିକ୍‌ କହିଚୁ ଲୋ ମାଳ, ମୁଁ ବଡ଼ ଅବିବେକୀଟାଏ । ବେଳେ ବେଳେ ଏମିତି ଟିକିଏ ଭାରି ଉଚ୍ଚାଟ ଲାଗେ । କଷ୍ଟ ହୁଏ; ସେଇଥିପାଇଁ ବାଟବଣା ହେଲା ପରି ଲାଗେ । ହଁ...ଆଉ କେଇଟା ଦିନ ଏମିତି ଏମିତି କଟିଗଲେ ଯାଏ । ଯୋଉଦିନ ବେଶି ଅସହ୍ୟ ହବ.... ! ଓଃ ! ମାଇକିନିଆଟା ମରିଗଲା, ମତେ ଯାହା ସାଙ୍ଗରେ ନେଇଗଲା ନାଇଁ ! ଓଲଟି ଗୋଟାଏ ବେକରେ ଛନ୍ଦି ଦେଇଗଲା’, କହି ଦୀର୍ଘ–ନିଶ୍ୱାସଟାଏ ଛାଡ଼ିଲା ନିଧି । ଆଖି ଛଳ ଛଳ ହେଇ ଉଠିଲା ମାଳତୀର । ସତେ ତ.... କେଡ଼େ ନିରମାଖି ଭଳି ସବୁ ଥାଇ ବି ଦିନ କାଟୁଚି ନିଧିଭାଇ !

 

‘ହେଲେ ମାଳ...ମୁଁ ଯୁଆଡ଼େ ଗଲେ, ଯାହାହେଲେ ବି ବାଜିଆର ଦାୟିତ୍ୱ ତୋରି ଉପରେ ଟି ? ....’ତୁ ଥାଇ ଅଇଁଠା ତାକୁ......’

 

‘ନିଧିଭାଇ....’

 

ଚୁପ୍‌ କରିବାକୁ ନିଧି ମୁହଁରେ ଆଉ ଖଣ୍ଡେ ପିଠା ଗୁଞ୍ଜି ଦେଲା ମାଳତୀ । କିଛି ମିଛ କହୁନାଇଁ ତ ନିଧିଭାଇ । ସେମିତିଆ ଅବାଗିଆଟାଏ ସେ, ଯୋଉଦିନ ଅସହ୍ୟ ହେବ..... । ହେଲେ, ତାକୁ ବାନ୍ଧିରଖିବା ଆଉ ମଣିଷଟାଏ ପରି ମଣିଷ କରି ରଖିବା କ’ଣ ମାଳତୀର କର୍ତ୍ତବ୍ୟ ନୁହେଁ ? ମାଳତୀ ଆଜି ମଣିଷ ତାଲିକାରେ ଗଣା କାହା ପାଇଁ ? ହେଲେ, ସେ କ’ଣ ତା’ର ବଦଳରେ ଏତିକି ଟିକେ ସ୍ୱାର୍ଥତ୍ୟାଗ କରିପାରିବନି ? କାହିଁକି ? ସେ ତ ଉପରେ ପଡ଼ି କାହାକୁ ଦାନି ଦାନି ଦଉନି କି ଯାଚି କରି ଦଉନି । ହାତ ଗଡ଼େଇ ଜଣେ ଯଦି ଅଳ୍ପକେ ଆଶାରଖି ଭିକମାଗି ବସିଚି ତା’ହେଲେ ତାକୁ ନିରାଶ କରିବାଟା କ’ଣ ଉଚିତ୍‌ ହବ ମାଳତୀର ? ନିଜକୁ ସଂଯତ ରଖିପାରିଲାନି ମାଳତୀ । ଆଉ ଖଣ୍ଡେ ପିଠା ଦବାକୁ ଯାଇ ଗୁଞ୍ଜି ହେଇଗଲା ନିଧିର ଛାତିରେ । କଇଁ କଇଁ ହେଇ କାନ୍ଦିଉଠିଲା ସେ ।

 

‘କ’ଣ ପଦେ କହିଦେଲି ବୋଲି କେଡ଼େ କେଡ଼େ ଟାଣ୍‌ କଥା କହିଯାଉଚ ?’

 

‘ମାଳତୀ....... ?’

 

ନିଧିର ଚଉଡ଼ା ଛାତିରେ ତୀର ପରି ନାକଟାକୁ ଆସ୍ତେ ଘଷି କହିଲା ମାଳତୀ, ‘ମନେ ପକେଇଲ ସେଇଦିନ ସେଇ ପିଜୁଳିଗଛର ମୂଳ କଥା...... ।’

 

‘ମାଳ’.......

 

ନିଧିର ରକ୍ତରେ ବୈଶାଖର ଝାଞ୍ଜି ଖରା ବୋହିଗଲା ସତେ କି ଯେମିତି ! ସଞ୍ଜଟା ଗଡ଼ିଗଲାଣି ଏକରକମ......ଦିହିଙ୍କ ଦେହରେ ମେଞ୍ଚା ମେଞ୍ଚା କାଳି ନେଶି ହେଇ ସେମାନଙ୍କୁ ଆହୁରି ଅନ୍ଧାରରେ ବୁଡ଼େଇ ଦଉଚି । ସତେ କି ସେମାନେ ପରସ୍ପର ଦିହରୁ କଳା ଘଷି ଚାଲିଚନ୍ତି ପାଣିଚିଆ କରିବେ ବୋଲି ରାତିର ଅନ୍ଧାରକୁ ।

 

କେତେବେଳେକେ କାନ୍ଦିଉଠିଲା ଛୁଆଟା ସେ ଘରୁ । ନିଦ ଭାଙ୍ଗିଗଲାରୁ ଅନ୍ଧାର ଦେଖି ଡରିଲା କ କ’ଣ ।

 

‘ମୁଁ ଯାଉଚି ମାଳ...’ ଅନ୍ୟଆଡ଼କୁ ଚାହିଁ କହିଲା ନିଧି ।

 

ତଳକୁ ମୁହଁକରି ଠିଆହେଲା ମାଳତୀ । ଲାଜରେ କିଛି କହିଲାନି ।

 

‘ଯା’, ଛୁଆଟା କାନ୍ଦିଲାଣି ପରା.......ମୁଁ ଯାଉଚି ।’

 

ସମ୍ମତି ଜଣେଇ ମୁଣ୍ଡ ହଲେଇଲା ମାଳତୀ ।

 

‘ମତେ ଆଉ ଆସିବାକୁ କହିବୁ ନାଇଁ ନାଁ ?’

 

‘ମୁଁ ଜାଣେ–ନ କହିଲେ ବି ତମେ ଆସିବ ।’

 

–କେଇଦିନଠୁ ଫିମ୍ପି ମାରିଯାଇଥିବା ଏକ ଅଲଗା ଜାତିଆ ହସରୁ ମୁଠାଏ ନିଧି ଛାଟି ଦେଇଗଲା ନିଜ ଓଠରୁ ମାଳତୀ ଉପରକୁ । ଓଳିତଳକୁ ଓହ୍ଲେଇଲା ବେଳକୁ କବାଟ ଦେଇ ମାଳତୀ ଛୁଆ ପାଖକୁ ଗଲା ।

 

ସେଠୁ ପାଇଁ ଆଉ କୁଆଡ଼େ ଯାଇନି ନିଧି ସେ ରାତିରେ । କାଠଟି ଭଳି କ’ଣ ଭାବୁଥାଏ ବସି ନିଜ ଦାଣ୍ଡପିଣ୍ଡାରେ । ରାତି ଅଧ ହେଲାଣି । ଫେରୁଚି ଅଇଁଠା । ନିଧିକୁ ଏମିତି କାଠ ପରି ବସିଥିବା ଦେଖି ଅନୁମାନ କଲା–କିଛି ଗୋଟାଏ ହେଇଚି । ନ ହେଲେ ସେ ଏତେବେଳକୁ ଦି’କର ନିଦରେ ଶୁଅନ୍ତାଣି । ପଚାରିଲା–

 

‘ନିଧିଆଇ ! ଏତେବେଳଯାଏ ବସିଚୁ କାଇଁକି ? କ’ଣ ହେଇଚୀ ?’ଓଲିତଳରୁ ଓହ୍ଲେଇଯାଇ ଅଇଁଠା ପାଖରେ ଠିଆ ହେଇ ମୁରବୀଟା ଭଳିଆ କହିଲା–

 

‘ଘରସଂସାର କଲୁ, ବାପ ହୋଇ ସାରିଲୁଣି । ବୁଦ୍ଧି ଟିକିଏ ତୋର ଅଛି ନାଁ ନାଇଁ ? ଘରେ ଏକଲା ଜବାନ୍‌ତରିଲା ଲୋକ । ପୁଣି କୋଳରେ କଷି ଛୁଆଟାଏ । କେତେବେଳେ କୋଉ କଥା । ଭଲ ଅଛି, ମନ୍ଦ ଅଛି । ତୁ ଫେରୁଛୁ ରାତି ଅଧିକୁ ? ନାଇଁ ନାଇଁ କ’ଣଟାଏ ଦରକାର ପଡ଼ିବ... ?’

 

‘କ’ଣ କରିବି କହ, ଯେତେ ହେଲେ ଭଉଣୀ ଘରଟା । ଯେତେ ସହଳ ଆସିବାକୁ ଚାହିଁଲେ ବି ହେଲାନି......’

 

‘ସେମିତିଆ ଜାଗାକୁ ବରଂ ନ ଯାଆ ଏଇ କେଇଦିନ । ଯେତେ ଚେଷ୍ଟା କଲି ଯାଇଁ ଶୋଇବି ବୋଲି, ମନ ଜମ୍ମା ଡାକିଲାନି । ସେ ଦୁଆରବନ୍ଧକୁ ଅନେଇ ବସିଚି । ବସିଚି ସିନା ଏଠି ହେଲେ କାନଟା ଯାଇଁ ସେଠି ।’

 

କେଡ଼େ ସୁଧାର ପିଲାଟି ଭଳି ଠିଆ ହେଇଥାଏ ଅଇଁଠୁ । ‘ହଉ ଯା ଘରକୁ ଯା, ସେ ଅନେଇ ଥବ । ଖୋଇଚି ଯେ ଗୁଡ଼ାଏ ଆଜି....ପେଟଟା ଏଯାକେ ଟିକେ ନରମ ହଉ ନାଇଁ ।’

 

–କହି ନିଜ ଘର ଭିତରକୁ ପଶି ଗଲା ନିଧି । ଅଇଁଠା ଅନେଇଲା ତା’ ଘରକୁ । ବାଧ୍ୟ ପିଲାଟି ପରି ସିନା ସେ ହଁ ଭରିଲା ଯେ–ଆଉ କୋଉଠି ଏତେ ସମୟ ରହିବନି । ହେଲେ, ମନ ଭିତରେ ତା’ର ନିଧଡ଼କ ଆହୁରି ବଢ଼ିଗଲା । ଯା’ହଉ ତ ଥେଲା ନ ଥେଲାରେ ତା’ଘର ପ୍ରତି ନିଜର ଦବାକୁ ଲୋକଟାଏ ଅଛି । ଲୋକଟାଏ ନୁହେଁ ତ, ବାଘଟାଏ ଅଛି, ନିଧି ପ୍ରତି କୃତଜ୍ଞତାରେ ତା’ର ମନ ଆହୁରି ଭରିଗଲା । ସତରେ କେଡ଼େ ଆପଣାର ସେ–ଗତ ଏତେ ହେଲାଣି ଜଗିକରି ବସିଚି-!!!

 

ସେଇ ଦିନଠୁ ଅଇଁଠା ଏକରକମ ବେଫିକର ରହିଆସିଚି ତା’ ଘର ବିଷୟରେ । କୁଆଡ଼େ ଭଲରେ ମନ୍ଦରେ ବାହାରକୁ ଗଲେ କି କୋଉଠି ଡେରି ହବାର ଥେଲେ ନିଧି କାନରେ ପକେଇ ଦେଇଯାଏ ଖବରଟା ।

 

ଏମିତି ଦିନ ଗଡ଼ିଯାଏ । ମାଳତୀ ବି ବେଶ୍‌ ଚଲେଇ ନେଇଚି ନିଧିକୁ ଏକରକମ ଘରମଣିଷ ଭଳି । ପହିଲେ ପହିଲେ କେବେ କେବେ, ତା’ପରେ ଦି’ଦିନ ଛଡ଼ା, ଦିନେ ଛଡ଼ା ଏବେ ପ୍ରାୟ ସବୁ ଦିନେ ଟିକେ ଆସି ନିଧି ବୁଲି ଦେଇଯାଏ ଅଇଁଠାର ଘର ଆଡ଼େ । ମାଳତୀ ଆଉ ଆପତ୍ତି କରିନି । କାଇଁକି କରିବ ଯେ....ଆପତ୍ତି କଲେ ଲୋକର ତ ଆପତ୍ତି ନାଇଁ, ତା’ ମନକୁ ଛୁଇଁବା ଦୂରେ ଥାଉ ଶୁଣିଲେ ବି ପରତେ ଯିବ ନାଇଁ । ବରଂ ଏମିତିରେ ନିଧିଭାଇ ମୁହଁରେ ହସ–ଫୁଟିଚି । ଅମଣୁଆଟାକୁ ଏକରକମ ମଣା କରିଚି ସେ । ତେଣୁ ବାଧା ଦବ କାହିଁକି ? ଝୁଅ ଦିହ ତ କାଠ ପଥରଠୁ ବଳି–ଘୋରି ହେଇଯିବାର କିଛି ନାଇଁ.... ।’

 

ହେଇ ସେଦିନ....ଛୁଆଟା କାଇଁକି ଜୋର୍‌ରେ କାନ୍ଦିଲା ବୋଲି ନିଧି କହିଲା ।

 

‘ବୁଝିଲୁ ମାଳ ! ସେ ସହିପାରୁ ନାହିଁ ବୋଲି କାନ୍ଦୁଚି । ତୋ କତିକି ଆସିବ । ସେଇଟାକୁ ଆମ ବାଜିଆ ସାଙ୍ଗରେ ଯୋଚି ଦବା ବଡ଼ ହେଲେ । ପରେ ଘରେ କଥା ରହିବ । ତୋ ଘର ମୋ ଘର ସବୁ ଏକ୍‌ କଥା ହେଇ ରହିଲା ।

 

ବେଶ୍‌, ସେଇମିତ ଆଖିରେ ଚଳେଇ ନେଇଚି ମାଳତୀ ନିଜର ସଂସାରକୁ । ନିଧିର ଘର ଅଇଁଠାର ଘର ଏକ କଥା ।

 

ସେଇ ସେ ମାଳତୀ–ତା’ର ଝୁଅ ଝୁନିୟାଁ ।

ସେ ଦିନର ସେଇ କଷିଛୁଆ ବକଟକ ଆଜି ନଅ ବର୍ଷର ଝୁଅ । ଦଉଡ଼ି ଧାପୁଡ଼ି ଖେଲିବୁଲି ଗାଁ ଦାଣ୍ଡରେ ସମୟ କାଟୁଚି । ତାକୁ ଦେଖି ଅନ୍ୟମାନେ କହନ୍ତି–

‘ଆହା, ଅବିକଳ ତ ମାଆ, ଆଉ ମାଳର ସବୁ କାଟ ଗଢ଼ଣ ଛଡ଼େଇ ଆଣିଚି ।’

କିଏ କିଏ କହନ୍ତି–’ମା’ ଠଉଁ ଆହୁରି ଡଉଲ ହବ । ହେଇ ଦେଖୁନା କେମିତଆ ଆଖି, ଠାଣି, ଏକବାରକେ’ ମାପଚୁପ କରି ଦିହ ହାତ ଗୋଡ଼ ସବୁ ତ ଗଡ଼ିଚି ବିହି ।’

ଏମିତି କେତେ କ’ଣ । ଝୁନିୟାଁ କାନରେ ଯେତେବେଳେ ପଡ଼େ– ବଲବଲ କରି ଚାହେଁ; କିଛି ବୁଝିନି ସେଥିରୁ । କୁଦାଟାଏ ମାରି ସେଠୁ ପଳେଇ ଯାଏ–ଖେଳିବାକୁ । ଗାଁରେ ଇସ୍କୁଲ୍‌ ହବା ଦିନଠୁ ବାଜିଆ ଦେଖାଦେଖି ସିଏ ବି ବସ୍ତାନି ଖଣ୍ଡେ କାନ୍ଧରେ ନଟକେଇ ଇସ୍କୁଲ ଯାଏ । ହେଲେ, ପଢ଼ାପଢ଼ି ପାଇଁ ସେମିତି କିଛି ଯତ୍ନ ନାଇଁ ଅଇଁଠାର କି ନିଧିଆର ।

ଦିନକର କଥା । ନିଧି ଆଉ ଅଇଁଠୁ ଖାଇ ବସିଥାନ୍ତି । ମାଳ ପରଶୁଥାଏ ଦୁହଁଙ୍କୁ । ପାଠପଢ଼ା କଥା କ’ଣ ପଦେ ମାଳ କହିଲା ବୋଲି ନିଧି କହିଲା–

‘ଓହୋ ! କାଇଁକି ସେ ପାଠ ସକାଶେ ଏତେ ଆକଟ ଯେ ? କ’ଣ’ ପାଠପଢ଼ି ସେ ଦୁହେଁ ଭଗବାନ୍‌ ହୋଇଯିବେ ? ନାଁ ହାକିମ ହେବେ ? ସେଇଠ ଆମେ ଗଲା ପରେ ଚାଷ କରିବାକୁ ତ ସରମ ନାଗିବ, ଜମି ବିକି ଯାଇ ସହରରେ ରହିବେ ।’

 

‘ହଁ, ହଁ, ଖଣ୍ଡେଇ ବୋଲେଇବେ’ କହି ହୋ ହୋ ହୋଇ ହସିଉଠିଲା ଅଇଁଠା । ସହରରେ ରହିବା କଥା କହିଲା ମାନେ ମନେପଡ଼ିଯାଏ ତା’ର ଭଣଜା କଥାଟା ।

 

‘ବୁଝିଲୁ ମାଳ ! ଦୂର ବନ୍ଧୁ ସୁନ୍ଦର, ଦୂର ପର୍ବତ ସୁନ୍ଦର । ସେ ପାଠର ମହତ ଯିଏ ନ ଜାଣିଚି, ତାକୁ ସେଇ ବଡ଼ ଦେଖାଯିବ । ମୁଁ କିଛି ଜାଣିଚି । ସେଇଥି ପାଇଁ କହୁଚି, ପାଠପଢ଼ି ଯେଉଁମାନେ ବଡ଼ ହେଇଚନ୍ତି ନାଁ ...ସେମାନେ ଗୋଲାମି ଶିଖିଛନ୍ତି ସିନା ! ମାମଲତ ଶିଖିଛନ୍ତି ? ଆସୁ ତ ଦେଖି କେଡ଼େ ପାଠୁଆଟାଏ ମୋ ସାମନାରେ ଠିଆହେଇ ପଦେ କହିବ । ବାତ୍‌ କରେଙ୍ଗା.....’

 

‘ତୁ ପାଗଳ ହେଲୁ ନିଧିଭାଇ ! ଇଏ ଯୋଉ ଧୋବଧାଉଳିଆ ବାବୁ ଖଣ୍ଡେ ଖଣ୍ଡେ ଗାଡ଼ି ଚଢ଼ି ଆସୁଚନ୍ତି ଆମ ଗାଁକୁ ନା ତାଙ୍କୁଇ ଦେଖି ଦିହ କୁଣ୍ଢେଇ ହଉଚି । ସିଏ କେମିତିକା ପାଠ ପଡ଼ିଚନ୍ତି ଆମେ ଜାଣିନୁଁ । ଏଇ ଧର ଚାଷ ବଢ଼େଇବାକୁ ଆସୁଚନ୍ତି । କି ହୋ ଆମ ଚଉଦପୁରୁଷ ତ ଚାଷକରି ଖାଇଲେ; ଆଉ ତମେ ଚାଷ ବଢ଼େଇବ କ’ଣ ? ଏଇ ନମ୍ୱା ନମ୍ୱା ପେଣ୍ଟକୁ ଟେକି ଟେକି ବିଲ ଭିତରକୁ ପଶୁଥେବ କାଳେ ଧୂଳି ନାଗିବ ବୋଲି ! ହିଡ଼ ଉପରେ ରୁମାଲ ଦେଇ ବସୁଥେବେ, ଆଉ ଚାଷ ବଢ଼େଇବେ ପାଠପଢ଼ି, ଆମେ ଶିଖିବୁ ?

 

‘ମୋଟେ ଦରକାର ନାଇଁ ନାଁ...ବରଂ ପାଠଶାଠ ପାଇଁ ଗାଳି ମାଡ଼ଖାଇ ପିଲା ହାରିଯିବ-।’

 

ସତକୁ ସତ ସେଇ ଦିନଠାରୁ ଆଉ କେବେ ମାଳତୀ ମୁଣ୍ଡରେ ପୂରାଏ ନି ପାଠପଢ଼ା କଥା । ହଁ, କ’ଣ ହବ ପାଠପଢ଼ି ? ବରଂ ଯେତିକି ପାଠ ହବ ସେତିକି ଓଳିଆ ଧରିବେ... ।

 

ସେଇ ଦିନଠୁ ଆଉ ପାଠପଢ଼ା କଥରେ ସେ କେବେ ମୁଣ୍ଡ ପୂରାଏନି । ସେ ଦୁହିଙ୍କର ଯେତେବେଳେ ଇଚ୍ଛା ହୁଏ ସେତେବେଳେ ସେମାନେ ଇସ୍କୁଲ ଯାନ୍ତି । ଯେତେବେଳେ ମନ ହୁଏ ନ ସେତେବେଳେ ସେମାନେ ଯା’ନ୍ତିନି । ଖାଇପିଇ ଖେଳିବା ହେଲା ତାଙ୍କର କାମ ।

 

ଦିନ ଯାଏ, ରାତି ଆସେ । ରାତି ଯାଏ, ଦିନ ଆସେ । ସେମିତି କାଲି ଭଳି ଆଜି ବି କଟେ । ନୂଆ ପୁରୁଣା କିଛି ନାହିଁ; ଠିକ୍‌ଯେମିତି ଝରଣାର ଜଳ ।

 

ଏଇ ହେଲ ଝୁନିୟାଁ । ଆଉ ବାଜିଆଙ୍କ ଇତିହାସରୁ କେତୋଟି ।

 

ପହଞ୍ଚିଗଲେଣି ଝୁନିୟାଁ ଆଉ ବାଜିଆ ପ୍ରାୟ ତାଙ୍କର ସେଇ ଖେଳ ବରଗଛର ପାଖାପାଖି । ଆଗରେ ବାଉଁଶ ବତାଟା ଟିପିଗଲା ପରେ ଲମ୍ବା ପଡ଼ିଆଟା । ତାକୁ ଟପିଗଲେ ସେଇ ବରଗଛ । ହଠାତ୍‌ ଚାଲୁ ଚାଲୁ ଥମିଗଲା ବାଜିଆ । ଫୁଲ ବୋଝଟା ରଖି ଦେଇ ଦଉଡ଼ିଲା ସେ ଚମ୍ପାଗଛ ମୂଳକୁ । ଏକା ଖେପାକେ ଚଢ଼ିଗଲା ଉପରକୁ । ଫୁଲଗୁଡ଼ା ନେସି ହେଇ ରାସ୍ତା ଫଟଉଚି ମହକରେ । ଯାଇଁ ପୁଳାଏ ଫୁଲ ତୋଳିଆଣିଲା । ଝୁନିୟାଁ ଚାହିଁଥାଏ । ଆଜି ତା’ର କେତେ ଯେ ଫୁଲ ସୁମାରି ନାହିଁ । ଫୁଲତକ ଗାମୁଛାରେ ରଖି ଦି’ତିନିଟା ବଡ଼ ଫୁଲ ହାତରେ ଧରି ଚାରିଆଡ଼କୁ ଚାହିଁଲା ବାଜିଆ । ହଠାତ୍‌ ତା’ ଆଖିରେ ପଡ଼ିଲା ତୁଳସୀ ଚଉଁରାଟା ପାଖରେ ଦୁଲ୍ଲଭା ଗଛଟାଏ । ଦଉଡ଼ିଯାଇ ଭାଙ୍ଗିଆଣିଲା କେନା ଖଣ୍ଡେ । ତାକୁ ଫୁଲ ସାଙ୍ଗରେ ଏକାଠି ଧରି କହିଲା–

 

‘ବୁଲିକୁ ସିଆଡ଼କୁ......’

 

‘କାଇଁକି ?’

 

‘ଓହୋଃ ........ବୁଲ୍‌ ନାଁ କହୁଚି’....

 

ସୁଧାର ପିଲାଟି ଭଳି ବୁଲିଗଲା ଝୁନିୟାଁ । ବାଜିଆ ପୁଳାକ ଯାକ ଫୁଲ ତା’ର କୁନି ବେଣୀଟିରେ ଖୋସିଦେଇ କହିଲେ–

 

‘ସୁଁ ସୁଁ ହଉଥେଲୁ ପରା !ତୋ ମୁଣ୍ଡରେ ଫୁଲ ନ ଥେଲା ବୋଲି ! ଦେଖ୍‌ କେମିତି ଦେଖାଯାଉଚି । ଆଲୋ ! ବଡ଼ ମୁଣ୍ଡ ପାଇଁ ବଡ଼ ଫୁଲ । ଟିକିମୁଣ୍ଡ ପାଇଁ ଟିକି ଫୁଲ । ସେମାନଙ୍କର ବଡ଼ ବଡ଼ ଖେସା–ବହୁତ୍‌ ବହୁତ୍‌ ବାଳ । ତାଙ୍କ ପାଇଁ ବଡ଼ ଫୁଲଟାଏ । ତୋର କୁନି ବେଣୀଟିଏ । ତା’ଦହିରେ ଏ କୁନି ଫୁଲ । ସେଗୁଡ଼ା କ’ଣ ତୋ ମୁଣ୍ଡରେ ରହିବ ? ହେଲେ, ୟା’ବାସନା ଭାରି ବଢ଼ିଆ ।’

 

ତୁନି ହୋଇ ଠିଆ ହୋଇଥାଏ ଝୁନିୟାଁ ।’ତା’ ବାଜିଆଇ କହୁଚି ଭଲ ଦୁଉଚି ତା’ ମୁଣ୍ଡକୁ ସେ ଫୁଲ । ହେଲେ, କେମିତି ଦେଖିବ ସେ ? ହଁ କ’ଣ ହବ ଦେଖି । ବାଜିଆଇ ତ ଭଲ କହୁଚି । ଭଲ ହେଇଥିବ ନିଶ୍ଚୟ ।

 

‘ସତେ ଲୋ ଝୁନିୟାଁ । ଆଜି ତୁ ଗୋଟିଏ କନିଆଁ ଭଳି ଦୁଉଚୁ ?

 

ଏ ଅପ୍ରାପ୍ତବୟସ୍କ କବି ଭଳିଆ ବର୍ଣ୍ଣନା କରିବାକୁ ଭାଷା ନ ପାଇ ଏମିତି ପଦେ କହିଦେଲା ବାଜିଆ ତା’ର ଜ୍ଞାନର ଗାରିମା ଦେଖାଇ ।

 

‘ଅ’......

 

ଲାଜକଲା ଝୁନିୟାଁ । ଇଚ୍ଛା ହେଲା ତା’ର–କହିବ ତାକୁ ‘ତୁ ଗୋଟାଏ ବର ଭଳିଆ ଦୁଉଚୁ ।’ ହେଲେ, କହିବା ଆଗରୁ ସେ ଚାହିଁଲା ନିଜକୁ । ସେ ଫ୍ରକ୍‌ ପିନ୍ଧିଚି, ପେଣ୍ଟ ପିନ୍ଧିଚି ଆଉ ମୁଣ୍ଡ ବାନ୍ଧିଚି । ପରେ ବେଣୀରେ ଫୁଲ ଖୋସା ହେଇଚି । ସେଥିପାଇଁ ସିନା କନିଆଁ ଭଳି ଦିଶୁଥିବ-। ହେଲେ ବାଜିଆ ? ତା’ର ତ ଖାଲି ପେଣ୍ଟଟା । ଗାମୁଛା ଖଣ୍ଡକ ଦିହରେ ପଳେଇଥିଲା ଯେ ସେ ବି କାନ୍ଧରେ ନାହିଁ । ଓଦା ହେଇଚି । ଆଉ ମୁଣ୍ଡଟା ତ ଗାଧେଇ ସାରିଲା ପରେ କୁଣ୍ଡେଇ ନି ଯେ ବାଳଗୁଡ଼ାକ ଉଡ଼ୁଚି । ତା’ଦିହରେ ବି ଫୁଲ ନାହିଁ । ତା’ହେଲେ ସେ କେମିତି ବର ଭଳିଆ ଦୁଶିବ ଯେ ! ସେଇ ପାଇଁ ସେ ଆଉ କିଛି କହିଲା ନି । ପୁଣି ସେ ଦୁହେଁ ଚାଲିଲେ ।

 

ସେଇ ଗଛମୂଳେ ଯାଇ ପହଞ୍ଚିଲେ । ଲିପା ହେଇଥିବା ଅରାଟା ବେଶ୍‌ ଶୁଖିଗଲାଣି । ଭାରି ସୁନ୍ଦର ଦେଖାଯାଉଚି ସେ ଯାଗାଟା । ଆଉ ତା’ ପାଖରେ ସେ ଘରଟା । ଝରଟା ମାଡ଼ି ଆସିଲାଣି ସେ ଅରାଟାକୁ । ତଥାପି ଟାଣ ଲାଗୁନାଇ ପାଗଟା କୋହଲା ଯୋଗୁଁ । ଗଛ–ସନ୍ଧିରୁ ସେ ଫୁଲ ଭୋଗେଇ ଆଣି ତା’ ଦେହରେ ଚମ୍ପା ଫୁଲତକ ଅଜାଡ଼ିଲା । କଇଁଫୁଲ ଗୁଡ଼ା ରଖିହବ ନି ତ ସେଥିରେ । ତାକୁ ବିଡ଼ାଛାଏଁ ସେମିତି ନକେଇ ଦେଲା ସେ ଗଛର ଡାଳରେ !

 

‘ଆଲୋ ଝୁନିୟାଁ ! ତୁ ଏ ଫୁଲଗୁଡ଼ାକ ସବୁ ବସି ଗୁନ୍ତୁଥା । ମୁଁ ଯାଏଁ ମୋ ବାକ୍ସଟା ନେଇଆସେ ।

 

‘ହଉ’ବୋଲି ମୁଣ୍ଡ ଟୁଙ୍ଗାରିଲା ଝୁନିୟାଁ । ଚାଲି ଯାଉଥେଲା ବାଜିଆ । ଖଣ୍ଡେ ଦୂର ଯାଇଚି କି ନାଇଁ, ମନେପଡ଼ିଲା ତା’ର ଗୁଞ୍ଜରପୋକ କଥା ।

 

ଦଉଡ଼ି ଆସିଲା ଫେରିପଡ଼ି ସେ ଗଛ ପାଖକୁ ।

 

‘ଆଲୋ, ସେ ଯୋଉ ଗୁଞ୍ଜରପୋକ ଦି’ଟା କାଲି ରଖା ହୋଇଥିଲା ?’

 

ଝୁନିୟାଁର ବି ମନେ ପଡ଼ିଲା–ଆରେ ସେ ତ ! ଏକଦମ୍‌ ଭଲପାଇଚି ।

 

ଭାରି ସଉକିଆ ଜିନିଷଟାଏ ଝୁନିୟାଁର ସେଇ ଗୁଞ୍ଜରପୋକ । ସେଥିରୁ ଗୋଟାଏ ପାଇଲେ ଝୁନିୟାଁ ଖାଇବା ପିଇବା ଭୁଲଯିବ । ସେଇଥପାଇଁ ବାଜିଆ ଗଛ ପତର ସନ୍ଧିରୁ ଗୁଞ୍ଜରପୋକ ଖୋଜି ଧରିବାଟାକୁ ଗୋଟାଏ ସଉକିଆ କର୍ତ୍ତବ୍ୟ ବୋଲି ଧରିନେଇଚି । ଏ ଗଛୁ ସେ ଗଛ ଛକି ଛକି ପତର ଡାଳକୁ ଡାଳ ଖୋଜି ସେ ଯେତେବେଳେ ଗୁଞ୍ଜରପୋକଟାଏ ପାଏ...ଆଃ ! ତା’ ଆନନ୍ଦ ଦେଖେ କିଏ ! ଦି’ରକମର ସେ ପୋକ ଭିତରୁ ନାଲିଟା ଏତେ ଭଲ ଦିଶେ ନାଇଁ । ହେଲେ, ଗାଢ଼ ନେଳି ଯୋଉଟା–କି ବଢ଼ିଆ ଦିଶେ ! ପତର ନେଳିର ଚିକ୍କଣ ରେଶମୀ କନା ଖଣ୍ଡକରେ ଯେମିତି ତା’ ଡେଣାଗୁଡ଼ା ତିଆରି । ସେଗୁଡ଼ା ବି ଭଲ ଉଡ଼ନ୍ତି । ବେକରେ ତା’ର ଲମ୍ବ ସୂତାଖଣ୍ଡେ ବାନ୍ଧି ଦେଇ କାନଶିରୀ ପତର ଦି’ଟା ଖୋଇ ଦେଇ ସାରିଲା ପରେ ଟିକେ ଝିଙ୍କା ମାରିଦେଲେ ସେ ଯେମିତି ଭଁ ଭଁ କରି ଚକ୍‌କର କାଟି ଉଡ଼ନ୍ତି ନାଁ....ସେଥିରେ କି ଭୋକ ନାଗିବ ? ସେଇଥିରୁ ତିନିଟା ଧରିଥେଲା ପଅରିଦିନ ବାଜିଆ, ଗୋଟିଏ କାଲି ମରିଯାଇଥେଲା । ଆର ଦି’ଟାଙ୍କୁ ପତର ଠୋଲାଟାଏ କଣ୍ଠ ତା’ ତଳେ ଉପରେ କାନଶିରୀ ପତର ପାରି ପୁଡ଼ାକରି ରଖିଦେଇ ଯାଇଥଲେ ଦୁହେଁ ଯାକ ଗୋଟାଏ ଗଛ ସନ୍ଧିରେ । ଆଉ ଯୋଉଟା ମରିଗଲା କାଲି ସେଇଟା ଗୋଟାଏ ପିମ୍ପୁଡ଼ି ଧାର ମୁହଁରେ ଦିଆଯାଇଚି । ତା’ ଦିହରେ ପିମ୍ପୁଡ଼ି ନାଗି ତା’ ଭିତରୁ ମାଉଁସଗୁଡ଼ା ଖାଇଦେଲେ ଯୋଉ ଉପରର ଖାଲି ଖୋଲଟାଏ ରହିଯାଏ, ସେଇ ଗୋଟାକ ଦରକାର । କାଇଁକିନାଁ ସେ ପରକୁ କାଟି, କାଟି ଖଣ୍ଡ ଖଣ୍ଡ କରି ମୁଣ୍ଡରେ ଟିକିଲି କରନ୍ତି । ଭାରି ବଢ଼ିଆ ଦିଶେ ସେଗୁଡ଼ାକ; ବାଜିଆ ଜାଣିଚି ।

 

ଗଛ କୋରଡ଼ରୁ ଆଣି ଦେଖିଲା, ପତର ଠୋଲା ଉପରେ ଦିଟାଯାକ ଗୋଡ଼ ରାମ୍ପୁ ରାମ୍ପୁ କରୁଚନ୍ତି । ତାକୁ ପୁଣି ରଖିଦେଇ ତଳେ । ସୂତାରେ ସେଗୁଡ଼ା ବନ୍ଧାହବ ଏଇକ୍ଷଣି । ତା’ ପରେ ଦି’ହେଁ ଗଲେ ସେ ଆର ପୋକଟା ପାଖକୁ । ସତକୁ ସତ ପିମ୍ପୁଡ଼ିଧାର ନାଗି ସଫା କରିଦେଇଚନ୍ତି ଖୋଳଟାକୁ । ଝାଡ଼ିକରି ନେଇ ଆସିଲେ ସେ ଦି’ହେଁ । ଝୁନିୟାଁ ହାତକୁ ବଢ଼େଇ ଦେଉ ଦଉ କହିଲା ବାଜିଆ–

 

‘ୟାକୁ ଥିର୍‌କରି ଆସ୍ତେ ଆସ୍ତେ ତା’ ପର ଭାଙ୍ଗି ଗୋଟଶ ଗୋଟା କରି ରଖିଥବୁ; ମୁଁ ଆସିଲେ ଗହଣା ତିଆରି କରିବି ।’’ହଉ’କହି ବାଜିଆ ପଛେ ପଛେ ଚାଲୁ ଚାଲୁ ଝୁନିୟାଁ ନିଜ ପାରିବାରପଣିଆ ଦେଖେଇ ଗୋଟିଏ ପର ଛିଡ଼େଇ ଦେଲା । ଗୋଟିଏ ଛିଡ଼େଇ ଆରଟା ଛିଡ଼େଇଲାବେଳକୁ ରଚ୍‌କରି ଖଣ୍ଡେପର ଅଗରୁ ଭାଙ୍ଗିଗଲା ଅଜାଣତରେ ତା’ ପାଟିରୁ ବାହାରି ପଡ଼ିଲା.....

 

‘ଯା’.......

 

‘କ’ଣ ହେଲା......... ?

 

ବାଜିଆ ବୁଲିପଡ଼ିଲା ।

 

‘ଗଲା, ଭାଙ୍ଗିଗଲା ? ହଉ ହଉ ବେଶି ଭାଙ୍ଗିନି, ଏଇ ଟିକିଏ । ଆଉ ଭାଙ୍ଗିବୁନି ।’

 

ଗୋଟାଏ ପରର ଅଗରୁ ତିନିକୋଣିଆ ହେଇ ଟିକିଏ ଭାଙ୍ଗିଯାଇଚି । ସେଇ ଖଣ୍ଡକ ନିଜ ହାତରେ ଧରି ବାଜିଆ ସେ ଗଛମୂଳେ ଯେମିତି କ’ଣ୍‌ ଖୋଜି ବସିଲା ।

 

‘ଯାଉନୁ ଜଲ୍‌ଦି ଆସିବୁ; ବାକ୍ସ ନେଇ ପରା......

 

ହେଲେ, ବାଜିଆ କ’ଣ ଟାଏ ଖୋଜୁଚି । ହଠାତ୍‌ ତା’ ଆଖି ପଡ଼ିଲା ଗୋଜିଆ ଡେଣୁଆଟା ଉପରେ । ଯାଇ ତାକୁ ଗେଟାଇ ଆଣି ଗଛ ଗଣ୍ଡିଟାରେ ଗୋବେ ମାରିଲା ସୁବିଧା ଜାଗା ଦେଖି । ଟିକେ ପରେ ସେ ଛେଚରା ଜାଗାରୁ ଚିମୁଟେ କ୍ଷୀରଝରି ଆସିଲା । ତାକୁ ଟିପରେ ଦେଇ ସେ ଭାଙ୍ଗି ଯାଇଥିବା ଗୁଞ୍ଜରପୋକ ଡେଣା ପଛଆଡ଼େ ଲଗେଇ ଦେଇ କହିଲା–

 

‘ଦେଖ......ତୋ ମୁଁଣ୍ଡ ଦେଖା........’

 

ଝୁନିୟାଁ । ବୁଝିପାରିଲା । ଆଉ କିଛି ଆପତ୍ତି ନ କରି ଥିର୍‌କରି ଠିଆହେଲା । ତା’ କପାଲ ଉପରକୁ ଝୁଲି ପଡ଼ୁଥିବା ଚୁନି ଚୁନି ଅଲରା କେରାକୁ କପାଳ ଉପରୁ ଘୁଞ୍ଚେଇବାକୁ ଚେଷ୍ଟାକଲା । ହେଲେ, ସେଗୁଡ଼ା ପୁଣି ବେଶି ଅଲରା ହେଇ ସେଇଠି ପଡ଼ିଲା । ବହୁତ କଷ୍ଟରେ ସେଠୁ ଅଡ଼େଇ କରି ଟିପାଟା ମାରିଦେଇ ବାଁ ହାତ ତାଳୁ ଉପରୁ ଛାଡ଼ିଦେଲା ମାତ୍ରେ ପୁଣି ମେଞ୍ଚାଏ ଝୁଲିପଡ଼ିଲା । ଚିଡ଼ିଯାଇ ସରୁ ଚାପୁଡ଼ାଏ ଝୁନିୟାଁ ଗାଲରେ ମାରି କହିଲା–

 

‘ବାଳଗୁଡ଼ାକ ତ ସବୁ ଅଲରା; ଆଉ କେମିତି ଭଲ ଦୁଶିବ ? ଏଇ ଆଗ ବାଳଗୁଡ଼ାକ ଏତେ ଟିକି ଟିକି କାଇଁକି ? ତୋର ସକାଶେ । ଯେତେ କହିଲି ସେଗୁଡ଼ା ପେଡ଼୍‌ନାଁ, ମୋ କଥା ତ ଶୁଣାବୁନି । ଆଉ ସେଗୁଡ଼ାକ ବେଣୀରେ ସଜାଡ଼ି ହେଇ ରହିବ କେମିତି ? ଖୁଡ଼ି ସିନା ଟାଣି ଟାଣି କରି ତେଲ ନଗେଇ ବାନ୍ଧି ଦେଇଚି; ହେଲେ, ସେଗୁଡ଼ା ଉଲୁରି ପଡ଼ିବ । ଭଲ ହେଇଚି ଯେ....ଯେତେ ଦିନ ଯାକେ ସେମିତି ପୋଡ଼ି ପକାଉଥବୁ ଏଗୁଡ଼ାକ–ଜମ୍ମା ଭଲ ଦେଖାଯିବ ନାଇଁ ।

 

ଚାପୁଡ଼ା ଖାଇ ଅଭିମାନ ବଦଳରେ ଫିକ୍‌କରି ହସିଦେଲା ଝୁନିୟାଁ । ଏଇ କଥାଟା ପାଇଁ ତା’ ବାଜିଆଇ ଠଉଁ ଏମିତି ମାଡ ଖାଇବାଟା ତା’ର ନୂଆ କଥା ନୁହେଁ । ଭାରି ବଦ୍‌ପ୍ରକୃତି ଝୁନିୟାଁର ଏଇଟା । ପାଠପଢ଼ି ବସିଲାବେଳେ ଡିବିରି ନିଆଁରେ ବହିକୁ ନଇଁ ପଡ଼ୁ ପଡ଼ୁ ସାମନରୁ କେରା କେରା ବାଳଟାଣି ତା’ର ଅଗକୁ ପୋଡ଼ିପକାଏ । ଚଡ଼ ଚଡ଼ ହୋଇ ପୋଡ଼ିଯାଏ ଯେମିତି, ଆଉ ତା’ର ପୋଡ଼ା ଗନ୍ଧଟା ବି କାଇଁକି ଭାରି ଭଲ ଲାଗେ ଝୁନିୟାକୁ । ସେଇଥିପାଇଁ ବାଜିଆ ଯେତେ ଆକଟ କରି ରାଗିଲେ ସୁଦ୍ଧା ବେଳେ ବେଳେ ସେତକ ଭୁଲିଯାଏ ସେ । ଅବଶ୍ୟ ଏଇନେ ଆଉ ସେତେ ନାଇଁ । କେତେବେଳେ କେମିତି । ନ ହେଲେ ବାଜିଆଇ ରାଗରେ କଥା କହିବ ଯେ....

 

ବାଜିଆ ଦୂରରେ ହେଲାଣି ଯାଇଁ । ବାକ୍ସ ଆଣିବାକୁ ଯାଇଚି ।

 

‘ଫୁଲ ଭୋଗେଇକୁ ଧରି ଗୁନ୍ଥିବାକୁ ବସିଲା ଝୁନିୟାଁ । ଭୋଗେଇ ଉପରକୁ ଛୁଞ୍ଚି ଗୁଞ୍ଜା ହେଇଚି ! ଆଉ ଭୋଗେଇ ଦେହରେ ଗୁଡ଼ାହେଇଚି ଖଣ୍ଡ ସରୁ କନାଧଡ଼ି । ସେଇଥିରୁ ସୂତା’ ବାହାର କରି ଝୁନିୟାଁ ଗୁନ୍ଥି ବସିଲା ! ଛୋଟ ଛୋଟ ମାଳ କେଇଟି ଗୁନ୍ଥି ଦେଲା ଆଗ କରି । ତା’ପରେ କଇଁଫୁଲ ଡଙ୍କକୁ ଭାଙ୍ଗି ଭାଙ୍ଗି ଜଞ୍ଜିର କରି ସେ ଘରେ ଚାରିକଡ଼ ଯାକ ନଟ୍‌କେଇ ଦେଲା-। ସବୁ ସରିଲା ପରେ ଗଣିଗଲା । ମନେ ମନେ କେଇଟା ମାଳ ଦରକାର । ଠିକ୍‌ ସେତିକି ହେଇଗଲା ପରେ ଦେଖିଲେ ଆହୁରି ଅନେକ ଫୁଲ ବଳିଚି । ଖାଲି ଏମିତି ରହିଲେ ତୁଛାଟାକୁ ଝାଉଁଳି ଯିବ । ହଠାତ୍‌ ତା’ର ମନେପଡ଼ିଲା–ବାଜିଆଇ ତାକୁ କହୁଥେଲା ‘କନିଆଁ ଭଳିଆ ଦୁଉଚୁ’ବୋଲି । ହେଲେ, ସେ’ତ କହିପାରିଲା ନି କାଇଁକି ନା ବର ହେଲା ଭଳିଆ ବାଜିଆ ଦିହରେ କିଛି ନ ଥେଲା । ବେଶ୍‌ତ ! ଏଥରକ.... ।

 

‘ତୁ ଟା ନିପଟ ହୁଣ୍ଡିଟାଏ ବୁଝିଲୁ–ତୋ ଦେଇ କିଛି ହବ ନାଇଁ । ଅନେଇଲା ପଛକୁ ଝୁନିୟାଁ । ବାଜିଆଇ ଆଇଲାଣି କେତେବେଳେ । ସେ ଫୁଲ ଗୁନ୍ଥୁଚି ଜାଣି ପାରିନାଇଁ । ବାଜିଆ ବାକ୍ସଟାକୁ ଥୋଇଦେଇ ପୁଣି କହିଲା,

 

‘ଆରେ ବର–କନିଆଁ ତ ଜମା ଏଡ଼ିକି ଏଡ଼ିକି ଆଉ ତୁ ହାତେ ଲମ୍ବାର ଫୁଲମାଳକୁ ଗୁନ୍ଥୁଚୁ ? ତାକୁ ମଝିରୁ ଛିଣ୍ଡେଇ ଛୋଟ ଛୋଟ କରି ଦେ !’

 

‘ବରକନିଆଁର ପର ଗୁନ୍ଥି ସାରିଲାଣି ?

 

‘ଆଉ ଏଇ କ’ଣ ପାଇଁ ଗୁନ୍ଥୁଚୁ ?’

 

ଗୋଟାଏ କେମିତି ଅଖଞ୍ଜିଆ ଲାଗିଲା ଝୁନିୟାଁକୁ । କେମିତି ୟା’ର ଉତ୍ତର ଦବ ସେ । ନ ଦେଲେ ତ ସେମିତି ଫଟେଇ ହଉଥିବ ବାଜିଆଇ । କ’ଣ କହିବ ? କହିଦବ ତ–ତୋ ପାଇଁ ବୋଲି ? ହେଲେ, ସେ ଯଦି ପଚାରିବ ମୋର କ’ଣ ହବ ? ..... ତା’ ? ହେଲେ ତ ସେ ଜମ୍ମା କହିପାରିବ ନାଇଁ ଯେ ତୁ ବର ଭଳିଆ ଦେଖାଯିବୁ ବୋଲି’’ ।

 

‘କଲେ, ଏଇ କ’ଣ ପାଇଁ କରୁଚୁ ?’

 

ଛାତିଟା କେଜାଣି କାଇଁକି ଦପ୍‌ଦପ୍‌ ହେଲା ଝୁନିୟାଁର । କିଛି ନ ବୁଝିବିତାକୁ ଅଡ଼ୁଆ ନାଗିଲା । କ’ଣ କହିବ ସେ ? ଭଗବାନ୍‌ ! ଯେମିତି ଶୂନ୍ୟବାଣୀ ହୁଏ, କେହି କହିବାକୁ ପଡ଼େନାଇଁ ସେମିତି ତା’ କଥାଗୁଡ଼ାକ ଶୁନ୍ୟବାଣୀ ହେଇ ବାଜିଆଇ କାନରେ ପଡ଼ିଯାନ୍ତା କି ତାକୁ ଆଉ କହିବାକୁ ପଡ଼ନ୍ତାନି । କେତେବେଳକେ ଦମ୍ଭଧରି କହିଦେଲା–

 

‘ତୁ ଟିକିଏ ଆଖି ବୁଜ୍ ତ’....

 

‘କାଇଁକି ?’

 

‘ବୁଜ୍‌ ନାଁ....ସେତେବେଳକୁ ଗଣ୍ଠି ପକେଇ ସାରିଥିଲି ଝୁନିୟାଁ ସେ ମାଳରେ । ମାଳର ମଝିରେ କଇଁଫୁଲର ଗୋଟାଏ ଝୁମ୍ପା ।

 

ଆଖି ବୁଜିଲା ବାଜିଆ । ଜୀବନ ବିକଳରେ ଲାଜ ଲାଜ ହେଇ ବାଜିଆ ବେକରେ ସେଇଟାକୁ ଗଳେଇ ଦେଇ ଦୋଷୀଟାଏ ଭଳିଆ ବସିପଡ଼ିଲା ଝୁନିୟାଁ । ବାଜିଆ ଦେଖିଲା–ତାରି ବେକରେ ହାରଟା ।

 

‘ଓ ! ଏଇଟା ମୋ ପାଇଁ ଗୁନ୍ଥିଚୁ ? ହେଲେ, ମୁଁ କାଇଁକି ପିନ୍ଧିବି ଯେ ?’

 

‘ତୁ ବର ଭଳିଆ ଦୁଶୁଚଚୁ–’

 

ସେମିତି ଲାଜ ଲାଜ ମୁହଁରେ କହିଲା ଝୁନିୟାଁ । ହେଲେ, ବାଜିଆର ତ ମନେ ନାହିଁ ସେଇ ବାଦୀ ପ୍ରତିବାଦ କଥା–ସେ ତାକୁ ଝୁନିଆଁ କହିଥେଲା ବୋଲି ଇଏ ତାକୁ ବର କହି ଶୁଝୋଉି-। ସେ ସେମିତି ହାଲ୍‌କା ଭାବରେ କଥାକୁ ନେଇ କହିଲା–

 

‘ଆଲୋ, ତୁଟା ନପଟ । ମୁଁ କ’ଣ ବାହା ହଉଚି.....ବର ହେବି ? ମୁଁ ପରା ବୁଢ଼ା ହେଇ ଗଲିଣି; ଏଇନେ ବରର ବାପ । ମୋ ପୁଅ ସିନା ପିନ୍ଧିବା କଥା । ଏତିକି କହି କଣ୍ଢେଇଗୁଡ଼ା କାଠ ବାକ୍ସରୁ ଖୋଲିବା ଆରମ୍ଭ କଲା ବାଜିଆ । ବେକରେ ସେମିତି ମାଳ ପଡ଼ିଥାଏ । ପଡ଼ିଦେଲେ କାଲେ ଝୁନିୟାଁର ମନ ଖରାପ ହବ । ଦିହେଁ ମିଶି ଗଲେ କଣ୍ଢେଇ ସଜେଇବାକୁ । ଗାଁ ମେଲଣରୁ କିଣା ହେଇଥିଲା । ଏ କଣ୍ଢେଇ ଦି’ଟା । ଗୋଟାଏ ପୁଅ ଆଉ ଗୋଟାଏ ଝୁଅ । ଝୁନିୟାଁର ଝୁଅ ଆଉ ବାଜିଆର ପୁଅ ।

 

ଲାଗିପାତି ତାଙ୍କର ଫୁଲ ପିନ୍ଧେଇ ଦେଲେ ଆଉ ପାଟ କନାର ଲୁଗା ପିନ୍ଧେଇ ଦେଲେ ଦୁହେଁଯାକ । ସେଇ ଗୁଞ୍ଜରପୋକର ପର ନେଇ ଛୋଟ ଛୋଟ ଟୀକା, ସିନ୍ଥି ସବୁ ଗଡ଼ିଦେଲା । ବାଜିଆ ତା’ପରେ ଯାଇ ଘରଟାକୁ ଦେଖି ଆଇଲା ।

 

ବେଶ୍‌ସଜା ହେଇଚି ଫୁଲରେ । ଏଇଥିପାଇଁ ସେ ଏତେଦିନ ଯାକେ ତା’ ପୁଅକୁ କୁଆଡ଼େ ବାହା ଦଉ ନ ଥେଲା । ଝୁନିୟାଁ ସେମିତି ଲଗେଇଚି ସବୁଦିନ ତା’ ଝିଅପାଇଁ, ହେଲେ ମୋଟେ ସେ ଶୁଣିନି । ସବୁବେଳେ କହେ, ତୋର ତ ଘର ଦୁଆର ନାହିଁ । କ’ଣ ଦେଖି ମୋ ପୁଅକୁ ବାହାଦେବି ? ଯେ ବର ହେଇ ଆସି ବସିବ କୋଉଠି ? ଏମିତି ସବୁଦିନେ ଶୁଣି ଶୁଣି ମନଖରାପ ହେଲା ଯାଇଥେଲା ଝୁନିୟାଁର । ଦିନେ ସେଇ କଥାରେ ତା’ର ବି ରାଗ ଚହଟିଗଲା । କାଇଁ ନ ଚହଟିବ ଯେ–ସାତପୁରୁଷକୁ ବନ୍ଧୁ ବାନ୍ଧିବା କଥା । ହକ୍‌ କହିବାରେ ଏତେ ମୁଖଲଜ୍ଜା କାହିଁକି ? ଏତେ ଉଘାଣ, ଟାପରା ଏଗୁରା ଗୋଟାଏ କ’ଣ ମୁହେଁ ମୁହେଁ ଦିନେ କହିଦେଲା–ହଁ ତୁ ସିନା ଖାଲି ମୋ ଘର ଖୋଜୁଚୁ । ମୋ ଘରଟାରେ–ଖାଲି ଦି’ଘଡ଼ି ବସି ବାହାହେଇ ଚାଲିଯିବାର କଥା । ତା’ପରେ.... ? ତୋ ପୁଅ ନେଇ ମୋ ଝିଅକୁ ରଖିବ କୋଉଠି ? କେଇଟା ଘର ଖାଲି ତୋର ପଚି ସଢ଼ି ଯାଉଚି ? ମୋର ଏତେ ଗେହ୍ଲାର ଝୁଅକୁ ମୁଁ ଘର ନ ଥେଲା ଜାଗାରେ ଦେବି ... ସେ କଥା ହବ ନାଇଁ.... ।

 

ବାଜିଆଟା ଗଣ୍ଡ ହେଲେ କ’ଣ ହବ, ଉଆଜିବ୍‌କଥାଟା ଉପରେ ବିଚାର କରେ । ଏଇ କଥରେ ଆଉ କିଏ ହେଇଥିଲେ ରାଗିଯାଇଥାନ୍ତା–ଯେତେହେଲେ ବରପକ୍ଷ । ସବୁବେଳେ ତାଙ୍କ ମୁଣ୍ଡ ଉଚ୍ଚରେ । ଅଉ କନ୍ୟାପକ୍ଷ ଗୋଟାଏ ଏମିତିକା ଟାଣ ଟାଣ ମରମକଥା କହିଦବ ଆଉ ସେ ସହିବ ? ପୁଣି ଘରଦୁଆର, ମାନ–ଇଜ୍ଜତ୍‌କଥା ଉପରେ..... ? ....ହେଲେ ବାଜିଆ ରାଗିଲା ନାଇଁ । ସେ ଭାବିଲା–

 

‘ସତ କଥା ତ, ବାହାଦେଇ ସାରିଲା ପରେ ଘର ଖଣ୍ଡେ ସିନା ବରପକ୍ଷର ଦରକାର । କନିଆଁ ପକ୍ଷର ନ କିଛି ଦରକାର ନାଇଁ... ? ଗଛମୂଳେ କି ପତର କୁଡ଼ିଆରେ ଦେଦୀ କରିଦେଇ ହାତଗଣ୍ଠି ପକେଇଦେଲେ ବି କଥା ସରିଲା । ତା’ହେଲେ ଝୁନିୟାଁ । ତ ମିଛ କହି ନି । ତା’ପରେ ସେ ଏକ ସର୍ତ୍ତ ବାଢ଼ିଲା ଝୁନିୟାଁ । ପାଖରେ–

 

‘ଦେଖ୍‌ ! ତୋ ଝୁଅ ଅସିବ ମୋ ଘରକୁ । ମୋ ପୁଅ ଯିବ ତୋ ଘରକୁ ବାହା ହେଇ । ଏତେଗୁଡ଼ାଏ କଥାରେ କ’ଣ ଦରକାର ? ବରଂ ତୋର କିଛି ମୋର କିଛି ମିଶେଇ କୋଠା ଘରଟିଏ କରିଦବା । ସେଇଠି ବାହାଘର ବି ହବ, ସେଇଠି ବି ସେମାନେ ରହିବେ । ବାସ୍‌, ପ୍ରସ୍ତାବଟା ଅନୁମୋନିତ ହେଇଗଲା ପରେ ସେ ଘରଟା ତୋଳା ହେଇଚି–କଣ୍ଢେଇଘର । ତା’ରି ସାମନାରେ ଲିପା ହେଇଥିବା ଚକଡ଼ାରେ ବାହାଘର, ଆଉ ସେଇ ବାହାଘର ଆଜି । ଯୋଉଥିପାଇଁ ଏ ଦିହିଁଙ୍କର ତତ୍ପରତା’ ।’

 

ପୁଅ ବୋହୂ ଦିହେଁ ସଜହେଲେ, ଦୂବ ବରକୋଳି ପତର ଅଣଗଲା । ଅରୁଆ ଚାଉଳ ଧାନ କାଲିଠୁ ଘରୁ ଲୁଚା ହେଇ ଆସିଥିଲା । ଛୋଟ ଛୋଟ ପତର ପୁଡ଼ାରେ ବନ୍ଧାହେଇ ଅଛି–ଖୋଲାଗଲା । ଆଉ କିଛି ଦରକାର ନାଇଁ, ଗରିବ ଘର–କାଲିପରା ଦହିଙ୍କର ସେମିତି କଥା ପଡ଼ିଥେଲା । ଝୁନିୟାଁ କହିଲା–

 

‘ବୁଝିଲୁ ନା ବାଜିଆଇ, ଯେତେହେଲେ ବି ତ ମୋର ଗରିବଘର । କ’ଣ ଆଉ ଝିଅକୁ ଦେବି କହିଲୁ ? କିଛି ଦେଇ ପାରିବିନାଇଁ । ଫଳେପୁଷ୍ପେ ଯାହା ଦେବି ସେଥିରେ ଯେମିତି ତୋର ଅଶାନ୍ତି ନ ହୁଏ । ଆଉ ଘରକୁ ତ ମୁଁ ଏକଲା ମଣିଷ– ଦୀପ, ଦୀପରୁଖ, କଳସ, ନଡ଼ିଆ । ଏମିତି ଯେତେ ଦରବ ମୋ ହାତ ପାଆନ୍ତାରେ ନାଇଁ ସେଗୁଡ଼ା ଅଉ କୋଉଠୁ ଆଣିବି କହିଲୁ.... ?’

 

ବାଜିଆ ବି ସେଇ କଥାରେ ସମ୍ମତି ଦେଇ କହିଥିଲା–’ଆଲୋ, ତୁ ବେସ୍ତ କାହିଁକି ହଉଚୁ-? ତୁ ଏକଲା ମଣିଷ ଆଉ ମୁଁ କ’ଣ୍‌ଦି’ଜଣିଆ ? ମୋର ବି ତ ସେମିତିଆ ବାହାରିଆ କାରବାର-। ସେ ଦୀପ, କଳସ ଏଗୁଡ଼ା କ’ଣ୍‌ହବ ? ମନ୍ତ୍ର ବୋଲି ବାହାଘର ହବ । ତୁ ତ ଗରିବ ବୋଲି କହୁଚୁ ନିଜକୁ, ହେଲେ–ମୁଁ କୋଉ ଏମିତି ବଡ଼ଲୋକ କି......ମୋର, ବି ତ ସେଇ ଗରିବଘର-। କାହାକୁ ଡାକିବା ନାଇଁକି କିଛି କରିବା ନାଇଁ । ସେମିତି ଘରକଥା ଘରେ ଉଠେଇଦବା-

 

ଦିହିଁଙ୍କ ଭିତରେ ତ ବୁଝାମଣା ଠିକ୍‌ଅଛି । ତା’ହେଲେ ଏଇ ଯୋଉ ଜିନିଷ ଗୁଡ଼ାକ ନାଇଁ ସେଥିପାଇଁ ବାଛନ୍ଦ କାହିଁକି ହବ ? ହେଲେ, ହଠାତ୍‌ଦିହିଁଙ୍କ ମୁଣ୍ଡରେ ପଶିଲା ବାହାଘର କରିବ କିଏ-? ବ୍ରାହ୍ମଣଟାଏ ତ ନ ହେଲେ ହବ ନି । ତା’ହେଲେ ତ ବାହାଘର ଅପବିତ୍ର ହେଇଯିବ-। କ’ଣ ଟିକେ ଭାବି ବାଜିଆ ଇଆଡ଼େ ସିଆଡ଼େ ଅନେଇଲା । ଏତିକିବେଳେ ତା’ ଆଖିରେ ପଡ଼ିଲା ଭୋବନି ଅଜା ଯାଉଚି ଗାଧୋଇବାକୁ ।

 

ଭୋବନି ଅଜା, ଗାଁର ଛୁଆଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଅଜା ବୋଲି ଡାକି ଆସିଚନ୍ତି କାହଁକି, ତା’ ଖବର କିଏ ରଖି ନି । କେହି ଜାଣିବାକୁ ଚେଷ୍ଟା କରେ ନି । ସତେ ଯେମିତି ଭୋବନି ଶବ୍ଦ ସାଙ୍ଗରେ ଯୋଗଦେଇ ‘ଅଜା’ଶବ୍ଦ କରି ନି । ଭାବାର୍ଥ ହରେଇ ବସି ଆଉ–ସେ ଅଜାର ଅର୍ଥ ସରୁ ରକମର ସମ୍ପର୍କ ହେଇପାରେ । ବାପ ବି ଡାକେ ଅଜା ପୁଅ ବି ଡାକେ ଅଜା । ପୁଅର ସ୍ତ୍ରୀ ବି ଡାକେ ଅନା ।

 

ଭୋବନି ଅଜାର ବୟସ ପ୍ରାୟ ସତୁରୀ ଟପିଯିବଣି କି କ’ଣ ? ତଥାପି ବୁଢ଼ା ନଇଁ ନାଇଁ, ପାଟିରୁ ତିନି ଭାଗ ଦନ୍ତ ଖସିଗଲାଣି । ଆଉ ଯୋଉ କେଇଟା ଅଛି ସେଗୁଡ଼ା ମାଢ଼ି ସାଙ୍ଗରେ ସମ୍ପର୍କ ତୁଟେଇବାକୁ ବସିଲେଣି । ବଡ଼ଠୁ ସାନ ସମସ୍ତଙ୍କ ସାଙ୍ଗରେ ସେ ଥଟ୍ଟା–ନକଲ ହୁଏ । ସମସ୍ତେ ବି ଆଦର ପାଅନ୍ତି ବୁଢ଼ାକୁ । ଭାରି ଖୋଲା ହୃଦୟ ଲୋକଟାର । କାହାର ଦୁଃଖରେ କିଛି କରିନପାରିଲେ ବି ଆଖି ଛଳ ଛଳ କରିପକେଇବ ନିଶ୍ଚେ । ବସିକରି ଖାଇବା ଆଉ ହରିନାମ ଜପକରିବା ତା’ର ହେଲା କାମ । ତା’ ସୁକୃତରୁ ସେ ସବୁ କମେଇଚି । ପୁଅ, ବୋହୂ, ନାତି, ନାତୁଣୀ-। ଆଉ କେଇଦିନ ଯଦି ଯମରାଜା ଆଖି ବୁଲେଇବେ ତା’ହେଲେ ଅଣନାତି ଦେଖିବା ବି ବେଶି ଦୂରକୁ ନୁହେଁ । ଏ ପର୍ଯ୍ୟନ୍ତ ଯାଉଥେଲା ବୁଢ଼ା ଜମିବାଡ଼ି ଦେଖିବାକୁ । ହେଲେ, ପୁଅ ମନା କରି ଦେଇଚି–

 

ଆଉ ପାରିବ ନାଇଁ ତମେ । କ’ଣ ଦରକାର ଯିବା ତମର ସେଠିକି ? ମୁଁ ତ ଅଛି; ମୋ ହାତକୁ ବଳେଇବ ନାଇଁ । ତମେ ଖାଲି ବସି ବସି ହରିନାମ କର ଆଉ ବିଶ୍ରାମ କର ।’

 

ତା’ପୁଅର ଭାରି ଇଚ୍ଛା କେମିତି ବୁଢ଼ା ନାତି ବାହାଘର ଦେଖିକରି ଯାଉ । କାଳେ ଅବଶୋଷ ରହିଯିବ ! ନାତି ଆସି ସତର କି ଅଠର ବର୍ଷର ଟୋକା ହେଲାଣି । ଆଉ ବର୍ଷେ କି ଦି’ବର୍ଷ ଗଲା ପରେ ସେ ଛନ୍ଦି ଦବ ଭଲଜାଗାଟିଏ ଦେଖି । ବୁଢ଼ା ନିଜ ଝିଅର ବଡ଼ଝୁଅ ବାହାଘରକୁ ଗଲା ସନ ଯାଇଥେଲେ । ହୁଏ ତ ଆଉ କେଇଟା ଦିନେ ଖବର ଆସିବ ବୁଢ଼ାକୁ ଯିବାକୁ ଅଣନାତିଟାଏ ଦେଖିବାକୁ କି କଣ ! ସେଥିପାଇଁ ପୁଅ ଭାରି ହୁସିଆର–ବୁଢ଼ାର ହେପାଜତ୍‌ରେ ଯେମିତି ଟିକେ ଢିଲା ହବନାଇଁ ।

 

ବୁଢ଼ା ଏଇ ପୁଅଟିକୁ ଭାରି ସ୍ନେହ କରେ । ହଁ ନ କରିବ କେମିତି ? ଏଇ ପୁଅଟା ତ ତା’ର କୁଳ ରଖିଲା । ନ ହେଲେ ତ କେଇଦିନ ପରେ ଭୋବନିର ନାଁ ଲୁଚି ଯାଇଥାନ୍ତା । ବେଳେବେଳେ ବୁଡ଼ାର ବଡ଼ପୁଅ କଥା ମନେ ପଡ଼ି ଆଖି କଡ଼ରେ ଟିକେ ଲୁହ ଜକେଇ ଆସେ । କାହା ଆଖିରେ ପଡ଼ିଗଲେ କିଏ ଯଦି କେତେବେଳେ କାଇଁକି ମୁହଁ ଶୁଖେଇଚି ବୋଲି ପଚାରି ଦିଅନ୍ତି ତାହେଲେ ବୁଢ଼ା କହେ–

 

‘ଏଇ ଅର୍ଜୁନା କଥା କାହିଁକି ମନେ ପଡ଼ିଗଲା’ ।

 

ଅର୍ଜୁନା ବୁଢ଼ାର ବଡ଼ପୁଅ–ଆଗ ସ୍ତ୍ରୀର । ତାକୁ ଯେତେବେଳେ ଏଗାର ବର୍ଷ, ଭୋବନି ବୁଢ଼ାର ସ୍ତ୍ରୀ ମଲା । ହେଲେ, ବୁଢ଼ାର ଅୟସୀ କମି ନଥାଏ–ଆଉ ଗୋଟାଏ ଦୂତୀଅ ହେଲା । ଏମିତି ଚାଲିଗଲା କିଛିଦିନ ! ଦ୍ୱିତୀୟ ପକ୍ଷ ସ୍ତ୍ରୀଠଉଁ ଝୁଅଟାଏ ହେଲା ପହଲି କରି ; ସବୁ ସେମିତି ଭଲ ମନ୍ଦ ଚାଲିଥାଏ । ଅର୍ଜୁନାକୁ ଯେତେବେଳେ ଷୋଳ ବର୍ଷ, ସେତେବେଳେ ପୁଣି ପୁଅଟିଏ ହେଲା । ତା’ପରେ ପାଞ୍ଚଟା ବରଷ ଯାଇଚି କି ନାଇଁ, ଅର୍ଜୁନ ଘର ଛାଡ଼ିଲା । ବୁଢ଼ା ଏବେ ବି କହେ, ‘ସେ ଜମ୍ମା ଯାଇନଥାନ୍ତା । ତାକୁ ଏଇ ଭଗାରୀଏ ସବୁ ଶିଖେଇ ତା’ ମୁଣ୍ଡ ଖରାପ କରିଦେଲେ ।’

 

ସମସ୍ତେ କୁଆଡ଼େ ତାକୁ ଶିଖେଇଲେ–ତୋ ସାବତ–ମା’ ତ ବଞ୍ଚିଚି; ତା’ର ପୁଅ ହେଲାଣି । ସବୁତକ ଜମିବାଡ଼ି ତା’ ନାଁରେ କରିଦବ, ଆଉ ଯାହା ଯେମିତି ଝିଅକୁ ଦେଇ ବିଦା କରିଦବ, ତୁଟା ମୂରୁଖଟା କାଇଁ ପଡ଼ିଚୁ ସେ ଘରେ ? ତୋର ଭବିଷ୍ୟତ ପାଇଁ ତୁ କିଛି ଫନ୍ଦି କର ।

 

ଏଇ କଥା ଶୁଣି କୁଆଡ଼େ ଅର୍ଜୁନର ମୁଣ୍ଡ ଗୋଳମାଳିଆ ହେଇଗଲା । ସେତବେଳେ ପାଖଆଖରେ କେଇଟା ନିକର୍ମା ଅଘରୀ ଟୋକା ବାହାରିଥାନ୍ତି କଲିକତା–ଚଟକଳରେ କାମ କରିବାକୁ । ତାଙ୍କର ସଙ୍ଗରେ ଦିନେ କାହାକୁ ନ କହି ନ କରି ପଳେଇଲେ କଲିକତା’ ।

 

ବେଶ୍‌ ! ତା’ପରେ କେଇଟା ଦିନ ଯାଇ ନାଇଁ ଆରମ୍ଭ ହେଲା ହିନ୍ଦୁ-ମୁସଲମାନ ଦଙ୍ଗା ହଙ୍ଗାମା । ସେତିକିବେଳେ କିଏ କେତେ ଯାଇଥିଲେ ତା’ ଭିତରୁ, କେତେ ଫେରିଲେ ନ ଫେରିଲେ; ହେଲେ, ଅର୍ଜୁନ ଆଉ ଫେରିନି । କିଏ ଯଦି କହେ ଯେ ସେ ସେଠି ମରିଯାଇଥିବ ହାଣଖାଇ ବୋଲି ତା’ହେଲେ ବୁଢ଼ା ସାଙ୍ଗେ ସାଙ୍ଗେ ମୁଣ୍ଡ ହଲେଇ ମନା କରିଦିଏ । କୁଆଡ଼େ ସେ ମରିବାର ସୂଚକ କିଛି ନାଇଁ । ଯଦି ସେମିତ କିଛି କାଲି ଘଟିଥାନ୍ତା ତା’ ପୁଅକୁ, ତା’ହେଲେ କୁଆଡ଼େ ବୁଢ଼ାର ନିଶ୍ଚେ ୟାଡ଼େ କିଛି ସୂଚକ ଦେଖା ଯାଇଥାନ୍ତା–ଦେହଟା ଥରିଥାନ୍ତା, ବାଁ ହାତର ବାହୁଟା ଡ଼େଇଁଥାନ୍ତା, ଆଖିରୁ ଲୁହ ଗଡ଼ିଥାନ୍ତା–କିଛି ହେଇନାଇଁ, ଏମିତି କି ବୁଢ଼ାର ଥରେ ବି ବାଁ ଆଖିଟା ଡେଇଁ ନାଇଁ । ତେଣୁ ଏଗୁଡ଼ାକ ଯେତେବେଳେ କିଛି ହେଇନାଇଁ ସେ ଶୂନ୍ୟ ଶୂନ୍ୟ ମରିଯିବ କେମିତି ? ସେଇଠୁ ବୁଢ଼ା କୁହେ ଦେଖିଲା ପରି ଘଟଣାଟିଏ–

 

‘ତମେ ଜମ୍ମା ଜାଣି ନ, ଯେତେବେଳେ ଗଣ୍ଡଗୋଳ ହେଲା–ସେତକିବେଳେ ସେ ଜୀବନ ବିକଳରେ ଜଣଙ୍କ ଘରେ ପଶିଗଲା । ଚଟକଲରେ କାମକରି କିଛି ପଇସା କମେଇଥିଲା । ସେତିକି ପାଖରେ ରଖିଥେଲା କାଳେ ଚୋରୀ ହୋଇଯିବ ବୋଲି । ଯୋଉ ଘରଟାରେ ସେ ପଶିଗଲା ସେଇଟା ସେ ଭାବୁଥେଲା ହିନ୍ଦୁଘର । ହେଲେ, ସେଇ ସତକୁ ସତ ମୁସଲମାନ ଘରଟାଏ । ତା’ ଗିରସ୍ତକୁ କୁଆଡ଼େ ସେଇ ଆଗଦିନ ରାତିରେ ତା’ର ଆଗରେ ହିନ୍ଦୁମାନେ ହାଣି ପକାଇଲେ । ନୂଆ ବାହା ହେଇ ଥେଲା ସେ–ଭାରୀ ମନଦୁଃଖ କରିଥାଏ । ଇଏ ତ ଜୀବନ ବିକଳରେ ପଶିଗଲା । ପଶିଗଲା ପରେ ସେ ଘରକୁ ଆସି ମୁସଲମାନମାନେ ଆକଟ କରିଦେଲେ । କାଇଁକିନା ତାଙ୍କର ଜାତିଭାଇ ଘର । କାଲି ରାତିରେ ମରଦଟାକୁ ହାଣି ଦେଇଚନ୍ତି । ଫେରେ ଆଜି ବି ହାଣିଦେବେ ସେ ତିରିଲାଟାକୁ । ସେଇଥିପାଇଁ । ବାହାରେ ବାହାରେ ଜଗି ରହିଲେ । ତାଙ୍କର ତ ଘରେ ଆଡ଼ହବା ନିୟମ, ତେଣୁ କେହି ଆଉ ଘର ଭିତରକୁ ପଶନ୍ତି ନାଇଁ । ଆଚ୍ଛା... ! ଇଏ ଅର୍ଜୁନି ଯେମିତି ପଶି ଯାଇଚି ସେ ଘର ଭିତରକୁ ସେ ମାଇକିନାଟା ପ୍ରଥମେ ଭାରି ତେଜି ଉଠିଲା । କିନ୍ତୁ ଯେମିତି ଅର୍ଛୁନା ଜାଣିଲା ଯେ ଇଏ ଗୋଟିଏ ମୁସଲମାନ ଘର ତା’ର ଆଉ ବୁଦ୍ଧି ପଇଟିଲେ ନାଇଁ । କହିଲା, ‘ହେ ! ତମେ ପଛେ ସବୁ ତକ ଟଙ୍କା ମୋର ନିଅ, ମତେ ବଞ୍ଚାଅ । ମାଇକିନିଆ ଲୋକ, ତା’ ପରେ ଯବାନ୍‌ ମାଇକିନିଆଟା ହାତରେ ପଇସା ପତର ନ ଥବ । ଏତେଗୁଡ଼ାଏ ପଇସା ଦେଖି ଟିକେ ଲୋଭ ହେଇଥିବ । ସେଇଠୁ ସେ କ’ଣ କଲା ନାଁ–କଥାଟାକୁ ବୁଝିପାଇଁ ତା’ର ଘର ଭିତରେ ତାକୁ ଲୁଚେଇଦେଲା । ରାତିରେ କୁଆଡ଼େ ତାକୁ ତୁନି ତୁନି କରି ପଚାରି ବୁଝିଲା । ସେ ବାହାହେଇଚି କି ନାଇଁ, ଯେତେବେଳେ ଶୁଣିଲା ଯେ ସେ ବାହା ହେଇନାଇଁ ଆଉ ଗାଁକୁ ଫେରିବାକୁ ବି ତା’ର ଆଶାନାହିଁ, ଏଣେ ବେଶ୍ ପାଞ୍ଚ ହାତିଆ ମରଦ । ଗୋରା ତକ୍‌ତକ୍‌ କନ୍ଦର୍ପ ପୁରୁଷ ଭଳିଆ ଦିବ୍ୟ ଚେହେରା–ଦେଲା ଡାକୁ ପାଇଲେ ପକେଇ, ଆଉ ଭାବିଲା ଯେ–ଏକରେ ତ ଗିରସ୍ତ ମରିଚି । ତା’ର ସାହା କେହି ନାହିଁ । ଇଆଡ଼େ ପୁଣି ୟା ପାଖରେ ଏତେ ଟଙ୍କାପଇସା ଅଛି । ବାହା ହେଇ ପଡ଼ିଲେ ଯାଏ । ସେଇଠୁ ଅର୍ଜୁନିକି ସେ ପଚାରିଲା–

‘ଆଚ୍ଛା, ତମେ ଯଦି ମତେ ବାହାହବ କୁହ, ତା’ହେଲେ ମୁଁ ତମକୁ ଏଇଠି ଲୁଚେଇ ରଖିଦେବି । ଆଉ କେହି ପାଇବେ ନାହିଁ ।

ଇଏତ ଏବେ ପ୍ରାଣ ବିକଳରେ ଅଛି । ତା’ପରେ ଖୋଦ୍‌ ତିରିଲାଟା କହୁଚି ତାକୁ ବାହାହବାକୁ । ବଙ୍ଗାଳି ପଠଉଣି ସେ । ନିଜକୁ ଖୁବ୍‌ ଚାକଚକ୍ୟରେ ରଖିଚି । ୟାର ବି ମନ ଭୁଲିଗଲା । ଉଁ ମାରିଦେଲା, ତା’ପରେ ତ ଏ କୁଆଡ଼େ ସେମିତି ଲୁଚିକରି ରହିଲା । ପାଞ୍ଚ ଦିନକାଳ ସେଇ ଘର ଭିତରେ । ତା’ର ଭିତରେ ଭାବ–ପୀରତି ସବୁ ହେଲା । ସେଇଠୁ ଯେମିତି ଟିକେ ଦଙ୍ଗା କମିଚି– ଦିହେଯାକ ପେଡ଼ିପୁଟୁଳା ବାନ୍ଧି ରାତାରାତି ଚମ୍ପଟ । ପଳେଇଗଲେ ଗୋଟାଏ ଦୂର ଦେଶକୁ ଆହୁରି ।

ସେଠୁ ବି କୁଆଡ଼େ ଅର୍ଜୁନ ଚେଷ୍ଟା କରିଥେଲା ଖସିଆସିବ ବୋଲି ସେ ମାଇକିନିଆ କବଳରୁ । ହେଲେ, ମହା ଚାଲାକ୍‌ ମାଇକିନା ସେ । ତାକୁ କାବୁ କରି ରଖିଦେଇଚି କୁଆଡ଼େ । କାରଣ ଏଇ କଥା କହିଲାବେଳେ ଭୋବନି ଅଜା କୁଆଡ଼େ ଗଳା ସଫାକରି କହିଦିଏ ।

 

‘ସେ ନିଶ୍ଚେ ପଳେଇ ଆସିଥାନ୍ତା ! ଅକଳରେ ପଡ଼ି ସିନା ସେ ମାଇକିନିଆଟାକୁ କଥା ଦେଇଦେଲା; ନ ହେଲେ ଖସି ଆସିଥାନ୍ତି । ନିଶ୍ଚେ । କି ହୋ ! ସେ କ’ଣ ଆଉ କାହା ପୁଅ ହେଇଚି-? ଭୋବନି ନନ୍ଦ ପୁଅ ପରା ସିଏ ! ତାକୁ ସେ ତିରିଲାଟା କାବୁକରି ଅକଳରେ ପକେଇ ରଖିଦେଇ ବୋଲି ବାଧ୍ୟରେ ସେ ରହିଚି ନାଁ ! ଆଉ ନେଇ କରି ସେ ବି ଆସିପାରୁ ନାଇଁ । ତା’ ମନରେ ସଂକୋଚ ଗୋଡ଼େଇଚି କାଳେ ମତେ ଗାଁରେ ପୂରେଇବେ ନ ପୂରେଇବେ କାଇଁକି ନା ବଙ୍ଗାଳୀ ପଠଉଣୀ ଟା ନାଁ.... ? ଆପଣା ଭୟ ତାକୁ ଖାଉଚି । ସେଥିପାଇଁ ରହିଚି ଭାଗ୍ୟକୁ ଆଦରି ସିଏ......’

 

ଏଇ କଥା କହ ଆଖିରୁ ଲୁହ ପୋଛେ ବୁଢ଼ା । ଏ କଥାଟା କେହି ଦେଖି ଆସି ତାଙ୍କ ଆଗରେ ବର୍ଣ୍ଣନା କରିନାଇଁ ବା ସେ ବି ନିଜେ ଦେଖି ନାହାନ୍ତି । କୁଆଡ଼େ ଦିନେ ସେ ଭାରି ମନବ୍ୟସ୍ତରେ ଶୋଇଥିଲାବେଳେ ଠାକୁରେ ତାଙ୍କୁ ଏଇଟାକୁ ସ୍ୱପ୍ନ ଆକାରରେ ଦେଖେଇ ଦେଇଚନ୍ତି-

 

ସେଇ ସେ ଭେଳିଅଜା । ଗାଁର ପିଲାଠୁ ବୁଢ଼ା ସମସ୍ତଙ୍କ ସାଙ୍ଗରେ ସମସ୍ତଙ୍କୁ ସୁହାଇଲା ଭଳି ଟାପର୍‌ କରେ । ଗାଁର ସବୁ ପିଲାଙ୍କର ଅନ୍ତତଃ ଗୋଟିଏ ନର୍ଦ୍ଦିଷ୍ଟ ବୟସର ସୀମା ପର୍ଯ୍ୟନ୍ତ ଧାରଣା ଥାଏ ଯେ ଭୋଳିଅଜାର କୁଆଡ଼େ ଦାନ୍ତଗୁଡ଼ା ସବୁ ପୁଣି ଉଠିବ । ଖାଲି ଏଇ କେଇଟା ଦାନ୍ତ ଶୀଘ୍ର, ପଡ଼ୁନାଇଁ ବୋଲି । ଯେଦିନ ପଡ଼ିବ,ସେଇଦିନ ରାତିରେ କୁଆଡ଼େ ନୂଆଦାନ୍ତ ପୁଣି ଗଜା ମାରି ଉଠିବ । ଅନେକ ବି ବିକଳ ହେଇଚନ୍ତି–କେମିତି ଶୀଘ୍ର ସେ ଦାନ୍ତଗୁଡ଼ା ପଡ଼ିଯାନ୍ତା କି ? ନୂଆ ଦାନ୍ତ କେମିତି ବାହାରନ୍ତା ଦେଖନ୍ତେ...... !

 

ଭୋବନିଅଜା ମୁହଁରେ ଜମା ବାଗବାଇଶ ନାଇଁ । ସେଇଥିପାଇଁ ଅଜା ଡାକଟା ହଁ ବେଶ୍‌ ସୁହାଏ । ସମସ୍ତକୁ ବେଶି ସଂସ୍କୃତ ଭାଷାରେ କଥା କହନ୍ତି ସେ । କେହି ଯଦି ଗାଁରୁ ଝୁଅଟାଏ ଦେଖେଇ କରି ଥଟ୍ଟା କରିଦିଏ କି ବୁଢ଼ା ବୋଲି କହିଦିଏ–ତା’ହେଲେ ଭୋବନିଅଜାଙ୍କ ସଂସ୍କୃତ ମୁଣିଟା ଖୋଲିଯାଏ ଯାହାକୁ କି କିଛିଟା ଶୁଦ୍ଧଭାଷାରେ ଉପସ୍ଥାପିତ କରାଯାଇପାରେ ଯଥା–’ଆଲୋ ବୁଢ଼ା କ’ଣ ହେଲାଣି କହୁଚୁ ? ମୁଁ ପରା ଅନେଇଚି ତୋ ବାହାଘରକୁ–ତୁ ବାହା– ହେଇ ସାରିଲା ପରେ ତତେ ଆଗ ବାହାଘର କଥା ଶିଖେଇ ସାରିଲା ପରେ ତୁ ଶଶୁରଘରକୁ ଯିବୁ-। ନ ହେଲେ ନ ଜାଣିଥିଲେ ତୋ ଜୋଇଁ ତତେ ମୁର୍ଖୀଟାଏ ବୋଲି କହିବ ନାଇଁ ?’

Unknown

 

ପୁଅମାନଙ୍କୁ ବି ସେଇ ଏକପ୍ରକାର–

 

‘ଆବେ ଟୋକା, ମୋର କ’ଣ ମରିବା ପାଖରେ ଅଛି ? ତମେମାନେ ସବୁ ବାହାହେବ-। ତା’ପରେ ମୁଁ ସେ କନିଆଁକୁ ଆଗ ଆଣି ସେମାନଙ୍କ ବୁଦ୍ଧି ଜ୍ଞାନ ସବୁ ପରୀକ୍ଷା କରିସାରିଲା ପରେ ତମେମାନେ ବାହା ହବ ନାଁ ?’ ସେମାନଙ୍କର ବୟସର ଦୋଷ ଯୋଗୁଁ ଏମିତିଆ କଥାଟିକେ ‘ଭଲଲାଗେ’ । ତେଣୁ ସେମାନେ ଜାଣି ଜାଣି ଲଗାନ୍ତୁ ଭୋବନିଅଜା ସାଙ୍ଗରେ । ଗୁରୁଜନ ଭାବରେ କେହି ଭୟ ବା ସମ୍ମାନ ନ ଦେଖେଇଲେ ବି ଅତି ଆପଣାର ଭଲ ସ୍ନେହ କରନ୍ତି । ତା’ ଗାଳିକୁ କେହି ଧରନ୍ତି ନାଇଁ କି ତା’ କଥାକୁ କେହି ଅର୍ଥ କରନ୍ତି ନାଇଁ । ସବୁରି ଘରେ ତା’ର ଭାବ ଚଲେ । ଝୁଅ ଆଗରେ ମା’କୁ କି ବାପ ଆଗରେ ଝୁଅକୁ ବି ସେମିତି–ଦି’ପଦ କହିବାରେ ତା’ର ଆକଟ ନାହିଁ-

 

କାଲି ଏକବେଳ ସରିକି ହବ ଅଇଁଠୁ ବସି କ’ଣ୍‌ ଗାଞ୍ଜିଆ ବୁଣୁଥାଏ ଦାଣ୍ଡରେ । ଟିକିଏ ଦୂରରେ ଖେଳୁଥାଏ ଝୁନିୟାଁ । ଭୋବନି ଅଜା ସେଇବାଟେ ଗାଧେଇ ଯାଉଥାଏ । ତାକୁ ଦେଖି ଅଇଁଠା କହି ଉଠିଲା–

 

‘ଜୁହାର ଭୋବନି ଅଜା–

 

ସେଇଠୁ ସବୁଦିନିଆ ଭଙ୍ଗୀରେ କହିଲା ଭୋବନି ଅଜା ଚାଲି ଯାଉ ଯାଉ–

 

‘ହଁ ବେ....ନାତିଟୋକା ଦିନେ ତ ଦେଲୁ ନାଇଁ ଭଲ ଖାଇବାକୁ । ଆଉ ଏତେ କରି ଜବାବ୍‌ କରିଥିଲୁ ସର୍ଥ ବାହାହେଇ ସାରିଲା ପରେ ତୋ କନିଆଁଟାକୁ ମୋ ପାଖରେ ଆଗ କେଇଦିନ ଛାଡ଼ିବୁ । ତା’ବି ଠକିଦେଲୁ ।

 

ତା’ ପରେ ଝୁନିୟାଁ ଉପରେ ଆଖି ପଡ଼ିଲାରୁ କହିଲା–

 

‘ଏଇ ଗୋଟାକୁ ଏଥର ଛାଡ଼ିବି ନାଇଁ....ଆଉ କେଇଟା ଦିନ ପରେ ସ୍ତ୍ରୀ’କୁ ନେଇ ଘରେ ପାଳିବି । ହଇ ବେ...ମୋ ସାଙ୍ଗରେ ଚାଲିଯିବୁ ! ...ବାଲୁ ବାଲୁ କରି ଅନେଇଲ ଝୁନିୟାଁ ଭୋବନିଅଜା ମୁହଁକୁ । ଖାଲି ଯିବା ପାଇଁ ମନାକଲା ।

 

‘ମୁଁ ... ମନା କରୁଚି ନାଇଁ..... ? ହଇବେ ! ଜବରଦସ୍ତି ନେବି; ମନା କ’ଣ କରୁଚୁ ? କହିଦବୁ ବେ ଅଇଁଠା ତୋ ମାଳତୀକି, ଆଜିଠଉଁ ଟିକେ ଟିକେ ଶିଖେଇ ଶାଖେଇ ଦଉଥାଉ ।’

 

କହି ଚାଲିଗଲେ ଭୋବନିଅଜା । ତାଙ୍କ ବାଟରେ । ପ୍ରକୃତରେ ତାଙ୍କର ଏମିତି କହିବାରେ କିଛି ଅର୍ଥ ନ ଥାଏ ବା ଉଦ୍ଦେଶ୍ୟ ନ ଥାଏ । ପାଟିଟା ଟିକିଏ ନଙ୍ଗଳା । ଆଉ ସମସ୍ତଙ୍କର ସହଜେ ଅଜା । ତେଣୁ ବୁଢ଼ାର ପ୍ରକୃତି ଜାଣି କେହି ସେକଥାଗୁଡ଼ାକୁ ଧରନ୍ତି ନାଇଁ । ଏମିତି ବୁଢ଼ା ଗାଁର ସବୁ ଝିଅଙ୍କୁ କଥାରେ ବାହାହୁଏ, ଆଉ ସରୁ ବୋହୂଙ୍କୁ ଆଗ କେଇଦିନ ଘରକୁ ନବାର ଯୋଜନା କରେ, ଆଉ ବାହାଘର ଭୋଜିରେ ପତର ପକେଇଲାବେଳେ ସେ ବର କି କନିଆଁ ଓଳଗି ହେଲାବେଳେ ସବୁ ଗାଁ ଭାଇଙ୍କ ଭିତରେ ଖାଲି ଦୁଃଖପ୍ରକାଶ କରି କହିଦିଏ ସେ ଦିହିଁଙ୍କ ଉଦ୍ଦେଶ୍ୟରେ...

 

‘ଯା ବେ ଯା......ମୁଁ କେତେ ଯୋଜନା କରି ରଖିଥିଲେ । ମହାଦେବଙ୍କୁ ବେଲପତ୍ରି ଚଢ଼ଉଥେଲି, ସବୁ ତ ଫସର ଫାଟିଗଲା....ତମେ ଖସିଗଲ । ଆଚ୍ଛା ହଉ...ତମେ ସିନା ଖସିଗଲ ! ତୁମ ଝୁଅ ତ ଆଉ ଖସିଯିବ ନାଇଁ.....ମୋର ଖାଲି ଦାନ୍ତଗୁଡ଼ାକ ଉଠିଯାଉ । ତମ ଦିହିଙ୍କ ମା’ ଦିଟା ଭାରି ଚଲାଖ କି ନାଁ ! ସେ ଦି’ଜଣଙ୍କୁ ସେମିତି ଛକିଥେଲି ବୋଲି ସେମାନେ ଜାଣିଚନ୍ତି । ସେଇଥି ପାଇଁ ମତେ ନ ଜଣେଇ ସବୁ କରିଦେଲେ.....ଆଉ’.....

 

ଝୁଅ ବିଦାବେଳରେ ଏତେ ଦୁଃଖରେ ବି କନିଆଁର ମା’ ସମେତ ସମସ୍ତ ହସି ପକାନ୍ତି ଭୋବନିଅଜା କଥାରେ ।

 

ସେଇ ସେ ଭୋବନିଅଜା ଯାଉଚି ଗଧୋଇବାକୁ । ଝୁନିୟାଁ ଆଉ ବାଜିଆ ଖେଳୁଚନ୍ତି ଗଛମୂଳେ, ଆଖି ପଡ଼ିଲା ବୁଢ଼ାର । ଡାକଟାଏ ମାରିଦେଲା ବୁଢ଼ା–

 

‘ହଇ ବେ.....ତମେ ଦି’ଟା ସେଠି କ’ଣ କରୁଚ... ?’

 

‘ବାହାଘର କରୁଛୁ’.....ଉତ୍ତର ଦେଲା ବାଜିଆ ।

 

ହଇ ବେ....କ’ଣ ନହଲେ କାହାକୁ କିଛି ନ କହି ମତେ ନ ଜଣେଇ ତମେ ଦି’ଟା ଏଠି ଆସି ବାହାହେଇ ପଡ଼ୁଚ ? କି ଦେ.....ମୁଁ ପରା ଅନଇଚି....ସେ ପରା ଅନେଇଚି.....ସେ ଅଇଁଠାର ଝୁଅଟାକୁ’ ।

 

ଅଧା ଶୁଣି ଅଧା ନ ଶୁଣି ସେ କଥାକୁ ଅର୍ଥ ନ ନେଇ ବାଜିଆ ଗଲା ତା

 

କତିକି । ନାଇଁ ମ ଭୋବନି ଅଜା ! ଆମେ କଣ୍ଢେଇ ବାହାଘର କରୁଚୁ ।

 

‘ଇବେ.....କଣ୍ଡେଇ ବାହାଘରଟାଏ କ’ଣ ? ନିଜ ତ ଦହିଁକି ଦିହେଁ ଦି’ଟା କଣ୍ଢେଇ ଜାଗାରେ ବସି ବାହାହେଇ ପଡ଼ିବ; କାମ ଶେଷ ।

 

‘ନାଇଁ ମ ଅଜା, ମନ୍ତ୍ର କିଏ ପଢ଼ି ବାହା କରେଇବ କହିଲୁ ?

 

‘କି ରେ ମୁଁ କରିଦେବ ନାଇଁ’

 

‘ତା’ହେଲେ ଆସ କିଏ......’

 

‘କ’ଣ ଅଇଚ୍ଛା ଯିବି.....ଗାଧୋଇ ନାଇଁ; କିନ୍ତୁ କରି ନାଇଁ ... ।

 

‘କିଛଇ ଦରକାର ନାଇଁ; ତମେ ସେମିତି ଆସ । ଖାଲି ପଦେ ମନ୍ତ୍ର ପଢ଼ି ଦେଇ ଆସିବ-

 

‘ଇବେ....ମୁଁ ଗାଧୋଇ ପଡ଼ି ଆସେ,......

 

‘ନାଁ, ତମେ ଆସ,.....

 

‘ହେଃ....ଅବାଧ ନାତିଟା, ଅବିକା ଜମା ହବ ନାଇଁ ପରା, କିନ୍ତୁ ମନ୍ତ୍ର ମନେ ପଡ଼ିବ ନାଇଁ-

 

ସେଇଠ ବାଜିଆ ଟିକେ ରାଗିଗଲା, ଅଜା ଠକିଦବାକୁ ବସିଚି । ସେଇଠୁ ଚାଲିଆସିବାକୁ ଭାବି କହିଲା–

 

ଆସିବ ନାଇଁ ତ....ବେଶ୍‌ । ଏଇ କଥା ମନେ ରଖିଥା ।

 

‘ପଟାଳିରେ ପଟାଳିଏ ଲଙ୍କାମରିଚ ତଳି ଲଗେଇବ ନାଁ ? କାଲିକି ଗୋଟିଏ ମୂଳ ସେଠି ଯଦି ତମେ ପାଇଚ.....’

 

ବୁଢ଼ାର ହେମ୍ମତ ଶୁଖିଲେ । ତରକାରି ନ ହେଲେ ଚଳିଯିବ; ହେଲେ ଲଙ୍କାଟାଏ ତା’ର ଖାଇଲାବେଳେ ଦରକାର, ସେଥିପାଇଁ ବୋଝଲଙ୍କା ତଳି ପକେଇଥିଲା; ସେଗୁଡ଼ା ସରୁ ଫୁଲ ଧରିଚି-। ତାକୁ ଆଉ ଇଏ ରଖିବ ନାଇଁ । ବାଧ୍ୟ– ହେଇ ଭୋବନିଅଜା ରାଜି ହେଇ କହିଲା–

 

‘ହଉ ଚାଲ ତାହେଲେ ! ଅସଲ ମନ୍ତ୍ରଟା ବୋଲିଦେବି, ଅଳ୍ପକେ ସରଯିବା ବାହାଘରଟା-

 

ବାଜିଆ କହିଲା–

 

‘ହଁ ଅଜା ! ତମେ ଖାଲି ତାଳିଟାଏ ମାରିଦେଲେ ବି ହେଇଯିବ । ଆମର ବେଶି କ’ଣ ଦରକାର କି ?’

 

‘ବସ’ ।

 

‘ବସିଚନ୍ତି ପରା ବରକନିଆଁ–ଦି’ଟା କଣ୍ଢେଇ ଆଡ଼କୁ ହାତ ଦେଖେଇ କହିଲା ଝୁନିୟାଁ ।

 

‘ଇବେ ! ମୁଁ କଣ୍ଢେଇ ବାହାଘର କରିବି ? ତମେ ଦି’ଟା ପରା ବାହାହବ ବୋଲି ଆଇଲି-? ତମେ ଦିହେଁ ବସିପଡ଼ ସେଇ ଜାଗାରେ । ହେଲେ, କଣ୍ଢେଇ ବାହାଘର କରିବାର ମନ୍ତ୍ର ମତେ ଜଣାନାହିଁ ।’କ’ଣ ଭାବିଲା ବାଜିଆ । କହିଲା ବସ୍‌ ଝୁନିୟାଁ....’

 

ଝୁନିୟାଁକୁ ଟିକେ ଲାଜ ମାଡ଼ିଲା । ତଥାପି ଆସି ବସିଲା, ନ ହେଲେ ବାଜିଆଇ ରାଗିଯିବ । ଭୋବନିଅଜା କହିଲା–

 

‘ତୋ ବେକରେ ତ ଫୁଲମାଳ ଅଛି । ତୋ କନିଆଁ ବେକରେ କାଇଁକି ଫୁଲ ନାଇଁ ?’

 

ସେ ପରା ଗୋଟାଏ ଗୁନ୍ଥି ମତେ ଦେଇଚି । ଆଉ ଗୁନ୍ଥି ନାଇଁ....’

 

‘ଓ’....ତା’ହେଲେ ସେ ଗୁନ୍ଥି କରି ତତେ ପିନ୍ଧେଇ ଦେଇଚି ?

 

‘ତା’ହେଲେ ତ ମାଳବଦଳ ସ୍ଵୟଂବର ସରିଯାଇଚି । ଆଉ ମନ୍ତ୍ର କ’ଣ ଦରକାର... ?’

 

ବାଜିଆ ଦେଖିଲା ତା’ର ଯୋଜନା ଫେଲ୍‌ ମାରିଯିବା ଉପରେ । ତେଣୁ ସେ ଜିଗର୍‌ କଲା ଭୋବନି ଅଜାକୁ ।

 

‘ନାଇଁ, ତମେ ଟିକେ ମନ୍ତ୍ର ପଢ଼ି ଦେଇଯାଅ ।’

 

ଭୋବନିଅଜା କିଛି ବାଟ ନ ପାଇ ଆରମ୍ଭ କଲା, ମିଛରେ ପୁଳାଏ ତାଳିମାରି ହ୍ରିଂତ୍ରୀଂ.....ଓଂନଂ ଇତ୍ୟାଦି । ତା’ ପରେ ଗାଇଲା–’ଯଥା ନଳସ୍ୟ ଦମୟନ୍ତୀ ଯଥା ରାବଣସ୍ୟ ମନ୍ଦୋଦରୀ ଇତ୍ୟାଦି ।

 

ଅଳ୍ପଟିକେ ଗାଇଦେଇ ଭାଳିମାରି ସେ ବିଦା ହେଇ ଚାଲିଗଲା ଗାଧେଇବାକୁ । ଠିକ୍‌ ସେ ଗଲା ପରେ ବାଜିଆ ସେଠୁ କୁଦାଟାଏ ମାରି ଉଠି କହିଲା–

 

‘ବୁଢ଼ା ମତେ ଦେଉଥେଲା ବାହାଘର । ଭାରି ବଡ଼ କଥାଏ ଯେମିତି !’ ୟା କହି ନିଜ ବେକରେ ପଡ଼ିଥିବା ଫୁଲମାଳଟାକୁ ଗୋଟାଏ କଡ଼କୁ ନେଇଆସି ପଇତା’ ଭଳି ପକେଇ ତାକୁ ଯେମିତି ଭୋବନି ଅଜା ଧରି ତାଳି ମାରୁଥେଲା, ସେମିତି ଧରି ତାଳି ମାରିଲା । ଆଗ ଥୋଡ଼ାଏ ସେମିତି ସଂସ୍କୃତ ପଡ଼ିଲା– ଓଁ, ନଂ, ତଂ, ଧ୍ୱଂ, ଅଂ, ମଂ....ଚଂ.....ସ୍ୱାହା ।

 

‘ଯଥା ରାମସ୍ୟ ସୀତା......ଯଥା ରାବଣସ୍ୟ ମନ୍ଦୋଦରୀ....ଯଥା ରାବଣସ୍ୟ ମନ୍ଦୋଦରୀ’ ଚାଲିଲା ମନ୍ତ୍ରପାଠ । ରାମ–ସୀତା’ କଥା ସେ ସାହିତ୍ୟ ବହିରେ ହନୁମାନର ଭକ୍ତି ବିଷୟରେ ପଡ଼ିଥେଲା ବୋଲି ମନେ ରଖିଥେଲା–ନାଁ ଦି’ଟାକୁ । ଆଉ ରାବଣ–ମନ୍ଦୋଦରୀ ଦି’ଟା ତା’ର ଭୁଲିବାର ନୁହେଁ । ତା’ ବାପ ରାବଣ ସାଙ୍ଗକୁ ଗୌରୀ ମନ୍ଦୋଦରୀ–ସେ କେତେଥର ଦେଖିଚି ଆଉ ସେ ଭୁଲିବ କେମିତି ? ତେଣୁ ସବୁ ଭୁଲିଯାଇ ଏଇ ଦି’ଧାଡ଼ିକ ଗୁରେଇ ତୁରେଇ ଖାଲି କହିଚାଲିଲା କିଛି ସମୟ । ତା’ ପରେ କହିଲା–

 

‘ବୁଝିଲୁ ବାହାଘର ହେଇଗଲା.......’

 

ସତକୁ ସତ ବାହାଘର ହେଇଗଲା, ଭୋବନି ଅଜା ସିନା ବାହାଘର–କରିଦେଇ ଗଲେ ବାଜିଆ ଆଉ ଝୁନିୟାଁର, ହେଲେ, ବାଜିଆ କରିଦେଲା ପୁଅ କଣ୍ଢେଇ ଆଉ ଝିଅ କଣ୍ଢେଇର । ତା’ପରେ ଚାଲିଲା ବିଦାବିଦି । ପୁଣି ଘରେ ବାକି କର୍ମକର୍ମାଣି ଇତ୍ୟାଦି ।

 

ମୁଣ୍ଡ ଉପରୁ ସୂରୁଯ ଦେବତା ତଳିଲେଣି ତେରଛାକୁ । ଗଛମୂଳଟାରେ ପତର ଫାଙ୍କର ଛାପିଛାପିକିଆ ହେଇ ଖରା ମେଞ୍ଚାଏ ମେଞ୍ଚାଏ ସିନା ପଡ଼ିଚି; ନ ହେଲେ ପୂରା ଛାଇ ସେ ଗଛମୂଳ-! ଘର ଝଙ୍କାଳିଆ ଗଛ କେତେ ଦିନର । ଓହଳ ସବୁ ଝୁଲି ପଡ଼ିଲାଣି । ଲୋକେ କହନ୍ତି ବହୁତ ଦିନର ପୁରୁଖା ଗଛ ।

 

ସେଇ ଗଛମୂଳେ ଖେଳି ଚାଲିଚନ୍ତି ଏ ଦିହେଁ–ଖରାକାଟୁ ନାଇଁ ବୋଲି ବେଳ ଜଣାପଡ଼ୁ ନାଇଁ କି ତାଙ୍କ ଖେଳନିଶା ଭାଙ୍ଗୁ ନାହିଁ । କେତେବେଳକେ ଫେରିଲା ବିଲରୁ ନିଧି । ଦେଖିଲା, ଏ ଦି’ଜଣ ଖେଳୁଚନ୍ତି ସେଠି, ପଚାରିଲା–

 

‘ହଇ ରେ ! ତମେ ଦି’ଟା ଖାଇସାରିଲାଣି ନାଁ ?’

 

ବାପା ପାଟି ଶୁଣି ବାଜିଆର ହଠାତ୍‌ ମନେପଡ଼ିଲା ଯେ ସେ ଖାଇ ନାଇଁ କି ଝୁନିୟାଁ ବି ଖାଇ ନାଇଁ । କିନ୍ତୁ ଆଉ କହିଲାନି, ଖାଲି ମୁଣ୍ଡ ଟୁଙ୍ଗାରି ନାହିଁ କଲା ! ନିଧି ବୁଝିଲା ସତରେ ତ ତା’ର ନିଜର ଉଛୁର ହେଇଚି ବିଲରେ ଆଉ ତାକୁ ଖାଇବାକୁ କିଏ ଦବ ? ଗଉରାକୁ ସେ କହିବ ଟିକେ ଆସି ଛୁଆଟାକୁ କେତେବେଳେ କ’ଣ ଖାଇବାକୁ ଦେଇଦବୁ । ସେ ପରା ଯେତେହେଲେ ପର । କଥାରେ ଅଛି–‘ଯେତେ ପରକାରେ ବୁଝାଇ କହିଲେ.... ।’ ସେଥିପାଇଁ ନ ଖାଇ ନ ପିଇ ଖେଳୁଚି ଟୋକାଟା । ଆଉ ତା’ସାଙ୍ଗରେ ବି ଖେଳୁଚି ଝୁନିୟାଁ । ଦହିଁଙ୍କୁ ଡାକିକରି ନେଲ ନିଧି ।

 

‘ଚାଲ, ଖାଇକି ଆସି ଖେଳିବ ।’

 

ନିଜେ ଆସି ସେ ସବୁ ଖେଳଜିନିଷକୁ ବାଗେଇ କରି ସଜେଇ ଦେଇ ବାକ୍ସରେ ଭର୍ତ୍ତି କରିଦେଇ ଗଛ ଉପର ଖୋଲରେ ଥୋଇଦେଲା । ବାକିସବୁ ସେମିତ ପଡ଼ିଥାଏ । ଆସିଲେ ସେମାନେ ବୋଲି–ଚାଲିଗଲେ ନିଧି ସାଙ୍ଗରେ ।

 

ଏଇ ହେଲେ ତିନିଦିନର ବାଜିଆ ଆଉ ଝୁନିୟାଁ । ଦୁହିଁଙ୍କର ନୂଆ ନୂଆ ରକମର ଖେଳରେ ସମୟ କଟେ । ସମୟ ପରେ ଦିନ କଟେ । ଦିନ ପରେ ମାସ, ମାସ ପରେ ବର୍ଷ । ଖାଲି ବୟସ ଟିକେ ବଢ଼ିବା ସଙ୍ଗେ ସଙ୍ଗେ ଖେଳର ରୁଚିଟା ଟିକିଏ ବଦଳେ ଅବା ମାର୍ଜିତ ହୁଏ ସିନା; ନ ହେଲେ ଖେଳଟ ଇ ଖେଳ.... ।

 

ବାଟରେ ଦିହିଁଙ୍କ ହାତ ଧରି ନଉ ନଉ ନିଧି ପଚାରିଲା ଝୁନିୟାଁକୁ–

 

‘ହଇ ଲୋ ଝୁନିୟାଁ ତୋ ! ବାପା ତୋ ପାଇଁ କୁରୁତା ଆଇଲାଣି ନାଁ ? ଆଉ ଦିନ ଦିନ ରହିଲା ପରା ରଜ ।’ ଝୁନିୟାଁ । ମୁଣ୍ଡ ହଲେଇ ମନାକଲା ।

 

‘କାଇଁକି ?’

 

‘ବାପା କହିଲା ପଇସା ନାଇଁ । ମୋର ହେଲେ ସୁର ବି କାନ୍ଦିବ ତା’ର ନୂଆହବ ବୋଲି-

 

ସୁର ଝୁନିୟାଁ ତଳଭାଇ । ଭଉଣୀର ଦେଖି ସେ ବି ଅଝଟ କରିବ ନୂଆପିନ୍ଧିବାକୁ । ସେଇଥିପାଇଁ ପଇସା ନାଇଁ–ମୂଳରୁ ନୂଆ ହବନାଇଁ ବୋଲି କହିଦେଇଛି ଅଇଁଠା । ଏଇ କଥାରୁ ମାଳ ଟିକେଏ ମୁହଁ ଶୁଖେଇଚ କାଲିଠଉଁ । ରାତିରେ କହିଲା–

 

‘ଝୁଅଟା ଗାଁ ଦାଣ୍ଡରେ ନୂଆ ଖଣ୍ଡେ ନ ପିନ୍ଧିଲେ ରଜପରାଦିନେ ବାହାରିବ କେମିତି ? ସମସ୍ତେ ନୂଆ ପିନ୍ଧି ଖେଲିବେ ଦୋଳି, ଆଉ ତା’ ମୁହଁଟା ଶୁଖିଯିବ ନାଇଁ....

 

ଅଇଁଠା ଟିକେ ଚିଡ଼ି ଉତ୍ତର ଦେଲା ।

 

‘ଆଲୋ ! ସେ ସିନା ଗୋଟାଏ ହେଇଥିଲା ବୋଲି କହି ହଉଥେଲା । ଏଇନେ ତ ଗୋଟାକୁ ଦି’ଟା । ତାପରେ ଆଗେ କମ୍‌ ପଇସାରେ ହେଇଯାଉଥେଲା । ଏବେ ମହଙ୍ଗା କାଳକୁ ପିଲା ବି କିଏ ବଡ଼ହେଇ ଆସିଲେଣି । କ’ଣ କରିବି ? ପନ୍ଦର ଦିନ ହେଇନାଇଁ ପୁଳାଏ ଟଙ୍କା ହାତ ଉଧାର ଆଣି ଭଉଣୀ ଘରଟାକୁ ବେଭାର ଦେଇଚି ଯେ କେମିତି ଶୁଝିବି ମୋ ବୁଦ୍ଧି ପଇଟୁ ନାଇଁ....-।’

 

ଏଇ କଥାରେ ଆଉ ବଢ଼ିଲାନି ମାଳ । ସତ କଥା, କେଇଦିନ ହେଇଚି ଗୋଟେ କରି ବାହାଘର ଗଲା । ମଉଳାଘର ବେଭାର ବୋଲି ସବୁଠୁ ସରସ ଯିବାର କଥା–ସେଇଥିପାଇଁ ୟାଠଉଁ ତାଠଉଁ କିଛି କିଛି ହାତଉଧାରି ଆଣଚଲେଇ ଦେଇଚି ଅଇଁଠା । ଆରିଶା ପିଠା, ବଡ଼ି, ଖଜା, ପଣସ, ଆମ୍ୱ ଠଉଁ ଆରମ୍ଭ କରି ଲୁଗାପଟା ପର୍ଯ୍ୟନ୍ତ । କ’ଣ୍‌ କରାଯାଏ–ଦବାକୁ ତ ପଡ଼ିବ । ନ ଦେଲେ ସବୁଦିନ ପାଇଁ କଥା ରହିଯିବ । ସେଇଥିପାଇଁ ଆଉ କାହାଠଉଁ ଧାରଉଧାର କରିବା ସମ୍ଭବ ନୁହେଁ । କାହା ହାତରେ ବି ଏତେ ପଇସା ଅଛି ଗାଁରେ !

 

ଗଲା ସନ ସବୁ ଜାଲ ଦେଇଥେଲା ଫସଲ । ଧାନକିଆଗୁଡ଼ା ଶୁଖିଲା । ଠୋ ଠୋ ପଡ଼ି ପାଣି ଟୋପିଏ ବିନା ଫାଟିଗଲା । ଯୋଉ କ୍ଷେତରୁ ମେଞ୍ଚାଏ ମିଳେ ସେ କେଞ୍ଚାଏ ମିଳିଲା । ଯେମିତି ସେମିତି କଷ୍ଟେମଷ୍ଟେ ଆଗିଲା ପିଛିଲା ମିଶେଇ ଚଳେଇ ନେଇଚନ୍ତି ସମସ୍ତେ ଏ ବର୍ଷକୁ ଅନିସା କରି । ଏ ବର୍ଷ ଯଦି ଗଲା ସନ ଭଳି କରିବ ତା’ହେଲେ ଗାଁର ତିନି ଭାଗ ଲୋକଙ୍କର ମେରୁଦଣ୍ଡ ଭାଙ୍ଗିଯିବ ? ଏ ଅବସ୍ଥାରେ କାହାକୁ ଧାର ମାଗି ଲୋକହସା ହବ ଅଇଁଠୁ ।

 

ତା’ପରେ କୋଉ ଅଳ୍ପକେ ହବ ଯେ ? ଝୁନିୟାଁ ପାଇଁ କଲେ ସୁରଟା କାନ୍ଦିବ । ତା’ ପାଇଁ ପେଣ୍ଟ ଖଣ୍ଡେ କି କୁରୁତା ଖଣ୍ଡେ ନିକୁଛିଆରେ.... ! ତା’ପରେ ଆଜି ଯାଏ ପୁନେଇଁ ପରବରେ ମାଳ ମନରେ ଦୁଃଖ ଦେଇନାଇଁ ଅଇଁଠା । ଭଲରେ ମନ୍ଦରେ ଫୁଲଟାଏ ହଉ ପଛେ ଆଣି ତା’ଅୟସି ରଖିଚି । ତା’ ପାଇଁ ତ କିଛି ନ ହଉ ଅଳତାଟାଏ ଫାବୁଚି, କାଚ ଦି’ ମୁଠା ଦରକାର ।

 

ହେଲେ, ସେତିକିରେ ତ କଥା ସରିଲାନି । କେବେହେଲେ ସେ ଗାଜିଆକୁ ସୁରଠଉଁ ଅଲଗା ଦେଖିନାଇଁ । ସତେ ଯେମିତି ବାଜିଆ ନିଧିଭାଇ ପୁଅ ନୁହଁ ଅଇଁଠାର ପୁଅ । ତା’ହେଲେ...-? ଝୁନିୟାଁ ପାଇଁ କରିବ, ସୁର ପାଇଁ କରିବ....ବାଜିଆ ? ସେଇଥି ପାଇଁ ଶଙ୍କିଯାଇଚି ଅଇଁଠୁ ବାଜିଆ ପାଇଁ ତ ନିକୁଛିଆରେ ପେଣ୍ଟ ଖଣ୍ଡକୁ ତିନିଟା: ଟଙ୍କା ଆଉ ଗେଞ୍ଜି ଖଣ୍ଡକୁ ଟଙ୍କାଟାଏ-। ଆଉ ଘରର ପିଠାପଣା ଦୂରରେ ଥାଉ । ସେ ତ ଘରେ ଯାହା କିଛି ଚାଉଳ ଅଛି ସେଇଥିରେ ଚଳିଯିବ-

 

ସେଇ କଥା କାନରେ ପଡ଼ିଥିଲା ଝୁନିୟାଁର । ନିଧିକୁ ସେ ଉତ୍ତର ଦେଲା । ନିଧି କହିଲା ଏଇ କଥାରେ–

 

‘କ’ଣ ହେଲା ? ୟା ବୋଲି ରଜରେ ତୋ’ର ନୂଆ ଖଣ୍ଡେ ହବନି...... ? ଅଲ୍‌ବତ୍‌ କରିବ ସେ... ?

 

ବାଜିଆ ଭାବିଲା ତା’ପାଇଁ କରିବାକୁ ଏଇଟା ତ ନିହାତି ସୁବିଧା ବେଳ ।

 

‘ବାପା ମୋର ନୂଆ କୁରୁତା......’

 

କିବେ ତୁଟା ପୁଅ ପିଲା । ରଜରେ ପରା ଝୁଅମାନେ ପିନ୍ଧନ୍ତି ! ଆକଟକରି କହିଲ ବାଜିଆକୁ ନିଧି । ହେଲେ ଝୁନିଆଁ କହି ପକେଇଲା ।

 

‘ବାଜିଆଇ ନ ପିନ୍ଧିଲେ ମୁଁ ପିନ୍ଧିବିନି....

 

ନିଧି ଆହୁରି ଅସୁବିଧାରେ ପଡ଼ିଲା । ତା’ମନରେ ଚିନ୍ତା ପଶିଲା । ପିଲା ଦି’ଟା ପୁରୁଣା ପିନ୍ଧି ବୁଲିବେ ରଜ ପରା ଦିନେ...... ! ତାଙ୍କ ମନଟା ନୀରସ ପଡ଼ିଯିବ.... ।

 

ଦିହିଁଙ୍କୁ ନେଇ ନିଜ ଘରେ ପହଞ୍ଚିଲା, ହାତରେ ବାଢ଼ିକରି ବସିଲା । ସାଙ୍ଗରେ ବସିଲେ ଦିହେଁ । ତିନି ହେଁ ଖାଇଲେ ।

 

ଏଇଟା ବି ଗୋଟାଏ ସବୁଦିନିଆ କଥା କହିଲେ ଚଳେ । ଯେତେବେଳେ ଯାହା ଆଖିରେ ପଡ଼ିଲା । ଅଇଁଠା ଆଖିରେ ବାଜିଆ ପଡ଼ିଲେ ସେ ବାଦ୍‌ଯାଏ ନି କି ନିଧି ଆଖିରେ ଝୁନିୟାଁ ପଡ଼ିଲେ ସେ ବାଦ୍‌ଯାଏନି; ଏକାଠି ଖାଇ ବସନ୍ତି । ଦି’ଟା ଯାକକୁ ଘର ବୋଲି ଜାଣନ୍ତି ସେମାନେ । ତେଣୁ କୋଉଠି କିଏ ଥାଆନ୍ତି ତା’ର ଠିକଣା ନଥାଏ । ସେଇଥିପାଇଁ ଏ ଦି’ଜଣଙ୍କ ଘରେ କେବେହେଲେ ୟା ଭିତରୁ କାହାରି ଖାଇବା ପାଇଁ କେହି ଚିନ୍ତା କରନ୍ତି ନାଇଁ...ଯୋଉଠି ହେଲେ ତ ଖାଇ ଥିବ ଖାଉ... ।

 

ପେଟ ପେଟ ଖାଇ ତିନି ହେଁ ହାତ ଧୋଇଲେ । ନିଧି କହିଲା ‘ଚାଲ ତମ ଦିହିଁଙ୍କୁ ତମ ଗଛ ପାଖରେ ଛାଡ଼ି ଦେଇ ମୁଁ ବିଲକୁ ଯିବି ।’’

 

ଘରୁ ବାହାରିଲା ବେଳକୁ ଆଖିରେ ପଡ଼ିଲା ଅଇଁଠା ।

 

‘କି ରେ ଅଇଁଠା ! ଝୁନିୟାଁ ପାଇଁ କୁଆଡ଼େ ନୂଆ କରୁନୁ ରଜକୁ ସେ କହୁଚି !’

 

‘ହଁ ନିଧିଆଇ, ସେ ଗୋଟାଏ କ’ଣ ହେଇଚି ?’

 

‘ଆଉ କୋଉଠି ତୋର ପଣ୍ଡେ ହେଇଗଲେ ମୁଁ ଜାଣିଲି ନାଇଁ ତ, କି ରେ ରଜଟାରେ ସେ ଖାଲି ବୁଲିବ କେମିତି ?

 

ଏଇ ବାହାଘରକୁ ବହେ ଖରଚ ହେଇଗଲା, ଆଉ ହାତରେ କଉଡ଼ିଟାଏ ନାଇଁ । ଦେଖିବା ଆଗକୁ ଆସୁଚି ଦଶହରା, କୁଆଁର ପୁନେଇଁ । ଯଦି ଭଗବାନ ଦେଇଥବ...... ।

 

‘ଦଶହରା ପାଇଁ କାହିଁ, ଆଉ ଆଜିଠଉଁ ଦଶହରାକୁ ଅନେଇଥବ ସେ ନୂଆ ପିନ୍ଧବ ବୋଲି–’

 

ଆଉ କିଛି ନ କହି ସେ ଦିହିଁଙ୍କୁ ନେଇ ଚାଲିଗଲା ତାଙ୍କ ଖେଳ ଜାଗାକୁ । ଛାଡ଼ିଦେଇ ଚାଲିଗଲା ବିଲକୁ । ଏ ଦିହିଁଙ୍କର ବାକି ଖୋଳ ଆରମ୍ଭ ହେଲା ।

 

ତା’ପର ଦିନ । ଦିନ ଦି’ଘଡ଼ି ସରିକି ଆର ଗାଁରୁ ଫେରିବାଲାଟାଏ ଆସିଲା । ନିଧି ଜାଣିଚି–ଆଜି ତା’ର ଆସିବା ବାରି । ତା’ଛଡ଼ା କାଲି ଛାଡ଼ି ପଅରଦିନ ରଜ । ସେ ନଶ୍ଚ ଆସିବ । ତାକୁ ଦେଖି ନ ଦେଖିଲା ପରେ ପଛକରି ଖାଲି ବିଲ ଭତରୁ ଖଣ୍ଡିକାଶଟାଏ ମାରିଲା ନିଧି । ଫେରି ବାଲାକ’ଣକ ଟିକେ ମୁହଁ ବୁଲେଇ ଯେମିତି ଦେଖିଚି ନିଧିକୁ ଡାକ ପକେଇଲା–

 

‘ଆରେ ମେଶାୟ ଆସୁନ୍‌ ଆସୁନ୍‌....ଆସି ଏସେଗେଛି ।

 

‘କି, ଭାଲୋ ଆଛେନ ?’

 

‘ହାଁ....ହଁ....ଆପନାର ଏଖାନେ ଏଇବାର ଅନେକ ଭାଲୋ ଜିନିଷ ଏନେଛି ଚଲୁନ୍‌....ପାଡ଼ାୟ ଚଲୁନ୍‌ ।’

 

ନିଧିର ମନେପଡ଼ିଲା ଅସଲ କଥାଟା, ସେଇଠୁ କହିଲା–

 

‘ମୋଶାୟ ! ଆପନ ଏକଟା କଥା ବଲ୍‌ବେ । ଅମାର ଛୋଟ ଛୋଟ କାପଡ଼େ ଫ୍ରକ ଚାଇ....’

 

‘ହାଁ ନିଶ୍ଚୋଇ ଦୋବୋ’....

 

‘ନାଁ ଏଇଖାନେ....’

 

ସେ ବ୍ୟବସାୟୀଟି ମଧ୍ୟ ଦେଖିଲା ଏଇ ମଉକା । ଟିକେ ଏଇଠି ମଙ୍ଗ ସଜାଡ଼ି ନ ଦେଲେ ଖଣ୍ଡେ ବି ବିକିରି ହବ ନାଇଁ ତା’ର ଗାଁ ଭିତରେ । ତେଣୁ ସେଇ ହିଡ଼ ଉପରେ ସେ ତା’ର ବୋଝ ଖୋଲିବସିଲା । ଯେତେବେଳେ ଶୁଣିଲା ତା’ର ନିଜର ପିଲା ପାଇଁ ଦରକାର, ଫେରିବାଲା କହିଲା–

 

‘ମୋଶାୟ ଆପନାର ଜନ୍ୟେ ଏମ୍‌ନି ଫ୍ରି ଦିଏ ଦେବେ....’

 

‘ନା ନା ଆପନି ଅମାନେ ଏକଟୁ କମିଏ ବଲେଦିନ୍‌ । ଆମି ମାଗନା ନୋବୋନା । କାରନ୍ ମାଗନା ନିଲେ ସେଗୁଲୋ ଶାଗିର ଛିଡ଼େ ଯାବେ ।’

 

ତା’ପରେ ଅତି ଅଳ୍ପକେ ଠିକେ ଠିକେ ମୂଲକରି ଅତି ଅଳ୍ପ ଦାମ୍‌ରେ କିଣିନେଲା ଝୁନିୟାଁ ଆଉ ବାଜିଆ ପାଇଁ ଦି ହଲ । ତା’ପରେ ମନଟା କେମିତି କେମିତି ହେଲା ସୁରଟା ପାଇଁ । ସେଇଠୁ ପଚାରିଲା–

 

‘ଆର ଏକଟା ଛୋଟ ଜାମା ଦେଖାନ୍‌ତ’...

 

ସେ ଦେଖେଇଲା ।

 

‘କତ ଟାକା... ?’

 

‘ବାହରେର ଜନ୍ୟେ ତିନ୍‌ଟାକା; ଆପନାର ଜନ୍ୟ ଦୁଟାକା । ‘ନା ବାବା । ଏତ ହବେ ନାଁ-। ଯଦି ଦେଢ଼ଟାକା ନିବେନ୍‌ତ ତା’ହଲେ ଦେନ୍‌ନା ହୋଲେ ନିଏ ଯାନ ।’

 

ଫେରିବାଲା ଆଗ୍ରହରେ କହିଲା–

 

‘ଆଚ୍ଛା ମୋଶାୟ ଆପନାର ସଙ୍ଗେ ଆର କି ଜିଦ୍‌ ? ଆର୍‌ଏର୍‌ସଙ୍ଗେ ପେଣ୍ଟ ?’

 

‘ନାଁ ଆର ପଏସା ନେଇଁ ।’

 

ଫେରିବାଲା ଠିକ୍‌ଜାଗା ଉପରେ କଥାଟା ପ୍ରତି ଜାଣି କହିଲା–

 

ତା’ର ଜନ୍ୟେ ଆପ୍ ସାର୍ଟ ନେବେନ୍‌ଆର ପେଣ୍ଟ ନେବେନ୍‌ନାଁ ? ଆଚ୍ଛା ଏଇଟା ନିନ୍‌ । ଆପନାର ଛେଲେକେ ଆମି ଉପହାର ଦିଚ୍ଚି । ଫ୍ରି ନୟେ । କହି ଗେଞ୍ଜି କନାର ଛୋଟ ରଙ୍ଗିଲା ଇଜେଇ ଖଣ୍ଡିଏ ବଢ଼େଇଦେଲା ।

 

ସବୁତକ ନିଜ ଗାମୁଛାରେ ଗୁଡ଼େଇ ଘର ପାଖରେ ପଇସା ଦବ ବୋଲି କହି ଦିହେଁ ଗାଁ ଭିତରକୁ ଆଇଲେ । ନିଜ ଘରର ଠଣା ଭିତରୁ ଟିଣା ଡବାରୁ ଫେରିବାଲାକୁ ପଇସା ଦେଲା ନିଧି । ସେଥିରୁ ଫେରିବାଲା ଆହୁରି ସୁଉକାଏ ଫେରେଇ ଦେଲା ନିଧିରୁ । ତା’ପରେ ଆରମ୍ଭ ହେଲା ସବୁଦିନିଆ କାରବାର । ଗାଁ ଲୋକଙ୍କର କିଣାବିକା–ବିଶେଷ କରି ରଜଟା ।

 

ସଜବାଜ ଦିନ ସଞ୍ଜବେଳକୁ ନିଧି ପୁଟୁଳାଟାକୁ ଧରି ଯାଇ ପହଞ୍ଚିଲା ଅଇଁଠା । ଦୁଆର ମୁହଁରେ ଅଇଁଠା ବସି ପିକା ଟାଣୁଥାଏ ଦାଣ୍ଡପିଣ୍ଡାରେ । ପିକା ଖଣ୍ଡେ ନଗେଇ ବସିଲା ସେଠି । ଭିତରକୁ କବାଟ ଧରି ଠିଆ ହେଇଥାଏ ମାଳତୀ । କେତେବେଳେକେ ପଚାରିଲା ନିଧି –

 

‘କିରେ ଝୁନିୟାଁ ପାଇଁ କିଛି ଆଣିଲୁ ?’

 

‘ନାଇ ମୁଁ ପଇସା ହେଲା ନାଇଁ.... ।

 

କିଛି ନ ହି ଭିତର ଆଡ଼କୁ ପୁଡ଼ାଟା ବଢ଼େଇଦେଲା ମାଳତୀ ଉଦ୍ଦେଶ୍ୟରେ ।

 

‘ନେ; ଏଥିରେ ତା’ ପାଇଁ କୁରୁତା ପେଣ୍ଟ ଅଛି ହଳେ....’

 

‘ଆଉ ବାଜିଆର.... ?’ ପଚାରିଲା ଅଇଁଠା....

 

‘ହଁ, ମୁଁ ଝୁନିୟାଁ ବାଜିଆ ଦିହିଁଙ୍କର ସେଥିରେ ଅଛି ।’

 

ନଇଁପଡ଼ି ହାତକୁ ପୁଡ଼ାଟା ନଉ ନଉ ମାଳତୀ ପଚାରିଲା–

 

‘ଆଉ ସୁରର ?

 

‘ସୁର ପାଇଁ ମୁଁ କାଇଁ ଆଣିବି ? କିଲୋ ମୁଁ ପରା କହିଚି ସେଇଟା ତମ ପୁଅ । ତମେ ତା’ ପାଇଁ କଲେ ନ କଲେ ମୋର କିଛି ଯାଏ ଆସେ ନାଇଁ । ସିଏ ମୋର କିଏ ? ମୁଁ ସିନା ଝୁନିୟାଁକୁ ମୋର କିଛି ଦେଇଚି, ତା’ର ଭଲମନ୍ଦ ତମ ଦି’ଜଣଙ୍କଠଉଁ ମତେ ବେଶି ଦେଖିବାକୁ ପଡ଼ିବ, ନ ହେଲେ ସୁର ପାଇଁ ମୁଁ କାଇଁକି ଆଣିବି ?’

 

ଏଇ କଥାରେ ବହଳିଆ ଅନ୍ଧାରରେ କବାଟ କ’ଣକୁ ଚାହିଁ ଟିକେ ମୁଚୁକି ହସିଦେଲା ମାଳତୀ । ସେ ହସ ସେ ଅନ୍ଧାର ଛଡ଼ା ଆଉ କେହି ଦେଖିଲେ ନି । ସୁରକଥା ପଡ଼ିଲେ ନିଧିଭାଇ ଏମିତି ଝିଙ୍ଗାସି ଉଠେ । ଖାଲି କଥାକେ ସେ ତମର ସିନା....ମୋର ତା’ ପାଇଁ କାଇଁକି ମମତା ହବ ବୋଲି କହୁଥବ ହେଲେ କେହି ନ ବୁଝିଲେ ବି ମାଳତୀ ଠିକ୍‌ ବୁଝିଚି । ସୁର ପାଇଁ ସବୁଠଉଁ ବେଶି ମମତା ନିଧିଭାଇର ।

 

‘ହ ମ....ତା’ର କ’ଣ ହବ ଛୋଟ ପିଲା । ପୁଅ ... ତାକୁ ଧୋବା ଖଣ୍ଡେ ପିନ୍ଧେଇ ଦେଇ ପିଠାଖଣ୍ଡେ ଧରେଇଦେଲେ ସେ ସବୁ ଭୁଲିଯିବ ନାଇଁ ଯେ’, କହି କଥାକୁ ଚଳେଇ ନେଲା ଅଇଁଠା । ହେଲେ, ମାଳର ଜମ୍ମାରୁ ବିଶ୍ୱାସ ହେଲା ନାଇଁ, ଭିତରକୁ ଦେଖିବା ପାଇଁ ଯାଇ ପୁଡ଼ାଟା ଖୋଲିଦେଲା । ବଡ଼ ବଡ଼ ଜାମାପେଣ୍ଟ ଭିତରୁ କୁନି କୁନି ସାର୍ଟ ଦି’ଖଣ୍ଡ ଗଳି ପଡ଼ିଲା । ମାଳତୀ ଦେଖିଲା– ମୁହଁରେ ହସ ଫୁଟିଉଠିଲା । ସେ ଠିକ୍‌ ଭାବିଥିଲା– କାହା ପାଇଁ ନ ଆସିଲେ ବି ତା’ ପାଇଁ ନିଶ୍ଚୟ–ସେ କଥା ସିନା ଉପରେ ବୁଝେଇ ହବ ନି; ହେଲେ, ମନ ଭିତରରୁ କିଏ ଖୋଳିତାଡ଼ି ଓପାଡ଼ି ଦବ । ସେମିତି ବସି ଦେଖୁ ଦେଖୁ ଜାମା ପେଣ୍ଟକୁ ହାତରେ ଧରି ନାଁ ଆଣ୍ଠୁ ଉପରେ ମୁହଁଟାକୁ ଲଦି ଦେଇ ଲଣ୍ଠନ୍‌ଟା ଆଡ଼କୁ ଚାହିଁ କ’ଣ ଯେମିତି ଭାବିଗଲା ମାଳତୀ । ସତେ ସେ ଲଣ୍ଠନବତୀ ଭିତରୁ ସେ ଦିନର କଥାଗୁଡ଼ାକ ସବୁ ଦିକ୍‌ହେଇ ଉପରକୁ ଉଠି ଆସୁଚି.... ।

 

ସେଦିନ ସକାକୁ ସଜପଟା ହୋଇ ବାହାରିଲାବେଳକୁ କହିଲା ଅଇଁଠା କଟକ ଯାଉଚି–ଅପର୍ତ୍ତୀ ଦଳେଇର ଫଉଜଦାରୀ କେଶ୍‌ କ’ଣ ସାକ୍ଷୀ ତାରିଖ ଅଛି ! ଶୁଭ କାମରେ ଯାଉଚି ଆଉ ନ କହିଲା ନି କିଛି । ଖାଲି ଏତିକି କହିଲା ଘରକୁ ଏକାହେଲେ ଏସବୁ ମାମଲାରେ ନ ପଶିବା ଭଲ ! ତେବେ କଥାଟାକୁ ନ ଧରି ଅଇଁଠୁ ନିଜ ଘର ବିଷୟରେ ବେପରୱା ହେଇ ଚାଲିଗଲା । କହିଦେଇ ଗଲା ମାଳକୁ ଗଲାବେଳେ–

 

‘ମୁଁ କହିଦେଇଚି ନିଧିଆଇକି ଘର ଉପରେ ଟିକେ ନିଜର ରଖିଥବ । ସେଇଦିନ ସଞ୍ଜ । ସଞ୍ଜ ତ ନୁହେଁ; ରାତି ହୋଇଗଲାଣି । ସଞ୍ଜ ଦି’ପହର ଗଡ଼ିଗଲାଣି, ଜୟ ଉଠିଲାଣି ଆକାଶରେ । ଚଇତ ପୂନେଇ ଦି’ଦିନ ହେଲା ପାଇଚି । ଘଡ଼ି ମାରି ଆଜି ଜହ୍ନ ଉଠିବା କଥା–ଉଠି ସାରିଲାଣି । ତୋଫା ଜହ୍ନଟା ଆକାଶରେ ପୂରି ଉଠିଥାଏ । ଭୂଇଁରେ କେରି କେରି ହେଇ ଲୋଟି ପଡ଼ିଥାଏ ସେ ଜହ୍ନର ନୋଛନା ମାଟି ସାରା । ଗାଁଟା କେମିତି ନିଶବଦିଆଟା ଲାଗୁଥାଏ । ଖାଲି କେତେବେଳେ କେମିତି ଚଢ଼େଇ ଗୋଟିଏ ଦି’ଟା ଫଡ୍‌ଫାଡ୍‌ କରି ଉଡ଼ିଯାଉଥାନ୍ତି । ଦୂରର କିଆବଣ ମୂଳରୁ ସତେ କି ଝିଙ୍କାରୀମାନେ ନିଜକୁ ସଜବାଜ କଲେଣି ବୋବାଳି ଛାଡ଼ିବେ ବୋଲି !

 

କେତେବେଳେ ଝୁନିୟାଁ ଶୋଇଗଲାଣି–ଦିନଯାକ ଖେଳି ଖେଳି ଗଣ୍ଡାଏ ଖାଇଦେଲାରୁ ଅକ୍‌କାମରା ହୋଇ ପଡ଼ିଯାଇଚି । ଘର ଭିତରରେ ଏକା ମାଳତୀ; ଦୁଆର ଅଗଣାରେ ବସିଚି ସେ-। ନିଦ ହଉନାଇଁ ତାକୁ । ମସିଣାଟାଏ ପକେଇ ଗଡ଼େଇ ତଡ଼େଇ ହେଇ ଭଲ ଲାଗୁନି-। ଏତେ ଜଲ୍‌ଦି ସେ ଜମ୍ମାରୁ ଶୁଏନି । କାମ ସରି ନ ଥାଏ ଅନ୍ୟଦିନେ–ରୋଷେଇବାସ ପୁଣି ଖିଆପିଆ-। ଆଜି ଅଇଁ ନାଇଁ । ସେଥିପାଇଁ ସେ ଆଉ ରୋଷେଇ କରିବ ନି । ଝୁନିୟାଁ ତ କ’ଣ ଗଣ୍ଡାଏ ଖାଇଦେଇ ଆସିଚି ବାଜିଆ ପାଙ୍ଗରେ–ଶୋଇ ଗଲାଣି । ଆଉ ଏକା ସେ ନିଜେ, ପଖାଳ ଗଣ୍ଡାଏ ଅଛି, ଖାଇଦେଲେ ଚଳିଯିବ, କିଏ ରାନ୍ଧୁଚି ନିଜେ ପରିଶ୍ରମ କରି.... । ମଝି ଦୁଆରରେ ସପଟା ଉପରେ କେତେବେଳେ ବସି କେତେବେଳେ ଶୋଇ ଆକାଶକୁ ଅନେଇ ଛୋଟ ଛୋଟ ବଉଦ ଖଣ୍ଡ ନେଳି ଆକାଶରେ ଭାସୁଥିବାର ଦେଖୁଚି । ସବୁ ବାଦଲ୍‌ଗୁଡ଼ାକୁ ଦେଖି ମନେ ମନେ ଭାବୁଚି–

 

ଏଇଟା ଆଗ ଜହ୍ନ କତିକି ଆସିବ ନାଁ ଏଇଟା ଆଗ... । ଏତିକିବେଳେ ଦାଣ୍ଡଦୁଆର ଖଡ଼୍‌ଖଡ଼୍‌ ହେଲା । ତାକୁ ଡର ଲାଗିଲା ନାଇଁ...ଜମ୍ମା । କାରଣ ସେ ଡାକଟା ତା’ର ଅତି ଚିହ୍ନା । ମନରେ ଭାବିଲା, ଯା’ହଉ, ଆଉ ଏକା ଏକା ଲାଗିବନି ତାକୁ । ଉଠିଯାଇ କବାଟ ଖୋଲିଲା । ଭିତରକୁ ପଶିଲା ନଷ୍ଟ । କବାଟ ଦେଇ ପଛେ ପଛେ ଆଇଲା ମାଳତୀ ।

 

‘ଅଇଁଠା ନାଇଁ କିଲୋ ?’

 

‘ଆହା ଛୋପରା....’

 

‘କ’ଣ ଛୋପରା ?

 

‘ଆଉ ? ମୋଟେ ଜାଣି ନ ଥିବ....’

 

‘ଓହୋ ! ଆରେ ମନେ ପଇଲା । କଟକ ଯାଇଚି ପରା ! ହଁ, ମତେ ତ କହି ଯାଇଥେଲା ତା’ ଘର ଉପରେ ନିଜର ରଖିବାକୁ ଆଉ.......’

 

‘କ’ଣ ନିଜର ରଖିବାକୁ ଚାଲି ଆଇଲ ?’ ଥଟ୍ଟାରେ କହିଲା ମାଳତୀ ।

 

‘ଘର ଉପରେ କ’ଣ ଦରକାର ? ଅସଲ ସମ୍ପତ୍ତିଟା ଉପରେ ନିଜର ବୁଲେଇ ଆଇଁଲେ ତ ହେଲା ! ଆଉ ଘରକୁ କିଏ କ’ଣ ନେଇ ଯାଉଚି ?’

 

ଏତିକି କହି ଏକରକମ ଟେକିନେଲା ମାଳତୀକୁ ସେ ସପ ଉପରକୁ ଅଗଣା ମଝିକି । ମାଳତୀ ମୋଟେ ବାଧା ଦେଇ ନାଇଁ । କାଇଁକି ନା ଏଇ ଗୋଟାଏ ସବୁଦିନିଆ କଥାରେ ପରିଣତ ହେଇଗଲାଣି । ଏକବାରେ ଦିହସୁହା ମାଳତୀର । ସେ ଆପତ୍ତି କଲାନି । ବରଂ ଅନ୍ୟଦିନ ଟିକିଏ ଦକାଥାଏ; ହେଲେ, ଆଜି ନିଧଡ଼କ । ଖାଲି ଏତିକି ପଚାରିଲା–

 

‘ବାଜିଆ.... ?’

 

‘ଶୋଇଚି.....’

 

‘ତା’ ନିଦ ଭାଙ୍ଗିଗଲେ ଏକଲାଟା ଡରିବ ନାଇଁ ?’

 

‘ଗଉରା ଶୋଇବା ପାଖରେ ।’

 

‘ତା’ପରେ କେତେ ହସଖୁସି କଥାବାର୍ତ୍ତା ପଡ଼ିଲା ଦହିଁଙ୍କ ଭିତରେ । ଅଟ୍ଟା ପରିହାସରେ ଦିହେଁ ପରସ୍ପରକୁ ନିଜର କରିନେଲେ । ଅନେକ ସମୟ ପରେ ସେମିତି ନିଧି ପାଖରେ ଶୋଇ ଆକାଶକୁ ଚାହିଁ, କ’ଣ ମନେ ପକେଇ ଆଙ୍ଗୁଠିର ରେଖାଗୁଡ଼ାକ ଗଣିଲା । ମନେ ମନେ ହିସାବ କରି କହିଲା–

 

‘ନିଧିଭାଇ....କଥାଟା ଭଲ ହେଲାନି ।’

 

‘କ’ଣ ହେଲା ?’

 

ନ ବୁଝିପାରି ନିଧି ପଚାରିଲା । ଆଉ ଟିକେ ହାତପାଖରୁ ଦୂରକୁ ଘଞ୍ଚିଯାଇ ମାଳତୀ କହିଲା–

 

‘ଏଇ ତାରିଖକୁ ମନେରଖି ଆଜିକି ଦିନ ଗଣୁଥା । ହେଲେ, ନିଧିଆ କେତେଟା କ’ଣ ସେଥିରୁ ବୁଝିଲ କେତେଟା ବା ବୁଝିଲାନି । କେତେବେଳେ ଯିବାକୁ ଉଠିଲା । ମାଳତୀ ପଚାରିଲା–

 

‘କାଲି ବି ତ ଫେରିବେନି । ତାଙ୍କ ଘର ଉପରେ ନଜର ରଖିବାକୁ ଆସିବ ନା ନାଇଁ....-?

 

ଏଡ଼େ ବଡ଼ ଠିଆ ମରଦଟା ଏଇ କଥାରେ ସରିଗଲା ପରି ହେଲା । ମନେ ମନେ ଭାବିଲା ନିଧି–

 

‘ମାଇକିନିଆଁ ଗୁଡ଼ା ଏତେ ଲାଜକୁଳୀ ଜଣାପଡ଼ନ୍ତି, ହେଲେ ଏମିତି କଥା ବେଳେ ବେଳେ କହନ୍ତି ମରମକୁ ବଜେଇ... ?

 

ସେଇ ଲାଜ ଭିତରେ ମାଳ ସାଙ୍ଗରେ ଅଉ ଟିକିଏ ନକଲ କରି ସେ ଚାଲିଚଲା ଘରକୁ । ମାଳତୀ ବି ବେଶ୍‌ ଗାଢ଼ ନିଦରେ ଶୋଇଲେ । ତା’ପରେ ସେଇଦିନୁ କିନ୍ତୁ ଖରାପରେ ଗାରକାଟି କାନ୍ଥରେ ଦାଗ ଦେଇଥେଲା ମାଳତୀ ।

 

ଯୋଉଦିନ ତା’ର ସୁର ଜନ୍ମ ହେଲା କେତେ କିଏ ଦେଖିବାକୁ ଆସିଲେ । ନିଧି ଯେତେବେଳେ ଦେଖିବାକୁ ଆଇଲା ତାକୁ ଏକଲା ଦେଖି ଚୁପ୍‌କରି ହାତ ଠାରି ଡାକି ମାଳ । କାନପାଖରେ ଫୁସ୍‌ଫୁସ୍‌ କରି କହିଲା–

 

‘ଥରେ ତମକୁ ଗୋଟାଏ ଦିନ ମନେ ରଖିବାକୁ କହିଥେଲି ମନେ ରଖିଚ ?’

 

ନିଧିର ମନେପଡ଼ିଲା ନାଇଁ । ମାଳ ମନେ ପକେଇଦେଲା ସେଦିନର କଥା ଆଉ କବାଟ କ’ଣ କାନ୍ଥରେ ତାରିଖ ଆଉ କଣ୍ଟାଦାଗ ଦିଆ ହେଇଚି କି ନାଇଁ ବୋଲି ଦେଖି ଆସିବାକୁ କହିଲା–

 

‘ଏଥର ବୁଝିଲ ତ.....ଏଇଟା ବାଜିଆ ତଳର କି ଝୁନିଆଁ ତଳର ?’ ଆନନ୍ଦରେ କୁରୁଳି ଉଠିଲା ନିଧି । ତା’ ଏକୋଇଶିଆରେ କମ୍‌ ପଇସା ଖରଚ କରି ନାଇଁ ସେ.... ।

 

ସେଇଥିପାଇଁ ତା’ର ଏତେ ମୋହ ସେ ସୁର ପାଇଁ । ହେଲେ, ଉପର ମନରେ ଦେଖେଇ ହେଇ କହେ–’ସୁରଟା ମୋର କିଏ କି ? ସେଇଟା ତମର । ଝୁନିୟାଁକୁ ତ ମୁଁ ଘରକୁ ନେଇ । ସେ ମୋର.......’

 

ହେଲେ, କୌଣସି କଥାରେ ସୁରକୁ ସେ ଅବହେଳା କରିନି । ବରଂ ଅଧିକା କରି କହିଲେ ଚଳେ । ଖାଲି ଉପର ଦେଖାଣିଆରେ ବିଶେଷ କରି ମାଳକୁ ବଡ଼େଇବାକୁ ଏମିତି କହେ ନିଧି ।

 

‘କିଲୋ ! କ’ଣ ଦେଖୁଥିବୁ କି ? ଗାମୁଛାଟା ଆଣ୍‌.... ।’

 

ବାହାରୁ ପାଟି ଶୁଭିଲା ଅଇଁଠୁର । (ମାଳତୀର ଭାବନା ଭାଙ୍ଗିଲା ।)

 

‘ଆରେ ! କେତେବେଳେ ବସିଗଲାଣି ମ ଏଠି ? ତରତରରେ ଦାଣ୍ଡକୁ ଉଠିଗଲା । ଯାଇ ପଚାରିଲା–

 

ବାଜିଆର ଜାମାପେଣ୍ଟ କ’ଣ୍‌ଦେଇଦେବି ସେଇ ଗାମୁଛାରେ ?

 

‘ଦେଇଦବୁ କ’ଣ୍‌ ବାଜିଆର ? ସେ ତ ଭୋର୍‌ରୁ ଏଇଠି ଗାଧୋଇ ନୂଆ ନୁଗା ପିନ୍ଧି ପିଠା ଖାଇବ । ଆଉ ଦେଇଦବୁ କ’ଣ୍‌ ନିଧିଆଇ ତାକୁ ପିନ୍ଧେଇ ଚନ୍ଦନଟିପା ନଗେଇ ଦବ ?’

 

ଟିକେ ଶାସନ କଲା ଗଳାରେ କହିଲା ଅଇଁଠୁ ?

 

ଖାଲି ଗାମୁଛାଟା ନିଧିକୁ ବଢ଼େଇ ଦେଇ ଭାବିଲା ମାଳ–

 

‘ସତେ ତ ! କେଡ଼େ ବୋକୀଙ୍କ ଭଳି କଥାଟାଏ ବେଖିଆଲ୍‌ରେ କହିଦେଲା ସେ ! ବାଜିଆ ଲୁଗା ସେ କାଇଁକି ଦବ ନିଧିଭାଇକୁ.... ।’

 

–ଗୁଡ଼ାକ ଚୁଲୀରେ ବବ ବୋଲି ତରତରରେ ଚୁଲୀମୁଣ୍ଡକୁ ଗଲା ମାଳତୀ ! ସୁଖ ଦୁଃଖ ପଦେ ହେଇ, ନ ଆଗଇଲ ତା’ ଘରଆଡ଼େ ।

 

ତ ?’ପର ଦିନ ପହିଲ ରଜ........’

 

ବାଜିଆ ଆଉ ଝୁନିୟାଁ ସକାଳୁ ଗାଧୋଇ ନୂଆଲୁଗା ପିନ୍ଧି ପିଠା ଖାଇ ସାରିଲେଣି । ଦହିକୁ ଦି’ପାଟି ଚନ୍ଦନ ନଗେଇ ଦେଇଚି ମାଳତୀ । ଝୁନିୟାଁର ଅଳତା–ପିନ୍ଧା ଦେଖି ବାଜିଆ ବି ସରୁଅଳା ଦି’ଗାର ନାଇବାକୁ ମନା କରିନି । ଦି’ହିଁଙ୍କ ଆଖିରେ କଜଳଗାର । ବେଶ୍‌ ଦିଶୁଥାନ୍ତି ଦି’ଜଣଯାକ ।

 

ପିଠାଖାଇ ସାରିଲା ପରେ ଦିହେଁ ଆସି ବସିଲେ ଅଇଁଠା ପାଖରେ । ଅଇଁଠା ସେତେବେଳକୁ ଗୁଆକାତିଟା ଧରି ନଡ଼ିଆ ରସି କାଟିବାରେ ବ୍ୟସ୍ତ । ସେଇବାଟ ଯାଉଥେଲା ନିଧି-। ପଚାରିଲା–

 

‘କ’ଣ କରୁଚୁ କିରେ ?’

 

ଗୋଟାଏ ବୋଲି ବନ୍ଧାହେବ କୁଆଡ଼େ ଏଙ୍କର ଯେ କାଲିଠଉଁ ମତେ ତାଗିଦା କରୁଚନ୍ତି........ !

 

ଗାଁଟା ସାରା ପରା ଦୋଳି ବନ୍ଧାହେଇଚି, ଆଉ ଏଙ୍କର ଗୋଟାଏ ଅଲଗା କ’ଣ....... ?

 

‘ନାଇଁ, କୁଆଡ଼େ ତାକୁ ବେଶି ଖେଲିବାକୁ ଦେବେ ନାଇଁ କିଏ ଯେ, ସେଥି–ପାଇଁ ତାଙ୍କ ଦି’ଜଣଙ୍କର ଅଲଗା ଦୋଳି ହବ । ଖାଲି ସେ ଦି’ଜଣଯାକ ଖେଳିବେ । ସେ ପୁଣି ସେଇ ଗଛରେ ବନ୍ଧା ହବ.....’

 

‘ତୁ ବି ସେ ଦି’ଟାଙ୍କ ସାଙ୍ଗରେ ପିଲା ହେଇଗଲୁଣି ?

 

ନିଧି ପାଟି ଶୁଣି ଦାଣ୍ଡଦୁଆର ପାଖକୁ ଚାଲିଆସିଥେଲା ମାଳତୀ, ଏଇକଥା ଉପରେ ଝୁନିୟାଁକୁ ଆଉ ବାଜିଆକୁ ବୁଝେଇଲା ପରି କହିଲା–

 

‘ସୁରକୁ ବି ସାଙ୍ଗରେ ଖେଳେଇବ ଏଁ ବାଜିଆ ଏଇ କଥାରେ ଚିହିଁଙ୍କି ଉଠିଲା–

 

ନାଁ, ଖାଲି ମୁଁ ଆଉ ଝୁନିୟାଁ......... ।

 

ସୁର ଟିକେ ମୁହଁ ଶୁଖେଇ କାନ୍ଦିବାକୁ ବସିଲା । ନିଧି ବାଜିଆକୁ ତୋଡ଼ ଦେଖେଇଲା । ହେଲେ, ବାଜିଆ ନ ଡରେ । ମାଳତୀ କବାଟ କାଠରେ ଓଠକୁ ଦେଇ ଟିକେ ଚପା ହସ ହସିଲା । ମନରେ ଭାବିଲା–

 

‘କେମିତି ସହିବ ବାଜିଆ ଯେ ? ଯେତେହେଲେ ପରା ଭଲ ଉପର....’

 

ଅଇଁଠୁ ସୁରର କାନ୍ଦ ଦେଖି କହିଲା–

 

‘ନାଇଁରେ ତୋର ସେଠିକି ଯିବା ଦରକାର ନାଇଁ । ତୋ ପାଇଁ ଆଉ ଗୋଟିଏ କୁନି ଦୋଳିଟିଏ ଏଇ ଘରେ କରିଦେବି ଯେ ତୁ ଦିନଯାକ ଏକା ଖେଳୁଥବୁ ଆଉ ପିଠା ଖାଉଥିବୁ । ସେମାନେ ତ ସିଆଡ଼େ ଖେଳିବେ ଅଉ ପିଠା ଖାଇ ପାରିବେନି...... ।’

 

ସୁର ବୁଝିଗଲା । ନିଧି ଟିକେ କଣେଇ ମାଳକୁ ଚାହିଁ କହିଦେଲା ସୁରକୁ ।

 

‘ହଁ, ସେ ଦୋଳିରେ ତୁ ଆଉ ତୋ ମା’ ଦିହେଁ ଖେଳୁଥବ ବସି ଦୋଳି । ଖାଉଥିବ ପିଠା...ଏଁ ?’

 

ଲାଜରେ ମାଳ ଆହୁରି ମୁହଁ ଲୁଚେଇଲ କବାଟ ପଛକୁ । ଆଉ ନିଧି ଆଗେଇଲ ତା’ ରାସ୍ତାରେ । ଟିକିଏ ବାଟ ଚାଲିଲୋ ପରେ ମାଲ କହି ଉଠିଲା ଅଇଁଠୁକୁ–

 

‘ଆରେ, ନିଧିଭାଇ ଚାଲିଗଲେ, ତାକୁ ପିଠା ଖାଇବାକୁ କହି ମଁ.... ।

 

‘କାଇଁ’ତୋ ମୁହଁରେ ମଣ୍ଡା ପଇଚି କି ? କହିଲା ଅଇଁଠୁ ।

 

‘ସିଏ ତ ଦୂରକୁ ଚାଲିଗଲେଣି ଆଉ କ’ଣ ଡାକିକରି କହିବି ?’

 

‘ଓହୋ, ଗଲା ତ ପୁଣି ଆସିବନି ? ବେଳ କ’ଣ ଗଡ଼ି ଯାଇଚି ! ତୁ କହିବାଟା କେମିତି ହବ, ଆଉ ମୁଁ ଗୋଟାଏ କହୁଥେବି ସବୁବେଳେ ପରଲୋକଟା ଭଳିଆ । ସେ ଏଇବାଟେ ତ ଆସିବ; ଗାଧୋଇ ଯାଉଚି କି କ’ଣ । ଆସିଲାବେଳେ ଡାକିକରି କହିଦବୁ ।’

 

ଭିତରକୁ ଗଲା ମାଳତୀ । ସତେ ତ ସେ ଡାକିବାଟା କେମିତି ହବ ଆଉ........ ।’ କଟୁରୀଟା ଧରି ଦୋଳି ବାନ୍ଧିବାକୁ ଗଲା ଅଇଁଠା ସେ ବରଗଛ ମୁଳକୁ । ଦୋଳି ବନ୍ଧା ହେଲା ।

 

ମନଇଚ୍ଛା ଖେଳୁଛନ୍ତି ଦୋଳିରେ ସେ ଦିହେଁ । ଆଜି ଝୁନିୟାଁର ଭାରି ଖୁସ୍‌ । ଦୋଳି ପାଇଁ ନୁହେଁ–ନୂଆ ନୁଗା ପାଇଁ ନୁହେଁ–ଆଉ ଗୋଟିଏ କଥା । ଯୋଉଥି ପାଇଁକି ସେ ବହୁତ୍‌ ଆଶା କରି ବି ସୂତ୍ର ପାଇପାରୁ ନଥେଲା । ଆଜି ତାକୁ ଆଉ ମୋଟେ ଚେଷ୍ଟା କରିବାକୁ ପଡ଼ୁନି କି ଭାବିବାକୁ ପଡ଼ୁନି ସେଥିପାଇଁ । ଥରକ ପରେ ଥରେ..... ।

 

ତଳେ ଗୋଡ଼ ବାଜିବ ବୋଲି ଟିକେ ଉଚ୍ଚେଇ କରତ ତଳୁ ବାନ୍ଧିଦେଇଚି ଦୋଳିଟାକୁ ଅଇଁଠା । ସେ ଉଚ୍ଚାଟ ବାଜିଆକୁ ଠିକ୍‌ ଅଛି ସିନା, ହେଲେ, ଝୁନିୟାଁକୁ ଟିକେ ଉଚ୍ଚ ହଉଚି । ସେ ଜମ୍ମାରୁ ଏକା ବସିପାରୁ ନାଇଁ କି ଓହ୍ଲେଇ ପାରୁ ନାଇଁ, ତେଣୁ ବାଜିଆ ତାକୁ ଟେକିକରି ବସେଇ ଦଉଚି, ଆଉ ଟେକିକରି ଓହ୍ଲେଇ ଦଉଚି । ସେମିତି ଟେକା.....ଯେଉଁ ଟେକାଟା ପାଇଁ ଝୁନିୟାଁ ଭାରି ଆଶା କରିଥିଲା । ଆଉ ତାକୁ ଭାରି ଭଲ ଲାଗେ । ସେଇଥିପାଇଁ ଆଜି ତାକୁ କହିବାକୁ ପଡ଼ୁନି ଯେହେତୁ ଦୋଳିରେ ଥରେ ବାଜିଆର ଆଉ ଥରେ ଝୁନିୟାଁର ପାଳି । ତେଣୁ ଝୁନିୟାଁ ନ କହିଲେ ବି ତା’ ବାଜିଆଇ ତାକୁ ଟେକି ବସେଇ ଦଉଚି ଆଉ ଟେକି ଓହ୍ଲେଇ ଦଉଚି ।

 

କିଛି ସମୟ ଝୁଲି ଝୁଲି କ୍ଳାନ୍ତ ହୋଇ ପଡ଼ିଲେ ଦିହେଁ । ସେଇ ଗଛର ଛାଇରେ ବସି ଥକ୍‌କା ମାରିଲେ । ତିନି, ଚାରି ଦିନ ତଳେ ଲିପା ହେଇଥିବା ଅରାଟାଏ ଏ ଯାଏ ବି ଅସନା ହେଇନି । ତା’ର ଉପରେ ବସିଲେ, ଦିହେଁ ଦିହିଁକୁ ଚାହିଁ । ଯେତେବେଳେକେ ଝୁନିୟାଁକୁ ଅନେଇଁ ଅନେଇଁ ବାଜିଆ କହିଲା–ଝୁନିୟାଁ ଲୋ ! ତୁ ଆଜି ଠିକ୍‌ କନିଆଁଟିଏ ଭଳି ଦୁଉଚୁ ।’

 

‘ଆଉ ତୁ.... ?’ ଲାଜେଇ ଯାଇ କହିଲା ଝୁନିୟାଁ ।

 

‘ମୁଁ ତ...ବର ।’

 

‘ହଁ...ଅ...ନାଁ... !’

 

‘କ’ଣ ନାଇଁ ! ଏଇ ସେଦିନ ଦେଖିଲୁ ନାଇଁ ଭୋବନି ଅଜା ମନ୍ତ୍ରପଢ଼ି ତୋର ମୋର ବାହାଘର କରିଦେଇଗଲା ।’

 

‘ହଁ, ସେ ତ କଣ୍ଡେଇ ବାହାଘର’....... !

 

‘କଣ୍ଡେଇ ବାହାଘର ? ତୁଟା ନିପଟ–ସବୁ ଭୁଲିଯାଉଚୁ । ଆଲୋ, ସେ ପରା କହିଲା ତାକୁ କଣ୍ଡେଇ ବାହାଘର ମନ୍ତ୍ର ଆସେ ନାଇଁ ବୋଲି.... । ସେ କ’ଣ ମନ୍ତ୍ର ପଡ଼ିଲା ମୋର ପରା ସବୁ ମନେ ଅଛି । ତୁ ସିନା ଓଲାଟା, କିଛି ବୁଝିଲୁ ନାଇଁ ହେଲେ, ମୁଁ ସବୁ ବୁଝିଚି ପରା !’

 

‘କ’ଣ ବୁଝିଚୁ କହିଲୁ ?’

 

‘କହିବି.... ?’ କହିଲା–

 

‘ଯଥା ରାବଣସ୍ୟ ମନ୍ଦୋଦରୀ,

ଯଥା ରାମସ୍ୟ ସୀତା,

ଯଥା ବାଜିଆସ୍ୟ ଝୁନିୟାଁ...’

 

‘କ’ଣ ତା’ ମାନେ ?’

 

‘ତା’ ମାନେ ହଉଚି–ଯଥା : ଯଥାମାନେ କ’ଣ ଏଇ ଇସ୍କୁଲରେ ପଡ଼ିନୁ ସାର୍‌କହନ୍ତି...ତମ ଘରେ ଦୁଇଟି ବଳଦ ଅଛି; ଯଥା–ଗୋଟିଏ ଧଲା ଆଉ ଗୋଟିଏ କସରା । ତା’ହେଲେ ଯଥା ମାନେ–କ’ଣ....କ’ଣ..... ? ସେଇଠୁ ମନ୍ତ୍ର କହୁଚି କ’ଣ କ’ଣ ନାଁ ରାବଣସ୍ୟ ମମନ୍ଦୋଦରୀ, ସ୍ୟ....ସ୍ୟ ମାନେ କ’ଣ ? ସ୍ୟ ମାନେ ହେଲା ସ୍ତ୍ରୀ । ତା’ହେଲେ ରାବଣର ସ୍ତ୍ରୀ ମନ୍ଦୋଦରୀ । ରାମଙ୍କର ସ୍ତ୍ରୀ ସୀତା, ଆଉ ବାଜିଆର ସ୍ତ୍ରୀ... !

 

‘ଆଁ ....ନାଇଁ ମୁଁ ତୋ ସାଙ୍ଗରେ ଖେଳିବି ନାଇଁ ଯା ।’

 

‘ଏଁ ଖେଳିବୁ ନାଇଁ ତ....ବେଶ୍‌’

 

ହଠାତ୍‌ ମନେପଡ଼ିଲା ଝୁନିୟାଁର ଆଜି ଖୋଳିବା ମାନେ ଦାଳିରେ ଝୁଲିବା । ଆଉ ଦୋଳିରେ ଝୁଲିବା– ମାନେ ଉପରକୁ ଟେକାହବା, ସେଇଟାକୁ ସେ କେବେହେଲେ ଛାଡ଼ିପାରିବ ନାଇଁ ।

 

‘ନାଇଁ ନାଇଁ, ମୁଁ ମିଛରେ କହିଲି’ ଖେଳିବି ?’

 

ଖେଳିଲେ ସେ ଦିହେଁ । କେତେ ଯେ ଖେଳ । ସେ ଖେଳରେ ସତେ ଯେମିତି କ୍ରାନ୍ତି ନାହିଁ ଆଉ ଶେଷ ବି ନାହିଁ ।

 

ବେଳ ରତ ରତ ହେଲାବେଳକୁ ମନେପଡ଼ିଲା ଝୁନିୟାଁର ବୋଉର କଥା । ସଞ୍ଜ ଆଗରୁ ଯାଇ ଖାଇବାକୁ ପଡ଼ିବ, ନ ହେଲେ ଶିଆଳ ଡାକିଲେ ଆଉ ଖାଇବାର ନୁହେଁ । ବାକିଆକୁ ଯିବାକୁ କହିଲା ।

 

ବାଜିଆର ବି ମନେପଡ଼ିଲା ଖୁଡ଼ୀ କହିଥିଲେ ବାରମ୍ବାର କରି ସଞ୍ଜ ଆଗରୁ ଦିହେଁ ଚାଲଆସି ଖାଇବ; ନ ହେଲେ ଆଉ ଖାଇବାକୁ ଦିଆ ହବ ନି–ଶିଆଳ ଭୁକିଦେବ ।

 

ଝୁନିୟାଁକୁ ଦୋଳିରୁ ଓହ୍ଲେଇଦେଇ କହିଲା ଯିବାକୁ ବାଜିଆ ।

 

ହାତ ଧରାଧରି ହେଇ ଚାଲିଲେ ଦିହେଁ ।

 

ପହଲି ରଜ.........

 

ପହଲି ରଜ ।

 

ସେଇ ସେ ବରଗଛ ତଳେ ବସି ବାଜିଆ । ଦୂରରୁ ଖାଲି ଶୁଣାଯାଉଚି ଅନେକଗୁଡ଼ାଏ କେଁ କେଁ ଶବ୍ଦର ଏକ ବେତାଳିଆ ମିଶ୍ରଣ । ଦୋଳିଗୁଡ଼ାକ ଚାଲିବା ଆରମ୍ଭ ହେଇଗଲାଣି ଗାଁ ଭିତରେ । ସିଏ ଯାହାର ନୂଆ ଲୁଗା ପିନ୍ଧି ପିଠା ଖାଇ ଦୋଳିରେ ଝୁଲିବା ଆରମ୍ଭ କରିଦେଲେଣି ।

 

ଉପରକୁ ଚାହିଁଲା ବାଜିଆ....

 

ହଁ ସେଇ ଗଛ–ତା’ର ଦିହରେ ଲଗେଇ କେତେ ଖେଳିଚନ୍ତି ସେ ଆଉ ଝୁନିୟାଁ ! ହେଇ ସେ ପାଖରେ ସେ ନୁଆଁଣିଆ ଦୋକେନି ଡାହିଟାରେ ଦୋଳି ବନ୍ଧା ହୁଏ । ତା’ ବାପା କି ଝୁନିୟାଁ ବାପା ଯିଏ ହେଲେ ଆସି ଅଲଗା ଦୋଳି ବନ୍ଧା ଦେଇଯା’ନ୍ତି କେବଳ ଏ ଦିହିଁଙ୍କ ପାଇଁ । କେବଳ ସେ ଦିହେଁ ଖେଳନ୍ତି । ଏମିତିକି ଝୁନିୟାଁର ଭାଇଭଉଣୀକି ବି ମନ । । ସତେ ଯେମିତି ଏ ଗଛଟା ଖାଲି ଏ ଦିହିଁଙ୍କ ନାଁରେ ଲେଖା ପଢ଼ି ହେଇଚି ! ଆଉ କାହାର ଅଧିକାର ନାଇଁ ସେଥିରେ ! ସେ ଦିନର ସେ ରଜ ଆଉ ଆଜିର ରଜ, ୟା ଭିତରେ ତଫାତ୍‌ କିଛି ନାଇଁ । ଖାଲି ଯାହା ଏ ଭିତରେ ସେ ଗଛର ବୟସଟା ଆଉ ଆଠ ବର୍ଷ ବଢ଼ିଯାଇଚି । ଆଉ ଯୋଉ ଡାହିରେ ଦୋଳିବାନ୍ଧ ଖେଳୁଥିଲେ ସେଇଠୁ ଛୋଟ ଛୋଟ ଓହଲ ଦି’ ତିନିଟା ଖଣ୍ଡ ଝୁଲିଆସିଚି ।

 

କିନ୍ତୁ ସେ ଦିନର ବାଜିଆ ଆଉ ଆଜିର ବାଜିଆ ଭିତରେ ତଫାତ୍‌ ! ହଁ, ତଫାତ୍‌ ନାହିଁ ତ ଆଉ କ’ଣ୍‌ ? ସେବକାର ସେଇ ଖେଳପାଳିଆ ବାଜିଆ କ’ଣ୍‌ ଆଉ ଆଜି ଅଛି ? କୋଡ଼ିଏ ବର୍ଷର ଜୁଆନ ଟୋକା ସେ । ମୁଣ୍ଡରେ ତା’ର ଘରର ଦାୟିତ୍ୱ ବାପ ନଦି ଦେଇ ସାରିଲେଣି । ସେ ଏଇନେ ଛୋଟକାଟର ସଂସାରୀ !!

 

ଆଉ ସେଦତନର ଝୁନିୟାଁ ଆଉ ଆଜିର ଝୁନିୟାଁ । ଭିତରେ..... !

 

ବାଜିଆ ଭାବିପାରୁ ନି ଆଉ ଅଧିକା ଆଗକୁ.....

 

ଝୁନିୟାଁର କ’ଣ୍‌ ଜମ୍ମା ମନେପଡ଼େ ନ ସେଇ କଥାଗୁଡ଼ାକ.....ସେଦିନର ସେ ଖେଳଗୁଡ଼ାକ ? କେତେ ମାନ–ଅଭିମାନ, ରାଗ ରୁଷା, ଟାହିଟାପରା, ପୁନେଇଁ ପରବ.... ।

 

ସତରେ ଝିଅଗୁଡ଼ାକ ସେଇଆ । ଯୋଉ ମୁହୂର୍ତ୍ତରେ ଯାହା ଅଛି ତାକୁ–ଇ ଧରି ସେମାନେ ଚଳିଯାଇପାରିଲେ । ଏଇ ପୁଅଗୁଡ଼ାକ ଖାଲି ପଛକଥାକୁ ପୋଡ଼ା ଗୋଜିଣାରେ କେଞ୍ଚି କେଞ୍ଚି ଗୋଟା ସୁଦ୍ଧା ପାଉଁଶରେ ବୁଡ଼ନ୍ତି ସିନା, ନିଆଁ ଆଉ ପାଆନ୍ତି ନାଇଁ ।

 

ତା’ନ ହେଇଥେଲେ ତା’ର ଯେମିତି ମନଟା କାଉଁଳି ଖାଉଚି–ସେମିତି ଯଦି ଝୁନିୟାଁର ହୁଅନ୍ତା ତା’ହେଲେ...... !

 

ସବୁଠଉଁ ମୋଟା ଶିଅଟା ଉପରେ ବସି ବାଜିଆ ଭାବୁଥିଲା ।

 

ନଖରେ ଅନ୍ୟମନସ୍କ ହେଇ ଗଛର ଶିଅରୁ ଚୋପାଗୁଡ଼ାକ ଛଡ଼େଇବାକୁ ଚେଷ୍ଟା କରୁଥେଲା ସେ । ସତେ ଯେମିତି ଉଖାରି ଉଖାରି ସେ ଅତୀତକୁ ଚିଦାରି ଦବାକୁ ଚାହେଁ ଠିକ୍‌ ଗୋଟାଏ ଶୁଖି ଆସୁଥିବା ଘାଆର କଡ଼ରୁ କୁଣ୍ଡେଇ କୁଣ୍ଡେଇ ଚୋପା ଛଡ଼େଇବେଳେ ଟିକେ ଆରାମ ଲାଗିଲା ପରି ତାକୁ ସତେ ଟିକିଏ ଆରାମ ଲାଗିବ ।

 

ଝୁନିୟାଁ ପାଚିଲାବେଳେ ବାଜିଆ ଭାବୁଥେଲା ଏ ଆମ୍ବଟା କେବଳ ତା’ର ପାଇଁ । ହେଲେ, ଆଜି ଭାବୁଚି ତା’ର ବସ୍ତିବାରେ ଭୁଲ ହେଇଚି । ସେଇଟା ଆମ୍ୱ ନୁହେଁ ; ବେଲଟା । ତା’ର ଥଣ୍ଟ ଭୁକିବ ନାଇଁ । ମନେପଡ଼ିଲା ବାଜିଆର ଢଗଟାଏ, ବେଙ୍ଗ କହେ, ବେଙ୍ଗୁଲୀ ଲୋ ପୃଥ୍ୱୀ କ୍ଷଣ କ୍ଷଣକେ ଆନ । ନିରାଟ ସତକଥାଟା ଏକା ! ଆଜିକା କଥା କାଲିକି ନାଇଁ । କାଲିକା କଥା ଆଜିକି ନାଇଁ ।

 

ହଁ, ସେତେବେଳେ ସିନା ସେ ପିଲା ଥିଲା । ବାଜିଆଇ–ବାକିଆଇ ବୋଲି ପାଣି ପିଉନଥିଲା । ସେଇ ସିନା ତା’ର ପିଲାଖେଳି ତଳେ କୁଆଡ଼େ ଚାଲିଯିବ । ହେଲେ, ଏବ ଯାକେ ? ଏବର ଝୁନିୟାଁ କ’ଣ ପିଲାଟାଏ ! ଏ ଯାକେ ତ ସେ କୌଣସିଥିରେ ଖିଲାପ କରିନଥେଲା । ଗଲା ସନ ରଜଟା ଠ ପରି ମନେ ଅଛି ବାଜିଆର । ସେତେବେଳେ ତ ଝୁନିୟାଁ ଛୁଆ ନୁହେଁ । ଏଇ ଜମ୍ମା ବର୍ଷକ ତଳର କଥା । ଚଉଦ ବର୍ଷର ଝୁଅ ସିଏ ସେତେବେଳକୁ । ଝୁଅ କହିଲେ ତ ହବ ନାଇଁ । ଖାଲି ଓଢ଼ଣା ଦେଇ ଦୂରରୁ ଅନେଇଦେଲେ ଯିଏ କହିବ ସଳଖ ସୁନ୍ଦର ମାଇପିଟିଏ ! ବସି ଶୋଇଗଲା ବର୍ଷର ଏଇ ରଜ ଦିନଟାକୁ ଲିଭିଲା ଲିଭିଲା ଦାଗ ଉପରେ ପୁଣି ମଡ଼େଇ ବସିଲା ବାଜିଆ ଆଜି :

 

ଗଲା ବର୍ଷ ଏଇ ପହିଲି ରଜ ।

 

ରଜରେ ବିଲକାମ ତ ହବନି କି ହଣାହଣି କଟାକଟି ହବାର ନୁହେଁ, ସେଇଥିପାଇଁ ଟିକେ ଡେରିଯାଏ ଶୋଇଯାଇଥିଲା ନିଧି–ଆର ପାଖ ବାରଣ୍ଡାରେ ଶୋଇଥାଏ ବାଜିଆ । ମାଳତୀ ପଠେଇଲା ଝୁନିୟାଁକୁ ।

 

ଝୁନିୟାଁ ଲୋ ! ଗଲୁ ବଡ଼ାପାକୁ ଆଉ ବାଜିଆଇକୁ ତୋର ଡାକିଆଣିବୁ ପିଠା ଖଇବାକୁ-

 

ଝୁନିୟାଁ ସେତେବେଳକୁ ସକାଳୁ ହଲଦୀ ମାଟି, ଚନ୍ଦନଟିପା ଲଗେଇ, ଅଳତା ପିନ୍ଧି ନୂଆ ନୁଗା ପାଲଟି ସାରିଚି । ପିଠା ଖାଇବାକୁ ତା’ର ମନ ହଉନଥାଏ । ବାଜିଆଇ ଖାଇ ନାଇଁ; ହେଲେ, କହିପାରୁନଥାଏ । କେମିତି କହିବ ଯେ ! ସେ କ’ଣ ଆଉ ଛୋଟ ପିଲାଏ ହେଇଚି ଅଳି କରି କହିବ ସେ ନ ଖାଇଲେ ମୁଁ ଖାଇବି ନି ? ଏଇନେ ପରା କେତେ ଆକଟ, କେତେ ଆଖି ଦେଖା, ଗାଁ ବାଲା ସବୁ କୁଆଡ଼େ ହସିବେ । ବାର କଥା କହିବେ । କ’ଣ କହିବେ ଯେ ! ପିଲାଟି ଦିନରୁ ଯାହା ସାଙ୍ଗରେ ସେ ଖେଜିବୁଲି ମଣିଷ, ଏକା ଘର ଛଡ଼ା ଦି’ଘର ବୋଲି ଜାଣି ନାଇଁ, ତା’ ସାଙ୍ଗରେ ବୁଲିଲେ କି କଥା ପଦେ କହିଲେ କିଏ କାହିଁକି କ’ଣ କହିବାର ଅଛି ? କ’ଣ ନା.....ଅବାଟକୁ ଚାଲିଯିବ....ଗୋଡ଼ ଖସିଯିବ.....ସେ ଗୁଡ଼ା କିଛି ବୁଝେ ନି ଝୁନିୟାଁ । ତାକୁ ଭାରି ଅଡ଼ୁଆ ଅଡ଼ୁଆ ଲାଗେ । ହଁ, ଅବାଟରେ ଯଦି ଏମିତି ଯାଆନ୍ତି ତା’ହେଲେ ସେ ଆଜିଯାକେ କ’ଣ ଯାଇପାରୁନଥେଲା ଆଉ ଆଜି ଚାଲିଯିବ ? ଗୋଡ଼ ଯଦି ଖସିବାର କଥା ଆଜତିଯାକେ କ’ଣ ଖସି ନି ? ଆଉ ଯଦି ନ ଖସିଚି ତା’ହେଲେ ଆଜି ଖାଲି ଖସିଯିବ ? କାହଁକି ? କ’ଣ ଏମିତି ହେଇଚି କି ତା’ର ? କିଛି ତ ନାଇଁ–ହେଇ ହେଇ ଜବରଦସ୍ତି ତାକୁ ଗୋଟାଏ ଶାଢ଼ୀ ପିନ୍ଧେଇଚନ୍ତି ଆଜିକୁ ତିରି ଚାରି ବର୍ଷ ହେଲା ।

 

ଆଃ......ସେଇଟା କି କଷ୍ଟ ଲାଗୁଥେଲା ପ୍ରଥମେ ପ୍ରଥମେ । ଖାଲି ଛନ୍ଦି ହେଇଯାଏ । ହେଲେ, ଏବେ ଅଭ୍ୟାସରେ ପଡ଼ିଗଲାଣି । କିନ୍ତୁ ଏବେ ବି ଏଇସବୁ ଆକଟ ବାରଣ ଶୁଣିଲେ ତା’ର ମନହୁଏ ଶାଢ଼ୀ ବ୍ଲାଉସ୍‌ ଫୋପାଡ଼ି ଦେଇ ସେଇ ସେ ଉପର ଆଲଣାରେ ଟଙ୍ଗା ହେଇଚି ଫ୍ରକ୍‌, ପ୍ୟାଣ୍ଟକୁ ଖୋଲିଆଣି ପିନ୍ଧି ପକେଇ ଦଉଡ଼ି ଦଉଡ଼ି ପଳେଇ ଯାଆନ୍ତା ତା’ର ଅତିପ୍ରିୟ ବରଗଛ ମୂଳକୁ । ସେ ଆଉ ବାଜିଆଇ ସେମିତି କଣ୍ଢେଇଘର କର ବାହାଘର କରନ୍ତେ । ହେଲେ, ଯାଃ....ଆଉ ସେ ଫ୍ରକ୍‌ପେଣ୍ଟ ତାକୁ ହବନି । ସେଗୁଡ଼ା କେମିତି ବହୁତ୍‌ ସାନ ହେଇଗଲା ଭଳି ତା’ ଆଖିକୁ ଦୁଉଚି । ବୋଧହୁଏ ପିନ୍ଧା ହଉ ନାଇଁ ବୋଲି ରହି ରହି କନାଗୁଡ଼ା ଶୁଖି ଏତେ ସାନ ସାନ ହେଇ ଯାଉଚି !

 

ସବୁ ବୁଝେ ଝୁନିୟା; କିନ୍ତୁ ଗୋଟିଏ କଥା ସେ ବୁଝିପାରେ ନାଇଁ, ଏଇ ଶାଢ଼ୀ ସେ ଯେତେବେଳେ ପହିଲି କରି ପିନ୍ଧୁଥେଲା ତାକୁ ଏତେ ଲାଜ ଲାଗୁନଥେଲା । ସେଇ ପାଇଁ କାନି କୋଉଠି ଫାଳେ, ଲୁଗାରୁ କେତେବେଳେ ଅଧେ ଖସିଗଲାଣି ତ ଆଣ୍ଠୁ ଉପରୁ ଅଧେ ଦିଶିଲାଣି–ହେଲେ, ଏଇ କେଇଦିନ ହବ ସୂତାଏ କୋଉଠୁ ପଣତାଟା ହଲିଯାଉଚି ତ କୁଙ୍କୁରି କାଙ୍କୁରି ଭିଡ଼ି ଆଣୁଛି ସେଇଟାକୁ କାଇଁକି !!! ମନେ ମନେ ବେଳେ ବେଳେ ଭାରି ରାଗ ହୁଏ ତା’ର । କେହି ନ ଥିଲବେଳେ ତା’ର ଖୋଲି ଦିହ ମୁଁଣ୍ଡକୁ ଦେଖେ, କେମିତି ଗୁଡ଼ାଏ ଆବୁରୁ ଜାବୁରୁ ହେଇ ତା’ ଦିହରେ ମେଞ୍ଚା ମେଞ୍ଚା ମାଉଁସ ଲାଗିଯାଉଚି । ଦିହହାତଗୁଡ଼ାକ ସତେ କି କାଉଁରୀ ଲାଗିଲା ପରି ବଡ଼ ବଡ଼ ହେଇ ଯାଉଚନ୍ତି । କାଲି ସଞ୍ଜବେଳେ କି ବିକଳ ସେ ନ ହେଇଚି !

 

ତା’ ବୋଉ ମାଳତୀ ଘର ଶିଳରୁ ବାଲି ଉଠୁଚି ବୋଲି ପଡ଼ିଶାଘର ଶିଳକୁ ବାଟି ଯାଇଥାଏ । ଘରଟାରେ ଏକା ଝୁନିୟାଁ । ସାନଭାଇ ସୁର କୁଆଡ଼େ ବୁଲିଯାଇଥାଏ ସାହକି । ତା’ ତଳ ଭଉଣୀ କଇଁ ଶୋଇଗଲାଣି ବେଳସୁଁ । ଗରକାଠ ଦି’ଖଣ୍ଡ ମୁହେଁଇ ଦେଇ ଚୁଲୀରେ ଭାତ ବସେଇଥାଏ ଝୁନିୟାଁ । ରଡ଼ିନିଆଁ କରିବାକୁ ବୋଉ କହିଚି । ପୋଡ଼ପିଠା ଉପରେ ଦିଆହବ । ହଠାତ୍‌ ତା’ର ମନେପଡ଼ିଲା, ତା’ ବାପା ଆଜି ଆଣିଦେଇଚି ତା’ ପାଇଁ ଯୋଉ ରଜ ଶାଢ଼ୀ– ବଢ଼ିଆ ହେଇଚି ସେ ଶାଢ଼ୀ । କଲରା ପତରିଆ ବାଘ ଭଳି ଦିହଯାକ ଖାଲି ପଟାପଟ ହେଇଚି । ଧଡ଼ି ଜମ୍ମା ନାଇଁ । ଧଡ଼ି କ’ଣ ହବ ? ଛ୍ୟା ! ଆଜିକାଲି ଆଉ କେହି ଧଡ଼ିବାଲି କ’ଣ ପିନ୍ଧୁଚନ୍ତି ! ଆଗେ ସିନା ଏତେ ବାରଣ ସବୁ ଥେଲା । କ’ଣ ନାଁ.....ଧଡ଼ି ନ ଥେଲା ଶାଢ଼ୀ କ’ଣ ଝୁଅ ପିନ୍ଧିବେ, ସେଇଟା ପରା ଧୋତୀ ସାଙ୍ଗେ ସମାନ । ହେଲେ, ଆଜି ସେ ସବୁ ବାରଣ ଗଲାଣି । ଯୋଉଠି ଥେବେ ଏ ବୁଢ଼ୀ ପଞ୍ଚାକ ! ...ମନେ ମନେ ଠିକ୍‌ କଲା ଝୁନିୟାଁ, ଏଇ ଶାଢ଼ୀଟା ସାଙ୍ଗକୁ ସେଇ ଯୋଉ ବ୍ଲାଉସ ଗଲା ଦୋଳମେଲଣ ଯାତରୁ ଆଣି ଦେଇଥେଲା ବାଜିଆଇ... ଇସ୍‌, ଭାରି ବଢ଼ିଆ ହେଇଚି ସେଇଟା !

 

ଓହୋ ! ବାଜିଆଇଟା ଏଡ଼ିକି ଛୋପରା, ଦୋଳଯାତ ହଉଚି । ନିଜ ପାଇଁ କିଏ କେତେ କ’ଣ କିଣୁଚି । ହେଲେ, ତା’ର ନିଜ ପାଇଁ କିଛିଟାଏ ନାଇଁ, ସବୁ ଝୁନିୟାଁ । ପାଇଁ । ସେ ହେମିଅପା ହେରିକା କ’ଣ ଭାବିଥେବେଟି ସେଦିନ... ! ସେମାନେ ପଞ୍ଝାଏ ଝିଅ ଏକାଠି ହେଇ ଲୁଗାଦୋକାନ ପାଖରେ ଠିଆ ହେଇ ଦେଖୁଚନ୍ତି । ଇଏ ପାଇଁ ହାଜର । ତାକୁ ଦେଖି ଏ ପଞ୍ଝାକ ଝିଅ ଯାହା ଝୁନିୟାଁ କୁ କହଚନ୍ତି ! ଖାଲି ଫୁସ୍‌ଫୁସ୍‌ ।

 

‘ହେଇ ଲୋ ଝୁନିୟାଁ ...ବାଜିଆ ଆଇଲାଣି ।

 

‘ଆଲୋ ଝୁନିୟାଁ ! ତୋ ବାଜିଆଇ...’

 

‘ଯା’ଲୋ, ତୋର ହେଇଚି ଆଇଲାଣି...’

 

ଇସ୍‌......ଛି ଛି, ଯେତେ ରକମର କଥା । ଖାଲି କ’ଣ କଥା ? ତା’ ବାହା ଦି’ଟାକୁ ଚୁମୁଟି ଚିପି ଦରଜ କରିଦେଲେ ପରା–ବାଜିଆଇକି ଦେଖି ସମସ୍ତେ ଟିକେ କଡ଼େଇଗଲେ । ଦୋକାନ ଭିତରେ ସବୁଠଉଁ ଭଲ ଦେଖାଯାଉଥିବା ଛିଟକନାର ବ୍ଲାଉସ୍‌କୁ ହାତ ବଢ଼େଇ କହିଲା–

 

‘ସେଇ ଗୋଟାକ କେତେ ?’

 

‘ତିନି ଟଙ୍କା ।’

 

‘ଦିଅ’ ।

 

ଅଣ୍ଟାରୁ ଟଙ୍କା କାଢ଼ି ଯେତେବେଳେ ବାଜିଆ ବଢ଼େଇବାକୁ ବସିଲା, ଦୋକାନୀ ପଚାରିଲା–

 

‘ବାବୁ ! ସାଇଜ ହବ ତ....ଏଇ ସାଇଜ ନା ୟାର ଦୁସୁରା ସାଇଜ ଦେବ ?’

 

ବାଜିଆ ଭାଲ, ‘ସାଇଜ କ’ଣ ? ସେ ତ ଜାଣି ନାଇଁ ଏମିତି ଗୋଟାଏ ମାପଚୁପ ଦରକାର ବୋଲି । ଜିନିଷଟାଏ କିଣିବ, ଜିନିଷଟାଏ ପିନ୍ଧିବ । ଫେର୍‌ ବଡ଼ ସାନ ହେଲେ ଆପତ୍ତି କ’ଣ ?’ ଦୋକାନୀ ଭାବିଲା, ବୋଧହୁଏ ବାଜିଆ ବୁଝିଲା ନି ତା’ର ସାଇଜ୍‌ କଥାଟା । କହିଲା–

 

‘ବାବୁ, କାହା ପାଇଁ ନେବେ ? ସେ କେତେ ମୋଟା ? କେତେ ବରଷର ?’

 

ବାଜିଆର ବ୍ଲାଉସ୍‌ କିଣିବା ଶୁଣି ସେତେବେଳକୁ ଝୁନିୟାଁକୁ କେଞ୍ଚି କେଞ୍ଚି ଅଥୟ କରି ପକେଇଲେଣି ସେ କେଇଟା ଝିଅ ।

 

ଦୋକାନୀର ଏଇ କଥୀରେ ବାଜିଆ ସିଧା ଦେଖେଇ ଦେଲା ଝୁନିୟାଁକୁ ।

 

‘ଏଇ ଝିଅ, ୟାରି ପାଇଁ ନେବି ।’

 

ସତେ କି ମରିଗଲା ଝୁନିୟାଁ ଲାଜରେ ! ତା’ ମୁଁଣ୍ଡ କ’ଣ ହେଇଗଲା । ଏମାନେ କ’ଣ ବାଟରେ ତାକୁ ଜୀଅନ୍ତା ନେବେ ? କଞ୍ଚା ଖାଇଯିବେ ପୁରା ପୁଳା କରି ।

 

ଦୋକାନୀ ଝୁନିୟାଁକୁ କଛି ସେଇ ଛିଟ ବ୍ଲାଉସ୍‌ଖଣ୍ଡ ବଢ଼େଇଦେଲା ବାଜିଆ ଆଡ଼କୁ । ହଉ, ନେଲା ତ ନେଲା । ସେଇଠି ଦେଖି ଦେଇଥିଲେ ତ କଥା ସରିଥାନ୍ତା । ....ନାଁ; ତାକୁ ନିଜେ ନେଇ ଚାଲିଗଲା । ଯାତ ଦେଖି ଫେରିବାବେଳକୁ ପ୍ରାୟ ରାତି ଦି’ଘଡ଼ି । ଗହଳିଠଉଁ ଟିକେ ଦୂରେଇ ଠିଆ ହୋଇଥାଏ ବାଜିଆ । ତାକୁ ଦୂରରୁ ଦେଖିପକେଇ ଝୁନିୟାଁର ଗୋଡ଼ ଯେମିତି ଛନ୍ଦି ହେଇପଡ଼ୁଥାଏ ।

 

କେମିତି ଭଲରେ ତାକୁ ଟପି ଚାଲିଯିବ ।

 

ହେଲେ ହେଲାନି ସେ କଥା ! ତା’ର ପାଖ ଦେଇ ପଞ୍ଝାକ ଯାକ ଚାଲିଗଲା ବେଳକୁ ବାଜିଆ ଟିକେ ନରମେଇ ଡାକିଲା– ଝୁନିୟାଁ.....’

 

ଝୁନିୟାଁ । ଛାତିରୁ ଦପ୍‌କରି କ’ଣଟାଏ ଖସିପଡ଼ିଲା, ଗୋଡ଼ ଥମିଗଲା ତା’ର । ଦି’ହାତରେ ଦି’ପାଖରେ ଯାଉଥିବା ଝିଅ ଦିଟାରୁ ଅଟକେଇବାକୁ ଚେଷ୍ଟାକଲା ସାଥିରେ । ହେଲେ, ସେମାନେ ତ ଝିଅ–ଝୁନିୟାଁ ର ସାଙ୍ଗ, ହେଲେ କ’ଣ ହବ, ବରଂ ସମସ୍ତେ ଦି’ବର୍ଷ ତିନି ବର୍ଷ ଲେଖାଏଁ ବଡ଼ ହେବେ ଝୁନିୟାଁ ପଛେ, ତାଙ୍କୁ କ’ଣ ରୀତିଗତ ଅଛପା ଅଛି ? ସେମାନେ କାହିଁକି ତା’ର କଣ୍ଟା ହେଇ ସାଙ୍ଗରେ ରହନ୍ତେ ! ଖାଲି ତା’ କାନରେ ଚୁପ୍‌ଚୁପ୍‌ କରି କହିଲେ–

 

‘ଆଲୋ ! ଆମେ ଖଣ୍ଡେ ଦୂରରେ ଠିଆହେଇଚୁ, ତ କଥା ସାରି ଆ..... । ସେମାନେ ଚାଲିଗଲେ । ବାଜିଆ ପାଖକୁ ଆଇଲା, ହାତରେ ତା’ର ପୁଡ଼ିଆଟାଏ । ଆକାଶରେ ଫଗୁ ପୁନେଇଁର ପୂରା ଜହ୍ନଟା.... । ହଳଦୀ ପରି ସୁନାକୁ ଆଉଟି ସତେ କି ଜୋଛନା ନାଁରେ ଢାଳି ଦେଇଚି । ଏଇ ମାଟି, ମଣିଷ, ଘାସ ଆଉ ଗଛ ଉପରେ, ସବୁଗୁଡ଼ାକ ସୁନ୍ଦର ଦେଖାଯାଉଚି । ତା’ରି ତଳେ ବାଜିଆ ତା’ ଆଖି ଆଗରେ ଝୁନିୟାଁ ।

 

ଦିହେଁ ଠକ୍‌ଠକ୍‌ ହେଇ ଥରୁଥାନ୍ତି । କେମିତି ଗୋଟାଏ ଅଜଣା ଶିହରଣ ଦିହିଁଙ୍କ ଦିହରେ-। କେହି କାହାକୁ କିଛି କହିପାରୁ ନଥାନ୍ତି । କେତେବେଳେକେ ବାଜିଆ ଖାଲ ବଢ଼େଇଦେଲା ସେ ପୁଡ଼ିଆଟା.... । ଏଇଟା...’କ’ଣ ମୋ ପାଇଁ..... ?’

 

ଆଉ କ’ଣ, ମୋ ଘରେ ଗଣ୍ଡାଏ ପାଞ୍ଚଟା ଅଛନ୍ତି ଏ ଜିନିଷ ପିନ୍ଧିବାବାଲା ?’

 

ସତେ ତ ! ଝୁନିୟାଁ । କେମିତିଆ କଥାଟା ପଚାରି ଦେଲା ମ ବାଜିଆକୁ ରଗେଇ । ହାତକୁ ନେଲା ସେଇ । ନେଲାବେଳେ ବାଜିଆଇର ଆଖିକୁ ଖାଲି ମୁହଁତୋଳି ଚାହିଁଥିଲା ଝୁନିୟାଁ । ଦେଖିଲା, ବାଜିଆଇ ତାକୁ ଅନେଇଚି । କେମିତି କେଜାଣି ଯେ ସେ ଆଖି ଦି’ଟା ଆଉ ସେ ଚାହାଁଣୀ ଜମ୍ମା କହି ହବନି କଥାରେ.....ଝୁନିୟାଁ ବି ବେଶି ସମୟ ସେ ଆଖିକୁ ଜମା ଚାହିଁପାରିଲାନି, ତଳକୁ ମୁହଁ ପୋତିଲା ।

 

ଏତିକିବେଳେ ଦୂରରୁ ରଶ୍ମି ଅପା ଡାକିଲା–

 

‘ଝୁନିୟାଁ....’

 

‘ହିଁ ଯାଉଚି.....’କହି ଯିବାକୁ ବାହାରିଲା ଝୁନିୟାଁ ।

 

‘ଯା’......ବାଜିଆ ବି ଯିବାକୁ କହିଲା ।

 

ସହଳ ସହଳ ପାଦ ପକେଇ ଝିଅଙ୍କ ମେଳକୁ ଚାଲିଆସିଲା ଝୁନିୟାଁ । ହେଲେ, ତା’ର ମନେହେଲା ସେଇଠୁ ସେ ଆଉ ସତେ କି ଆଗକୁ ଯାଇପାରିବନି । ତା’ ମନେ ମନେ ଖାଲି ଗୁରେଇ ହଉଥାଏ–

 

କାଇଁକି ସେ ଚାଲିଆସିଲା.....କାଇଁକି ସେ ଯାତକୁ ଏକା ଆସିଲାନି । କାଇଁକି ସେ ଆଜି ବାଜିଆକୁ ମୁହଁ ଟେକି ଚାହିଁପାରିଲା ନି କି କଥା ପଦେ ବି କହି ପାରିଲାନି.....ବାଜିଆଇ ସାଙ୍ଗରେ ତ ଏଡ଼ୁଟିଏ । କେତେ ଭଙ୍ଗୀ, ଠାଣି ତା’ର ସେ ନ ଦେଖିଚି । ହେଲେ, କାଇଁ ଏମିତି ଚାହାଁଣୀଟାଏ ତ ସେଇ ଆଖିରେ ଝୁନିୟାଁ । କେବେ ଦେଖି ନି । କେତେ କଥା ଯେମିତି ସେ ଆଖିବାଟେ କହିବାକୁ ଚାହୁଁଥେଲା । ହେଲେ, ଶୁଣିବାକୁ ଧୈର୍ଯ୍ୟ ନଥିଲା ବୋଲି ତଳକୁ ମୁହଁକଲା ଝୁନିୟାଁ ।

 

ବାଟରେ ତାକୁ କେତେ କ’ଣ ପଚାରି ସେ ସାଥି ପଞ୍ଝାକ କେତେ କେଜାଣି ଚୁମୁଟି ବିଦାରି ପକେଇଚନ୍ତି । ହେଲେ, କାହାରିକୁ ସେ ବାଧା ଦେଇ ନି କି କାହାରିକୁ ଉତ୍ତର ଦେଇନି । ସତେ ଯେମିତି ସେଇ ଗୋଟାଏ ଚାହାଁଣୀରେ ତା’ ଦିହଟା ସାରା ବଧିରା ହେଇଯାଇଚି । ଆଉ ତାକୁ କିଛି କାଟୁ ନି ସେ ଆମ୍ପୁଡ଼ା କାମୁଡ଼ା ଗୁଡ଼ାକୁ ।

 

ତା’ କାନରେ ବାଜୁଥାଏ ଦୂରେଇ ଯାଇଥିବା ସେ ଯାତର ଘଣ୍ଟା, ଝାଞ୍ଜ, ଖୋଳ, କରତାଳ ମାଡ଼ଗୁଡ଼ାକ, ଆଉ ଆଖି ଆଗରେ ଲମ୍ବ ଲମ୍ୱ କିଆରୀ ଆଉ ଅସୁମାରୀ ଜୋଛନାଝରା ଆଖି ନପାରିଲା ପରି ଖାଲି ଫାଙ୍କା ଜାଗା......ଆଉ ବଡ଼ କଳା ଭାଲୁର ଛାଇଟା ପରି ଦୂରରୁ ସେ କେଳି କୈଳାସ ।

 

ପରେ ଆସି ସେ ବ୍ଲାଉସ୍‌ ପିନ୍ଧିପାରିନି ସେଦିନ । ସେଦିନ କାଇଁକି ଭାରି ଦି’ଦିନ ଧରି କ’ଣ ଭାବି ସେ କେବଳ ସେଇ ଖଣ୍ଡକୁ ତକିଆ ଉପରେ ରଖି ତା’ ଉପରେ ମୁହଁ ପୋତି କାନ୍ଦିଚି । କାରଣଟା ସେ ନିଜେ ବି ବୁଝିନି । କାନ୍ଦିବାକୁ ଚାହିଁ ନି ସେ । ହେଲେ ତା’ ଆଖିରୁ କାଇଁକି ଲୁହ ଝରିଯାଇ ସେ ଖଣ୍ଡକ ଥରକୁ ଥର ଓଦାକରି ଦେଇଚି ।

 

ସେଇ ଦିନର ବ୍ଲାଉସଟାକୁ ସେ ଭାରି ଯତ୍ନରେ ରଖିବ । ଭଲଦିନଥାଏ ହେଲେ ତାକୁ ଭଲ ଲୁଗାଖଣ୍ଡକ ସାଙ୍ଗରେ ପିନ୍ଧିପକାଏ । ତାକୁ ହକାଳି ପୁରୁଣା କରିନାଇଁ । ସମସ୍ତେ ବି କହନ୍ତି, ସେଇଟା ତାକୁ ଭଲ ମନାଏ ।

 

ଆଜି ତା’ର ମନେପଡ଼ିଚି ସେ ରଜଲୁଗା ସାଙ୍ଗରେ ସେ ଖଣ୍ଡକ ପିନ୍ଧିବ । ଆଉ ଯେତେବେଳେ ବାଜିଆଇ ତାକୁ ଦେଖିବ ଯେ ତା’ର ବ୍ଲାଉସ୍‌ ଏଡ଼େ ଭଲ ଦିନରେ ଏମିତି ସଜେଇ ପିନ୍ଧିଚି ବୋଲି..... !

 

କ’ଣ ଭାବିଉଠିଗଲା ସେ ବାକ୍ସ କତିକି । ସେ ଖଣ୍ଡକୁ ଖରାରେ ଆଉ ଟିକେ ଥୋଇଦବା ଦରକାର । ପବନ ବାଜି ଗମୁଆ ଗନ୍ଧଟା ! ଛାଡ଼ିଯାଇଥିବ । ବାକ୍ସ ଭିତରେ କେତେଦିନୁ ସେମିତି ବଦଳି ଚଉତେଇ ରଖିଦେଇଥିଲା, ତାକୁ ଯାଇ କାଢ଼ିଲା । ନାକ ପାଖରେ ଲଗେଇଲା ସେଇଟାକୁ । ତା’ପରେ ଭାରି ଇଚ୍ଛା ହେଲା ଥରେ ପିନ୍ଧିବାକୁ ସେଇକ୍ଷଣି ଟିକିଏ ।

 

ପିନ୍ଧିଥିବା ବ୍ଲାଉସଟାକୁ ବଦଳିପକେଇ ଏଇଟାକୁ ଗଲେଇ ଚମକି ପଡ଼ିଲା ସେ–ଇଏ କ’ଣ ! ଜମ୍ମାରୁ ପାଉ ନାହିଁ ତାକୁ । ହାତଗୁଡ଼ା କେମିତି ଟାଙ୍କିଟୁଙ୍କି ହଉଚି । ସିଲେଇ ଖୋଲିଯିବ କି କ’ଣ ! ବୋତାମ ଦବାର ଜୁ ନାଇଁ । ଆଖି ଛଳଛଳ ହୋଇଗଲା ତା’ର । ଏଡ଼େ ଶରଧାର ବ୍ଲାଉଜ ଖଣ୍ଡକ ଅକାମୀ ହେଇଗଲା କାଇଁକି ? ସେ ତ ହକାଳି ନାଇଁ.....କନାଟା ମରିବାର ନୁହେଁ । ତା’ ହେଲେ.... ? ମନେପଡ଼ିଲା–ତା’ର ଥଟ୍ଟାରେ ଆଠ ଦିନ ତଳେ ସାଙ୍ଗ ମେଳରେ ତାକୁ ସବୁ ଚିଢ଼େଇ କହୁଥେଲେ –

 

ଝୁନିୟାଁ ଲୋ, ତୁ ତ ସରଗଚାନ୍ଦ ଭଳିଆ ଦିନକୁ ଚେନାଏ ବଢ଼ୁଚୁ ! ସତରେ ତା’ହେଲେ ସେ ବଢ଼ିଯାଉଚି..... ?

 

ବଦଳି ପକେଇ ସେ ଖଣ୍ଡକ ନିଜର ଫୁଙ୍ଗୁଳା ଦିହ, ହାତ, ଗୋଡ଼, ପାଦ ସବୁ ଗୁଡ଼ାକୁ ଥରେ ଚାହିଁଗଲା । ତାକୁ କେମିତି ମନେହେଲା ପ୍ରକୃତରେ ଗୁଡ଼ାଏ ମାଉଁସ ଲଗିଯାଇଚି ତା’ଦିହରେ-। ଭାରି ରାଗ ହେଲା ତା’ର..... ।

 

ଏଇଥିପାଇଁ ତା’ହେଲେ ସେ ଆଗ ଭଳି ଦଉଡ଼ି ଧାପୁଡ଼ି ଖେଜିବୁଲି ପାରୁନି, ଯାଇ ପାରି ତାଇ ଖଣ୍ଡେ ପିନ୍ଧି ପାରୁନି..... ।

 

ନିଜ ଉପରେ ରାଗିଯାଇ ଦିହ, ହାତ, ମୁହଁ ସବୁକୁ ଚିପିଚାପି ପକେଇଲା ଝୁନିୟାଁ । ଏମିତି କଲେ କାଳେ ସେଗୁଡ଼ାକ ଆଗ ଭଳି ହେଇଯିବ, ତା’ ବ୍ଲାଉସ ତାକୁ କିଛିହବ । ହେଲେ ନାଃ ......ଯୋଉଗୁଡ଼ାକ ପୁରି ଉଠିବ ସେ ଗୁଡ଼ାକ ହୁଏ ତ ଏତେ ଶୀଘ୍ର ଖାଲି ହବାର ନୁହେଁ ।

 

ସେ ବ୍ଲାଉସ୍‌ରେ ଆଖି ଲୁହକୁ ପୋଛିପକେଇ ତାକୁ ନୋଚାକୋଚା କରି ସେମିତି ବାକ୍ସରେ ଗୁଞ୍ଜିଦେଲା !

 

କ’ଣ ହବ ଆଉ ସେଇଟା..... ।

 

ପୁଣି ଥରେ ଡାକଟାଏ ଦେଲ ମାଳତୀ ।

 

‘କିଲୋ ! ତତେ ପରା କହିଲା ଯାଇ ସେ ଦିହଙ୍କୁ କହିଦେଇ ଆ । କଈଚୁ କ’ଣ ?

 

‘ମଲା ! ରଜପାଳି, ସବୁ ଗୋଟିଏ ଥାନରେ ମସିଣାରେ ବସନ୍ତ ନାଁ.....ଆଉ ରଜବତୀମାନେ କ’ଣ ବୁଲନ୍ତି କୁଆଡ଼େ ? ଉତ୍ତର ଦେଲା ଝୁନିୟାଁ । –ହଁ, ମୁଁ ଜାଣିଚି, ବସିବୁ ତ ଯା ଆଗ କହିଦେଇ ଆ । ନୂଆ ଲୁଗା ପିନ୍ଧିଚୁ । ମୁଣ୍ଡିଟାଏ ମାରିଆସିବୁ ନାଇଁ ?’

 

ମଳୁ ଯାହା ଖୋଜୁଥେଲା ବଇଦ ବି ସେଇଆ ବଢ଼େଇଲା । ମସିଣା ଉପରୁ ଉଠି ବାଜିଆଇ ଘରକୁ ପଶିଗଲା ସେ । ଘର ଭିତରକୁ ପଶୁ ପଶୁ ଦେଖିଲା, ନିଧି ଶୋଇଚି । ଡାକିକରି ଉଠେଇଲା ତାକୁ । ମୁଣ୍ଡିଆ ମାରିଲା ।

 

‘ବଡ଼ାପା, ତମେ ଆମ ଘରକୁ ପିଠା ଖାଇବାକୁ ଯିବ; ବୋଉ କହିଚି ।’ଅଳସ ଭାଙ୍ଗି ଉଠୁ ଉଠୁ ନିଧି କହିଲା–

 

‘ଇଲୋ ! ତୁ କ’ଣ ନୂଆ ପିନ୍ଧି ସାରିଲୁଣି ? ଆରେ ! ଏତେବେଳ ହେଇ ଗଲାଣି ?

 

ଧଡ଼ପଡ଼ ହେଇ ଉଠିଲା ନିଧି । ଝୁନିୟାଁ କିନ୍ତୁ ଜଣକୁ ଖୋଜୁଥାଏ । ଆଖି ଆଗରେ ନପାଇ ପଚାରିଲା–

 

ବାଜିଆଇକି ବି ଯିବାକୁ ବୋଉ କହିଚି ।

 

‘କହୁନୁ ତାକୁ....’

 

‘କାଇଁ ?’

 

‘ସେଇ ଅଗଣାପଟ ବାରଣ୍ଡାରେ ଶୋଇ, କୁମ୍ଭକର୍ଣ୍ଣ ନିଦ ତ ! କ’ଣ ସହଜେ ଭାଙ୍ଗିବ ? ତା’ ସାଙ୍ଗର ସବୁ ଯାଇଁ ଅନ୍ୟ ଦିନମାନଙ୍କରେ ଏତେବେଳକୁ ବିଲକାମ ଅଧେ ସାରିଲେଣି ।

 

ସେ ପାଖକୁ ଗଲା ଝୁନିୟାଁ । ମସିଣା ଖଣ୍ଡେ ପକେଇ ଶୋଇଚି ବାଜିଆଇ । ମସିଣା ଛାଡ଼ି ଆଉ ଟିକଳରେ ତଳକୁ ଚାଲିଯିବ । ମସିଣାଟା ଖାଲି ପଡ଼ିଚି କହିଲେ ଚଳେ । ଝୁନିୟାଁର ଇଚ୍ଛାହେଲା ସେଇଠି ଚୁପ୍‌କରି ସେ ମସିଣାରେ ଶୋଇପଡ଼ନ୍ତା । ବାଜିଆଇ ଯେତେବେଳେ ଏ ପଟକୁ ଗଡ଼ିଆସି ତା’ଦିହରେ ବାଜନ୍ତା, ସେତେବେଳେ ଚମକି ଉଠି ଆଶ୍ଚର୍ଯ୍ୟ ହେଇଯାନ୍ତା । ଝୁନିୟାଁ କିନ୍ତୁ ସେତେବେଳକୁ ଆଖି ବୁଜି ଘାଲେଇ ପଡ଼ନ୍ତା । ସେଇଠୁ....ସେଇଠୁ ବାଜିଆଇ କ’ଣ କରନ୍ତା-? କ’ଣ ଆଉ କରନ୍ତା ? ଉଠିକରି ଦି’ପୁଞ୍ଜା ବିଧା ନରମ ନରମ କରି ତା’ ପିଠିରେ ନଦି ଦିଆନ୍ତା-। ତା’ପରେ ସେଇଠୁ ଅଳସେଇଟା, ହୁଣ୍ଡୀଟା ବୋଲି କହନ୍ତା ।

 

ହେଲେ ନାଃ ! ତା’ ହେଇ ପାରିବନି । ସେ ଶୋଇପାରିବ ନି ସେ ମସିଣାରେ । ସେ ପରା କୁଆଡ଼େ ପିଲା ନୁହେଁ । ବାଜିଆଇକୁ ଆସ୍ତେ ହଲେଇ ଡାକିଲା–

 

ବାଜିଆଇ.....ବାଜିଆଇ...ଆରେ ଉଠ୍‌ ମୁଁ ତତେ ପିଠା ଖାଇବାକୁ ଯିବାକୁ ବୋଉ କହିଚି....ଉଠିଲୁ .... !’

 

ସେଇ ଘର ଠଣାରୁ ଗୁଡ଼ାଖୁ କାଢ଼ୁ କାଢ଼ୁ ନିଧି କହିଲା–

 

‘ଆଲୋ, ତୁ ଫେର୍‌ ତାକୁ ତୁ ତା’ କଲୁ ! ଓହୋ, ତତେ କେତେ ବୁଝେଇଲି । ଆଉ ହେଲା ନାଇଁ, ଇବେ ତାକୁ ତୁମେ ତାମେ କହିବା ଅଭ୍ୟାସ କର... ।’

 

ଆଉ କ’ଣ ମନକୁ ଗାଡ଼ୁରୁ ଗାଡ଼ୁରୁ ହେଇ ଗୁଡ଼ାଖୁ ଘଷି ଘଷିକା ଚାଲିଗଲା ପୋଖରୀ ଆଡ଼େ ନିଧି ।

 

ତା’ର କଥା ଉପରେ ଜିଭ କାମୁଡ଼ି ପକେଇଲୁ ଝୁନିୟାଁ । ତା’ର ମନେ– ପଡ଼ିଲା–ତାକୁ ବଡ଼ାପା କେତେକରି କହିଥେଲା ଯେ ଆଉ ବାଜିଆକୁ ତୁ ତା’ କରିବୁ ନାଇଁ ବୋଲି..... ।

 

‘ଆଲୋ ! ଛୁଆଦିନେ କରୁଥେଲୁ । ଏଇନେ ବଡ଼ ହେଲୁ....ବୁଦ୍ଧି ହେଲା, ଯେତେବେଳେ ଆମ ଘରକୁ ଆସିବୁ ସେତେବେଳେ ବି ତାକୁ ତୁ ତା’ କରିବୁ ?’

 

ଝୁନିୟାଁ ଆଶ୍ଚର୍ଯ୍ୟ ହେଇଥେଲା–ଆରେ ବାହାରେ ଅନ୍ୟ କୋଉଠି ଦେଖିଲେ ବାଜିଆଇକୁ ସେ ତୁ ତା’ କରିବ; ହେଲେ, ବାଜିଆ ଘରକୁ ଯେତେବେଳେ ଆସିବା ତାକୁ ‘ତମେ କହିବାକୁ ପଡ଼ିବ ? କାଇଁକି ?’ ତା’ହେଲେ ତା’ର ଧାରଣା ଭୁଲ । ତାକୁ ରଶ୍ମି ଅପା ସେଦିନ ବୁଝେଇଥେଲା ପୁରା !

ସେ ବାଜିଆଘରକୁ ଯେତେବେଳେ ସବୁଦିନ ପାଇଁ ବାଜିଆର ହେଇ । ଆସିବ... ।

ସତେ ତ ତା’ର ମନେ ନଥିଲା । କ’ଣ କରିବ ? ବହୁଦିନର ଅଭ୍ୟାସଟା କେମିତି ଛାଡ଼ିବ ଯେ ! କିଛି ଦିନ ଛାଡ଼ବାଡ଼ ହେଇଯାନ୍ତା ହେଲେ.... ।

ବାଜିଆଇ ଏ ବାଜିଆଇ... !

ବାଜିଆର ସେତେବେଳକୁ ବେଶ୍‌ ନିଦ ଭାଙ୍ଗିଗଲାଣି । ସେ ଖାଲି ଘାଲେଇ ଶୋଇଥିଲା-! କେମିତି ତା’ ବାପା ଯିବ ଚାଲି ଗାଧେଇ । ଆଖି ଉପରେ ହାତରଖି ବେଶ୍‌ କଣେଇ କରି ଦେଖିସାରିଲାଣି ଝୁନିୟାଁକୁ । ସେମିତି ପଡ଼ିରହି ସେ ଦେଖୁ... । ଝୁନିୟାଁ ଚନ୍ଦନଟିପା ଲଗେଇଚି, ଭୂରୁ ମଝିରେ ଟିକିଏ ଉପରକୁ ସିନ୍ଦୂର ଟିପା, ଆଖିରେ କଜ୍ୱଳ । ଦିହଟା ହଳଦୀମଖା ହେଇ ଆହୁରି ଗୋରା ଫିଟି ଯାଇଚି । ପାଦ ଗୋଡ଼ଭଣ୍ଡା ଆଉ ହାତପାପୁଲି ପିଠିରେ ଚନ୍ଦନର ଆଞ୍ଚୁଡ଼ା ଚିହ୍ନ-। ବେଣୀରେ ନୂଆ ରିବନ, ଦିହରେ ନୂଆ ଶାଢ଼ୀ, ଆଉ....

ଆଉ ଶୋଇ ନପାରି ଉଠିଲା ବାଜିଆ ।

‘କିଲୋ ! ତୁ ଏତେ ସକାଳୁ ?’

‘ହଁ, ଏତେ ସକାଳୁ ନାଁ...ଦିନ ଆସି ପଛେ ଘଡ଼ିଏ ହେବଣି । ବୋଉ କହିଚି, ତୁ ପିଠା ଖାଇବାକୁ ଯିବୁ–’କହିଦେଇ ନିଜ ପାଟିରେ ହାତ ଚାପି ଦଉଥେଲା ଝୁନିୟାଁ, ହେଲେ, ବାଜିଆ ବି ଠିକ୍‌ସେଇ କଥାକୁ ଧଇଲା ।

 

‘କିଲୋ ! ଫେର୍‌ ତୁ ବୋଲି କହିଲୁ ! ବାପା ପରା କହିଚ... ।

 

ଝୁନିୟାଁକୁ ଟିକେ ବେଶି ଲାଜ ଲାଗିଲା– ବାଜିଆଇ ବି ସେଇ କଥାଟାକୁ କରିଦେଲା ?’

 

‘ହଁ, ମୁଁ କହିବି ଯା...’

 

‘କହିବୁ.... ?’

 

‘ହଉ କହ, ସେମିତି ବାପାଠଉଁ ଖାଇବୁ...’

 

ଅଭିମାନ କଲା ଝୁନିୟାଁ ଲାଜରେ । ବାକିଆ କଥା ବଦଳେଇ କହିଲା–

 

‘ଝୁନିୟାଁ ଲୋ,ତୁ ଆଜି ଭାରି ସୁନ୍ଦର ଦୁଉଚୁ...’

 

‘ଉଁ...ଲାଜେଇଗଲା ଝୁନିୟାଁ ।’

 

‘ଠିକ୍‌ କନିଆଁଟିଏ ପରି... ।’

 

ଏଥରକ ଚମକି ପଡ଼ିଲା ଝୁନିୟାଁ । ଏଇ କଥା ତା’ ପାଇଁ ନୂଆ ନୁହେଁ । ବରଂ ଏଇ କଥାରେ ସେ ଓଲଟେଇ ତାକୁ ହଜାରଥର କହି, ତୁ ବର ଭଳିଆ ଦୁଉଚୁ... ।’ ହେଲେ, ଆଜି କହିପାରିଲା ନି । କାଇଁକି ନାଁ କନିଆଁମାନେ ସେ ଏବେ ଟିକେ ଟିକେ ବୁଝିଲାଣି ସେ କ’ଣ ପିଲା ହେଇଚି ??

 

ଝୁନିୟାଁକୁ ତୁନି ରହିବା ଦେଖି ବାଜିଆ ଧରି ପକେଇଲା ତା’ ହାତକୁ । ଝୁନିୟାଁ ବାଧା ଦେଲାନି । ନିଜ ଆଡ଼କୁ ଆଉଜେଇ ନେଲା ବାଜିଆ । ଝୁନିୟାଁ ଆହୁରି ସୁଧାର ଭଳି ଆଉଳିଗଲା । ବାଜିଆର କେଇଟା ତତଲା ନିଶ୍ୱାସ ଝୁନିୟାଁର କପାଳରେ ବାଜି ତା’ କପାଳରୁ ଝାଳ ଉତାରି ଦେଲେ...ସତେ କି ଆଉ ଟିକକରେ ଝାଳଗୁଡ଼ାକ ସେ ଚନ୍ଦନଟିପାକୁ ଧୋଇନବ ।

 

ସେମିତି ଜାକିଧରି ବାଜିଆ ପଚାରିଲା–

 

‘କୁଆଡ଼େ ଆସିଥିଲୁ ସକାଳୁ ? ବୋଉ କହିଚି ବୋଲି ?’

 

ଝୁନିୟାଁ କିଛି କହିଲା ନି । ପିଠାଖାଇବା କଥାକୁ ଦୋହରେଇବା ଉଦ୍ଦେଶ୍ୟରେ କଥା ଆରମ୍ଭ କରିବାକୁ ପଚାରିଲା ବାଜିଆ ।

 

କ’ଣ କହିଲା ବୋଉ... ?’

 

ସେତେବେଳକୁ ବାଜିଆ ଦିହରେ ରକ୍ତର ଝାଞ୍ଜି । ସେ ହୁଏ ତ ଏତିକି ସ୍ପର୍ଣରେ ଶାନ୍ତ ନୁହେଁ; ବରଂ ଉତ୍‌କ୍ଷିପ୍ତ ।

 

ବାଜିଆର ଏଇ ପ୍ରଶ୍ନରେ ଆଉ ତା’ର ଉପକ୍ରମକୁ ଲକ୍ଷ୍ୟ କରି ଝୁନିୟାଁ ଅତି ବାଧ୍ୟଟି ଭଳି ନିଜର ନରମ ଆଙ୍ଗୁଠିକ ବଜିଆର କପାଳ ଉପରେ ବୁଲେଇ ଆଣି ଥରିଲା କଣ୍ଠରେ କଅଁଳେଇ କହିଲା–

 

ବୋଉ କହିଚ...ଝିଅ ଜନମ... କୋଉଠି ଗୋଡ଼ ଖସେଇବୁ ନି । ଟିକିଏ ଜଗିଲେ ଯୋଉଟା କୂଳ ହବାର ଥିବ, ପାଦ ଖସିଗଲେ ସେଇ ଗୋଟାକ ପୁଣି କାଳ ହେଇଯିବ... ।’

 

ଝିମ୍‌କରି ବାଜିଆ ରକ୍ତଟା ଥମିଗଲା । ସତରେ ସେ କ’ଣ କରିବାକୁ ଯାଉଚି ! ଯେତେବେଳେ ସେ ତା’ର ପୁରୁଷତ୍ୱର ଖେୟାଲକୁ ଜାହିର କରିବାକୁ ବସିବ, ଠିକ୍‌ ଏଇ କଥାଟା ବେଦବାକ୍ୟ ପରି ଶୁଣେଇ ଦେଇଚି ଝୁନିୟାଁ । ଇଏ ତା’ ବୋଉର ନୀତିକଥା; ହୁଏ ତ ପାଠ ପଢାରୁ ନ ହେଇପାରେ...ତା’ ନିଜ ଜୀବନର ଅନୁଭୂତି ସେଇଟା ।

 

ବାଜିଆ ସେଥିପାଇଁ କେବେ ଆଗେଇ ନି ଆଉ ଅଧିକା, ଆଜିକି ଠିକ୍‌ସେଇଆ ହେଲା । ଖାଲି କ’ଣ ଗୁଡ଼ାଏ କହିଲା ଆଖି ନେଇ ସେ ଯେତେବେଳେ ଝୁନିୟାଁକୁ ମୁକାଳି ଦବାର ଉପକ୍ରମ କରି ତାରି ଫିକାନାଲି ଓଠ ଦି’ଟାକୁ ଅନେଇଲା... ସେତେବେଳେ ତାକୁ ପରିହାସରେ ଠେଲି ଦେଇ କହିଲା ଝୁନିୟାଁ

 

‘ଛି..ଅଘଷା...’

 

ହସି ହସି ବାଜିଆ ଦାନ୍ତକାଠି ଧରି ଗାଧେଇ ବାହାରିଲା । ଝୁନିୟାଁ ଘରକୁ ଯାଉଁ ଯାଉଁ କହିଲା–

 

ଜଲଦି ଆସିବୁ...ଏଁ ହେଁ....ଆସିବ । ମୁଁ ପିଠା ଖାଇନାଇଁ,ଚାହିଁଚି ।

 

କେତେବେଳକେ ବାଜିଆ ଆସିଲା ବୁଡ଼ାଟାଏ ମାରିଦେଇ । ମାଳତୀ ରୋଷେଇ– ଘର ଭିତରେ ପିଠାକୁ କାଟି କାଟି ବାଛୁଥାଏ । ଝୁନିୟାଁ ଆଣି ପରଶିଲା ବେଳେ ଜାଣିକର ଟିକେ ଉଡ଼ାଳିଆକୁ ଯାଇ ବସିଲା ବାଜିଆ । ଥାଳି ଥୋଇ ଦେଇ ଚାଲି ଯାଉଥେଲାବେଳେ କାନିଟା ଧରି ଅଟକେଇଲା ବାଜିଆ ।

 

‘ତୁ ପରା ଖାଇ ନୁ... ?

 

କିଛି କହି କହିଲା ନ ଝୁନିୟାଁ....

 

ଆଁ କର....’

 

ଝୁନିୟାଁ ପିଠା ଖଣ୍ଡେ କାମୁଡ଼ି ନେଇ ତାକୁ ଚୋବେଇ ଚୋବେଇ ବୋଉ ଦେଇଚି ବୋଲି ପାଟିରେ ହାତଦେଇ ପୁଣି ଯାଇ ରୋଷେଇଘରେ ପହଞ୍ଚିଲା ।

 

ଖାଇସାରି ଉଠିଲା ବେଳକୁ ଝୁନିୟାଁ ଆସିଲା ପାନ ନେଇ ।

 

‘ମୁଁ ନେବ ନି...’ ମନା କଲା ବାଜିଆ ।

 

‘କାଇଁକି ?’

 

‘ମୁଁ ତ ନେବିନି ।

 

କିଛି ନ ବୁଝି ମୁହଁ ଶୁଖେଇଲା ଝୁନିୟାଁ ବାଜିଆ ଆଉ ଟିକେ ପାଖକୁ ଲାଗିଯାଇ ତା’ କାନପାଖକୁ ମୁହଁ ନେଇ ପଚାରିଲା ତାକୁ...

 

‘ଏ ରଜ ପାନକୁ କ’ଣ କହନ୍ତି ଜାଣୁ... ?’

 

‘ଶରଧା ପାନ’ !

 

‘ବେଶ୍‌ ତ, ଯାହାକୁ ସବୁଠୁ ବେଶି ଶରଧା କରାଯାଏ, ତାକୁ ପହିଲି ରଜର ପହିଲି ପାନଟା ରଜବତୀ ଦିଏ ପରା ! ତୁ ତ ସକାଳୁ କାହାକୁ ଦେଇ ସାରବୁଣି । ମୁଁ କ’ଣ ତୋର ଶରଧା ମଣିଷ ଯେ ମୋ ପାଇଁ ତୁ ପହିଲି ପାନ ରଖିବୁ ? ସେଥିପାଇଁ ମୁଁ ନେବି ନି ।’’

 

ଇଆଡ଼କୁ ସି ଆଡ଼କୁ ଚାହିଁଲା ଝୁନିୟାଁ । ଦେଖିଲା, ତା’ ବୋଉ ରୋଷେଇ–ଘରେ ପିଠା ଓହ୍ଲେଇବାରେ ବ୍ୟସ୍ତ । କିଛି ନ କହି ପାନ ଦି’ଖଣ୍ଡ ବାଁ ହାତରେ ଧରି ଡାହାଣ ହାତଟା ବାଜିଆର ବାହା ଉପରେ ଥୋଇ ଚୁପ୍‌ଚାପ କରି କହିଲା–

 

‘ଏ ଦି’ଖଣ୍ଡ ଆଗକରି ଭାଙ୍ଗି ଅଲଗା ରଖିଦେଇଥିଲି ।

 

ଦିହଟା ଛୁଇଁ ପକେଇ ନିୟମଟା କରି ପକେଇଲା ପରେ ମନଖୁସିରେ ପାନ ଦି’ଖଣ୍ଡ ନେଇ ଜୋରରେ ନିଃଶ୍ୱାସଟାଏ ଛାଡ଼ି ପାଖକୁ ଘୁଞ୍ଚି ଆସୁଥିଲା ବାଜିଆ । ଝୁନିୟାଁ ଠାରିଦେଲା ଆଖିରେ, ବୋଉ ଅଛି ରୋଷେଇଘରେ । ବାଜିଆ ସଂଜତ ହେଲା, ପଚାରିଲା–

 

ଦୋଳି ଖେଳିବାକୁ ଯିବୁ ନାଇଁ.... ?’

 

ମୁଣ୍ଡ ହଲେଇ ମନା କଲା ଝୁନିୟାଁ, ବାଜିଆ ଏଥର ମାଳତୀ କତିକି ଗଲା, କହିଲା–

 

ଖୁଡ଼ୀ, ଝୁନିୟାଁ ଯିବ ନି ଦୋଳି ଖେଳିବାକୁ ?’

 

ହଁ ରେ ବାପା ତା’ ସାଙ୍ଗମାନେ ଆସିଲେ ଯିବ । କୋଉଠି ଟିକିଏ ଖେଳି ଦେଇ ଆସିବ-। ବରଷକର ଗୋଟାଏ ପରବ । ବିଧିରକ୍ଷା କରି ଟିକିଏ ଖେଳିବାର କଥା ।

 

ମୁଁ ପରା ବଢ଼ିଆ ଦୋଳିଟାଏ ସେଥିପାଇଁ ବାନ୍ଧିଚି ସେ ଗଛରେ...’

 

‘ହଉ, ତା’ ସାଙ୍ଗମାନଙ୍କୁ ନେଇ ସେଇଠି ଟିକେ ଯାଇ ଖେଳିଦେଇ ଆସିବ ।

 

ମନା କରୁଚି କ’ଣ ସେ ?’

 

‘ତୋ’ମନ କଥା ତାକୁ ପଚାର..କହି ହସିଦେଇ ମାଳତୀ, ସେ ବୁଝୁଚି ଏ ଦୁହଁଙ୍କର ମନର କଥା । ତା’ର ପୁଣି ଦିହ ଥିଲା, ମନ ଥିଲା, ଏବେ ପୁରୁଣା ହୋଇଗଲେ ବି ସବୁଗୁଡ଼ାକ ତ ପାଶୋର ଯାଇନି ।

 

ନାଇଁ ମୁଁ ଏତେ ବାଟ କାଇଁକି ଯିବ ଯେ ? ମୁଁ ତ ସାନ୍ତରା ଘର ଦୋଳିରେ ଟିକେ ଖେଳିଦେବି ।

 

ବାଜିୟାକୁ ଆଉ ଟିକେ ଚିଡ଼େଇବା ପାଇଁ କହିଲା ଝୁନିୟାଁ । ବାଜିଆ ମୁହଁଟିକୁ ଏଡ଼େ କରିଦେଲା ସେଇ କଥାରେ,ହେଲେ ମାଳତୀ ଧଇଲା କଥାଟାକୁ ।

 

‘ଆହା ଲୋ ! ଛୋପରୀ’ ମୋଟେ ଯାଉନୁ ଏତେ ବାଟ ? ଏଡ଼େ ଶରଧାରେ ସେ ଦୋଳିଟା ବାନ୍ଧିଚି । ସେଠିକି ନ ଯାଇ ଏଇଠି ଖେଳିବୁ ? କାଇଁ ଜମ୍ମା ନ ଖେଳିଲେ ? ତୁ ତ ବଅସ ଥାଉ ଥାଉ ବୁଢ଼ୀ ହେଇ ଯାଉଚୁ ଆଉ...ଆଜହୁଁ ଏତେବାଟ କିଏ ଯାଉଚି ବୋଲି, ଯୋଉଥିରେ ଝୁଅ ଝିଆଣୀଙ୍କର ଶରଧା ତୋଠେଇଁ ସେକଥା ଜମ୍ମାରୁ ନାଇଁ । କେମିତି ତୁ ସ୍ମାତ ମାଇପିରେ ଗଣାହବୁ ମତେ ତ କାଇଁ ମୋଟେ ନାଗୁନାଇଁ.... ।’

 

ଝୁନିୟାଁକୁ କଥାଗୁଡ଼ା ବେଶ୍‌ ଭଲ ଲାଗୁଥାଏ । ତାରି ମନକଥା ପାଇଁ ତାକୁ ବଳେଇ ପୁଣି ଗାଳି ଦଉଚି । ଟିକିଏ କଣେଇ ଚାହିଁଦେଲା ବାଜିଆକୁ । ଦେଖିଲା ବାଜିଆଇ ତାକୁ ବଡ଼ କରୁଣ ଦୃଷ୍ଟିରେ ଚାହିଁଚି । ଫିକ୍‌କିନି ହସିଦେଲା ସେ, ଝୁନିୟାଁର ସମ୍ମତି ଜାଣି ଆକଟି କରି ଚାହିଁଲା ତାକୁ ! ଏତେବଡ଼ ନାଲି ଟକ୍‌ଟକ୍‌ ଜିଭଟାକୁ ବାହାର କରି ଖତେଇ ହେଇ ପଳେଇଗଲା ଝୁନିୟାଁ ଭିତରକୁ । ବାଜିଆ ଚାଲିଲା ସେ ଦୋଳି ପାଖକୁ ।

 

ବସିଲା ସେଠି ଅପେକ୍ଷାକରି କେତେବେଳେ ଆସିବ ଝୁନିୟାଁ । ...ଟିକିଏ ପରେ କ’ଣ ଭାବ ଗଲା ସେ, ସା’ନ୍ତରା ଗାଡ଼ିଆକୁ । ଗାମୁଛାଟା ପାଲଟି ମେଞ୍ଚାଏ କଇଁଫୁଲ ତୋଳିଆଣି ଗଛଉପର ଆଢ଼ୁଆଳରେ ରଖିଲା । ସତକୁ ସତ ଆଉ ପଞ୍ଝାଏ ଝିଅଙ୍କ ନେଇ ଆସିଲା ଝୁନିୟାଁ ।–ଆଗଭଳି ଏକା ଏକା ନୁହେଁ । ଖେଳିଲା ବେଳେ ସମସ୍ତ କହିଲେ–

 

‘ବାଜିଆଇଙ୍କ ଦେଇ ଭାରି ବଢ଼ିଆ ହେଇଚି । ପେଙ୍ଗାମାରି ବାହିଦେଲେ ଆକାଶ ଉଚ୍ଚକୁ ଉଠି ଯାଉଚି । ବସିବାକୁ ବି ବେଶ୍‌ ଖଞ୍ଜ ହେଇଚି... ।

 

ଦୋଳି ଖେଳି ହାଲିଆ ହେଲାପରେ ସଭିଏଁ ଯିବାକୁ ବାହାରିଲେ । ସମସ୍ତକୁ ଗୋଟାଏ ଗୋଟାଏ ଫୁଲ ଦେଲା ବାଜିଆ । ବାକିତକ ଝୁନିୟାଁ ହାତକୁ ବଢ଼େଇ ଦେଲା । ଆଉ କହିଲା–

 

ଏତେ ଜଲ୍‌ଦି କାଇଁକି ଯିବୁ ଯେ... ?’

 

ଏଇ ପ୍ରଶ୍ନରେ କ’ଣ ଉତ୍ତର ଦବ ଝୁନିୟାଁ । ଏପ୍ରଶ୍ନ ତ ତା’ ପାଇଁ ନୂଆ ନୁହେଁ ହେଲେ ସବୁଦିନେ ଯାହା ଉତ୍ତର ଦିଏ ଆଜି କ’ଣ’ସେଇଭଳି ଉତ୍ତର ଦେଇ ପାରିବ ? ତଥାପି କହିଲା–

 

‘ସେମାନେ ପରା ବାହାରିଲେଣି...’

 

‘ଯା’ନ୍ତୁ ସେମାନେ ! ତତେ କ’ଣ ଏକା ଡ଼ର ମାଡ଼ୁଚି ଦିନଟାରେ ? ମୁଁ ପରା ଅଛି ।

 

କେମିତି ବୁଝେଇବ, ଝୁନିୟାଁ ଯେ ସେଇ ବାଜିଆଇ ଅଛି ବୋଲି ତା’ର ଏକା ରହିବା କଥା ନୁହେଁ । ଅତୀତରେ ଯୋଉଟା ଭରସା ସାଜିଥାଏ ସେଇ ପୁଣି ବେଳରେ ହତାଶାର କାରଣ ହୋଇଥାଏ । ମନହେଲା– କହିଦବ କି ଯେ ତମେଇ ଅଛ ବୋଲି ଏକା ରହିବାର ନୁହେଁ । ହେଲେ କହିପାରିଲା ନି ବୋଧହୁଏ ଅନ୍ୟମାନେ ଅଛନ୍ତି ବୋଲି । ତୁନି ରହିଲା । ଅନ୍ୟମାନେ ଅଧୀର ହେଲେଣି ଯିବାକୁ ।

 

‘ଆମେ ଯାଉଚୁ ଝୁନିୟାଁ.... ?

 

‘ନାଇଁ ନାଇଁ...’

 

‘କ’ଣ ନାଇଁ.... ? ପଚାରିଲା ବାଜିଆ ।

 

ଝିଅ ପଞ୍ଜାକ୍ କଥାଟା ବୁଝିପାରି କହିଲେ–

 

‘ଆମେ ସେଇ, ସାନ୍ତରା ଘରେ ଅଛୁ । ସେଠୁ ପାନ ଖାଉଚୁ । ତୁ ଆଉ ଟିକେ ଝୁଲିକରି ଆ ।’

 

କହିଦେଇ ଚାଲିଗଲେ ସମସ୍ତେ । ରହିଗଲା ଝୁନିୟାଁ ଏକା ।

 

‘ତୋର ଆଉ ଝୁଲିବାକୁ ସତରେ ଇଚ୍ଛା ନାଇଁ ତ ?’

 

ଏଇ କଥାରେ ଖାଲି ଚୁପ୍‌ ରହିଲା ଝୁନିୟାଁ, ହାତରେ ତା’ର ଗୋଟାଏ ଦରଫୁଟା କଇଁଫୁଲ । ତା’ ପାଖୁଡ଼ାକୁ ଭଲକରି ମେଲାକରି ସେ ଫୁଟନ୍ତା ଫୁଲ କରିବାରେ ବ୍ୟସ୍ତ ।

 

...ଏଇ ଫୁଲଟାରୁ କ’ଣ କିଛି ବୁଝିଲା ନି ବାଜିଆଇ ?

 

‘ଯା ବସ୍‌’

 

ବାଧ୍ୟଟି ଭଳି ଝୁନିୟାଁ ଦୋଳି ଉପରକୁ ଗଲା । ତା’ର ମନେ ହଉଥାଏ–ଏ ଦୋଳିଟା ଆଉ ଟିକେ ଉପରକୁ ଉଠି ଉଚ୍ଚା ହେଇଯା’ନ୍ତା କି । ନ ହେଲେ ସେ ଆଖି ପିଚୁଡ଼ିକେ ଟିକେ ଛୋଟ ହେଇଯାନ୍ତା କି.. ହେଲେ ବାଜିଆଇ ତାକୁ ଟେକି କରି ଉଠେଇ ବସେଇ ଦିଅନ୍ତା ।

 

....ଆଃ....କି ମଜ୍ଜା ଲାଗନ୍ତା ।

 

କିନ୍ତୁ ହବନି । ବାଜିଆଇ ମହା ଇଏ...ଦୋଳିଟାକୁ ଜାଣି ଜାଣି ଉଚ୍ଚା କରିନି । ବୋଧହୁଏ ସେ ଭାବିଚି ଯେ ଝୁନିୟାଁ ଭିତରେ ବହୁତ ଭାରି ହେଇଗଲାଣି ଆଉ କାଳେ ତାକୁ ଟେକି ହବନି ।

 

ଯାଇଁ ଦୋଳିରେ ବସିଲା ଝୁନିୟାଁ, ଅଳ୍ପଟିକେ ବାହିଦେଲା ବେଳକୁ ଝୁନିୟାଁ । କହିଲା–

 

‘ଏଇ ଥରକ ଝୁଲି ଚାଲିଯିବ, ମତେ ସେମାନେ ଅପେକ୍ଷା କରିଥିବେ ।

 

‘କ’ଣ କହିଲୁ । ଚାଲିଯିବୁ ?’

 

‘ହଁ’...

 

‘ଆଛା ଯା’ତ ଦେଖି...’ କହି ଦୋଳିତଳେ ଝୁନିୟାଁ ଓହ୍ଲେଇ ରଖି ଥିଲା ତା’ର ଯୋଉ ଚଟି ହଳକ, ତାକୁ ଧରି ବାଜିଆ ଫୋପାଡ଼ି ଦେଲା ପାଏ ବାଟ ସରିକି ହବ । ଝୁନିୟାଁ ଅଭିମାନରେ ନାକ ସୁଁ ସୁଁ କଲା ତା’ ଚଟିପାଇଁ ! ବାଜିଆ କହିଲା–

 

‘ଯାଉଥା ଏଥର କେମିତି ଯାଉଚୁ ?

 

କେମିତି ଯିବ ଝୁନିୟାଁ ? ରଜ ପାଳିଚି । ରଜବତୀ ସେ । ଗୋଡ଼ ତଳେ ଲାଗିବା କଥା ନୁହେଁ । ପାଦ ଭୂଇଁରେ ଛୁଇଁବ ନାହିଁ ବସୁମତୀ ନ ଗାଧୋଇଲେ । ଆଉ କେମିତ ଯିବ ଯେ ସେ ? ନାକ ଫୁଲେଇ କାନ୍ଦ ଆରମ୍ଭ କଲା ।

 

‘ମୋ ଚଟିଦିଅ ନ ହେଲେ ମୁଁ ଝୁଲିବିନି ଯା’... ।

 

‘ନ ଝୁଲ । ସେଇଠି ବସିଥା । ମୁଁ ଯାଉଚି ।

 

‘ଆଁ...ଆଁ...’

 

‘କ’ଣ ଆଁ ....ଆଁ ...ଏଥରକ ପରେ ଚାଲିଯିବୁ ପରା ଯାଉନୁ...’

 

ବାଜିଆ ଦେଖିଲା ସତରେ ଆଖି ଛଳ ଛଳ କରି ଝୁନିୟାଁ କାନ୍ଦି ଆସିଲାଣି ।

 

‘ଆଚ୍ଛା, ତୁ ଏଥରଟା ଝୁଲିସାରି ଆଣିଦେବି’

 

ସେଇଆ ହେଲା, ଭଲକରି ଦି’ତିନିଥର ବାହିଦେଲା ବଜିଆ, ମନଇଚ୍ଛା ଝୁଲିଲା ତା’ପରେ ଦୋଳି ଥମିଲା । ଚଟିହେଲେ ସେ ଓହ୍ଲେଇବ । ଆଖିର ବିକଳ ଚାହିଁଣୀରେ ସେ ଅନୁରୋଧ କଲା ବାଜିଆକୁ ଚଟି ଆଣି ଦବା ପାଇଁ । ନହେଲେ ତା’ର ଏତେ ବିଧି ବିଧାନରେ ପାଳିଥିବା ରଜ ବୃଥା ହେଇଯିବ ସିନା ! ଦୋଳି ଥମିଗଲା ପରେ ଦୋଳିରେ ବସିଥାଏ ଝୁନିୟାଁ । ଦୋଳିର ଗୋଟାଏ ଦଉଡ଼ିକି ଧରି ଠିଆ ହେଲ ବାଜିଆ ।

 

“ଝୁନିୟାଁ, ତୁ ସତରେ ଆଉ ଝୁଲିବୁନି ? କହନାଁ ଦେଖି ? କାହାପାଇଁ ମୁଁ ଦୋଳି ବାନ୍ଧିଥେଲି ?’

 

ମୁହଁକୁ ତଳକୁ କରି ନରମ ଗଳାରେ ଉତ୍ତର ଦେଲା ଝୁନିୟାଁ ।

 

ଝୁଲିଲି ପରା... ।

 

ବାସ୍‌... ? ତତେ କ’ଣ ମୋ ପାଖରେ ରହି ଭଲ ଲାଗୁନି ନାଁ ?

 

ଏଇ କଥାରେ ଛାତି ଭିତରଟା କ’ଣ ହେଇଗଲା ଝୁନିୟାଁର । ଅନ୍ୟଆଡ଼େ ଅଳ୍ପ ଟିକେ ମୁହଁଟେକି ସେ ଚାହିଁଲା । ଆଖି ଆଗରେ ସବୁ ଫାଙ୍କା ଜାଗା । ଏତେ ଗୁଡ଼ାଏ ଦିନ ହେଲଣି, ତଥାପି ଜଣା ପଡ଼ୁନି, ବେଶ୍‌ କାଉଁଳିଆ ରଜ ପାଗ କରିଚି । ଭାରି ଭଲ ଲାଗୁଚି ଏମିତିଆ ବେଳଟା କାଇଁକି...କାଇଁକି ଯେ ଏମିତିଆ ଭଲଦିନ ଭଲ ପାଗ ସବୁ ହୁଏ ? ଛିଃ... । ଝୁନିୟାଁ । ମନେ ମନେ ଚିଡ଼ି ଉଠିଲା । ସତରେ ମନକୁ ଡହଳ ବିକଳ କରିବା ପାଇଁ ଏମିତି କାଳବେଳଗୁଡ଼ା ନ ହବା ଉଚିତ୍‌-

 

ହେଲେ କିଏ ଶୁଣିବ ତା’ର ଉପଦେଶ । ପ୍ରକୃତିଟା ସେମିତି ଅବୁଝା । କାହାରି ମନକଥା ନ ବୁଝି ଏମିତି ସୁନ୍ଦର ସୁନ୍ଦର ଉପାଦାନଗୁଡ଼ିଏ ଭରିଦେଇଚି ଏ ଦୁନିଆଁରେ । ସେ କ’ଣ ବୁଝୁଚି କାହାକୁ ସେପୁଡ଼ା କଷ୍ଟ ଦବ କାହାକୁ ବା ସୁଖ ?

 

ଝୁନିୟାଁ ଚାରିକଡ଼ରେ ଯେମିତି ଅବୁଝା ପ୍ରକୃତି ଆଉ ତା’ର ଅବୁଝା ମାୟା । ତା’ର ଅତି ନିକଟରେ ସେମିତି ଅବିକଳ ଅବୁଝା ଗୋଟିଏ ମଣିଷ ଆଉ ତା’ର ଅନେକ ଅବୁଝା ପ୍ରଶ୍ନ । କ’ଣ ଉତ୍ତର ଦବ ସେ... ?

 

କେମିତି କହିବ ଯେ ଖାଲି ତମରି ପାଖରେ ହିଁ ମୋର ରହିବାକୁ ଇଚ୍ଛା ହଉଚି ବୋଲି ମୁଁ ଏମିତି ଚାଲିଯିବାକୁ ଚାହୁଁଚି । ଆଃ...ମନ କଥାଗୁଡ଼ା ଯଦି ନ କହିଲେ ବି ଜଣେ ଜାଣିପାରୁଥାନ୍ତା ତା’ହେଲେ ଏତେ ବୋଧହୁଏ କଷ୍ଟ ହୁଅନ୍ତା କି ।

 

କହିକରି ବି କ’ଣ ହବ ଯେ ? ବାଜିଆଇ ତ ଫେର ମଣିଷ । ଏତେ ପିଲାଟି ଦିନରୁ ଏତେଦିନ କାଳ ଏକାଠି ଏକାଠି । ଏମିତିକି ମୂହୁର୍ତ୍ତେ କେହି କାହାରକୁ ନଦେଖିଲେ ରହିପାରନ୍ତିନି । ହେଲେ ଏଇ କେତେଦିନ ହବ ଏକବାରେ ଛାଡ଼୍‌ବାଡ଼୍‌ । ବାଜିଆଇର ମନ କେମିତି ହଉଥିବ ସେ କ’ଣ ନିଜ କଥାରୁ ବୁଝୁନି ?

 

କେତେବେଳକେ ବାଜିଆ ପଚାରିଲା–

 

କିଛି କହିବୁ ନି ତ ?’

 

‘କ’ଣ କହିବି ଯେ ?’

 

‘ମୋ ପାଖରେ ରହିବାକୁ ଭଲ ଲଗୁନି ?’

 

ଆସ୍ତେ କରି ମୁଣ୍ଡଟି ହଲାଇ ହଁ ଭରିଲା ଝୁନିୟାଁ ।

 

‘ଆଉ ଯିବୁ ଯିବୁ ହଉଚୁ ?’

 

ଝୁନିୟାଁ । ଦେଖିଲି ଏଥର ମୁହଁ ନ ଖୋଲିଲେ ସେ କିଛି ବୁଝିବନି ! ନରମ ଗଳାରେ ଅନେକ ସାହାସ ସଞ୍ଚି କହିଲା– ।

 

‘କେମିତି ରହିବି କହିଲ ? ତମେ କ’ଣ କିଛି ବୁଝିପାରୁନ ? ପୁଣି କେମିତି ରହୁଥେଲି ? ହେଲେ ଏଇନେ କ’ଣ ସେଇଟା ସମସ୍ତଙ୍କୁ ସୁନ୍ଦର ଦିଶିବ ? ଲୋକମାନେ ବାର ତୁଣ୍ଡରେ ବାର କଥା କହିବେ ।’

 

‘କହିଲେ କ’ଣ ହବ ଆମର ?’

 

‘ଆମର ସିନା ହବନି, ହେଲେ ବାପା ବଡ଼ାପା ଏମାନଙ୍କ ଇଜ୍ଜତ୍‌ ଦି’କଡ଼ାର ହେଇ ଯିବନି ?’

 

କେତେବେଳେ କେମିତି ପଦେ କଥା କହିବାକୁ ମନ ହେଲେ ବି ତୁ ଆସୁନି...’ସତେ ତ, ଅବିକଳ ଝୁନିୟାଁ । ବି ଅନେକ ସମୟରେ ସେମିତି ଭାବେ । ସେଥିପାଇଁ ଏଇ କଥା ଉପରେ ସେ ଦି’କୂଳ ସୁହାଇଲା ଭଳି ଉତ୍ତରଟାଏ ଦେଲା–

 

‘କାଇଁ...ଘରକୁ ଡାକି ନଉ ନ… ?

 

ବାଜିଆ ବୋଧେ ବୁଝିପାରିଲାନି ତା’ର ମାନେ । କହିଲା–

 

‘ଚାଲେ... ।

 

‘ଏମିତି... ?’

 

‘ଆଉ... ?’

 

ଲାଜ ହସ ଟିକେ ହସି ଦେଇ ଝାଉଁଳି ପଡ଼ିଲା ଝୁନିୟାଁ । ମୁହଁରେ ରଙ୍ଗ ଉକୁଟି ଆସିଲା-। ଦୋଳି ଦଉଡ଼ିଟାରେ ଘଷି ଘଷି ତା’ର ପାଖେ ଗାଲ ନାଲି ପଡ଼ିଗଲାଣି ସେଥିକି ନିଘା ନାହିଁ-

 

ବାଜିଆର ନଜର ପଡ଼ିଲା ସେଇଠି । ଟିପ ମାରି ଦେଖେଇ ଦେଲା ।

 

‘ଏହେ...ଏଠି ଆଞ୍ଚୁଡ଼ି ହୋଇ ଗଲାଣି ଲୋ ଦଉଡ଼ିରେ ଘଷି ହୋଇ...’

 

ଜ୍ଞାନ ପଶିଲା ଝୁନିୟାଁ...ଆରେ ସତେ ତ ଟିକେ ଟିକେ ପୋଡ଼ିଲାଣି କି କ’ଣ...ତା’ର ନିଘା ନାହିଁ । ନିଜ ହାତ ପାପୁଲିରେ ଅଣ୍ଡାଳି ଆଣିଲା ବେଳେ ଦୂରରୁ ଶୁଭିଲା ଜୋରରେ ଖଣ୍ଡି କାଶଟାଏ । ଦିହେଁ ସଜାଗ ହୋଇ ଉଠିଲେ । ଦେଖିଲେ ମୁକୁନ୍ଦା, ସତେ କ’ଣଟାଏ ଦେଖିଲା ପରି ଖଣ୍ଡିକାଶ ମାରି ଜାଣିସିଆଣା ହେଇ ବା ଭାଙ୍ଗି ଚାଲିଯାଉଚି ଗାଁ ଭିତରକୁ ।

 

ବାଜିଆର ପିତ୍ତ ତାତିଗଲା ମୁକୁନ୍ଦା ଉପରେ ।

କାଇଁକି କେଜାଣି ଦିହେଁ ଦିହଙ୍କି ସହି ପାରନ୍ତି ନାହିଁ । ମୁକୁନ୍ଦା ଭୋବନି ଅଜାର ସାନ ନାତି । ବାଜିଆଠଉଁ ଦି’ବରଷ ଖଣ୍ଡେ ସାନହବ । ହେଲେ ଖବିସା ପଣକୁ ସରିଚି । ଖାଲି ଭୋବନି ବୁଢ଼ାର ନାଁ’ଟା ଥିଲା ଗାଁରେ । ତାକୁ ଭଲ ପାଉଥିଲେ ଲୋକ ବୋଲି ଏଇଟାକୁ କିଛି କହୁ ନାହାନ୍ତି । ନ ହେଲେ କେବେଠଉଁ ପୁଅକୁ ମାରି ସାବାଡ଼ କରି ଦିଅନ୍ତେଣି । ହେଲେ ବାପଟା....କାହାର ଭଲରେ ନ ଥାଏ କି ମନ୍ଦରେ ନ ଥାଏ । ଭୋବନି ଅଜା ମାଟି ନେଲାଣି ଆଜକୁ ଦି’ବର୍ଷର ହବ । କେହି କହିବ ନାହିଁ ତା’ ପୁଅ କାହା ସାଙ୍ଗରେ ଦାଣ୍ଡରେ ଠିଆ ହୋଇ ମନ ଅମେଳ କରିଚି । ଭୋବନି ନନ୍ଦ ମଲା ପରଠଉଁ ଏବକାର ଗାଁ ପଞ୍ଚେଇତିରେ ତା’ର ପୁଅ ଏଇ କୃଷ୍ଣନନ୍ଦ ଜଣେ ମେମ୍ବର । ହେଲେ ବାଜିଆ ବାପ ନିଧିକୁ ତା’ର ଭାରି ମାନ୍‌ତି । ସରଳା ଏକା ମା’ ପେଟର ବଡ଼ଭାଇ ବଡ଼ ମୁରବୀ ଭଲ ମାନି ଚଳେ । କୃଷ୍ଣନନ୍ଦର ବଡ଼ପୁଅ ଆଜିକି ଦି’ବର୍ଷ ସରିକି ଘର ସଂସାର କଲାଣି । ସେବି ତା’ ବାପ କାଟର । ଜମିବାଡ଼ି ଗାଈ ଗୋରୁ କାମରେ ବେଶ୍‌ ଥାଏ । ଏଇ ତା’ର ସାନପୁଅ ମୁକୁନ୍ଦା...ଗୋଟାଏ ମାର୍କାମରା ଟୋକାଟାଏ ।

ଗାଁ ଝିଅଙ୍କ ପଛରେ ସୁସୁରି ମାରି ଚାଲିଥିବ । ଯାବତ୍‌ ଛତରାମି । ଯାତକୁ ପୁନେଇଁ ପରବକୁ ଗାଁକୁ ସବୁ ଆସନ୍ତି ଛୋଟ ଗୀତବହି ବିକିରି କରିବାକୁ ହାରମୋନିୟମ୍‌ ବଜେଇ । ସେଥିରୁ କୋଉ ବହିଟା ମୁକୁନ୍ଦା ପକେଟରେ ନାହିଁ ସେକଥା କହିହବନି । ନାଗୁଣୀ ବହିଠାରୁ ଆରମ୍ଭ କରି ବାରମାସୀ ଗୀତ ବହି ପର୍ଯ୍ୟନ୍ତ ସବୁ ତା’ ଜିଭ ଅଗରେ ଥୁଆ । ଖାଲି ଝିଅଟାଏ ଦେଖିଲେ ଆରମ୍ଭ ହେଇଗଲା–

ଫେରିଅନା ନାଗୁଣୀ ଫେରି ଅନା ଲୋ... ନ ହେଲେ ଆଦ୍ୟ ମାର୍ଗଶିରେ କାନ୍ତ..ରସ ଯା ଚାଲିଯା....’

 

ସେ ଭାବେ ତା’ର ଏଇ କଥାଗୁଡ଼ାକୁ ଝିଅଗୁଡ଼ାକ ଭାରି ପସନ୍ଦ କରନ୍ତି । ହେଲେ ଗାଁଯାକର ଝୁଅ ତା’ ନାଁ ପଡ଼ିଲେ ନାକ ଟକନ୍ତି । କେହି କିନ୍ତୁ ଭରସି କରି ଉପରେ କିଛି କହନ୍ତି ନାଇଁ-। ନିପଟ ଅଲଜ୍ୟାଟାଏ ।

 

ହେଇ ସେଦିନ ଦଳେ ଝିଅ ସାନ୍ତରା ଗାଡ଼ିଆରୁ ଗାଧେଇ ଆସୁଥେଲେ,ଏ ଟୋକା କୋଉଠି ଛକି ତାଙ୍କ ଗାଧୁଆ ଦେଖୁଥେଲା କି କ’ଣ ତାଙ୍କ ପଛେ ପଛେ ଆଇଲା । ତା’ ଭିତରୁ ସାଆନ୍ତ ସାହିର ଝିଅ ଚମ୍ପା କିଏ ଆସୁଚି ବୋଲି ଟିକେ ପଛକୁ ଅନେଇଲା ବୋଲି ତା’ ନାଁରେ ସାଙ୍ଗେ ସାଙ୍ଗେ ଗୀତଟାଏ ପାଞ୍ଚି ସୁରେ ବୋଲି ଦେଲା–

 

ଚମ୍ପା ଅପା–ନ ହୁଅ ଝପା

ଦେବି ମୁଁ ତୁମ ମୁଣ୍ଡରେ ସିନ୍ଦୂର ଟୋପା

ନାରେ...ନାରେ ନା...ନାନା....ନାନା...ନାନା...’

 

ତା’ବାପା ଆଗରେ କହିଲେ ବି କିଛି ହବ ନାଇଁ, ଓଲଟି ତା’ ବାପା କୃଷ୍ଣନନ୍ଦ ସବୁବେଳେ ଅନ୍ୟମାନଙ୍କ ଆଗରେ କହେ–

 

ମୁକୁନ୍ଦା ମଣିଷ ହବ ନାଇଁ । ମତେ ଯାଉଣୁ ଆସୁଣୁ ରଖିଥୋଇ ଦଉ ନାଇଁ କ’ଣ ନାଁ । ଗୋଟାଏ ସାଇକେଲ କିଣିବି । କିଛି ଦରକାର ନାଇଁଟି, ଖାଲି ସାଇକେଲଟାଏ ଚଢ଼ି ଏ ସାହି ସେ ସାହି ବୁଲି ଝୁଅଗୁଡ଼ାକୁ ଦେଖେଇହବ ଏତିକି...’

 

ସେ ଆଉ ଯା’ହଉ ମୁକୁନ୍ଦା ପ୍ରତି ବାଜିଆର ଅମତ ହବାର ଆଉ ଟିକେ ଅଲଗା କାରଣ ଅଛି । କେମିତି କେଜାଣି ମୁକୁନ୍ଦାର ଟିକେ ବେଶି ନଜର ଝୁନିୟାଁ–ପ୍ରତି,ତାକୁ ଟିକେ ବେଶି ଆଖି ହାଣେ । ତା’ଆଗରେ ବେଶିଥର ଚାଲିଯାଏ ପବନ ବଜେଇ । ତା’ ପଛରେ ବେଶୀ ଜୋରରେ ସୁସୁରୀ ମାରେ । ଝୁନିୟାଁ ଟିକେ ଅପ୍ରସ୍ତୁତ ବୋଧ କରେ । ବିଶେଷ କରି ବାଜିଆ ଝୁନିୟାଁ କେତେବେଳେ ଟିକେ ଏକାଠି ପଦେ କଥା ହେଲେ ବି ସେଇଟା କେମିତି ମୁକୁନ୍ଦା ଆଖିରୁ ବାଦ୍‌ ନ ଯାଇ ବରଂ ତା’ ତାଲିକାରେ ରହିଯାଏ । ଆଉ ସେଇ ଗୋଟାକୁ ଝୁନିୟାଁ କେତେବେଳେ ଏକା ଯାଉଥିଲାବେଳେ କି ସାଙ୍ଗ ମେଳରେ ଯାଉଥିଲାବେଳେ ଗୀତ ଆକାରରେ ଗାଇଦିଏ । ସେମିତି ଦିନକର ଝୁନିୟାଁ ତା’ ଘରର ବାଡ଼ିପଟରେ ଥାଇ କ’ଣ ଭେଣ୍ଡିଗଛ ଲଗାଉଥାଏ । କୁଆଡ଼ୁ ବାଜିଆ ଆସି ସେଇଠି ଠିଆ ହେଇ ପଡ଼ିଲା । ଗପ କଲାବେଳେ ଏଇ କୁଆଡ଼ିକି ଯାଉଥେଲା, ତା’ ଆଖିରେ ପଡ଼ିଲା । ତା’ପରଦିନ ଝୁନିୟାଁ ଗାଧେଇ ଆସିଲାବେଳେ ତା’ ପଛେ ପଛେ ଗାଉଥେଲା–

 

ସେଇ ବାଡ଼ି ତଳେ

ପୁଣି ବୁଦା ମେଳେ

କାଲି ଖରାବେଳେ

ଆହା, ନାରେ ନାରେ ନା... ନାନା ନାନା’

 

ଏଇ କଥା ସବୁ ଝୁନିୟାଁ ଆସି ବାଜିଆକୁ କହେ । ବାଜିଆ ସେଇଥି ପାଇଁ ତାକୁ ମନେ ମନେ ଚଦିଛି । କେବେ ଗୋଟାଏ ମଉକା ପାଇଲେ ଟାଙ୍କେ ଛେଚି ଦବ । ହେଲେ ଝୁନିୟାଁ ତାକୁ ମନା କରିଚି ସେ ସବୁ କରିବାପାଇଁ । ପ୍ରକୃତରେ ମୁକୁନ୍ଦା ଦିହରେ ଜୀବନ ନାହିଁ । ବାଜିଆ ତା’ର ଲୁହା ମୁଗୁର ହାତରେ ଗୋଟାଏ ବିଧା ଥୋଇବ ତ ସେଇଠୁ ଆଉ ଉଠିବାର ଜୁ ନଥିବ ମୁକୁନ୍ଦାର ।

 

ବର୍ତ୍ତମାନ ଏଇ ବେଳଟାରେ ଖଣ୍ଡିକାଶ ମାରିଦେଇ ଚାଲି ଯାଉଚି । ମୁକୁନ୍ଦା ଦି’ଜଣଙ୍କୁ ଏଇମିତି ପାଖାପାଖି ହେଇ ଦୋଳିପାଖରେ ଠିଆ ହେଇଥିବାର ଦେଖି ଆଉ ଝୁନିୟାଁର ଗାଲ ଆଉଁସୁଥିବା ଦେଖି କ’ଣଟାଏ ନିଶ୍ଚେ ଭାବିଚି ।

 

ଉହୁଙ୍କିଗଲା ବାଜିଆ–

 

‘ଯାଉଚି ତା’ ତଣ୍ଟିଟାକୁ ଚିପିଧର ଏକାଥରକେ ଗଳାଟାକୁ ସଫା କରିଦେବି ଯେ ପୁଅ କାଶୁଥିବ...’

 

ତା’ ରାଗ ଦେଖି ଝୁନିୟାଁ । ଆତୁରରେ ତାକୁ ମନାକଲା–

 

‘ହେ ହେ ବାଜିଆଇ ମୋରାଣ ଯାଅନା । ବାର କଥା ଉଠିବ । ବାର ଗଣ୍ଡଗୋଳ, ଥାଉ, କାଇଁକି କ’ଣ ଦରକାର ଯେ । ଗଲା । ଖଙ୍କାର ମାରୁଥାଉ । କ’ଣ ଆମ ଦିହ ଘୋରି ହେଇ ଯାଉଚି-। ଆଜି ଭଲ ଦିନଟାରେ...

 

ଅନ୍ୟ କଥାଗୁଡ଼ାକ ବାଜିଆକୁ ବୋଧ ଦଉ ନ ଦଉ ଝୁନିୟାଁ । ରାଣଟା ପକେଇଦେଲା । ସେ ରାଣଟା ପାଇଁ ବାଜିଆ ଆଉ ଯାଇପାରିଲା ନାହିଁ । ସତେ ଯେମିତି ଶିକୁଳିଟାଏ ଛନ୍ଦିଦେଲା ବାଜିଆ ଗୋଡ଼ରେ । ଖାଲି ଦାନ୍ତ କଡ଼ମଡ଼ କରି ରହିଗଲା ସେଇଠି ।

 

‘ଆଚ୍ଛା ରହ ବଚା...ତତେ ଦେଖି ନଉଚି । କେମିତିକା ରସିକ ସାଜିଚୁ ତୁ, ତୋ ରସିକ ପଣିଆ ଛଡ଼େଇ ନ ଦେଇ ତ ମୁଁ ନିଧି ପଟ୍ଟନାୟକ ପୁଅ ନୁହେଁ, ହାଡ଼ିର ପୁଅ ।’

 

ଝୁନିୟାଁ ଦେଖିଲା ବାଜିଆଇ ରାଗଟା କମିବାର ନୁହେଁ । ତାକୁ ଟିକେ ଭୁଲେଇ ଦବାକୁ ପଡ଼ିବ । କହିଲା–

 

‘ବାଜିଆଇ ଏଠିକି ଆ ନାଁ...ଟିକିଏ’

 

କହିଦେଇ ହଠାତ୍‌ ନିଜ ପାଟିରେ ହାତ ଦେଇ ଦେଲା । ପୁଣି ତ ତୁ ବୋଲି କହି ପକେଇଲା । ନାଇଁ ସେ ଏଥର ମନେ ମନେ ସବୁବେଳେ ତମେ ତମେ ଅଭ୍ୟାସ କରିବ । ହେଲେ ବାଜିଆର ସେଥିକି ନିଘା ନାହିଁ । ଆଉ ଥରେ ବାଜିଆକୁ ପାଖକୁ ଡାକିଲା ଝୁନିୟାଁ ।

 

ବାଜିଆ ଟିକେ ଦୋଳିପାଖକୁ ଲାଗି ଆସିଲା ।

 

‘ଆଁ କର ତୁ....’

 

ବାଜିଆ ଆଁ କଲା । ଝୁନିୟାଁ ପୁଣି କହିଲା–

 

‘ନାଇଁ ଆଖି ବୁଜି ଆଁ କର ।’

 

ବାଜିଆ ସେମିତି କଲା, ନିଜ କାନିରେ ବାଜିଆଇ ପାଇଁ ଜାତି ଜାତିକା ପାନ ଭାଙ୍ଗି ବାନ୍ଧିକରି ଆଣିଥେଲା ଝୁନିୟାଁ । ସେଇଥିରୁ ଖଣ୍ଡେ ତା’ ପାଟିରେ ଗୁଞ୍ଜି ଦେଲା, ଏତିକିରେ ବାଜିଆ ଆଖି ଖୋଲିଲା । ତା’ର ମୁଣ୍ଡରୁ ସେତେବେଳକୁ ରାଗ ନଇଁ ଗଲାଣି । ଆଖି ଆଗରେ ଖାଲି ଜଣେ...ଆଉ ସେ ହେଲା ଝୁନିୟାଁ, ସେମିତି ଆଖି ପୁରେଇ ଟିକେ ଦେଖି ସାରି ବାଜିଆ କହିଲା –

 

‘ତୁ ଯିବୁ ପରା... ?’

 

‘ହଁ...’

 

‘ଯା...’

 

‘କେମିତି ଯିବି ଯେ...ମୋ ଚଟି...

 

ସେତେବେଳେ ବାଜିଆର ଧ୍ୟାନ ପଶିଲା– ଆରେ ସତେ ତ, ଝୁନିୟାଁ । ଚଟିଟା ସେ ଫୋପାଡ଼ି ଦେଇଚି । ଦୋଳିଟା ଉପରେ ସେତିକିବେଳୁ ସେ ବସିଚି । ତଳକୁ ଓହ୍ଲେଇ ପାରୁନି ସେଥିପାଇଁ ।

 

‘ଆଲୋ, ସେ ଗୁଡ଼ାକ ଏତେ ବାଟରେ ଯାଇଁ ପଡ଼ିଚି...ତାକୁ ଆଣିକରି ଆସିବି ନାଁ.... ?’

 

‘ଉଁ...ଉଁ’

 

ବାଜିଆ ମୁଣ୍ଡକୁ ଗୋଟାଏ ବୁଦ୍ଧି ଦିଶିଲା, ଦଉଡ଼ି ଯାଇ ସେ ପାଖ ଶାଳଗଛ ତଳୁ ଦଣ୍ଡକ ଭିତରେ ପୁଳାଏ ବଡ଼ ବଡ଼ ପତର ସାଉଁଟି ଆଣିଲା ।

 

‘ଦେଖ୍‌ତୁ ଗୋଟିଏ କାମ କର !

 

ମୁଁ ଏ ପତର ବିଛେଇ ବିଛେଇ ଯିବି, ତୁ ତା’ ଉପରେ ଚାଲିକରି ଯିବୁ ।’

 

ଝୁନିୟାଁ । ଅନ୍ୟ କିଛି ଉପାୟ ନ ଦେଖି ହଁ ଭରିଲା, ବାଜିଆ ପତର ଯୋଡ଼ି ଯୋଡ଼ି କରି ଥୋଇ ଦେଇ ଯାଉଥାଏ, ତା’ ଉପରେ ଝୁନିୟାଁ ପାଦ ବଢ଼େଇ ବଢ଼େଇ ଚାଲୁଥାଏ । ‘ଦି’ ଚାରି ହାତ ପରେ ବାଜିଆ ପଛ ପତର ସବୁ ଗୋଟେଇ ନେଇ ପୁଣି ଆଗରେ ପକାଉଥାଏ । ଏମିତି କରି ଚଟି ପଡ଼ିଥିବା ପାଖାପାଖି ହେଇଗଲେ ଦିହେଁ । ଆଉ ଖାଲ ଥରଟାଏ ପତର ଦେଇଦେଲେ ଝୁନିୟାଁ ପହଞ୍ଚି ଯିବ ଚଟି ପାଖରେ । ପଟେ ଚଟି ଧରି ସାରିଲାଣି ବାକି ଆର ପଟକ । ଟିକେ ମଜ୍ଜା ଦେଖିବାକୁ ବାଜିଆ କହିଲା–

 

‘ମୋ ଅଣ୍ଟା କ’ଣ ହେଇ ଗଲାଣି ପତର ଉଠେଇ ଉଠେଇ, ଆଉ ପଛକୁ ଯାଇ ପାରିବିନି ପତର ଆଣିବାକୁ । ତୁ ଗଲେ ଯା ନ ଗଲେ ନାଇଁ ।’

 

‘ଆରେ...’

 

‘କ’ଣ ଆରେ..ଆଉ ତ ପାରିବି ନି କହୁଚି । ମୋ ଅଣ୍ଟା ବିନ୍ଧିଲାଣି । ମୁଁ ଯେତେବେଳେ ଘରେ ଶୋଇ ଛଟ୍‌ପଟ୍‌ ହେଇ ଘୋଳାବିନ୍ଧା ହେଲାବେଳେ କାନ୍ଦୁଥେବି ମତେ କିଏ ହେପାଜତ୍‌କରିବାକୁ ଅଛି କି...ମୋଡ଼ି ଦବ ? ତୋର ସିନା ବୋଉ ଅଛି, ସୁର ଅଛି, କଇଁ ଅଛି । ଯାହାକୁ କହିବୁ ସେ ଦିହରେ ହାତ ବୁଲେଇ ଦବ । ମୁଁ ଆଉ ପାରିବିନି ?

 

ହଉ ମୁଁ ମୋଡ଼ି ଦେବି...’

 

‘ଓଃ, ମିଛେଇ, ତୁ ତ ଆଗେ ଆସୁଥେଲୁ, ଆମ ଘରର କେତେ କାମ କରି ଦଉଥେଲୁ । ଏବେ ତ ସେତକ ଆସୁନୁ । ଆଉ ମତେ ମୋଡ଼ି ଦବୁ... ।

 

‘କହିଲି ପରା...’

 

‘ସତ କହୁଚୁ...’

 

ମୁଣ୍ଡ ଟୁଙ୍ଗାରିଲା ଝୁନିୟାଁ । ବାଜିଆ ଆଉ ଟିକେ ଲାଗିଯାଇ ପଚାରିଲା କଅଁଳେଇ–’ସତ କହୁଚୁ ? ଦିହ ଛୁଇଁଲୁ ?’

 

ହାତ ବଢ଼େଇ ଛୁଇଁଲା ଝୁନିୟାଁ, ସତ ମଣିଲା ବାଜିଆ । ତା’ହେଲେ ବର୍ତ୍ତମାନର ମନର ଓରିମାନାଟାକୁ ଅନ୍ତତଃ ସେତେବେଳକୁ ବାଜିଆ ରଖିଯାଇପାରେ ଝୁନିୟାଁ ହାତରୁ ମୋଡ଼ା ଖାଇବା ଆଶାରେ ।

 

‘କେତେବେଳେ ?’

 

‘ସଞ୍ଜବେଳ’

 

ଖୁସିଟାଏ ହେଇ ବାଜିଆ ଆଗ୍ରହରେ କହି ପକେଇଲା ।

 

‘ଆଉ ପାହୁଣ୍ଡେ ମୋ ହାତ ଉପରେ ପାଦ ଥୋଇ ଚାଲିଯା...’

 

‘ଆଁ….ଆଁ….’

 

‘ଆଚ୍ଛା ତୁ ସେ ପଟକ ଗୋଡ଼ରେ ଗଳା’

 

ଝୁନିୟାଁ ପଟେ ଗୋଡ଼ରେ ପିନ୍ଧିଲା । ଖପ୍‌କରି ତା’ର ଦି’ବାହାରୁ ଧରି ବାଜିଆ ଟେକି ନେଲା କଣ୍ଢେଇଟାଏ ପରି ଆରପଟ ଚଟିଟା ପାଖକୁ । ସେମିତି ଉଠେଇ ଟେକି ଧରି କହିଲା–

 

‘ପିନ୍ଧ୍‌ ସେ ପଟଟା’

 

ପିନ୍ଧିଲା ଝୁନିୟାଁ, ତା’ପରେ ବାଜିଆ ତାକୁ ତଳେ ଛାଡ଼ିଲା । ସେତେବେଳକୁ ଆହୁରି ଲାଜେଇ ଯାଇଥାଏ ଝୁନିୟାଁ । ଖାଲି ଟିକେ କଣେଇ ଦେଖିନେଲା କେହି କୋଉଠି ଦେଖି ନାହାନ୍ତି ତ । ବାଜିଆର ବି ହୋସ୍‌ ପଶିଲା ଟିକିଏ ଆଗରୁ ସେ ଖଣ୍ଡିକାଶ କଥା–

 

ମୁଁ ଯାଉଚି... ? ଝୁନିୟାଁ ପଚାରିଲା ।

 

ହଉ, ହେଲେ ମୋ ମୋଡ଼ା’

 

ଆଉ ଥରେ ମୁଣ୍ଡ ହଲେଇ ହଁ ଭରି ହାତରେ ଧରିଥିବା ଆଉ ଦି’ଖଣ୍ଡ ପାନ ବାଜିଆର ହାତକୁ ବଢ଼େଇ ଦେଇ ଚାଲିଗଲା ସହଳ ସହଳ ପାଦ ପକେଇ ଝୁନିୟାଁ,କେମିତି ଯାଇଁ ସେ ସାନ୍ତରା ଘରେ ପହଞ୍ଚିବ । ଏତେବେଳଯାଏ କ’ଣ ସେମାନେ ଆଉ ଥେବେ ।

 

ହେଲେ ବାଟ ଯାକ ତା’ର କେବଳ ସେଇ ଗୋଟିଏ ଚିନ୍ତା । ଟିକକ ଆଗରୁ ଦୋଳିରେ ବସିଥିଲାବେଳେ ସେ ଭାବୁଥେଲା ଯେ ତାକୁ ଆଉ ବାଜିଆଇ ଟେକି ପାରିବନି । ହେଲେ ଏଥରକ ତ ସେ ବେଶି ଉପରକୁ ଟେକି ଦେଲା । ଏକବାରେ ଶୂନ୍ୟେ ଶୂନ୍ୟେ ନେଇଗଲା ଟେକି କରି ।

 

ହେବ ତା’ହେଲେ ସେ କ’ଣ ଭାବୁଥେଲା ମୋଟା ହେଇ ଯାଇଚି । ଭାରି ହେଇ ଯାଇଚି ବାଜିଆଇ ତାକୁ ଟେକି ପାରିବନି ? ନାଃ ତା’ର ଧାରଣା ହୁଏ ତ ଭୁଲ । ଏମିତି ବହଳିଆ ହେଇ ଦିହଟା ଲାଗିଗଲେ ବୋଧହୁଏ ବେଶି ସୁବିଧାରେ ଟେକି ହୁଏ କି କ’ଣ... ।

 

ବାଜିଆ ସେଇଠି ଟିକେ ଠିଆହେଇ ଚାହିଁଲା ଝୁନିୟାଁକୁ । ସା’ନ୍ତରା ଘର କଦଳୀ ବାରି ଆଢ଼ୁଆଳରେ ଝୁନିୟାଁ ଲୁଚିଗଲା ପରେ ସେଇଠୁ ଫେରିଲା ଗଛମୂଳକୁ । ଘଡ଼ିଏ ବସିଲା, ତା’ପରେ କ’ଣ ଭାବି ଦୋଳିଟାକୁ ଗଛ ଡାଳରେ ଖୋସି ଦେଇ ଗାଁ ଭିତରକୁ ଆସିଲା ଝୁନିୟାଁ, ଦେଇଥିବା ପାନ ଖଣ୍ଡ ପାଟିରେ ପୁରେଇ । ଆଉ କୁଆଡ଼େ ନ ଯାଇ ଘର ଭିତରେ ଆସି ସପଟା ପାରି ତା’ର ଉପରେ ଖାଇ ସାପ କାତି ଛାଡ଼ିଲା ଭଳି ଗଡ଼େଇ ତଡ଼େଇ ହେଲା । ତା’ର ଏଇନେ ସଞ୍ଜଟା ହବା ଦରକାର ।

 

ସଞ୍ଜ ହେଲା, ହେଲେ ଅନ୍ଧାର ହେଇ ନଥାଏ । ବିଲୁଆ ଡାକିବା ଆଗରୁ ଖାଇବାର କଥା, ବାଜିଆକୁ ଡାକିବାକୁ ଅଇଲା ଝୁନିୟାଁ । ବାଜିଆ ଯାଇ ଖାଇଦେଇ ଆସିଲା ପେଟେ, ଝୁନିୟାଁ ବି ଖାଇ ସାରିଚି । ଆସିଲା ବେଳକୁ ବାଜିଆ ଠାରିକରି ପଚାରିଲା ଝୁନିୟାଁକୁ ତା’ର ମୋଡ଼ା ଖାଇବା ଯୋଉ ବାକି ଅଛି–ସେ ବିଷୟରେ । ଝୁନିୟାଁ ସେମିତି ଦାନ୍ତ ଚିପି ମୁଣ୍ଡ ଟୁଙ୍ଗାରି ମନେ ଅଛି ବୋଲି ଜଣେଇଲା ବାଜିଆକୁ, ବାଜିଆ ଚାଲି ଆସିଲା ତା’ ନିଜ ଘରକୁ ଝୁନିୟାଁ ଖାଲି ନସର ପସର ହଉଥାଏ ଘର ଭିତରଟାରେ । ରଜ ବିଛଣାଟା ପଡ଼ିବ ସେମିତି,କେତେବେଳକେ କହିଲା ମାଳତୀ–

 

‘ହଇଲୋ ଝୁନିୟାଁ..ତୁ ତ ଦଣ୍ଡେହେଇ ସେ ରଜ ବିଛଣାରେ ବସୁନୁ । ଆଉ ସେଇ ପଡ଼ିଚି କାଇଁକି ? ତାକୁ ପରା ଛାଡ଼ିକରି ଯିବା କଥା ନୁହଁ ? ଯଦି ଯାଉଚୁ ଶହେଥର କହିଲି ଗୁଆକାତିଟା ଥୋଇ ଦେଇଯିବୁ ତା’ଉପରେ, ତୋର ଏତିକି ମନେ ରହୁନାଇଁ ? କେମିତି ତୁ ମଣିଷଟାଏ ହବୁ ମୋର ଏଇ ଚିନ୍ତା, ଭଲ ଘର କାମ ଦାମ ଶିଖନ୍ତୁ କରନ୍ତୁ ତାହେଲେ ଦିହଟା ଆଉ ଟିକେ ନାଗିଗଲେ ହେଲେ ଗଣ୍ଠି ମୋଟିଆ ମାଇପିଟାଏ ହେଇ ବାହାରନ୍ତୁ, ତା’ ବି ନାହିଁ । ଭାତଟା ତ ଚୁଲି ଉପରୁ ଗାଳି ପାରୁନୁ । ଆଉ କ’ଣ ତୁ କରିବୁ ? ମତେ ଖାଲି ଯାହା ଅପନିନ୍ଦା ଦବୁ ବାହା ହେଇ ସାରିଲା ପରେ ଆଉ କିଛି ନାହିଁ...’

 

ସବୁ ଶୁଣିଲା ଝୁନିୟାଁ, କିଛି କହିଲାନି, ତା’ର କହିବା କିଛି ଦରକାର ନାଇଁ, ତା’ ବୋଉର ଏଇଟା ନୂଆ କଥା ନୁହଁ, କେତେବେଳେ କେମିତି ମନ ହେଇଗଲେ ଏମିତି ଦି’ପଦ କହିଦିଏ ଆକଟ କରି ତାକୁ, ହେଲେ ଝୁନିୟାଁ ତାକୁ ଏକାନରେ ପୁରେଇ ସେ କାନରେ ବାହାର କରିଦିଏ । ହ..ଅ...କୋଉଠିକି ସେ ଏମିତି ଯିବ ଯେ ଖାଲି ଅପନିନ୍ଦା ହେଇ ଯିବ ତାକୁ, ତା’ ବୋଉକୁ, ଯୋଉଠିକି ଯିବ ସେ କ’ଣ ଆଉ ଜାଣିନେଇଁ ? ତା’ ଘରେ ସିନା ଉଘେଇଲା ପରି କିଏ ଜଣେ ଥିଲେ ଉଘେଇବ ? ଘରଟା ଯାକରେ ସେଠି ଏବେ କେତେ କାମ ଯେ ତାକୁ ଝୁନିୟାଁ ପାରିବନି । ଏଇନେ ସିନା ଝିଅ ହେଇଚି ବୁଲୁଚି ଏଣେ ତେଣେ । ହେଲେ ସେତେବେଳେ ତ ଘରର ଭୁଆଷୁଣୀ ହେଇ ଗୋଟିଏ କ’ଣରେ ବସି ରହିଥିବ । ଯେତେକାମ କଲେ ବି ତା’ର ସମୟ ରହିବ ନାଇଁ । ଆଉ ତାକୁ ବଳେଇ ପଡ଼ିବ ? ସତେ ଯେମିତି ସେ ଘରର କାମ ସେ ଜମା କରି ନାଇଁ । ହୁଟ୍‌ ପଡ଼ିଲେ ତା’ ବୋଉ ତାକୁ କହେ–ଝୁନିୟାଁ । ଲୋ ଗଲୁ ଟିକେ ଭାତଟା ତାଙ୍କର ଗାଳି ଦେଇ ଆସିବୁ-। ଦି’ଟା କ’ଣ ଭଜା, ପିଆଜ କରି ନେଇ ଯା, ପଖାଳ କଂସାଏ ଥୋଇ ଦେଇ ଆସିବୁ ।’ ସେ ତ ଯାଏ । ଦଉ ଦଉ ପୁଣି ତା’ ନିଜଇଚ୍ଛାରେ ସେ ବଡ଼ିଟାଏ ପୋଡ଼ି କରି କି ଆଳୁଟାଏ ପୋଡ଼ିଦେଇ ଚଟଣୀ କର ଥୋଇଦିଏ । ଖାଲି ସେତିକି ନୁହେଁ, ବେଶି ଲୁଣ ହେଇଗଲା କି ବୋଲି ଖାଇବା ମଝିରେ ପଚାରି ଦିଏ । ସେତ ଆଗ୍ରହରେ କହନ୍ତି– ଭାରି ବଢ଼ିଆ ହେଇଚି । ତୁ ପରା ଲକ୍ଷ୍ମୀଟାଏ-। କେମିତି ଖାଲି ତତେ ମୁଁ ନେଇ ଆସିବି...ଏଇଟା ତ ଜଲଦି ମଣିଷ ହଉ ନାଇଁ ।’ ହାତ ଧୋଇବାକୁ ପାଣି ଢାଳ ଦବା ବାହାନାରେ ଲାଜରେ ସେଠୁ ଉଠି ଆସେ ଝୁନିୟାଁ ।

 

ଆଉ ବୋଉର ଖାଲି ଚିନ୍ତା କ’ଣ ନାଁ ଶାଶୁଘରକୁ ଗଲେ ନାଁ ପକେଇବୁ । କାମ ଦାମ କିଛି ଆସିନି । ହଉ ନ ଆସିଲା ନାଇଁ । ହେଇତ...ସାମନା ସାମନି ଘର । ତୁ ଯାଇଁ କରିଦବୁ ନି କି ବଳେ... ।

 

ଏମିତି ଭାବି ଏ କଥାଗୁଡ଼ାକ ଚଳେଇ ନିଏ ଝୁନିୟାଁ । କିନ୍ତୁ ତା’ର ଏଇନେ କିଛି କାନରେ ପଶୁ ନାଇଁ । ଖାଲି ଗୋଟିଏ କଥା–କେମିତି ସେ ବାଜିଆଇକୁ ଦେଇଥିବା କଥାଟା ପୂରଣ କରିବ ।

 

ପୁଣି ମାଳତୀ ପଚାରିଲା–

 

‘ଆଲୋ ତୋ ବଡ଼ପା କୁଆଡ଼େ ଗଲା କି ? ରଜ ତିନି ଦିନ ତା’ର ତ ଧରାବନ୍ଧା ଏଇଠି ଖାଇବା କଥା । ତାକୁ ଆଉ ଏଥର କୁହା ହେଇ ନାଇଁ ବୋଲି ଆଇଲା ନାଇଁ କି ?

 

‘ଯାଇଁ ଡାକି ଆଣିବି ?’

‘ସେ କ’ଣ ଘରେ ଅଛି ?’

‘କେଜାଣି...’

‘ନାଇଁ ମୁଁ ବାଜିଆକୁ ପଚାରୁଥେଲି ପରା ସେ ଘରେ ନାଇଁ...’

ଝୁନିୟାଁର ମନଟା ଆଉ ଟିକେ ବିରସ ହେଇଗଲା । ଏଇ ଗୋଟାଏ ସୁଯୋଗ ମିଳିଥିଲା ତାକୁ । ବଡ଼ାପାକୁ ଡାକିବା ବାହାନାରେ ଖସିଯାଇଥାନ୍ତା ବାଜିଆ ପାଖକୁ । ହେଲେ...ବୋଉ ତା’ର ଆଗରୁ ପଚାରି ବୁଝି ନେଇଚି । ଏତିକି ବେଳକୁ ଦାଣ୍ଡରେ ପାଟି ଶୁଭିଲା ନିଧିର । ମାଳତୀ ତର ତର କରି ପଠେଇଲା ଝୁନିୟାଁ ଡ଼ାକିବାକୁ । ଝୁନିୟାଁ ଯାଇ ଡାକି ଆଣିଲା । ଘରେ ପଶୁ ପଶୁ ନିଧି କହିଲା–

‘ଆରେ ମୋର କ’ଣ ମନେ ନାଇଁ .. ? ମୁଁ ତ ନିଶ୍ଚେ ଆସିଥାନ୍ତି...’

‘ନାଇଁ ମୁଁ ଭାବିଲି ଏଥରକ କେହି କହି ନାହାଁନ୍ତି ବୋଲି ...’ରୋଷେଇ ଘରକୁ ଯାଉ ଯାଉ ମାଳତୀ କହିଲା ।

‘ଆଲୋ କହିବା କ’ଣ ଦରକାର ? ନ କହିଥିଲେ ବି ଏତେ ସହଳ କ’ଣ ଘରେ ରୋଷେଇ କରି ଖାଇହବ ସଞ୍ଜ ଆଗରୁ ? ଏମିତି ଗଣ୍ଡାଏ ଉଠିଆ ପକେଇ ଦବା କଥା ନାଁ-। ...ଆଉ ।

 

ଏତକ କହିଦେଇ ଚକାଟାଏ ପାରି ବସିପଡ଼ିଲା ଅଗଣା ମଝିରେ ନିଧି– । ଝୁନିୟାଁକୁ ବଡାପା ପାଇଁ ପାନ ଭାଙ୍ଗିବାକୁ କହି ନୂଆ ଚଟେଇ ଖଣ୍ଡେ ଧରି ଆସିଲା ମାଳତୀ ।

 

‘ଥାଉ ବା ବସିଲିଣି ତ ଆଉ କ’ଣ ହବ ?’

 

‘ନାଇଁ...ନାଇଁ ଭଲଟାରେ....’

 

‘ଓହୋ ଥାଉମ...ଏଇଟା ନୂଆ ଚଟେଇଟା । ସେ ପୁରୁଣାଟା କାଇଁ ?’

 

‘ଏଇଟା ବି କାଲିକି ପୁରୁଣା ହେଇଯିବ’–କହି ପାରିଦେଲା ମାଳତୀ । ପାଟିରୁ କଥାଟା ଖସିଗଲା ପରେ କଣେଇ ଚାହିଁଦେଲା–ଝୁନିୟାଁ ନାହିଁ ତ ? କାଇଁକି ନାଁ ଝୁଅତ ଆଉ ପିଲା ହେଇ ନାଇଁ । ତା’ର ବଅସ ହେଲାଣି– କଥାକୁ ମନରେ ଅନ୍ୟ ରକମର ଅଡ଼ୁଆ ବୁଝିବ ତ ବେସଳଖ ଜଣାଯିବ କଥାଟା ।

 

ଚଟେଇ ଉପରେ ବସିଲା ନିଧି । ଖାଇବାର ସବୁ ତା’ ଆଗରେ ବାଢ଼ିଦେଲା ମାଳତୀ । ଝୁନିୟାଁ ମୁଣ୍ଡରେ ଗୋଟାଏ ବୁଦ୍ଧି ପଶିଲା । ପାନ ଭାଙ୍ଗୁ ଭାଙ୍ଗୁ ନିଧି ପାଖରେ ଆଣି ପାନ ଥୋଇ କହିଲା–

 

‘ଆଲୋ ବୋଉ ! ମୋର ତ ମନେ ନାଇଁ ବାଜିଆଇକି ପାନ ଦବାକୁ’

 

‘ତୋର ଯୋଉ ମନ...’କହି ଟିକେ ଚିଡ଼ି ଉଠିଲା ମାଳତୀ ।

 

‘ଦେଇ ଆସିବି ?’

 

‘ହଉ ଯା...’

 

ବାଧା ଦେଲା ନି ମାଳତୀ । ନିଧି ଆଗରେ ତା’ ପୁଅ କଥାଟାକୁ କେମିତି ଭାଙ୍ଗିଦେଇଥା’ନ୍ତା ସିଏ ।

 

ଝୁନିୟାଁ । ଚାଲିଗଲା, ସତେ କି ଜମା ତିନିଟା ଖୋପାରେ ବାଜିଆଇ ପାଖରେ ପହଞ୍ଚିଯିବ । ପାଟିକି ଗୁଣ୍ଡା ନଉ ନଉ ନିଧି ପଚାରିଲା–

 

‘ଅଇଁଠା କାଇଁ ? ଖାଇ ସାରିଲାଣି ?

 

‘ସେ ପାରି ଯାଇଚନ୍ତି ।’

 

‘ଅବେଳାଟାରେ ?’

 

‘ଏ ପିଲା ଦି’ଟା ଯାହା ହେଇଚନ୍ତି । ସେ ସୁର ଆଉ କଇଁ ଦି’ଜଣଯାକ କାଲିଠଉଁ ରଖିଧୋଇ ଦେଲେ ନି ତାଙ୍କ ପାଇଁ କାଇଁକି ଜାମା ଖଣ୍ଡେ ଖଣ୍ଡେ ହେଇଚି ଆଉ ପେଣ୍ଟ ହେଲା ନାଇଁ-। ଏ ବେଳ ବୁଡ଼େ ବେଶି ନଗେଇଲେ ବୋଲି ରାଗି ମାଗି ଯାଇଚନ୍ତି ସେପାରୀରେ ଯୋଉ ଦୋକାନଟା ଖୋଲିଚି ସେଇଠୁ ପେଣ୍ଟ କିଣିକରି ଆଣିବେ ।’

 

‘ତାକୁ ଖାଇକରି ଯିବାକୁ କହିଲୁ ନି । ବେଳ ଗଡ଼ିଯିବ...’

 

‘ନାଇଁ ପରା ଚିଡ଼ିକରି କହିଲେ ଆଗ ଆଣିବି ତା’ପରେ ଖାଇବି ।’

 

‘ଆଉ ପିଲା ଦି’ଟା ?’

 

‘ସାଙ୍ଗରେ ନେଇକରି ଯାଇଚନ୍ତି । ସେମାନେ ବି ଲଗେଇଲେ ଯିବାକୁ ।’

 

‘ହୁଁ... ବେଳ ଗଡ଼ିଯାଉଚି ଯେ...’

 

‘ହ ବା....ଏଦିନେ କ’ଣ ଆଉ ଆମର ଗୋଟାଏ ବାରଣ ?’

 

‘କାଇଁକି ?’

 

‘ଆଉ କ’ଣ ବଅସ ଅଛି ? ବୁଢ଼ା ବୁଢ଼ୀ ହେଇ ଗଲୁଣି ପରା ।’

 

‘ସତେ ? ଇଲୋ କୋଉଦିନ ହେଇଗଲା ମୁଁ ତ ଜାଣିପାରିଲି ନାଇଁ...’

 

‘ନାଇଁ ସତ କହିଲି ନିଧିଭାଇ, ଆଉ କ’ଣ ସେଇଦିନ କଥା ଅଛି ? ଏଇ ଧର ଆଉ କେଇଦିନେ ବାଜିଆ ଝୁନିୟାଁ ସବୁ ବାହା ହେବେ । ଆଉ କ’ଣ ସେଇ ବଅସ ଥିଲାବେଳ କଥା ଥାଏ !’

 

‘କିଲୋ ଆଜି କ’ଣ ଭାରି କଥାସବୁ କହୁଚୁ.. ? କ’ଣ ହେଇଚି କି ତୋର ?’

 

‘କିଛି ନାଇଁ ତ.... ?’

 

‘ଖାଇ ସାରିଚୁ ତୁ ?’

 

‘ନାଁ...’

 

‘ଓହୋ ଅଇଁଠା ଖାଇନାଇଁ ପରା ?’

 

ସେଥିରେ କ’ଣ ଅଛି ? ତମେ ତ ଖାଇ ସାରିଲାଣି ।’

 

ଏଇ କଥାରେ ନିଧି ତାକୁ ଟିକେ ପାଖକୁ ଟାଣିଦେଲା । ମାଳତୀ କବାଟଟା ଆଡ଼େ ଚାହିଁବାରେ ନିଧି ତାକୁ କବାଟ ଦେଇ ଆସିବାକୁ କହିଲା ।

 

‘ନାଇଁ ନିଧି ଭାଇ, ଝୁନିୟାଁ ପାନ ଦେଇ ଫେରିଆସିଥିବ ଛି... ?’

 

‘ଆଲୋ ସେ ଜମ୍ମା ଅବିକା ଫେରିବ ନାଇଁ ।

 

ବାଧ୍ୟ କଲାରୁ କବାଟ ଦେଇ ଆସିଲା ମାଲତୀ । ନିଧି ଭଲକରି ଗୁଣ୍ଡାଟାଏ ବଳି ମାଳତୀ ପାଟିରେ ଦେଲା, ମାଳତୀ ଆଉ ଟିକେ ପାଖକୁ ଲାଗି ବସିଲା, ଦୁହେଁ ଯେମିତି ନିଧି ଆଉ ମାଳତୀ ନୁହଁନ୍ତି ବାଜିଆ ଆଉ ଝୁନିୟାଁ । ଟିକେ ପରେ ମାଳତୀ କହିଲା କବାଟ ଖୋଲିବାକୁ, ନିଧିଆ ମନାକଲା ।

 

‘ଆଲୋ ସେ ଜମ୍ମା ଆସିବ ନି ଏତେ ସହଳ ।’

 

‘ନାଇଁ ନିଧି ଭାଇ ତମେ ଜାଣି ନ । ମୁଁ ମୋଟେ ଚାହେଁନି ।

 

‘କ’ଣ ?’

 

‘ସେ ଦିହେଁ ଏମିତି ମିଶନ୍ତୁ...’

 

କ’ଣ ହେଲା ସେଇଠୁ ? ଆରେ ବାବା ତାଙ୍କର ତ ବଅସ ହେଇଚି ସେମାନେ ତ ମିଶିବାର କଥା ମିଶିବେ । ଆଜି ନ ହେଲ କାଲି ହେଲେ ବି ସେ ଦି’ଜଣ ତ ତାଙ୍କର ବୋଲି ଆମେ ସମସ୍ତେ ଧରି ନେଇଚେ... ।

 

‘ହେଲା ଯେ, ମୁଁ କିନ୍ତୁ ଚାହେଁ ତମ ଘରକୁ ଝୁଅଟାଏ ଦବାକୁ ନିଧି ଭାଇ, କଳଙ୍କଟାଏ ନୁହେଁ, ଯୋଉଟା ବାହାଘର ପରେ ହେଲେ ଗୌରବ ସେଇଟା ଆଗରୁ ହେଲେ କଳଙ୍କ । ମୋର ଯୋଉ ଅବସ୍ଥା ହେଇଥେଲା ସେଇଟା ଚୋର ଚଣ୍ଡାଳକୁ ନ ହଉ । ସେଥିପାଇଁ ଘିଅ ଆଉ ନିଆଁ କୁ ମୁଁ ଜମା ଏକାଠି କରିବାକୁ ଚାହେଁ ନାଇଁ ।’

 

‘ନାଇଁ ସେମିତି କରିବା ତୋର ଦରକାର ନାଇଁ ମାଳ । ମୁଁ ଜାଣିଚି ସେ ଦି’ଜଣଙ୍କୁ । ମୁଁ ପରଖି ଦେଇଚି ସେଗୁଡ଼ା ସେମିତିଆ ନୁହଁନ୍ତି । ମୋଟେ ଅବାଟରେ ପଶିବେ ନାହିଁ । ଆଲୋ ସେ କ’ଣ ଆଉ କାହାଛୁଆ ହେଇଚିନ୍ତି ?

 

‘ନାଇଁ, ତମ ଛୁଆ...ମୋ ଛୁଆ,ଏଇ ଦେଖୁନ ତମେ ଯେମିତି ଅବାଟରେ ପଶନି କି ମୁଁ ବ ଜମା ପଶୁନି । ହସି ହସି ସେତିକି ବେଳର ଆପଣା ଦୁହିଁଙ୍କୁ ଲକ୍ଷ୍ୟ କରି ପରିହାସରେ କହିଲା ମାଳତୀ, ସେତେବେଳକୁ ମାଳତୀ ଏକ ରକମ ନିଧିର ଦିହ ଉପରେ । ଏଇ ନକଲ କଥାଟାରେ ଆଉ ଟିକେ ଚଞ୍ଚଳ ହୋଇ ଉଠିଲା ନିଧିର ଶିରା ପ୍ରଶିରା, ତା’ର ଆଉ ଖାଇବାରେ ମନ ଲାଗିଲାନି-

 

ବାଜିଆ ଗଡ଼େଇ ପଡ଼େଇ ହେଉଥାଏ ମଣିଷଟା ଉପରେ ।

 

ଆଉ ଝୁନିୟାଁ ଆସିବନି । ତା’ର ଯେବେ ଇଚ୍ଛା ଥାନ୍ତା, ତାକୁ ଯେତେବେଳେ ଖାଇବାକୁ ଆସି ଡାକିଲା ସେତିକିବେଳେ କଥା ରଖିବାକୁ କ’ଣ–କହି ନଥାନ୍ତା, ମୋଡ଼ିଦବା ପାଇଁ । ସେମିତି ଗୋଟାଏ କହିଦେଇ ଥିଲା ସିନା ପୁଣି ଖାଇଲାବେଳେ ଏଇ ଟିକିଏ ଆଗରୁ ‘ହଁ’ନ କହି ଆଉ କ’ଣ କହିଥାଅନ୍ତା ଯେ... ।

 

ଆହୁରି ଟିକିଏ ସପନ ଦେଖିଲା ଭଳି ବାଜିଆ କଳ୍ପନା କରି କହିଲା, ଝୁନିୟାଁ ତାକୁ ମୋଡ଼ି ଦଉଚି । ଇଏ ଯେତେ ଛାଟିପିଟି ହେଲେ ବି ତାକୁ ଛାଡ଼ୁନି । ସେଇଠୁ ଜୋରରେ ଉଠିପଡ଼ି ସେ ଝୁନିୟାଁ ହାତକୁ ଧରି ପକାନ୍ତା । ଝୁନିୟାଁ ଲାଜ କରନ୍ତା ।

 

ଛିଃ...ଏଡ଼େ ଲାଜକୁଳୀ ଝୁନିୟାଁ, ସବୁ କଥାରେ ଲାଜ । ଆଃ...ସତିକା ତାକୁ କେହି ଦେଖି ନାହାନ୍ତି ପରା..ନୂଆ ବୋହୁଟାଏ ଯେମିତି...ନାଇଁ ନାଇଁ ନୂଆବୋହୂ ହବା ପାଇଁ ବୋଧହୁଏ ଆଗରୁ ଅଭ୍ୟାସ କରୁଚି । ଏମିତି ସବୁ ଆଗରୁ ଅଭ୍ୟାସ କରନ୍ତି ଯେ ଝିଅମାନେ । ବାହାହେଲା ଆଗରୁ ରୋଷେଇବାସ ଶିଖିବାଟା ଯେମିତି ଗୋଟାଏ କାମ, ଏସବୁ ଶିଖିବା ବି ସେମିତି ଗୋଟିଏ କାମ ।

 

ହେଇ ସେଦିନ କେମିତି ସେ ତିନିଟା ଯାକ ଝିଅ ବାହୁନା ଶିଖୁଥିଲେ । ଉଦୁଉଦିଆ ଦି’ପହରଟାରେ ବାଜିଆ ଯାଉଥେଲା ଠାକୁର ବାଡ଼ିରୁ ଆମ୍ଭଦି’ଟା ଆଣିବାକୁ । ଦୂରରୁ ତାକୁ ଶୁଭିଲା–କିଏ ଯେମିତି କାନ୍ଦୁଚି । ଏତେବଡ଼ ବତା’ ଖଣ୍ଡେ ବାଡ଼ଦିହରୁ ଭାଙ୍ଗିଦେଇ ଧରି ଦଉଡ଼ିଲା ବେଳକୁ ହଠାତ୍‌ ତା’ କାନରେ ପଡ଼ିଲା ପୁଳାଏ ହସ ଏକାଥରକେ । ସେଇଠୁ ବାଜିଆ ଟିକେ ଥମିଗଲା । ଗୋଟାଏ ଗଛର ଆଢ଼ୁଆଳରେ ରହି ସେ କାନପାରି ଶୁଣିଲା କଥାଟା କ’ଣ...

 

ଜଣେ ଜଣକୁ ‘ସେମିତି ନୁହେଁ ବୋଲି’ବତେଇ ଦଉଚି...ତା’ପରେ ପଦେ ବାହୁନା ସ୍ଵର । ମଝିରେ କେମିତି କଇଁ ଉଠିବ, କୋଉଠି କୋଉଠି ପାଦ ଛଣ୍ଡିବ, ବାପାଙ୍କୁ ଧରି କେମିତି ବାହୁନିବ, ମାକୁ ଧରି କେମିତି, ଭାଇଙ୍କୁ ଧରି କେମିତି, ସାଙ୍ଗ ସାଥିଙ୍କୁ ଧରି କେମିତି...ଏମିତି ଚାଲିଲା ।

 

ଆଶ୍ଚର୍ଯ୍ୟ ହେଲା ବାଜିଆ, ଆରେ...ବାହାଘରରେ ସେ ଶୁଣିଚି, ଝିଅମାନେ ବିଦା ହେଲାବେଳେ କାନ୍ଦନ୍ତି ତାଙ୍କ ଘରର ମା’, ଖୁଡ଼ୀ ଆଦି ସମସ୍ତଙ୍କୁ ବାହୁନି କରି ଯୋଉ...ସେଥିରେ ପୁଣି ଏତେ ପାଠ ଅଛି ? ଅବିକା ଯୋଉମାନେ କନିଆଁ ହବାପାଇଁ ଶିଖିବେ ସେମାନେ ପୁଣି ଯେତେବେଳେ ମା’ହେଇକରି ଝିଅ ବିଦା କରୁଥେବେ... ତାଙ୍କର ତ ସେଇଗୁଡ଼ା କାମ ଚଳିଯାଉଥିବ... ? ବେଳେ ବେଳେ ଏଇ ଝିଅ ଦିନର ପାଦେ ଭୁଲ ଭଟକା ହେଇ ପାଟିରୁ ବାହାରି ପଡ଼ୁଥିବ । ଆଉ କିଛି ମନେ ନ ପଡ଼ିଲେ ? ହଁ ମ ତାକୁ ପୁଣି ସକେଇ ସକେଇ ଗୋଳେଇ ଦଉ ନଥେବେ କି ? ସେ ଯା’ହଉ ତା’ ଭିତରେ ଏଭଳି ଗୋଟାଏ ଶାସ୍ତ୍ର ଅଛି ଆଉ ତାକୁ ପୁଣି ଶିଖିବାକୁ ପଡ଼େ ବୋଲି ବାଜିଆ ଜାଣି ନଥେଲା । ତା’ର ଧାରଣା ଥିଲା, ଏଗୁଡ଼ା ଛାଏଁ କାନ୍ଦି ହେଇଯାଏ ବୋଲି ।

 

ଆଉ ବେଶି ଜାଣିବାକୁ ସେ ଆସ୍ତେ ଆସ୍ତେ ଗଛ ଆଢ଼ୁଆଳରେ ରହି ନଇଁ କରି ସେ ପାଖକୁ ଅନେଇଲି । ଦେଖିଲା ଦିଗମଉସାର ପୁଅ ଯିଏ ଗଲା ମାଘରେ ବାହା ହେଇଥିଲା ତାରି ସ୍ତ୍ରୀ ମଝିରେ ବସିଚି, ଆଉ ତା’ ଦି’କଡ଼ରେ ସାନ୍ତରା ଘରର ସେ ଝିଅ ଆଉ ଶମ୍ଭୁ ମିଶ୍ରଙ୍କ ନାତୁଣୀ ଦି’ଜଣ-। ହଠାତ୍‌ ତା’ର ମନେ ପଡ଼ିଲା, କିଏ ଗୋଟାଏ କହୁଥିଲା–ସା’ନ୍ତରା ଘରର ମଝିଆଁ ଝୁଅର ବାହାଘର । ହଁ ତ..ଝୁନିୟାଁ କହୁଥିଲା ନାଁ କ’ଣ ? ସେଇ ବସି ବାହୁନା ଶିଖୁ ଦିଗ ମଉସା ବୋଉ ଠଉଁ । ପୁଣି ତା’ କୋଳରେ ଏଡ଼େ ମୋ ଖାତାଟାଏ । ଆରେ ବାଃ...ତା’ହେଲେ ଗୋଟାଏ ପୋଥି ବି ସେ ବିଦ୍ୟା ପାଇଁ ଅଛି ? ବାଜିଆ ଆଶ୍ଚର୍ଯ୍ୟ ହେଇଗଲା !

 

ସେଇ ଦିନଠୁ ସେ ଧାରଣା କରିଚି ଯେ ଝିଅମାନେ ଯେତେ ଯାହା କରନ୍ତି ସବୁଗୁଡ଼ା ତାଙ୍କର ଶିଖିଲା କଥା, କୋଉଟା ମନରୁ ନୁହେଁ । ସବୁଥିରେ ଆଗରୁ ତାଲିମ୍‌ ହେଇ ଆସିଥାନ୍ତି । ଆଉ ସେମିତି ଝୁନିୟାଁ ବି ଅଭ୍ୟାସ କରୁଚି ସବୁ ଶିଖିବାକୁ କି କ’ଣ... କିଏ ଆଉ ଶିଖାଉଥିବ ଯେ ଏଇମାନେ ତ ସବୁ ତାଲିମ୍‌ ମାଷ୍ଟ୍ର ପାଲଟିଛନ୍ତି । ତାକୁ ଲାଜରୁ ଏତେ ଗୁଡ଼ାଏ ଶିଖେଇ ସାରିଲେଣି-

 

ଆଃ...କହି ବ୍ୟସ୍ତ ହେଇ ପିଟିଦେଲା ପାହାରେ ନିଜ ତକିଆଟାକୁ ଝୁନିୟାଁ କଥା ଭାବି । ହଠାତ୍‌ ଚମକି ପଡ଼ିଲା ସେ–ତା’ ଅଣ୍ଟା ଉପରେ କାହାର ହାତ, ବୁଲିପଡ଼ି ଦେଖିଲା, ଝୁନିୟାଁ ଆସି କେତେବେଳେ ତା’ ପାଖରେ ଆଣ୍ଠେଇ ତା’ ଅଣ୍ଟା ମୋଡ଼ିବାକୁ ହାତ ଥୋଇସାରିଲାଣି । ଆଖିକୁ ବିଶ୍ୱାସ କଲା ନି ବାଜିଆ । ବାଜିଆକୁ ନୀରବ ଦେଖି ଝୁନିୟାଁ ପଚାରିଲା...

 

‘କ’ଣ ତକିଆରେ ଛାରପୋକ ବେଶି ହେଇଚନ୍ତି ?

 

‘କାଇଁ ନାଁ...ତ...’

 

ଏମିତି ତକିଆଟାକୁ ପିଟୁଥେଲ କାଇଁକି ଯେ ?’

 

କେମିତି ବାଜିଆ କହିବ ଯେ ପିଟୁଥେଲି ତୋରି ପାଇଁ । କିଛି ନକହି ଉଠିବସିଲା ବାଜିଆ ।

 

‘ଶୁଅ, ମୋଡ଼ି ଦେବି ପରା.... ?

 

ଝୁନିୟାଁ । ସେଇ କହିଦେଲୁ କ’ଣ ହେଲ ନାଇଁ ?’

 

‘କହି ଦେଲେ କ’ଣ ହବ ମ । ତମେ ଶୁଅ, ଆଜପରା ବହୁତ ଥକି ଯାଇଚ’କହି ଗୋଡ ଭଣ୍ଡାରେ ହାତ ଦେଲା ଝୁନିୟାଁ । ଗୋଟାପଣ ନିଜ ଉପରକୁ ଓଟାରିନେଲା ବାଜିଆ ତାକୁ । କ୍ଷଣକ ଆଗରୁ ଯେତେ କଥା କହିବ ବୋଲି ଭାବୁଥେଲା କଛି କହିପାରିଲାନି । ସବୁଗୁଡ଼ାକ ଯେମିତି ତା’ ନିଶ୍ୱାସ ବାଟେ ଦଲକା ଦଲକା ହେଇ ବାହାରି ଆସି ଝୁନିୟାଁ କାନ ପାଖରେ ଜମା ହବାକୁ ଲାଗିଲା-

 

‘ତାହେଲେ ତମର ଘଷା ଖାଇବା ଦରକାର ନାହଁ ?’

 

ଝୁନିୟାଁ ଲୋ ! ଦରକାରଟା କ’ଣ ଏମିତି ମେଣ୍ଟିଯିବ ? ତୋ ହାତରୁ ଥରେ ଘଷା ଖାଇଲେ ଆଉ ଖାଇବାର ଭୋକଟା ବଢ଼ିବ ସିନା ହେଲେ ତୁଟିବ କେମିତି ? ତୁ ସିନା ହାତ ବୁଲେଇ ଦେଇ ଚାଲିଯିବୁ ହେଲେ ତାପରେ ଯେତେବେଳେ ଆଉ ଟିକେ ଦରକାର ହବ..ତୁ କ’ଣ ଥବୁ ? ତାହେଲେ ତୋ ହାତର କଣ୍ଟାରେ ମୋ ଦିହକୁ ଘାଇଲା କରିବି କାଇଁକି କହିଲୁ’’

 

ଝୁନିୟାଁ ଦେଖିଲା ଗୋଟାଏ ଜ୍ଞାନୀ ପୁରୁଷ ଭଳି କେତେ କଥା କହି ଯାଉଚି ବାଜିଆଇ । ସତକଥା କହୁଚି ତ । କେତେ କଥା ପ୍ରକୃତରେ ଜାଣିଚି ମ ସେ ? କୋଉଠୁ ଜାଣିଲା ଯେ ? ନାଇଁ ବୋଧହୁଏ, ଏଇ ବେଳରେ ଏମିତି କଥାଗୁଡ଼ାକ ଆପଣା ମନକୁ କହି ହେଇଯାଏ । ସେଥିପାଇଁ ଅଭ୍ୟାସ କରିବା ଦରକାର ନାଇଁ କି କୋଉଠୁ ମୁଖସ୍ଥ କରିବା ଦରକାର ନାଇଁ । ସେଗୁଡ଼ା ରକ୍ତମାଂସ ସାଙ୍ଗରେ ମିଶିକରି ଅଛି ଖାଲି ସୁଯୋଗ ପାଇଲେ ବାହାରେ । ଏଇନେ ବାଜିଆଇ ସୁଯୋଗ ପାଇଚି ।

 

ଝୁନିୟାଁ ଆଉ କିଛି କହିପାରିଲାନି ବାଜିଆଇ କଥା ଉପରେ । କ’ଣ କହନ୍ତା ଯେ ? ସବୁଗୁଡ଼ାକ ତ ଅଙ୍ଗେ ନିଭେଇବା କଥା । ବାଜିଆଇର ଅଭାବଟା କ’ଣ ସେ ନିଜେ କମ୍‌ ବୋଧ କରୁଚି ? ଦିନେ ଦିନେ ତା’ ନିଦ ଭାଙ୍ଗିଯାଏ କ’ଣ ଗୁଡ଼ାଏ ସପନ ଦେଖି । ହଠାତ୍‌ ତା’ର ମନେ ପଡ଼ିଯାଏ– ସେ ପିଲା ଦିନର ଖେଳ, ମିଛିମିଛିକା ମରଣ, ହର ପାର୍ବତୀଙ୍କ ବର...ସବୁ । ସେଇ ଛୁଣିକା ତା’ର ଇଚ୍ଛା ହୁଏ ସେ ଗଛମୂଳକୁ ଚାଲିଯିବାକୁ । ଆହା–ସତରେ ଯଦି ଈଶ୍ୱର ପାର୍ବତୀ ଥାନ୍ତେ ଆଉ ଏଇବାଟେ ଉଡ଼ିଯାଇ ପ୍ରକୃତରେ ଏ ବେଳରେ ତା’ର ଏ ଦୁଃଖ ଦେଖନ୍ତେ ତା’ହେଲେ ତାକୁ ଉଠେଇ ନେଇ ଗଛ ମୂଳରେ ପହଞ୍ଚାଇ ଦିଅନ୍ତେ । ବାଜିଆଇ ଝୁନିୟାଁକୁ ଦେଖନ୍ତା, ଝୁନିୟାଁ ବାଜିଆଇକୁ । ନିହାତି ନିରୋଳା ରାତି–କେହି କୁଆଡ଼େ ନଥାନ୍ତେ । ଖାଲି ରଣିଫୁଲ ପରି ଜହ୍ନ ପଡ଼ିଥାନ୍ତା ସବୁଆଡ଼େ । ଗଛମୂଳଟା ଟିକିଏ ଆଡ଼ ଅନ୍ଧାରିଆ ହେଇଥାନ୍ତା । ପତର ଫାଙ୍କରେ ଚେନାଏ ମାଣବସା ଗୁରୁବାର ଚିତା ଲେଖିଲା ଭଳି ଗଛ ତଳଟାରେ ଯାହା ସେ ଜୋଛନା ଗୁଡ଼ାକ ଝରି ପଡ଼ିଥାନ୍ତା–ଠିକ୍‌ ହୀରା, ମୋତି, ମାଣିକ ପରି..ତା’ପରେ ! ! ! ତା’ପରେ ଆଉ ଆଗକୁ ଭାବିପାରେନି ଝୁନିୟାଁ । ତକିଆଟାକୁ ଜାବୁଡ଼ି ଧରି ଆଖି ପୋଛଦିଏ ।

 

ସେଇ କଥାଗୁଡ଼ାକ ବାଜିଆଇ ଆଜି ମୁହଁ ଖୋଲା ତା’ ତରଫରୁ କହୁଚି । କ’ଣ ସେଥିରେ ନେଉଟ କହିବ ଝୁନିୟାଁ । କେତେବେଳକେ ବାଜିଆ କହିଲା ।

 

‘ଝୁନିୟାଁ...କିଛି କହୁନୁ ? ତୋର କ’ଣ କଛି କହିବାକୁ ମତେ ଇଚ୍ଛା ହୁଏନି !’

 

ହଁ ଭରି ମୁଣ୍ଡ ହଲେଇଦେଲା ଖାଲି ଝୁନିୟାଁ ।

 

‘କହୁନୁ ତ କିଛି...କ’ଣ ଲାଜ ମାଡୁଚି ?’

 

ଆହୁରି ଲାଜେଇ ପଶିଗଲା ବାଜିଆର ଛାତି ଭିତରେ ଝୁନିୟାଁ, ଦି’ଟା ମୋଟା ମୋଟା ଟାଣୁଆ ହାତରେ ଖୁବ୍‌ ଜୋରରେ ଅଣନିଶ୍ୱାସୀ ହୋଇ ଧଇଲା ବାଜିଆ ତାକୁ । ଦିହିଙ୍କ ଦିହରେ ରକ୍ତ ମାତିଗଲା, ବାଜିଆ ଆଉ ସମ୍ଭାଳି ପାରିଲାନି । ଧୀରେ ଧୀରେ ନିଜ ମୁହଁକୁ ନୁଆଇଁ ଆଣିଲା । ଅଙ୍ଗରେ ତା’ର ଶିହରଣ, ଆଉ ସେ ଶିହରଣର ଉପଚାର କରି ବସିଲାବେଳେ ଠିକ୍‌ ଗେହ୍ଲାଟା ଭଳି କଅଁଳିଆ ଆଙ୍ଗୁଠି ମେଞ୍ଚାକ ବାଜିଆର ମୁହଁ ସାରା ବୁଲେଇ ଆଣି କହିଲା–

 

‘ଛି...ମୋ ସୁନାଟି ପରା । ଏତେ କରି ସକାଳେ କହିଥିଲି ନାଁ, ତମେ କ’ଣ ଆଜିଠାରୁ ମତେ ବାସୀ କରିବାକୁ ଚାହଁ ତମରି କତିରେ ?’

 

‘ବାସୀ କ’ଣ ଝୁନିୟାଁ... ?’

 

‘ତମେ ମତେ ପିଲାଟି ଦିନରୁ ଦେଖି ଆସିଚ ପରା ? ମତେ ଆଉ ଦେଖିବା ଚାହିଁବାରେ ତ ନୂଆ କିଛି ନଥିବ ମ ତୁମ ପାଇଁ । ହେଲେ ଯୋଉ ଟିକକ ପାଇଁ ମୁଁ ତମ କତିରେ ନୂଆ ହବାକୁ ଆସିବି ସେଇତିକି ଆଜିଠଉଁ ମଡ଼ା କରି ଦିଅନି ତା’ହେଲେ ତମେ ସୁଖୀ ହବନି ।

 

‘ତୁ ମତେ ଠକି ଦଉଚୁ ନାଁ ।’

 

ଆଖି ଛଳଛଳ ହେଲା ଝୁନିୟାଁର ।

 

‘ବାଜିଆଇ ତୁମେ ମତେ ଏକଥା କହି ପାରୁଚ ? ତମରି ଛାତି ଉପରେ ମୁହଁରଖି ମୁଁ ଯଦି ତମକୁ ମିଛ କଥା କହୁଥେବି, ତା’ହେଲେ ସାତ ଜନ୍ମ ପାଇଁ ମତେ ପୁରୁଷର ମୁହଁ ଦେଖିବାକୁ ନ ମିଳୁ ।’

 

‘ଝୁନିୟାଁ । ...‘ତା’ ପାଟିରେ ହାତ ଦେଇଦେଲା ବାଜିଆ । ‘ଟିକିଏ କଥାରେ ଏମିତି କଥାଟାଏ ନିୟମ କରିଦେଲୁ ?’

 

‘ହଁ ନିୟମ କଲା ପରା, ଯଦି ଜଣକ ଛଡ଼ା ଆଉ କେହି ମୋ ଆଖି ଆଗରେ ଥିବ ତା’ହେଲେ... । ତମେ କ’ଣ ଭାବୁଚ ତମେ ମୋଠୁ ବେଶି ହନ୍ତସନ୍ତ ହଉଚ ? ନାଁ...ତମେ ପୁରୁଷ ପୁଅ, ଖେଳୁଚ ବୁଲୁଚ । ଦଣ୍ଡକ ପାଇଁ ହେଲେ ବୁଲିବା ପାଇଁ ସମୟ ପାଉଚ । ହେଲେ ମୁଁ ? ଝିଅ ଜନମ ଯେ କେଡ଼େ ନିରିମାଖି ତା’ ତମେ ବୁଝିପାରିବନି । ଘର ଭତରେ ଗୋଟାଏ ଚିନ୍ତାକୁ ନେଇ ସନ୍ତୁଳି ହେଇ ମରିବେ ପଛେ ଓରିମାନାଟା ମେଣ୍ଟେଇବାର କୁ ନାହିଁ, ମୋ ଗୋଡ଼ କେବେଠୁ ଆଗ ଖସିଯା’ନ୍ତାଣି । ହେଲେ ଠିକ୍‌ ସେତିକିବେଳେ ମୋ ବୋଉର ଗୋଟିଏ କଥା ମୋର ମନେପଡ଼େ–କେବେ ହେଲେ ଗୋଡ଼ ଖସେଇ ଦବୁନି !!! ସତରେ କଳଙ୍କ ପସରା ହେଇ ତୁମ ମୁଣ୍ଡରେ ବୋଝ ହେଲେ କ’ଣ ଲୋକେ ଭଲ କହିବେ ?’

 

ବାଜିଆ ଭାବିଲା ସତ କଥା । ଏଇ କଥା ଝୁନିୟାଁ ଖାଲି ମନେ ରଖିନି ଯେତେବେଳେ ବାଜିଆ ବାଟ ହୁଡ଼ିବାକୁ ବସିଚି ସେ ଚେତେଇ ଦେଇ ତାକୁ ସେଥିରୁ ହଟେଇ ଆଣିଚି । ବେଶ୍‌ ତ ! ଝୁନିୟାଁ ଝିଅ ହେଇ ଯଦି ସବୁ ସହି ପାରୁଚି ତା’ହେଲେ ବାଜିଆ କ’ଣ ପାରିବ ନାଇଁ ? ନିଶ୍ଚେ ପାରିବ । ଆଉଥରେ ସେମିତି ସେ ତାକୁ ନିଜ ଦିହ ସାଙ୍ଗରେ ଚାପି ଦେଇ ମୁକାଳି ଦେଲା ।

 

ଝୁନିୟାଁ !’

 

ଝୁନିୟାଁ ନିଜ ହାତକୁ ଖସେଇ କାନିରେ ବାନ୍ଧିଥିବା ପାନ ଦି’ଖଣ୍ଡ ଖୋଲି ଖଣ୍ଡେ ବାଜିଆ ମୁହଁରେ ଗୁଞ୍ଜି ଦେଇ ଆଉ ଖଣ୍ଡେ ତା’ ତକିଆ ପାଖରେ ରଖିଦେଲା ।

 

‘ମୁଁ ଯାଉଚି ବାଜିଆଇ... ‘

 

‘ଯିବୁ ? ଏତେ ତର ତର...’

 

‘ପାନ ଦି’ଖଣ୍ଡ ଦବାକୁ ଆସିଥେଲି ପରା, କ’ଣ ଏଯାକେ ଦେଇ ପାରୁ ନାଇଁ ?’

 

ଦିହେଁ ଏଇ କଥାରେ ହସି ପକେଇଲେ । ଝୁନିୟାଁ ଉଠିଲା । ବାଜିଆ ବାଧା ଦେଲା ନି, ଖାଲି ଗଳାବେଳକୁ ଏତିକି ପଚାରିଲା ତାକୁ...

 

‘କାଲି ଝୁଲବାକୁ ଯିବୁ ତ ଦୋଳିରେ ?’

 

‘କେମିତି କହିବି ଯେ ? ଅନ୍ୟମାନେ ସିନା ରାଜି ହେଲେ...’

 

‘ଅନ୍ୟମାନଙ୍କୁ ସାଙ୍ଗରେ କ’ଣ ଅଛି ? ତୋର ତୁ ଯିବୁ...’

 

‘ଓହୋ ଯେତେ କହିଲେ ବି ତମେ କ’ଣ ବୁଝିବ ? ତମେ ପରା ପୁରୁଷ ପୁଅ, ଯେତେହେଲେ ବି ଅବୁଝା ।’

 

ପୁରୁଷଙ୍କ ବିଷୟରେ ବଡ଼ ଗୋଟାଏ ଗବେଷଣାକାରୀ ଭଳି ଏତକ ମତ ଦେଇ ଉଠିଲା ଝୁନିୟାଁ । ବାଜିଆର ମନେ ପଡ଼ିଲା ଆଜି ସକାଳେ ଦୋଳି ଝୁଲା ବେଳର କହିଥିବା କଥାଗୁଡ଼ାକ, ସତରେତ, ସେ କ’ଣ ଆଉ ସେ ଦିନର ଝୁନିୟାଁ । ହେଇଅଛି ? ସେ ପରା ନିଜେ ଅଣାୟତ୍ତ କୁଆଡ଼େ ଏଇନେ । ପରା ଆୟତ୍ତରେ ତାକୁ ରହିବାକୁ ପଡ଼ିବ.... ।

 

ଝୁନିୟାଁ ଚାଲିଗଲା, ବାଜିଆ ସେଠି ପଡ଼ି ରହିଲା ।

 

ପିଣ୍ଡାକୁ ଉଠିଲା ବେଳକୁ ମାଳତୀ କବାଟ ପାଖରେ ନିଧିକୁ ବିଦା କରୁଚି । ଝୁନିୟାଁକୁ ଦେଖି ପଚାରିଲା–

 

‘କିଲୋ ପାନ ଦେଲୁ ?’

 

‘ହଁ ଶୋଇପଡ଼ିଥିଲା ପରା ?’

 

ଏଇ କଥାରେ ନିଧି ଛଡ଼େଇ ନେଲା ପାଟିରୁ–

 

‘ଇଲୋ ତୁ ତାକୁ ଫେର ତୁ ତା’ କହିଲୁ ? ଓହୋ ଆଉ ଶିଖେଇ ଶିଖେଇ ହବ ନାଇଁ ।’

 

‘ଅସଗୁଣୀଟାଏ ପରା– ପିଲାଦିନୁ ତ କହି ଆସିଚି । ଟିକେ ଚେତ ହଉଚି କି ତା’ର ?’

 

‘ନାଇଁ ଆଉ କହୁ ନି ପରା ... ?’

 

ଦୋଷୀ ଭଳିଆ ଲାଜେଇ କହିଲା ଝୁନିୟାଁ, ମାଳତୀ ପଚାରିଲା–

 

‘କ’ଣ ଉଠେଇ ଦେଇ ଆଇଲୁ ନାଁ ପାଖରେ ଥୋଇ ଦେଲୁ ?’

 

‘ଉଠେଇ ଦେଇ ଆଇଲି, ଯୋଉ ଟାଣ ନିଦ..ଉଠେଇ ଉଠେଇ ଉଠୁ ନାହାଁନ୍ତି । ପୁଣି ଉଠିଲାରୁ ରାଗ–କ’ଣ ନାଁ । କଞ୍ଚା ନିଦଟା... ।

 

‘ଓଲୋ ! ସେଇଟା ହବ ନାଇଁ ପରା । ତୁଇ ଯାହା ତାକୁ ଟିକେ ବାଗକୁ ଆଣିବୁ । ନ ହେଲେ ନାହିଁ କହିଲା ନିଧି । ସେତେବେଳେକୁ ଝୁନିୟାଁ ଭିତର ଘରକୁ ଚାଲିଗଲାଣି ।

 

ଏତିକିରେ ବିଦା ହୋଇ ଅଇଲା ନିଧି ! ମାଳତୀ ଗଲାବେଳକୁ ଝୁନିୟାଁ ବିଛଣାରେ ।

 

ଅନ୍ୟମନସ୍କ ଭାବରେ ଗଛ ଶିଅଟାକୁ ରାମ୍ପୁଡ଼ି ହାତ ନଖରୁ ଫାଳେ ଯାଇ ଟିପଟା ପୋଡ଼ିଲା ଯେତେବେଳେ ବାଜିଆର ଧ୍ୟାନ ଭାଙ୍ଗିଲା । ଗଲାବର୍ଷର ପହିଲି ରଜ ତା’ର ଏମିତି କଟିଥିଲା କେତେ ମଉଜରେ । ଅଥଚ ଆଜି !!! କ’ଣ ହେଇଚି ତା’ର ? ଝୁନିୟାଁ କ’ଣ ଆସିବ ନି ? ...ସେ କ’ଣ ଆଉ ତା’ର ନୁହେଁ ?

 

ଆଙ୍ଗୁଠିକୁ ଦେଖିଲା ରକ୍ତ ବାହାରୁଚି । ଝୁନିୟାଁ ଥିଲେ ବାହାରିଥାନ୍ତା ଚୁଚୁମି ଦବାକୁ । ବହୁତ ଦିନ ତଳର କଥା ଖୁବ୍‌ ପିଲା ହେଇ ଯେତେବେଳେ ଖେଳୁଥିଲେ ବାଜିଆର କ’ଣ ଆଙ୍ଗୁଠି ଟିକେ କଟିଗଲା । ଝୁନିୟାଁ କହିଲା–

 

‘ଦେଖା ମୁଁ ଚୁସି ଦେବି ଯେ ଭଲ ହେଇଯିବ ।’

 

ସେଇ ଦିନରୁ ଦିହଁଙ୍କ ଭିତରେ ଗୋଟାଏ ପିଲାଳିଆ ସର୍ତ୍ତ ହେଇଗଲା ୟାର କଟିଗଲେ ସେ ଚୁସିଦବ ଆଉ ତା’ର କଟିଗଲେ ଇଏ ।

 

ଏବେ ଥରେ କେବେ ସେମିତ କ’ଣ ଝୁନିୟାଁ ସାଙ୍ଗରେ ଜିଦ୍‌ପକେଇ ବାହାଦୁରୀ ଦେଖେଇ ଗୁଆ କାଟୁ କାଟୁ ବାଜିଆର ଆଙ୍ଗୁଠି କଟିଗଲା ଯେ ଝୁନିୟାଁକୁ ସେଇକଥା ମନେ ପକେଇ ଦେଇ ଚୁଚୁମି ଦେବାକୁ ବଢ଼େଇ ଦେଲାରୁ ଝୁନିୟାଁ କହି ପକେଇଲା ଥଟ୍ଟାରେ ।

 

‘ଆଉ,ମୁଁ କାଇଁ ଚୁଚୁମି ଦେବି ବା...ତମ ରକ୍ତ କଇଁ ମୋ ଦେହରେ ରହିବ ?’

 

‘କ’ଣ କହିଲୁ ?’ ....ଟିକେ ତେତେଇ କରି ପଚାରିଲା ବାଜିଆ । ସାଙ୍ଗେ ସାଙ୍ଗେ ଝୁନିୟାଁ ବାଆଁ ରେଇ ଦେଲା ।

 

‘ନାଇଁ କିଛି ନାଇଁ...’

 

ବାଜିଆଇ ଅଖାଡ଼ୁଆଟାଏ । ସବୁ କଥାରେ ଗୋଟାଏ ଅଲଗା ମାନେ କରିବା ତା’ର ପ୍ରକୃତି ! କ’ଣ ଯଦି କଥାଟାକୁ ଧରି ଆଉ କୋଉବାଟେ ଅର୍ଥ କରି ବସିବ ତା’ହେଲେ ଝୁନିୟାଁକୁ କେତେ ରକମର କୈଫିୟତ୍‌ ଦବାକୁ ପଡ଼ିବ । ତା’ ଅପେକ୍ଷା ବରଂ କଥାଟାକୁ କଟେଇ ଦବା ଭଲ । ଏଇଆ ଭାବି ହାତଟାକୁ ଭିଡ଼ିନେଇ ଚାରିଆଡ଼କୁ ଚାହିଁ ଜୀବନ ବିକଳରେ ଚୁଚୁମି ଦେଲା ।

 

ହେଲେ ଆଜି ତ ଝୁନିୟାଁ ନାଇଁ, ତାକୁ ନିଜେଇ ଚୁଚୁମିବାକୁ ପଡ଼ିବ । ପାଟିରେ ଆଙ୍ଗୁଠି ପୁରେଇ ଭାବୁଚି ବାଜିଆ ।

 

କାଇଁକି ତାକୁ ଏ ଦୁର୍ବୁଦ୍ଧି ଦେଖାଗଲା । ଏଇ ଗୋଟାଏ କ’ଣ ମରଦ ପଣିଆ ? ନିଧି ପଟ୍ଟନାୟକର ପୁଅଭଳି କାମଟାଏଁ ସେ କଲା ? ଗାଁରେ ତା’ର ବାପର କେଡ଼େ ଖାତିରି । ଏବେ ସୁଦ୍ଧା ଖାସ୍‌ଖାସ୍‌ ମରଦଗୁଡ଼ାକ କଥା କହିବାକୁ ସାହସ କରନ୍ତି ନାଇଁ । ହେଲେ ଏମିତିଆ ଗୁଣର ପୁଅ ପାଇଁ ତାକୁତ ପୁଣି ଲୋକେ କହିଲେ... । ଲୋକେ ଯାହା କହୁ ଥେଲେ ସେଇଟା ହବାକୁ ଆଉ କେତେବେଳ ବା ଥିଲା ? ସତକୁ ସତ ତା’ ହେଲେ ବାଜିଆ ଏତେବେଳକୁ କତା’ ପିଟୁଥାନ୍ତା ଜେଲରେ... । ଇସ୍‌ !!! ତାରି ସକାଶେ ତା’ ଘରର, ବଂଶର, ବୁନିଆଦିର ମାନ୍‌ ଦି’କଡ଼ାର ହେଇଗଲା । ହେଲେ ତୁମର ତ ଆଉ କାହାକୁ ଅଛପା ରହିଲା ନାଇଁ.... । ସେ କ’ଣ ଆଉ ସେମିତି ଆଗ ଭଳି ଗାଁରେ ମୁହଁଟେକି ବାଟ ଚାଲି ପାରୁଚି ? ଆଜିକି ଆଠଦିନ ହେଲା ବାଜିଆ ଭଳିଆ ମରଦ କୁଆଡ଼େ ଯାଉଚି, କୋଉବାଟେ ଆସୁଚି କେହି ଦେଖୁ ନାହାଁନ୍ତି, କିଏ ବା କବାଟ ଫାଙ୍କରେ ଝରକା ଆଢ଼ୁଆଳରେ ତାକୁ ଚାହୁଁଥିଲେ ଚାହୁଁଥିବେ...ଏଇ ସେ ‘‘ବାଜିଆ ଯାଉଚି ବୋଲି । ଛି..ଛି....-। ହେଲେ କ’ଣ କରିବ ସେ ? ସେ କ’ଣ ତା’ ଆୟତ୍ତରେ ଏ କାମ କରିଚି ? ମଣିଷ ଯଦି ଭୁଲ କାମଟାଏ କରିବା ଆଗରୁ ଭୁଲ୍‌ ବୋଲି ଜାଣି ନିଜକୁ ଆକଟ କରିପାରୁଥାନ୍ତା । ତା’ହେଲେ ସେ ମଣିଷ ନ ହେଇ ଭଗବାନ୍‌ ହେଇଥାନ୍ତା ।

 

ରକତ ମାଉଁସର ମଣିଷ ବାଜିଆ । ଦିହରେ ତେଜ, ମନରେ ଅକାତ ସାହସ, ତା’ର ଭଳି ଲୋକ ତ ଏ ଭୁଲ୍‌କରନ୍ତି । ତା’ନ ହେଇ ସେ ଯଦି ଚେମେଣିଆଟାଏ ହେଇଥାନ୍ତା ତା’ହେଲେ ଏକଥା କରିବାକୁ ତାକୁ ସାହାସ କୁଳେଇଥାନ୍ତା ? କିନ୍ତୁ କିଏ ଏଥିପାଇଁ ଦାୟୀ ? କାହା ଯୋଗୁଁ ତା’ ମୁଣ୍ଡରେ ଏ ଭୂତ ଚଢ଼ିଲା ? ସେ କ’ଣ ଆଗରୁ ସୁଧାର ମଣିଷଟିଏ ନ ଥେଲା ? ଗାଁରେ ପରା ଲୋକେ ତାଠୁ ହୁଁ କି ଚୁଁ ପଦେ ଶୁଣି ନାହାଁନ୍ତି । ତାହେଲେ ଆଜି କାହିଁକ ସେ ଏ କାମ କଲା ? ଏଇମିତି ଭୁଲ ଖାଲି ଏଇଭଳି କାରଣ ଯୋଗୁଁ ହିଁ ହୁଏ । ତା’ ଯଦି ନ ହେଇଥାନ୍ତା ତାହେଲେ ସାତକାଣ୍ଡ ରାମାୟଣ କି ଅଠରଖଣ୍ଡ ମହାଭାରତର ସୃଷ୍ଟି ହେଇନଥାନ୍ତା । ସବୁ ପଛରେ ନିଶ୍ଚେ ଗୋଟାଏ ମାଇକିନିଆଁ । ଯୋଉ ମାଇକିନିଆକୁ ନେଇ ସାତକାଣ୍ଡ ରାମାୟଣ ହେଇ ଯାଇଚି ସେଇଭଳି ଗୋଟାକ ପାଇଁ ବାଜିଆର ଏ କାଣ୍ଡଟା କ’ଣ ବା ଅଧିକା ? ନୂଆ ନାଁ ବିଚିତ୍ର ? ବାଜିଆକୁ ଯଦି ସେ ଏଇ ଭାଷାରେ ନ କହିଥାନ୍ତା ତା’ହେଲେ ବାଜିଆର କି ଗରଜ ପଡ଼ିଥେଲା ଏତେ ଭିଆଣ ଭିଆଇବାକୁ । ଭୁଲ ଭିତରେ ତା’ର ଏତିକି ଯେ ସେ ଔଷଧ ରାଗରେ ତାଟିଆ କାମୁଡ଼ି ଦେଇଚି । ସେଇଥି ପାଇଁ ତା’ ଦାନ୍ତରୁ ରକ୍ତ ଝରୁଚି...ଝରୁଚି ବୋଲି ଏମିତି ଝରୁଚି ଯେ ତାକୁ ଔଷଧ ଦେଇ ଚିକିତ୍ସା କରେଇ ସାରିଲେ ବି ସେଇଟା ବନ୍ଦ ହବାର ନୁହେଁ । ଯେତେବେଳେ ସେଇ ଘଟଣାକୁ ଚାକୁଳୋଉଚି ତା’ ଦାନ୍ତ ତାକୁ କଷ୍ଟ ଦଉଚି । ଆଠ ଦିନ ହେଲା ସେ ଯଖମ ଯାଉ ନାଇଁ...କିଏ ଜାଣେ ଆଉ ଯିବ କି ନାଁ... ?

 

ଆଠ ଦିନ ତଳର କଥା ।

 

ସେଦିନ ମଙ୍ଗଳବାର ହେଇଥାଏ । କାଳି ଅନ୍ଧାରରୁ ଜୋର୍‌ରେ ବାଡ଼େଇଲା ବର୍ଷା ଯେ ପ୍ରାୟ ଘଣ୍ଟାଏ ସରିକି ହବ । ବେଶ୍‌ ଅସରାଏ ହେଇଗଲା ପରେ ବାଜିଆ ନିଦ ଭାଙ୍ଗିଲା । ବରଷା ହେଇଚି, ବିଲରେ ହଳ ଦବାଟା ଭଲ । କଥାରେ ଅଛି,‘‘ଶନି ସାତ୍‌, ମଙ୍ଗଳ ତିନି’’ । ଖନା ବଚନ ଇଏ ଆନ ହବ ନାଇଁ । ଶନିବାରେ ଆରମ୍ଭ ହେଲେ ବର୍ଷା ସାତ ଦିନ ହବ, ଆଉ ମଙ୍ଗଳବାରେ ଆରମ୍ଭ ହେଲେ ତିନି ଦିନ । ତା’ହେଲେ ଏଇ ତିନି ଦିନର ବର୍ଷାକୁ ଗୋଟାଏ ଚାଷୀ ପକ୍ଷରେ ଜମ୍ମା ହେଳା କରିବାର ନୁହେଁ । ସକାଳ ଅନ୍ଧାର ପୋଛି ହେଇଯିବା ପରେ ପରେ ଠିକ୍‌ହଳ ଧରି ବିଲକୁ ବାହାରି ପଡ଼ିଲା ବାଜିଆ ।

 

ମେଘୁଆ ଆକାଶରେ ସୂରୂଜ ଉଠିଲେ, ପୁଣି ବୁଡ଼ିଲେ ।

 

ହଳ ଧରି ବାଜିଆ ଫେରୁଥାଏ ବିଲରୁ । ଗାଁଠଉ ଖଣ୍ଡେ ଦୂରରେ ଦେଖା ହେଲା ଝୁନିୟାଁ କ’ଣ ବାଇଗୋବା ଡାଳ ଭାଙ୍ଗିବାକୁ ଆସିଥାଏ । ବାଇଗୋବା ଦାନ୍ତକାଠି ଛଡ଼ା ସେ ବାବୁ କୁଆଡ଼େ ଆଉ କୋଉଥିରେ ଘଷନ୍ତି ନାଇଁ । ତେଣୁ ସେ କାଲି ଆସିବେ ବୋଲି ଆଜିଠଉଁ ତାଙ୍କ ମନ ମୁତାବକ ବାଇଗୋବା ଦାନ୍ତକାଠି ବି ସଜିଲା ହେଇ ରହିବ । ଝୁନିୟାଁ ଆସିଚି ଭାଙ୍ଗିବାକୁ । ତାକୁ ଦେଖି ବାଜିଆ ପଚାରିଲା–

 

‘ଆଜି ତୁ ଆମ ଘରକୁ ଯାଇନୁ ?’

 

‘କେତେବେଳ ଗଲି ? ବେଳ ହେଲା ନାଇଁ । ଆଜି ପରା ଆମ ସମିତିର ସଭା ଥେଲା ।

 

ପେଟରେ ପେଟେ ଭୋକ ନେଇ ବାଜିଆ କହିଲା–

 

‘ତୋର ସମିତିଟା ଏଡ଼େ ହେଲା, ଅଥଚ ଦି’ପହରେ ମୁଁ ବିଲରୁ ଯାଇ ଭୋକ ଆକୁଳିଆରେ ଘରେ ପହଞ୍ଚି ହାଣ୍ଡି ଦରାଣ୍ଡିଲା ବେଳକୁ ଦେଖିଲି ହାଣ୍ଡି ଛାଏଁ ହାଣ୍ଡି ଗଡ଼ୁଚି....’

 

‘ଗଉରାକୁ ଟିକେ ଖବର ଦେଲନି.... ?

 

‘ଆରେ, ଗଉରା କ’ଣ କରୁ ନଥିଲା ? ଯେବଠଉଁ ତୁ ଆସି କରିଦଉଚୁ ସେଇ ଦିନଠୁ ସେ ଆଉ କରୁନାଇଁ । ଓଲଟି ସେ ଆସି ସକାଳୁ ଯାହା ପଖାଳ ଥେଲା ତାକୁ ବି ଖାଇଦେଇ ଯାଇଚି-।’

 

ସତରେ ଏଇ କେଇଦିନ ହବ ନିଜ ଘରର କାମ ସାରି ଝୁନିୟାଁ ବାଜିଆ ଘରକୁ ଚାଲିଯାଏ । ତା’ ବୋଉ ତାକୁ କହିଚି ଭାତ ଗଣ୍ଡାକ କରିଦେଇ ଆସିବୁ ବୋଲି । ଦି’ନେ ଦି’ଦିନ ହଉ ହଉ ସେଇଟା ଗୋଟାଏ ଧରାବନ୍ଧା କଥା ହେଇ ଗଲାଣି । ନିଧି ଆଉ ବାଜିଆ ବିଲକୁ ଚାଲିଆସିଲା ପରେ ଝୁନିୟାଁ ଯାଇ ଭାତଟା କରିଦିଏ । ଆଉ କେତେବେଳେ ଭଜାଟାଏ, ସନ୍ତୁଳାଟାଏ କି ଚଟଣିଟାଏ କରି ଥୋଇ ଦେଇ ଆସେ । ଏମାନେ ବିଲରୁ ଫେର ଖାଆନ୍ତି । ରାତି ଓଳିଟା ସେମାନେ କଲେ କରନ୍ତି; ନ ହେଲେ ନାଇଁ । ସେଇ ଆଶାରେ ଆଜି ଭୋକ ପେଟରେ ଯାଇ ବାଜିଆ ଫେରି ଆଇଚି । ଝୁନିୟାଁ । କହିଲା–

 

‘କ’ଣ କରିବି କହିଲ–ଯେ ଆମ ସମିତିର ଜଣେ ବାବୁ କାଲି ଆସିବେ । ତାଙ୍କର ପାଇଁ ସବୁ ଯୋଗାଡ଼ କରି ରଖିବାକୁ ପଡ଼ିବ । ନ ହେଲେ ସେ କ’ଣ କହିବେ ! ସେଇଥିପାଇଁ ଏ ପାଖ ସେପାଖ ହଉଚି । ଆଜି ପୁଣି ଆମର ସଭାଟାଏ ଥିଲା । ମୁଁ ଭାବିଲି ବଡ଼ାପା ତ ନାହାଁନ୍ତି, ତମେ ଆସି ଆମ ଘରେ ଖାଇଦେଇ ଯିବ କି କ’ଣ ?

 

‘ଓ,ତୋର ସମିତିଟା ଏଡ଼େ ହେଲା ମୁଁ ହେଲି ନି ? ଆଜି ନୁହେଁ, ଏଇ କେତେଦିନ ହେଲା ମୁଁ ଜାଣୁଚି ତୁ ମୋ କତିରୁ ସବୁବେଳେ କରଛଡ଼ା ଦେଇ ରହୁଛୁ ।’

 

‘ମିଛକଥା...’

 

ମିଛକଥା ସବୁବେଳେ ସେଇ ସମିତି ଘରଟାରେ ପଶୁନୁ ? ସେଇଠି ସବୁବେଳେ ବସି ହସଖୁସିରେ ମାତିବୁ ! ଅଥଚ ମୁଁ ଗୋଟାଏ ମଣିଷ...ପଚାଶ ଥର କହିଥିବି ଝୁନିୟାଁ ଟିକେ ଆସିବୁ....ହେଲେ ତୋର ସମୟ ହୁଏନି ।’

 

‘କାମ ତ ପଡ଼ୁଚି ସମିତିର... ।

 

‘ସମିତି... ? କାମ.... ? ସେ ସମିତିକୁ ନିଆଁ ଲଗେଇ ଜାଳିଦେବି ଜାଣିଚୁ ? ଆଉ ଥିବ ଯେ ସେଠି କୋଉ ବାବୁ ପାଇଁ ଜିନିଷ ସଜଡ଼ା ହବ ।’’

 

ବାଜିଆର ସେତେବେଳକୁ ମୁଣ୍ଡ ଉପରକୁ ରକ୍ତ ଚଢ଼ି ଯାଇଥାଏ । ସକାଳ ପହରୁ ବିଲରେ ଖଟି ଖଟି ଆସିଚି । ଏ ଯାକେ ପାଟିକି ପାଣି ଟୋପାଏ ଯାଇ ନାଇଁ । ତା’ର ବ୍ରହ୍ମ ତାତି ଯାଇଚି । ସାହସ ବାନ୍ଧି ଝୁନିୟାଁ କହିଲା–

 

‘ସମିତି ତମର କ’ଣ କଲା ଯେ ତା’ଉପରେ ତମର ଏତେ ରାଗ ?’

 

‘ମୋର ସମିତି ଉପରେ ରାଗ ନୁହେଁ, ରାଗ ତୋ ଉପରେ, ତୁ ଆଗର ଝୁନିୟାଁ ହେଇ ନାହୁଁ, ଆଉ କ’ଣ ମୁଁ ତୋ ମନରେ ଅଛି ? ଏଇ କେଇଦିନ ହବ ବାପା ଯେମିତି ଅଧିକା°ଶ ଦିନ ମାମଲା ସକାଶେ କଟକ ଯାଇଚି । ତୁ ଇଚ୍ଛା କରିଥେଲେ ରାତି ରାତି ମୋ ପାଖରେ ବସିପାରନ୍ତୁ, ରହିପାରନ୍ତୁ । ହେଲେ, ତୋର ପାଦ ବି ପଡ଼ୁନି ଓ ଆମ ଘରେ ନାଁ ? ହୁଁ, ସମିତି ଅଛି ମୋ କଥା ଆଉ କାହିଁ ହେଜ ପଡ଼ିବ ?’

 

ଝୁନିୟାଁର ରାଗ କୋହ, ଅଭିମାନ ଏକାଥରକେ ଜମାଟ ବାନ୍ଧିଗଲା, ତା’ଦେହରେ କେମିତି ଏ କଥା କଣ୍ଟାଗୁଡ଼ା ବିନ୍ଧି ହେଇଗଲା । ବେଶି କହିବା ତ ବାଜିଆ ଆଗରେ ସମ୍ଭବ ନୁହେଁ । କେମିତି ସେ ତା’ର ସବୁତକ କଥାର ଉତ୍ତର ଅଳ୍ପକେ ଦବ ? ସେମିତି ଟିକେ ଟାଣ ସ୍ୱରରେ କହିଲା ଝୁନିୟାଁ –

 

‘ତା’ହେଲେ ତମେ କହୁଥେଲ ନାଁ ବଡ଼ାପା ନାହାନ୍ତି ବୋଲି ତମ ଘରକୁ ଯାଇଥାନ୍ତି ଆଉ ଶେଷରେ ଲତାପାର ବାଟ ଧରିଥାନ୍ତି ?’

 

ଏଇ କଥାରେ ବାଜିଆ ମୁଣ୍ଡ ଝାଏଁ କରି ହେଇଗଲା । ସେତେବେଳକୁ ଝୁନିୟାଁ ଦାନ୍ତକାଠି ଭାଙ୍ଗି ସାରିଥେଲା, ଆଉ କିଛି ନ କହି ସେ ବାଜିଆ କଥାକୁ ଅପେକ୍ଷା ନରଖି ଚାଲିଗଲା-

 

ବାଜିଆକୁ କେମିତି ସବୁଆଡ଼ ଛାଇ ଛାଇକା ଦେଖାଗଲା । କେଡ଼େ କଥା ନ କହିଗଲା ଝୁନିୟାଁ । ତା’ହେଲେ କ’ଣ ଲତା ଆଉ ଝୁନିୟାଁର କଥା ସମାନ ? ସେଥିପାଇଁ କ’ଣ ଝୁନିୟାଁ ସେଇଦିନୁ ସଜାଗ ହେଇଯାଇଚି ?

 

ଆଖି ଆଗରେ ନାଚିଗଲା ବାଜିଆର ସେଇ ଦୃଶ୍ୟ । ତା’ର ରୁମ ଟାଙ୍କୁରି ଉଠିଲା,ଇସ୍‌କି ବିଭତ୍ସ ସେ ଦୃଶ୍ୟ ! ମାସ ଛଅଟା ହେଇ ନାଇଁ, ଲତା କାହାଣୀ ହେଇଗଲାଣି ଏ ଗାଁ ଲୋକଙ୍କ ମୁହଁରେ । ଆଉ ଉଲୁଗୁଣା ଦବା ପାଇଁ ତା’ ନାଁଟା ଗୋଟାଏ ଖୋଭାକ ହେଇଗଲା ଏ ତିନିଖଣ୍ଡ ଗାଁ ଝୁଅ–ମାଇପଙ୍କ କଥାରେ ।

 

ଲତା ... !

 

ବାଜିଆଠୁ ବଡ଼ ନ ହେଲେ ବି ପାଖାପାଖି ବଅସ । ଗର ହଳଦୀଗଣ୍ଡି, ପରି ଦିହର ରଙ୍ଗ-। ଶହେ ଝିଅଙ୍କ ଭିତରେ ଚାଲିଯାଉଥିଲେ ବାରିହେଇ ପଡ଼ୁଥିଲା । ବାଜିଆର ତା’ର ଖୁବ୍‌ଭଲ ପଟେ-। ପିଲାଦିନେ ଲତା ଖୁବ୍‌ଖେଳିଚି ବାଜିଆକୁ ନେଇ । ଦିହେଁ ନିଜର ଦଉଡ଼ର ବେଗ ପରୀକ୍ଷା କରନ୍ତି, କାହାର କେତେ ଜୋର ପରୀକ୍ଷା କରନ୍ତି । କେଇଟା ଇଟା କିଏ ଏକାଥରେ ଉଠେଇ ନବ କି କିଏ ଆଗ ବେଶି ଚନ୍ଦନ ଘୋରିଦବ ଏଇଥି ପାଇଁ ସବୁବେଳେ ଦିହଁଙ୍କ ଭିତରେ ଜିଦବାଜି ଲାଗେ-। ଏମିତି ଦିନ ଗଡ଼ିଯାଏ । କେଇଟା ଦିନ ପରେ ବାଜିଆକୁ ଜଣାଗଲା ଲତା କେମିତି ଦିନକୁ ଦିନ ଭଳି ଭଳି ଦେଖାଯାଉଚି । ବାଜିଆର ସବୁଠୁ ବଡ଼ ଆକର୍ଷଣ ଲତା ପାଖରେ ହେଲା, ସେ ଭାରି ବଢ଼ିଆ କାହାଣୀ କହିପାରେ । ଗତ ଦି’ଘଡ଼ିଯାକ ତା’ ପାଖରେ ଶୋଇ ବାଜିଆ କାହାଣୀ ଶୁଣେ, ‘ଶଶେମିରା କଥା, ‘କାଳିଜାଈ’ କଥା, ଅବୋଲକର କଥା । ଲତାର ବି କେମିତି ଭାରି ସ୍ନେହ ବାଜିଆ ଉପରେ ।

 

ଦିନକର ସଞ୍ଜବେଳେ ସେମିତି ଶୋଇ ଦିହେଁ ଗପ କରୁଥାନ୍ତି । ବାଜିଆର କାନରେ ପଡ଼ିଲା ଲତାର ବଡ଼ମା ଲତାବୋଉକୁ କହୁଚି–

 

‘ଏଡ଼େ ବେଅକଲୀ କଥାଗୁଡ଼ାକ ତୋର କହିଲୁ ? ଲତା କ’ଣ ଆଉ ପିଲା ହେଇଚି ? ଆଜଠଉଁ ଆକଟ ନ କଲେ ଆଉ କିଛି ଶିଖିବଟି ସେ ? ସବୁରି ପାଖରେ ଶୋଇପଡ଼ିବା, ବସି ପଡ଼ିବା, ଏଗୁଡ଼ାକ କ’ଣ ଆଉ ଆଖିକି ଭଲ ଦୁଶିବ ?

 

‘ହଅ.... ବା...ଛୁଆଟା ପାଖରେ ଶୋଇବା । ଇଏ ବି ତ ଛୁଆଟା ! କ’ଣ ହେଲା ସେଇଠୁ, ତାଙ୍କ ମୁଣ୍ଡରେ ସେଗୁଡ଼ାକ ପୂରାନା...’

 

ହେଲେ, ବାଜିଆ ମୁଣ୍ଡରେ କିନ୍ତୁ ଠିକ୍‌ ପଶିଲା, ସେ ବୁଝିଲା କଥା ତାକୁଇ ନେଇ । ତେବେ ସେ ବୁଝିପାରିଲାନି କାହିଁକି ...କ’ଣ ଲତାର ପରିବର୍ତ୍ତନ ? ସେତେବେଳକୁ ଲତାକୁ ଛାଇନିଦ ହେଇ ଆସିଥାଏ । ଲତା କଡ଼ ନେଉଟାଇଲା, ନିଜ ଛାତି ଉପରେ ହାତ ରଖି ଚିତ୍‌ହୋଇ ଶୋଇ ଭାବୁଥେଲା ଏଇକଥା ବାଜିଆ । ଲତା କଡ଼ଭାଙ୍ଗି ବାଜିଆର କହୁଣୀ ଉପରେ ଶୋଇଗଲା । ଲତା ଦିହର ଅଧେ ସରି କି ବାଜିଆ କହୁଣୀ ଉପରେ, ଏତବେଳେ ବାଜିଆ ଅନୁଭବ କଲେ ସତେ ଯେମିତି ଲତାର ବି ପରିବର୍ତ୍ତନ ହେଇଚି । କେମିତି କେଜାଣି ତା’ର କହୁଣୀଟା ଉପରେ ବହୁତ ନରମ ଜିନିଷ ଗୁଡ଼ାଏ ଥୁଆ ହେଲା ଭଳି ଲାଗୁଚି । ବାକିଆ ଟିକେ ସଚେତ ହେଇ ଆପଣ ଆଡ଼କୁ ଆଉ ଲତା ଆଡ଼କୁ ଚାହିଁଲା । ଆରେ ସତେ ତ ! ମୋଟା ଚଉଡ଼ାରେ ଲତା ଟିକିଏ ଟିକିଏ ବାଜିଆଠଉଁ ଅଧିକ ହେଲା ପରି ଦେଖାଗଲା...ନାଁ ଆଉ ହବନି । ହୁଏ ତ ଲତାର ଜୋର ବଢ଼ିଯାଉଚି ବା ସେ ବଡ଼ ହେଇ ଯାଉଚି ବା ଏମିତି କିଛି, କାଲି ସକାଳେ ଇଟା ଟେକାଟେକିରେ ଯଦି ପ୍ରକୃତରେ ଲତା ବେଶି ଇଟା ଟେକିଦିଏ କି ବେଶୀ ବାଟ ଦଉଡ଼ିପାରେ ତା’ହେଲେ ବାଜିଆକୁ ଲାଜ ମାଡ଼ିବ ହାରିଗଲେ ।

 

ସେଇଦିନ ବାଜିଆ ଆଉ ଲତା ସାଙ୍ଗରେ ବେଶି ମିଶେନି । ଲତା ବି ଆପଣାଛାଏଁ ଦୂରଛଡ଼ା ହେଇଗଲା, ତା’ର କେଇଟା ଦିନ ପରେ ସେ ଶାଢ଼ୀ ପିନ୍ଧି ଶିଖିଲା । ସବୁ ବଡ଼ ଝିଅଙ୍କ ମେଳରେ ଗାଁ ବୁଲିବା, ଗାଧୋଇବା ଶିଖିଲା, ସିଧା ନ ଚାହିଁ କଣେଇ ଚାହିଁଲା । ହେଲେ, କେଜାଣି କାହିଁକି ବାଜିଆର ଟିକେ ସ୍ନେହ ଏଇ ଲତାଟା ଉପରେ, ଲତା ଫୁଲଟାଏ ମାଗିଲେ ସେ ମନା କରିପାରେନି । ସେ ବୋଲଟାଏ ବତେଇଲେ ବାଜିଆ ଆଡ଼େଇ ଯାଇପାରେନି । କେତେ ଯେ ଫୁଲ ତାକୁ ଦେଇଚି ।

 

ସେଇ ଲତା...ବଡ଼ କରୁଣ ତା’ର ଇତିହାସ !

 

ବ୍ରାହ୍ମଣ ଘର ଝିଅ ବୋଲି ଆକଟ । ଚଉଦ ବରଷ ଦିନରୁ ଲାଗିଲେ ଭଲ ପାତ୍ରଟିଏ ଦେଖି ବାହାଘର କରିବେ ବୋଲି । ଚାରିଆଡ଼େ ଧାଁ ଧପଡ଼ ଖୋଜା–ଲୋଡ଼ା ଚାଲିଲା । ହେଲେ, ବାହାଘର ତ ସହଜ କଥା ନୁହେଁ । କେତେ ଆଡ଼େ ଲାଗିଲା, କେତେ ଆଡ଼େ ଭାଙ୍ଗିଲା । ତା’ ବାପ–ମା ସବୁ ନୟାନ୍ତ ହେଇଗଲେ । ସମସ୍ତେ କହିଲେ, ବଡ଼ ଟାଣୁଆ ରାଶି–ନକ୍ଷତ୍ର କୋଉଠି ହେଲେ ଛିଣ୍ଡୁ ନାଇଁ । ବେଳୁ ବେଳୁ ବଳେଇପଡ଼ିଲା ଲତା, ଲହୁଣୀ ପରି ଦିହ ମୁହଁରୁ ଚିକ୍‌କ’ଣ ଉତୁରି ଆସିଲା । ଘରେ ଆହୁରି ବେଶି ଚିନ୍ତା କଲେ । ଏଇ ବେଳଟାରେ ସିନା ଝିଅର ବାହାଘର ସାଜେ...-। ଶେଷରେ ବର ଠିକ୍‌ ହେଲା ।

 

ବରଟି ଦୋଭେଇ, ଆଗ ସ୍ତ୍ରୀର ତିନୋଟି ପିଲା ବଞ୍ଚିଛନ୍ତି ।

 

ସେଥିରେ କ’ଣ ଅଛି ? ପିଲାମାନେ ତ କୋଳର କାଖର ନୁହନ୍ତି...ସମସ୍ତେ ଖେଳିବୁଲି ପାରିଲେଣି । ତା’ ଛଡ଼ା ଶାଶୁ–ଶଶୁର–ନଣନ୍ଦ ହେଇ ଘରରେ ଘରେ,ଇଏ କ’ଣ କମ୍‌ଭାଗ୍ୟର କଥା-?

 

ପାତ୍ରଟିକୁ ବଅସ ଟିକେ ବେଶି–ତଥାପି ଚଳିବ ।

 

ଚଳିବ କ’ଣ ? କଥାରେ ଅଛି ପରା–ବର ତିରିଶା କନିଆ ଦଶା । ଦଶ୍‌କୁ ତିରିଶ୍‌ ହେଲେ ଲତାକୁ ତ ଆସି ପନ୍ଦର ଟପି ଷୋହଳ ଚାଲିବ ଆଉ କେତେ ଦିନେ । ସେଇ ଅନୁପାତରେ ବରର ବଅସଟା ହେଇଚି । ବାଛନ୍ଦ ହବ କାହିଁକି ? ଯୋଡ଼ା ବରଷ ପଡ଼ିବ ବୋଲି ଆଗରୁ ତର ତର ହେଇ ଦିନ ଠିକ୍‌ ହେଲା ।

 

ବାହାଘର ହେଇଗଲା... ।

 

ସେଇ ବାହାଘରରେ ଯିଏ ଯେତେ କାନ୍ଦିଲେ, ଲତା ଯେତେ କାନ୍ଦିଲା; ହେଲେ, ସେମାନଙ୍କଠାରୁ କେବେ କମ୍‌ କାନ୍ଦିନି ବାଜିଆ । ଗାଁ ମୁଣ୍ଡରୁ ସବାରୀ ଡାକ ଯେତିକି ଯେତିକି ଦୂରେଇ ଯାଉଥାଏ ସେତିକି ସେତିକି କୋହ ଉଠୁଥାଏ ବାଜିଆର । ଗଛମୂଳେ ଏକା ଠିଆହେଇ ବାଜିଆ ଗାମୁଛା କାନିକୁ ନିଜ ମୁହଁରେ ଚାପି କାନ୍ଦୁଥାଏ । ସେ ଗଛ ବାଟ ଦେଇ ସବାରୀ ଚାଲିଗଲାବେଳେ ବାଜିଆ ଠିକ୍‌ ଦେଖିଚି । ସବାରୀ ଦୁଆର ଟିକେ ଫାଙ୍କେଇ ଗଲା, ବାଜିଆ ଉପରେ ବୋଧହୁଏ ଆଖି ପଡ଼ିଥିବ ଲତାର । ସେ ଆହୁରି ଜୋରରେ ସବାରୀ ଭିତରେ କାନ୍ଦି ଉଠିଥିବ । କାରଣ ବାଜିଆକୁ ସେମିତି ଭାରି ଉଚାଟ ଲାଗିଲା । ଅବଶ୍ୟ ଗଉଡ଼ ଡାକରେ ସେ କାନ୍ଦ ବାଜିଆ କାନ ପର୍ଯ୍ୟନ୍ତ ଆସିପାରିଲାନି । ତଥାପି କାନ୍ଦିଥିବ ବାଜିଆକୁ ଦେଖି ସେ ନିଶ୍ଚୟ, ବାଜିଆ କାନ୍ଦୁଥେଲା ସତେ ଯେମିତି ଲତାକୁ କିଏ ନେଇଗଲା । ଆଉ ଲତା ଫେରି ଆସିବାର ନୁହେଁ... !!!

 

ସତରେ ଫେରି ଆସିବାର ନୁହେଁ । ହେଲେ ଫେରିଲା ସେ ।

 

ବରଷ ଗୋଟାଏ ବି ପୂରିଲାନି, ସେ ଫେରିଲା ଏତେ ଜାକଜମକରେ ଶଙ୍ଖ,ମହୁରୀ ନେଇ ନୁହେଁ, ଭାରି ସାଧାସିଧାରେ । ହେଲେ, କାନ୍ଦର ପରିମାଣ କୌଣସି ଗୁଣରେ କମ୍‌ ନୁହେଁ । ଗଲାବେଳେ ଯେତିକି ଜୋରରେ କାନ୍ଦ, ଆସିଲା ବେଳକୁ ସେତିକି ଜୋରରେ କାନ୍ଦ, କିନ୍ତୁ ତଫାତ୍‌ଏଇଆ–ଗଲାବେଳେ ତା’ ସାଙ୍ଗ ସରିସା ସବୁ ଆସି ସବାରୀରେ ପିଟିହେଇ କାନ୍ଦୁଥିଲେ; କିନ୍ତୁ ଏଥର ଫେରିଲାବେଳେ ସେମାନେ ଦୂରରୁ ଜଳକାବାଟି ବାଟେ ଦେଖିଲେ କାନ୍ଦିଥିବେ ଅବା । ଖାଲି କାନ୍ଦିଲେ ତା’ର ନିଜର ବାପାମା ଆଦି ଏଇମାନେ, ବାଜିଆ ବି ଦୂରରୁ ଦେଖିଲା–ସେମିତି କାନ୍ଦି କାନ୍ଦି ଲତା ଘର ଭିତରକୁ ପଶୁଚି । ସେଇ ଦିହ ସେଇ ମୁହଁ କିଛି ବଦଳିନି । ଆହୁରି ସୁନ୍ଦର ହେଇ ଯାଇଚି ଭଳି ମନେହେଲା ବାଜିଆକୁ । ହେଲେ, ଗଲାବେଲେ ପିନ୍ଧିଥିଲା ନାଲି ପାଟଶାଢ଼ୀ ଆଉ ଆଜି ପିନ୍ଧି ଆସିଛି ଧଳା ଧୋତୀ ଖଣ୍ଡେ, ଓଡ଼ଣା ଟାଣି ଦେଲାବେଳେ ଦେଖିଲା, ଯୋଉ ହାତରେ ମୁଠାଏ ମୁଠାଏ ନାଲି ଶଙ୍ଖା, ସୁନାକାଚ ପିନ୍ଧା ଯାଇଥିଲା ସେଇଟା ଫାଙ୍କା–ଖାଲି...ତା’ ନିଜ ହାତ ଭଳିଆ, ବେଶ୍‌ ସେତିକି ।

 

ତା’ପରେ ବାଜିଆ କାଇଁକି, କେମିତି, କେବେ, କୋଉଠି ଏଗୁଡ଼ାକ ସେ ବିଷୟରେ ତଲାସ କଲାନାଇଁ ଜମ୍ମା, ଖାଲି ଦୁଃଖର କଥାଗୁଡ଼ାକ ଦୁଃଖ ପାଇବା ସାର ହବ ସିନା !

 

ସେଇଦିନଠୁ ସେ ଲତାକୁ ଆଉ ଦେଖିବାକୁ ମନ କରିନି । ହେଲେ,କେତେବେଳେ କେମିତି ଭୋରରୁ ଉଠି ବିଲଆଡ଼କୁ ଗଲାବେଳେ ବାଜିଆର ଆଖିରେ ପଡ଼ିଯାଏ ଲତା, ଘର ବାରି ଓଳଉଥେଲାବେଳେ କି ଗୁରୁବାର ଲିପାପୋଛା କଲାବେଳେ । ସେତିକିବେଳେ କଣେଇ କରି ଦେଖିଚି ବାଜିଆ ଲତାକୁ । କେମିତି କେଜାଣି ଧୋବ ଲୁଗାଟା ସାଙ୍ଗରେ ବାଦ ଲଗେଇ ତା’ ଦିହର ରଙ୍ଗଟା ଫୁଟି ଦିଶିବାକୁ ଆହୁରି ବ୍ୟାକୁଳ ହେଇ ଦିନକୁ ଦିନ ବେଶି ତୋଫା ହେଇଯାଉଚି । ଦିହ ହାତ ସାରା କେମିତି ଚିକ୍କଣ । ଯେତେହେଲେ ତ ବଅସ ଦାଉଟା ଅଛି !

 

ଏମିତି କେଇଟାଦିନ ବିତିଗଲା । ଲତା ନିଜର ଏଇ ଜୀବନଟାକୁ ଚଳଣୀ ସାଙ୍ଗରେ ବେଶ୍‌ ସୁହାଇ ନେଲା । ହେଲେ, କେଇଦନ ଆଉ ବୋଝ ହେଇ ରହିବ ତା’ ବାପା ବୋଉଙ୍କ ଉପରେ । ଘର କାମରେ ଯେତେ ନିଜକୁ ବ୍ୟସ୍ତ ରଖିଲେ ସୁଦ୍ଧା ତା’ର ମନହୁଏ ସତେ ଯେମିତ ସମୟଗୁଡ଼ା ସରୁନି । ଭାରି ବିରକ୍ତିଆଟା ଲାଗେ । ଏବକୁ ଏବ କଥା ପଡ଼ିଲେ ବାପା କି ବୋଉ ଦେଖେଇ କରି ପଦେ ଦୁଃଖରେ କହି ନ ଦଉଚନ୍ତି ବୋଲି ନୁହେଁ । ହେଲେ, ଲତା ସେଗୁଡ଼ାକୁ କାନ ଦଉନି... ।

 

ଗାଁର ସ୍କୁଲଟ ଅପର ପ୍ରାଇମେରୀ ସ୍କୁଲ ହେଇଗଲା । ସରକାର ସେ ସ୍କୁଲକୁ ଏଥର ବେଶି ସାହାଯ୍ୟ ଦେଲେ । ତା’ର ଗୋଟାଏ କମିଟି ଗଢ଼ାହେଲା ସ୍କୁଲର ଭଲ ମନ୍ଦ ହାନି ଲାଭ ବୁଝାସୁଝା କରିବାକୁ । ଗାଁର ଯେତେ ମୁଖିଆ ଲୋକ ସବୁ ସେ କମିଟିରେ ରହିଲେ ।

 

ହେଡ଼୍‌ପଣ୍ଡିତ ସେ ସ୍କୁଲର ଯିଏ ଥାନ୍ତି, ଜଣେ ବୟସ୍କ ଲୋକ । ବହୁଦିନ ହେଲା ସେ ଗାଁରେ ମାଷ୍ଟରୀ କଲେଣି । କୋଉ ଗାଁରେ ତାଙ୍କର ଘରଦୁଆର ଥିବା ବା ଥିଲା–ଏକଥା ସମସ୍ତେ ଭୁଲିଯିବାକୁ ବସିଲେଣି । ତାଙ୍କର ମାଷ୍ଟରୀ ପଇସାରୁ ସଞ୍ଚି ସଞ୍ଚି କିଛି ପାଣ୍ଠି କରି ନିଜ ଚଳିଲା ମୁତାବକ ଜମିବାଡ଼ି କରିଚନ୍ତି । କିଛି ନ ହେଲେ, ସିଆଡ଼ୁ କୁଳେଇଯାଏ । ମଣିଷ ହିସାବରେ ଦେବତାଠୁ ବଳି । ଦୁଇ ହୁଜୁତ କାହା ସାଙ୍ଗରେ ନାହିଁ କି କାହାଠେଇଁ ମନ ଅମେଳ କରିବାର କେହି ଜାଣିନାଇଁ । ସବୁରି ପିଲାଙ୍କୁ ଆପଣାର କରି ନେଇଚନ୍ତି । ସବୁଗୁଡ଼ାକ ତାଙ୍କର ପିଲା ।

 

ଲତାର ବାପା ସାଙ୍ଗରେ ତାଙ୍କର ଭାରି ଭଲ ପଡ଼େ । ଏକା ବଅସର ହେବେ କି କ’ଣ, ଦି’ଜଣ ଘର ସୁଖଦୁଃଖ ହୁଅନ୍ତି । ଏକାଠି ବସି ଅନେକ ବିଷୟରେ ଆଲୋଚନା କରନ୍ତି । ଦିନକର କଥା, ପଣ୍ଡିତେ ବସିଥାନ୍ତି ଲତାଘର ବାରଣ୍ଡାରେ । ଲତା ଆଣି କବାଟ ଆଢ଼ୁଆଳରୁ ପାନ ଥୋଇଦେଇ ଗଲା ।

 

ପଣ୍ଡିତେ କ’ଣ ଭାବି କଥାଟାଏ ପକେଇଲେ–

 

‘ମୁଁ କ’ଣ କହୁଥିଲି କି ମିଶ୍ରେ ! ଲତା ଏମିତି ଖାଲି ଘରେ ତ ବସିବ ?’

 

‘ଆଉ କ’ଣ କରିବ ? ବ୍ରାହ୍ମଣ ଘର ଝୁଅ...’

 

‘ନାଇଁ ସେ ତ ଠିକ୍‌,ତଥାପି କଥାଟା ହେଲା–ଆଜିକାଲି ତ ଯୁଗର ସବୁ ପରିବର୍ତ୍ତନ ହେଲାଣି, ଆମେ ଅବଶ୍ୟ ସେତେ ଆଗକୁ ସିନା ଯିବା ନାଇଁ; ହେଲେ,ଭଲମନ୍ଦ ବୁଝି ସମଝି ଆମ ମନକୁ ଚାହିଁଲା ଭଳି କାମଟାଏ କରିବା ନାଇଁ କାଇଁକି ?’

 

‘କୋଉ କଥା... ?’

 

‘ମୁଁ କହୁଥିଲି, ଲତାକୁ ଇସ୍କୁଲକୁ ଛାଡ଼...’

 

‘କାଇଁକି ? ପାଠ ପଢ଼ିବାକୁ ?’

 

‘ନାଇଁ ନାଇଁ ପାଠ କ’ଣ ହବ ? ସେ ତ ଚତୁର୍ଥ ଶ୍ରେଣୀରୁ ପାଠ ଛାଡ଼ିଲା । ଭାରି ଭଲ ପଢ଼ୁଥିଲା । ଅକ୍ଷରଗୁଡ଼ାକ ଅତି ସୁନ୍ଦର । ଏ ଇସ୍କୁଲରେ ଗୋଟିଏ ଚାକିରୀ କରୁ । ଇସ୍କୁଲ ମଦର ବୋଲି କହୁଚନ୍ତି ସେ ଚାକିରୀକୁ । ତେବେ ଆମର ସେ ମଦର ଫାଦରରୁ କ’ଣ ମିଳିବ ? ସେ ଶିଶୁଶ୍ରେଣୀ, ପ୍ରଥମଶ୍ରେଣୀ ପିଲାଙ୍କୁ ହସ୍ତାକ୍ଷର ଲେଖେଇବ, ଫଳା ବୋଲେଇବ, ଆଉ ଘରକାମ ଆଦି ଶିଖେଇବ ।’

 

‘କହିଲ ଯେ ପଣ୍ଡିତେ ! ହେଲେ ଗାଁରେ କାହାର ଆଖିକୁ ମୋଟେ ଭଲ ଦିଶିବନି କଥାଟା । ଯେତେହେଲେ ବ୍ରାହ୍ମଣଘର ଝିଅ । ତା’ପରେ ଏମିତି ହୀନ କପାଳିଟାଏ ଯେ ବରଷ ନ ପୂରୁଣୁ ଖାଲି ହାତରେ ଶାଶୁଘରୁ ଫେରିଲା । ସେ ଯଦି ଚାକିରୀ କରିବ ତା’ହେଲେ ଆଉ କଥା ରହିବ ନାଇଁ... ।’

 

ଏଇ କଥାରେ ଠୋ ଠୋ ହୋଇ ହସି ଉଠିଲେ ପଣ୍ଡିତେ ।

 

‘ହଇ ହୋ କଥା ରହିବ ନାଇଁ କ’ଣ ? ତମେ ଆମେ ଯଦି ଗୋଟାଏ କାମକୁ ଆଗୁଆ ହେଇ ନ ବାହାରିବା ତା’ହେଲେ ଏ ଦେଶଟା ଚଳିବ କେମିତି ଓ ଯିଏ ଆଗ ବାହାରେ ତାକୁ ଥଟ୍ଟା ପରିହାସ ଲୋକ ତ କରିବେ, ଏଥିରେ ନୂଆ କ’ଣ ? ଆଉ ଇସ୍କୁଲ କଥା କହୁଚି ଯେ କି ଇସ୍କୁଲ, ତମ ବାଡ଼ି ଯିଏ, ଇସ୍କୁଲ ଘର ସିଏ । ପାଞ୍ଚ ଦଶ ହାତର କଥା । ଘରେ ଶୋଇଥିବ, ଘଣ୍ଟା ପଡ଼ିଲେ ଯିବ, ଆଉ ସିଏ କି ଇସ୍କୁଲ, ସିଏ କି ଚାକିରୀ ।’

 

ଏମିତି ପ୍ରାୟ କିଛି ସମୟ ଧରି ଆଲୋଚନା ପରେ ମିଶ୍ରେ ରାଜି ହେଲେ । ଲତା ବି ତା’ର ମତ ଦେଲା, ହଁ ସେ କରିବ ଚାକିରୀ । କେତେ ଆଉ ଏମିତି ବସିବ ? ସେଇଆ ହେଲା, ଦିନକର ସଜପଟା ହେଇ ମନକୁ ଦମ୍ଭକରି ଲତା ଗଲା ପହିଲିକରି ଇସ୍କୁଲରେ ଚାକିରୀ କରିବାକୁ । ଇସ୍କୁଲ ବାରଣ୍ଡାରେ ପାଦ ଦେଲା, ଯେତେବେଳେ ତା’ ମନରେ କେତେ କଥା ଉଙ୍କି ମାରିଲା ।

 

ଏଇ ସେ ଇସ୍କୁଲ, କାଲି ପରି ଲାଗୁଚି, ବହିବସ୍ତାନି ଧରି ସେ ଆସୁଥେଲା ପାଠ ପଢ଼ିବାକୁ । ଆଉ ଆଜି.... ? ଦିହଟା ତା’ର ଝାଳୁଆ ହେଇଗଲା ପ୍ରଥମେ । କାଲି ରାତିରେ ସେ ତା’ ସାନଭାଇ ମନୁଆର ବର୍ଣ୍ଣବୋଧକୁ ଆଣି ଥରେ ଦି’ଥର ଓଲଟେଇ ଦେଉଚି ମୂଳରୁ ଶେଷ ପର୍ଯ୍ୟନ୍ତ ।

 

ଅଖ, ରଖ, ଚକ, ଦୀପ ଲଗାଇ ଦିଅ, ଦି’ପଲ ଗାଈ ନିଅ । କଟକ ନଗର,ଧବଳ ଟଗର,ଅରଣା ମଇଁଷି ରହିଛି ଅନାଇଁ, ମଇଁଷିର ପାଖ ନ ଯାଅ ଦନାଇ । କାଳେ ବନାନ୍‌ଟା ଲେଖିବାକୁ ପଡ଼ିବ; ଭୁଲ ହେଇଗଲେ ତାକୁ ଲାଜ ମାଡ଼ିବ, ହେଲେ, ବର୍ତ୍ତମାନ ତା’ର ମନେହଉଚି ଏ ଝାଳ ସାଙ୍ଗରେ ମନରୁ ସେଗୁଡ଼ାକ ସବୁ ପୋଛି ହେଇଯିବାକୁ ବସିଲେଣି । ଆଉ ତା’ର ମନେ କିଛି ନାହିଁ ପଡ଼ୁନି ।

 

ସବୁଦିନ ଲତା ଇସ୍କୁଲ ଯାଏ ଠିକ୍‌ ସମୟରେ । ପଣ୍ଡିତେ କିନ୍ତୁ ଆକଟ କରନ୍ତି ।

 

‘ତୋର ତ ଏମିତି ଆସିବାର ଦରକାର ନାଇଁ, ଯେତେବେଳେ ରୁଟିନ୍‌ ଅଛି ଆସି କାମ ସାରିଦେଇ ଚାଲିଯିବୁ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିବାକୁ କିଏ କହୁଚି ତତେ ?’

 

ନିଜ ଝିଅଠାରୁ ଅଧିକା କରି ଦେଖନ୍ତି ପଣ୍ଡିତେ ।

 

ଏମିତି ବି ଚକ ଗଡ଼ିଲା କେଇଦିନ ।

 

ହଠାତ୍‌ ଦିନେ ଅର୍ଡର ଆସିଲା ସରକାରୀ ସାହାଯ୍ୟ ଆସିବ ଇସ୍କୁଲକୁ । ପଞ୍ଚମ ଶ୍ରେଣୀ ସ୍ଵୀକୃତ ପାଇଲା ସେ ଇସ୍କୁଲର । ହେଲେ, ଏଇ ଖବର ଯେତିକି ଖୁସୀ ଆଣିଦେଲ ସେତିକି ଦୁଃଖ ଆଣିଦେଲ କେତେକଙ୍କ ମନରେ । ଆଉ ସେ ଦୁଃଖଟା ହେଲା–ପଣ୍ଡିତେ ଆଉ ହେଡ଼ପଣ୍ଡିତ ରହିପାରିବେ ନାଇଁ । ତାଙ୍କର ଟ୍ରେନିଂ ନାହିଁ । ସରକାର ପଠେଇବେ ଜଣଙ୍କୁ–ସେଇ ରହିବେ ।

 

Unknown

ସତକୁ ସତ ସେଇଆ ହେଲା । ସରକାରଙ୍କ ସୁପାରିସ୍‌ ନେଇ ଜଣେ ଆସିଲେ । ପାଠ ମାଟ୍ରିକ; ତା’ପରେ ପୁଣି ଟ୍ରେନିଂ ଅଛି । ସେ ହେଡ଼ପଣ୍ଡିତ ଦାୟିତ୍ୱ ନେଲେ ଆଉ ଏଇ ପଣ୍ଡିତ ଆସିଷ୍ଟାଣ୍ଡ ପଣ୍ଡିତ ଭାବରେ ରହିଲେ । ପ୍ରଥମେ କେଇଟା ଲୋକ ଆପତ୍ତି କରିବାକୁ କହିଲେ, କିନ୍ତୁ ପୁଣି ତାଙ୍କର ଭିତରେ ବୁଝାସୁଝା ହେଇ ରହିଗଲେ–ନୂଆବାବୁ ଖାଲି ଉଚ୍ଚ ଶିକ୍ଷିତ ନୁହନ୍ତି, ଜାତିରେ ସେ ଆଦିବାସୀ । ତେଣୁ ତାଙ୍କର ହକ୍‌ଟା ସରକାରଙ୍କ ନୀତିରେ ଅଧିକ । ସେଥିରେ ପ୍ରତିବାଦ କରିବାର ନୁହେଁ । ତାଙ୍କ ପାଇଁ ରହିବା ଘର ସ୍କୁଲପକ୍ଷରୁ ନାହିଁ । ତେଣୁ ସେଇ ସ୍କୁଲଘରୁ ଗୋଟିଏ ନିଜ ଅଫିସ୍‌ଘର କରି ସେଇଠି ରହିଲେ ଏବଂ ତା’ର ଦୁଆରବନ୍ଧରେ ଗୋଲ ଗୋଲ କରି ଲେଖିଦେଲେ ଶ୍ରୀ ଦିବାକର ନାୟକ (ଟ୍ରେଣ୍ଡ୍‌) ହେଡ଼ମାଷ୍ଟର ।

 

ଦିବାକରବାବୁ–ବେଶ୍‌ଲମ୍ବା ପତଳା ଚେହେରା । ଗୋରା ନ ହେଲେ ବି ଠିକ୍‌କଳା ନୁହନ୍ତି । ଦାମିକା ସିଲ୍‌କ ଜାମାପଟା ପିନ୍ଧନ୍ତି । ସିନ୍ଥା କାଟି, ମାଙ୍ଗ ପକେଇ ବାଳ କୁଣ୍ଡାନ୍ତି । ହାତରେ ଘଣ୍ଟା, ପାଦରେ ଜୋତା ପିନ୍ଧନ୍ତି । ବୟସ ଜମ୍ମା ଚବିଶ କି ପଚିଶ ହବ ।

 

ବେଶ୍‌ ଏମିତି ଚାଲିଲା କେଇଦିନ । ରଡ଼ ନିଆଁ ଆଉ ଘିଅ ଦିହେଁ ଏକାଠି ରହିଲେ । ଲତା ଘର ବାରି ଆଉ ଇସ୍କୁଲ ବାରି ଲାଗିଚି । ସମୟ ଅସମୟରେ ଲୋକେ ଦେଖିଚନ୍ତି ଦିବାକର ବାବୁଙ୍କୁ ଲତାଘର ବାଡ଼ିରେ । ହଁ, ହୁଏ ତ ଲଙ୍କାଟାଏ କି ଶାଗ କେରାଏ ତୋଳିବାକୁ ଆସିଥିବେ ବୋଧହୁଏ ! ଲତା ବି ଇସ୍କୁଲ କାମ ପଡ଼ିଲେ ଟିକେ ବେଶି ବେଳଯାଏ ଇସ୍କୁଲରେ ରହିଯାଏ । ଏମିତି ଥରେ ବାଜିଆ ଆଖିରେ ପଡ଼ିଲା ବୋଲି ବାଜିଆ ପଚାରିଲା ଝୁନିୟାଁକୁ । ହେଲେ, ଝୁନିୟାଁ ଆଗ ନାମଙ୍ଗ ହେଲା କହିବାକୁ । କିଛି ଜାଣିନେଇଁ ବୋଲି ଫାଙ୍କି ଦେବାକୁ କହିଲା । ତା’ପରେ ବାଜିଆ ରାଣ ପକେଇବାରୁ ସବୁ ସେ ଗୋଟି ଗୋଟି କରି କହିଲା ।

 

କେମିତି ଦିବାକର ବାବୁ ଭଲ ପାଇଚନ୍ତି ଲତାକୁ ଆଉ ଲତା ବି–ଲତାପା କୁଆଡ଼େ ଝୁନିୟାଁକୁ କାନ୍ଦ କାନ୍ଦ ଆଖିରେ ସବୁ କୁହେ । କେମିତି ଦିବାକରବାବୁ ତାକୁ ପ୍ରଥମେ ଛୁଇଁଲେ ତା’ର ଅନୁମତି ମାଗି, କେମିତି ଲତା ତା’ର ଦୁଃଖ କାହାଣୀ ସବୁ କହିଲା । ତା’ ପରଠୁ ସେମାନେ କୁଆଡ଼େ ଭାରି ନିଜର ହେଇ ଉଠିଚନ୍ତି । ପ୍ରତିଦିନ ରାତିରେ କେମିତି ଲଣ୍ଠନ ତିନି ଥର ତେଜକରି ପୁଣି କମେଇ ଲତା ଇସାରା ଦିଏ ଘରର ସବୁ ଶୋଇଲେଣି ବୋଲି । ଆଉ ଦିବାକରବାବୁ ଚୁପ୍‌ଚୁପ୍‌ ବାଡ଼ିପଟ ତାଟି ଖୋଲି ଭିତରକୁ ଆସନ୍ତି ! କେମିତି ଦିହିଙ୍କର ମିଳନ ହୁଏ ବାରିପଟ ସେ ପିଣ୍ଡି ଉପରେ । ଦିବାକର ବାବୁ ନିୟମ କରିଛନ୍ତି ଲତାକୁ ବାହାହେବେ । ସମସ୍ତେ ମନା କଲେ ବି ସେ ନେଇପଳେଇବେ ତାକୁ । ସେଥିପାଇଁ ସେ କୁଆଡ଼େ ଟ୍ରାନ୍ସଫର ପାଇଁ ଲେଖିଛନ୍ତି ଉପରକୁ...ଏମିତି କେତେ କଥା ।

 

ବାଜିଆ ଶୁଣେ ସବୁ–ଆଶ୍ଚର୍ଯ୍ୟ ହୁଏ ! ପାଠର କେଡ଼େ ମହତ ସତେ ! ଲତା ତା’ହେଲେ ପୁଣି ଘରସଂସାର କରିବ ? ହାତରେ ଶଙ୍ଖା, ମୁଣ୍ଡରେ ସିନ୍ଦୁର ନାଇ ବୋହୂ, ହବ ? ..ହଁ କାଇଁକି ହବ ନାଇଁ ଯେ ? ବାହା ହବାର ବଅସ ନ ହଉଣୁ ତାକୁ ବାହା କରିଦେଇ ଏମାନେ ଗୋଟାଏ ଲୀଳା ଲଗେଇଚନ୍ତି ସିନା; ହେଲେ, କୁଆଡ଼ୁ ତା’ର କିଛି ଊଣା ହେଇନି; ବରଂ ବଢ଼ିଛି । ଆଉ କାହାର ଏତେ ତ୍ୟାଗ ହେଇଥାନ୍ତା, ସେତିକି ପାଠ ସିନା ପଡ଼ିଛନ୍ତି ବୋଲି ଦିବାକରବାବୁ ଲତା ଭଲ ଝିଅଟା ପାଇଁ ଏଡ଼େ କଥାଏ କରିବାକୁ ଆଗଭର ହେଇଚନ୍ତି !

 

ବେଶ୍‌ ଗଡ଼ିଗଲା କିଛି ଦିନ ଏମିତି । ତାପରେ ବାଜିଆ ଶୁଣିଲା ଦିବାକର–ବାବୁ କଟକ ଯାଇଚନ୍ତି । ଦିନେ ଦି ଦି’ନ ହେଇ ସାତ ଦିନ ଗଲା, ସେ ଫେରିଲେ ନାଇଁ । କଥା ଆଉ ସେତେବେଳେ ଗାଁରେ କାହାରି ଅଛପା ନ ଥାଏ । ଉପରେ ନ କହିଲେ ବି ଭିତରେ ଭିତରେ ଟୁପୁରୁ ଫୁସୁରୁ ଆରମ୍ଭ ହେଇଯାଇଥାଏ କେଇଦିନ ଆଗରୁ । ବାଜିଆ ମନରେ ପଡ଼ିଲା ଦିବାକରବାବୁଙ୍କ କଟକ ଯିବା ଖବର । ଝୁନିୟାଁକୁ ପଚାରିଲା ସେଦିନ ବାଜିଆ । ଝୁନିୟାଁ ବୁଝେଇ ଦେଲେ ଯେ, ଲତାପା କୁଆଡ଼େ କହୁଥେଲା–ସେ କହି କରି ଯାଇଚନ୍ତି ତାକୁ କଟକରେ ଯାଇ ଧରାଧରି କରି ବଦଳାଇ କରେଇ ନ ଦେଲେ ହବ ନି । ସେଇଥିପାଇଁ ସେଠି ଯାଇଁ ଚେଷ୍ଟା କରୁଚନ୍ତି । ବାଜିଆ ମୁଣ୍ଡ ତଳେ ନଇଁଗଲା ମନେ ମନେ । ଆହା, କେଡ଼େ ଉଦାର ପୁରୁଷ, ଦିନ ଦିନ ହେଇ ମାସେ ଉପରେ କଟିଗଲା; ଦିବାକରବାବୁଙ୍କର ବାହାରେ–ସେଇ ଚେଷ୍ଟାରେ ।

 

ତଥାପି ଲତା ବୋଧ ଦେଉଥାଏ ନିଜକୁ । ସବୁଦିନେ ସଞ୍ଜବେଳେ ଲୁଚିକରି ଘଡ଼ିକ ପାଇଁ ପଳେଇ ଆସି ମହାଦେବ ପିଣ୍ଡି ଉପରେ ମୁଣ୍ଡିଆଟାଏ ମାରି କ’ଣ ମନାସି ଦେଇଯାଏ । ମନକଥା ତା’ର କେହି ବୁଝନ୍ତି ନାଇଁ, ଘରେ ବୃନ୍ଦାବତୀଙ୍କୁ ସଞ୍ଜ ଦବା ପାଇଁ ତା’ର ହକ ନାଇଁ, ସେ କୁଆଡ଼େ ବିଧବା । ସାତ ପୁରୁଷ କୁଳ–ଦେବତାଙ୍କୁ ସେ ସଞ୍ଜ ଦେଲେ ସଞ୍ଜ ନେବେନାଇଁ ସେମାନେ, ଦୂରରୁ ଆଖି ଛଳ ଛଳ କରି ଲତା ବୃନ୍ଦାବତୀଙ୍କ ଆଡ଼କୁ ଚାହିଁ ସବୁଦିନେ ମନେ ମନେ କୁହେ–

 

‘ହେ ମା ସଞ୍ଜେଇ ! ସତେ ତୁ ମୋ ମନସ୍କାମନା ପୂର୍ଣ୍ଣ କରିବୁ ! ପୁଣି ତୋ ପୂଜା କରିବାର ଭାଗ୍ୟ ମୁଁ ପାଇବି ?

 

ଥରେ କୁଆଡ଼େ ଝୁନିୟାଁ ଆଉ ଜଣେ ଦି’ଜଣ ସାଙ୍ଗ ଏକାଠି ଗପ–କଲାବେଳେ ପଚାରିଲେ ତାକୁ–

 

‘ଆଲୋ, ସେ ପରା ଜାତିରେ ଭିନ୍ନ, ତୁ ତାଙ୍କୁ କେମିତି....’

 

ହସି ହସି କହିଲା ଲତା–

 

‘ଜାତି ଗୋଟାଏ କ’ଣ ? ଜାତି ଓ ଜାତି, ଦି’ଟା ଜାତି, ଗୋଟାଏ ପୁରୁଷ ଆଉ ଗୋଟାଏ ସ୍ତ୍ରୀ । ଆଉ ପୁଣି ଗୋଟାଏ ଜାତି କ’ଣ ? ଇଏ ପରା କହନ୍ତି–ଏଇ ଜାତି ଅଜାତି ସବୁ, ମଣିଷଗଢା-। ଭଗବାନଙ୍କ ହାତରେ ତ ସ୍ତ୍ରୀ ପୁରୁଷ ଦି’ଟା ଜାତି ।

 

ସେଦିନ କାଇଁକି କେଜାଣି ଟିକିଏ ବେଶି ବେଳଯାଏ ଶୋଇ ଯାଇଥିଲା ବାଜିଆ । ଦାଣ୍ଡରେ କ’ଣ ପାଟିଗୋଳ ଶୁଣି ତା’ ନିଦ ଭାଙ୍ଗିଗଲା । କାନପାରି ଶୁଣିଲା–ତା’ ବାପାକୁ ସବୁ ଡାକିବାକୁ ଆଇଚନ୍ତି । ବାପା ତା’ର ତର ତର ହେଇ ବାହାରି ଗଲାଣି । ସମସ୍ତେ ଦାଣ୍ଡରେ ଏକାଠି ହେଇ କୁଆଡ଼େ ଗଲେ ବୋଧହୁଏ । ବାଜିଆ କିଛି ବୁଝିପାରିଲାନି । ମୁହଁ ଧୋଇ ପକେଇ ଉଠିଆସିଲା ଦାଣ୍ଡକୁ । ଦେଖିଲା, ପିଲାଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ମୁହେଁଇଚନ୍ତି ଗୋଟାଏ ଆଡ଼କୁ । କିନ୍ତୁ କାହାକୁ ନ ପଚାରି ସେ ଏକରକମ ଦୌଡ଼ିଲା ସେଠିକି । ଯାଇ ପହଞ୍ଚିଲା ଲତା ଘର ବାଡ଼ି ପଟରେ । ଯାହା ଦେଖିଲା, ତା’ର ଆଉ ଗୋଡ଼ ଚଳିଲାନି । ମୁଣ୍ଡ ଝିମ୍‌ଝିମ୍‌ ହୋଇ ଉଠିଲା । ଲଥ୍‌କିନା ତଳେ ବସିପଡ଼ିଲା ଦି’ଆଖିକୁ ଚାପିଧରି । ନିଜକୁ ବିଶ୍ୱାସ କଲା ନାଇଁ ଜମ୍ମା ।

 

ଆମ୍ବଗଛର ଡାହିଆରେ ଲତା ଝୁଲୁଚି । ବେକରେ ଆଉ ଗୋଟାଏ ଶାଢ଼ୀର ପଣତ କାନି । ବେକଟା ଲମ୍ବା ହେଇ ଯାଇଚି । ଗୋରା ଦିହ ନେଳି ପଡ଼ିଯାଇଚି । ମୁହଁଟା ବହୁତ ହେଇଯାଇଥିଲେ ବି ଆଖି ଦି’ଟା ଜଳ ଜଳ ହେଇ ମେଲା ହେଇ ରହିଚି ସତେ କି ଲତା ଅନେଇଚି ଲୋକଗୁଡ଼ାଙ୍କୁ । ଗାଁ ସାରା ସମସ୍ତେ ସେଇଠି ରୁଣ୍ଡ ହେଇଚନ୍ତି । ବାଜିଆ ଆଉ କାନ୍ଦି ପାରିଲାନି ଏ ଦୃଶ୍ୟରେ । ହଠାତ୍‌ ତା’ର ଇଚ୍ଛାହେଲା ଏକା ଖେପାକେ ଗଛରେ ଚଢ଼ି ସେ ଲୁଗାକାନିକୁ ଖୋଲିଦିଅନ୍ତା । ଲତାର ଜୀବନ ଯାଇ ନାଇଁ; ସେ ଅନେଇଚି ବିଚରା ବଞ୍ଚିଯାନ୍ତା । ଆଉ ବାଜିଆ ତାକୁ ପଚାରନ୍ତା କାହା ପାଇଁ ତା’ର ଏ ଦଶା ହେଲେ ନାଃ ଆଉ କିଛି ଲାଭ ନାଇଁ । ଲତାର ସେ ଆଖି ଦି’ଟା ସେ ବଞ୍ଚିଚି ବୋଲି ମେଲା ହେଇନି । କାଲି ରାତି ଅଧରୁ ଯେ ମେଲା ହେଇଚି; ଆଉ ପଲକ ପଡ଼ିନି !

 

କିଏ କେତେ ରକମର କୁହାକୁହି ହେଲେ; ହେଲେ, ପରେ ଝୁନିୟାଁ ଠଉଁ ବାଜିଆ ଶୁଣିଲା–

 

ଦିବାକରବାବୁ ଫେରିଲେ ନାଇଁ ଏତେଦିନ ଯାକେ । ତଥାପି ଆଶା ନେଇ ବଞ୍ଚିରହିଲା ଲତା । ଆଉ ବଞ୍ଚେଇ ରଖିଲା ତା’ ପେଟ ଭିତରେ ଦିବାକରବାବୁଙ୍କ ସନ୍ତକ । ହେଲେ, ଦିବାକରବାବୁ ଲେଖିଲେ–ସେ କୁଆଡ଼େ ଫେରିବେନି । ଅଲଗା ଜାଗାକୁ ତାଙ୍କର ବଦଳି ହେଇଚି ସତ କିନ୍ତୁ, ସେ ଯଦି ଲତାକୁ ବାହାହେବେ ତାହାହେଲେ ସରକାରୀ ଚାକିରୀ କରିପାରିବେନି । କାରଣ ସରକାରୀ ଚାକିରୀରେ କେବଳ ଗୋଟିଏ ସ୍ତ୍ରୀ କୁଆଡ଼େ ଜଣେ ବାହାହେବ । ଆଉ ଦିବାକରବାବୁ ତ ଅନେକ ଆଗରୁ ବାହାହେଇ ସାରିଚନ୍ତି.... ।

 

ଏ ଚିଠି ପାଇ ସାରିଲା ପରେ ଲତାର ହୁଏତ ଏଇ ଗୋଟିଏ ବାଟ ବାକି ଥିଲା । କାହାରିକୁ ନ ଜଣେଇ କାହାର ଅପବାଦ ନଶୁଣି ସେ ଶେଷକୁ ଏଇଆ ହିଁ କଲା । ବାଜିଆ ଭାବିଲା ପ୍ରକୃତରେ ତା’ର ଆଉ କ’ଣ କରିବାର ଥିଲା, ହେଲେ ଏଇ କଥା ଶୁଣିବାବେଳେ ବାଜିଆ ଖାଲି ଝୁନିୟାଁ ଉପରେ ଟିକେ ଝିଙ୍ଗାରୀ ଉଠିଥିଲା ।

 

‘ତୁ ମତେ ସକାଳେ ସେଇ ଗଛମୂଲେ ଏ କଥା କହିଲୁ ନାଇଁ କାଇଁକି ତାହେଲେ ମୁଁ ଆଗ ଛୁରୀଟାଏ ଆଣି ଲତାର ପେଟ ଚିରି ସେ ଛୁଆକୁ ବାହାର କରିଥାନ୍ତି । ତାକୁ ତୁ ବଞ୍ଚାଇ ରଖିଥାନ୍ତୁ । ମୁଁ ତାକୁ ପାଳିପୋଷି ମଣିଷ କରିଥାନ୍ତି । ଆଉ ବଡ଼ହେଲେ ସେ ଦିବାକରକୁ ଖୋଜିଆଣି ତାକୁ ମୋର ସାମନାରେ ଛୁରୀ ଭୁଷିବାକୁ କହିଥାନ୍ତି । ସେ ଛୁଆଟା ବି ତା’ ସାଙ୍ଗରେ ମରିଗଲା !ଟିକେ କହିପାରିଲୁ ନାହିଁ, ଛୁଆ ତ ବଞ୍ଚି ଯାଇଥାନ୍ତା ।’

 

ଏତେ ଦୁଃଖରେ ବି କାନ୍ଦୁ କାନ୍ଦୁ ଫିକ୍‌କରି ହସି ପକେଇଲା ବାଜିଆର ଏଇ କଥାରେ ଝୁନିୟାଁ । କେଡ଼େ ବୋକାଟାଏ ମ ସେ.... ? ପିଲା ଜନ୍ମ କରିବା, ପିଲା ବଞ୍ଚାଇବା ଏ ବିଷୟରେ କିଛି ବି ଜ୍ଞାନ ହେଲା ନାଇଁ ତା’ର–ଆଜିଯାକେ, ହେଲେ ବାଜିଆ ବୁଝିଲା ନି ସେ ହସ, ତା’ ମୁଣ୍ଡରେ ଖାଲି ଗୋଟିଏ କଥା–

 

‘ଆହା, ଲତାର ସଂସାର ଏତିକିରେ ଏମିତି ସରଗଲି ? ...ଆଉ ତା’ କଥା କେହି ଚନ୍ତା କରିବନି କି କୁହାକୁହି ହେବେନି ?’

 

ସେଇ ଲତା–ସିଏ ଆଳି କାହାଣୀ ହେଇଗଲଲାଣି କେଇଟା ଦିନ ଭିତରେ ଲୋକମାନଙ୍କ ମୁହଁରେ । ଦରକାର ପଡ଼ିଲେ ତା’ର ଦୂରୁଛକା ଦେଇ କହିବାକୁ ଆରମ୍ଭ କଲେଣି । ଏଇ ତ ଝୁନିୟାଁ କହିଗଲା ବାଜିଆକୁ ।

 

ବାଜିଆ ମୁଣ୍ଡରେ ରକ୍ତ ଚହଟିଗଲା....ଏଡ଼େ କଥାଟାଏ କହିଦେଇଗଲା ଝୁନିୟାଁ ତାକୁ । ଲତାର ବାଟ ଧରିଥାନ୍ତା ସେ ? ସେ ଉଦ୍ଦେଶ୍ୟ ଯଦି ବାଜିଆର ଥାନ୍ତା ତାହେଲେ ଝୁନିୟାଁ କ’ଣ ଆଜିଯାକେ ବାକି ରହିଥାନ୍ତା ? ସେଇ ଭୟରେ ତା’ହେଲେ ବାଜିଆକୁ ଅବିଶ୍ଵାସ କରି ସେ ଆସୁନାଇଁ.... ?

 

ଏଇ କଥା ଭାବୁ ଭାବୁ କେତେବେଳେ ବାଜିଆ ଘରେ ପହଞ୍ଚି ସାରି ବଳଦ ଗୁହାଳରେ ବାନ୍ଧି ସାରିଲାଣି ତା’ର ହୋସ ନାହିଁ । ରୋଷେଇଘରକୁ ଆଉ ଅନେଇଲାନି । ପେଟ ଭୋକଟା ତା’ର ମଥାକୁ ତେଜି ଯାଇଚି । ସେମିତି ଆସି ବସିଲା ଦାଣ୍ଡଦୁଆର ମୁହଁରେ । ସେଇ କଥାଗୁଡ଼ାକୁ ଆଉ ଥରେ ଦୋହଲେଇଲା ମନରେ । ହଠାତ୍‌ ତା’ର କେମିତି ମନକୁ ଜୁଟିଲା ଏଇଟା ଜମ୍ମା କାରଣ ନୁହେଁ । ଝୁନିୟାଁ ତ ନିଜେ ସେଥିପାଇଁ ସଜାଗ । ଆଉ ଟିକେ ବାଟ ହୁଡ଼ିଲାବେଳେ ବାଟକୁ ଆଣେ ବାଜିଆକୁ–ବାଜିଆ ବି କେବେ ଆପତ୍ତି କରିନି କି ଓଜର କରିନି । ତା’ହେଲେ ଆଜି କାହିଁକି ଝୁନିୟାଁ ଏ କଥା କହିଥାନ୍ତା ?

 

ନାଁ, କଥାଟା ଜମ୍ମାରୁ ଏଠି ନାଇଁ । ଖାଲି ଗୋଟାଏ ନବରଙ୍ଗ ଚାଲିଚି ସେଠି । ଦଳେ ଝୁଅ ଏକାଠି ହେଇ ହେଁ ହେଁ ଫେଁ ଫେଁ ହଉଚନ୍ତି । ୟା ନାଁରେ ତା’ ନାଁରେ ବାରକଥା ପଡ଼ୁଥିବ । କ’ଣ ନାଁ ମହିଳା ସମିତି ହଉଚି । କଥାଟା ହଉଚି, ସେ ଯୋଉ ଲୋକଟା ଆସୁଚି ଏକବାରେ ସାହେବଟା ସତେ କି ! ପେଣ୍ଟ କୁରୁତା ପିନ୍ଧି ଗାଡ଼ି ଚଢ଼ି ଚାଲିଆସୁଚି । ଦିନେ ଖଣ୍ଡେ ରହି ଚାଲି ଯାଉଚି ସେଠି । ସିଏ କୁଆଡ଼େ ଟଙ୍କା ଦେଲା ଅଫିସର । ଏ ସମିତିକୁ ଟଙ୍କା ଦିଏ, ଜିନିଷପତ୍ର ଯୋଗାଇଦିଏ,...ତା’ହେଲେ ସେଇଥିପାଇଁ ଏମାନେ ସବୁ ଲୋଟି ପଡ଼ୁଚନ୍ତି ତା’ ପାଖରେ ତା’କଥାରେ, ଆଉ ତା’ ଆସିବାରେ ପୁଣି ଏତେ ତତ୍ପରତା !

 

ଏମିତ ବସି ଉଖାରି ନିଖାରି ହଉଚି ବାଜିଆ । ତା’ ସାମନା ଦେଇ ରାସ୍ତାରେ ଝୁନିୟାଁ ଚାଲିଯାଉଥେଲ । ବାଜିଆ ତାକୁ ଡାକିଲାରୁ ସେ ଅଟକିଗଲା । ସେଇ ପିଣ୍ଡା ଚାଳିଆ କତିରେ ।

 

‘‘କୋଉଠୁ ଫେରିଲୁ ?’’

 

‘ସମିତିରୁ, ତମେ ଖାଇଲଣି ?’

 

‘ସମିତି ପଦଟା ଉପରେ ତା’ର ନିଆଁ ଚେଁକି ଯାଇଥିଲା ଛାତିରେ । ଖାଇବା କଥାଟା ବଙ୍କା ଶୁଣାଗଲା ତାକୁ କହିଲା–

 

‘ସମିତି କଥା ବୁଝୁ, ମୋ ଖାଇବା ସାଙ୍ଗର ତୋର କ’ଣ ଅଛ ?’

 

ଝୁନିୟାଁ କିଛି ଆଉ ଉତ୍ତର ନଦେଇ ଚାଲିଯାଉଥେଲା । ଡାକିଲା ବାଜିଆ ତାକୁ । ଝୁନିୟାଁ ଠିଆହେଲା । ବାଜିଆ ଟିକିଏ ଆଗେଇ ଯାଇ ତା’ ମୁହଁକୁ ମୁହଁ ଠିଆ ହେଇ ଚାପା ଗଳାରେ ଗାଢ଼େଇ କରି ପଚାରିଲା–

 

‘ଏ ସମିତି କାମ ତୋର କେବେ ସରିବ ?’

 

‘କାଇଁକି ଯେ ? ଏ ସମିତି ତୋର କ’ଣ କଲା ?’

 

‘ସମିତି ମୋର କ’ଣ କଲା ନକଲା ସେ ବିଷୟରେ ମୁଁ କୈଫିୟତ୍‌ ଦେଇପାରିବିନି । ମୋ କଥାର ଜବାବ୍‌ ଦେ ।

 

‘ସମିତି ଯେତେଦିନ ଥିବ,କାମ ତ ଲାଗିବ...’

 

ବଡ଼ ହାଲ୍‌କା ଭାବରେ କଥାଟାକୁ କହିଲା ଝୁନିୟାଁ । ମନରେ ତା’ର ବି ଅଭିମାନ ଭରି ଆସିଲାଣି ସେତେବେଳକୁ । ବାଜିଆ ଆଉ ଟିକେ ଚିହିଁକି ଗଲା ଏଇ ଉତ୍ତରରେ ।

 

‘ଓଃ...ତା’ ହେଲେ ସମିତି ଥିବା ଯାକେ କ’ଣ କାମ ଲଗିଥିବ ? ବେଶ୍‌, ଆଜି ତେବେ ତା’ କାମ ମୁଁ ଫତେ କରିଦଉଚି ।’

 

‘ଏ...କ’ଣ କରିବ ?’

 

‘ନିଆଁ ଲଗେଇ ସେଇଟାକୁ ପୋଡ଼ିଦେବି ।’

 

‘ଓଃ, ସେଇଟା ସରକାରୀ ଘର ଯେ, ବୁଝିଥିବ ଏକ, ସରକାର ଏଥିପାଇଁ ମୁଁ ଟଙ୍କା ଦଉଚି, ଜିନିଷପତ୍ର ଯୋଗେଇଚି ?’

 

‘ହଁ... ଦବ ନାଇଁ କେମିତି ? ପୁଳାଏ ଝିଅଙ୍କୁ ଏକାଠି କରି ରଖିଲେ ସେଇ । ସରକାରଙ୍କ ବାବୁଭାୟାମାନଙ୍କୁ ହେଁ ହେଁ ଫେଁ ଫେଁ ହବା ପାଇଁ ଆସିବାକୁ ଗୋଟାଏ ଆଳ ମିଳିବ । ସେଥିପାଇଁ ଆଖଡ଼ା ଘରଟାଏ ସରକାର ଖୋଲିଦେଇଚି ଆଚ୍ଛା, ମୁଁ ତାକୁ ଯଦି ଜାଳି ନ ଦେଇଚି ।’

 

‘ତମର ସେଇ ଛୋଟ ମନ, ଆଉ ସେଇଆ ଭାବିବ ନାଇଁ ତ କ’ଣ ?’

 

ଏଇ କଥାରେ ରାଗଟା ବାଜିଆର ଅସମ୍ଭାଳ ହେଇଗଲା, ଅନ୍ୟଦିନ ହେଇଥିଲେ ହୁଏ ତ ବାଜିଆ ଚଟକଣାଏ ମାରିଥାନ୍ତା କି କ’ଣ ? ହେଲେ, ଆଜି ସେ ତା’ କଲାନି । ସାମନା ସାମନି ଝୁନିୟାଁ ଠିଆହେଇ ତା’ ସାଙ୍ଗରେ ପଟେହେଇ ଯୁକ୍ତି କରୁଚି ସେତେବେଳେ, ଶାସନ କରିବାର ପ୍ରଶ୍ନ ଉଠୁନି ।

 

କ’ଣ କହିଲୁ, ମୋର ଛୋଟ ମନ ? ମୁଁ ଛୋଟ ଲୋକ ? ଆଉ ତୋ ସମିତି ? ଆଉ ଯୋଉ ବାବୁଙ୍କ ପାଇଁ ସଜ ହଉଚୁ ସେ ? ଆଚ୍ଛା ଦେଖି, କାଲିକି ତୋ ବାବୁ ଆସିବେ ନାଁ ? ଯୋଉ ଘରେ ଏତେ ସଜବାଜ ହଉଚ କାଲିକି ସେ ଘର ଥେଲେ ତ ? ଆଜି ରାତିରେ ଯଦି ମୁଁ ସେ ଘରକୁ ପାଉଁଶ ନ କରିଚି ମୋ ନାଁ ବାଜିଆ ନୁହେଁ ।

 

‘ବେଶ୍‌ ! ତମ ଇଚ୍ଛା, ହେଲେ ମନେ ରଖିଥିବ । ମୁଁ ଆଉ ଥରେ ଚେତେଇ ଦଉଚି ସେଇ ସରକାରୀ ଘର !

 

‘କ’ଣ ହେବ ସେଇଠୁ ?’

 

‘ହାତକଡ଼ି ପଡ଼ି ଥାନାକୁ ଯିବ...’

 

ଏତିକି କହିଦେଇ ଝୁନିୟାଁ ଚାଲିଗଲା । ବାଜିଆ ସେଇଠି ଠିଆ ହେଇ ସେ ଶେଷ ପଦଟାକୁ ଦୋହରେଇ ହେଲା ମନରେ । କେତେବେଳକେ ତା’ ମୁଣ୍ଡରେ ପଶିଲା ଜେଲ୍‌ ଯିବି ପଛେ କାମଟା ଜରୁର୍‌ କରିବି ।

 

ଫେରି ଆସି ସେମିତି ଘରେ କ’ଣ ଗୁଡ଼ାଏ ଭାବିଲା । ସେଇ ଝୁନିୟାଁ କଥାକୁ ମନରେ ଆଉ ଥରେ ଫେଣେଇ ନେଲା । ଶିରାରେ ତା’ର ରକ୍ତ ଟକ୍‌ମକ୍‌ ହୋଇ ଫୁଟୁଥେଲା ସେତେବେଳକୁ-। ମନେ ମନେ ଭାବିଲା ତା’ ପାଇଁ ଏଇଟା ସୁବର୍ଣ୍ଣ ସୁଯୋଗ ! ବାପା ତା’ର ଆଜି ଫେରିବନି– ଯାଇଚି କଟକ । ରାତି ଆସି ଦି’ ଘଡ଼ି ହେଲାଣି...ଆଉ କେଇ ଘଣ୍ଟା ପରେ... ସବୁ ଶେଷ...

 

ଝୁନିୟାଁ ଗଲା ଘରକୁ, ତା’ ମନରେ ଅସୁମାରୀ ଚିନ୍ତା । କାଇଁକି ବାଜିଆଇ ଏମିତି ହେଇଯାଉଚି ଦିନକୁ ଦିନ । ସବୁ କଥାକୁ ଅବୁଝା ହଉଚି । ଏଇ କଥା ସେ ତା’ର ସାଥି ମେଳରେ କହିଲା ବୋଲି ସମସ୍ତେ କହିଲେ । ସ୍ନେହ ବଢ଼ିଯାଉଚି ବୋଲି ଆକଟ ବଢ଼ିଯାଉଚି । ହେଲେ, ଏଇଗୁଡ଼ା କ’ଣ ବାଜିଆଇର ସ୍ନେହ ! ସବୁବେଳେ ଅବିଶ୍ୱାସ, ଅଭିମାନ, ରାଗ । କେତେ ବୁଝେଇବ ଝୁନିୟାଁ ! ଏଇ ସମିତି କଥାଟା ଏତେ ରାଗିବାର କ’ଣ ଅଛି ? ଯଦି ତା’ର ଏକାନ୍ତ ଅନିଚ୍ଛା– ଝୁନିୟାଁ-। ସେଠିକି ନ ଯାଉ, ତା’ ହେଲେ ତ ସିଧା ମନା କରିଦେଇ ପାରନ୍ତା ! ଏତେ ଦେଖେଇ ଶିଖେଇ କହିବାର କ’ଣ ଅଛି ? କ’ଣ ବା ସମିତି ଏମିତି କାହାର ଦୋଷ କରୁଚ ? ଗାରେ ନୂଆ କାମଟାଏ ହେଇଚି ! କେତେ ଝିଅ ବୋହୂଙ୍କର ଉପକାରରେ ନ ଲାଗୁଚି । ଯୋଉଗୁଡ଼ାକ ଆଗେ ଭାରି ବଡ଼ କଥା ବୋଲି ଜଣାଯାଉଥେଲା–ଏଇ ବ୍ଲାଉସ୍‌ ଶାୟା, ଫ୍ରକ୍‌, ଇଝେର ଏଗୁଡ଼ା ସବୁ ଅଳ୍ପ ବହୁତେ ସମସ୍ତେ ଶିଖିଲେଣି । ଆଉ ଫେରିବାଲା ହାତକୁ ଏଗୁରା ପାଇଁ ଅନେଇବାକୁ ପଡ଼ୁନି-। କେଡ଼େ ସୁନ୍ଦର ସୁନ୍ଦର ଆସନ ସବୁ ବୁଣି ଶିଖିଲେଣି ସମସ୍ତେ । ଏଇ ଭିତରେ କଥାଟାକୁ ନ ଦେଖି ଖାଲି ଉପର ଦେଖିଲେ ହବ ?

 

ଟିକି ଟିକି ପେଣ୍ଟ, ଫ୍ରକ୍‌ ତିଆରି କଲାବେଳେ ଝୁନିୟାଁ । କେତେ କ’ଣ ଭାବିଯାଏ ମନେ ମନେ । ପୁଣି ସେଇ କଥା ଭାବୁଥେଲା ବୋଲି ପରମୁହୂର୍ତ୍ତରେ ଆଉ ଥରେ ଭାବିବସିଲେ ତାକୁ ଲାଜମାଡ଼େ । କାହାକୁ ନ ଦେଖେଇ ସେ ଲୁଚେଇ କରି କେଇଖଣ୍ଡ ସେଥିରୁ ତିଆରି କରି ବାକ୍ସରେ ଲୁଚେଇ ଦେଇଚି । ଯେମିତି କେହି ନ ଜାଣନ୍ତି କି ନ ଦେଖିପାରନ୍ତି । ଏ ସବୁଥିରେ କ’ଣ ବାଜିଆର କିଛି ସମ୍ପର୍କ ନାହିଁ ? ସେ ଖାଲି ତୁଚ୍ଛାକୁ ସେମିତି ଚିଡ଼ିମିଡ଼ି ହଉଚି ସିନା....

 

ଭଲକରି ଶାଗ ଖରଡ଼ି ସନ୍ତୁଳା କରି ସବୁଥିରୁ ପୁଳାଏ ପୁଳାଏ ଦେଇ ବଡ଼ କଂସାଥାଳି ପଟକରେ ବାଢ଼ିଲା ଝୁନିୟାଁ ନିଜକୁ ନେଇଯିବାକୁ ଡର ମାଡ଼ିଲା । କାଳେ ତାକୁ ଦେଖିଲେ ରାଗ ଆହୁରି ବଢ଼ିଯିବ ବାଜିଆଇର । ନାଇଁ, ଭୋକଟା କମିଯାଉ,ଡାକିଲା ସୁରକୁ । ତା’ରି ହାତରେ ଯାହା କହିବାର କଥା କହି ବାଜିଆ କତିକି ପଠେଇଲା ।

 

ଟିକକ ପରେ ସେମିତି ଥାଳିଛାଏଁ ଫେରିଆସିଲା ସୁର । ଝୁନିୟାଁ ପଚାରିବାରୁ କହିଲା–

 

‘ବାଜିଆଇ ମନା କଲା । ସେ ଖାଇସାରିଚି; ଆଉ ଭୋକ ନାଇଁ ।

 

‘କ’ଣ କରୁଚି କି ?’

 

‘ଗୋଟାଏ ବାଉଁଶ ବାଡ଼ିରେ କନାଗୁଡ଼େଇ ନିଆଁ ହୁଳା ବାନ୍ଧୁଚନ୍ତି । ପଚାରିଲାକୁ କହିଲେ, ଏଇଟା ନିଆଁ ହୁଳାଟାଏ ହବ । ସେ ମହିଳା ସମିତି କୁଆଡ଼େ ପୋଡ଼ାଯିବ ଆଜି ରାତିରେ-?

 

‘ସେଇଠୁ ?’

 

ଆଉ ତ କିଛି କହିଲେନି, ଖାଲି କହିଲେ, ତୁ ଯିବୁ କି ଦେଖିବାକୁ କେମିତି ଜଳିବ ସେଇ ରୋଷଣୀ ଭଳିଆ ? ....ମୁଁ ମନା କଲି ।

 

ଝୁନିୟା ମନରେ ଟିକେ ଦୁଃଖ ହେଲା । ହେଲେ, ସେ ଦୁଃଖଟା ମହିଳା ସମିତି ପୋଡ଼ାହବା ପାଇଁ ନୁହେଁ । ସେ ବୁଝିଲା ବାଜିଆ ସୁରକୁ ଏମିତି କହିବା ଛଳରେ ଧମକେଇ ଦେଇଚି ଝୁନିୟାଁକୁ । ହୁଳାଟା ବାନ୍ଧୁଥିବ ରାତିରେ ବିଲ ଦେଖିବାକୁ ଯିବ କି କ’ଣ ? ହେଲେ, ଦୁଃଖ ତା’ର ବାଜିଆଇ ତା’ ଦେଇଥିବା ଖାଇବାର ଫେରାଇଦେଇ ଉପାସରେ ରହିଲା, ଓଃ... ବାବା କି ରାଗ ମ ତା’ର । ରାଗଟା ଚଢ଼ିବାକୁ ସମୟ ଖସିବାକୁ ତା’ର ତିନିଗୁଣ ସମୟ ଦରକାର ।

 

ସେଦିନ ରାତିରେ ଝୁନିୟାଁ । ଭଲ ନିଦ ହେଲାନି ବାଜିଆ କଥା ଭାବି ଭାବି । ବିଛଣାରେ ଶୋଇ ଛଟପଟ ହଉଥାଏ ଖାଲି ସେ । କେମିତି ଶୋଇବ ଯେ ? ସେ ଆଡ଼େ ଲୋକଟା ଭୋକରେ ପଡ଼ି ଆଉଟୁ ପାଉଟୁ ହଉଥିବ ଆଉ ଖାଇପିଇ ଆରାମରେ ଘୁଙ୍ଗୁଡ଼ି ମାରିବ ସିଏ ! ଏମିତ ଭାବୁ ଭାବୁ କେତେବେଳେ ଛାଇନିଦ ଲାଗିଯାଇଚି ତାକୁ । ହଠାତ୍‌ ତା’ ନିଦ ଭାଙ୍ଗି ଗଲା ଦୂରରୁ କୁଆଡ଼ୁ ପାଟିଗୋଳ ଶୁଣି । ତା’ ବୋଉ ମାଳତୀର ନିଦ ଭାଙ୍ଗିଗଲା । ଅଗଣା ମଝିକି ସେ ଆସି କାନପାରିଲା ବେଳକୁ ତା’ ଆଖିରେ ପଡ଼ିଲା ଗାଁର ଗୋଟାଏ ମୁଣ୍ଡରୁ ନିଆଁ ଉଠୁଚି ।

 

ଇଲୋ, କାହାର ସର୍ବନାଶ ହେଇଗଲା ଲୋ ରାତି ଅଧଟାରେ ।

 

ଏଇ କଥା ଶୁଣି ବିଛଣାରୁ ଉଠି ଆସିଲା ଅଗଣା ମଝିକି । ସେଇପଟ ଆକାଶଟା ପୁରା ନାଲି ଦେଖାଯାଉଚି । ରକ୍ତ ଝଲକାଏ ଖସିପଡ଼ିଲା ଝୁନିୟାଁର । ହଁ ତ ! ଠିକ୍‌ ସେଇ ଆଡ଼ୁ, ସେଇ ଘରଟା ନିଶ୍ଚୟ ।

 

ଆଖି ବୁଜି ପକେଇଲା ଝୁନିୟାଁ ।

 

ଇସ୍‌ ! ବାଜିଆଇ ତା’ହେଲେ ସତରେ ସେଇଆ କଲ ?

 

କେତେ କଷ୍ଟରେ ଗାଁ–ବାଲାଙ୍କ ପରିଶ୍ରମରେ ଭୋର ସରିକି ନିଆଁ ଲିଭିଲା । ମଝି ରୁଅ ମଥାନ ସହିତେ ଧରି ଯାଇଥେଲା ବୋଲି ଏତେ କଷ୍ଟ । ଏକରକମ ଯାଇଚି ଘରଟା ପୂରାପୂରି । ସକାଳୁ ସମସ୍ତେ କେମିତି ହେଲା, କାଇଁକି ହେଲା ବୋଲି ଟୁପୁରୁ ଟାପୁରୁ ହେଲେ । ହେଲେ, ଘଡ଼ିକ ଭିତରେ କଥା ପ୍ରଘଟ ହେଇଗଲା–ବାଜିଆର କାମ ଇଏ ।

 

ମନ ବୁଝେଇବାକୁ ଝୁନିୟାଁ । ଯେତେବେଳେ ଏଇ କଥାଟାର ସତ ମିଛ ଜାଣିବାକୁ ଅନ୍ୟକୁ ପଚାରେ, ସମସ୍ତେ କହିଲେ ସୁର ଦେଖିଚି । ଆଉ ସୁରକୁ ସେ କହୁଥେଲା ।

 

ଝୁନିୟାଁର ନିଶ୍ଵାସ ରୁନ୍ଧି ହେଇଗଲା ପରି ଲାଗିଲା । ଆଖି ବନ୍ଦ କଲେ ବି ଜଳଜଳ ହେଇ ତାକୁ ଦେଖାଗଲା ବାଜିଆଇ ପାଇଁ ୟାର ଏ ପରିଣାମ ।

 

ଆଉ କେତେ ବା ସମୟ...ତା’ପରେ ଅଫିସର ଆସିବେ... ସବୁ ଜାଣିବେ....ଗାଁ–ବାଲା ସବୁ ସାକ୍ଷ୍ୟ–ପ୍ରମାଣ ଦେବେ....ତା’ପରେ ??? ଛୋଟ ଛୁଆଙ୍କ ଭଳି କାନିରେ ମୁହଁଗୁଞ୍ଜି କାନ୍ଦି ପକେଇଲା ଝୁନିୟାଁ । ସେମିତି କୋହକୁ ଚାପିଧରି କର୍ତ୍ତବ୍ୟର ତାଡ଼ନାରେ ଘରୁ ବାହାରିଲା ।

 

ତାକୁ ପ୍ରସ୍ତୁତ ହେବାକୁ ପଡ଼ିବ ।

 

ସତକୁ ସତ ଅଫିସର ଆସିଲେ । କଥାଟା ଜାଣିଲେ । ଗାଁ ମୁରବିମାନଙ୍କୁ ଡକେଇ ସଭା କଲେ । ସଭାରେ ସମସ୍ତେ କହିଲେ ବାଜିଆର କାମ ଏଇଟା ବୋଲି । ବାଜିଆକୁ ଡ଼କରା ହେଲେ । ବାଜିଆ ଆସିଲା ; ସଚ୍ଚା ମରଦ ପିଲା ସେ । କାମଟାଏ କରିଚି ଯଦି, ଏତେ ଜୀବନକୁ ଡର କାଇଁକି-? ହେଲେ, ଝୁନିୟାଁ । କଥାଟା ତା’ର ମନେ ପଡ଼ିଯାଉଥାଏ । ୟା’ର ପରିଣାମ ଜେଲ.... ପୁଲିସ-। ତଥାପି ସେ କହିଲା–

 

‘ହଁ, ମୁଁ ଲଗେଇଚି ନିଆଁ । ଭଲ କରିଚି । କାଇଁକି ଏଠି ଝିଅବୋହୂଙ୍କ ପାଇଁ ଗୋଟାଏ ଆଖଡ଼ା ଘର ହବ ? ଗୋଟାଏ ତାମସା ଲାଗିଚି ଏଠି !’

 

ସମସ୍ତେ ଆହୁରି ନିଶ୍ଚିନ୍ତ ହେଇଗଲେ ବାଜିଆ କରିଚି ବୋଲି । ହାକିମ କହିଲେ–

 

‘ବେଶ୍‌ ! ତା’ହେଲେ ସରକାରୀ ଦଣ୍ଡ ଅନୁଯାୟୀ ତମ ନାଁରେ କେଶ୍‌ହେଇ ଯାହା ହବାର ହବ । ଦଣ୍ଡ ଯାହା ପାଇବ, ତମକୁ ଭୋଗିବାକୁ ପଡ଼ିବ ।

 

ପାଖ ଥାନାକୁ ଖବର ଦିଆଗଲା । ୟାରି ଭିତରେ ହାକିମ ତାଙ୍କର ମହିଳା ସମିତିର ବାକି କାମଗୁଡ଼ାକ ତୁଟେଇଦବା ପାଇଁ ଆଉ ଗୋଟାଏ ଜାଗାରେ ସଭା କଲେ । ସବୁ ମହିଳାତକ ଏକାଠି ହେଲେ–ଝୁନିୟାଁ । ଆଖିରେ ଆଖିଏ ଲୁହ ନେଇ ସେ ବାବୁଙ୍କର ଚର୍ଚ୍ଚା କଲା । ତା’ରି ଯୋଗାଡ଼ କରିଥିବା ଜିନିଷ ସବୁରେ ସମସ୍ତେ ଉପଚାର ବାଢ଼ିଲେ ସେ ହାକିମଙ୍କର । ହେଲେ, କାହାରି ମନରେ ସୁଖ ନାହିଁ ସେ ଘରଟା ସକାଶେ । ହାକିମ କିନ୍ତୁ ପ୍ରୀତ ହୋଇ କହିଲେ –

 

‘ଆରେ, ତମର ଏଥିରେ ଦୁଃଖ କରିବାର କିଛି ନାହିଁ । ସେ ଲୋକଟା ପାଜିଟାଏ । ଏ କାମଟା କରିଦେଲା; ନିଶ୍ଚେ ତ ହାଜତକୁ ଯିବ, ଘଣା ପେଲିବ । ଆଉ ତମର କାହିଁକି ଚିନ୍ତା ? ସରକାର ପୁଣି ଟଙ୍କା ଦେବେ ଏଇଟାକୁ ତିଆରି କରିବାକୁ । ସେ ଦାୟିତ୍ଵ ମୁଁ ନଉଚି । ଅତିଶୀଘ୍ର ଏ ଘର ମରାମତିର ବନ୍ଦୋବସ୍ତ କରିଦେବି । ହବ ତ ଏଥରକ ଟାଇଲ ଘର କରିଦବା ।

 

ଏଇ କଥାରେ ଝୁନିୟାଁ ଆଉ ସମ୍ଭାଳି ପାରିଲା ନାଇଁ । ସତରେ ବାଜିଆ ତା’ହେଲେ ଜେଲରେ ଯାଇ ଘଣା ପେଲିବ ! ଆଉ ସେ... ? ତା’ର ସ୍ଵପ୍ନ ?? ...ଆଉ ସେଇ ଯୋଉ କୁନି କୁନି ଫ୍ରକ୍‌, ଇଝେର ?? ଗୋଟାଏ କ’ଣରେ ଆଢ଼ୁଆଳକୁ ଯାଇ ଆଖିରେ କାନରଖି କାନ୍ଦି ଉଠିଲା ଝୁନିୟାଁ । ସମସ୍ତେ ବି ସେଇ କଥା ଉପରେ ଆଖି ଛଳଛଳ କଲେ ।

 

ହାକିମ ବୁଝିପାରିଲେ ନି କ’ଣ ୟାର କାରଣ ? କାହିଁକି ଏ ପରିସ୍ଥିତି ? ....କାହିଁକି ? ବୁଝିବାକୁ ଚେଷ୍ଟାକଲେ ସେ... ।

 

ଉପରବେଳା ସୁଦ୍ଧା ପୋଲିସ ଅଫିସରୁ ଆଉ କେଇ ଜଣ ସାହେବ ଆସି ପହଞ୍ଚିଲେ । ଏ ହାକିମ ଆଉ ସାହେବ ଖାନ୍‌ତଲାସ୍‌ କ’ଣ କଲେ । ଆଉ କ’ଣ ବିଚାର କଲେ ସେ କଥା କାହାକୁ ଜଣାପଡ଼ିଲା ନାହିଁ । ତା’ପରେ ସାକ୍ଷ୍ୟ, ପ୍ରମାଣ, ଜମାନବନ୍ଦୀ, କେତେ ପ୍ରଥା । ଆଗେ ମହିଳା ସମିତିର ସବୁ ସଭ୍ୟ, ସରକାରୀ ହାକିମ ଆଉ ପୋଲିସ ସାହେବମାନଙ୍କର ସେଇ ଘରେ ଗୋଟାଏ ସଭା ହେଲା । କେତେକ ଆଲୋଚନା ପରେ ମହିଳା ସମିତି ହାକିମ ପୋଲିସବାବୁଙ୍କୁ କହିଲେ–

 

‘ଏଥର ତା’ହେଲେ ସେମାନଙ୍କଠାରୁ ଜମାନବନ୍ଦୀ ନେଇ ନବା ?’

 

ପୋଲିସ ସାହେବ ହଁ ମାରିଲେ । ତା’ପରେ କହିଲେ–

 

ଏଥର ସଭା ଆରମ୍ଭ ହଉ । ସୁଲୋଚନା ଦେଈ ! ତମର ଯାହା କହିବାର କୁହ । ସୁଲୋଚନା– ଗାଁରେ ସୁଲି, ଝୁନିୟାଁର ଜୀବନ ଦିଆଦେଇ ସାଙ୍ଗ । ଗୁଡ଼ିଆ ଘରର ଝିଅ ସେ । ବୁଦ୍ଧିରେ ଅନ୍ୟମାନଙ୍କ ଅପେକ୍ଷା ଯଥେଷ୍ଟ ବେଶି । କାହାରି କଷ୍ଟ ଦେଖିପାରେନି । ଆପଣାକୁ ବିପଦରେ ପକେଇ ପରକୁ ରକ୍ଷାକରିବା, ଏଗୁଣଟା । ତା’ର ବେଶି ପ୍ରଘଟ ହେଲା ଯୋଉଦିନ ସେ ମଣିଆଁ ଗଉଡ଼ ପୁଅ ଘନକୁ ପୋଖରୀରେ ବୁଡ଼ିଯାଉଥିବାବେଳେ ନିଜର ପିନ୍ଧା କାନିକୁ ଦିହରୁ କାଢ଼ି ଏତେ ଗହୀର ପାଣିରେ ପଶି ତାକୁ ବଞ୍ଚାଇଲା ମରଣ ମୁହଁରୁ । ସମସ୍ତେ ତା’ର ପ୍ରଶଂସା କରନ୍ତି । ପ୍ରକୃତରେ ବି ଭାରି ସୁଧାର ପିଲାଟିଏ । ଝୁନିୟାଁଠଉଁ ବୟସରେ ସାନ ହେଲେ ବି ସାଙ୍ଗସରିସା । ଭଗବାନ୍‌ ରୂପ ବି ସେମିତ ଦେଇଚନ୍ତି । ଚାଲିଗଲା ପୁଅ ନେଉଟି ନ ଚାହିଁ ବାଟ ନାହିଁ । ତା’ ନାଁ ଡକା ହବାରୁ ସେ ଉଠିଲା । ଥରି ଥରି ଛେପ ଢୋକି କହିବାକୁ ଆରମ୍ଭ କଲା–

 

‘ଆଜ୍ଞା, ଆମେମାନେ ସବୁ କାଲି ଆମର ଏଇ ହାକିମ ଆସିବେ ବୋଲି ଏଠି ବସି ସବୁ ଖରାବେଳେ ଯୋଗାଡ଼ କରୁଥେଲୁ । ସେଇଠୁ ଭାରି ମନହବାରୁ ଏଇ କ’ଣରୁ ନିଆଁ ଜାଳି ପଣସମଞ୍ଜି ପୋଡ଼ି ଖାଇଲୁ । ସେଥିପାଇଁ ଏଠି ନିଆଁ ଜାଳିଥେଲୁ ।’

 

ପୋଲିସ ଅଫିସର ଏ ଗୁଡ଼ାକ ଟିପି ନଉ ନଉ ପଚାରିଲେ–

 

‘ଆଚ୍ଛା, କେତେବେଳଯାକେ ତମେ ନିଆଁ ଜଳେଇଥେଲ ?’

 

‘ଆମେ ପାଞ୍ଚଟା କି ଛଅଟା ସରିକି ଗଲୁ ଏଠୁ । ସେତେବେଳଯାକେ ବି ପୋଡ଼ି କରି ଖାଉଥେଲୁ । ନିଆଁ ଜଳୁଥେଲା । ସେ ନିଆଁକୁ ଆମେ ନିଭେଇ ନ ଥେଲୁ । ସେଇଠୁ ନିଆଁ ଧରିଯାଇଚି ।

 

‘ଆଚ୍ଛା, ପ୍ରଥମେ ନିଆଁ ଜାଳିଥେଲା କିଏ ?’

 

ପଞ୍ଝାଏ ଝିଅ ଏକାଥରକେ ‘ଆଜ୍ଞା ମୁଁ’ ’ଆଜ୍ଞା ମୁଁ’ କହି ଠିଆହେଲେ । ପୋଲିସ ସାହେବ ଆଉ ହାକିମ ଆଶ୍ଚର୍ଯ୍ୟ ହେଇଗଲେ ଏ କଥାରେ । ସେ ଦେଖିଲେ ଯେ ପ୍ରାୟ ସବୁ ଝିଅ ଉଠି ଠିଆହେଲେଣି ନିଜେ ନିଆଁ ଜାଳିଚନ୍ତି ବୋଲି । କେତେବେଳକେ ମହିଳା ସମିତି ଅଫିସର କହିଲେ–

 

‘ଆରେ, କିଏ ଜଣେ ହେଇଥିବ ନାଁ, ସେ ଜଣକ କିଏ ?’

 

ସବା ଶେଷରେ ଝୁନିୟାଁ ବଡ଼ ପାଟିରେ କହିଲା କାନ୍ଦ କାନ୍ଦ ଆଖିରେ

 

‘ଆଜ୍ଞା ମୁଁ ...’

 

ସବୁ ଝିଅ ଏଇ କଥାରେ ଟାଣିଓଟାରି ଝୁନିୟାଁକୁ ବସେଇ ଦେଇ କହିଉଠିଲେ ଯେ ସେଇଟା ମିଛକଥା । କାରଣ, ସେତେବେଳେ ଝୁନିୟାଁ, ମୋଟେ ନଥେଲା । ପଣସମଞ୍ଜି ଆଣିବାକୁ ଯାଇଥେଲି । ୟା’ପରେ କ’ଣ କହିବାକୁ ବସିଥେଲା ଝୁନିୟାଁ । ତାକୁ ଟାଣି ଓଟାରି ଚୁମୁଟି ବିଦାରି ସମସ୍ତେ ଜୋର କରି ବସେଇଦେଲେ । ତାଙ୍କ ହାକିମ ମଧ୍ୟ କହିଲେ–

 

‘ହଁ ହଁ, ତମେ ବସିପଡ଼...’

 

ଝୁନିୟାଁ ବସିପଡ଼ିଲା ବାଧ୍ୟ ହେଇ । ପୋଲିସ ସାହେବ କହିଲେ–

 

‘ତମର ତ କାହାର ମନେ ନାହିଁ କଥାଟା, ଆଚ୍ଛା, ଯାହା ନାଁ ହେଲେ ଚଳିବ । ଛାଡ଼, କହି ଆଉ ଜଣକର ନାଁ ସେମିତି ଟିପିନେଲେ । ତା’ପରେ ପଚାରିଲେ–

 

‘ଆଚ୍ଛା, ନିଆଁଟା ଲିଭେଇ ଦେଇଗଲ ନାହିଁ କାହିଁକି ?’

 

ଏଇ କଥା ଉପରେ ଝୁନିୟାଁ । ଠିଆ ହଉଥେଲା । ହେଲେ, ସେପାରିର ଧ୍ରୁବ ଖୁଣ୍ଟିଆ ଝୁଅ କୌଶଲ୍ୟା ତା’ କାନ୍ଧକୁ ଚାପି ବସେଇ ଦେଇ ନିଜେ ଉଠି ଠିଆହେଇ ଛେପ ଢୋକି କହିଲା–

 

‘ଆଜ୍ଞା, ସମସ୍ତେ କହିଲେ ନିଆଁଟା ଲିଭେଇ ଦେଇଯିବାକୁ; ହେଲେ, ମୁଁ କହିଲି, କାଲି ସକାଳୁ ତ ଆମ ଅଫିସର ଆସିବେ, ଚା’କରିବାକୁ ସାଙ୍ଗେ ସାଙ୍ଗେ ଦରକାର ହବ କରିବ, ସେଥିପାଇଁ ନିଆଁଟା ଥାଉ ।’

 

‘କ’ଣ ଆଜି ସକାଳ ପର୍ଯ୍ୟନ୍ତ ନିଆଁଟା ରହିବ ବୋଲି ତମେ ନିଆଁ ଜାଳି ଦେଇ ଯାଇଥେଲା ?

 

‘ଆଜ୍ଞା ହଁ, ସେଇଟା ମୋର ବୋକାମୀପଣିଆ, ମତେ ଘରେ ସମସ୍ତେ ସେଥିପାଇଁ ହୁଣ୍ଡି ବୋଲି କହନ୍ତି । ତେଣୁ ଏକା ମୁଁ ଦାୟୀ ଏଥିପାଇଁ ।’

 

ସମସ୍ତେ ଏଇ କଥା ଉପରେ କହି ଉଠିଲେ...

 

‘ନାଇଁ ଆଜ୍ଞା, ଆମେ ସମସ୍ତେ ବି ସେଇଆ ତାକୁ ବତେଇଲୁ, ସେ ବୋଧହୁଏ ଏକା କରିନଥାନ୍ତା ।’

 

ୟା’ପରେ ପୋଲିସବାବୁ ଆଉ ସମ୍ଭାଳି ପାରିଲେନି । ଜମାନବନ୍ଦୀ ବନ୍ଦ କରି କହିଲେ–

 

‘ବୀରେନ୍‌ ! ମୁଁ ଆଶ୍ଚର୍ଯ୍ୟ ହଉଚି, ଏମାନେ ସମସ୍ତେ ନିଜ ଉପରକୁ ଦୋଷ ଟାଣି ନଉଚନ୍ତି କାହିଁକି ? ଦୋଷୀ ଯିଏ, ସିଏ ସିନା ଖସିଯିବାକୁ ଚେଷ୍ଟା କରେ, କିନ୍ତୁ ଏମାନଙ୍କର ପ୍ରଶ୍ନ ଉଠୁନି; ଅଥଚ ଆପଣା ଛାଏଁ ଟାଣିଓଟାରି ପ୍ରତିଦ୍ୱନ୍ଦିତା’ କରି ନିଜ ମୁଣ୍ଡରୁ ହାଣକୁ ବଢ଼ଉଚନ୍ତି କାହିଁକି-? ମୁଁ ତ କିଛି ବୁଝିପାରୁନି ?

 

ହସି ଉଠି ବୀରେନ୍‌ବାବୁ କହିଲେ–

 

‘ତୋର ପୋଲିସ ବୁଦ୍ଧିରେ ସେଇଟା ନାହିଁ । ଖାଇବାକୁ ଚାଲ । ସେମାନେ କ’ଣ ସଜିଲ କରିଚନ୍ତି; ସବୁ ସେଇଠି ବୁଝେଇ ଦେବି ।’

 

ଦିହେଁ ଉଠିଗଲେ ଖାଇବାକୁ । ଏତେବେଳକେ ଏମାନେ ସମସ୍ତେ ବୁଝିଲେ ଯେ ପୋଲିସ ସାହେବ ଆଉ ତାଙ୍କ ହାକିମ ଦିହେଁ ଅନ୍ତରଙ୍ଗ ବନ୍ଧୁ ଆଉ ତୁ ତା’ ରେ ରୋ କଥାଭାଷା ।

 

ଆଖିଲୁହରୁ ବୁନ୍ଦାଏ ବୁନ୍ଦାଏ ଢାଳି ଏତେଗୁଡ଼ିଏ ଝିଅବୋହୂ, ଯାହା ଏମାନଙ୍କ ପାଇଁ ଖାଇବାର ଆୟୋଜନ କରିଥିଲେ, ସଜାଡ଼ି ବସିଲେ । ସେ ଗୁଡ଼ିକୁ ଖାଇବସିଲେ ଏ ହାକିମ ଦି’ଜଣ-। ଆର ପାଖକୁ ଅନ୍ୟ ବାବୁମାନେ । ଖାଇଲାବେଳେ ଇଂରେଜୀ ଭାଷାରେ କ’ଣ ଦିହଙ୍କ ଭିତରେ ଦୁଃଖ ସୁଖ ହେଲେ କେହି ବୁଝିଲେନି ।

 

ଖାଇସାରି ପୋଲିସବାବୁ କ’ଣ ରିପୋର୍ଟ ଲେଖିଲେ ବସି ଘଣ୍ଡିଏ ଖଣ୍ଡେ । ତା’ପରେ ଗାଁର ପଞ୍ଚେଇତି, ମୁଖିଆଙ୍କର ସଭା ହବାର କଥା । ସେଦିନ ଆଉ କେହି ବାଦ୍‌ ପଡ଼ି ନାହାଁନ୍ତି କି ଡେରି ହୋଇନାହିଁ କାହାର । କେବଳ ମୁଖିଆଙ୍କୁ ଭିତରୁ ଯାହା ନିଧି ଗାଁ ବାହାରକୁ ଯାଇଥିଲା । ଦଣ୍ଡକ ଭିତରେ ଲୋକ ଭରତି ହେଇଗଲେ । ସମସ୍ତଙ୍କ ଭିତରେ କେତେ ଫୁସୁରୁ ଫାସରୁ । କେତେକେ ବା ଆହା ଚୁଚୁ କରୁଥାନ୍ତି । ଏତେବଡ଼ ଭେଣ୍ଡା ପୁଅଟା ନିଧିର କି ନାଁ ନ ପକେଇଲା.... ! କି ଆଶ୍ଚର୍ଯ୍ୟ କଥାଟାଏ ନ କଲା... ! ବାପଟା ଦେଖିନାଇଁ । ଆସି ଶୁଣିବ ଯେ ପୋଲିସ ଆସି ହାତକଡ଼ା ପକେଇ ନେଇଯାଇଚି ।

 

ବୁଢ଼ା ବୁଢ଼ା ବଅସର ଯେତେକ, ସେମାନେ ଯେ ଏଇ କଥା କହି ଆଖି କ’ଣରୁ ଲେଞ୍ଜରା ନ ପୋଛିଚନ୍ତି ଏ କଥା ନୁହେଁ । ସମସ୍ତେ ଆସି ପହଞ୍ଚିଲା ପରେ ସମସ୍ତଙ୍କ ଆଖି ଖାଲି ଜଣକୁ ଖୋଜି ବୁଲୁଥାଏ....ବାଜିଆ ଆସିବ କି ନାଇଁ !!! କେତେକ କୁହାକୁହି ହେଉଥାନ୍ତି ଟୋକାଟା କୁଆଡ଼େ ପଳେଇଗଲା କି ନାଁ କ’ଣ ! ତାକୁ ସିନା ବାନ୍ଧିପକେଇ ରଖିଥାନ୍ତେ । କିଏ କିଏ ବି କହୁଥାନ୍ତି–ସେ ପରା ସେଇପଟେ ଯାଉଥେଲା ମୁଁ ଦେଖି ଆସିଚି, ସେ କୁଆଡ଼େ ପଳେଇଗଲା କି କ’ଣ....ଏମିତି ନାନା କଳ୍ପନା ଜଳ୍ପନା ଚାଲିଥାଏ । ହେଲେ, ସମସ୍ତ ଭାବନାକୁ ମିଛ କରିଦେଇ ବାଜିଆ ଆସିଲା ଏକା ଏକା–ସେମିତି ଚଉଡ଼ା ଛାତିଟା ଆଗକୁ ଠେଲି ଠେଲି ସେ ଆସୁଥାଏ । ହେଲେ, ମୁହଁଟା କଳାକାଠ ପଡ଼ିଯାଇଥାଏ । ସେମିତି କିଛି ଖାଇ ନାଇଁ ସେ ।

 

ସେତେବେଳକୁ ସମସ୍ତେ ଆସି ରୁଣ୍ଡ ହେଇଗଲେଣି । ହାକିମମାନଙ୍କ ପାଇଁ ଚେଆର ଟେବୁଲ ପକାଯାଇଥାଏ । ସେଇ ପାଖକୁ ଗୋଟାଏ କ’ଣକୁ ମହିଳା ସମିତିର ସବୁ ସଭ୍ୟତକ ରୁଣ୍ଡ ହେଇଥାନ୍ତି । ତାଙ୍କ ଭିତରେ ଟେବୁଲ ପାଖ କରିକୁ ବସିଥାଏ ଝୁନିୟାଁ । ସଭ୍ୟମାନଙ୍କ ଭିତରେ ସେ ମୁଖ୍ୟ ! କାଳେ ତାକୁ କହିବାକୁ ପଡ଼ିପାରେ ତେଣୁ ଝୁଅଗଳାଟା ଶୁଭିନପାରେ ହାକିମଙ୍କୁ, ସେଥିପାଇଁ ପାଖରେ ବସିବା ଦରକାର । ହେଲେ, ଆଖିରେ ତା’ର ଆଖିଏ ଲୁହ ଟଳମଳ କରୁଥାଏ-। କାନ୍ଦି କାନ୍ଦି ଫୁଲିଗଲାଣି ଆଖିଦି’ଟା ତାରି ଆଖି ସାମନାରେ ଆଉ ଘଡ଼ିକ ପରେ ସେ ପୋଲିସ ବାବୁମାନେ, ସରକାରୀ ହାକିମମାନେ ବାନ୍ଧିନେଇ ଚାଲିଯିବେ ତା’ ବାଜିଆଇକୁ ଆଉ ସେ...-! କାଇଁକି ? ତାହା ପାଇଁ ତ ବାଜିଆଇର ଏ ଦଶା... ? ସେ ଯଦି ଏମିତି ଦି’ପଦ ନ କହିଥାନ୍ତା ତା’ହେଲେ.. ? ତା’ହେଲେ ବାଜିଆଇ କ’ଣ ଏ କାମ କରିଥାନ୍ତା ?

 

ମନ ଭିତରେ ହାଣି ହେଇଯାଉଥାଏ ଝୁନିୟାଁ । ଏତିକିବେଳେ ହଠାତ୍‌ ତା’ର ଆଖିରେ ପଡ଼ିଲା ବାଜିଆ ଆସୁଚି । ତା’ ମୁହଁକୁ ଦେଖି ଝୁନିୟାଁ । ଆଉ ସମ୍ଭାଳି ହେଇପାରିଲାନି । ଇସ୍‌ ! କ’ଣ ହେଇଚି ବାଜିଆଇର ମୁହଁ । ଦାଗୀଟାଏ ଭଳି ତଳକୁମୁହଁ ପୋତି ଆସୁଚି ସିଏ । ଆଉ କୋହ ଚାପିପାରିଲାନି । ଆଣ୍ଠୁ ସନ୍ଧିରେ ମୁହଁ ଗୁଞ୍ଜି କଇଁ କଇଁ ହୋଇ କାନ୍ଦିଉଠିଲା ।

 

ଝୁନିୟାଁର ଏ ଅବସ୍ଥା ଦେଖି ସବୁ ସାଙ୍ଗମାନେ ତାକୁ ତୁନି କରିବାକୁ ଚେଷ୍ଟା କଲେ । ହେଲେ,ତା’ର କୋହ ବଢ଼ିବାର ଦେଖି ସମସ୍ତେ ବ୍ୟସ୍ତ ହେଇ ପଡ଼ିଲେ । ହୁଏ ତ ଆଉ ଟିକକରେ ଲୋକଙ୍କ ଆଖିରେ ପଡ଼ିବ କଥାଟା । ଏତିକି– ବେଳେ ବୀରେନବାବୁ କହିଉଠିଲେ–

 

‘ସୁଲୋଚନା ! ତାଙ୍କ ଆଖିରେ କ’ଣ ପଡ଼ିଲା କି ?’

 

ସୁଲୋଚନା ଆଗ ଭଳି ହଁ ମାରିଲା । ପୁଣି ସେ କହିଲେ–’ଆଚ୍ଛା,ତାକୁ ସେଇ ଘର ଭିତରକୁ ନେଇଯାଇ ଦେଖି ବାହାର କରିଦିଅ ତା’ ଆଖିରୁ; ନ ହେଲେ ପାଣି ଅଛି ସେ ବାଲଟିରେ, ଛାଟିଦବ ଯେ ବାହାରିଯିବ ।’

 

ସୁଲୋଚନ ଏକରକମ ଟାଣି ନେଇଗଲା ଏଇ ସୁଯୋଗରେ ଝୁନିୟାଁକୁ । ବୀରେନ୍‌ବାବୁ କହିଲେ–

 

‘ଏଥର କାମ ଆରମ୍ଭ କରିବା । ଭଦ୍ରମଣ୍ଡଳି, ଆପଣମାନଙ୍କ ଗ୍ରାମରେ ଏଭଳି ଯୋଉ ଦୁର୍ଘଟଣାଟାଏ ହେଇଗଲା ସେ ବିଷୟରେ ତଦନ୍ତ କରିବା ପାଇଁ ପୋଲିସ ବିଭାଗର ଏ ଉଚ୍ଚପଦସ୍ଥ ଅଫିସର ମହାଶୟ ଆସିଚନ୍ତି । ଦୀର୍ଘ ସମୟ ଧରି ସେ ତାଙ୍କର ତଦନ୍ତ କାମ ଶେଷ କରିଚନ୍ତି । ଯାହା ରିପୋର୍ଟ ତାଙ୍କର ସେ ଦାଖଲ କରିବେ ଏବଂ ସେଇ ଅନୁଯାୟୀ ଯାହା କାର୍ଯ୍ୟବିଧି ହବ, ତାହା କରାହବ । ତେବେ ଆପଣମାନେ ଏତେ ପରିମାଣରେ ଉଦ୍‌ବିଗ୍ନ ହୋଇ ଉଠିଥିବେ ସେ ବିଷୟରେ କିଛି ଜାଣିବାକୁ ବୋଲି ମୁଁ ତାଙ୍କୁ ଆପଣମାନଙ୍କ ତରଫରୁ ଅନୁରୋଧ କରିଥିଲି ଏ ବିଷୟରେ ଆପଣଙ୍କୁ ସାମାନ୍ୟ ସୂଚନା ଦେଇଯିବାକୁ । ସେ ସେହି ବିଷୟରେ କିଛି କହିଯିବେ । ଅବଶ୍ୟ କହିବାଟା ତାଙ୍କର କର୍ତ୍ତବ୍ୟ ଦୃଷ୍ଟିକୋଣରୁ ନୁହେଁ, ତଥାପି ଏହା ଉପରେ କିଛି ଗୋଟାଏ କରିବାକୁ ଯିବା ପୂର୍ବରୁ ଆପଣମାନଙ୍କ ସନ୍ଦେହମୋଚନ ଅବଶ୍ୟ ପ୍ରୟୋଜନ । ମୁଁ ତାଙ୍କୁ ଅନୁରୋଧ କରୁଚି–ସେ ତାଙ୍କର ଅନୁସନ୍ଧାନ ସମ୍ପର୍କରେ ଆପଣମାନଙ୍କୁ ସାମାନ୍ୟ ଧାରଣା ଦେବା ସଙ୍ଗେ ସଙ୍ଗେ ତାଙ୍କର ଯଥାଯଥ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।’

 

ଏତିକି କହି ବୀରେନ୍‌ବାବୁ ବସି ପଡ଼ିଲେ ଏବଂ ପୋଲିସ ସାହେବ ଠିଆ ହେଇ କହିଲେ–

 

ସୁଧୀବୃନ୍ଦ ! ମୁଁ ମୋର ତଦନ୍ତ ଶେଷ କରିଚି ! ଆଉ ସେଥିରେ ଆପଣମାନଙ୍କର ବିଶେଷ ଚିନ୍ତିତ ହବାର କିଛି ନାହିଁ । କାରଣ ଏଥିପାଇଁ କୌଣସି ବ୍ୟକ୍ତି ଦାୟୀ ନୁହଁନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ଏକ ଆକସ୍ମିକ ଦୁର୍ଘଟଣା । ଜଣ ଜଣ କରି ମୁଁ ଜମାନବନ୍ଦୀ ନେଇ ସାରିଚି ଏବଂ କଥାରୁ ଜଣାପଡ଼ିଲା, ମହିଳା ସମିତିର ସଭ୍ୟାବୃନ୍ଦ ବୀରେନ୍‌ବାବୁଙ୍କର ଆଜି ଆସିବାର କଥା ଜାଣିପାରି ଖରାବେଳେ ତାଙ୍କର ସମସ୍ତ ଆୟୋଜନ କରୁଥିଲେ ଏବଂ ସେଠି ପଣସମଞ୍ଜି ଖାଇବା ପାଇଁ ନିଆଁ ଜାଳିଥେଲେ । ଏ କଥା ପ୍ରତ୍ୟେକେ ସ୍ୱୀକାର କରିଛନ୍ତି ଏବଂ ସେ ନିଆଁକୁ କେହି ନ ଲିଭେଇ ବରଂ ବେଶି ଜାଳିଦେଇ ଯାଇଥେଲେ । କାରଣ ସକାଳୁ ଆସି ଆଉ କଷ୍ଟ ନକରି ବୀରନନ୍‌ବାବୁଙ୍କ ପାଇଁ ଖାଇବାର ଆୟୋଜନ କରିଥାନ୍ତେ । କିନ୍ତୁ ତାହା ଆସ୍ତେ ଆସ୍ତେ କୁହୁଳି ପାଖରେ ଥିବା ଖୁଣ୍ଟକୁ ଧରି ମଥାନକୁ ଉଠିଗଲା । ସେଇ ଖଣ୍ଡଟା ସମ୍ପୂର୍ଣ୍ଣ ଜଳିଯାଇଚି ।

 

ସମସ୍ତେ ମିଶିକରି ଜାଳି ଆଉ ବେଖିଆଲରେ ଛାଡ଼ିଦେଇ ଯାଇଚନ୍ତି ତାକୁ କିଛି ଘୋରାଘୋରି ନ କରି । ତେଣୁ କେହି ଜଣେ ଏଥିପାଇଁ ଦାୟୀ ନୁହଁ । ତା’ ଛଡ଼ା ବାଜିଆ ନାମକ ବ୍ୟକ୍ତି ଯେ କି ଅଗ୍ନିକାଣ୍ଡ କରିଚି ବୋଲି ଜଣା ପଡ଼ିଥେଲା, ସେଇଟା ଅମୂଳକ । ସେ ତା’ ପୂର୍ବଦିନ ରାତିରେ ନିଆଁ ହୁଳା କରିବାର ଦେଖାଯାଇଚି । ସେଇଟା ମଧ୍ୟ ସତ କଥା । କିନ୍ତୁ ସେ ନିଆଁ ହୁଳା ନେଇ ସେ ମହିଳା ସମିତି ଘରଆଡ଼େ ନ ଆସି ବରଂ ତା’ ଘର ସେ ପଟେ ଜମି ଦେଖିବାକୁ ରାତି ଅଧରେ ଯାଇଥେଲା ଏବଂ ଏଇ ମହିଳା ସମିତିର ଜନୈକା ସଭ୍ୟା ରାତି ଅଧରେ ନିଦରୁ ବାହାରକୁ ଉଠିଥିବାବେଲେ ବାଡ଼ିପଟେ ବାଟେ ତାଙ୍କ ଜମି ଆଡ଼କୁ ସେ ବାଜିଆକୁ ଯାଉଥିବାର ଦେଖିଛନ୍ତି ଏବଂ ରାତି ଅଧରେ ସେ କାହିଁକି ଉଠିଥିଲେ ବୋଲି ପଚାରିବାରେ ମଧ୍ୟ ଜଣାଗଲା ଯେ ରାତି ଅଧରେ ସବୁଦିନ ପରି ସେ ପରିଶ୍ରା କରିବାକୁ ଉଠିଥିଲେ ଏବଂ କେବଳ ସେ ନୁହେଁ, ବାଡ଼ିପଟକୁ ଗଲାବେଳେ କାଳେ ତାଙ୍କୁ ଭୟ ଲାଗିବ ବୋଲି ଅଗଣାରେ ତାଙ୍କ ସ୍ୱାମୀ ମଧ୍ୟ ଜଗି ଠିଆ ହୋଇଥିଲେ ବୋଲି ପ୍ରକାଶ । ତେଣୁ ଏସବୁ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ମୁଁ ରିପୋର୍ଟ ଯାହାଦେବି ଏବଂ ସେଥିର ଫଳାଫଳ ଯାହା ହବ ସେ ତ ଅଲଗା କଥା । କିନ୍ତୁ ଆପଣମାନଙ୍କ ମନରୁ ସନ୍ଦେହ ଦୂର କରିବା ପାଇଁ ମୁଁ ଏତିକି ଜଣାଇଦେଲି କି ଏହା ପୂରାପୂରି ଏକ ଆକସ୍ମିକ ଦୁର୍ଘଟଣା । ଏବଂ ଏହା ପଛରେ କୌଣସି ଅସତ୍‌ ଉଦ୍ଦେଶ୍ୟ ନ ଥିବାର ଜଣାଯାଇଚି ।

 

ଏତିକି କହି ସେ ବସି ପଡ଼ିଲେ । ମହିଳା ସମିତିର ଘର କାନ୍ଥ ଆଢ଼ୁଆଳରେ କାନ ପାରି ଶୁଣୁଥିଲେ ସୁଲୀ ଆଉ ଝୁନିୟାଁ । ଭଲ କଥା ସବୁ ଶୁଣି କାଠ ପାଲଟି ଯାଇଥାଏ ସେତେବେଳକୁ ଝୁନିୟାଁ । ସତେ ଭେଳିକି ଲାଗିଲା ଭଳି ହେଇଯାଇଚି କଥାଟା । ପୋଲିସବାବୁଙ୍କର କଥା ଶେଷରେ ଯେମିତି ଜଣାଗଲା ଯେ ବାଜିଆ ନିର୍ଦ୍ଦୋଷ, ସୁଲୀ କୁଦାଟାଏ ମାରି ନାଉ ହେଇ ପଡ଼ିଲା ଝୁନିୟାଁ ବେକରେ ।

 

‘ଆଉ ଟିକେ କାନ୍ଦିବୁ କି ଲୋ ଝୁନି ଅପା ଓ ଦେଖିଲୁ ତ ! ଏଥର ଦେ... ଦିନଟାଏ ଏଇଠି ତମଘରୁ ସବୁ ଆଣି ରାନ୍ଧିକରି ଖୁଆ । ନୀଳକଣ୍ଠଙ୍କ ପାଖରେ ଚୁଡ଼ାଘଷାଟାଏ କାଲି କରିବା ପରା.... !

 

ଲୋକମାନଙ୍କ ଭିତରେ ସେତେବେଳଯାକେ କାହାରି ପାଟିରୁ କଥା ବାହାରୁ ନାଇଁ । ଏତେ ସହଜରେ ଜଣକୁ ଯାହାକୁ ସେମାନେ ଦୋଷୀ ବୋଲି ତାଙ୍କର ସୂକ୍ଷ୍ମ ବୁଦ୍ଧିରେ ଧରା ପକେଇଥିଲେ ଆଉ ଏତେ ଘୃଣା କରି ବସିଥେଲେ, ସେଇ ପୂରାପୂରି ନିର୍ଦ୍ଦୋଷ ! ! ! କଥାଟା ଯାଇ ତେବେ ଏଠି ଅଛି ? ଯୋଉମାନେ ଆଜି ସକାଳୁ ବାଜିଆକୁ ଦେଖି ଘୃଣାରେ ବାଟ ଭାଙ୍ଗି ଚାଲି ଆସିଚନ୍ତି, ସେମାନେ ଟିକେ କଣେଇ କରି ବାଜିଆ ଆଡ଼କୁ ଚାହିଁବାକୁ ଚେଷ୍ଟା କଲେ ।

 

ବାଜିଆ ଖାଲି ସେତେବେଳକୁ ମୁହଁଟାକୁ ପୋଛୁଥାଏ ନିଜ ଗାମୁଛା କାନିଟାରେ । ଏ କ’ଣ ? ସେ ସ୍ୱପ୍ନଦେଖୁନି ତ ! ! ଏଗୁଡ଼ା ସବୁ କ’ଣ ଶୁଣୁଚି ସିଏ ? ସକାଳୁ ବସି ଦି’ହାତ ନାଡ଼ି ଦି’ଟାକୁ ଏକାଠି ଯୋଡ଼ି ଛକିପକେଇ, ସିଧା କରି କେତେ ବାଗରେ ସେ ଗୋଲ ଗୋଲ ଲୁହା କଡ଼ି ଦି’ଟାକୁ ମନେ ମନେ ପରିକଳ୍ପନା କରିଚି । ନିଜର ମୋଟା ଟାଣୁଆ ବାହା ଦି’ଟାକୁ ଅନେଇ ମନେ ମନେ ଅନୁମାନ କରିଚି–କେତେ କ’ଣ ବାଡ଼େଇ ପାରିବ... । ତା’ର ସେତିକିବେଳେ ମନେ ହଉଥିଲା ଆର ଗାଁ ତେଲିସାହିକି ଦଉଡ଼ିଯାଇ ପଚାରି ଆସିବ କି–ଘଣା ପେଲିବାଟା କଷ୍ଟ ନାଁ ହଳ ଧରିବାଟା କଷ୍ଟ ? ପୁଣି ଥରେ ଭଲକରି ଆଖି ଦଳି ସମସ୍ତଙ୍କ ଆଡ଼କୁ ଥରେ ଅନେଇଲା–

 

ନାଇଁ ତ ସବୁଗୁଡ଼ାକ ତା’ର ଚିହ୍ନା ଲୋକ । ସେ ଭୂଇଁ ଉପରେ ବସିଚି । ତା’ଆଗରେ ଏତେ ଗହଳି । ସେ ପାଖକୁ ଅଧାଜଳା ମହିଳା ସମିତିର ଘରଟା । ଏଗୁଡ଼ାକ ଶୋଇକରି କେବେ ଜଣେ ଏକାଥରକେ ଦେଖି ପାରିବନି । ତା’ ମୁଣ୍ଡଟା ଝାଇଁ ଝାଇଁ କଲା । ନିଜ ହାତରେ ଭରା ଦେଇ ସେ ତାରି ବସିବାଟାକୁ ସମ୍ଭାଳି ନେଲା ଆଗ, ସେତେବେଳକୁ ସଭା ଭିତରେ ଅଳ୍ପ ଗୁଣୁଗୁଣୁ ଆରମ୍ଭ ହେଇଗଲାଣି । ସିଆଡ଼କୁ ଭରସି କରି ସେ ଚାହିଁପାରୁନି । ନିଜ ଆଡ଼କ ଚାହିଁଲା–

 

ଆରେ... କେତେ ଦୂରେଇ ହେଇ ବସିଚି ମ ସିଏ ସମସ୍ତଙ୍କ କତିରୁ ? ସତେ କି ଗୋଟାଏ ଅଛୁଆଁ ଟାଏ !

 

ତା’ପରେ ମୁଖିଆ ତରଫରୁ ନନ୍ଦେ ଉଠିଲେ । ତାଙ୍କର ଦି’ପଦ କହିବାର କଥା ବୋଲି ବୀରେନ୍‌ବାବୁ ତାଙ୍କ କାନରେ କହିଲେ । ସମସ୍ତଙ୍କୁ ଯଥାବିଧି ସମ୍ବୋଧନ କରି ନନ୍ଦେ ବକ୍ତବ୍ୟ ଆରମ୍ଭ କଲେ ଏବଂ ତା’ର ସାରାଂଶ ହେଲା–

 

‘ଆମେ ସମସ୍ତେ ଗୋଟାଏ ମହାସନ୍ଦେହରେ ପଡ଼ିଥିଲୁ । ଆପଣମାନଙ୍କ ସହଯୋଗରେ ଆମେ ପ୍ରକୃତ କଥାଟା ଜାଣିପାରିଲୁ । ଆପଣମାନେ ଜାଣନ୍ତି ନାଇଁ ଆଜ୍ଞା... ସେ ଯୋଉ ବାଜିଆ ନାଁରେ କଥାଟା ଉଠିଥିଲା ସେ କିଏ । ସେ ଏ ଗାଁର ସବୁଠଉଁ ଗୁଣିଲୋକ–ମୁରବୀ କହିଲେ ଚଳିବ, ସେଇ ନିଧି ପଟ୍ଟନାୟକର ପୁଅ । ତା’ ବାପ ପୁଣି ଦୈବଯୋଗକୁ ଆଜି ନାହିଁ । ଏ ପିଲଟା ଠିକ୍‌ ତା’ର ବାପ ନାଖି । ବେଅକଲୀ କଥା ପଦେ କହିବ ନାଇଁକି ବେଆଡ଼ା କାମଟାଏ ସହିବ ନାଇଁ । ଏ କଥା ଯେତେବେଳେ ରାଷ୍ଟ୍ର ହେଇଗଲା ସେତେବେଳେ ଅନ୍ୟ କଥା ମୁଁ କହିପାରିବି ନାହିଁ; କିନ୍ତୁ ଧର୍ମସଭା ନାଗିଚି; ମୁଁ ବିଶ୍ଵାସ କଲିନାଇଁ; ଆପଣମାନେ ହୁଏ ତ କେଜାଣି ବଶ୍ୱାସ କରିଥିବେ ।

 

ନନ୍ଦଙ୍କର ଏଇ କଥାଟା ଉପରେ ସଭା ଭିତରେ ଟିକିଏ ଗୁଞ୍ଜରଣ ଖେଳିଗଲା । କିଏ କିଏ ବା ମନକୁ ମନ କହି ଉଠିଲେ–

 

ଆଉ କିଏ ବିଶ୍ଵାସ କରୁଥିଲା ମ ? ବାଜେ କଥା... ବିଶ୍ୱାସ କରିବାର ନୁହେଁ ।

 

ଏମିତି କେତେ କଥା । ତା’ପରେ କିଏ କିଏ ବା ବାଜିଆକୁ ଲୁଚେଇବା ପାଇଁ ଆଉ ଟିକେ ଚଢ଼ା ସ୍ଵରରେ ନିଜ ନିଜ ଭିତରେ ପଚରା ପଚରି ଆରମ୍ଭ କଲେ ।

 

ହଇ ହୋ, କହିବଟି ତମେ ବିଶ୍ଵାସ କରିଥେଲ ? ...ତମେ ବିଶ୍ଵାସ କରିଥେଲ ? ଏଇଟା କ’ଣ ବିଶ୍ଵାସ କରିବାର କଥା ? ...ଦେଖିଲେ ପରା ବିଶ୍ଵାସ କରିବ ନାଇଁ ହୋ ଜଣେ । ହେଲେ, ବାଜିଆ କାନରେ ସେ ଗୋଟାଏ କଥା ଗୁରେଇ ହେଲା–

 

ତା’ ବାପ ନିଧି ପଟ୍ଟନାୟକ ଗାଁର ମୁଖିଆ । ସେ କେବେ ବେଅକଲୀ ନୁହେଁ–ବେଆଡା ସହିବ ନାଇଁ । ଇଏ ତା’ ବାପର ଠିକ୍‌ପୁଅ... ।

 

ମୁଣ୍ଡ ତା’ର କୋଡ଼ି ହେଇଗଲା ତଳକୁ । ମୁଁ ଦୋଷୀ, ଦଣ୍ଡପାଇବି । ମୁଁ ନିଧି ପଟ୍ଟନାୟକର ପୁଅ ନୁହଁ–ଗୋଟାଏ ହାଡ଼ିର ପୁଅ, ମୋର ଜାତିପତିରେ ଠିକ୍‌ନାହିଁ । ମୋର ବାପ ମା’ରେ ଠିକ୍‌ନାହିଁ... । ମୁଁ ଗୋଟାଏ...ମୁଁ ଗୋଟାଏ ।

 

ମନ ଭିତରେ କୋହ ଉଠିଲା ତା’ର । ସେଇ କୋହ ନେଇ ସେ ମୁହଁ ଟେକିଲାବେଳକୁ ତା’ ଆଖିରେ ପଡ଼ିଲା ପୋଡ଼ା ମହିଳା ସମିତିର ଦୁଆରମୁହଁରୁ ଦି’ଟା କରୁଣ ଆଖି ତା’ ଆଡ଼କୁ ଚାହିଁଚି । ବାଜିଆ ମୁଣ୍ଡରେ ଦହି ଚହଲିଗଲା । ତାକୁ ଦେଖାଗଲ ସେ କରୁଣ ଆଖିରେ ଚାହିଁ ନି, ବରଂ ତାକୁ ଘୃଣା ଆଖିରେ ଚାହିଁଚି । ସେଥିରେ ସମବେଦନା ନାହିଁ; ବରଂ ପୂରି ଉଠିଚି ଅବହେଲା, କରୁଣା ଆଉ ଘୃଣା । ସତେ ଯେମିତି ସେ ଦୟା ଦେଖେଇବାକୁ ଚାହିଁଚି ବାଜିଆ ପ୍ରତି.... ।

 

ଆଉ ପଦେ ଦି’ପଦରେ ସଭା ଭାଙ୍ଗିଲା । ବୀରେନ୍‌ବାବୁ ସଭା ଶେଷରେ ପ୍ରତଶ୍ରୁତି ଦେଲେ ଏ ଘରଟାର ସାନି ତିଆର ପାଇଁ ଆଉ ଖପର ଛାତ ପାଇଁ ସରକାରଙ୍କଠାରୁ ଅର୍ଥର ବ୍ୟବସ୍ଥା କରିବେ । କାରଣ ଏ ମହିଳା ସମିତିକୁ ପାଖଆଖ ଦଶଟା ମହିଳା ସମିତି ଭିତରେ ସବୁଠାରୁ ଶ୍ରେଷ୍ଠ ବୋଲି ବିଚାର କରାଯାଇଚି ।

 

ଆସ୍ତେ ଆସ୍ତେ ଲୋକମାନେ ସେଇ ବାଟ ଦେଇ ଗଲାବେଳେ ଟିକିଏ ବାଜିଅକୁ ଶୁଣେଇ ଦେଇଯାଉଥାନ୍ତି ।

 

‘ଆରେ, ମୁଁ ପରା କହୁଥେଲି ଗୋଟାଏ ହୋ ଉଠେଇଚନ୍ତି ନାଁ । ବାଜିଆକୁ ଆମେ ଜାଣିନଉଁ ? ସେ ପୁଣି ଏ ଭଳି କାମଟାଏ କରିବ ?’

 

ହେଲେ, ବାଜିଆ ନିର୍ବିକାର ଭଳି ବସିଥାଏ ସେଇଠି । ସମସ୍ତେ ତା’ ପାଖଦେଇ ଚାଲିଗଲେ ଯେଝାର ଯିଏ । ଖାଲି ରହିଗଲା ବାଜିଆ, ସେ ଉଠି ପାରୁନାଇଁ । ତା’ ମୁଣ୍ଡଟା ଚକ୍କର ମାରୁଚି ।

 

ସଭା ମଣ୍ଡପରୁ ଉଠିଗଲେ ପୋଲିସ ହାକିମ ଆଉ ବୀରେନବାବୁ । ବୀରେନବାବୁ କ’ଣ ପାଇଁ ଆଉ ଥରେ କରମର୍ଦ୍ଦନ କଲେ ପୋଲିସ ପାଖରେ । ତା’ପରେ ବୀରେନବାବୁ ଆଗେଇଗଲେ ଝୁନିୟାଁ ଆଡ଼କୁ, ପଛେ ପଛେ ତାଙ୍କର ସବୁତକ ସେ ମହିଳା ସମିତିର ମାଇପି କଞ୍ଝାକ । ବୀରେନ୍‌ବାବୁ ଝୁନିୟାକୁ ମନ ଖୁସିରେ କହିଉଠିଲେ–

 

‘କ’ଣ କିହୋ– ! ପୋକ ବାହାରି ନାଇଁକି ଆଖିରୁ ? ଆଉ ଆମ ଭୋଜିଟା... ?’

 

ଏକଦମ୍‌ ଲାଜେଇଗଲା ଝୁନିୟାଁ, ସୁଲୀ କାନ୍ଧରେ ମୁହଁ ଜାକିଦେଲା ।ବୀରେନ୍‌ବାବୁ ପୁଣି କହିଲେ–

 

‘କ’ଣ ଭୋଜିଟା ୟାରି ଭିତରେ ଦବ ନାଁ ଏକା ଥରକେ ବାଜାଫାଳା ବାଜିବାବେଳେ ଦବ ?’

 

ସବୁ ଝିଅ ବୋହୂତକ ଏକାଥରକେ ଚୁମୁଟି ବିଦାରି ପକେଟଇଲେ ଝୁନିୟାଁକୁ । ପୁଲିସ୍‌ ହାକିମ ଆସି ପଚାରିଲେ ସେଇ କଥାଟାକୁ ଧରି ।

 

‘କ’ଣ ହେଲା ବୀରେନ୍‌ କୋଉ କଥା ?’

 

‘ନାଇଁ ଏଇ ଭୋଜିଟାଏ ପାଇବାର ଥେଲା ୟାଠଉଁ ମୋର ଯେ....’

 

‘ଆଉ ମୁଁ... ?’

 

‘ହଁ, ତୋର ବି ତ ଭାଗ ଅଛି ସେଥିରେ ।’

 

ସୁଲୀ ଆଗ ବଳି ପଡ଼ି କହିଲା–

 

‘ହଁ ତ, ଆମେ ସମସ୍ତେ ତା’ ପାଇଁ ମିଶିକରି ଦବୁ । ଆପଣ ଆଜି ରାତିକ ଆମ ଗାଁରେ ରହିଯାନ୍ତୁ । କାଲି ସକାଳେ ଯିବେ ।’

 

ବୀରେନବାବୁ ହସି ହସି କହିଲେ–

 

‘ନାଁ ନାଁ, ମୋର କାମ ଅଛି । ତା’ଛଡ଼ା ସିଏ ବି ଯିବ । ତା’ର ଆଜି ରିପୋର୍ଟ ଦବାର କଥା । ଏଇଟା ବାକି ଥାଉ । ମୁଁ ଆରଥର ଆସିଲାବେଳକୁ ତାକୁ ସାଙ୍ଗରେ ନେଇ ଆସିବି । ଗୋଟାଏ ଖିଆପିଆ ହବ ଏଠି । ବୁଝିଲୁ ନାଁ, ସକାଳୁ ଆସିଥାନ୍ତୁ । ଯଦି ଦେଖିଥାନ୍ତୁ ଏ ସମସ୍ତଙ୍କର ଯୋଉ କାନ୍ଦ...ବାବା ମୁଁ ତ ଡରି ଛାନିୟାଁ ।’

 

ତା’ପରେ ହଠାତ୍‌ ବୀରେନ୍‌ବାବୁଙ୍କର ଆଖି ପଡ଼ିଲା ଝୁନିୟାଁ ଉପରେ । ଦେଖିଲେ, ସେ ଚାହିଁଚି ଏକ ଲୟରେ ଜଣକ ଆଡ଼େ । ତା’ ଚାହାଁଣୀ ସାଙ୍ଗରେ ଦୃଷ୍ଟି ମିଳେଇ ଦେଖିଲେ ବୀରେନ୍‌ବାବୁ ।

 

ସମସ୍ତେ ଚାଲିଗଲେଣି । ହେଲେ, କାଠଗଣ୍ଡିଟାଏ ଭଳି ସେଇଠି ବସିଚି ବାଜିଆ । ଯେମିତି ତା’ର ଉଠିବାର ଜୁ ନାହିଁ ସେଠୁ । ବୀରେନ୍‌ବାବୁ କଥାଟା ବୁଝି ମୁରୁକି ହସିଦେଲେ ଟିକେ ଝୁନିୟାଁକୁ ଚାହିଁ । ଝୁନିୟାଁ ବି ଲାଜେଇଗଲା ।

 

କେତେବେଳକେ ଅନ୍ଧାର ଜକେଇ ଆସିଲାରୁ ବାଜିଆ ଏକମୁହାଁ ହେଇ ତା’ର ଘରକୁ ଗଲା । ଆଉ ବାଟରେ କୁଆଡ଼କୁ ଚାହିଁ ନାହିଁ କି କିଛି ଆଉ ଭାବି ନାଇଁ ସେ । ଘରେ ଯାଇ ସେମିତି ଅନ୍ଧାରଟାରେ ତଳେ ଝୋଲା ମାରିଲା ପରି ଗଡ଼ିପଡ଼ିଲା, ନିଦ ହେଇଗଲା ତାକୁ ! ସତେ କି ଆଉ ହୋସ୍‌ ନାହିଁ ।

 

ବାସ୍‌, ସେଇଦିନଠାରୁ ସେ ଆଉ ଗାଁରେ ମୁଣ୍ଡଟେକି ବାଟ ଚାଲିନାହିଁ ଆଜିଯାକେ କହିଲେ ଚଳେ । ସେ ଠିକ୍‌ବୁଝିଲା ୟା ପଛରେ କିଏ । ଝୁନିୟାଁ ପ୍ରତି ତା’ର ଯେତିକି କୃତଜ୍ଞତା ବଢ଼ିଲା, ତା’ର ପୁରୁଷତ୍ଵ କ୍ରମେ ଛାଡ଼ି ଛାଡ଼ି ଆସିଲା, ସତେ କି ଏକ ସ୍ତ୍ରୀର ଅପାର କରୁଣାରେ ସେ ବୁଡ଼ିଯାଇ ନିଜ ପୁରୁଷତ୍ଵର ସତ୍ତା ହରେଇ ବସିଚି । ୟା’ ଭିତରେ ଯେ ଝୁନିୟାଁ ଥରେ ଅଧେ ଦେଖା ନହେଲାଣି, ହେଲେ କ’ଣ କହିବ କହିବ ହେଇ କେହି କାହାରିକୁ କିଛି କହି ପାରନ୍ତି ନାଇଁ...ଅବା ଅନେକ କଥା ବାକି ରହିଯାଇଚି । ସେଗୁଡ଼ା ଏକାଥରକେ ବାହାରିବା ଦରକାର । ହେଲେ, ସେ ସୁଯୋଗଟା ଆସୁନାଇଁ... । ଜମ୍ମା ଆଠ ଦିନ ତଳର କଥା ଇଏ । ବାଜିଆର ମନେ ହଉଚି–ଆଠ ବର୍ଷ ୟା ଭିତରେ ଚାଲିଗଲାଣି କି କ’ଣ ? କିନ୍ତୁ ଆଜି…. ? ଆଜି ପହିଲି ରଜଟା ନିଶ୍ଚୟ ଝୁନିୟାଁର ମନ ହଉଥିବ । ସେ କ’ଣ ଆଉ ରଜଗୁଡ଼ାକରେ ଦୋଳିରେ ଝୁଲିବା କଥାଗୁଡ଼ା ମନେପକେଇ ଥରଟାଏ ଇଆଡ଼େ ଆସିବ ନି ? ବାଜିଆ ସାଙ୍ଗରେ ପଦଟିଏ କଥା କହିବ ନି ?

 

ଆଉ ଖଣ୍ଡେ ପାନ ବି ଭାଙ୍ଗି ଆଣିବନି ?

 

ନ ଆଣିପାରେ. କାଇଁକି ଆଣିବ ? ବାଜିଆ ଯେତେହେଲେ ଚୋରଟାଏ, ଦାଗୀ ଆସାମୀଟାଏ ! ତା’ ସାଙ୍ଗରେ ଝୁନିୟାଁର କି ସମ୍ପର୍କ ?

 

...ସତେ ତା’ହେଲେ ଝୁନିୟାଁ ଭୁଲିଗଲା ଆଗର କଥାଗୁଡ଼ାକ ? ଆଉ ତା’ ଜୀବନରେ ବାଜିଆର ଦରକାର ପଡ଼ି ନି ଜମ୍ମା ??

 

ଆଙ୍ଗୁଠିଟା ଚୁଚୁମି ଶେତା’ ପଡ଼ିଗଲାଣି । ରକ୍ତ ବନ୍ଦହେଇ ଗଲାଣି କେତେବେଳୁ । ତଥାପି ବାଜିଆ ପାଟିରୁ ବାହାର କରୁନି; ସତେ ଯେମିତି ସେ ଆଙ୍ଗୁଠିରେ ଝୁନିୟାଁର ଅନେକ ସ୍ପର୍ଶ ରହିଯାଇଚି । ଯେତେ ଚୁଚୁମିଲେ ସେଗୁଡ଼ା ସେ ଆଙ୍ଗୁଠିରୁ ଯାଉନି ।

 

ଏତିକିବେଳେ ଦଳେ ଝିଅଙ୍କର କଥାବାର୍ତ୍ତା ବାଜିଆର କାନରେ ପଡ଼ିଲା । ଚମକି ଚାହିଁଲା ସେ–ଝୁନିୟାଁ ଆଉ ତା’ର ସମବୟସ୍କା ତିନି ଚାରି ଜଣ ସେଇ ବାଟଦେଇ ଚାଲିଯାଉଚନ୍ତି । ଝୁନିୟାଁର ବି ଆଖିପଡ଼ିଲା ବାଜିଆ ଉପରେ । ଆଖି ବୁଲେଇନେଲା ସେ । ଏଇଟା ଭାରି କାଟିଲା ବାଜିଆକୁ । ଯେତେହେଲେ ମରଦ ପିଲା ସେ । ତା’ର ତ ରକ୍ତର ପୁଣି ଗୋଟାଏ କରାମତି ଅଛି ! ଝୁନିୟାଁକୁ ସେ ଜୀବନ ଦେଇ ଭଲ ପାଇଚି । ତା’ ବାଟ ଚାହିଁ ବସିଚି । ହେଲେ, ସେ ବାଟରେ ଦେଖି କି ବାଟ ଭାଙ୍ଗି ଚାଲିଯିବ ଏ କଥା କେବେହେଲେ କ’ଣ ନୀରବରେ ସହିଯିବ ବାଜିଆ ?

 

ଉହୁଙ୍କି ଆସିଲା ଝୁନିୟାଁ ସାମନାକୁ ସେ ଏକା ଖେପାକେ । ତା’ ସାଙ୍ଗତକ ବାଜିଆକୁ ଦେଖି ସବୁ ଟିକେ ଆଡ଼େଇ ଗଲେ ।

 

‘ଝୁନିୟାଁ... ।

 

ଝୁନିୟାଁ ଅଟକିଗଲା ।

 

‘କୁଆଡ଼େ ଯାଉଚୁ ?’

 

‘ବୁଲିଯାଉଚି ?

 

‘ଆଜି ରଜ ନାଁ... ?’

 

‘ତୁ ସକାଳୁ କାଇଁକି ଆସିଲୁନି ଘର ଆଡ଼େ ?’

 

‘ଏମିତି ଯିବାର ତ କିଛି ଧରାବନ୍ଧା ହେଇନି ।’

 

‘ଓ....’

 

‘ପିଠା ଖାଇବାକୁ ସୁର ଡାକି ଯାଇଥେଲା ପରା....ଆସିଲ ନି ?’

 

‘ସୁର ଡାକିବାରେ ମୁଁ ଆସିଥାନ୍ତି ବୋଲି ଭାବିଥେଲୁ ?’

 

‘ସୁର ନୁହେଁ...ବୋଉ.... ।’

 

‘ଯାହା ବି ହଉ, ତୁ ପ୍ରତି ବର୍ଷ ଆସୁ ନାଁ ...ଛାଡ଼....ମୋ ପାନ ?’

 

‘ଘରେ ଭାଙ୍ଗି ରଖିଦେଇ ଆସିଚି ବୋଉ କତିରେ ।’

 

‘ହୁଁ...ଆଉ ଦୋଳି ଖେଳିବାକୁ ଇଚ୍ଛା ହଉ ନାଇଁ ।’

 

‘ନାଁ....’

 

ଚମକି ପଡ଼ିଲା ଏଇ କଥା ପଦଟା ଉପରେ ବାଜିଆ । ଦୋଳିଖେଳଟା ହିଁ ସେ ଦିହିଁଙ୍କ ମମତାରେ ଗୋଟାଏ ଯୋଚା ଦଉଡ଼ି । ସେଇଟାକୁ ଠଣ କରି ଏମିତି ଛିଣ୍ଡେଇ ଦେଇପାରିଲା ଝୁନିୟାଁ ।

 

‘କାଇଁକି ?’

 

‘ଇଚ୍ଛା ନାଇଁ...’

 

‘ମୋ ଦୋଳିରେ ସିନା ବସିବୁ ନାଇଁ । ହେଲେ, ଆଉ କାହା ଦୋଳିରେ ?’

 

‘ଭାବି ନି ତ ସେ କଥା’

 

‘ଘର ଆଡ଼େ ଆସିବୁ ନି....ଆଜି ?’

 

‘ଦରକାର ପଡ଼ିଲେ ଯିବି...’

 

ବଡ଼ ଅଖଞ୍ଜ ଲାଗିଲା ଏ କଥାଗୁଡ଼ାକ । କ’ଣ ଏମିତି କରି ପକେଇଚି ସେ ଯାହାର କି ଆଉ ସଂଶୋଧନ ହେଇପାରିବ ନି ! ବଡ଼ ବିକଳ ହେଇ ପଚାରିଲା–

 

‘ତୁ କ’ଣ ସାଙ୍ଗେ ସାଙ୍ଗେ ଚାଲିଯିବୁ ?’

 

‘ଆଉ କ’ଣ ଏଠି ଠିଆ ହେଇ ଗପିବି ?’

 

‘ଗପିଲେ ପାପ ?’

 

‘ପାପପୁଣ୍ୟ ଜାଣେ ନାହିଁ ସିନା, ହେଲେ, ସୁନ୍ଦର–ଅସୁନ୍ଦର ଜାଣିଚି । ଏଇଟା ଅସୁନ୍ଦର, ମୁଁ ଯାଉଚି ।’

 

‘ନାଁ...ତୁ ଯାଇପାରିବୁନି ।’

 

‘କାଇଁକି ?’

 

‘ମୋ ଇଚ୍ଛା, ତୁ ମୋ ସାଙ୍ଗରେ କଥା କହିକରି ଯିବୁ ।’

 

‘କ’ଣ ଏଇଟା ବି ସେମିତି ମରଦପଣିଆ ଭିତରୁ ଗୋଟାଏ ?’

 

ଝିମ୍‌କରି ମାରିଦେଲା ବିଜୁଳିଟାଏ ବାଜିଆ ମୁଣ୍ଡରେ । ଇସ୍‌ ! କ’ଣ ତାକୁ କହିଲା ଝୁନିୟାଁ ! ତା’ର ମରଦପଣିଆ ଉପରେ ଆକ୍ଷେପ ? ଅସହ୍ୟ... । ଝୁନିୟାଁ ତା’ହେଲେ ପ୍ରକୃତରେ ଦେଖିବାକୁ ଚାହେଁ ତା’ ମରଦପଣିଆ ? ତା’ର ସନ୍ଦେହ ହଉଚି ବାଜିଆ ବିଷୟରେ ? କ’ଣ ସେ ଭାବୁଚି ତା’ ପଛରେ ଗୋଡ଼ଉଚି ବୋଲି ?

 

ନାଁ...ଆଉ ନୁହେଁ । ପୋଡ଼ିଗଲା ତିଅଣରେ ସୁଆଦ ନ ଥାଏ । ଯାହା ଯାଇଚି ତାକୁ ଫେରେଇବା ଚେଷ୍ଟାକରି ଦହଗଞ୍ଜ ହବା ଅପେକ୍ଷା ଆଉ ଯାହା ଟିକେ ଅଛି, ସେତକ ସେମିତି ନ ଯାଏ ସେଥିପାଇଁ ନଜର ଦବା ଦରକାର । ସେ ଧରିନବ ପିଲାଦିନର କଣ୍ଢେଇଖେଳରେ କଣ୍ଢେଇ ଯୋଡ଼ା ଭିତରୁ ଗୋଟା ଗୋଟା ହେଇ କେତେ କଣ୍ଢେଇ ନ ଭାଙ୍ଗିଚି ସେମିତି ଇଏ ବି ଗୋଟାଏ କଣ୍ଢେଇ ଭାଙ୍ଗିଗଲା ତା’ ଜୀବନ–ଖେଳନା ବାକ୍ସରୁ । ଝୁନିୟାଁ ପାଇଁ ସେ ଝୁରିବ ସତ । ହେଲେ, ନିଜ ମରଦପଣିଆଟାକୁ ଜଳାଞ୍ଜଳି ଦେଇ ଝୁନିୟାଁ ପାଖରେ ଆଉ ହାତପାତି ପାରିବ ନାହିଁ ତା’ କରୁଣା ଟିକକ ସକାଶେ....

 

ହେଲେ, କ’ଣ କରିବ ସେ ? ଝୁନିୟାଁକୁ ଛାଡ଼ି ଗୋଟାଏ ମୂହୁର୍ତ୍ତ ତ ସେ ଚଳିପାରିବନି । ଜୀବନଟା ପାଇଁ କେମିତି ଛାଡ଼ିଦବ ? ଅସମ୍ଭବ ! ମନରେ ରାଗ । ସେଥିପାଇଁ ଝୁନିୟାଁକୁ ଭୁଲିଯିବାକୁ ମନ କହୁଚି...ହେଲେ, ରାଗ ଥମିଗଲେ ? ସେ ପ୍ରତିଶୋଧ ନବା ଟାଣଟା କୁଆଡ଼େ ଯିବ । ତେବେ.... ? ଆଉରେ କହିବ କି ନେହୁରା ହେଇ ଝୁନିୟାଁକୁ.... ?

 

ସବୁ କଥା କହିବ...ଝୁନିୟାଁ ମୋ କଥା ଶୁଣ । ମୁଁ ତୋର ସେଇ ବାଜିଆଇ, କିଛି ବଦଳି ନାଇଁ ତୋ ଠେଇଁ । ତୁ ଭୁଲ ବୁଝିଚୁ । ତା’ ଉପରଟାକୁ ତୁ ଭୟ କରୁଚୁ ଚୋର ଖଣ୍ଟ କି କ’ଣ ଟାଏ ବୋଲି । କିନ୍ତୁ ପ୍ରକୃତରେ ସେ ତା’ ନୁହେଁ । ଘଟଣାଚକ୍ରରେ ପଡ଼ି ମୁଣ୍ଡକୁ ପିତ୍ତ ଚଢ଼ି ଏମିତି କାଣ୍ଡଟାଏ କରି ପକେଇଲା । ଖାସ୍‌ ତୋରି ଉପରେ ଅଭିମାନ କରି । ନ ହେଲେ ଆଉ କିଛି ନ ଥେଲା କଥା ସେଥିରେ ।

 

କିନ୍ତୁ କାହିଁକି ? କାହିଁକି ସେ ଏଗୁଡ଼ା ଭାବୁଚି ? କ’ଣ ଦରକାର ଝୁନିୟାଁକୁ ବୁଝେଇବା ? ବୁଝିବାର ହେଇଥିଲେ ସେ କ’ଣ ବୁଝିପାରନ୍ତି ନାଇଁ ? ଆଉ କ’ଣ ଛୁଆଟିଏ ହେଇଚି ସେ ? ବାଜିଆଇକୁ ଚିହ୍ନିବାର ବାକି ଅଛି ତା’ର..... ? ନାଁ, ତା’ ମୁଣ୍ଡରେ ଯୋଉ ଭୂତ ଚଢ଼ିଚି ସେ ପ୍ରକୋପରେ ଆଉ କିଛି ଦେଖାଯିବା କି ବୁଝିହବା ସମ୍ଭବ ନୁହେଁ । ସେ ଭୂତ ବି ସହଜେ ଖସିବାର ନୁହେଁ । ହୁଏ ତ ଏ ଜନ୍ମରେ ଵି ନୁହେଁ । ତା’ହେଲେ ଅନ୍ତଃନାଡ଼ ଶୁଖେଇ ବାଜିଆ କଷ୍ଟ ପାଇବ କାହିଁକି ? ଛାରଛିକର ଝିଅଟାକୁ ସେ କ’ଣ ମନରୁ ପୋଛିପାରିବ ନାଇଁ ? କାଇଁ......କ’ଣ କି ଏମିତି ସେ ? ଭଗବାନ୍‌ ଚାହିଁଲେ....

 

ହଁ, ସେ ସେଇଆ କରିବ । ଆଜିଠୁ ଝୁନିୟାଁ ନେଖାରେ ବାଜିଆ ନାଇଁ । ଆଉ ବାଜିଆ ନେଖାରେ..... ???

 

ହଅ....କେତେବେଳେ କେମିତି ମନଟା ଟିକେ ଠୁକ୍‌କର ଖାଇବ । ହେଲେ, ତା’ଠଉଁ କଡ଼ା ତା’ଠଉଁ କଡ଼ା କଥା ତ ଦିହସୁହା ହେଇଯାଇଚି । ସମୟ ସୁଅରେ ଆଉ ଏଇ କଥାଟାକୁ ଚଳେଇ ନେଇପାରିବନି ବାଜିଆ ? ନିଶ୍ଚେ ପାରିବ ।

 

ବେଶ୍‌ ! ଆଉ ଯିବା ଦରକାର ନାଇଁ ଝୁନିୟାଁ ଘରଆଡ଼େ; କି ଝୁନିୟାଁ ନ ଆସିଲେ ବି ଚଳିବ । ହେଲେ, ପ୍ରତିଶୋଧଟା ତାରି ତ ନବ ? ନ ହେଲେ ଝୁନିୟାଁର ମନ ବଢ଼ିଯିବ ଯେ.... ! ତା’ହେଲେ ?

 

ବାଜିଆ ଆଖିରେ ଏକ ବିରାଟ ସମୁଦ୍ର ଦେଖାଗଲା । ଏଇ ପ୍ରଶ୍ନଟାରେ ସେ ସେଇ ସମୁଦ୍ରଟାକୁ କେମିତି ପାରିହବ ନାଆ ଖଣ୍ଡେ ନେଇ ସେଇ କଥା ତା’ ମନରେ ଖାଲି ହାବୁକା ଖାଇଲା । କେତେବେଳକେ ତା’ ମୁଣ୍ଡରେ କ’ଣ କିଛି । ବୋଧହୁଏ କିନାର ଗୋଟାଏ ପଶିଲା ।

 

ଉଠିଲା ସେ । ନାଃ ଏଥର ତାକୁ ତତ୍ପର ହବାକୁ ପଡ଼ିବ ଏ ଦିଗରେ । ପିଲାଳିଆ କାମ କରି ନିଜ ବେକ ହାଣକୁ ଦେଇପାରିନି କି ଜେଲ୍‌ ହାଜତ୍‌ ଭୋଗିପାରିବନି । ଏମିତିଆ ପାନେ ଦବ ଝୁନିୟାଁକୁ ଯେମିତି ସାରା ଜୀବନ ସେ ଘା’ ତା’ର ଆଉ ଶୁଖିବ ନାହିଁ । ତାପରେ ସେ ବୁଝିବ, ମରଦପଣିଆ କାହାକୁ କହନ୍ତି ! ସେଇ ଘାକୁ ଯେତେବେଳେ ଚିପି ଚିପି ପୂଜ ରକତ ମନ ଭିତରେ ବାହାର କରୁଥିବ ସେତେବେଳେ ବାଜିଆ ତାରି ପାଖଦେଇ ଛାତି ଫୁଲେଇ ଚାଲିଯିବ ମରଦାଟାଏ ପରି–ତେବେ ଯାଇ ଝୁନିୟାଁ । ଜାଣିବ ଏଇଟା ମରଦପଣିଆ ଭିତରୁ ଗୋଟାଏ ବି ନାହିଁ ।

 

ଏଇ କଥାକୁ ସେ ମନରେ ଦୋହରେଇ ଦୋହରେଇ ଚାଲିଲା । ଆଜିକା ବାଜିଆର ଗୋଟାଏ ନୂଆ ରୂପ । ମୁହଁରେ ଗୋଟାଏ ନୂଆ ଭାବ । ସତେ କି ସେ ନୂଆ ମଣିଷଟାଏ । ସଞ୍ଜ ହେଲେ, ସେମିତି ସେ ବିଛଣାରେ ଗଡ଼ୁଥାଏ ଅଗଣାରେ । ନିଧି ଆସି କହିଲା–

 

‘କିରେ ! ତୁ ଖାଇବାକୁ ଯାଇନୁ କିରେ ? ଖୁଡ଼ି ତତେ ଅପେକ୍ଷ କରିଚି ପରା !’’

 

‘ନାଇଁ, ମୋ ପେଟଟାକୁ ଭାରି କ’ଣ ମାରୁଚି । ମୁଁ ଖାଇବି ନାଇଁ ।’

 

ଏତିକି କହି ଦେଇ ସହଜରେ କଥାଟା କଟେଇ ଦେଇ ବାଜିଆ ଶୋଇଗଲା । ହଃ....ଓଳିକ ଉପାସରେ କ’ଣ ଏମିତି ଲୋକ ମରିଯାନ୍ତି; ଅଉ ସେ ମରିଯିବ ?

 

ସକାଳ ହେଲା ।

 

ରାତିଟାଯାକ ନଶୋଇ ବାଜିଆ ଅନେକ କଥା ଭାବି ଅନେକ ଯୋଜନା କରିଚି ତାକୁ କାମରେ ଲଗେଇବାକୁ ପଡ଼ିବ । ସହଳ ସହଳ ଉଠି ଦାନ୍ତଟାରେ ଢିଏ ମାରିଦେଇ ଗୋଟାଏ ବୁଡ଼ା ପକେଇ ଦେଇ ଆସିଲା ସାନ୍ତରା ଗାଡ଼ିଆରୁ । ଫେରିବା ବାଟରେ ଟିକେ ନିଜ ଜମି ଆଡ଼େ ଆଖି ବୁଲେଇଦେଇ ଆସିଲା । ରଜରେ କୁଆଡ଼େ ନିଶ୍ଚେ ମେଘ ହବ ବୋଲି ଲୋକ କହନ୍ତି । ହେଲେ କାଇଁ ? ଏସନ ତ କ’ଣ ଭୂଇଁ ଠୋ ଠୋ ।

 

ଆସି ଲୁଗା ପାଲଟି ବସିଥାଏ ବାଜିଆ । ବାପା ଉଠିଲେ ସିନା କହିବ... ? କେତେବେଳେକେ ପଡ଼ିମୋଡ଼ି ହେଇ ନିଧି ଉଠିଲା । ଆଖି ପଡ଼ିଲା ତା’ର ବାଜିଆ ଉପରେ । କେଡ଼େ ସକାଳୁ ବାଜିଆ ତା’ର କାମ ଶେଷ କରିଦେଲାଣି । ଯାହା ହଉ ମନ ତ ଏମିତି ଘର ଧରେ-। ଏଥରକ ଟୋକାଟା ଟିକେ ବାଗକୁ ଆସୁଚି । ଗୁଡ଼ାଖୁ ଟିଣାରୁ ଗୁଡ଼ାଖୁ ନେଲାବେଳେ ବାଜିଆ କହିଲା–

 

‘ମୁଁ ଟିକେ ସେପାରି ମଧୁଅଜା ଘରକୁ ଯାଆନ୍ତି । ବହୁତ ଦିନ ହେଲା ଯାଇ ନାଇଁ.... ?

 

‘ହଁ ଯାଉନୁ ,ବୁଢ଼ାଟା ମତେ ଏଇ କେଇଦିନ ତଳେ କହୁଥେଲା–ସବୁ କାଟିଦେଲ, କଲ । ଆମେ ବଞ୍ଚି ଥାଉଁ ଥାଉଁ ଆସୁ ନା କରୁ ନାଁ...ଯାଆ ଟିକେ ମୁହଁ ମାରିଦେଇ ଆସିବୁ । ବୁଢ଼ା ଖୁସି ହେଇଯିବ ।’

 

ବାଜିଆର ଖୁସିଟା ଆହୁରି ବଳିପଡ଼ିଲା । ଯା’ହଉ, ମଧୁ ଅଜା ବି ତା’ କଥା ପଚାରୁଥେଲା ? ତା’ହେଲେ ବାଜିଆ ଉପରେ ପଡ଼ି ଯାଉନି । ସେ ତା’ ବାପାହାତରେ ଏମିତି କହିଥେଲେ ବୋଲି ଯାଉଚି ନାଁ.... ।

 

ସଫା ଗଞ୍ଜିଟାଏ ଦିହରେ ଗଳେଇ ଦେଇ ସିଧାସଳଖ ବାହାରିଗଲା ଘରୁ । ଡାହାଣ ଗୋଡ଼ ଆଗ ପକେଇଚି ଦୁଆର ବନ୍ଧ ସେପାଖକୁ । ଗାଁ ମଝିରେ ନୀଳକଣ୍ଠଙ୍କ ଚଉତରା ଉପରେ ମୁଣ୍ଡିଆଟାଏ ମାରିଲା । କ’ଣ ମନାସିଲା କେବଳ ସେଇ ଜାଣେ । ନିଶ୍ଵାସଟାକୁ ଦେଖିଲା, ଡାହାଣ ପୁଡ଼ାରେ ସଁ ସଁ ହେଇ ଯାଉଚି । ବାଁ ପୁଡ଼ାଟା ଏକବାରେ ଖାଲି । ଯା ହଉ ତା’ ଯାତ୍ରା ନିଶ୍ଚେ ଶୁଭ । ଏକା ଳୟରେ ସାମନାକୁ ଅନେଇଁ ସେ ଗାଁ ପାରି ହେଇଗଲା । ମନରେ ତା’ର ଗୋଟିଏ ଚିନ୍ତା କେମିତି ତା’ କାମ ସହଳ ହବ । ମଧୁ ଅଜାଙ୍କୁ ସେ କ’ଣ କହିବ ।

 

ମଧୁ ଅଜା ।

 

କେତେ ଦୂର ସମ୍ପର୍କ ଭଳି ଜଣାପଡ଼େ; ନ ହେଲେ । ଦେଖିବାକୁ ଗଲେ ଏକବାରେ ପାଖ । ବାଜିଆ ବୋଉର ନିଜ ଦାଦି । ନିଧିକୁ ସେ ପସନ୍ଦ କରି ତାଙ୍କ ଝିଆରୀକୁ ବାହା ଦେଇଥିଲେ-। ଭାରି ଭଲପାନ୍ତି ସେ ଝିଆରୀକୁ । ସେଥିପାଇଁ ସେ ମଲାଦିନଠାରୁ ବୁଢ଼ାର କ’ଣ ହେଇଗଲା-। ଏଇ ଗାଁ ଭୂଇଁ ବୁଢ଼ା ନିୟମ କରି ମାଡ଼େ ନାଇଁ । ଏବକୁ ଏବକୁ କେତେବେଳେ କେମିତି ଥରେ ଅଧେ ଭୋ ଦୈବାତ୍‌ ଆଇଲାଣି, ବାଜିଆ ଉପରେ ତାଙ୍କର ଭାରି ନିଘା । ସବୁବେଳେ ଖବର ଅନ୍ତର ବୁଝୁଥିବେ । ତାଙ୍କ ଗାଁରେ ବି ଲୋକ କୁହାକୁହି ହୁଅନ୍ତି କୁଆଡ଼େ ବୁଢ଼ା କାହାକୁ କାହାକୁ କହୁଚି–ମୋ ପିଲାମାନେ ତ ଭୋଗ କରିବାକୁ ଜମି ବାଣ୍ଟିଦେବି । ହେଲେ, ସେ ନାଳକୂଳିଆ ଜମିରୁ କିଛି ସେ ବାଜିଆକୁ ଦେବି । ତାଙ୍କ ଗାଁରେ ସେ ଗୋଟାଏ ବୟୋଜ୍ୟେଷ୍ଠ ମାମଲତ୍‌କାର । କଥାଟା ତଳେ ପଡ଼େ ନାଇଁ ଆଉ ବଙ୍କା ତେଢ଼ା କଥା ତାଙ୍କର ବି ନାଇଁ ଯାହା କହିବେ ମୁହଁରେ ସେଇଟା ଅପ୍ରିୟ ହଉ ପଛେ ସତ ନିଶ୍ଚୟ । ସେଥିପାଇଁ ନିଧି ତ କମ୍‌ ମାନେ ନାଇଁ ଶଶୁର ବୁଢ଼ାକୁ । କେତେବେଳେ କୁହେ ଵି ମୁହଁରେ–ମାମଲତିରେ ବୁଢ଼ାଠଉଁ କିଛି ଶିଖିବାର ଅଛି ।

 

ବାଜିଆ ଚାଲିଛି ଏକମୁହାଁ ହେଇ । ମନେ ମନେ କେତେ କାମନା କରୁଚି ସେ– ବୁଢ଼ାର ସବୁଦିନିଆ କଥାଟା ଆଜି ବି ପଚାରି ଦିଅନ୍ତି କି.... ଡଗ ଡଗ ହେଇ କଥା କହିଗଲା ।

 

ଆଚ୍ଛା ,ଧର ସେ ପଚାରିଲା–ତା’ହେଲେ ବାଜିଆ କ’ଣ କହିବ ? କ’ଣ ସିଧାସଳଖ କହିଦବ ? ହେଃ... ତା’ କେମିତି ହବ ! ବୁଲେଇ ବାଲେଇ କହିବାକୁ ପଡ଼ିବ । ହେଲେ ଯଦି ନ ପଚାରିବେ ସେ ? ଏଇ କଥାଟା ଉପରେ ଆଉ ଭାବିଲାନି ବାଜିଆ । କାଇଁକି କାଳ କଥାଟାଏ ଆଗରୁ ଚିନ୍ତା କରିବ ସିଏ ।

 

ଦିନ ଦି’ଘଡ଼ି ସୁଦ୍ଧା ପହଞ୍ଚିଗଲା ସେ ଗାଁରେ ବାଜିଆ । ସୂରୁଜ ସେତେବେଳେ ଯାକେ ଟାଣ ହେଇନଥାନ୍ତି । ଦାଣ୍ଡପିଣ୍ଡା ଖଟଟା ଉପରେ ବୁଢ଼ା ବସିଚି । ଦୂରରୁ ଦେଖିପକାଇଲା ବାଜିଆ, ତାଙ୍କ ପାନକୁଟାରୁ ଧରିନେଲା–ବୁଢ଼ା ଆଜି ଖୁସି ମିଞ୍ଜାସରେ ଅଛି । ଯାଇଁ ମୁଣ୍ଡ ନୁଆଇଁ ଜୁହାରଟାଏ ହେଇ ପଡ଼ିଲା ।

 

ମଧୁ ପଟ୍ଟନାୟକ ବାଜିଆକୁ ଦେଖି ଆନନ୍ଦରେ ଉଛୁଳି ପଡ଼ିଲେ...’ଆରେ ନାତିଟୋକା ! ଆଜିଯାକେ ତୋର ଦେଖା ଦର୍ଶନ ନ ଥେଲା ?

 

ଏତକ କହି ଡାକପକେଇଲେ, ତାଙ୍କ ସ୍ତ୍ରୀଙ୍କୁ ।’

 

‘ଆରେ ଶୁଶୁଚ, ହଇ ହେ...ଆରେ ବାଜିଆ ଆଇଚି । ତା’ ପାଇଁ ପିଠା ଆଣ, ଟୋକାକୁ କାଲି ପହିଲି ରଜରେ ଆସିବାକୁ ତର ମିଳିଲା ନାଇଁ ଆଜି ଆଇଚି, ବୁଝିଲ... ।

 

‘ନାଇଁ ଅଜା, ମୁଁ ପରା କେବେଠଉଁ ଆସିବି ଆସିବି ବୋଲି ହଉଚି, ଆସି ପାରୁନାଇଁ ।’’

 

‘ଆବେ ଚୁପ୍‌, ମୋ ଆଗରେ ମିଛ କଥା କହୁଛ ? ଏ ପାନକୁଟାରେ ପାହାରେ ଦେବି ଯେ ତୋ ଦାନ୍ତ ଭାଙ୍ଗିଯିବ । ହ୍ୟାପ, ମୋ ଆଗରେ ମିଛ କହଚି ! ଭାରି ଘରକାମୟାକୁ ନାଗିଲାଣି ଯେ ସଂସାର ଛାଡ଼ି ଆସି ପାରୁନାଇଁ । ହଇବେ ଆଜିଠଉଁ ତ ଏମିତି ହେଲୁଣି, ଆଉ ଘରକୁ ଗୋଟାଏ ଯେତେବେଳେ ଆଣିବୁ ସେତେବେଳେ ତତେ ଆଉ ତୋ ଗାଁ ଦାଣ୍ଡରେ ବି କେହି ଦେଖିବେ ନାଇଁ... । ହେଲେ ନାତି, ! ମୋ ମୁହଁରେ ନିଆଁ ଦବାକୁ ,କାନ୍ଧ ନଗେଇବାକୁ ଆସିବୁ ନି....-?

 

‘ହେଇତି ଅଜା ! ପୁଣି ତମେ ସେ କାଳ କଥା କହିଲ ? ତା’ହେଲେ ମୁଁ ଚାଲିଲି ।’

 

‘ଇରେ ନାଇଁ, ନାଇଁ ମୁଁ ଆଉ କହୁନାଇଁ, ତୁ ବସ । ଆରେ ଟୋକା, ସେଇଟା ଆଉ କେତେବେଳେ ? ଡାକରାଟା ପାଖ ହେଇଗଲା ପରା.... !’

 

‘ହଁ ପାଖ ହେଇଗଲା ନାଁ...ଆଉ କ’ଣ ? ଆମକୁ ସବୁ ଅନାଥ କରି ତମେ ପାଖେଇ ଯାଉଥାଅ ଖାଲି... ?

 

‘ନୁହେଁ ତ ଆଉ କ’ଣ ? ତମେ ଗଲା ପରେ ଆଉ ମୂରବୀଟା ହେଇ ଆମର କିଏ ଅଛି ଭଲରେ ମନ୍ଦରେ ଆକଟ କରିବାକୁ ? ବାପା ତ ଯେମିତି ଭୋଳା ମହେଶ !’

 

‘ଇରେ ସେ ତ ସବୁଦିନେ ସେଇଆ, ତୋ ମା ମଲା ପରେ ତାକୁ କ’ଣ ମୁଁ କମ ବୁଝେଇଚି ଯେ ତୁ ଆଉ ଥରେ ଘରସଂସାର କର । ହେଲା ନାଇଁ, ଖାସ୍‌ତୋରି ଅନାଦର ହବ ବୋଲି ଆଉ ଥରେ ବାହା ହବାକୁ ଜମ୍ମା ମଙ୍ଗିଲା ନାଇଁ ।’

 

‘ନ ମଙ୍ଗନ୍ତୁ ,ହେଲେ ଏଇନା ପାଉଛନ୍ତି ଯେ–ଦିନେ ଖାଇଲେ ଦି’ଦନ ଉପାସ । ଆଚ୍ଛା କହିବଟି ଅଜା ! ମୁଁ ଆଉ କୁଆଡ଼କୁ ହେବି ? ଗାଈ, ବଳଦ, ହଳ, ଏ ସବୁ ଦେଖିବି ନାଁ ବାପାର ଦିହ ମୁଣ୍ଡ ଦେଖିବି ? ବଅସ ତ ଆଉ ସବୁଦିନେ ବସିନାଇଁ, କେତେବେଳେ କେମିତି । ଏବକୁ ଏବକୁ ଦିହ ମୁଣ୍ଡ ଖରାପ ହଉଚି । ହେଲେ, ମୁଁ କ’ଣ ଆଉ ଦିହ ମୁଣ୍ଡରେ ଟିକେ ହାତ ବୁଲେଇ ପାରୁଚି ? ସେଥିରେ ପୁଣି ବିଲରୁ ଫେରି ମୁଁ ରୋଷେଇ ବସେଇବି, ତା’ପରେ ଯାଇଁ ଖିଆପିଆ କଥା, ସେ ଗୁଡ଼ାକରେ ସବୁ ପୂରାପୂରି ହେଲା ହେଇ ଯାଉଚି ।’

 

‘ହଁ...ହଁ, ତା’ ହଉଥବ ନିଶ୍ଚେ...ତୁ ପିଲାଟାଏ ।’

 

‘ଖାଲି ସେତିକି ନୁହେଁ ତ । ଖାଇବା ପିଇବା କୋଉଥିରେ ଠିକ ନାହିଁ, ରାନ୍ଧିବାରେ ସିନା ଗୋଟାଏ ଠିକ୍‌ଠିକଣା ଥିଲେ ହୁଅନ୍ତା । ତା’ତ ନାହିଁ ଆଉ କେମିତି କ’ଣ ହବ କହିଲ ? ମତେ ବି ଭାରି ବାଧିଲାଣି । କହିଲ ଦେଖି ଏଗୁଡ଼ା ସବୁ ତୁଲେଇ ଆଉ ବୁଲି ଆସିବାକୁ ତର ଅଛି ? ତମର ଇଆଡ଼େ ଆସିବାକୁ ମୋର କ’ଣ ଇଚ୍ଛା ହୁଏ ନାହିଁ ? ହେଲେ, କେମିତି ଆସିବି କହୁ ନା ? ପୁନେଇଁ ପରବ, ଭଲ ମନ୍ଦ ଏ ଗୁଡ଼ାକ ସବୁ ଭୁଲି ଯାଇଚୁ ଆମେ ବାପ ପୁଅ ଦି’ଜଣ ।’

 

‘କାଇଁକି..... ?’

 

‘କାଇଁକି କ’ଣ ମ ? କିହୋ ଭଲ ବାରରେ ଭଲ ଦିନେ ଗଣ୍ଡାଏ ଭଲକରି ଖାଇବା ବି ପିଠାଟା ପଣାଟାଏ କରିବା କ’ଣ ଫାବୁ ନାଇଁ ? କିଏ କରିବ ? ମୁଁ କରିବି ? ମଣ୍ଡା, କାକରା ମୁଁ ଗଡ଼ିବି ? ପିଠଉପାଣି ମୁଁ ବାଟିବି ?’

 

‘ହଁ, ସେଇଟା ପକ୍‌କା କଥାଟାଏ । ସତ କହୁଚୁ, ହେଲେ ହଇ ରେ ନାତି, ତୋ ବାପ ଏଥର ତୋ ପାଇଁ ଗୋଟାଏ ବୁଝୁନାଇଁ କାହିଁକି ? ତୋର ବଅସରେ ତ ସିଏ ବାହା ହେଇଥେଲା । ଏ ସବୁ ଝମାଲାଗୁଡ଼ାକ ତୁଟି ଯାଆନ୍ତା...... ।’

 

ମନେ ମନେ ନୀଳକଣ୍ଠଙ୍କୁ ଆଉ ଗୋଟାଏ ମୁଣ୍ଡିଆ ମାଇଲା ବାଜିଆ । ଯା’ହଉ ଅଜା ଏଥର ଠିକ୍‌ ବାଟକୁ ଆସିଚନ୍ତି ଆଉ ତା’ ମନ କଥାଟା ପଚାରିଚନ୍ତି । ହେଲେ, କ’ଣ ସେ ଉତ୍ତର ଦବ ଏ କଥାର ? ତୁନି ରହିଲା ।

 

ନାଇଁ ନାଇଁ ଏଇଟା ଅଟ୍ଟା ନୁହେଁ ବାପ । ତୁ କହ, ତୁ ତ ନିତାନ୍ତ ପିଲା ନୁହେଁ । ଆଉ ତା’ ଛଡ଼ା ତତେ ବର୍ତ୍ତମାନ ହାତକୁ ଦି’ହାତ କରିଦେଲେ ସବୁଆଡ଼ୁ ସୁବିଧା । ଘରକାମ ବୋହୂ, ତା’ର ଦେଖିବ । ବାହାର କାମ ତୁ ଦେଖିବୁ । ନିଧି ଆମର ବସି ଟିକେ ବିଶ୍ରାମ ନବ, କି’ଧର ଦରକାର ପଡ଼ିଲେ ବାପଟାର ଦିହରେ ମୁଣ୍ଡରେ ହାତ ବୁଲେଇ ଦେବା ପାଇଁ ଆଉ ତ ଚନ୍ତା ନ ଥବ ! ନାଁ କ’ଣ କହୁଚୁ ?

 

ମୁଁ ଆଉ କ’ଣ କହିବି ଯେ ?’

 

‘ଓହୋ ହୋ ! ଆରେ ତୁ ଜାଣି ନ ଥିବୁ ନିଧି କୋଉଠି ବୁଝାବୁଝି କଲାଣି କି କ’ଣ ? କଥା କୋଉଠି ପକେଇଲାଣି କି ନାଇଁ.... ।

 

‘ତାଙ୍କର ତ ଯୋଉ ମନ । ଏ କଥାଟା ଆଗ ହୋସ୍‌ରେ ଥବ ନାଁ ତାଙ୍କର... ?

 

‘ଏଁ ହେଁ ତା’ କେମିତି ହବ ? ପିଲାଳିଆ କଥା ଏ ଗୁଡ଼ାସବୁ । ଏତିକବେଳୁ ଜାଗତିଆର ହବା କଥା ନାଁ, ତତେ ସଂସାର କରେଇବ । ସଂସାରକୁ ଚଲେଇବା ଶିଖେଇବ କିଛିଦିନ, ତା’ପରେ ପୁଅ ବୋହୂ, ଭୋଗ କରିବ, ନାତି ନାତୁଣୀ ଦେଖିବ, ତେଣିକି ଯାଇ ବୁଢ଼ା ହବ କି ଭାଗ୍ୟରେ ଯାହା ଥବ, ଆଉ ସିଏ ଭବିବ ନାଇଁ ତ କିଏ ଭାବିବ, ଆଚ୍ଛା ମୁଁ ତାକୁ ଡକେଇ ଏ ବିଷୟରେ ପଚାରିବି ?’

 

‘ନାଇଁ ଅଜା ଥାଉ, ସେ ଯେମିତି ଲୋକ, ପୁଣି କାଳେ ବୁଝିବେ ଯେ ମୁଁ ଆସି ଏ କଥା କହୁଥେଲି...’

 

‘ଆରେ, ମୁଁ କ’ଣ ପିଲାଟାଏ ହେଇଚି, ତୋ ନାଁ କାଇଁକି କହିବି ? ମୋର ବି ତ ଏଇଟା ପଚାରିବାର କଥା, ବୁଝିବାର କଥା, ମୁଁ ମୋ କହିଲା ପରି କହିବି ।

 

ଏତିକିବେଳେ ବାଜିଆ ଆଶ୍ଵସ୍ତ ହେଲା ଯେ, ଯା’ହଉ କଥାଟା ପୂରାପୂରି ଠିକ୍‌ମୋଡ଼ ଧରିଲା । ସେ ନିଜେ ନିର୍ଦ୍ଦୋଷ, ସୁଧାର ପିଲା–ଏ ବିଷୟରେ କିଛି ଜାଣି ନି, ଏତିକିବେଳେ ମଧୁ ପଟ୍ଟନାୟକଙ୍କ ସ୍ତ୍ରୀ ପାଣିଢାଳ ଆଉ ପିଠାଥାଳି ଧରି ଆସିଲେ, ବାଜିଆ ଓଲଗି ହେଇ କହିଲା–

 

‘ଇଲେ’ମୁଁ ଭିତରକୁ ଯାଇ ଖାଇ ନ ଥାନ୍ତି ?

 

‘ହଉ ବା ଏଇଠି ଖା.....ଅଜା ସାଙ୍ଗରେ ଗପ କରୁଚୁ ଗପ କରୁଥା, ଖାଉଥା.....’ଏତିକି ବେଳେ ପାନକୁଟାଟା ଭଲ କରି ହାତରେ ବାଡ଼େଇ ଭଲକରି ଝାଡ଼ି ଝୁଡ଼ି କହିଲେ–

 

‘ଅରେ ଶୁଣିଲାଣି ବାଜିଆର ବାହାଘର କଥା... । କ’ଣ ନାଁ ଧରୁନାଇଁ ନିଧି ?’

 

‘ମଲା ! ତା’ ବାହାଘର ତ କେବେଠଉଁ ଠିକ୍‌ହେଇ ସରିଚି । ତାଙ୍କର ତ କଥା ଦିଆ ନିଆ ହେଇଚି ଯେ ନିଧିର ପୁଅ ଆଉ ଅଇଁଠାର ଝୁଅ, ଆଉ ନାଁ କ’ଣ ଧରିବ ?’

 

ବାଜିଆ ଛାତିରୁ ଦପ୍‌କର ନିଆଁ ଝଲକାଏ ଖସିପଡ଼ିଲା ଯେମିତି ! ଏଇ କଥାକୁ ନ ଶୁଣିବା ପାଇଁ ସେ ଏଠାକୁ ଆସିଲା । ଏଠି ବି ସେଇ କଥା ! ତା’ହେଲେ କେମିତି କଟେଇବ କଥାଟା ? ମଧୁ ପଟ୍ଟନାୟକ କହିଲେ–

 

‘ହଇ ରେ ନାତି, ତୋ ଆଈ ତ କ’ଣ ଏ କଥା କହୁଚି.....

 

‘ନାଇଁ ମ ଅଜା, ସେ ଗୁଡ଼ା ବାଜେ କଥା, ସେ କୋଉ କାଳେ କେବେ କ’ଣ କୁହାକୁହି ହେଇଥେଲେ ନାଁ ଆଉ ସେଇଆକୁ କ’ଣ ନିଠ ମରିଚି ? ଘଡ଼ିକେ ଘଡ଼ି ପରା ଫରକ୍‌ପଡ଼ିଯାଉଚି ବଚନ ! ସେମାନେ ତ ପୁଣି ଭିତିରିଆ ଯୋଗାଡ ଚଲେଇଚନ୍ତି ତାଙ୍କ ଝିଅକୁ ଅନ୍ୟଠେଇଁ ଦେବେ ବୋଲି ।’

 

‘ସତେ.... ?’

 

‘ହଁ ପରା, ଏକରକମ ଠିକ୍‌ ହେଇଗଲାଣି କହିଲେ ଚଳେ । ଆଉ ବାପା ସିନା ଉପରେ ଉପରେ ଭାସିଯାନ୍ତି ।’

 

ଏ କଥାଟା ଏକା ନିଃଶ୍ଵାସକେ କହିଦେଇ ଛେପ ଢୋକିଲା ବାଜିଆ ସତେ ଏତେ ବଡ଼ ଡାହା ମିଛଟାଏ ସେ କହିଦେଇ ପାରିଲା କେମିତି ? ତା’ ତୁଣ୍ଡ ଟିକିଏ ଖନି ମାରିଗଲା ନାଇଁ ସେତେବେଳକୁ ?

 

ନାଁ, ସେଇଟା ବି ନୀଳକଣ୍ଠଙ୍କର ଦୟା, ଆଜି ଦିନଟା ତା’ର ଶୁଭ । ଯାହା ମନାସିଛି ସବୁଗୁଡ଼ାକ ହେଇଯାଉଚି । ମଧୁ ପଟ୍ଟନାୟକ ଏଇ କଥାରେ କହିଉଠିଲେ–

 

‘ହଁ ହଁ, ପୁଅଝିଅ ଥେଲେ ସେମିତି କେତେ ଜାଗାରେ କଥା ଦିଆନିଆ ହୁଏ, କେତେ ଜାଗାରେ କଥା ପଡ଼େ । ଗୋଟାଏ ବୋଲି କ’ଣ ଗେଣ୍ଟ ମରିଚି । ତାଙ୍କର ଯେବେ ଅନ୍ୟଠେଇଁ ଖୋଜା ପଡ଼ିଚି ଆମେ ତାଙ୍କୁଇ ଅନେଇ ବସିବାଟା କ’ଣ ଦରକାର ?’

 

ବୁଢ଼ୀ ମନକୁ ବି କଥାଟା ପାଇଲା । ପିଇବା ପାଣି ଗିଲାସକ ଥୋଉ ଥୋଉ ସେ ବି କଥାଟାକୁ ପସନ୍ଦ କଲେ । ମଧୁ ପଟ୍ଟନାୟକ କହିଲେ–

 

‘ତେବେ ତୁ ଅଇଚ୍ଛା ବାହାହବା ପାଇଁ ରାଜି ତ ?’

 

ଇସ୍‌ ! ବାଜିଆର ମନ ଭିତରଟା ଦି’କଡ଼ାର ହେଇଗଲା, ଏଇଟା ତ ବୁଢ଼ାର ସବୁଦିନିଆ ନକଲିଆ ପ୍ରଶ୍ନ । ୟାର ଉତ୍ତରଟା କେମିତି ଦବ ସେ ? ସବୁଥର ବୁଢ଼ା ଥଟ୍ଟାରେ ପଚାରେ ବାଜିଆ ତାକୁ ହୁରୁଡ଼େଇ ଦିଏ ଆଡ଼ବାଙ୍କ କଥା କହି । ହେଲେ, ଆଜି ତ ସେ ସତ ସତ ପଚାରୁଚନ୍ତି । କିନ୍ତୁ କେମିତି ବ ।ଜିଆ ଦବ ୟାର ଉତ୍ତର ? ଏଥରକ ଯେ ପ୍ରକୃତରେ ସେ ଚାହୁଁ ଚି...ହେଲେ, ନୀଳକଣ୍ଠ ପୁଣି ବଞ୍ଚେଇଦେଲେ ତାକୁ ,ବୁଢ଼ୀ କଥାଟାକୁ ଧଇଲା ।

 

ମଲା ମୋର, କଥା ଶୁଣ । ସେ କ’ଣ ଆଉ କହିବ–ହଁ, ମୋର ଇଚ୍ଛା ହେଲାଣି । ତା’ର ତ ବଅସ ହେଇଚି ସଂସାର କରିବାକୁ । ଆଉ ଏଡ଼େଟିଏ ହେଲାଣି–ସଂଜବେଳେ ତା’ ବଅସର ଆଉମାନେ ଯାଇଁ କୋଉଠି ହେଣ୍ଡିମାରୁଥେବେ ଆଉ ସେ ଚୁଲୀ ଫୁଙ୍କୁଥିବ । ତାକୁ କ’ଣ ଏ ଗୁଡ଼ା ଭାରି ସରଧା ନାଗୁଥବ ? ତମେ ପଚାରିଦେଲ କ’ଣ କଥାଟାଏ ?

 

ଯା’ହଉ ବାଜିଆ ରକ୍ଷା ପାଇଗଲା, ତା’ ମନର କଥା ନୀଳକଣ୍ଠ ମହାପ୍ରୁ ଅନ୍ୟ ମୁହଁରେ କୁହାଇ ଦେଇ ତାକୁ ରକ୍ଷା କରିଚନ୍ତି ।

 

‘ଆରେ ତା’ ମନ କଥାଟା ତ ପୁଣି ବୁଝିବା ଦରକାର । କନିଆଁ କ’ଣ ଆମକୁ ଅପ୍ରାପତ ଅଛନ୍ତି । ମୁଁ କାଲି ନିଧିକୁ ଡକେଇ କଥାବାର୍ତ୍ତା କରୁଚି ରହିଥା.... ।’

 

ମଧୁ ପଟ୍ଟନାୟକଙ୍କର ଏତିକି କଥା ନ ସରୁଣୁ ଦଳେ ଝିଅ ତାଙ୍କ ଆଗଦେଇ ମୁଣ୍ଡକୁ ନୁଆଇଁ ସଜବାଜ ହେଇ ଚାଲିଗଲେ, ପଞ୍ଝାଏ ରଜବତୀ.... । ମଧୁ ପଟ୍ଟନାୟକ ନାଁ ଧରୁ ତା’ ଭିତରୁ ଡାକ ପକେଇଲେ–

 

‘ହଇ ଲୋ ଇନ୍ଦୁ ! ଶୁଣିଲୁ ଶୁଣିଲୁ ଟିକେ....’

 

ପଞ୍ଝାକ ଯାକ ଝିଅ ଟିକେ ଆଡ଼େଇ ହେଇ ଅଟକି ଗଲେ । ତା’ଭିତରୁ ଜଣେ ଝିଅ ବାରଣ୍ଡା ଆଡ଼କୁ ଆସୁଥେଲା, ଆଉ ଜଣେ ନୂଆ ମିଣିପ ଲୋକଟାକୁ ଦେଖି ଟିକେ ଲାଜରା ହେଇଗଲା ଭଳି ଅଙ୍ଗେଇ ଗଲା । ମଧୁ ପଟ୍ଟନାୟକ ସେ କଥା ବୁଝିପାରି କହିଲେ–

 

‘ଇଲେ ନାଇଁ ବା.....ସେ ତୋରି ଭଳିଆ ଗୋଟାଏ । ଲାଜ କାଇଁକି କରୁଚୁ ? ତୁ ତ ନାତୁଣୀ ହିସାବ; ସେ ତ ନାତି; ଆଚ୍ଛା ତୋ ବାପା କୁଆଡ଼େ ଯାଇଥେଲା ପରା, ଆଇଲାଣି ?

 

ମୁଣ୍ଡ ହଲେଇ ଲାଜରେ ନାହିଁ କଲା ଇନ୍ଦୁ । ବୁଢ଼ା ପୁଣି ପଚାରିଲେ–

 

‘ଆଉ ତୋ ଜେଜେ’ପା ଦେହ ଟିକେ ଭଲ ଅଛି ନା ?’

 

‘ଆଜି ଟିକିଏ ବେଶି ହେଇଚି ।’

 

‘ସତେ ନାଁ ? ଆଚ୍ଛା ହଉ, ମୁଁ ଦେଖିବାକୁ ଯିବି ! କୁଆଡ଼େ ଯାଉଚ ସବୁ ?’

 

ଫିକ୍‌କରି ହସିଦେଇ ଝିଅଟା । ରଜଟାରେ ଆଉ କୁଆଡ଼େ ଯିବାର କଥା ଯେ ସେ କଥାଟା ପୁଣି କହିବ ? କିଛି କହିଲା ନି ।

 

‘ହଉ ଯା, କୁଆଡ଼େ ଯାଉଥେଲ, ଆବେ, ମତେ କାଇଁକି ସାଙ୍ଗରେ ନଉ ନାଁ ? ମୁଁ କ’ଣ ବୁଢ଼ା ହେଇଗଲିଣି... ?’

 

ହସିଉଠି ପଳେଇଗଲେ ଝିଅତକ କିଲିବିଲି ହେଇ । ମଧୁ ପଟ୍ଟନାୟକ ତାଙ୍କ ବୁଢ଼ୀ ଆଡ଼େ ଚାହିଁଲେ–

 

‘ହଇ ହୋ ! ଏଇ ଗୋଟିକୁ ଆମ ବାଜିଆ ପେଇଁ କଲେ ?’

 

‘ମୋ ପାଟିରୁ କଥା ଛଡ଼େଇ ନେଲା ।’

 

ବୁଢ଼ୀ କହିଲା ପରେ ବାଜିଆର ଶିରାରେ ରକ୍ତଚା ଟିକେ ଜୋରରେ ଖେଳିଗଲା । ଟିକେ ଏଣେ ତେଣେ ଚାହିଁ ନିଜ କାନ୍ଧ ଉପରେ ଗୋଟାଏ ପଡ଼ିଗଲା କି କ’ଣ ତାକୁ ଝାଡ଼ିବା ଭଳି ସେ ଆଉ ଥରେ ଭଲରେ ପଛ ଆଡ଼କୁ କଣେଇ ଚାହିଁଦେଲା । ପଚାରିଲେ ମଧୁ ଅଜା ତାକୁ –

 

‘ହଇ ରେ, ତୁ ଦେଖିଲୁଟି ସେ ଝିଅକୁ ? ତୋ ମନକୁ କେମିତି ପାଇଲା ?’

 

ବାଜିଆ ଦେଖିଲା ଇନ୍ଦୁକୁ । ବେଶ୍‌ଭଲ ଝିଅଟିଏ । ବୟସ ଚଉଦ କି ପନ୍ଦର ହେବ । ତୋଫା ଗୋରା ନ ହେଲେ ବି ଗୋରା ତଳେ ଯିବ । ପୂରିଲା ପୂରିଲା ଦିହ ହାତ, ଟଣା ଟଣା ଆଖି, ଗୋଛାଏ ବାଳ ମୁଣ୍ଡରେ, ଚାଲିରେ ଗୋଟାଏ ମୋହ ଅଛି, କାହାଠଉଁ କୌଣସି ଗୁଣରେ ଉଣା ପଡ଼ିବ ନାହିଁ । ଏଭଳି ଝିଅଟାଏ ବାହାହେବା ବାଜିଆ ପାଇଁ ନିଶ୍ଚୟ ସ୍ଵପ୍ନ । ତେଣୁ ସେ କାହିଁକି ଏ ଆଶା କରିବ ସେଇଥି ପାଇଁ ସେ ଭରସି ଜବାବ ଦେଲା ନି ଅଜାକୁ । ସେଇ କଥାଟାକୁ କିନ୍ତୁ ଅଜା ଆଉ ଥରେ ପଚାରିଲାରୁ ଖାଲି ଏତିକି କହିଲା–

 

‘ମୁଁ କ’ଣ କହିବି ଯେ ? ତମଠଉଁ ମୁଁ କ’ଣ ଗୋଟାଏ ବେଶି ଜାଣିଚି ?’

‘ଆରେ ନାଇଁ ନାଇଁ ତଥାପି....ତମେ ପରା ଏକାଳ ଛୁଆ । ତମ ମନକୁ ସବୁବେଳେ ଜଗିବାର ଅଛି ନାଁ.... ? ଆଉ କ’ଣ ଆମ ବେଳ କଥା ଅଛି ?’

ଅଇଁଠା ଥାଳି ଗୋଟାଇ ନଉ ନଉ ବୁଢ଼ୀ କହିଲେ–

‘ତାଙ୍କର କ’ଣ କରିବେ ? ସେମାନେ ତ କେତେ ଆଡ଼ ଆଖି ପକେଇଚନ୍ତି ।’

‘ଆରେ ନାଁ ମ, ମୋ କଥାଟାକୁ ତା’ ବାପ କାଟିଦେବ ? ଇନ୍ଦୂରୁ ଅଜା ଯାହା କହିବ ସେଇ କଥା ନାଁ । ବାପ ତା’ର କହୁ ନ ଥେଲା କି ଆଉ କିଛିଦିନ ଯାଉ ବୋଲି । ବୁଢ଼ା କହିଲା....ମୋ ଦିହ ଭଲ ରହୁନାଇଁ । ମୁଁ ତା’ ବାହାଘର ଦେଖିକରି ଯିବି । ତା’ଛଡ଼ା ମୁଁ ଯାହା କହିବି ବୁଡ଼ା ଜମ୍ମା ମନା କରିବି ନାଇଁ । ସେ ମତେ ବି କହିଚି ପାତ୍ରଟିଏ ସକାଶେ ପରା....’

‘ବୁଝ ତା’ହେଲେ’

‘ମୁଁ ଏଇଛୁଣିକା ବୁଝିଦେବି । ତାକୁ ଦେଖିବାକୁ ତ ଯିବି । ପଚାରିଦେବି । ରୋକ୍‌ଠୋକ୍‌ କଥାବାର୍ତ୍ତା ହେଇଯିବ ।’

‘ତମେ ଗଲାବେଳେ ବାଜିଆକୁ ବି ନେଇ ଯାଉନାଁ, ନାତି ନାଁ ନାତି, ସାଙ୍ଗରେ ଯାଇଚି ଆଉ କ’ଣ...’

‘ହଁ, ସେଇଟା ବି ଠିକ୍‌କଥା । ସେ ୟାର ବାପ ନିଧିକୁ ଚିହ୍ନିତ ଯେ, ତଥାପି ୟାକୁ ନେଇଯିବା ।’

ଆଲୋଚନା ଏତିକିରେ ବନ୍ଦ ହେଲା । ପାନ ଆଉ ଦି’ଖଣ୍ଡ ବଟାରେ ପୂରେଇ କୁଟାଟାକୁ ସଜିଲ କରି ଧରି ବୁଢ଼ା ବାହାରିଲେ ଲକ୍ଷ୍ୟରେ । ଏଥର କାମର ପାଳି । ବାଜିଆ ସେତେବେଳେ ବି ନୀଳକଣ୍ଠ ମହାପ୍ରଙ୍କ କଥା ମନରେ ପକେଇଥିଲା ।

ବାଜିଆ ଗାଁ ଛାଡ଼ୁ ଛାଡ଼ୁ ସୂରୁଜ ପୂରାପୂରି ଢଳି ପଡ଼ିଲେଣି । ସଞ୍ଜ ଆଗରୁ ଘରେ ପହଞ୍ଚିବା ଦରକାର । ଆଈ ଅଟକଉଥୋଲା ଖାଇଦେଇ ଏକାଥରେ ଯିବାକୁ । ବାଜିଆ ମନାକଲା, ତା’ ପେଟ ପୂରି ଯାଇଚି । ଆଜି ତା’ର ପାହୁଣ୍ଡ ଗୁଡ଼ାକ ଟିକେ ବଡ଼ ବଡ଼ ପଡ଼ୁଚି ।

ସେଇ କଥାଗୁଡ଼ାକ ସେ ଖାଲି ମନରେ ଗୁରେଇ ହଉଚି ।

ଯା’ହଉ କଥାଟା ଏକରକମ ପକ୍‌କା ହେଇଗଲା, ଇନ୍ଦର ଜେଜେ’ପା ଆଉ ମଧୁ ଅଜା ଭିତରର ଠାରଠାରୁ କଥାଭାଷାରୁ ବାଜିଆ ଯାହା ଠଉରେଇଲା–ଇନ୍ଦୁ ଜେଜେ’ପାର ଏକବାରେ ମତ । ଅଜା ଖାଲି ଡାକି କରି ବାପାକୁ କହିଦେଲେ ହେଲେ, ତେବେ ଅଇଚ୍ଛା କଥା ହେଲେ ବାପାକୁ ଯାଇ ସେ କ’ଣ କହିବ–ଅଜା କହିଚି ନିଧିକୁ କହିବୁ ,ତା’ ସାଙ୍ଗରେ ମୋର ଗୋଟାଏ ଜରୁରୀ ପରାମର୍ଶ ଅଛି; ଦିନେ ଓଳିକରେ ଆସିବ । ବାପାକୁ ଦିନେ ଓଳିଏ କହିଲେ ସେ ଆଉ ଦି’ଦିନ ବି ଗଡ଼େଇ ଆସି ଦେଖା କରିବ । ....ଦିନେ ଓଳିଏ..... ? ହେଃ....ବହୁତ ଡେରି ହେଇଯିବ । ଆଃ....ବାପା ଖାଲି ହଁ ଭରି ଦିଅନ୍ତା କି ? ଇସ୍‌ଭାରି ସୁନ୍ଦର ଦେଖିବାକୁ ଇନ୍ଦୁ ! କେମିତି ପଦେ କଥାରେ ଫିକ୍‌କରି ହସିଦେଲା ମଁ.... । କମ କମ କରି ଅଳତା ନାଇଥାଏ ଯେ କି ବଢ଼ିଆ ଦିଶୁଥାଏ-। ତାକୁ ଗୋଟାଏ କଳା ରିବନଟାଏ କିଏ ବାନ୍ଧିଦେଲା କେଜାଣି । ନାଲି ରିବନଟାଏ ଦେଇଥେଲେ ନାଲିଆ ଶାଢ଼ୀଟା ସାଙ୍ଗକୁ ବଢ଼ିଆ ମାନିଥାନ୍ତା ସିନା....ହୁଣ୍ଡୀଟାଏ କି...ଲାଞ୍ଜି କାଟିବାଟା କ’ଣ ଦରକାର ଯେ ତା’ର । ଆଖି ଦି’ଟା ତ ଏମିତି ଟଣା ଟଣା ଯେ କାହିଁରେ କ’ଣ ।

 

ବାଜିଆ ଭାବି ଚାଲିଚି । ଖାଲି ବାପା ଉପରେ କଥାଟା ବାକି ରହିଲା । ସେ ବି ନିଶ୍ଚୟ ହଁ ଭରିବ । ମଧୁ ଅଜାକୁ ସେ ଭାରି ମାନେ । ତା’ କଥା କେବେ ତଳେ ପକେଇବ ନାଇଁ । କାଇଁକି ବି ପକେଇବ ଯେ ? ଏଇଟା କିଛି ଅପସନ୍ଦିଆ କଥାଟା ନୁହେଁ....ନିଶ୍ଚେ ହେଇଯିବ । ଏତେ ବାଟ ଯଦି ନୀଳକଣ୍ଠ ଗୋସେଇଁ ଆଣିଲେଣି ଆଉ କ’ଣ ଏଇ ବାଟ ମଝିରେ ଛାଡ଼ିଦେବେ ? ତା’ହେଲେ ତ ଆହୁରି ଆଗରୁ କଥାଟା ତେଢେଇ ଯାଇଥାନ୍ତା । ବେଖେଆଲିରେ ପାଟିଟା ଚାକୁଳେଇ ଗୋଦରା ଲାଗିଲା ତାକୁ ।

 

ତା’ର ମନେପଡ଼ିଲା ଇନ୍ଦୁ ଘରର ପାନ ଦି’ଖଣ୍ଡ ଅଣ୍ଟାରେ ଅଛି । ଖଣ୍ଡେ ବାହାର କଲା ସେଥ୍‌ରୁ... ।

 

ରଜ ପାନ.... !

 

ଧାର ମୋଡ଼ା ହେଇ କୁଞ୍ଚୁ କୁଞ୍ଚୁ କରି ଭଙ୍ଗା ହେଇଚୁ । ଏ ପାନ ଦେଖି ମନେପଡ଼ିଲା ତା’ର ଆଉ ଜଣକ କଥା । ସେ ଇନ୍ଦୁ ନୁହେଁ ଅଉ ଜଣେ...ଯାହା ହାତରୁ କେବଳ ଆଜିଯାକେ ବାଜିଆ ରଜର ଶରଧା ପାନ ଖାଇ ଆସିଚି । ପାନ ଖଣ୍ଡକୁ ଏପାଖ ସେପାଖ କରି ଦେଖିଲା ସେ...କାଇଁ କିଛି ତ ତଫାତ୍‌ ଜଣାପଡ଼ୁନି, ସେଇ ଏକା ପାନ । ଏମିତିଆ ଢଙ୍ଗରେ ବି ସେ ଭାଙ୍ଗିକରି ଦିଏ । ତା’ହେଲେ ଆଉ ତଫାତ୍‌କ’ଣ ଜଣାପଡ଼ିବ । କିଛି ନାଇଁ, ସେ ସିନା ମିଛରେ ଏତେ ଚିନ୍ତା କରୁଥେଲା !

 

ଭାବୁ ଭାବୁ ପାନ ଖଣ୍ଡକ ଖୋଲି ପକେଇଲା ଲବଙ୍ଗଟାକୁ କାଢ଼ି, ତା’ର ନଜର ପଡ଼ିଲା–ଧୂଳା ଧୂଳା ଚୂନା ଚୂନା ଗୁଆ କଟା ହେଇ ଦିଆ ହେଇଚି ଭିତରେ । ଆରେ...ଆରେ, ତାକୁ କହିଦେଇଥେଲେ ସିନା ହୋଇଥାନ୍ତା ବାଜିଆ ମୁଣ୍ଡା ମୁଣ୍ଡା ଗୁଆ ଖାଏ ବୋଲି ।

 

ହଉ ବଳେ ଜାଣିଯିବ ଯେ..... ।

 

ପାଟିରେ ପାନଟାକୁ ଭର୍ତ୍ତିକରି ଦେଇ ପରେ ତାକୁ ଟିକେ ରାଗୁଆ ଲାଗିଲା ପାନଟା । କାଇଁ ସେ ପାନ ତ ସେମିତି ଲାଗେ ନାଇଁ, ଯେତିକି ଚୂନ ଦବାର କଥା ସେ ଠିକ୍‌ ଜାଣିଥେଲା ! କିନ୍ତୁ.... ।

 

ତଥାପି ଇଏ ଶିଖିଯିବ ନାଇଁ କି ।

 

ଇନ୍ଦୁର ଆଖି ଦି’ଟା ଭାରି ସୁନ୍ଦର । ହେଲେ, ଝୁନିୟାଁର ଚାହାଁଣୀରେ କେମିତି ଗୋଟାଏ ଆକର୍ଷଣ ଥାଏ । ଚାହିଁଦେଲେ ଜଣାପଡ଼େ ଯେମିତି ବେଜାଏ ଦୁଷ୍ଟାମୀ ଓଜାଡ଼ି ହେଇ ପଡ଼ୁଚି ସେଇ ଚାହାଣୀରୁ । ବାଜିଆକୁ କାଇଁକି ସେଇ ଗୋଟାକ ବେଶି ଭଲ ଲାଗେ । ଗାଢ଼ କଲା ଭୂରୁ ଦି’ଟା ତଳୁ ଯେତେବେଳେ ପିଲାଙ୍କ ଭଳି ଝୁନିୟାଁ ଜୁଳୁ ଜୁଳୁ କରି ଚାହେଁ ସେତେବେଳେ ଦିହ ଶୀତେଇ ଉଠିବ ଜଣକର ।

 

ହ’ମ ଇନ୍ଦୁ ଆଈ ବି କମ୍‌ ସୁନ୍ଦର ନୁହେଁ, ଚଳିବ ।

 

ହେଲେ, ଝୁନିୟାଁର ଗୋଟିଏ ଜିନିଷ ଆଉ କାହା ପାଖରେ ଥିବା ସମ୍ଭବ ନୁହେଁ, ଦି’ଧାର ଓଠକୁ ଲମ୍ବେଇ ସେ ଯେତେବେଳେ ହସିଦିଏ ତା’ ଦି’ଗାଲ ମଝିଟା ଟିପେ ଟିପେ ଯେମିତି ଖାଲ ହେଇଯାଏ....ଯା...ଯାଃ । ସେଇଟା ଇନ୍ଦୁର କ’ଣ କାହାର ନ ଥିବ, ସେ ଏତେ ଝିଅ ଦେଖିଚି, ହେଲେ ସେଇ ଦି’ଟା, ଝୁନିୟାଁର ଭାରି, ସୁରନ୍ଦ ।

 

କ’ଣ ହବ ଯେ ? ସେଇ ଦି’ଟାକୁ ନେଇ ସେ କ’ଣ ଫରୁଆରେ ରଖି ଥାନ୍ତା... ? ଇନ୍ଦୁ ଦେଖିବାକୁ ଖୁବ୍‌ ସୁନ୍ଦର । ହେଲେ, ଝୁନିୟାଁ ରଙ୍ଗଟା ନିଶ୍ଚେ ସଫା । ଦିନକୁ ଦିନ ଆହୁରି ରଙ୍ଗ ଫିଟି ଆସୁଚି । ସତେ କି ସୁନାଟା ଦିନକୁ ଦିନ ଅଉଟି ହେଇ ଯାଉଚି । ଖାଦ ଗୁଡ଼ା ବାହାର ଯାଉଚି । ଇନ୍ଦୁ ଦିହର ରଙ୍ଗଟା ବେଶ୍‌ ମିଠାଳିଆ । ତଥାପି ଝୁନିୟାଁ ଠଉଁ ନୀରସ ।

 

କ’ଣ ହେଲା ଯେ... ନିଜେ ତ ପୁଣି ସେ କଳା...

 

ପଦଟିଏ ମଧୁଅଜା ଆଗରେ ବାଜିଆ ଥିଲା ଭିତରେ କଥା କହିଚି ଇନ୍ଦୁ । ସେଥିରୁ ବାଜିଆ ଠଉରେଇଚି ତା’ ଗଳାଟା ନରମ ହେଲେ ବି ଟିକେ ନାକରେ କହିଲା ପରି ଜଣାପଡ଼େ, କିନ୍ତୁ ଝୁନିୟାଁ....ଆ..କଥା ପଦକରେ ସତେ ଯେମିତି ମେଞ୍ଚାଏ ମହୁ ବୋଳା ହେଇଚି, କେତେ କଅଁଳ ତା’କଥା ଆଉ ସୁରଟା... ।

 

ହଁ..ସେ ଅବା ଆସି ଗୀତ ବୋଲିଥାନ୍ତି । ଇଏ ନ ବୋଲିବ ପଛେ । ଏମିତି ଗୁରେଇ ତୁରେଇ ସବୁ ମନେ ମନେ ତଉଲି ଗଲା ଦିହିଁଙ୍କ ଭିତରେ ବାଜିଆ । ସବୁଥିରେ କେମିତି କେଜାଣି, ଝୁନିୟାଁ । ଆଡ଼େ ପଲାଟା ଟିକେ ଝୁଙ୍କି ପଡ଼ିଲା । ଭଳି ଜଣାପଡ଼ିଲା ।

 

ରାଗିଗଲା ନିଜ ଉପରେ । କାଇଁକି ଏତେ ଝୁନିୟାଁ ଝୁନିୟାଁ ହଉଚି ସେ ! କ’ଣ ଝୁନିୟାଁ ସରଗର ଅପ୍‌ସରୀ ? ହଁ ଇନ୍ଦୁ ଭଲ, ତା’ ଠାରୁ ଶହେ ଗୁଣ ଭଲ । ହଜାରେ ଗୁଣ ଭଲ । ଇନ୍ଦକୁ ନେଇ ସେ ଘର କରିବ । ଝୁନିୟାଁ କୁ ଦେଖେଇ ଦବ ତା’ର ମରଦପଣିଆ ଅଛି କି ନାଇଁ ! ଛାର ଛିକର ମାଇକିନିଆଟା ପାଖରେ ଠିଆ ହେଇ ସେ ତା’ର କରୁଣାକୁ ହାତପାତି ପାରିବ ନାଇଁ । ଛାଇ ପଛରେ ଗୋଡ଼େଇ ସେ ବାଇ ହେଇପାରିବ ନାଇଁ ଆଉ । ଇନ୍ଦୁ ତା’ର ଶହେ ଗୁଣ ଅଧିକ । ତା’ ମନର ପ୍ରତିମା । ତା’ ଘରର ଲକ୍ଷ୍ମୀ । ତା’ ବାପର କୁଳବୋହୂ....ସବୁ । ତା’ ଘର ବଡ଼ ବଡ଼ୁଆରେ କେବଳ ଇନ୍ଦୁର ହକ୍‌ । ଏଥରକ ଝୁନିୟାଁ ରୋଷେଇ କରିବାକୁ ଆସିଲେ ବି ଛୁଆଇଁ ଦବ ନି ତା’ର ହାଣ୍ଡିକୁଣ୍ଡେଇ କିଛି, ନାଁ... ସେ ତାକୁ ଏଥର ଆଇଲେ ବାହାର କରିଦେବ ! !

 

ଘର ପାଖରେ ପହଞ୍ଚୁ ପହଞ୍ଚୁ ପ୍ରାୟ ଦିନ ଲିଭିଗଲାଣି । ସଞ୍ଜ ଆସିବାକୁ ଆଉ ବେଶି ଡେରି ନାହିଁ । ଦାଣ୍ଡପିଣ୍ଡାଟାରେ ବସିଚି ନିଧି । ବାଜିଆକୁ ଦେଖି ସେ ପାରି କଥା ସବୁ ପଚାରିଲା । ବାଜିଆ ଭଲମନ୍ଦ କଥା ଠିକେ ଠିକେ କହିଗଲା । ଆଉ ଶେଷରେ କହିଦେଲା ଯେ ମଧୁ ଅଜା କହିଚନ୍ତି କାଲି ଭିତରେ ଯାଇଁ ଦେଖା କରିବାକୁ; କ’ଣ ଭାରି ଜରୁରୀ । ନିଧି ଆଉ ବିଶେଷ କିଛି ଖୋଳି ତାଡ଼ି ନହେଇ ଉଠିଲାବେଳେ ପଚାରିଲା–

 

‘ତୁ ଖାଇବାକୁ ଯିବୁ ନାଇଁ କି ଦାଦିଘରକୁ... ?’

 

‘ମୁଁ ପରା ଅଜାଘରେ ଏତେ ଖାଇଚି ଯେ ଆଇଲାବେଳେ ଖୋସଣୀ ଖୋଲି ଖୋଲି ଆଉଚି, ଆଉ ମୋଟେ ଇଚ୍ଛା ନାଇଁ ।’

 

ନିଧି ଗଲା ଅଇଁଠା ଘରଆଡ଼େ ଖାଇବାକୁ–ବିଲୁଆ ଭୁକିଦେବ । ବାଜିଆ ମସିଣା ଖଣ୍ଡକ ଉପରେ ପଡ଼ି ଖାଲି ଛଟପଟ ହେଲା । କ’ଣ ଭାବୁଚି ସେ କିଛି ଠିକ୍‌ କରିପାରିଲା ନାହିଁ । ଆବୁରୁ ଜାବୁରୁ ଗୁଡ଼ାଏ ଭାବି ବିଛଣାଟାରେ ଏ ପାଖ ସେ ପାଖ ଗଡ଼ିଲା । କେତେବେଳେକେ କଇଁ ଆଇଲା ଡାକିବାକୁ ବାଜିଆକୁ ।

 

‘ବାଜିଆଇ ! ବୋଉ ଡାକୁଚି, ତମେ ଖାଇବ ନାଇଁ... ?’

 

‘ମୁଁ ଏତେ ଖାଇଚି ଯେ ମୋ ପେଟ ଭର୍ତ୍ତି ହେଇ ଖାଲି ବାନ୍ତି ଉଠଉଚି ।’

 

‘କୋଉଠି ?’

 

‘ସେ ଗାଁକୁ ଯାଇଥେଲି…..’

 

‘ବୋଉ ଡାକୁଚି, ଶୁଣି ଆସିବ ଆସ ।’

 

‘ମୋଟେ ପରା ଉଠି ପାରୁନାଇଁ ଦେଖୁଚୁ । ଆଉ ଯିବ କେମିତି କହିଲୁ ? କାଲି ସକାଳେ ଯିବି ??

 

‘ଦେଈ ପାନ ଭାଙ୍ଗି ରଖିଚି ।’

 

‘ହଉ, କହିବୁ ନିଜେ ଖାଇଦେବ । ମୁଁ ବହୁତ ପାନ ଆଣିଚି, ସେଗୁଡ଼ା ସରିନି ।’

 

‘ଆସିବ ନି ?’

 

‘ନାଁ’ ।

 

‘ତମେ ରାଗିଚ.... ?’

 

‘ନାଇଁ ତ...’

 

‘ହଁ ତ, ଦେଈ କହୁଥେଲା ।’

 

‘ସେ ମିଛ କହିଥିବ ।’

 

ଆଉ କିଛି କହିବାକୁ ପାଇଲା ନାଇଁ କଇଁ । ଏ ଯୁକ୍ତିକି କେମିତି କାଟିବ ସେ, ତା’ର ବା ବୁଦ୍ଧି କେତେ ? ଦେଈ ଆଉ ବାଜିଆଇର ସମ୍ପର୍କ ବୁଝିବା ଭଳି ତା’ର ଦିହର ବୟସ ନ ହେଇଥିଲେ ବି ମନର ବୟସରୁ ସେ କିଛି କିଛି ବୁଝିଲାଣି । ହେଲେ, ତାଙ୍କ ଦିହିଁଙ୍କର ଅଭିମାନ କାହିଁକି କି ପ୍ରକାରର ଆଉ କେମିତି ଭଙ୍ଗାଯିବ–ସେ କଥା ବା ସେ ଠଉରେଇବ କେମିତି ? ପୁଣି କିଛି ସମୟ ତୁନି ରହ କହିଲା–

 

‘ପାନତକ ଆଣି ଦେବି ?’

 

‘ନାଇଁ ପରା କହିଲି ତୁ ଯା, ଦେଈର ବାହାରିଆ କାମ ଆଜି ସହଳ ସରିଯାଇଚି କି ?’

 

‘ନାଇଁ ତ–ସେ ଆଜି ଯାଇନାଇଁ କୁଆଡ଼େ ଦିନଟା ସାର ।’

 

‘ସତେ ? ହଉ ତୁ ଯା, ମୁଁ ଶୁଏ ଟିକେ ।’

 

ଶୋଇବାକୁ ଚେଷ୍ଟାକଲା ବାଜିଆ । ହେଲେ, ନିଦଟା ପୁଣି ଟିକେ ଦୂରଛଡ଼ା ହେଇଗଲା ପରି ଲାଗିଲା ତାକୁ ।

 

ତା’ପରଦିନ ସକାଳୁ ଉଠୁ ଉଠୁ ଟିକେ ଡେରି ହେଇଗଲା ବାଜିଆର । ଉଠି ଦେଖିଲା, ବାପା ତା’ର ଉଠି କୁଆଡ଼େ ଯାଇଚି କେତେବେଳୁ । ଅଲୁଗୁଣିକୁ ଚାହିଁଲା–ଗାମୁଛାଟା ତା’ର ନାହିଁ । ଅଗଣାକୁ ଚାହିଁଲା ଯେ ଲୁଗା ଶୁଖୁନାହିଁ । ତା’ହେଲେ ବାପା ନିଶ୍ଚେ ଗାଧୋଇ ଯାଇଚି ଆସିବ । ଉଠିପଡ଼ିଲା ସେ । ବୋଧହୁଏ ବାପା ଯିବ ସେପାରିକୁ, ସେଇଥିପାଇଁ ତର ତର ହେଇ କାମ ସାରିବାକୁ ଯାଇଚି ।

 

ଏତିକିବେଳକୁ ଆସିଲା କଇଁ, ହାତରେ ତା’ର ପିଠାଥାଳି । ବାଜିଆକୁ ମସିଣା ଉପରେ ବସିଥିବାର ଦେଖି କହିଲା–

 

‘କ’ଣ ଉଠି ନ ଏତେବେଳଯାଏ ?’

 

‘ହୁଁ....’

 

‘ଏଇ ପିଠା ନିଅ, ବୋଉ ଦେଇଚି, ଖାଇବ ।’

 

‘କିଏ ଦେଇଚି ?’

 

‘ବୋଉ....’

 

‘ମିଛ କହୁଚୁ... ?’

 

‘ଦେଈ... ।’

 

ବାଜିଆର ମନ ହେଲା ସାଙ୍ଗେ ସାଙ୍ଗେ ଫରେଇଦବ ଅବା ତା’ ହାତରୁ ନେଇ ଥାଳିକଯାକ ପକେଇ ଦବ । କିନ୍ତୁ ପୁଣି ଭାବିଲା–ଏମିତି କଲେ କଥାଟା ଅସୁନ୍ଦରିଆ ହବ । ଖୁଡ଼ୀ ଜାଣିବ, ବାପା ଜାଣିବ–ସମସ୍ତଙ୍କୁ ହୁଏ ତ କାଟିବ । କାହିଁକି ? କ’ଣ ଦରକାର ? ମୂଳୁ ମାଇଲେ ଯିବ ସରି । ଏତେ କଥାକୁ ଦରକାର କ’ଣ ? ମନର ଭାବକୁ ଲୁଚେଇ ରଖି କହିଲା–

 

‘ହଉ, ସେଇଠି ରଖିଦେଇ ଯା । ମୁଁ ମୁହଁ ଧୋଇ ଆସି ଖାଇବି । କଇଁ ରଖିଦେଇ ଚାଲିଗଲା । ବାଜିଆ ଉଠିଯାଇ କଦଳୀପତର ଯୋଡ଼ାଟା ଟେକି ଦେଖିଲା । ଥାଳିଏ ରକମ ରକମ ପିଠା ବଢ଼ା ହେଇଚି । ଉପରଟା ଯାକ ସାରି ସାରି ନଡ଼ିଆ ପାତ ଖାଲି ଛାଇ ହେଇ ଯାଇଚି । ଝୁନିଁୟା ଜାଣେ ସେ ନଡ଼ିଆ ପାତକୁ ଭଲପାଏ । ତେଣୁ ଅନ୍ୟ ପିଠା ଖଣ୍ଡରୁ ବି କଢ଼ା ହେଇ ଏଇ କେଇ ଖଣ୍ଡରେ ଗୁଞ୍ଜା ହେଲା ଭଳି ବି ଦେଖାଯାଉଚି । ପାଖରେ ନଡ଼ିଆ କୋରରେ ଗୁଡ଼ ଗୋଳାହେଇଥିବା ପୁରରୁ ମେଞ୍ଚାଏ । ସବୁତକ ବାଜିଆର ମନଲାଖି ବଢ଼ା ହେଇଚି । ଆଉ ପାଖରେ ପାନ କେଇଖଣ୍ଡ ବି ଅଛି । ସେ ପାନଖଣ୍ଡ ଭିତରୁ ଖଣ୍ଡେ ଶୁଖିଯାଇଚି । ବୋଧହୁଏ ପହିଲି ରଜ ଦିନର ପହିଲି ପାନ ଖଣ୍ଡଟା ।

 

Unknown

କେମିତି କେଜାଣି ମନଟା ତା’ର କ୍ଷଣକ ପାଇଁ ଝିମେଇ ପଡ଼ିଲା । ହେଲେ, ବାଜିଆ ନିଜକୁ ପୁଣି ଦମ୍ଭ କରନେଲା । ନାଃ...ଏଗୁଡ଼ା ଆଉ ମନରେ ଥାନ ଦବ ନାଇଁ । ଭଙ୍ଗା ଦର୍ପଣରେ ପରା ମୁହଁ ଦେଖିବାଟା ଅଶୁଭ ! ଆଉ କାହିଁକି ସେ ଦେଖିବ ?

 

ଗାଧୋଇ ସାରି ଫେରିଲା ନିଧି । ଓଦା ଲୁଗା ଶୁଖେଇ ସାରିଲା ପରେ ବାଜିଆ ଆଣି ପିଠା ଥାଳିଟା ସେମିତି ପୋଡ଼ାଛାଏଁ ରଖିଦେଲା ନିଧି ସାମନାରେ !

 

‘ଖୁଡ଼ୀ ତମ ପାଇଁ ପିଠା ଦେଇ ପଠେଇଚନ୍ତି ।’

 

ନିଧି ଆଶ୍ଚର୍ଯ୍ୟ ହେଲା–

 

‘ମୋ ପାଇଁ ଏତେ ସକାଳୁ ?’

 

‘ହୁଁ’ଟାଏ ମାରିଦେଇ ବାଜିଆ ଭାବିଲା–କେଡ଼େ ସିଧାସଳଖ ମିଛ କଥାଟାଏ ସେ କହିଦେଲା । ସେ ଯା’ହଉ, ମିଛଟାଏ କହିବାକୁ ପଛେ ରାଜି ହେଲେ, ସେ ଜିନିଷ ଆଉ ଛୁଇଁବ ନାଇଁ । ନିଧି ବସିପଡ଼ି ପତର ଘୋଡ଼ାଟା କାଢ଼ିଦେଲା ବେଳକୁ ପାନତକ ଦେଖି ପଚାରିଲା–

 

‘କରେ, ଏତେଗୁଡ଼ାଏ ପାନ କ’ଣ ?’

 

ଚମକି ପଡ଼ିଲା ବାଜିଆ । ଘୋରା ହେଇଥିବା ଯୋଗୁଁ ପାନ କଥା ସେ ଭୁଲିଯାଇଚି । ଭାବିଲା, କହିଦବ କି ତମ ପାଇଁ ସେ ପାନ ବୋଲି–କିନ୍ତୁ ଭଗବାନ ତାକୁ ସୁବୁଦ୍ଧି ଦେଲେ । ଯଦି ପାନ ଖଣ୍ଡେ ପାଟିରେ ପୂରେଇ ଦବ ହେଲେ ଜାଣି ପକେଇବ ଯେ ସେଗୁଡ଼ାକ ସବୁ ସାଧା ! ବାପା ପାଇଁ ପାନ ଦବାକୁ କ’ଣ ଖୁଡ଼ୀର ଭୁଲହବ ? କେତେ କଡ଼ା ଖାଏ ସେ..

 

ଜୀବନ ବିକଳରେ କହି ପକେଇଲା–

 

‘ନାଇଁ, ସେ ପାନତକ ମୋର । କଇଁ ଭାଙ୍ଗିଚି ପାନ ଯେ, ଦେଖେଇବାକୁ ମତେ ଆଣି ଦେଇଚି କେତେ ଜାତିକା ପାନ ସେ ଭାଙ୍ଗି ଜାଣିଲାଣି ବୋଲି ।’

 

ଏତିକି କହ କାଢ଼ିନେଲା ବାଜିଆ ପାନତକ ।

 

ନିଧି ଟିକେ ଭଲକରି ବୁଝିଲା ନାଇଁକି କ’ଣ, ପଚାରିଲା–

 

‘ତୋ ପାଇଁ ଏ ପିଠାରୁ ଦି’ଖଣ୍ଡ ରଖି ଦଉଚି ?

 

‘ନାଇଁ, ମୁଁ ପରା ଯାଇକରି ଖାଇବି ସେଠି–ଖୁଡ଼ୀ ଡକେଇଚନ୍ତି ।

 

‘ହଁ..ହଁ–ସେ କାଲି କହୁଥେଲା– ତୁ ଦିନଯାକ ଯାଇନୁ ବୋଲି ତା’ ମନ ଖରାପ । ସେଇଥିପାଇଁ ବୋଧହୁଏ ସକାଳୁ ସେ ସବୁ କରିଚି ।’

 

ବାଜିଆ ସହଜରେ ମୁକ୍ତି ପାଇଗଲା ବୋଲି ଗୋଟାଏ ଲମ୍ବା ନିଶ୍ଵାସ ପକେଇଲା’ଯା ହଉ ସୁଧୁରିଗଲା ବିପଦଟା । ଖାଉ ଖାଉ ମନକୁ ମନ କହିବାର ଶୁଣିଲା ବାଜିଆ–

 

‘ମନଟାକୁ କୁଆଡ଼େ ଦେଈ କରିଚି–କେଜାଣି । ମୁଁ ନଡ଼ିଆ ପାତି ଖାଏ ନାଇଁ ବୋଲି ସେ ବେଶିକରି ପକେଇଚି । ବୋଧହୁଏ ତୋର ପାଇଁ ଖାସ୍‌ କରିଚି ତୁ ଭଲ ପାଉ ବୋଲି ।’

 

କଥାଟାରେ ଯେମିତି ଅନେକ ଗୁଡ଼ାଏ ଛୁଞ୍ଚି ଥିଲା ଆଉ ସେଗୁଡ଼ା ସବୁ ଫୋଡ଼ିହେଇଗଲେ ବାଜିଆ ଦିହରେ । ଆଉ ଥରେ ଜାଲଜାଲୁଆ ଆଖିରେ ଚାହିଁଲା ସେ ପିଠାଥାଳି ଆଡ଼େ ।

 

ହଁ, ତାଇ ସେଇ ପ୍ରିୟ କମକରା କଂସାଥାଳି । ସେଇ ସାରି ସାରି ନଡ଼ିଆ ପାତି ପକା ପିଠା । ନଡ଼ିଆପୁର, ପାଖରେ ଦି’ତିନିଟା ଡେଙ୍ଗା ଡେଙ୍ଗା କଞ୍ଚା ଲଙ୍କା, ଆଉ ସେ ପାଖକୁ ଟିକିଏ କୋଳି ଆଚାର । ତାକୁ ଜଣାପଡ଼ିଲା ଯେମିତି ତା’ ବାପାର ଆଙ୍ଗୁଠିଗୁଡ଼ା ସେ ଥାଳିରେ ଚାଲି ସେଗୁଡ଼ା ଖାଲି କରୁନାହାଁନ୍ତି ଆଉ କେଇଟା ପତଳା ପତଳା ଗୋଲ ଗୋଲ ଆଙ୍ଗୁଠି ତା’ ଭିତରେ ଏ ପାଖ ସେପାଖ ହେଇ ଥାଳିଟାକୁ ପୁରାକରି ସଜେଇ ଚାଲିଚନ୍ତି... ।

 

ପାଣି ଢାଳ ଆଣିବାକୁ ଚାଲିଗଲା ସେ ।

 

ନିଧି ଗଲାବେଳେ କହିଦେଇଗଲା–ମୋ ପାଇଁ ଅନେଇବୁ ନାଇଁ । ବାଜିଆ ବୁଝିଲା, ବାପା ନିଶ୍ଚେ ଆଉକୁଆଡ଼େ ଯାଉନାଇଁ–ନିଶ୍ଚେ ମଧୁ ଅଜା ପାଖକୁ । ତା’ ମନଟା କୁଣ୍ଢେ ମୋଟ ହେଇଲୋ । ଠଣାରୁ ଆଣି ଦାନ୍ତକାଠିଟାଏ ପାଟିରେ ପୂରେଇଲା ସେ । ନିଧି ଓହ୍ଲେଇଗଲା ବେଳକୁ ପିଣ୍ଡାତଳେ ପାଟିଟାଏ କଲା । ବାଜିଆ କାନରେ ପଡ଼ିଲା କାହାକୁ ସେ କହୁଚି–

 

‘କିଲୋ, ତୋ ମାଆକୁ କହିବୁ ସବୁତକ ଖାଇ ଦେଇଚି । ଆଉ ମୋ ପାଇଁ କଲା ଯଦି ଏତେ ନଡ଼ିଆ ପକେଇଥେଲା କାଇଁକି ? ସେ ନଡ଼ିଆଗୁଡ଼ାକ ଯାହା ପକେଇଚି ! ନ ହେଲେ ଦେଖିରୁ ଯା–ଥାଳି ସଫା ।’

 

ଏଇ କଥା ଶୁଣି ବାଜିଆ ଛାତିଟା ଚାଉଁକିନା ହେଇଗଲା–

 

ଅରେ କଇଁ ତ ଯାଇଁ ଅଇଚ୍ଛା ସବୁ କହିଦବ ଘରେ । ଥାଳି ନବାକୁ ଆସିଚି । କଥାଟା ବଡ଼ ନାକରା ହେଲା । ନିଶ୍ଚେ ଧରା ପଡ଼ିଯିବ ବାଜିଆ । କାନ ଡେରିଲା–ବାପା ତା’ର କହିଦେଇ ଚାଲିଗଲା । ଘର ଭିତରକୁ ପଶୁଚି କଇଁ ।

 

ଚମକ ପଡ଼ିଲା–ଆଗରେ ଝୁନିଁୟା । ଆଖିରେ ଲୁହ ଢଳ । ଢଳ ମୁହଁରେ ତା’ର କଥା ନାହିଁ । ଥାଳିକି ଅନେଇଲା ସେ । ମୁହଁଟେକି ବାଜିଆକୁ ଥରେ ଚାହିଁଲା–ବାଜିଆ ମୁହଁରେ ଦାନ୍ତକାଠି-। କଥାଟାକୁ ବୁଝିବାକୁ ଆଉ ତା’ର ବାକି ରହିଲା ନି । ଥାଳି କଡ଼ରେ ସବୁତକ ନଡ଼ିଆପାତି କଢ଼ାହେଇ ପଡ଼ିଚି । ଯୋଉ ନଡ଼ିଆକୁ ଚୁନେଇଁବାକୁ ତାକୁ କେତେ ନେହୁରା ହବାକୁ ପଡ଼ିଚି ସୁରକୁ-। ...ସେ ନିଜେ କାଟିବ ନାଇଁ ରଜରେ । ସୁର ପିଲାଟାଏ ।

 

‘ବିଶେଷ କିଛି ଦୋଷ ନାଇଁ ତା’ କାଟିବାରେ....’

 

ଦୀର୍ଘ ନିଃଶ୍ଵାସଟାଏ ପକେଇ ଥାଳି ପାଖରେ ବସିପଡ଼ିଲା ଝୁନିୟାଁ । ନିହାତ ସାଧାରଣ ଦିନ ଭଳି ଅଇଁଠାକୁ ଆସ୍ତେ ଆସ୍ତେ ଗୋଟେଇବାକୁ ଆରମ୍ଭ କଲା ।

 

ବାଜିଆ ଦେଖିଲା–ଝୁନିୟାଁ । ଅଇଁଠା ଥାଳି ଗୋଟଉଚି । ଯୋଉ ପାନ ଚାରିଖଣ୍ଡ ସେ ଥାଳିରୁ ସେଇ ଠଶା ଉପରେ ରଖିଥେଲା ତାକୁ ଆଣି ସେମିତି ଠିଆହେଇ ଉପରୁ ଥାଳିକୁ ପକେଇଦେଲା ।

 

ଆଉ ଥରେ ମୁହଁଟେକି ଚାହିଁଲା ଝୁନିୟାଁ, ତା’ର ଯେମିତି କିଛି କହିବାର ନାହିଁ ସେ ପାନତକ ହାତରେ ଦଳି ଖିଣଭିଣ କରି ସେଇ ଅଇଁଠା ସାଙ୍ଗରେ ଗୋଟେଇ ନେଲା । ଅଗଣାକୁ ଯାଇ ବାସନ ପିଛୁଳେଇ ସାରି ସେଇ ନୋଟାରେ ନୋଟାଏ ପାଣି ଥୋଇଦେଲା ବାଜିଆ କାଳେ ଦାନ୍ତ ଘଷିବାକୁ ଦରକାର କରିବ ବୋଲି ।

 

ଛୁଞ୍ଚୁ କନାକୁ ଅଇଁଠା ଉପରେ ବୁଲେଇ ଆଣି ହାତ ଧୋଇ ଥାଳି ଦି’ପଟ ଧରି ଦୋଷିଟି ଭଳି ବାହାରି ଆସି ଆଗେଇଲା ନିଜ ଘରକୁ । ଗଲାବେଳେ ବାଜିଆ ଖାଲି କଣେଇ କରି ଏତିକି ଦେଖିଚି ଦି’ଆଖି କ’ଣରୁ କ’ଣ ପୋଛିଦେଲା ଝୁନିୟାଁ ।

 

ଚାଲିଗଲା ପରେ ହସିଲା ବାଜିଆ ମନେ ମନେ ।

 

ହଁ......ମରଦ ପଣିଆ ଆରମ୍ଭ ହେଇନାଇଁ ତା’ର ମୋଟେ । ସେତିକିରେ ଏତିକି ? ତାକୁ ଭାରୀ ଖୁସି ଲାଗିଲା । ମନରେ ଉଙ୍କି ମାରିଲା କାଲିର ସେଇ ମୁହଁଟା, ବାପା ତା’ର ଗାଁ ମୁଣ୍ଡ ଟପି ନଥବ ବୋଧେ । କେମିତି ଯାଇ ଜଲଦି ପହଞ୍ଚନ୍ତା... ।

 

ଇନ୍ଦୁ... । ବାଃ... ବଢ଼ିଆ ନାଁ ଟାଏ ବି ।

 

ବାଜିଆ ଗୋଟାଏ କାନ୍ଥକୁ ଏକ ଲୟରେ ଚାହିଁଲା । ତା’ପରେ କାନ୍ଥ ପାଖକୁ ଯାଇ ଦାନ୍ତକାଠି ପଛକଡ଼ରେ ଗୋଟିଏ ଯାଗାରେ ଦାଗ ଦେଲା । ଦୂରରୁ ଆସି ଦେଖିଲା...ହଁ ତ ସେଇଆ ହବ ।

 

ଏଥର କାନ୍ଥ ପାଖକୁ ଲାଗିଯାଇ ନିଜେ ସେ ଦାଗ ପାଖରେ ଠିଆ ହେଲା, ନିଜ ଦିହ ସାଙ୍ଗରେ କଛିଲା ।

 

ବାଃ...ଇନ୍ଦୁ ଆଉ ସେ ପାଖାପାଖି ଠିଆହେଲେ ଇନ୍ଦୁ ଠିକ୍‌ ତା’ ଛାତି ମଝିଆ ମଝି ଯାଏ ହବ । ଆହୁରି କ’ଣଟାଏ ଭଲକରି ଭାବିବା ପାଇଁ ଛେପ କାଢ଼ି ଦେଇ ଆସିବ ବୋଲି ଅଗଣାକୁ ବାହାରିଗଲା । ଛେପ ପକେଇ ସହଳ ଚାଲିଆସିଲା ବେଳକୁ ପାଣି ନୋଟାରେ ଗୋଡ଼ ବାଜି ପାଣିତକ ଢାଳି ହେଇଗଲା । ସେଥିପାଇଁ ସେ ବ୍ୟସ୍ତ ହେଲାନି । ହମ….ଏକାଥରେ ତ ଗାଡ଼ିଆରେ ଯଇ ସବୁକାମ ବଢ଼େଇ ଦେଇ ଆସିବ ।

 

ନିଧି ଫେରୁ ଫେରୁ ସେଦିନ ରାତି ଦି’ଘଡ଼ି ।

 

ବାଜିଆ ବହୁତ ବେଳଯାକେ ଅପେକ୍ଷା କଲା ମନେ ମନେ, କିଛି ଗୋଟାଏ କଥା ଆଜି ହେଇଥବ ନିଶ୍ଚେ । ହୁଏ ତ, ଫେରିଲା ପରେ ସେ ପଚାରିପାରେ ବାଜିଆକୁ, ବାଜିଆ ସେଥିପାଇଁ ଘରଟାରେ ଖାଲି ମସିଣା ପାରି ଗଡ଼ୁଥାଏ । କେତେବେଳେକେ ଆଇଲା ନିଧି । ବାଜିଆ ସେମିତି ଶୋଇବାର ଛଳନା କଲା, ମୁହଁ ମାଡ଼ି ଶୋଇ ହାତ କହୁଣୀ ଫାଙ୍କରେ ଦେଖିବାକୁ ଚେଷ୍ଟାକଲା ତା’ ବାପାର ଗତିବିଧି । ନିଧି ଆଉ ବାଜିଆକୁ ନ ଉଠେଇ ପକେଟରୁ ଦିଆସିଲି କାଢ଼ି ଡ଼ିବିରି ଜଳେଇଲା । ବଡ଼ ନଗେଇଲା, ବାଜିଆ ଦେଖୁଥାଏ–ଏଥର ସ୍ପଷ୍ଟ ଦେଖାଯାଉଚି ତା’ ବାପାର ମୁହଁ । ଗୋଟାସୁଦ୍ଧା ଗମ୍ଭୀର ହେଇଯାଇଚି । କ’ଣ ସେମିତି ଭାବି ମଥାଟା ଓଜନିଆ ହେଇଗଲା ଭଳି ଜଣା ପଡ଼ୁଚି । ବାଜିଆ ଟିକିଏ ଶଙ୍କିଗଲା । ‘‘ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ ନାଇଁ ତ ?’’ ବେଶି କିଛି ଆଉ ବୁଝିପାରିଲା ନାଇଁ । ପାଖରେ ‘ମସିଣାଟା ପକେଇ ଗଡ଼ିପଡ଼ିଲା ଡ଼ିବିରିଟାକୁ ନିଭେଇ ଦେଇ ।’

 

ବାଜିଆର ନିଦ ଭାଙ୍ଗିଲା ହୁଳହୁଳି ଶଙ୍ଖ ଶବ୍ଦରେ । ମନେପଡ଼ିଲା ତା’ର ଆଜି ବସୁମତୀ ଗାଧୁଆ ପରା, ଦେଖିଲା ବାପ ତା’ର ଉଠି ଦାଣ୍ଡ ଚଉକାଠ ଉପରେ ବସି ପିକା ଟାଣୁଚି । ବାଜିଆ ଉଠିବାକୁ ଆଉ ଅପେକ୍ଷା କରିଚି କି ସିଏ....କ’ଣ ପଚାରିବ ବୋଲି ? ସେଇଆ ହବ ଭାବି ବାଜିଆ ଟିକେ ଶୁଣେଇ କରି ଭିଡ଼ିମୋଡ଼ି ହେଇଉଠିଗଲା । ଚଟ୍‌ପଟ୍‌ ଦାନ୍ତକାଠିଟାଏ କାଢ଼ିଲାବେଳେ ଜାଣିକରି ଗୁଡ଼ାଖ ଡବାଟାକୁ ଠଣ୍‌କରି ତଳେ ପକେଇ ପୁଣି ଉଠେଇ ରଖିଲା । ଦାନ୍ତକାଠି ପାଟିରେ ପୁରେଇ ସପଟାକୁ ଉଠେଇ ଖୁବ୍‌ଜୋରରେ ଝାଡ଼ିକରି ଗୁଡ଼େଇଲା–ହେଲେ କାଇଁ ବାପା ତ କିଛି କହୁନାଇ ।

 

ସେମିତି ନିର୍ବିକାର ଭଳି ବସିଥାଏ । ଏତିକିବେଳେ କାହାକୁ ଦାଣ୍ଡରେ ଦେଖି ପଚାରିଲା–

 

‘କୁଆଡ଼େ ଯାଉଚୁ କି ?’

 

‘ଗାଡ଼ିଆକୁ ।’

 

ବାଜିଆ ଜାଣିଲା ଅଇଁଠା’ଦାର ଗଳା ଇଏ ।

 

‘ରହ ମୁଁ’ ଯିବି ।’

 

କାନ୍ଧରେ ଗାମୁଛାଟା ପକେଇ ଗୁଡ଼ାଖୁ ଟିଣାଟାରୁ ଟିପେ ଗୁଡ଼ାଖୁ ନେଇ ଚାଲଗଲା ନିଧି ଅଇଁଠା ସାଙ୍ଗରେ । ବାଜିଆ ମନଟା ଖାଲି ଛଳପକ ହଉଥାଏ ।

 

କଥାଟା କିଛି ଜାଣିହେଲା ନାଇଁ । ଫେର ଅଇଁଠା ଦା’ସାଙ୍ଗରେ ସେ–ଗଲ । କଥାଟା ପ୍ରଘଟ ହେଇଯିବ ନାଇଁ ତ ? ବାପାର ଯେମିତି ମିଞ୍ଜାସ, ଯଦି ରୋକ୍‌ଠୋକ୍‌ ପଚାରିଦେଲା–ମତେ ନ ଜଣେଇ କାଇଁକି ଝୁନିୟାଁର ବାହାଘର ଠିକ୍‌ କଲ ? ହଅ...ଏକଥା କେବେ ସେ ପଚାରିବ ନାଇଁ । ବାପା କ’ଣ ଏମିତି ଗମାର ହେଇଚି ? ତା’ ଛଡ଼ା ତାକୁ ମଧୁଅଜା । ବାଗେଇ ଦେଇ ନଥବ ଯେ....-

 

ସହଳ ସହଳ ବାହାର ପଟୁ କବାଟଟା ଜଞ୍ଜିର ଲଗେଇ ଦେଇ ସେ ବି ବାହାରିଗଲା ଆର ପାଖ ବୁଦାବଣ ଆଡ଼କୁ । ନ ହେଲେ ମେଞ୍ଚାଏ ଭୋଗ ଧରି କିଏ ଝୁନିୟାଁ ଘରୁ ଆସି ପହଞ୍ଚି ଯିବ ତ ସେ ଗୋଟାଏ ଝାମେଲା ।

 

ଗାଧୋଇଗଲା ବାଟରେ, ଦିହିଁଙ୍କର କେତେ କଥା ପଡ଼ିଲା, ଢ଼ିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ । ଲତା ମରିବା ପରେ କୋଟ କଚେରୀ କାମଯୋଗୁ କେମିତି ନିଧିକୁ ଦଉଡ଼ିବାକୁ ପଡ଼ଚି କଟକ । ତା’ ସାଙ୍ଗକୁ ରସ ଗଲାସନର ଯୋଉ ଫଉଜ–ଦ୍ଵାରୀ ମକଦ୍ଦମା ଏସବୁ ପାଇଁ ଯିବା ଆସିବା କରି କରି ତା’ର ଆଉ ଜମିବାଡ଼ିକୁ ଦେଖାଦେଖି କରିବାକୁ ଜମ୍ମାରୁ କେମିତି ସମୟ ହଉ ନାଇଁ, ଘର କଥା ବି କେତେ ପଡ଼ିଲା ।

 

ଗାଧୁଆ ଶେଷ କରି ଫେରିଲା ବାଟରେ ନିଧି ପଚାରିଲା ଅଇଁଠାକୁ ।

 

‘ଆରେ ଅଇଁଠା ! ଝୁନିୟାଁ ବାହାଘର କଥା କ’ଣ କଲୁ ?’

 

‘ସେଗୁଡ଼ା ମୁଁ ଭାବୁନେଇ… ?’

 

‘ଭାବୁନଉଁ ମାନେ ? ଆଉ ତୋ ପାଇଁ କିଏ ଆସି ଭାବିବ ?’

 

‘ଭାବିବାର କ’ଣ ଅଛି ଯେ ? ସେ ତ ଯୋଉଠିକି ଯିବାର କଥା ଯାଇକରି ଅଛି । ନବାକଥା ଯେତେବେଳେ କହିବୁ ମୁଁ ପଠେଇ ଦେବି । ଖାଲି ଏ ପାଖରେ, ଅଛି ସେ ପାଖକୁ ଯିବ । ନ ହେଲେ ତାକୁ ତ ଆଉ କେବେ ମୁଁ ମୋ ସମ୍ପତ୍ତି ବୋଲି ଭାବିନେଇଁ । ସିଏ ଘରେ ରହିଲା ଦିନଠଉଁ ତା’ ବୋଉ ତାକୁ ତମ ଘର ପାଇଁ ପାଣି ଛଡ଼େଇ ଦେଇଚି । ଆଉ ମୋର ଭବିବା ଦରକାର କ’ଣ ?

 

ଆଶ୍ଚର୍ଯ୍ୟ ହେଲା ନିଧି–ତା’ହେଲେ ସେ ଭୁଲ ଶୁଣିଚି ନାଁ ଅଇଁଠା ତାକୁ ଲୁଚଉଛି । ଟିକେ ଭଲକରି ଜାଣିବା ପାଇଁ କହିଲା–

 

‘ନାଇଁ ମୁଁ ଶୁଣିଲି କୁଆଡ଼େ ତା’ର ପରା ଆଉ କୋଉଠି ସବୁ ନାଗିଚି ନାଁ କ’ଣ ?

 

ସେତେବେଳକୁ ସେମାନେ ନୀଳକଣ୍ଠଙ୍କ ବେଲଗଛ ମୂଳକୁ ଆସି ଯାଇଥିଲେ । ସେଠି ମୁଣ୍ଡିଆ ମାରୁ ମାରୁ ଏଇ କଥାରେ ଅଇଁଠା କହିଲା–

 

‘ମୋ ମୁହଁକୁ ମହାପ୍ରୁ ମାରୁଚନ୍ତି, ନିଧିଭାଇ ମୁଁ ତାଙ୍କର ନିୟମ କରୁଚି ଆଉ କୋଉଠି ନଗେଇବାରୁ କଥା ତ ଦୂରରେ ଥାଉ ମୁଁ ଆଉ ଅନ୍ୟଥ ଭାବିନାଇଁ, ଯମ୍ମା, ମୁଁ ତ ମୂଳରୁ ଠିକ୍‌ କରିଚି ବାଜିଆ ମୋର ଆଉ ଝୁନିୟାଁ ତୋର । ଏଥିରେ ଆଡ଼ବାଙ୍କ ହବାର ତ କିଛି ନାଇଁ ।

 

‘ତା’ ହେଲେ ମାଳତୀ ଯଦି କୋଉଠି ବୁଝା ବୁଝି କରିଥିବ ।’

 

‘ହେ ତୁ ସେଇଟାକୁ ଚିହ୍ନିଲୁ ନାଇଁ ? ସେ ପରା ଏଇ ରଜ ଆଗଦିନ ହବ କି କ’ଣ ମତେ କଥା ପଡ଼ୁ ପଡ଼ୁ କହିଲା–ଝୁନିୟାଁ କ’ଣ ଏମିତି ରହି, ରଜ ପାଳୁଥବ ? ଯାହାର ଜିନିଷ ତା’ ଘରକୁ ପଠେଇଦବାର ବନ୍ଦୋବସ୍ତ କରୁନାଁ କାଇଁକି ? ସବୁଦିନେ ବାପ ପୁଅ ଏମିତି ଚୁଲି ଫୁଙ୍କିଥିବେ... । ଆଉ ଇଏ ଏଆଡ଼େ ବାପଘର ସୁଖ ପାଉଥବ ? କ’ଣ ଭଲ କଥା ? ଏମିତି କହିବାରୁ ମୁଁ କହିଲି ଯେ–ହଁ ବଳେ ନିଧିଭାଇ ଆଖିକି ବଳେଇ ପଡ଼ିବ ଯେତେବେଳେ ସେ ଡାକିନବ ନାଇଁ ଯେ ମୁଁ କଇଁ ଗୋଟାଏ ଉପରେ ପଡ଼ିବି ?

 

ଏଇ କଥାରେ ନିଧି ଟିକେ ଗୁମ୍‌ ମାରିଗଲା । କ’ଣ ସେ ଭାବିଲା ସେ କଥା ସେଇ ଜାଣେ, ଦିହେଁଯାକ ସେତେବେଳକୁ ସେଇଠି ଠିଆ ହେଇଥାନ୍ତି, ବେଲଗଛ ତଳେ । ନିଧି ପଚାରିଲା–

 

‘ତା’ ହେଲେ ତୁ ମତେ କଥା ଦଉଚୁ...ଝୁନିୟାଁକୁ ମୋ ଘରକୁ ପଠେଇବୁ ?’

 

‘ମୁଁ ଆଉଥରେ ଠାକୁରଙ୍କ ଆଡ଼କୁ ହାତ ବଢ଼େଇ କହୁଚି ତୋ ଘରଛଡ଼ା ମୁଁ କେବେ ଆଉ କାହାଘର କଥା ଭାବିନାଇଁ କି ଭାବିବି–ସେ ଆଶା ବି ନାଇଁ । ଆମ ଦି’ଜଣଙ୍କ କଥା ଛାଡ଼ । ଝୁନିୟାଁକୁ ତୁ କ’ଣ କିଛି ଠଉରେଇନୁ ? ସେ ବଞ୍ଚିବଟି ତା’ ବାଜିଆଇକି ଛାଡ଼ି ?

 

ପୁଣି ଚାଲିଲେ ଦିହେଁଯାକ । ଘରେ ପହଞ୍ଚିଲା ବେଳକୁ ନିଧି ଅଟକିଯାଇ କହିଲା–

 

‘ତା’ହେଲେ ମୁଁ ଡାକି ଦଉଚି ତା’ ଅଜାକୁ । ଆରେ–ସେ ପାରିର ମଧୁ ପଟ୍ଟନାୟକ–ମୋ ଦାଦି ଶଶୁର ମ । ମୂରବୀ ଭିତରେ ତ ସେଇ ଗୋଟିକ । ସେ ଆସନ୍ତୁ, ବୁଢ଼ା ଖାଲି ଟିକେ ଆଖି ପକେଇ ଦଉ । କାମଟାକୁ ସହଳ ବଢ଼େଇଦବା । ଆଉ ତାକୁ ନ ଡାକି କରିଗଲେ କହିବ–ମୂରବି ତାଲିକାରେ ଆମକୁ ଗଣିଲେ ନାଇଁ ।’

 

‘ନାଁ ନାଁ...ତା’ କାଇଁକି କରିବା–ଅନ୍ୟାୟ ହବ । ବୁଢ଼ାଟି ବଢ଼ିଆ ଲୋକଟିଏ । ତାକୁ ଡାକ୍‌-। ନ ହେଲେ ଯଦି ହବ ତ ମୁଁ ଯାଇଁ ଡାକିକରି ଆଣିବି । ସେଥିରେ କ’ଣ ଅଛି ?’

 

ନିଧି ଜଞ୍ଜିର ଖୋଲି ଭିତରକୁ ପଶିଲା । ଅଇଁଠା ଆଗେଇଲ ତା’ ଘର ଆଡ଼େ । ବାଜିଆ ଫେରିନାଇଁ ସେତେବେଳଯାକେ । ଲୁଗା ପାଲଟି ବସିଲା, ତା’ ମନରେ ଗୋଟିଏ କଥା ଘେରା ଖାଉଥାଏ । ମଧୁଦାଦି କାଲି ଯୋଉକଥା କହିଛନ୍ତି ସବୁ ଗୁଡ଼ାକ ସାର କଥା । ଇନ୍ଦୁ ଝୁଅଟି ବି ଜମ୍ମା ନାକରା ନୁହଁ କିନ୍ତୁ କାଇଁ ଅଇଁଠା କଥାରୁ ତ ସେମିତି କିଛି ଜଣାଗଲା ନାଇଁ । ତା’ହେଲେ ମଧୁଦାଦି କେମିତି ଏକଥା କହିଲେ....କ’ଣ ମନରୁ ଫାନ୍ଦି ? ସେ ତ କେବେ ମିଛ କହିବା ଲୋକ ନୁହେଁ । ଆଉ ତା’ହେଲେ କ’ଣ ବାଜିଆ କହିଚି ? ବାଜିଆ ଏଡ଼େ ମିଛଟାଏ ତ କେବେ କହିବନି–ପୁଣି ଝୁନିୟାଁ କଥାରେ । ସେ ଦିହିଙ୍କ ତ ସେ ଦେଖିଚି, ଜାଣିଚି । ଠଉରେଇଚି । ସେ ମମତା ତ ଭାଙ୍ଗିବାର ନୁହେଁ ? ତେବେ, ଆଉ କ’ଣ ଝୁନିୟାଁର କୋଉଠି ଇଚ୍ଛା ଅଛି ? ନା ବାଜିଆ ସାଙ୍ଗରେ ତା’ର ମନ ଫଟାଫଟି ହେଇଚି ?

 

ଏଇ ପଛ ଦି’ଟା କଥା ତା’ ମନରେ ବେଶି ଘେର ଖାଇଲା । ନାଃ....ୟାର ଗୋଟାଏ କିନାରା ହବା ଚାହି । ବାଜିଆକୁ ପଚାରିଲେ କିଛି ଲାଭ ନାଇଁ । ସେଇଟା ହୁଣ୍ଡା ହାଉଡ଼ାଟାଏ । ସେ ପଚାରିବ ଝୁନିୟାଁକୁ । ସେଥିରେ କ’ଣ ଅଛି ? ବାପ ବଦଳି ବାପଟାଏ ସେ । ବାପ ଆଗରେ ଝୁଅର ଲୁଚେଇବାର କ’ଣ ଅଛି ?

 

ମନ କଥା ମନରେ ଅଛି ଝୁନିୟାଁ ଆସିଲା ଘରକୁ । ତା’ ମନରେ ସେ ଆଶାକରି ଆସୁଥେଲା ବାଜିଆ ଇକୁ ହେଲେ ବଡ଼’ପାକୁ ଦେଖି ଟିକେ ଶଙ୍କିଗଲା । ପଚାରିଲା–

 

‘ବାଜିଆଇ ନାଇଁ କି ବଡ଼ା’ପା.... ?’

 

‘ଗାଧେଇ ଯାଇଚି କି କ’ଣ...କାଇଁକି ଲୋ ?’

 

‘ବୋଉ ଡାକୁଥେଲା...’

 

ଆଚ୍ଛା । ତୁ ମୋ କତିକି ଶୁଣିଲୁ ମା.....’

 

ପାଖକୁ ଆସିଲା ଝୁନିୟାଁ । ନିଧି ତାକୁ ପାଖକୁ ଝାଣି ତା’ ମୁଣ୍ଡରେ ହାତ ବୁଲେଇ ଆଣିଲା ।

 

‘ଦେଖ୍‌ ମା’ ? ତତେ ମୋ ରାଣ, କଥାଟାଏ ପଚାରିବ ଜମାରୁ ଲୁଚେଇବୁ ନାଇଁ ।’

 

ଝୁନିୟାଁ ଛାତିରୁ ନିଆଁଟାଏ ଖସିଲା । କ’ଣ ପଚାରିବ ତାକୁ ବଡ଼ାପା...ସେମିତି କଥା ? ବାଜିଆଇ ସାଙ୍ଗରେ ଝଗଡ଼ା କଥା ? କାଲିକା ପିଠା କଥା ? ଆଖିବୁଜି ହେଇଗଲା ତା’ର, ପ୍ରଶ୍ନକୁ ଅପେକ୍ଷା କରି ସେ ରହିଲା ।

 

‘କହିଲୁ ! ବାଜିଆ ଆଉ କେତେଦିନ ଏମିତି ନୁଙ୍ଗାଠୁଙ୍ଗା ବୁଲିବ ? ମତେବି ଘରଟା ମାଡ଼ିମାଡ଼ି ପଡ଼ିଲାଣି । ଭାବିଚି ତତେ ଶୀଘ୍ର ନେଇ ଆସିବି–ତୋର ମତ କ’ଣ କହିଲ ମା’.... ?’

 

କିଛି କହିନପାରି କଇଁ କଇଁ ହେଇ, ନିଧି ଛାତିରେ ମୁହଁରଖି କାନ୍ଦି ପକେଇଲା ଝୁନିୟାଁ । ସବୁ କଥାଗୁଡ଼ାକ ଯେମିତି ତା’ ଗଳା ପାଖରେ ବାଟ ନପାଇ ଆଖିପଟେ ବାହାରି ଆସୁଚନ୍ତି ଲୁହ ହେଇ । ନିଧି କଥାଟାକୁ ସଫା କରିଦେବା ପାଇଁ ପଚାରିଲା–

 

‘ଦେଖ୍‌ ମା’ ! ଏ ଜୀବନ ସଉଦା କଥା । ଖାଲି ବାଜିଆ ପେଇଁ ମୁଁ ତତେ କହଚି ବୋଲି ନୁହେଁ । ତୋର ଯଦି ଆଉ କୋଉଠି ମତ ଅଛି ସେ କଥା ତୁ ମତେ କହ । ମୁଁ ତତେ କଥା ଦଉଚି ସେଇଠି ତୋର ବାହାଘର ହବ । ତୁ ମୋର ଝିଅ ପରା, ମତେ କାଇଁ ଲୁଚେଇବୁ କହ, ବାଜିଆ ପେଇଁ ନ ହେଲେ ଅନ୍ୟଠେଇଁ ଦେଖିବା–ସେଥିରେ କ’ଣ ଅଛି ?’

 

ଏ କଥାରେ ଆହୁରି ଭୋ ହେଇ କାନ୍ଦି ଉଠିଲା ଝୁନିୟାଁ । ନିଧି ଦେଖିଲା ଝୁନିୟାଁର ବେଳକୁ ବେଳ ଅସମ୍ଭାଳ କୋହ ଉଠୁଚି । ତା’ କାନ୍ଦ ରୋକିବାକୁ କହିଲା–

 

‘ତା’ହେଲେ ତୁ ଏମିତି କାନ୍ଦିବୁ ? ମୁଁ ରାଣ ପକେଇଚି କ’ଣ ଏଇଥି ପାଇଁ ?’ ଝୁନିୟାଁ ଥମିଗଲା ଟିକିଏ । ସତେ ତ...ବଡ଼ାପା ରାଣଟା ପକେଇଚି । ତାକୁ ଥମିବାର ଦେଖି କହିଲା ନିଧି–

 

‘ତୁ ତା’ହେଲେ ମତେ କହିବୁ ନ ଖୋଲିକରି ନାଁ...ମୋ ଭଳିଆ ବୁଢ଼ା ପୁଅଟାକୁ ତୁ ଲାଜ କରୁଚୁ ମା ? ତୋ ମୁହଁରୁ ଖୋଲି ଜବାବଟାଏ ପାଇଲେ ଦଗ୍ଧ ପ୍ରାଣରେ ଟିକେ ଜୀବନ ପଶନ୍ତା । ହେଲେ ତୁ ଭାବନା ମୁଁ କାଳେ ଦୁଃଖ କରିବି । ତୁ ତ ଏ ଘରର ବାଜିଆକୁ ବାହାହେଲେ ବି ତୁ ଏ ଘରର । ନ ହେଲେ ବି ତୁ ଏ ଘରର, ତୋର ପସନ୍ଦରେ ଏ ଘରକୁ ଆଉ ଜଣକୁ ଆଣିଵି ତୁ କହ ?’

 

‘କ’ଣ କହିବି ଯେ ?’

 

କାନ୍ଦ କାନ୍ଦ ହେଇ ମୁହଁ ଖୋଲିଲା ଝୁନିୟାଁ ।

 

‘ତୋର ଅନିଚ୍ଛା ନାଇଁ ତ ?

 

‘ମୋ ଇଚ୍ଛା କ’ଣ ତମେ ଆଜିଯାଏ ଜାଣିଲ ନ ବଡ଼ାପା । ମତେ ମୁହଁ ଖୋଲିବାକୁ ପଡ଼ିବ ? ତମେ ଯଦି ମତେ ଦୂରେଇ ଦବାକୁ ଚାହଁ ଆଉ ବାଜିଆଇର ଯଦି ସେଥରେ ଖୁସି ତା’ହେଲେ ସେଥିରେ ବି ମୋର ଖୁସି । ହେଲେ, ମୁଁ ତ କାଇଁ ଜଣକ ଛଡ଼ା.......’

 

ଆଉ କହିପାରିଲାନି ଝୁନିୟାଁ । । ନିଧି ବୁଝିଲ ତା’ ମନ କଥା । ଆଉ କିଛି ଜାଣିବା ତା’ର ଦରକାର ନାଇଁ । ଗୁଡ଼ାଏ ଉଡ଼ା ଖବରରେ ସେ ଏତେ ବ୍ୟତିବ୍ୟସ୍ତ ହବା ଜମାରୁ ଉଚିତ୍‌ ନଥେଲା । ଏଥର ଆଉ ଡେରି କରିବାଟା ମୋଟେ ଉଚିତ ହବନାଇଁ । ଯେତେଶୀଘ୍ର ପାରେ କାମଟା ଉଠିଗଲେ ଯାଏ । ଝୁନିୟାଁ । ଆଖିରୁ ଲୁହ ପୋଛିଦେଇ କହିଲା–

 

‘ନାଇଁ ଲୋ ମା ସେକଥା କ’ଣ ମୁଁ ଜାଣିନେଇଁ । ମୁଁ ତୋ ମନ ବିଡ଼ିବାକୁ କହୁଥେଲି ନାଁ...-। ତୁ ବୁଝୁନୁ ଆଜି କାଲିର ନିୟମ କହୁଚି ଥରେ ଅଧେ ଏମିତି ଝିଅ ପୁଅକୁ ତାଙ୍କ ମନ କଥା ପଚାରି ଦେଇଥେଲେ ଭବିଷ୍ୟତକୁ ବିପଦ କମ୍‌ । ହଉ ତୁ ଯା, ବାଜିଆ ଆଇଲେ ମୁଁ ପଠେଇଦେବି-।’

 

ଆଖିରୁ ଲୁହ ପୋଛି ପୋଛି ଝୁନିୟାଁ ବାହାରିଲା ନିଜ ଘର ଆଡ଼କୁ । ଏଇ ସମୟକୁ ଆସୁଥେଲା ବାଜିଆ । ତା’ ଆଖିରେ ପଡ଼ିଗଲା ଝୁନିୟାଁ । ଆଖି ପୋଛି ପୋଛି କଥାଟା ଠିକ୍‌ ଠଉରେଇ ପାରିଲା ନାଇଁ ସେ । ଯେମିତି ଝୁନିୟାଁର ଆଖି ପଡ଼ିଚି ବାଜିଆ ଉପରେ ଝୁନିୟାଁ । ଆହୁରି ତର ତରରେ ପଶିଗଲା ତାଙ୍କ ଘର ଭିତରକୁ । ବାଜିଆ ଚିନ୍ତାକଲା କ’ଣ ହେଇପାରେ ।

 

କଥାଟା ଆଉ ବାପା କହିଦେଲା କୀ ତା’ ଆଗରେ ? ମହାପ୍ରୁ ଜାଣନ୍ତି । ହେଇଥବ କି ସେଇଆ, ମରଦପଣିଆରୁ ଛଟିକ ପଡ଼ିଯାଇଥବ ତା’ ହେଲେ ।

 

ଘରେ ପଶି ବାଜିଆ ଦେଖିଲା ନିଧି ଗମ୍ଭୀର ହେଇ ବସିଚି ।–ତା’ହେଲେ ତା’ର ଅନୁମାନ ସତ । ବାପା ନିଶ୍ଚେ କଥାଟା କହି ଦେଇଚି । ବାଜିଆକୁ ଦେଖି ନିଧି କହିଲା–

 

‘ଆରେ ତତେ ଖୁଡ଼ି ଡକେଇଚି.....’

 

ଉତ୍ତର ଦେଲା ନାଇଁ ବାଜିଆ । ଟିକିଏ ପରେ ପୁଣି କହିଲା ନିଧି–

 

ଟିକେ ଯାଇ ସମୟ ଦେଖି ସେ ପାରିରେ ମଧୁ ଅଜାକୁ କହିଦେଇ ଆସିବୁ ତ–ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା ଦିନ ଦିନବାର ଠିକ୍‌ହବ । ୟା ଭିତରେ ସେ ସୁବିଧା ଦେଖି ଦିନେ ଓଳିକରେ କୋଉଦିନ ‘ଆସିପାରିବେ ସେ କଥା ତୋ ହାତରେ କହିବେ ।

 

ବାଜିଆ ଏଥର ଆନନ୍ଦରେ କୁରୁଳି ଉଠିଲା । ଯା ହଉଁ ତା’ହେଲେ ସେଇଆ ହେଲା । ତା’ମନସ୍କାମନା ପୁର୍ଣ୍ଣ ହେଲା । ଆଉ କେଇଟା ଦିନେ ଇନ୍ଦୁ ଆସିବ ଏ ଘରକୁ । ଘର ପୁରି ଉଠିବ ସେ ଯେତେବେଳେ ପାଲିଙ୍କି ସବାରୀ ନେଇ ଫେରୁଥବ ସେତେବେଳେ ଜଳାକବାଟି ବାଟେ ଝୁନିୟାଁ । ଚାହିଁ, ତା’ ମରଦ ପଣିଆର ଯରଖ ନଉଥିବ । ଟିକିଏ ବି ଚାହିଁବ ନି ବାଜିଆ ସିଆଡ଼େ ।

 

‘କ’ଣ ମନେ ରହିଲାଟି ଯାହା କହିଲି ?’

 

ଚେତନ । ପଶିଲା ବାଜିଆର । ଆରେ ଆରେ ସେ ତ ଉତ୍ତର ଦେଇ ନ କିଛି, ତର ତର କହି ପକେଇଲା–

 

‘ହଁ ମୁଁ କହିଦେବି ।’

 

କ’ଣ କହିଦବୁ ?’

 

ବାଜିଆ ଭାବିଲା ଯଦି ଠିକ୍‌ଠିକ୍‌ ଉତ୍ତର ଦେଇଦବ ତା’ହେଲେ ଜଣାପଡ଼ିଯିବ ଯେ ସେ ସବୁ ଜାଣିଚି କି କ’ଣ । ଟିକେ ନ ଜାଣିଲା ପରେ କହିଲା–

 

‘ହଁ କହିବି ପରା । କ’ଣ ଭଲଦିନ ଧରିଯିବ । ଦେବସ୍ନାନ ପୂର୍ଣ୍ଣିମିକି ତମେ ଯାଇ ବାପାଙ୍କଠୁ ବୁଝି ଆସିବ ଦିନେ ଓଳିକରେ ।

 

ତୋ ମୁଣ୍ଡ ଗଣ୍ଡି । ହ୍ୟାପ ଅମଣିଷ କାହିଁକି । ଏଥର ଟିକିଏ ଘରକରଣା ବୃଦ୍ଧି କରିବାକୁ ବୁଝିଲା ? ଆଉ ସେ ହେଣ୍ଡିମରା କାମ ଚଳିବ ନାଇଁ, କାନ୍ଧରେ ଜୁଆଳି ପଡ଼ିବ । ସବୁଆଡ଼କୁ ନିଘାହବା ଦରକାର । କ’ଣ ବୁଝିଲ ନାଁ ନାଇଁ... ?’

 

ନ ବୁଝିଲା ପରି ହେଲା ବାଜିଆ । ଜୁଆଳି କ’ଣ ପଡ଼ିବ । ଟିକେ ଇଆଡ଼କୁ ସିଆଡ଼କୁ ଚାହିଁଲା ବୁଝିପାରିଲାନି ବୋଧହୁଏ....ସିଏ ।

 

‘ବାହାଘର...ବାହାଘର’ । ଗୋଟାଏ ପରଝିଅଟାକୁ ଆଣି ବେକରେ ଛନ୍ଦିଦେବି । ସେ ଦୋଷଟା ମୋର । ପାପଟା ମୁଁ ମୁଣ୍ଡେଇବି । ହେଲେ, ତମେ ଟିକେ ମଣିଷ ହବାକୁ ଚେଷ୍ଟାକର । ନ ହେଲେ ସେ କହୁଥିବ ଜିରା ସୋରିଷ, ତମକୁ ଶୁଣାଯିବ ଫୁଟଣ ମରିଚ ।’

 

ବାଜିଆକୁ ଆଉ କାଟୁ ନ ଥାଏ କଥାଗୁଡ଼ାକ । କେମିତି ଡ଼ିଆଁଟାଏ ମାରି ସେ ଯାଇ ସେପାରିରେ ପହଞ୍ଚିବ । ଆଗ ଇନ୍ଦୁ ଘରଆଡ଼େ ଅଜାକୁ ଖୋଜିବା ବାହାନାରେ ଘେରାଟାଏ ମାରିଦେଇ ଆସିବ ତା’ର ଖାଲି ସେଇ ଚିନ୍ତା । ଇନ୍ଦୁ ଆଖିରେ ପଡ଼ିଗଲେ ଖାଲି ଗୋଟାଏ ନରମ ଚାହାଁଣୀ ହାଣିଦେଇ ଆସିବ–ସତେ କି ତୁ ମୋର ହବାକୁ ଯାଉଚୁ । ସେ ବି ଅଳ୍ପେ, ବହୁତ ଶୁଣିବେଣି ସେ କଥା, ୟାକୁ ଦେଖିଲ ମାତ୍ରେ ଲାଜେଇ ଯାଇ କୋଉ ଜଳା କବାଟ ବାଟେ ଚାହିଁବ ।

 

ଆ...ଇନ୍ଦୁ ! ...ମେଞ୍ଚାଏ ଖଜୁରୀ ଗୁଡ଼ କି ଆହୁରି ବଢ଼ିଆ ତାଠଉଁ କ’ଣ । ମୁକୁନ୍ଦା ଭଳିଆ ଗୀତ ପଦେ ତାକୁ ଆସୁଥାନ୍ତା କି ଏଇନେ ମନ ଭିତରେ ସେ ଗାଇଦିଅନ୍ତା । ଇନ୍ଦୁକୁ ଭାବି ଭାବି !

 

‘ପିନ୍ଧାପିନ୍ଧି କରିସାରି ପଚାରିଲା ବାଜିଆ ବାପାକୁ ।’

 

‘ତା’ହେଲେ କ’ଣ କହିବି ମଧୁ ଅଜାକୁ ?’

 

‘ନାଇଁ ଥାଉ–ତୋର ଯିବା ଦରକାର ନାଇଁ । ମୁଁ ଖାଲି କହି ଆସିବି । ଅଲ୍‌କହିଲେ କାଲ୍‌ବୁଝଚୁ ।’

 

ବାଜିଆର ମନଟା ଫିକା ପଡ଼ିଗଲା । ସେପାରି ଯିବାକୁ କେତେ ଆଶା କରିଥେଲା ହେଲେ, ହେଲା ନାଇଁ । ତଥାପି ସେ ଦୁଃଖ କଲାନି । ଭଲ ହେଇଚି ବାପା ଗଲେ ଆଉ କେତେ କଥା ବି ମଧୁଅଜା ପଚାରିପାରନ୍ତି । ସେ ଗୁଡ଼ା ସବୁ ମୁକାବିଲା ହେଇଯିବ । ଦିନବାର ବି ବୁଢ଼ା ସେଇଠି ଠିକ୍‌ କରିଦେଇପାରେ ପାଞ୍ଜି ଦେଖି । ସହଳ ସହଳ ହେଇଗଲେ କାମଟା ଯାଏ ।

 

ନିଧି ଚାଲିଗଲା ବାହାରି ପଦାକୁ । ବାଜିଆ ଘରେ ବସି କେତେ କଥା ପାଞ୍ଚ କଲା । ଏଥର ବାପା କୋଉଠି ଶୋଇବ, ସେ କୋଉଠି ଶୋଇବ. ବେଦୀଟା ଦୁଆରର କୋଉ ଜଣକୁ ହବ, ସେ ଯଦି ଆଗରୁ ଗୋଟି ଗୋଟି କରି ନ ଭାବିବ ତା’ହେଲେ ଆଉ ଭାବିବାକୁ କିଏ ଅଛି ? ମନେପଡ଼ିଲା ତା’ର ଇନ୍ଦୁର ମୁହଁଟା... ସେ ଯେତେବେଳେ ବିଲକୁ ବାହାରିବ ଇଏ ତାକୁ ଦୋହରା ବାଢ଼ିବ । ଆଉ ଖରାବେଳେ ତବତ, ବାଜିଆକୁ ଭାରି ସୁଆଦ ଲାଗିବ । ଖଡ଼ା, କୋଶଳା, ମିଠା ପାଳଙ୍ଗ ଆଦି କେତେ ରକମର ଶାଗ ନଗେଇବ ସେ ବାଡ଼ିରେ । ସେଇଥିରୁ ଦି’ଟା ତୋଳିଆଣି ଖରଡ଼ି ଦେବ । ଇନ୍ଦୁ କୁ ବି ସେଇଗୁଡ଼ାକ ଭଲ ଲାଗୁଥିବ । ଏଇ କଥା ଉପରେ ତା’ର ମନେପଡ଼ିଲା ଆଉ ଜଣକର କଥା ।

 

ଦିନେ ପଖାଳ ବାଢ଼ି ଦଉ ଦଉ ସେ କହିଲା–

 

‘‘ତମେ ହିଡିମିଞ୍ଚା ଶାଗ ଭଲପାଅ ବୋଲି ଖରଡ଼ିଚି ।’’

 

ବାଜିଆ ପଚାରିଲା–

 

‘‘ତତେ ଭଲଲାଗେ ନାଇଁ ସେ ଗୁଡ଼ା.... ?’

 

‘‘ତମକୁ ଯାହା ଭଲ ନାଗେ, ମତେ ବି ସେଇଆ ଭଲ ଲାଗିବ ।’’

 

‘ତତେ ଖୁଆଇ ଦବାକୁ ମତେ ଭାରି ଭଲ ନାଗେ । ତା’ହେଲେ ମୋ ହାତରେ ଖାଇବାକୁ ତତେ କ’ଣ ଭଲ ନାଗିବ ?’

 

‘ହଁ.... ତା’ ହେଲେ ଆଁ କର ।’

 

ବାଧ୍ୟହେଇ ଆଁ କଲା ଝୁନିୟାଁ । କଥା ତ ହୁଡିଚି । ବାଜିଆଟା ଭାରି କଥା ଧରି ଅଡ଼ୁଆରେ ପକାଏ । ପାଟିରେ ପଖାଳକୁ ଚୁପୁଡ଼ି ଚୁପୁଡ଼ି ଗୁଣ୍ଡାବଳି ଝୁନିୟାଁ ପାଟିରେ ଦେଇ ବାଜିଆ-। ଦିହେଁ ଖାଇବସିଲେ । ଖାଉ ଖାଉ ବାଜିଆ କହିଲା–

 

‘‘ଝୁନିୟାଁ ଲୋ ! ସବୁଦନେ ଏମିତି ଏକାଠି ଖାଆନ୍ତୁ ନାଇଁ ତୁ ମୋ ସାଙ୍ଗରେ ?’’

 

‘‘ସବୁ ଦିନିଆଁ କଥାଟିଏ କଲେ ସିନା.... !’’

 

ସେ ଦିନର ବାଜିଆ ଆଉ ଆଜିର ବାଜିଆ ଦି’ଟା ଅଲଗା ମଣିଷ । ସବୁଦିନିଆଁ.... ବ୍ୟବସ୍ଥା ସେ କରୁଚି; ହେଲେ, ଝୁନିୟାଁ ପାଇଁ ନୁହେଁ । ଝୁନିୟାଁ କୁ ଜଲେଇବା ପାଇଁ । ତା’ର କଥାରେ ତାକୁ ଛଟପଟ କରିବା ପାଇଁ । ବାଜିଆ ଦେଖେଇଦବ ମରଦ ପରି ମରଦଟାଏ ସେ ।

 

ଶଙ୍ଖ–ମହୁରୀ ବଜେଇ, ସବାରୀ–ପାଲିଙ୍କି ନେଇ ଶଙ୍ଖା–ସିନ୍ଦୂର ପିନ୍ଧେଇ ସେ ଯେତେବେଳେ ଜଣକୁ ଘରକୁ ଆଣିବ ସେତେବେଳେ ସେ ଭାବିବ, ମରଦପଣିଆରୁ କାଣିଚାଏ ଦେଖେଇ ଦେଇ ପାରିଚି ।

 

ବେଶି ଦିନ ଗଲା ନାଇଁ ।

 

ଶଙ୍ଖ–ମହୁରୀ ବଜେଇ, ସବାରୀ–ପାଲିଙ୍କି ନେଇ, ଶଙ୍ଖା–ସିନ୍ଦୂର ପିନ୍ଧେଇ ବାଜିଆ ଘରକୁ ଆଣିଲା ମନଲାଖି ଝିଅଟାକୁ ବୋହୂ କରି । ଗାଁ ବାଲା ନିଧିଘରେ ପତର ପକେଇଲେ । ଶାଗଭାତ ଯାହା ତା’ର ସକ୍ଷ ସମସ୍ତଙ୍କୁ ଚର୍ଚ୍ଚାକଲା ନିଧି । ସମସ୍ତେ କୁହାକୁହି ହେଲେ, ଆଃ.... ନିଧି ମନଲାଖି ବୋହୂଟାଏ କଲା । ଛକି ଛକି ଥେଲା ଆଖି ପକେଇ, ମାରି ନେଇଗଲା । ବୋହୂଟାଏ ନୁହେଁ ଯେ, ଲକ୍ଷ୍ମୀଟାଏ !

 

ବାଜିଆ ଖାଲି ଛକି ବୁଲୁଥାଏ କେମିତି ତା’ର ପହିଲି ରାତିଟା ହବ ! ରାତି ହେଲା.... ।

 

ଦିନ ଥାଉ ଥାଉ ନିଧି ଭାବିଲା, ଘର କମ୍‌ । ଅଳ୍ପ ଜାଗା । ପୁଅ ବୋହୂ ଟିକେ ସୁଖ କରିପାରିବେ ନାଇଁ, ମନ ଖୋଲି । ସବୁଦିନେ ନ ହେଲେ ବି ଅତି କମ୍‌ରେ ପହିଲି ଦିନଟା ତ ଟିକେ କଥାବାର୍ତ୍ତା ହେବା ଲେଡ଼ା । ବାଜିଆକୁ କହିଲା–

 

‘‘ମୁଁ ଅଜାକୁ ସେପାରିକୁ ଛାଡ଼ିବାକୁ ଯାଉଚିରେ ! ପହଞ୍ଚୁ ପହଞ୍ଚୁ ତ ରାତି ଦି’ ଘଡ଼ି ହବ । ଆଉ ଫେରିବ ନାଇଁ, ସେଠି ରହିଯିବି; ସକାଳୁ ଫେରିବି ।

 

ବାଜିଆ କିଛି କହିଲାନି । ନିଧି ଚାଲିଗଲା । ଇଏ ଆଉ ତା’ କନିଆଁ, ଘରେ ଦି’ଜଣ । ପଡ଼ିଶାଘରୁ ସବୁ ଯୋଉ ମାଇପିତକ ଆସିଥେଲେ ସେମାନେ ସବୁ ଚାଲିଗଲେ ରାତି ଦି’ଘଡ଼ି ନ ହଉଣୁ । ସମସ୍ତେ ଚାଲିଯିବାର ଠଉରେଇ ବାଜିଆ କବାଟ ଦେଲା ଭିତରୁ ।

 

ସେଇ ଘରେ ଅଛି ସିଏ । ଭିତରକୁ ପଶିବା ଆଗରୁ ବାଜିଆ ଥରେ ମନ ଭିତରେ ଦୋହରେଇ ନେଲା ଦାସକାଠିଆର ସବୁ ଏଇ ରାତିଟାକୁ କେମିତି ବର୍ଣ୍ଣନା କରିଥାନ୍ତି । କ’ଣ କ’ଣ ସବୁ ଥାଏ ସେ ଘରେ । ଦୀପ, ପୋଡ଼ାନଡ଼ିଆ, ଅରୁଆ ଗୁଉଲ, ଦୂବ.... । ହଁ ଯା’ମ ଅଣ୍ଡିଚଣ୍ଡିରା ଘରେ ଏତେ କଥା ମାନିଲେ ଆଉ ଚଳିବ ନାଁ....ଖୋଜିଲେ ମିଳିବ ? ଘର ଭିତରକୁ ଗୋଡ଼ ଦେଇ ଦେଖିଲା ଗୋଟିଏ କ’ଣକୁ ଜାକିଜୁକି ହେଇ ବସିଚି ତା’ର କନିଆଁ । ପାଖରେ ଦୀପଟିଏ ଜଳୁଚି । ଆଉ ଥାଳିରେ ନଡ଼ିଆ କି କ’ଣ ଦିଶୁଚି ।

 

ଯା’ହଉ ତା’ହେଲେ ଗାଁର ସାହି–ମାଇପେ ଏତକ ନିୟମ ରକ୍ଷା କରି ଦେଇଚନ୍ତି । ଆଗ ମନେ ମନେ ପାଞ୍ଚିଲା ବାଜିଆ କୋଉଠୁ କଥା ଆରମ୍ଭ କରିବ । ଇଏ ତ ମଜା ଦେଖିବାକୁ ଜମ୍ମା କଥା କହିବ ନାଇଁ । ଭାବି ଭାବି କହିଲା–

 

‘‘ବିଦା ହେଲାବେଳେ ଭାରି ବାହୁନି କାନ୍ଦୁଥେଲୁ ତ ? କ’ଣ ଆସିବାକୁ ଇଚ୍ଛା ନ ଥେଲା-?’’

 

‘‘କନିଆମାନଙ୍କୁ କ’ଣ୍‌ ତୁ ତା’ କହନ୍ତି ?’ସେଇ ଶାଢ଼ୀ ଫାଙ୍କରୁ ଶୁଣିଲା ବାଜିଆ । ଯା ହଉ ତା’ର ଆଶଙ୍କା ଦୂରେଇ ଗଲା । ସେ ଏଥର କଥା କହିବାକୁ ନାରାଜ ହବନି ।

 

‘‘କାଇଁ, କନିଆଁ ହେଲେ କ’ଣ ସବୁ ଭଗବାନ୍‌ ହେଇଯାନ୍ତି ନାଁ କ’ଣ ? ବରମାନଙ୍କୁ କନିଆଁ ମାନେ କହନ୍ତି ନାଇଁ; ହେଲେ, ବର କହନ୍ତି କନିଆଁକୁ ।’’

 

ଆଉ କଥାଟା ଫେରିଲା ନାଇଁ । ଆରେ କଥାଟା କ’ଣ ସରିଗଲା ତା’ହେଲେ ? ପୁଣି କ’ଣ କହିବ ବାଜିଆ । ଦୀପ ଉପରେ ନଜର ପଡ଼ିଲା ତା’ର ।

 

‘‘ଏ ଦୀପଟାକୁ ଲିଭେଇ ଦଉଚି, କାଇଁକି ଜଳିବ ଖାଲିଟା ?’’

 

‘‘ଆରେ...’’

 

‘‘କ’ଣ ମ....ଅନ୍ଧାର ହେଲେ ଭଲ ନାଁ । ନ ହେଲେ ନିଦ ହବ ନାଇଁ....’’

 

‘‘ଏ ଦୀପ କ’ଣ ଲିଭାନ୍ତି ?’’

 

‘‘ଆଉ..... ?’’

 

‘‘ଓହୋ ! ଏଇ କୁଳ ଦୀପ ? ଆରେ ୟାକୁ ପରା ଛୁଆଇ ? କ’ଣ ନିୟମ କରି ସବୁ କଥା ପଚାରନ୍ତି ?’’

 

‘‘ବହୁତ କଥା ଜାଣିଚ ତ ?’’

 

‘‘ନାଇଁ ଏଇ ଦାସକାଠିଆରେ ସେ କହୁ ନଥେଲା । ତୁ କେବେ ଶୁଣିନୁ ?’’

 

‘‘ହେଁ... ।’’

 

‘‘ସତ କଥାଟି ?’’

 

‘‘ହେଁ...’’

 

‘‘ତା’ହେଲେ ତୁ ଛୁଇଁବୁ ନାଁ... ମୁଁ ଛୁଆଇଁବି ?’’

 

‘‘ତମ ଇଚ୍ଛା....’’

 

‘‘ନାଇଁ ଥାଉ, କାଳେ କ’ଣ କରିଥବୁ କି ଧରାପଡ଼ିଯିବୁ ।’’

 

‘‘ହେଇ, ମୁଁ ସେଇ ଦୀପ ଉପରେ ହାତରଖି କହୁଚି–ଯଦି ଜୀବନରେ କେବଳ ତମରି ଛଡ଼ା କାହାକୁ ସ୍ଵପ୍ନରେ ସୁଦ୍ଧା ଆଣିଥିବି ତା’ହେଲେ....’’

 

‘‘ଝୁ....ନି....ୟାଁ.... ।’’

 

ଚାପି ଧରିଲି ଆକୁଳରେ ବାଜିଆ ଝୁନିୟାଁକୁ ।

 

‘‘ପୁଣି ସେଇ ନିୟମ ?’’

 

କାନ୍ଦ କାନ୍ଦ ସ୍ଵରରେ କହିଲା ଝୁନିୟାଁ–

 

‘‘ନାଁ, ତଥାପି ତମର ବିଶ୍ଵାସ ହେଇ ନାଇଁ ମୁଁ ଜାଣେ, ଦେବସ୍ନାନ ପୂର୍ଣ୍ଣିମା ଦିନ ରାତିରେ ଯେଉଁଦିନ ତମର ମୋର ବାହାଘରର ଦିନ ବାର ଧରା ହଉଥାଏ ମତେ ପରା ନୀଳକଣ୍ଠଙ୍କ ବେଢ଼ାରେ ଏଡ଼େ କଥାଟାଏ ପଚାରିଲ । ତମରି ଆଗରେ ମୁଁ ଏତେ ବଡ଼ ନିୟମଟାଏ କରିଥେଲି !’’

 

‘‘ଆଲୋ ! ମତେ ବିଶ୍ଵାସ କର । ମୁଁ ତତେ ଚିଡ଼େଇବା ପାଇଁ ଏକଥା କହିଁଲି । ତୁ ସତ ବୁଝିଗଲୁ ? ଆଚ୍ଛା କହ ତ ଦେଖି ସେଇଦିନଠଉଁ ତୁ ମତେ ମନାକଲା ପରେ ଆଉ କେବେ ସେମିତି ଟାଣ କରି କହିଚି ତତେ ? ହେଲେ, ତୁ ମତେ କହିଚୁ । ଇନ୍ଦୁ କଥା କହି କହି ମତେ ଓଲଟି କଥା କଥାକେ ଚିଡ଼େଇଚୁ । ସେଇଟା ଖାସ ତୋରି ପାଇଁ । ମୋ ମୁଣ୍ଡରେ ଯୋଉ ନିଆଁ ରୁ ଧରେଇ ଦେଇ ଥେଲୁନାଁ....ମୁଁ....’’

 

ତା’ ପାଟିରେ ହାତ ଦେଲା ଝୁନିୟାଁ....କାଳେ ବାଜିଆଇର ମନ ବିଗିଡ଼ି ଯିବ ।

 

‘‘ଛି, ଆଜି ଆଉ କ’ଣ ସେ ଗୁଡ଼ା ସବୁ ପଡ଼ିବା କଥା ?

 

ବାଜିଆ ଝୁନିୟାଁକୁ ପାଖକୁ ଭିଡ଼ିନେଲା ।

 

‘‘ଏଥର ଆଉ ମନା କରିବୁନି ?’’

 

ଲାଜେଇ ଯାଇ ମୁଣ୍ଡ ହଲେଇଲା ଝୁନିୟାଁ । ଆଉ କାଇଁ ମନା କରିବ ଯେ ସେ ? କ’ଣ ମନା କରିବ ?? ବାଜିଆଇକୁ ???

 

ହଠାତ୍‌ ତା’ର ମନେପଡ଼ିଗଲା....ଆରେ, ସେ ତ ଆଉ ବାଜିଆଇ ବୋଲି ଡାକିପାରିବନି-

 

‘‘ଆଚ୍ଛା, ମୁଁ ଏଥର ତମକୁ କ’ଣ ଡାକିବି କହିଲ ?’’

 

‘‘କାହିଁକି ? ଯାହା ଡାଲୁଥେଲୁ....ବାଜ...’’

 

ପାଟିରେ ହାତ ଦେଇ ଦେଲା ଝୁନିୟାଁ ।

 

‘‘ଆଉ କ’ଣ ସେଇଆ ଡାକନ୍ତି ?’’

 

‘‘ଆଉ ?’’

 

‘‘ଉହୁଁ ।’’

 

‘‘ତା’ହେଲେ....’’

 

‘‘ହଇ ହେ....’’

 

ଦିହେଁ ଖୁବ୍‌ ଜୋର୍‌ରେ ହସିଉଠିଲେ । ପୁଣି ସଚେତ ହେଇଗଲେ । ଏଇଟା ତାଙ୍କର ସବୁଦିନିଆ ହସ । ଆଜି ପରା ସେମିତି ହସିବାର ନୁହେଁ । କୁଆଡ଼େ ଚୁପି ଚୁପି ହସିବାର କଥା । ଏଇ କଥା ଭାବି ଆହୁରି ଚାପିଚୁପି ହେଇଗଲେ ଦିହେଁ ଦିହିଁଙ୍କ ଆଡ଼କୁ । ଝୁନିୟାଁ ର ତ ଆଜି ମନା କରିବାର କିଛି ନାଇଁ.... ।

 

କେତେବେଳେକେ ଝୁନିୟାଁ । କ’ଣ ଭାବି ମନକୁ ମନ କହିଲା....

 

‘‘ଆଜି ତିଥି କ’ଣ କି ?’’

 

‘‘କାଇଁକି ?’’

 

ଲାଜେଇ ଲାଜେଇ କହିଲା ଝୁନିୟାଁ ।

 

‘‘ତିଥିରେ ପୁଣି ପୁଅ ତିଥି ଝିଅ ତିଥି ଅଛି ଯେ.... ।

 

‘‘ସତେ ? ତା’ହେଲେ ?’’

 

‘‘ମୁଁ କିଛି ଜାଣି ନି ଯା ।’’

 

ଗାଢ଼ ବାହସନ୍ଧିରେ ମୁହଁ ଜାକିଲା ଝୁନିୟାଁ । ତା’ର ଅଜଣା କଥାଗୁଡ଼ାକ ସବୁ ଜଣେଇଦବାକୁ ତତ୍ପର ହେଇ ଉଠିଲା ବାଜିଆ । ରାତି ବଡ଼ିଯାଉଛି; ବଢ଼ି ବଢ଼ି ସରିଯିବ ।

 

ବାଡ଼ିପଟର ଫାଙ୍କ ଦେଇ ଦୂରରୁ ଦେଖା ଯାଉଥେଲା ସେଇ ସେ ବରଗଛ ଉପରୁ କେନାଏ । ତାରି ସନ୍ଧିରେ ଶ୍ରାବଣ ଆକାଶର ବାଦଲଘୋଡ଼ିଆ ଜହ୍ନଟା ।

 

ପହିଲି ରଜ । ଆଉ ଜମାରୁ କେଇଟା ଦିନ ।

 

ରଜ ନାଁ ଛତୁ..... !

 

ଇହାପ ଗରିବଗୁରୁବାଗୁଡ଼ାଙ୍କୁ ପୋଡ଼େଇ ଜଲେଇ ମାରିବା ପାଇଁ ଏ ଗୁଡ଼ା ଗୋଟାଏ ଫନ୍ଦି, ଯେତେ ଏଇ ପୁନିଅଁ ପରବ ସବୁପଛରେ ଗୋଟାଏ ଗୋଟାଏ ତାମସା ଅଛି । କୋଉଥିରେ ଭଲ ଖାଇବ ନ ହେଲେ କୋଉଥିରେ ଭଲ ପିନ୍ଧିବ । କିଛି ନ ହେଲେ କୋଉଥରେ ଖାଲି ପୁଳାଏ ବାଣ୍ଟ ୟାକୁ ତାକୁ । କି’ରେ ବାବୁ ଏଇଆ କ’ଣ ପୁନେଇଁ ପରବ ମାନେ । ଭଲ ଦିନଟାରେ କି ଭଲ ବାରଟାରେ ସିନା ଭଲ କଥାବାର୍ତ୍ତା କି ଭଲ ଦୁଃଖ ସୁଖ । ନାଁ....ଆଗ ବହେ ସେଇ ଦିନର ଯୋଗାଡ଼ ସକାଶେ ମୁହାଁମୁହଁ, ହାତାହାତି, କନ୍ଦାକଟା ସବୁ ପାଲା । ଯାହାର ଅଛି ତା’ର କ’ଣ ହେଇଯାଉଚି କି-? ଗୋଟାଏ କହିଁକି ସେମାନେ ତ ଚାହିଁବେ ସବୁ ହପ୍ତାରେ ଏମିତି ଗୋଟାଏ ଗୋଟାଏ ପହିଲି ରଜ ହଉ । ଯେତେକ ଚୋର ସବୁ ଏକାଠି ହେଇ ଏ ପୁନେଇଁ ପରବ ସବୁ କରିଚନ୍ତି । କୋଉ ଭଗବାନଟା ଖାଲି ୟାଙ୍କ କଣ୍ଠରେ ଉଭା ହେଇ କହିଦେଇ ଯାଉଥେଲା ଯେ ଏଇ ପରବରେ ସବୁ ପିନ୍ଧିବ; ଏଇଥିରେ ସବୁ ଭଲ ଖାଇବ... । ଯେତିକି ପଲିସିବାଜି କଥା ସବୁ । ଠାକୁରଙ୍କ ନାଁରେ ଖାଉଟିରୀ କରି ନିଜେ ମାରି ଖାଇବା କଥା । ଯେତେ ଭୋଗ ବଢ଼ାଯାଏ ରକମ ରକମ ହେଇ, ଯଦି ଠାକୁର ସେଥିରୁ କାଣିଚାଏ ଖାଉଥାନ୍ତେ ତା’ହେଲେ ମଣିଷ କେବେହେଲେ ଏମିତି ଭୋଗ ସଜାଡ଼ୁ ନଥାନ୍ତା । ଏଗୁଡ଼ା ସବୁ ନିଜେ ଖାଇବା ଫିକର ।

 

ନୂଆ ନ ପିନ୍ଧିଲେ ରଜରେ କ’ଣ ଏମିତି ପ୍ରଳୟ ଅଶୁଦ୍ଧ ହେଇଯିବ ! ଗୋଟାଏ ଦି’ଦିନ ହେଲା ସେଇଥିପାଇଁ ଝକର ଝକର.... ?’’

 

ଉଚ୍ଚା ସିଅଟା ଉପରେ ଗାମୁଛାଟାକୁ ଗୁଡ଼େଇ ଗୁଡ଼େଇ ବେକମୂଳେ ଥୋଇ ଚିତ୍‌ହେଇ ଶୋଇଚି ବାଜିଆ ସେଇ ଗଛମୂଳେ । ଆଉଟିକେ ପରେ ସେ ଗଛମୂଳକୁ ଖରା ଆସିଯିବ । ତା’ର ସିଆଡ଼କୁ ନିଘା ନାହିଁ, ମନ ଭିତରଟା ବିଷେଇ ଉଠୁଥିଲା ବେଳକୁ ବେଳ । ସେ ଭାବୁଥେଲା–ଏଇ ଗଛମୂଳ ତା’ ପାଇଁ ସବୁଠାରୁ ନିରୋଳା ଆଉ ସବୁଠଉଁ ଆରାମ ।

 

ଗୋଡ଼ଟାକୁ ଡେଙ୍ଗାକରି ଜଙ୍ଘ ମୂଳରୁ ଉପରକୁ ଟେକି ସେ ଗୋଡ଼ ବଢ଼େଇଲା ଓହଲକୁ, ତା’ ଗୋଡ଼ ପାଉଚି କି ନାଇଁ । ସେତକବେଳେ ତା’ର ମନେପଡ଼ିଲା ପଛ କଥାରୁ କେଇଟା.... ।

 

ଝୁନିୟାଁ । ଆଉ ସେ ଯେତେବେଳେ ଏକାଘରର ମଣିଷ ହେଇ ପ୍ରଥମ ବରଷ ରଜ ପାଳିଲେ, ସେ ବର୍ଷ ପହିଲି ରଜରେ ଦିନବେଳେ ଦୁହେଁଯାକ ଘର କାମ କରୁ କରୁ ବେଳ ଅଣ୍ଟିଲା ନାଇଁ । ଝୁନିୟାଁ ଘରୁ ଭାର ଯେତିକି ଆସିଥେଲା, ତାକୁ ନେଇ ସାହିରେ ବାଣ୍ଟିବାକୁ ଆଉ ଛୋଟ ପିଲାଟିଏ କିଏ ଅଛି ଯେ ! ସବୁତକ ବାଜିଆକୁ କରିବାକୁ ପଡ଼ିବ । ନ କଲେ ବି ନ ହୁଏ । ନ ହେଲେ ଲୋକେ କହିବେ ନିଧି ପୁଅଟାକୁ ବାହାକଲା ଯେ, ତା’ ବୋହୂର ବାପଘର ଜିନିଷ ଆମ ପାଟିରେ ବାଜିଲା ନାଇଁ । ନିଧି ସେଇଥିପାଇଁ ସକାଳେ ବସି ଯୁଆଡ଼େ ଯୁଆଡ଼େ ଯିବାର କଥା, ନିଜେ ବସି ବରାଦ କରି ଝୁନିୟାଁକୁ ବତେଇଚି । ବାଜିଆକୁ ପଠେଇ ବଣ୍ଟେଇଚି । ବଣ୍ଟାକୁଣ୍ଟା ସରିଲା ପରେ, ସେ ଯାଇ ପଦାକୁ ଗୋଡ଼ କାଢ଼ିଚି । ଗଲାବେଳେ କହିଦେଇ ଗଲା ଚରଣପୁରରେ ବାଦିପାଲା ହଉଚି । ଆଜି ସେ ରାତିରେ ଫେରିବ ନାଇଁ ତାକୁ ଏମାନେ ଅପେକ୍ଷା କରିବା ଦରକାର ନାଇଁ ।

 

ସେତେବେଳକୁ ଉଦୁଉଦିଆ ଦି’ପହର । କରି ଆସି ଦେଖେଇଲା ତା’ର ନୂଆ ଶାଢ଼ୀ ବ୍ଲାଉସ୍‌ଦେଈକୁ ଆଉ ବାଜିଆଇକୁ । ଭାରି ଡଉଲ ଦେଖାଯାଉଥାଏ ତାକୁ । ସେଇଟା ବି କୌଣସି ଗୁଣରେ କମ୍‌ ହବ ନାଇଁ ଝୁନିୟାଁ ଠଉଁ । ଚାଲିଗଲା ପରେ ବାଜିଆ କହିଲା–

 

ଝୁନିୟାଁ, ଆଜି ପହିଲି ରଜ । ଏମିତି କଟିଲା, ଭଲ ଲାଗିଲା ନାଇଁ ।’’

 

‘‘ଆଉ କେମିତି କଟିଥିଲେ ଭଲ ଲାଗିଥାନ୍ତା ?’’ ଦୁଷ୍ଟାମୀ କରି ପଚାରିଲା ଝୁନିୟାଁ ।

 

‘‘ହ....ତତେ ତ ମଜା ଲାଗୁଚି । ମୁଁ ସିନା ଦଉଡ଼ି ଦଉଡ଼ି ଥେଇଆ । ତୁ ଘରେ ବସି ବାପ ସାଙ୍ଗରେ ଫର୍ମାସୀ କରୁଥେଲୁ ନାଁ, ତତେ କେମିତି ଜଣାପଡ଼ିବ କେମିତି କଟିଥେଲେ ଭଲ ଲାଗିଥାନ୍ତା ?’

 

‘‘ଶୋଉନା, ମୋଡ଼ି ଦେବି ।’’

 

‘‘ମେଡ଼ି ଦେଲେ ତ ବାକି ମୋର ଦୁଃଖ ବୋହିଗଲା ରଜ ପାଳିବାର ଆଉ...’’

 

‘‘ଆଉ କ’ଣ ଦୋଳି ବାନ୍ଧିଥାନ୍ତେ ଯାଇ.... ?’’

 

ଏଇ ଦୋଳି କଥାଟାରେ ବାଜିଆର ମନଟା ଉଦା ଖାଇଲା, ଓଃ...କି ମଜା ସେ ଦୋଳି ଖେଳଟାରେ.... । ସତରେ କ’ଣ ସେ ଦୋଳି ଖେଳିବ ନି ଆଉ ? ସମ୍ଭାଳି ନ ପାରି ପଚାରିଲା–

 

‘‘ଆଚ୍ଛା ଝୁନିୟାଁ ! ତୁ କ’ଣ ସତରେ ଆଉ ଦୋଳି ଖେଲିବାକୁ ଯିବୁ ନାଇଁ ? ମୁଁ ଆଉ ତୋ ପାଇଁ ଦୋଳି ବାନ୍ଧିବି ନାଇଁ ?’’

 

ବାଜିଆର ଏ ପ୍ରଶ୍ନରେ କେମିତି ଗୋଟାଏ ବିକଳିଆ ଭାବ ପୂରି ରହିଥେଲା । ହେଲେ କ’ଣ ୟାର ଉତ୍ତର ଦବ ଝୁନିୟାଁ ? ସେ ନୀରବ ରହିଲା, ବାଜିଆ କହିଲା–

 

’’ପିଲାଦିନେ ଦୋଳି ଖେଳୁଥିବାବେଳେ ଭାବୁଥୋଲି, ଆମେ ଦିହେଁ ସବୁଦିନେ ଏମିତି ଦୋଳି ଖେଳୁଥାନ୍ତେ କି ! ବଡ଼ ହେଇଗଲା ପରେ ଭାବିଲି ତୁ କେମିତି ଶୀଘ୍ର ମୋର ହେଇଯାନ୍ତୁ କି-! ସବୁବେଳେ ତୋର ମୋର ଦିହେଁ ସାଙ୍ଗହେଇ ଦୋଳି ଖେଳନ୍ତେ । ହେଲେ, ତୁ ଆଜି ମୋର ହେଇ ବି କିଛି କହୁନୁ ।’’

 

‘‘କ’ଣ କହିବି ଯେ... ?’’

 

‘‘ରଜଟା କ’ଣ ଏମିତି ଅକୁହା ଚାଲିଯିବ ?’’

 

‘‘ଏମିତି କାଇଁକି ଭାବୁଚି କହିଲ ?’’

 

‘‘ଆଉ ନୁହେଁ... ?’

 

‘‘ଲୋକେ କ’ଣ କହିବେ ?’’

 

‘‘କାଇଁ ? ଆଜିଯାକେ ଲୋକ କହୁ ନ ଥେଲେ ସାତପର ଥାଇ ସୁଦ୍ଧା.... ?’’

 

‘‘ସେତେବେଳେ କ’ଣ ମୁଁ ଘରର ଭୂଆଷୁଣୀ ଥେଲି ?’’

 

‘‘ଘରର ଭୂଆଷୁଣୀମାନେ ଦୋଳି ଖେଳିବେ ନି ଏମିତି କ’ଣ କୋଉଠି ଲେଖାଅଛି ?’’

 

‘‘ୟା ବୋଲି ମିଣିପଙ୍କ ସାଙ୍ଗରେ ?’’

 

‘‘ଆଜିଯାଏ କ’ଣ ମୁଁ ମିଣିପ ନ ଥେଲି ? ସବୁବର୍ଷ ତ ତୁ ପୁଣି ଖେଳୁ ମୋ ସାଙ୍ଗରେ....-? ତତେ ଏଥର ବି ଖେଳିବାକୁ ପଡ଼ିବ ଆଗ ବର୍ଷ ଗୁଡ଼ାକ ଭଳିଆ ।’’

 

ଝୁନିୟାଁ ଦେଖିଲା ଆଉ ଉପାୟ ନାହିଁ । ଏକଜିଦିଆ ଲୋକଟା । ଯାହା ମୁଣ୍ଡରେ ପଣିଥିବ ସେଇଆ । ତାକୁ କେମିତି ଟିକେ ଅନ୍ୟଆଡ଼େ ବୁଲେଇ ବାଆଁରେଇ ନଦେଲେ ଅସୁବିଧା । ଟିକେ ମଜା କରିବାକୁ ଝୁନିୟାଁ । ପଚାରିଲା–

 

‘‘ସବୁ ବର୍ଷ ମୁଁ ଖେଳିଛି ତମ ସାଙ୍ଗରେ.... ?’’

 

‘‘ଆଉ ନୁହେଁ.... ?’’

 

‘‘ଠିକ୍‌ମନେ ପକେଇଲ ?’’

 

‘‘ମନେ କ’ଣ ପକେଇବି ? ମୁଁ ହେତୁ ହେବା ଦିନଠଉଁ...’’

 

‘‘ଆଉ ଆର ବର୍ଷ ?’’

 

ମନେପଡ଼ିଲା ବାଜିଆର ଝୁନିୟାଁର ଏଇ କଥା ଉପରେ ଗଲା ସନ କଥା । ସତେ ତ ! ସେଥରକ ସେ ଦିହେଁ ଖେଳି ନାହାଁନ୍ତି । ସେଇ ଯେ ଭୂତ ଚଢ଼ିଥେଲା ବାଜିଆ ମୁଣ୍ଡରେ ମହିଳା ସମିତି । କାଣ୍ଡ ଉପରେ ସେ ଭୂତ ମାତିଥେଲା । ପହିଲି ରଜଦିନ ଝୁନିୟାଁ । କଥାରେ । ଦିନର ରାତିରେ କେତେ ପରିବର୍ତ୍ତନ ସତେ.... ! ବାଜିଆକୁ ତୁନି ଦେଖି ଝୁନିୟାଁ ପଚାରିଲା–

 

‘‘କ’ଣ ମନେପଡ଼ୁ ନାଇଁ.... ?’’

 

‘ପଡ଼ିବ ନାଇଁ କେମିତି ?’

 

‘ଖେଳିଥିଲେଟି ଆମେ ଦିହେଁ... ? ତମର ତ ମନେ ନାହିଁ ଆଉ....’

 

ନାଇଁ, କେମିତି ମନେରହିବ । ସେଇଟା ତ ଭୁଲିଯିବା କଥା ମତେ ପରା ମରଦପଣିଆ ଶିଖେଇଥିଲୁ ତୁ ଆର ଥର ମନେ ନାଇଁ ? କେମିତି ମରଦପଣିଆ ଦେଖେଇ ଦେଲି ?

 

‘ଓଃ....ଭାରି ମରଦ !’

 

ଟିକିଏ ପରିହାସରେ ସିନା କହିଲା ଝୁନିୟାଁ । ହେଲେ, ବାଜିଆ ଧଇଲା କଥାଟା ।

 

କ’ଣ କହିଲୁ ? ଆହୁରି ମୋର ମରଦପଣିଆ ଦେଖିବାକୁ ବାକି ଅଛି.... ? କହିଦେଇ ଗାଢ଼େଇ କରି ଅନେଇଁଲା ଝୁନିୟାଁର ଦିହକୁ ।

 

ଝୁନିୟାଁ । ତା’ ଚାହାଣୀର ଅର୍ଥ ବୁଝି ଲାଜେଇଯାଇ ମୁହଁ ତଳକୁ କଲା । ଆଉ ସେମିତି ତଳକୁ ଚାଇଁ ଥଟ୍ଟାଳିଆ ଅଥଚ ଧୀର ସ୍ଵରରେ କହିଲା–

 

‘ଆହା...ବାହାଦୂରୀ ?’

 

ଦମ୍ଭିତ ପୁରୁଷର ଅହଙ୍କାର ନେଇ ବାଜିଆ କହିଲା–

 

‘ଆଉ...ବାହାଦୂରୀ ନୁହେଁ ?’

 

‘ବାହାଦୂରୀ ତ ଆଉ ଦୋଳି ନ ଖେଲିଲି ବୋଲି ମନଦୁଃଖ କରୁଚ କାଇଁକି ?’

 

ଏତେବେଳକେ ବାଜିଆ ମଗଜରେ କଥାଟା ଗଳିଲା । ଆରେ ସତକଥା ତ ! ଏ ଅବସ୍ଥାରେ ଝୁନିୟାଁ । କେମିତି ଯାଇ ଦୋଳି ଖେଳନ୍ତା । ଦିନକୁ ଦିନ ତା’ର ଦିହ ବେଶି ଭାରି ହେଇ ଯାଉଚି । ଏ ବେଳଟାରେ ବେଶି ଜୋର୍‌ରେ ଚାଲିବା ବି ବିପଦ କୁଆଡ଼େ..... । ତଥାପି ବାଜିଆ ମନରୁ ସେ ନିଆଁ ଯାଉ ନଥାଏ । କେତେ ଦିନର ସଉକ୍‌ ସେ ବରଗଛ ମୂଳ.... ।

 

‘ଆଚ୍ଛା, ଗୋଟାଏ କାମ କରିବା । ବାପା ତ ଆଜି ଆସିବେ ନାଇଁ । ଚରଣପୁର ଯାଇଚି ପାଲା ଦେଖିବାକୁ । ତୋର ମୋର ଟିକେ ସଞ୍ଜ ଗଡ଼ିଲେ ସେଇ ଗଛମୂଳେ ଯାଇ ବୁଲି ଆସିବା ।’

 

ଝୁନିୟାଁ ବୁଝିଲା ବାଜିଆର ମନକଥା । ସେଇଟା କେବଳ ବାଜିଆ ମନର ଭାଷା ନୁହେଁ-। ଝୁନିୟାଁର ବି ସେଇ କଥା । ତା’ହେଲେ ବାଜିଆର ସଉକଟା ସେ ଭାଙ୍ଗିଦବ କାଇଁକି ? ତା’ ଛଡ଼ା ସଞ୍ଜ ତ କେତେବେଳ ଅଛି । ସେଇ କଥାରେ ହଁ– ନାଁ କରି କଥା ବଢ଼େଇ ସମୟ ଗଡ଼େଇବା ଭଲ...ସେ ହଁ ଭରିଲା ।

 

ସଞ୍ଜ ଆଗରୁ ଖିଆପିଆ କାମ ବଢ଼ିଗଲା, ଅନ୍ଧାର ହେଇ ଆସିଲ, ତଥାପି ଝୁନିୟାଁ ଡେରି ଡେରି କରୁଥାଏ । କେମିତି ଆହୁରି ରାତି ଗଡ଼ିପଡ଼ୁ । ନ ହେଲେ ବାଟରେ ଘାଟରେ କିଏ ଦେଖିଲେ କ’ଣ କହିବେ.... । କହିବେ ଯେ ମାଇପିଟାକୁ ନେଇ ଟୋକାଟା ଘେରାଖାଇ ଅୟସ କରୁଚି । ଦିନବେଳେ ହେଇଥିଲେ ହେଇଥାନ୍ତା । ହେଲେ, ରାତିବିକାଳିରେ କ’ଣ ଏମିତି ବୁଲିବାଟାକୁ ଲୋକେ ଅୟସୀ କହିବେ–କହିବେ ପାଗଳ ଦି’ଟା କି କ’ଣ ! ନ ହେଲେ ଗାଁ–ମୁଣ୍ଡର ବରଗଛ ମୂଳଟାକୁ କାଇଁକି ଯା’ନ୍ତେ ରାତିଟାରେ..... ।

 

ସେ ଯା’ହଉପଛେ ବାଜିଆ ମନରେ ସେ ଦୁଃଖ ଦେଇପାରିବ ନାଇଁ । କେଡ଼େ ସୋହାଗରେ କଥାଟା ଉଠେଇଚ ସିଏ, ତା’ ମମତାର ଡଙ୍କ ମୋଡ଼ି ହେଇଯିବ ଝୁନିୟାଁ ନ ଗଲେ ।

 

ସତକୁ ସତ ସେଇଆ ହେଲ, ଦୁହେଁ ଗଲେ ସେ ଗଛମୂଳକୁ । ଝଲ ଆସୁଥିବା ଓହଳକୁ ବାଁ ହାତ ବଢ଼େଇ ବାଜିଆ ଝୁଲିଗଲା ପଟାଏ ।

 

‘ଆରେ ବାଃ ! ଏ ତ ବଢ଼ିୟା ଦୋଳ ହେଇଚି !

 

ଝୁନିୟାଁର ବି ଇଚ୍ଛା ହେଲା । ଚାରଆଡ଼କୁ ଥରଟାଏ ଆଖି ବୁଲେଇ ପଟାଏ ଝୁଲଗଲ ସେ । ମନେହେଲ, ସତେ ଯେମିତ ସେ ଦହେଁ ଆଜର ସ୍ଵାମୀ–ସ୍ତ୍ରୀ ନୁହଁନ୍ତି । କେତେ ବରଷ ତଳର ଖେଳପାଳିଆ ବାଜିଆ ଆଉ ଝୁନିୟାଁ ।

 

ଟିକଏ ପରେ ବାଜଆ ଦେଖିଲ ଝୁନିୟାଁ ବେଳକୁ ବେଳ ତା’ ଅପେକ୍ଷା ବେଶି ଝୁଲୁଚ । ସତେ ଯେମିତ ସେ ମୋଟେ ଛାଡ଼ଯିବାକୁ ଚାହୁଁ ନାଇଁ ତା’ର ମନେପଡ଼ିଲ–ଆରେ ଆରେ, ଇଏ ତ ଥକଯିବ ଅଇଚ୍ଛା । ସବୁବେଳେ କ’ଣ ଦୁର୍ବଳିଆ ଲାଗୁଚି ବୋଲି କହୁଚି... ।

 

‘ଆଲେ, ସେତକ ଝୁଲିଥା । ସେଆଡ଼େ ତାକୁ କଷ୍ଟ ହବ ଯେ... ?

 

ଲଜ ମାଡ଼ଲ ଝନୟ କୁ ଏଇ କଥାରେ । ହେଲେ, ସେତ ଏଠି ବାଜିଆର ସ୍ତ୍ରୀ ଝୁନିୟାଁ ନୁହେଁ । ତା’ ମନ ଭିତରେ କୋଉ ଦିନର ସାଙ୍ଗ ଝୁନିୟାଁ ଉଙ୍କିମାରଚ । ସେ ତା’ ବାଜିଆଇକୁ ଏମିତ କଥାଟାରେ କିଛି ନ କହି ଛାଡ଼ିଦବ ?

 

ଅ... ଭାରି ତ ଶିରୀ ଦେଖିପାର ତା’ର.... ??

 

ଏ କଥା କାଇଁକ କହିଲୁ ?

 

‘ଆଉ ନୁହେଁ ନାଁ ? ଏ ବେଳରେ ପରା ଟିକିଏ କଥାରେ ଡରନ୍ତ, ଚମକନ୍ତ ସେଗୁଡ଼ା ଭାରି ଖରପ । ଆଉ ତମେ ଏ ଅନ୍ଧାରଟାରେ ଏ ବରଗଛମୂଳକୁ ମତେ ଡାକ ଆଣିଚ ଦୋଳି ଖେଳିବା ପାଇଁ ??

 

ବାଜିଆ ଭାବିଲା–ଆରେ ସତକଥା ତ ! ଏତେ ବଡ଼ ଭୁଲଟାଏ କରିପକେଇଚି ସେ ? ନାଁ; ସେ ଦୋଳିଖେଳ ପଛେ ସେତିକିରେ ଥାଉ... । ଘରକୁ ଯିବାକୁ କହିଲା ଝୁନିୟାଁକୁ । ଆସୁ ଆସୁ ଝୁନିୟାଁ କହିଲା–

 

‘ଠାକୁରେ ଚାହିଁଲେ ଆରଥରକୁ କୁନି ଦୋଳିଟିଏ ତା’ପେଇଁ ବାନ୍ଧିବ । ନ ହେଲେ ସାଙ୍ଗରେ ଧରି ଝୁଲିବ ।

 

ଆନନ୍ଦରେ ଜଡ଼ସଡ଼ ହେଇ ଚାଲିଯାଉଥିଲାବେଳେ ଝୁନିୟାଁ ପଛକୁ ପଛକୁ ଚାହୁଁ ଥାଏ । ବାଜିଆ ବି । ପଛରେ ଖାଲି ଠିଆ ହୋଇଥାଏ ଡେଙ୍ଗା ଜଗୁଆଳିଟାଏ ପରି ସେଇ ବରଗଛଟା । ସତେ ଯେମିତି ଗଛଟା ସେ ଦିହିଁଙ୍କର ଜୀବନର ଖାଲି ମାପକାଠି ନୁହେଁ; ଜଗୁଆଳି ବି ।

 

ସେଦିନର ସେ ପହିଲିରଜ ଆଉ ଆଜିର ପହିଲିରଜ ଭିତରେ ତଫାତ୍‌ କିଛି ନଥାଉ ପଛେ; ଗଛର ବୟସଟା ଆଉ ଆଠ ବରଷ ବଢ଼ିଯାଇଚି ୟା ଭିତରେ ।

 

ବାଜିଆ ଆଉଟିକେ ସଳଖେଇ ଶୋଇଲା ସେ ମୁଚୁଳା ଉପରେ । ଆସିଲା ସୂରଜା । ସରୁଜା ବାଜିଆର ବଡ଼ ପୁଅ । ସାତ ବରଷ ପୂରିଲାଣି ତାକୁ । ଜନମବେଳେ କୁଆଡ଼େ ସୂରଜ ଦେବତାଙ୍କୁ ବାଜିଆର ବାପ ନିଧି ବିକିଦେଲା । ସେଇଦିନଠୁ ତା’ର ନାଁ ସୂର୍ଯ୍ୟ ରହିଲା । ସେଇଥିରୁ ଡାକିଲେ ସମସ୍ତେ ସୂରୁଜା ବୋଲି । ସାତ ବରଷର ପୁଅ, ହାଡ଼ ଗଣିହେଇ ପଡ଼ିଲେ ବି ଜଣାପଡ଼େ ମୂଳଦୁଆ ଟାଣ, ଚେରଙ୍ଗା ଚେରଙ୍ଗା ନୁହଁ ଜମା ।

 

କାନ୍ଦ କାନ୍ଦ ଆଖିରେ ସେ ଡାକୁଚି ବାପାକୁ ତା’ର–

 

‘ବୋଉ ଡାକୁଚି ପରା ! ଖାଇବ ଆସ....’

 

‘ଯାବେଃ ! ତୋ ବୋଉକୁ କ’ଣ କହେ, ତତେ କ’ଣ କହେ । ଯାଉଚୁ ନା ଅବିକା ଦେଖିବୁ ।’

 

ତା’ ଖିଙ୍କାରି ହବା ଦେଖି ଡରରେ ପଲେଇଲା ସୂରୁଜା । ପୁଣି ସେମିତି ନେପ୍‌ଟେଇ ପଡ଼ିଲା ବାଜିଆ ।

 

ହାଃ...କି ପିଲାପିଚିକା, କି ଘରସଂସାର, କି ମଣିଷ ହୋ ! ଆଜି ମଲେ କାଲିକି ଦି’ଦିନ, କିଏ କାହାର ଲୋ ! ସମସ୍ତେ ସ୍ଵାର୍ଥବାଦୀ, ସେ ଟିକକ ସଇଲେ ଗଲା, ସେଇଟା ହଉଥିବା ପର୍ଯ୍ୟନ୍ତ ଠିକ୍‌ । ସେଥିରୁ ସୂତାଏ ଟାଳିଲେ ଗଲା....ସଇଲା କଥା, କେହି ପୁଣି ମୁହଁକୁ ଅନେଇବେ ନାହିଁ । ସ୍ତ୍ରୀ କୁହ, ପିଲା କୁହ, ଯାହା କୁହ । ନ ହେଲେ ଦି’ଦିନ ହେଲା ତାକୁ ଟିକେ ତର ସହୁନାଇଁ ଏମାନଙ୍କ ଜ୍ଵାଳାରେ ? ସେଇ ଖିଟି ଖିଟି । କ’ଣ ନାଁ ରଜ–ନୂଆ ହବ । ଆରେ ବାବୁ ,କ’ଣ ପୋତା’ ହେଇଚି ଉଠେଇ ଆଣିବା କଥା ? ଖାଇବାକୁ ଡକେଇ ପଠେଇଚି । ଉଠିବଣି ନାଁ ଆଗ ବିଛଣାରୁ ? କାଲିକା ମଜରା ଛାଡ଼ି ନ ଥିବ.... ।

 

ଏଇଆ ମନରେ ପାଞ୍ଚି ବାଜିଆ ଚାହିଁଲା ନିଜ ହାତ ଆଡ଼େ । ରକ୍ତଟା ଶୁଖି ଜମଟ ବାନ୍ଧ ଗୋଟାଏ ଖୋଳପା ରକମର ହେଇଗଲାଣି । କାଚଟା ସିନା ବାହାରି–ଯାଇଚି; ହେଲେ ଦରଜ କମି ନାଇଁ । ଆଉ ଝୁନିୟାଁ ଦିହରୁ ଦରଜ ଖସିବଣି ? କାଲି ରାତିରେ ପିଟି ପିଟି ଛେଚରା କରିଦେଇ ବାଜିଆ ସେ ମାଇପିଟାକୁ ।

 

ଯାଉ ଶଳା ମରିଯାଉ । କ’ଣ ହବ ଏମିତିଆ ଲୋକଟାଏ ଥାଇ ? ସବୁବେଳେ ଝିଟିରି ଖଟିରି । ପିଲାଙ୍କର ୟା ହେଲାନାଇଁ, ତା’ ହେଲାନାଇଁ । ଇଏ ନାହିଁ ସେ ନାହିଁ, ସବୁବେଳେ କଟାଳ-। କିଏ କହୁଥେଲା ବିଲେଇ–କୁକୁରଙ୍କ ପରି ପଲେ ଅଜାଡ଼ିବାକୁ ! ବାହାଘର ଆଠ ବର୍ଷ ପୂରିଗଲାଣି-। ୟା ଭିତରେ ବଡ଼କୁ ସାତମାସ ସବା ସାନକୁ ,ସାତମାସ, ଆଉ ମଝିରେ ଚାରିଟା । ଦିଟା ପୁଅ–ସବା ବଡ଼ ଆଉ ସବା ସାନ । ବାକି ମଝିରେ ଚାରି ଝୁଅ । ବର୍ଷକୁ ଗୋଟାଏ ଲେଖାଏଁ...-। ବାଜିଆ କ’ଣ ଏଇଥିପାଇଁ ନେଖିଦେଇଚି ? ଗୋଟାକୁ ଗୋଟା ଖାଲି ହଉଥେବେ ଆଉ ବାଜିଆ ତାଙ୍କ ପାଇଁ ରଜ, କୁଆଁର ପୁନେଇଁ, ଜନମଦିନ, ଷଠିପୂଜା ଏଇଆ କରୁଥିବ ? କୋଉଠୁ ଆଣିବ ସେ ... ? ମାଇକିନିଆକୁ କିଛି ଜଣାପଡ଼ୁ ନାଇଁ ବୋଲି ସିନା... ।

 

ଘରେ ତ କିଛି କୁଆଡ଼େ ନ ଥେଲା ରୋଷେଇ କରିବାରୁ; ଆଉ ପୁଣି ହେଲା କେମିତି ? ଡକେଇ ପଠେଇଚି ? କ’ଣ ଆଣିଲା ଯାଇଁ ତା’ ବୋପାଘରୁ ? ମାରନ୍ତି.....ମାରନ୍ତି ଧରିକିରି ଯେ ଯେମିତି ବେହୋସ ହେଇଯାନ୍ତା ।

 

ବାଜିଆ ଆହୁରି ଉତ୍ତ୍ୟକ୍ତ ହେଇଉଠିଲା ବେଳକୁ ବେଳ ।

 

ହଁ ମ ! ଦୁନିଆଁ ରେ କିଏ କାହାର ? ଆପେ ବଞ୍ଚିଥିଲେ ବାପର ନାଁ, ଭାଇ ବନ୍ଧୁ ଦାରାସୁତ ସବୁ ପର–ସୁଖର ସାଥୀ । ଜଣେ ଲୋକ ତା’ର ଆପଣାର ହେଇଥିଲା । ସେ ମଲାଦିନଠଉଁ ବାଜିଆ ଏକରକମ ଧରିନେଇଚି ତା’ ସଂସାରରେ ଆଉ କେହି ନାହାନ୍ତି । ଯୋଉଦିନ ନିଧି ମୁହଁରେ ସେ ନିଆଁ ଗୋଜିଣା ଗୁଞ୍ଜିଦେଲା ଜୁଇ ଉପରେ ଶୁଆଇ ତାକୁ–ସେଇଦିନ ସେ ଏକରକମ ଏକେଲା ହେଇଯାଇଚି । ତାକୁ ଜଣାପଡ଼ୁଚି ତା’ର ଅଗକୁ ପଛକୁ କେହି ନାହାଁନ୍ତି ।

 

ବର୍ଷ ବର୍ଷ ହେଇ ତିନି ବର୍ଷ ଗଡ଼ିଗଲାଣି ୟା ଭିତରେ; କାଲିପରି ଲାଗୁଚି ।

 

ଉପରେ ଆଶୀନରେ ଜହ୍ନ ।

 

କ’ଣ ତିଥିବାର ଥିଲା ମନେ ନାହିଁ । ହେଲେ, ଜହ୍ନଟା ରଣିଫୁଲ ପରି ବଡ଼ ହେଇ ପଡ଼ୁଥାଏ ଦୁନିଆ ସାରା । କେଲିକୈଳାଶ ଉପରଯାଏ କାଇଁକି ସେଦିନ ଯାଇଥେଲା ନିଧି । ସାଙ୍ଗରେ ଆଉ କେଇଜଣ । ଏମିତି ସଉକ୍‌ରେ ବୁଲି ଯାଇଥିଲେ କୁଆଡ଼େ । ଫେରିଲାବାଟରେ ବୁଢ଼ାର କୁଆଡ଼େ ଦିହ ଝିମ୍‌ଝିମ୍‌ ହେଇଗଲା । ଅନ୍ୟମାନେ ତାକୁ ଧରି ଧରି ଧରି କରି ଆଣିଲେ । ହେଲେ, ବେଶି ସମୟ ଗାଲି ନାଇଁ । ତା’ର ଦି’ଘଡ଼ି ପରେ ହିକା ଉଠିଲା । ଝୋଲାମରିଲା ପରି ହେଇ ବୁଢ଼ା ଆଖି ବୁଜିଦେଲା ସବୁଦିନ ପାଇଁ । ଗାଁର ସମସ୍ତେ ଆଖି ଓଦା କଲେ, ବାଡ଼େଇ କଚାଡ଼ି ହେଇ ବାଜିଆ କାନ୍ଦିଲା । ଝୁନିୟାଁ ବହୁତ ବାହୁନି ବାହୁନି କାନ୍ଦିଲା । ହେଲେ, ନିଧି ତ ଆଉ ଫେରବାର ନୁହେଁ.... ।

 

ଗାଁ ଭାଇଏ ମିଶି ଅଧରାତି ସରିକି ଘର କାମ ବଡ଼େଇ ବୋହି ନେଇଗଲେ ମଶାଣିଭୂଇଁକୁ । ଚାରି ବରଷର ସୂରୁଜା କିଛି ନଜାଣି ବତୀ ଜାଳୁଥାଏ । କୋକେଇଟାକୁ ବୋହି ନେଇଗଲା ପରେ ଗୋବରପାଣି ପକେଇ ଗଲାବେଳେ ଝୁନିୟାଁର ଯୋଉ କାନ୍ଦ...ସେ କାନ୍ଦ ଶୁଣି ସାଇ ମାଇପେ ନ କାନ୍ଦି ରହିପାରିଲେ ନାଇଁ ।

 

ଜୁଇ ଉପରେ ଶୁଆଇ ମୁଖାଗ୍ନି ଦେଲାବେଳେ ମଡ଼ା ସାଙ୍ଗିଆ ଭାଇତକ ନୟାନ୍ତ ହେଇଗଲେ ବାଜିଆକୁ ସମ୍ଭାଳିବା ପାଇଁ । ଏକାଜିଦ୍‌ ବାପ ତା’ର ଜଳଜଳ ହେଇ ଅନେଇଁଚି । ଦି’ଘଣ୍ଟା ତଳେ ତାକୁ କଥା କହିଚି ତା’ ମୁହଁଟାରେ ନିଆଁ ଗୋଜିଣାଟା କେମିତି ମାଡ଼ିଦବ ସେ ? ବହୁତ କଷ୍ଟରେ ତାକୁ ରାଜି କରେଇଲେ । ଗାଁ ମୂରବୀମାନଙ୍କ କଥାରେ ରାଜିହେଲା ବାଜିଆ । ନିଆଁ ଧରେଇବା ପୂର୍ବରୁ ଜୁଇ ଚାରିପଟ ବୁଲିବୁଲି ଧର୍ମଡାକ ତିନି ଥର ଯେତେବେଳେ ମରାଗଲା–

 

ନିଧି ପଟ୍ଟନାୟକ ! ଜୀଇଥିଲେ ଉଠି ଜବାବ୍‌ ଦିଅ । ନ ହେଲେ ନିଆଁ ଦେଲେ ଆମର କିଛି ଦୋଷ ନାହିଁ.... ।

 

ଏଇ ଡାକ ଦେଲାବେଳେ ବାଜିଆର ଆଶା ହଉଥାଏ ବାପ ତା’ର ଉଠିବ କି ଜବାବ୍‌ ଦବ କି ! ଖାଲି ଟିକେ ସୂଚକ ପାଇଲେ ଆଖିପିଛୁଡ଼ାକେ ଏଡ଼େ ଏଡ଼େ କାଠଗରଗୁଡ଼ାକ ଫୋପାଡ଼ି ଦେଇ ସେ ତା’ ବାପାକୁ ବାହାର କରି ଆଣିବ, ହେଲେ ହେଲା ନାଇଁ । ଶେଷକୁ ସେଇଆ କରିବାକୁ ପଡ଼ିଲା ତାକୁ । ନିଆଁ ଗୋଜିଣା ନେଇ ମୁହିଁରେ ଗୁଞ୍ଜିଲା... ।

 

ଜୁଇ ଜଳିଲା... ଜଳିଗଲା ତା’ର ଭିତରେ ନିଧି ପଟ୍ଟନାୟକର ଶବ । ଆଉ ଜଳିଗଲା ବି ବାଜିଆର ସୁଖ–ସରାଗ, ଆଦର–ମମତା । ଆଜି ଯୋଉ ବାଜିଆ ରହିଚି ସେ ଖାଲି ପୋଡ଼ା ଅଙ୍ଗାରଟାଏ । ସେଥିରେ ଯେମିତି ଆଉ କିଛି ସରାଗ ନାହିଁ ।

 

ଲୋକେ କେତେଦିନ ପର୍ଯ୍ୟନ୍ତ କୁହାକୁହି ହେଲେ–

 

ଆହା–ମଣିଷ ପରି ମଣିଷଟାଏ ମରିଗଲା ।

 

କିଏ କିଏ ବି କହିଲେ–

 

‘ସେ କ’ଣ ଆଉ କକିଛିଦିନ ବଞ୍ଚିନଥାନ୍ତା ? ଏ ଶଳା ଗଉରା ତା’ ପ୍ରାଣକୁ ନେଇଗଲା । ପୁଅ ବାହା କଲା ପରେ ନିଧି ତ ଜାଣି ଜାଣି ଘରେ କାଳେ ପୁଅ, ବୋହୂଙ୍କୁ ପିଲାଙ୍କୁ ଚଳିବାକୁ ଅସୁବିଧା ହବ ବୋଲି ବାହାରେ ବାହାରେ କାଟିଲା । ଏ ହାରମଜାଦାକୁ ତ ବାୟା ପାଳକ ପଡ଼ିଗଲି... ।

 

ଏ କଥାଗୁଡ଼ାକୁ ‘ବାଜିଆ ବୁଝୁ ନ ବୁଝୁ ଏତିକି ବୁଝିଚି ଯେ ତା’ ବାହାଘର ତା’ ବାପ ଏଡ଼େ ଶୀଘ୍ର ମରିବାର ଗୋଟାଏ କାରଣ । ବାହାଘରଟା କ’ଣ କାରଣ ହେଇଥାନ୍ତା ? ଲାଗ ଲାଗ ଏଇ ଯୋଉ ଛୁଆ ଜନମ, ସେଇଥିପାଇଁ ଲୋକଟା ଜାଗାଟିକେ ପାଇଲା ନି ବସିବାକୁ, ଶୋଇବାକୁ-। ସବୁବେଳେ କେଁ ମେଁ । ଆଉ କ’ଣ କରିଥାନ୍ତା ଯେ ! ସବୁବେଳେ ବାହାରେ ବାହାରେ ରହିବାକୁ ଚାହିଁଲା.... ।

 

ବାଜିଆ ଭାବିଲା–ଅସଲ ଲୋକ ତ ଯାଇଚି, ଆଉ ପୁଣି ତା’ର ସଂସାର । ଘର ଦୁଆର ଏଥିପ୍ରତି ଏତେ ମମତା କାଇଁକି ? ସବୁତକ ଶୋଷଣିଆ ଦଳ । ସେ ମାଇପ ହଉ, ପିଲା ହଉ, ଯେ ହଉ ।

 

ନାଁ, ସେ ଘରକୁ ଯିବ ନାଇଁ, ପୁଣି କ’ଣ ମାଇକିନିଆଟା କହିବ ଯଦି ପୁଣି ଛେଚିବ ତାକୁ-। କ’ଣ ଦରକାର ? ବେଲଚ୍ଛା, ଲୋକଟାକୁ ଯେତେ ମାଇଲେ ତାକୁ କ’ଣ ଟିକେ ଲାଜ ଅଛି ନାଁ ସରମ ଅଛି ? କାଇଁକି ନିଜ ହାତ ଦରଜ କରିବ ମିଛଟାକୁ ।

 

ଏମିତି ଭାବି ଭାବି ପଡ଼ିଥାଏ ବାଜିଆ ସେଇଠି । ତା’ର ଯେମିତି ଏ ଭାବନାର ଆଦି–ଅନ୍ତ ନାହିଁ । ତା’ର ଆଖି ପଡ଼ିଲା–ଗାଁ ଆଡ଼ ଆସୁଚି ମାଇପିଟାଏ । ଝୁନିୟାଁ । ହବ କି କ’ଣ । କାଖରେ ତା’ର ସାନ ଛୁଆଟା । ତା’ ଉପରଟାକୁ ବୋଧହୁଏ ସୂରୁଜା ଜିମା ଛାଡ଼ିଦେଇ ଆସିଚି । ବାଜିଆ ମୁଣ୍ଡରେ ପୁଣି ପିତ୍ତ ଚହଟିଲା । ଆସିଚି ଏଠି ପଟାଏ ଝିକ୍‌ଝିକ୍‌ ନଗେଇବାକୁ । ଆସୁ...ଆସୁ-

 

ଆସିଲା ଝୁନିୟାଁ....ଆସି ପାଖରେ ଠିଆ ହେଲା । ବାଜିଆ ସେମିତି ନ ଦେଖିଲା ଭଳିଆ ମୁହଁ ଉପରେ କହୁଣୀ ନଦି ପଡ଼ିଥାଏ । ଟିକିଏ ଠିଆ ହେଇ ଡାକିଲା ଝୁନିୟାଁ ।

 

‘ହଇୟେ....ମଲା....ଏଠିଟାରେ କ’ଣ ଶୋଇଚ ମ ? ଶୁଣୁଚ.... ?’

 

‘କ’ଣ ଶୁଣିବି ?’

 

‘ଏଠଟାରେ କାଇଁକି ଶୋଇଚ ?’

 

‘ଆଉ କ’ଣ ଗାତରେ ଶୋଇବି ?

 

‘କାଇଁକି, ଘରେ ଶୋଇବାକୁ କ’ଣ ମନା ?

 

‘ଘର ? ଘର ଆଉ ଘର ହେଇ ଅଛି ? ଘରଟାକୁ ଗୋଟାଏ ଯମପୁର ଠଉଁ ବଳେଇଦେଲୁଣି ତୁ ମୋ ପାଇଁ । ମତେ ଘରକୁ ଡାକୁଚୁ ?

 

ମୁଁ ବଳେଇଦେଲି ?’

 

‘ଆଉ କିଏ ମୁଁ ?’ସବୁବେଳେ ତୁ ମୋ ସାଙ୍ଗରେ ମାଇକିନିଆଟା ନଗେଇଚୁ, କାଇଁକି ବେ ? ମୁଁ ତୋର ଖାଏ ନା ଧରେ ? ହକ ମାଟି ସାଙ୍ଗରେ ମାଟି ହେଇ ଖଟୁଚି, କମଉଚି, ତମକୁ ଆଣି ଗିଳେଇବାରେ ତାକତ ହେଇଯାଉଚି ମୋ ସାଙ୍ଗରେ ନଗେଇବାକୁ ? ବସି ଖାଇବାରେ ମୁହଁ ବଢ଼ିଯାଉଚି ?

 

‘ମୁଁ ବସି କରି ଖାଉଚି ?’

 

‘ନାଇଁ, ତୁ କାଇଁକି ବସିକରି ଖାଇବୁ ? ଗୋଟାକୁ ଗୋଟା ଜନମ କରୁଚୁ, ଖାଉଚୁ ? ସେଇଟା କ’ଣ ଗୋଟାଏ କାମ ନୁହେଁ ?’’

 

‘ଏଁ..... ତମେ ମତେ ଯାହା କୁହ; ହେଲେ ମୋ ଛୁଆଙ୍କୁ ସେମିତି କହ ନାଇଁ....

 

‘ଆବେ ଚୁପ୍‌ କ’ଣ କହିବା ନ କହିବା କଥା ମୁଁ ଜାଣେ । ତୁ ମତେ ଶିଖେଇବୁ ? ଯା ପଳା ଘରକୁ । ତୋ ଛୁଆ ତ ତତେ ଚଲେଇ ଚଲେଇ ସରଗକୁ ନେବେ । ମୋ ପାଖକୁ ଆସିଚୁ କାହିଁକି ? ମୁଁ ତୋର କିଏ ?’

 

‘ହଉ ତମେ ଘରକୁ ଆସ । ମୁଁ ସିନା ତମର କେହି ନୁହଁ; ହେଲେ, ତମ ଛୁଆଗୁଡ଼ାକ ତ ତମ ରକତ । ଘର ତ ତମର... ।’

 

ନାଁ, ମୁଁ ଯିବି ନାଇଁ...’

 

‘ମୁଁ ତମ ଗୋଡ଼ଧରି ନେହୁରା ହଉଚି, ଏ ଗଛମୂଳରେ ଏମିତି ପଡ଼ିଚ । ଯିଏ ଦେଖିବ କ’ଣ କହିବ ?

 

‘ଯାଉଚୁ ନାଁ । ଅଇଚ୍ଛା ଦେଖିବୁ ?’

 

‘ଆଉ କ’ଣ ଦେଖେଇବ ଅଧିକା ଯେ ? ଦି’ଟା ମାରିବ ? ହଉ ଘରକୁ ,ଆସ ମାରିବ ।’

 

‘ଯିବି ନାଇଁ; ପଳା କହୁଚି ପରା....ଦେଖିବୁ ଅଇଚ୍ଛା ?’

 

ଏଇ କଥାରେ ଝୁନିୟାଁ ଡରି ନଯାଇ ତା’ ହାତ ଧରି ଉଠେଇବାକୁ ଚେଷ୍ଟାକଲା । ଖୁବ୍‌ଜୋର୍‌ରେ ଛିଞ୍ଚାଡ଼ି ଦେଲା ବାଜିଆ ତା’ର ହାତ ଦିଟାକୁ । ଉଠି ଗାମୁଛାଟା କାନ୍ଧରେ ପକେଇଲ-

 

ଏଠି ବି ମରିବାକୁ ଦବନାଇଁ... । କହିଦେଇ ଡଗ ଡଗ ହେଇ ଚାଲିଗଲା ଅନ୍ୟଆଡ଼େ । ଝୁନିୟାଁ ଦେଖିଲା ତା’ ପଛରେ ଗୋଡ଼େଇ କିଛି ଲାଭ ନାଇଁ । ପିତ୍ତ ଚଢ଼ିଲାବେଳେ କୁଆଡ଼େ ଯିବ ସେ କିଛି ଠିକ, ଠିକଣା ନାଇଁ । ବରଂ ତା’ର ମନ ଥଣ୍ଡା କରି ଯେତେବେଳେ ସେ ଆସୁଚି ଆସୁ ।

 

ଛୁଆଟାକୁ ଧରି କେତେ ବୁଲିବ ସିଏ....

 

କେତେ ନ ବୁଲୁଚି ଯେ ! ଘରର ଭଲ ମନ୍ଦ କାମ, ଛୁଆଙ୍କର ଅଳିଅଝଟ, ବୁଝି ପୁଣି କିଏ ବାଧକା ପଡ଼ିଲା, କିଏ ହଗିମୂତି ହେଲା, ସେଗୁଡ଼ାକୁ ଯାଇଁ ଗାଁରେ ଡାକ୍ତରଖାନାରେ ଦେଖେଇ ସେଥିପାଇଁ ଔଷଧ ଆଣି ଚିକିତ୍ସା କରିବା ପର୍ଯ୍ୟନ୍ତ ସବୁ ଦେଖୁଚି ସେ ନିଜେ । କୌଣସି କଥା ତ ବାଜିଆ ଆଉ କାନକୁ ନଉନାଇଁ । ଜମିରୁ ଆସିଲା ପରେ ଟିକେ ଘରେ ବସି ଦୁଃଖସୁଖ ହାନିଲାଭ ବୁଝ ନାଁ ସିଧା ଚାଲିଲେ କୋଉ ଆଖଡ଼ାକୁ ।

 

ଭଲବେଳେ ତ ରକ୍ଷା ଅଛି, ଚଳି ଯାଉଚି । ହେଲେ ନିପଟ ଅସଜବେଳେ ବି ଏ କାମ କରିବାକୁ ନ ହେଇଚି ଏ କଥା ନୁହଁ । ଏଇ ଛୁଆଟା ଯେତେବେଳେ ଦିହରେ ଥିଲା ସେତେବେଳେ ସୂରୁଜା ତଳ ଭଉଣୀ କରଞ୍ଜର ଦିନେ ପେଟ ଟାଣିହେଲା । ଅତି ସରାଗରେ ଝୂନିୟାଁ । ବାପଘରୁ ଆସିଥିବା କଖାରୁମଞ୍ଜି ବଡ଼ରୁ ଦି’ ତିନିଟା ଖଣ୍ଡ ଲୋଭରେ ଖାଇଦେଲା । ପିଲାଲୋକ, ସହଜେ ଖାଇରଙ୍କୁଣୀ । ସଞ୍ଜ ସରିକି ଟାଣିଲା ପେଟ । ମହିରୀ ପରି ତଳେ ଖାଲି ଗଡ଼ିଲା ପଡ଼ି । ଖାଲି ନାଁକୁ ଝାଡ଼ା ଯାଉଥାଏ ଆସୁଥାଏ । ଶେଷରେ ତା’ ବିକଳ ଦେଖି ସମ୍ଭାଳିପାରିଲାନି ଝୁନିୟାଁ । ବାଜିଆକୁ ଡକେଇ ପଠେଇଲା–ନୀଳକଣ୍ଠଙ୍କ ଚଉପାଢ଼ୀ ପାଖକୁ । ବଡ଼ ବିରକ୍ତରେ ଖେଳ ଛାଡ଼ି ଅସିଲା ବାଜିଆ । ଦେଖିଲେ, କରଞ୍ଜ ଗଡ଼ୁଚି । ଶୁଣିଲା ସବୁକଥା, ବଇଦ ପାଖକୁ ଯିବା ଦୂରେ ଥାଉ, ଓଲଟି କହିଲା ଝୁନିୟାଁକୁ–

 

‘ବୋପାଘର ଜିନିଷ ତ ଖୋଇଚୁ, ଏଥର ବୋପାଘରେ ନେଇ ସମ୍ଭାଳ । ମୋ ଛୁଆର କ’ଣ ହବ ତ ତୋର ଦିନେକୁ ମୋର ଦିନେ ।’

 

ଏଇତକ କହିଦେଇ ପଛକୁ ନ ଅନେଇ ପୁଣି ଚାଲିଗଲା ସେଇଠିକି । ସେ ଯେଉଁ ନିଶା ସେଠି କ’ଣ କେହି ଛାଡ଼ିପାରନ୍ତି ନାଁ ଇଏ ରହିପାରିବ, ତ୍ରିନାଥ ମେଳା ନାଁରେ ସବୁଦିନେ ଗଞ୍ଜେଇଟଣା ଏଇଟା ଗୋଟାଏ ଗତରେ ପଡ଼ିଗଲାଣି ବାଜିଆର । ସାଙ୍ଗମେଳରେ ପଡ଼ି ଏମିତି ହେଇଗଲା ସେ । ସବୁବେଳେ ଆଖି ଟଳୁଟଳୁ କରି ବୁଲୁଚି ଆଜିକାଲି । ଗଞ୍ଜେଇ ନିଶା ଟିକେ କମିଗଲେ ଅବସ୍ଥା ନାହିଁ ନଥିବାର । ସବୁଦିନେ କୁଆଡ଼ୁ ନାଁ କୁଆଡ଼ୁ ସେତକ ବନ୍ଦୋବସ୍ତ ହେଇଥିବ-। ସେଇ ବୁଦ୍ଧିରୁ ଲକ୍ଷ୍ମୀ ଛାଡ଼ିଗଲାଣି, ତା’ ଦିହରୁ । ଜମିବାଡ଼ି କ୍ଷୟ ଉପରେ ଗଲାଣି ପଛେ ଆଉ ଆୟର ପ୍ରସଙ୍ଗ ନାହିଁ । ହିଡ଼ ମାଟି ହିଡ଼ରେ । ନଦିଲେ ହିଡ଼ ଉଇ, ହବ ସିନା; ହେଲେ, ହିଡ଼ମାଟି ବିକି କରି ଯଦି, ପଇସା କମେଇ ତ୍ରିନାଥ ଗୋସେଇଁଙ୍କ ନାମକୀର୍ତ୍ତନ କରିବ, ତା’ ହେଲେ କ’ଣ ତ୍ରିନାଥ ଗୋସେଇଁ ତା’ପରଦିନ ସକାଳୁ ଖାଲି ଜାଗା ପୂରା କରିଦେବେ ?

 

ଏମିତି ଏମିତି ଗୋଟିଏ ଗୋଟାଏ ଅବେଳରେ ଜମିରୁ ଚେନାଏ ଚେନାଏ ଗଲା । ନିଧି ମଲାବେଳକୁ ଭଲ ଅରାଟା ବନ୍ଧା ପଡ଼ିଥେଲା । ସେ ଖଣ୍ଡକ ଆଉ ମୁକାଳିବାର ନାଁ ଧରିବାର ନାହିଁ !

 

ବାଜିଆ ଚାଲିଗଲା ସିନା, ହେଲେ, ଯାହା କହିଦେଇ ଗଲା ଝୁନିୟାଁର ଛାତିରେ ଗାରେ ହେଇଗଲା । ତା’ ଛୁଆର ଯଦି କିଛି ହବ...ତା’ହେଲେ ତା’ର ଦିନେ ।’ ହଅ....ଏଇ କଥାକୁ କ’ଣ ସେ ଡରିଚି ? ହେଲେ, ତା’ର ଛୁଆଟା ଆଖି ଆଗରେ ଗଡ଼ୁଚି । କ’ଣ କରିବ ସେ ? ବଇଦ ଘରଯାକେ ସେ ଯେ ନ ଯାଇପାରିବ ଆଉ ନ ଯାଏ, ସେ କଥା ନୁହେଁ । ସବୁକାମ ତ ଆଜିକାଲି ସେଇ କରୁଚି । ହେଲେ, ଏ ବେଳଟା ତ ସବୁବେଳେ ସାଙ୍ଗରେ ତ ସମାନ ନୁହେଁ । ଆଉ ଖୁବ୍‌ହେଲେ ମାସ ଗୋଟାକରେ ଦିହରୁ ଆଉ ଗୋଟାଏ ଜୀବନ ଭୂଇଁକି ଆସିବ । ସେଥିପାଇଁ ବିଧା ଗୋଇଠା ମାରି ସେ ଅଥୟ କରି ପକାଉଚି ଦିହ ଭିତରେ ଝୁନିୟାଁକୁ । ଏ ଅବସ୍ଥାରେ ସେ କେମିତି ଯିବ ? ତଥାପି ନ ଯାଇଚୁ ନାହିଁ, ତାକୁ ଯିବାକୁ ପଡ଼ିବ । ଅଣ୍ଟାରେ କାନିକି ଗୁଡ଼େଇ ସାନଟାକୁ କାଖରେ ଧରି ସେଇ ଅନ୍ଧାରଟାରେ ବାହାରିପଡ଼ିଲା ସେ । ପୁଣି କେତେ ରାତିକେ ଓଷଦ ଆଣିବାରେ ଯାଇଁ କରଞ୍ଜ ଟିକେ ନିଦରେ ଶୋଇଲା,....ଝୁନିୟାଁ ଛାତିରେ ଜୀବନ ପଶିଲା ।

 

ଏଇମିତି ଗୋଟାଏ ନୁହେଁ, ଗୋଟା ଗୋଟା ହେଇ କେତେ ଯେ ଏମିତିଆ ଘଟଣା ଝୁନିୟାଁର ଦିହସୁହା ହେଇଯାଇଚି ତା’ର ଇୟତ୍ତା ନାହିଁ । ବେଳେବେଳେ ସେ ଭାବେ ବସି–ମୋର ଗାଁର ଝୁଅ ସେଇ ଗାଁରେ ବୋହୂ, ହବା ମୋଟେ ଉଚିତ ନୁହେଁ, ସେଇ ଗାଁରେ ଝୁଅ ହେଇ ଏତେ ଅଲିଅଳରେ ବଢ଼ିଥିବ ପୁଣି ସେଇ ଗାଁର । ସାନଭାଇଙ୍କ ଆଗରେ ପୁଣି ଏତେ ହୀନମାନ ହେଇ କାଳ କାଟିବ ! ଛି....ଛି ! ଜମା ନୁହେଁ । ସେଇ ଝୁନିୟାଁକୁ ପରା ଗାଁରେ ଯିଏ ଦେଖିଥିଲେ, ଦଣ୍ଡେ ଚାହିଁବାକୁ ଇଚ୍ଛା ହଉଥେଲା ଆଖି ପୂରେଇ । ଆଉ କଥା ତ ଛାଡ଼ । ସାଙ୍ଗ ଝିଅଗୁଡ଼ାକ କିଲିବିଲି କରି କାମୁଡ଼ି ବିଦାରି ପକାନ୍ତି । ହେଇ, ସେଇ ଝୁନିୟାଁ ଆଜି ହେଇଚି, କ’ଣ ? କଣ୍ଟା ମାଳଟା ଖାଲି ଯାହା ଠେଲିପେଲି ହେଇ ବାଧ୍ୟରେ ଦୋହଲି ଦୋହଲି ଝୁଲୁଚନ୍ତି ।

 

ସେଇଥିରେ ପୁଣି ଝୁନିୟାଁର କିଛି ବାଦ୍‌ ଯାଇନି, କେମିତି ଯିବ ? ଭାଇଭଗାରୀରେ ଘର ତ କରିଚି, ଆଉ ତ କାହା ଛତରରେ ପଶିଯାଇ ପାରିବନି ସିଏ । କେତେ ଅବା ବାପଘରଟାକୁ ଦଉଡ଼ିବ ? ଦେଲା ନାରୀ ହେଲା ପାରି, ବାହା ହେଇସାରିଲା ପରେ ଝୁଅ ତା’ର କର୍ମଫଳ ଭୁଞ୍ଜିବ । ଆଉ ଗୋଟାଏ ବାପଘର ସାଙ୍ଗରେ ସମ୍ପର୍କ କ’ଣ ? ତଥାପି ଭଲରେ ମନ୍ଦରେ କୋଉଥରେ ତା’ର ଅଭାବ ରହିନି । ସେମାନଙ୍କର ଏବେ କୋଉ ଚଳ ଅବସ୍ଥା ! ଯାହା ଥେଲା, ଏଇ ଭିତରେ ଲଗ୍‌ଲାଗ୍‌ ଗୁଡ଼ାଏ ଖରଚ ଯୋଉ ପଡ଼ିଗଲା ସେଥିରେ ସେମାନେ ତଳିତଳାନ୍ତ ହୋଇଗଲେ । ପୁଣି ମଝିରେ ଗୋଟାଏ ବରଷ ଡାହା ମରୁଡ଼ି । ଭୂଇଁ ଫାଟି ଆଁ କଲା, କୌଣସି ମତେ ଏପାଖ ସେପାଖ କରି ସମସ୍ତେ ବଞ୍ଚିଗଲେ ସେଇ ଯଥେଷ୍ଟ । ପୁଣି ସେତିକି ନୁହେଁ, ଦୁଃଖ ପଛେ ପଛେ ଗୋଡ଼େଇଚି, ବଇଦଘରକୁ ଅଧେ ରୋଜଗାର ଯାଉଚି ।

 

ଅଇଁଠାକୁ କେଇଦିନ ହବ ଶ୍ଵାସ ଧରିଚି, ଖାଲି ଧଇଁ ପେଲୁଚି, ବଡ଼କଷ୍ଟ ପାଉଚି ସେଥିରେ । ହଁପେଇ ହାଁପେଇ ଦୁହେଁ ହେଇ ପଡ଼ିଚି ତା’ର ଛାତି ପଞ୍ଜରା ଗୁଡ଼ାକ, ବଅସ ବା କୋଉ ବସିଚି ! ବେଳକୁ ବେଳ ବାଣ ମାଇଲା ଭଳି ନଇଁ ଯାଉଚି ଅଇଁଠା, ତଥାପି ସେଥିରେ ବିଲବାଡ଼ି ଧନ୍ଦା ଦେଖିବାରେ କତେଇ ନାଇଁ । କିଏ ଦେଖିବ ଯେ ! ସୁରଟିକେ ଆଖି ଦୁରୁଶିଆ ହେଇଗଲାଣି ସତ ତଥାପି ତ ପିଲା, ତା’ର ଏକାଝୁଙ୍କ ସେ ପାଠ ପଡ଼ିବ । ଗାଁରେ ଇସ୍କୁଲଟା ହେଇଗଲାଣି । ସାଙ୍ଗସରିସା ସବୁ ତା’ର ପଡ଼ୁଚନ୍ତି, ସେ କେମିତି ମନମାରି ତୁନି ହେଇ ରହିବ ? ଇସ୍କୁଲ ଯାଉଚି, ଖାଲି ଯାଉଚି ନୁହେଁ, ଭଲ ପଢ଼ୁଚି କୁଆଡ଼େ । ସେଇଥିପାଇଁ କାହିଁକି ଅଇଁଠାର ମନ ଡାକୁ ନାଇଁ ତାକୁ ପଢ଼ାରୁ ଉଠେଇ ଆଣି ଘରବୋଝ ନଦି ଦେବାକୁ । ଯାଉ ଯେତେଦିନ ଏମିତି ଯିବ, ଆଉ ଦିନ କେଇଟାରେ ଇସ୍କୁଲ ପାଠ ତା’ର ଶେଷ ।

 

ତା’ ମାକୁ ଇଆରି ଭିତରେ କୁଆଡ଼େ କେତେଥର କହିଲାଣି, ମୁଁ ଇସ୍କୁଲ ପଢ଼ା ସାରିଲେ କଟକରେ କଲେଜରେ ପଢ଼ିବି ।’ ମା ତା’ର ଏଇ କଥାରେ କିଛି ନ କହି ତୁନି ରହେ । ଦିନେ ମାଳତୀ କୁଆଡ଼େ ଏ କଥା ଅଇଁଠାକୁ କହିଲା । ତୋଡ଼ଟାଏ କାଢ଼ିଲା ଅଇଁଠା ।

 

‘ଆ....କଲେକରେ ପଡ଼ିବ ! ଘୋଡ଼ାଡିମଟା ପଡ଼ିବ ! ମୁଁ ପଛେ ହଳ ଧରି ଧରି ମରେ ଆଉ ଇଏ କଲେଜରେ ପଢ଼ିସାରି ହଳିଆ ରଖି ଜମି ଚାଷ କରିବେ !’

 

ବାପାର ଏଇ ମତାମତ ବୋଲି ଜାଣିଚି ସୁର । ତଥାପି ତା’ ଚେଷ୍ଟାରୁ ସେ ବିରତ ହେବ ନାଇଁ । ଲୁଚେଇ କରି ତା’ କେଶବ ଭାଇକୁ ଲେଖି ଦେଇଚି.....

 

କେଶବ ଭାଇ, ତମେ ମୋର କଲେଜ ପଢ଼ାକଥା ବୁଝିବ । ବାହାଘରବେଳେ ମତେ ବୁଝଉଥେଲ କଲେଜ ପଢ଼ିବା କଥା । ମୋର ଇଚ୍ଛା ଅଛି । ବାପାଙ୍କର ତ ତୁଲେଇବା ସମ୍ଭବ ନୁହେଁ.... । ତମେ ମୋର ଏତକ ସୁବିଧା କରିଦବ ନିଶ୍ଚେ ।

 

କେଶବ କରିବ, ତା’ର ସେ ସକ୍ଷ ଅଛି । ସେଇ କଲେଜରେ କିରାଣୀ କାମ କରୁଚି ସେ-। ପାଖରେ ରଖି ପଢ଼େଇବ ସୁରକୁ ବୋଲି କେତେ କଥା କହିଥେଲା ସେ । ଯା’ ହଉ କେଶବ ତ ଏତକ ଗଲା ? ହେଲେ ଝୁନିୟାଁ ? ସେ କ’ଣ କରିପାରିଚି ତା’ ବାପଘର ପାଇଁ ? କରିବା ନ କରିବା ତ ଦୂରର କଥା, ବଡ଼ ଜୋଇଁ ତମେ....ପୁଅଠୁ ବଳି । ପାଖରେ ଯେମିତି ଅଛ ଭଲରେ ମନ୍ଦରେ କାନ୍ଧ ଲଗେଇ ଦିଅନ୍ତ ସିନା ! ଓଲଟି ତା’ ଉପରେ ଘୋଡ଼ାଚଢ଼ା ।

 

ଠ’ପରି ମନେ ଅଛି ଝୁନିୟାଁର । ଦି’ ବରଷ ପୂରା ହେଇ ନାଇଁ । କାଇଁ ବାହାଘର କଥା ଯେତେବେଳେ ବହୁତ ଚାଲିଲା, ୟାଙ୍କୁ କମ୍‌ କୁହାଯାଇଚି ପାଉଟିଏ ପାଇଁ । ହଉ, ତା’ ଏବେ ନ ବୁଝିଲେ ଯେତେବେଳେ ବାହାଘର ଠିକ୍‌ହେଇଗଲା, ସେତେବେଳେ ତ ତମର ଭାରି ବେଭାର ଦବାର କଥା । ବେଭାର ତ ଦି’ଟା ଟାଙ୍କା ଦେଲେ ବି ହବ; ହେଲେ, ଏଇଟା ତ ବେଭାର ନୁହିଁ, ଏକରକମ ସାହାଯ୍ୟ କହିଲେ ଚଲେ, କିନ୍ତୁ ହେଲା କ’ଣ ? ବାଜିଆକୁ ଯେତେବେଳେ କହିଲା ଝୁନିୟାଁ.....ଦବା ତ ଦୂରର କଥା କାନରେ ବି ପୂରେଇଲା ନାଇଁ । ଓଲଟି କହିଲା–

 

‘ବୋପା ଯୋଉଗୁଡ଼ାକ ଅଜାଡ଼ି ପକେଇଥେଲା ତତେ, ସେ ଗୁଡ଼ା କୁଢ଼େଇ ଦେଇ ଆସିବୁ ଯାଉନୁ....

 

କିଛି ନ କହି ତୁନି ରହିଲା ଝୁନିୟାଁ । କାଇଁକି ଲଗେଇବ ଲୋକଟା ସାଙ୍ଗରେ ମିଛରେ । ସବୁବେଳେ ବାପଟା ନାଁ ଧରି ଝଡ଼େଇ ହଉଚି । କେତେଥର ଏଇ ବାପ ନାଁ ଧରିବାରେ ଲାଗିଲାଣି ପଟାଏ ପଟାଏ, କେତେ ସହିବ ମଣିଷ ! ହୁଟ୍‌ପଡ଼ିଲେ ବାପ ନାଁ । ଝୁନିୟାଁ ବି ଆଉ ଡରୁନି; କହି ଦଉଚି ।

 

‘ସେମିତି ଧରୁ ଥା ମୋ ବାପ ନାଁ....ଦିହରେ ମୁଣ୍ଡରେ ପାଇବୁ ।’

 

ହେଲେ, ଏ ବେଭାର ଦବା କଥାଟାରେ କ’ଣ କରିବ ଝୁନିୟାଁ ? ତା’ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିଚି । କେହି ତ ବୁଝିଲେନି ତା’ ଘରର ଅବସ୍ଥା । କଇଁ କ’ଣ ବୁଝିବ ଏ କଥା ? ସେ କହିବ, ଅପାକୁ ରୂପା ଧାନେ ମିଳିଲା ନାଇଁ କାନଫୁଲଟାଏ ଗଢ଼େଇ ଦବାକୁ.... ? ଭଗାରୀମାନେ ଉଲୁଗୁଣା ଦେଇ ମୁହଁରେ କାନି ଚାପି ହସିବେ । ନାଁ, ତାକୁ ଯେ କୌଣସି ମତେ କିଛି ଗୋଟାଏ କିନାରା କରିବାକୁ ପଡ଼ିବ ।

 

କେତେ ରାତିକେ ସେଦିନ ବାଜିଆ ଘରକୁ ଆସିଲା । ଝୁନିୟାଁ ତା’ ମନଜାଣି ତା’ ପାଇଁ ସବୁ ରକମର ଟିକେ ଟିକେ ଖାଇବାର କରିଥେଲା ! ସବୁ ରାଗ ଭୁଲି ଗେହ୍ଲେଇ ହେଇ ତା’ ପାଖରେ ବସି ତାକୁ କେତେ କଥା ପଚାରିଲା । ତା’ର ସତ ମିଛ ପ୍ରଶଂସା ଗୁଡ଼ାଏ ବାଢ଼ିଲା । କଇଁ ଆସି ତା’ କଥା ପଚାରି ଅସରାଏ ବାହୁନି ଦେଇ ଯାଇଚି...କେମିତି ସେ ମୋଟେ ବିଦା ହବ ନାଇଁ ଯଦି ତା’ ବାଜିଆଇ ତାକୁ ଗାଁ ମୁଣ୍ଡଯାକେ ବଳେଇ ଦେଇ ନ ଆସିବ...କାହାରି ହାତରେ ପୁଣି ସେ ସବାରୀରେ ବସିବନି ତା’ ବାଜିଆଇ ଛଡ଼ା...ଏମିତି କେତେ କଥା.... ।

 

ବାଜିଆଇ ନିଶାଟା ଟିକେ ସେଦିନ ଭଲଆଡ଼କୁ ଝୁଙ୍କି ପଡ଼ିଥେଲା । ତା’ ମନ ତରଳିଗଲା । ଓଲଟି ସେକଥା ପକେଇଲା–କ’ଣ ତା’ ବାହାଘରକୁ ସବୁ ଦିଆଯିବ ବୋଲି । ପଇସାପତ୍ର ନଥିବାର ବୁଝି ସେଇଠୁ ପ୍ରସ୍ତାବ କଲା ସେ । ବାପା ମଲା ବେଳକୁ ଯୋଉ ଜମିଟା ବନ୍ଧକ ଦିଆ ହେଇଥେଲା, ସେଇଟା ବହୁତ କମ୍‌ ଟଙ୍କାରେ ଦିଆଯାଇଥେଲା । ତା’ଠଉଁ ସେଇ ବାବଦ କିଛି ଟଙ୍କା ଆଣିଲେ ଏ କାମଟା ଚଳିଯାନ୍ତା । ଝୁନିୟାଁ ମନକୁ ବି କଥାଟା ପାଇଲା । ସେ ଆହୁରି ଗେହ୍ଲେଇ ହେଇ ବାଜିଆଆଡ଼କୁ ଘୁଞ୍ଚିଗଲା । କୋଉ ଦିଗରୁ ସେଦିନ ଚନ୍ଦ୍ର ଉଇଁଥେଲେ କେଜାଣି ! ବାଜିଆ ସେ ହାତ ମେଞ୍ଚାକ ନିଜ ଉପରକୁ ସାଉଁଟି ନେଲା । ସବା ସାନ ଛୁଆର ଉପର ଛୁଆଟା ବୋଧହୁଏ ସେଇଦିନର । ନ ହେଲେ ଆଉ ତା’ପରେ ସେ ଭିତରେ କେବେ ଝୁନିୟାଁର କାଇଁ ମନେପଡ଼ୁନି.... ।

 

ହେଲେ, ସେଥିରେ ବି ତା’ର ପେଟ ପୂରା ପଡ଼ିଲାନି । କେତେ ଟଙ୍କା ଆଣିଲା ବାଜିଆ, ସେ କଥା ଝୁନିୟାଁ ଜାଣିନି । ହେଲେ, ଅଳ୍ପ କିଛି ଦେଇ ସେଥିରେ ଚଳେଇ ଦେବାକୁ କହିଲା । ହେଲେ, ଝୁନିୟାଁ ଠିକ୍‌ବୁଝିଚି ବାକିତକ ତ୍ରିନାଥ ଗୋସେଇଁଙ୍କ ନାଗିପାଇଁ ଗଲା । କ’ଣ କରିବ ସେ ! କିଛି କାହାକୁ ନକହି ନିଜର ବାଲା ବଟଫଳକୁ ଜଣକ ପାଖରେ ଥୋଇ କିଛି ଆଣି ଚଳେଇ ଦେଲା କୌଣସି ପ୍ରକାରେ । କେତେ ଆଶା କରିଥିଲେ ଘରେ, ସେ ଯେ ପହିଲି ନିମିତ୍ତ । ବାଜିଆକୁ ତ ସେମାନେ ଘରର ଜୋଇଁପରି ଦେଖନ୍ତି ନାଇଁ; ପୁଅ ପରି । ସବୁ କାମତକ ଉଠେଇଦବ ସେ ଏକା, ହେଲେ ହେଲା ନାଇଁ । ସେ ଆଶା ସେମାନଙ୍କର ସେମିତି ମଉଳିଗଲା ।

 

କଇଁ କ’ଣ ଆଉ ବାହା ନହେଇ ରହିଲା ? ଭାଗ୍ୟ ତା’ର ସେମିତି ଟାଣ ବୋଲି କେଶବ ଭଳିଆ ବର ସେ ପାଇଚି । କଟକରେ କୋଉ କଲେଜର ବିରାଣୀ ହେଇଚି । ବରଯାତ୍ରୀଙ୍କୁ ଦେଖି ଗାଁବାଲା ତରସି ଗଲେ । ଏମିତିଆ ଜୋଇଁ କେଉଁଠି ରଖିଥେଲା ଅଇଁଠା, କାଲିକାର ଜୋଇଁ ସେ; ହେଲେ, ଘରକୁ ପଟେ ହେଇ ବାହାରିଲାଣି । ସୁର ଯଦି କଲେଜରେ ପଡ଼ିବ ତା’ହେଲେ ତା’ରି ପାଖରେ ରହି ପଡ଼ିବ । ଅଉ ଇଏ... ??? ଜୁଆଡ଼ି ଗଞ୍ଜୋଡ଼ ଏମାନେ ପରା ସମାନ । ତାଙ୍କର କ’ଣ କଥାରେ ଠିକ୍‌ ନାଁ କାମରେ ଠିକ୍‌ ? ସବୁବେଳେ ଟାଉଁ ଟାଉଁ...

 

ଘରେ ଥେଲେ କେତେ, ଭାସିଗଲେ କେତେ, ଏମାନଙ୍କର ସେଥିରେ ଯାଏ ଆସେ କ’ଣ ? ହାତରୁ ସିନା କାଢ଼ିଦେଲା ଗହଣା କେଇଖଣ୍ଡି ! ହେଲେ, ବାହାଘରଟା ପରା ସେଇଠି... ଦେଖି ପକେଇଲେ ଧରା ପଡ଼ିଯିବ, କ’ଣ ନାଁ ବନ୍ଧା ପକେଇଚି କି ବିକିଚି ବୋଲି । କେତେ ବାଟ କରି ସେ ତାକୁ ମୁକାଳିଚି ଦିନ କେଇଟାରେ ! ସେ ଯଦି ଖାଲିଟାରେ ଘରେ ବସି ରହନ୍ତା ତା’ହେଲେ ବେଳଅବେଳରେ ହାଣ୍ଡି ବି ଯାନ୍ତାନି ଚୁଲି ଉପରକୁ । ଶଶୁରବୁଢ଼ା ସିନା ସେତକ ରଖିଦେଇ ଯାଇଚି ଯେ ପଖାଳ ବେଲାଏ କୁଆଡ଼େ ଯିବ ନାଇଁ । ହେଲେ ନୁଣଟାଏ ତ ପୁଣି ସେଠିକି ଲୋଡ଼ା । ସେଇଟା ? ନୁଣ ଖରଚଟା ସେଇ ଜମିରୁ କ’ଣ ଆସନ୍ତା ନାଇଁ ନାଁ ଆସୁନି ? ହେଲେ, ତ୍ରିନାଥ ଗୋସେଇଁ ସବୁ ନେଇ ଯାଉଚନ୍ତି ସେତକ । ତା’ହେଲେ...

 

ଝୁନିୟାଁ ଯଦି ଘରେ ବସି ରହିବ, ପେଟ ପୂରା ପଡ଼ିବ ?

 

ରାଗ ବେଳରେ ସେଇ କଥାକୁ ଦେଖେଇ ଶିଖେଇ କେତେ ନ କହିଚି ବାଜିଆ । ହେଲେ, ଝୁନିୟାଁ ତାକୁ ଛାଡ଼ି ପାରିନି । ଅଭିମାନ କରିବାର କ’ଣ ବଅସ ଅଛି ଆଉ... ? ମନ ମାରି ରହିଲେ ପିଲା କେଇଟାଙ୍କ ଦୁର୍ଦ୍ଦଶା ଚୋରଚଣ୍ଡାଳକୁ ନ ଥବ । ଖରାବେଳେ ସେ ସବୁ କାମ ସାରିଦେଇ ମହିଳା ସମିତିକୁ ଚାଲିଯାଏ । ତା’ ସାଙ୍ଗରେ ଯିଏ ସବୁ ଶିଖୁଥେଲେ କେତେ କିଏ କୁଆଡ଼େ ବାହାଶାହା ହେଇଗଲେ । ଝୁନିୟାଁ ଏବେ ଆଉ ଶିଖୁନି, ଅନ୍ୟମାନେ ଯିଏ ଆସୁଚନ୍ତି ଶିଖିବାକୁ, ତାଙ୍କୁ ଶିଖଉଚି । ଘରର ଦୁଃଖଦୁର୍ଦ୍ଦଶାବୋଳା ସମୟଗୁଡ଼ାକରୁ ଘଣ୍ଟାଏ ଦି’ଘଣ୍ଟା ତା’ର ଏମିତି କଟିଥାଏ । ସେଥିପାଇଁ ସେ ବଞ୍ଚିଚି ଆଉ ତାକୁ ବଞ୍ଚି ରହିବାକୁ ପଡ଼ିବ ତା’ର ଏହି ଛୁଆଗୁଡ଼ାଙ୍କ ପାଇଁ... ।

 

ଏମିତିଗୁଡ଼ାଏ ଭାବୁ ଭାବୁ ଘରେ ଆସି ପହଞ୍ଚିଲା ଝୁନିୟାଁ । ସେତେବେଳକୁ ସାନ ଝୁଅଟା ରାହା ଧରି କାନ୍ଦୁଥାଏ ମାଆକୁ ଖୋଜି ଖୋଜି । ୟାକୁ ଓହ୍ଲେଇ ତାକୁ କାଖକୁ ନେଲା–

 

ବାଜିଆ କେତେବେଳେ ଫେରିବ କେଜାଣି... ?

 

କେଇ ଦିନ ପରର କଥା–

 

ରାତିରେ ବାଜିଆ ଖାଇ ବସିଥାଏ । ଝୁନିୟାଁ ସବୁ ବାଢ଼ିଦେଇ ଉଠିଗଲା ଛୁଆ ଧରିବାକୁ-। ପାଟିରେ ମେଞ୍ଚାଏ ଶାଗ ଦେଇ ବାଜିଆ ଜାଣିଲା ସେଗୁଡ଼ାକ ଅଲଣା । ଥୁ ଥୁ କରି କାଢ଼ି ପକେଇ ପାଟିଟାଏ କଲା ।

 

‘ଏଥିରେ ଲୁଣ ପକେଇଚୁ ନାଁ ?’

 

‘କେଜାଣି ମନେ ତ ନାଇଁ... ।’ ଝୁନିୟାଁ ଟିକେ ଶଙ୍କିଯାଇ ଉତ୍ତର ଦେଲା । ବାଜିଆ ଏଇ କଥାରେ ତେଜି ଉଠିଲା ଜୋର୍‌ରେ ।

 

‘ମନଟାକୁ ଆଉ କ’ଣ ତୁ ଘରେ ରଖି କାମ କରୁଚୁ ? ସେଇଟା ପରା ଆଉ କାହା ପାଖରେ ଛାଡ଼ି ଦେଇଥବୁ ... ।’

 

ଭାରି ବାଧିଲା ଏଇ କଥାଟା ଝୁନିୟାଁକୁ । କୋଉଠି ଆଉ କାହା ପାଖକୁ ମନଟା ଛାଡ଼ି ଦବ ଯେ... ! ବାଜିଆକୁ ଆଉ ଆଗକୁ ବଢ଼ିବାକୁ ଦବାଟା ଠିକ୍‌ହବନାଇଁ ଭାବି ଝୁନିୟାଁ କହିଲା–

 

‘କୁଆଡ଼େ ଆଉ ଛାଡ଼ି ଦଉଚି ଖାଲି ଏମିତି...ସବୁ ଦୁଶି ଯାଉଚି ତମକୁ ?

 

‘ଆଲୋ ! ମତେ ଦେଖେଇ କ’ଣ ତୁ କରନ୍ତୁ ? ଯୋଉ କାମଗୁଡ଼ାକ କରୁଚୁ ମତେ ନୁଚେଇ ନୁଚେଇ କରୁଚୁ ନାଁ ଆଉ... । ମୁଁ ସିନା ସଇଚି; ନ ହେଲେ ଆଉ କୋଉଠି ହେଇଥେଲେ ଧକ୍‌କା ଦେଇ ମାରି ତତେ ବିଦା କରି ଦିଅନ୍ତାଣି ।’

 

‘କାଇଁକି ବା ! କାହାର ଏଡ଼େ ବହପ ? ଧକ୍‌କା ମାରି ବାହାର କରିଦବ ?’

 

‘ଆବେ କରିବ ନାଇଁ.... ? ଛତରଖାଇ....ସବୁବେଳେ ବାର ବେଭିଚାର କରୁଚୁ....’

 

‘କୋଉଟା ତତେ ଦୁଶିଲା ବା ?’

 

‘ଆବେ ! ଦୁଶୁନାଇଁ ଗାଁ’ଟା ସାରା ପରା ଟୁପୁରୁ ଟାପୁରୁ ହେଲେଣି । ସେ ମାର୍କଣ୍ଡଟା ଦିନକୁ ପାଞ୍ଚ ଥର ତୋ ପାଖକୁ ଆସୁଚି.... କାଇଁକି ଆସୁଚି ହଇବେ ?’

 

‘ହଁ ରେ କହୁଥା । ପୁଣି ଦିହରେ ମୁଣ୍ଡରେ ପାଇବୁ ଯେ । ସେ ପାଟି ଯଦି ଛିଣ୍ଡି ପଡ଼ିବ ନାଇଁ....’

Unknown

 

‘କ’ଣ କହିଲୁ...ହଇଲୋ ! କ’ଣ କହିଲୁ ?’

 

ଉଠିଗଲା ବାଜିଆ । ପଖାଳ କଂସାଟା ଦୁଆରକୁ ଫୋପାଡ଼ି ଦେଲା । ଝୁନିୟାଁ ଅଣ୍ଟାକୁ ଦୁମ୍‌କରି ଠିଆ ଗୋଇଠାଟାଏ କଷିଦେଲା । ଛୁଆଟା ଛିଟ୍‍କି ପଡ଼ିଲା କୋଳରୁ । ସେଇ ଉପରେ ଥୋଇଦେଇଗଲା ବାଜିଆ । ଝୁନିୟାଁର ଦିହସୁହା ହେଇ ଯାଇଚି ଏଗୁଡ଼ା । କାଟୁନାଇଁ ତାକୁ ଜମ୍ମା । ଖାଲି ସେ ଯାହା କହିଉଠିଲା–

 

ହଉ ହଉରେ ଖଣ୍ଡିଆ, ସେମିତି ମାରୁଥା....ମତେ ମାରୁଥା । ଗୋଡ଼ହାତ ଛିଣ୍ଡିପଡ଼ିବ, ଗଡ଼ ଗଡ଼ ହେଇ ଛିଣ୍ଡିପଡ଼ିବ । ପାଇବୁ ପାଇବୁ ଯେ... ।

 

ଏମିତି ବାଉଳି ଚାଉଳି ହେଲା ଭଳି ହଉଥାଏ ଝୁନିୟାଁ । ଛୁଆଟା ରାହାଧରି କାନ୍ଦିଲାଣି ସେତେବେଳକୁ । ବାଜିଆ ଗାମୁଛାଟା କାନ୍ଧରେ ପକେଇ ହାତଟା ଧୋଇ ଚାଲିଗଲା ନୀଳକଣ୍ଠଙ୍କ ଚଉପାଢ଼ୀକୁ । ଆଖିରୁ ଲୁହପୋଛି ଛୁଆଟାକୁ ବୁଝେଇ ଶୁଆଇଦେଲା ଝୁନିୟାଁ , ତା’ର ମନେପଡ଼ିଲା ବାଜିଆ କହିଯାଇଥିବା କଥାଗୁଡ଼ାକ ... ।

 

ଗାଁ ସାରା ହୁରି ପଡ଼ିଚି ମାର୍କଣ୍ଡ କାଇଁକି ଏ ଘରକୁ ଏତେ ଥର ଆସେ ... !!!

 

ଛି ଛି ଛି, ଏ କାଳ କ’ଣ ହେଲା ? ଏ ବେଳ କ’ଣ ହେଲା ? କୁଆଟାଏ ଉଡ଼ିଯିବା ଦେଖି ତାକୁ ଛୁଆ ଉଡ଼ିଗଲା ବୋଲି ପ୍ରଘଟ କରି ଦଉଚନ୍ତି । ମାର୍କଣ୍ଡକୁ ପୁଣି ଆଣି ଝୁନିୟାଁ ସାଙ୍ଗରେ ଜୁଟେଇଲେ... ?

 

ମାର୍କଣ୍ଡ ।

 

ମୁକୁନ୍ଦାଠଉଁ ଦି ବର୍ଷ କି ତିନି ବର୍ଷ ସାନ । ଝୁନିୟାଁ ଆଖିରେ ସେ ସାତ ପିଲାରେ ଗଣା, ସେଇ ମାର୍କଣ୍ଡ ଖାଲି ଡେଙ୍ଗାରେ ଟିକିଏ ବଢ଼ିଯାଇଚି ବୋଲି ଏଡ଼େଟାଏ ଦେଖାଯାଉଚି । ପାଠଶାଠରେ ତା’ର ଧ୍ୟାନ ଥେଲା । ହେଲେ, ବାପ ପାରିବନି ବୋଲି ତାକୁ ବିଲକାମରେ ଲଗେଇବାକୁ କହିଲା । ତା’ର ଇଚ୍ଛାଟା କିଛି ଗୋଟାଏ ଚାକିରୀ କରିବ । ତା’ ବାପା ବି ଭାବିଲା ହଁ....ଜଣେ କେହି ହେଲେ ଘରୁ ଗୋଟାଏ ଚାକିରୀ ସୁଆଦ ଚାଖିଥାଉ । ଗାଁ ପାଖରେ ଯୋଉ ଛୋଟ ଡାକ୍ତରଖାନାଟିଏ ଖୋଲିଚି, ସେଇଠି ମାର୍କଣ୍ଡ ହେଇଚି ୱାର୍ଡ଼ର । ପିଲାଟା ଭାରି ଚାଇଁ ବୋଲି ତାକୁ ତା’ର ଉପରବାଲାତକ ସବୁ ଭଲ ପାଆନ୍ତି ।

 

ଏଇ କେଇଟା ଛୋଟ ଛୋଟ ଛୁଆଙ୍କୁ ନେଇ ଦିନକୁ ଦିନ ଭାରି ହୀନସ୍ଥା ଭୋଗିଲା ଝୁନିୟାଁ, ସବୁବେଳେ କାହାର ନାଁ କାହାର କିଛି ଗୋଟାଏ ଦିହମୁଣ୍ଡ ହେଇଥିବ । କାହାର ଝାଡ଼ା ତ କାହାର ବାନ୍ତି ! କାହାର ବା କାଶ, କେତେ ଦଉଡ଼ିବ ଝୁନିୟାଁ ସେଠିକି । ଦିନକର ଦି’ଥର ଖଣ୍ଡେ ଯା’ଆସ କରିବାର ଦେଖି ମାର୍କଣ୍ଡ କହିଲା–

 

ଝୁନିୟାଁ ପା ! କାଇଁ ତୁ ମତେ କହୁନୁ ...ମୁଁ ଓଷଧି ନେଇଯାନ୍ତି ତୋ ପାଇଁ ଆଉ ତୁ କାଇଁ ଏତେ ହୀନସ୍ଥା ହେଇ ଆସୁଚୁ ଏତେ ଥର ।

 

କଥାଟା ବି ଝୁନିୟାଁ ପରଖି ଦେଖିଲା, ସତେ ତ ! ମାର୍କଣ୍ଡ ତା’ର ସାନଭାଇ ପରି । ମୁକୁନ୍ଦା ଭାଇ ସେ ହେଲେ କ’ଣ ହବ ତା’ ଭଳିଆ ନୁହେଁ । ଭାରି ସୁଧାର ପିଲାଟିଏ । ବଡ଼ କାଟର ସେଇଟା । ଝୁନିୟାଁର କାଇଁକି ମନକୁ ପାଇଲା କଥାଟା ।

 

ବାସ୍‌, ସେଇଦିନଠୁ କାହାର କ’ଣ ଦିହମୁଣ୍ଡ ହେଲେ ମାର୍କଣ୍ଡ କମ୍ପାଉଣ୍ଡରକୁ କହି ଭଲ ଔଷଧ ପାନେ ଦି’ପାନେ ନେଇ ଆସେ । ଏବେ କିନ୍ତୁ ସେଇଟା ଗୋଟାଏ ଧରାବନ୍ଧା ନୀତି ହେଇଗଲାଣି । ସକାଳୁ ଡାକ୍ତରଖାନା ଗଲାବେଳକୁ ମାର୍କଣ୍ଡ ପଚାରିଦେଇଯାଏ କାଳେ କ’ଣ ଔଷଧ ଦରକାର ଥିବ କି.... ?

 

ଏଇ କଥାକୁ ସେ ବାଜିଆ ମୁହଁରୁ କେମିତି ଶୁଣିଲା... ? ଯେତିକି ଯେତିକି ସେ କଥାକୁ ଫେଣେଇଲା ସେତିକି ସେତିକି ତା’ର ସାଙ୍ଗଗୁଡ଼ାକ ଉପରେ ଭାରି ରାଗ ହେଲା । ବାଜିଆ ଜମ୍ମା ଏମିତି ନଥେଲା । ଏ ପଞ୍ଝାକ ତା’ ମୁଣ୍ଡ ଖରାପ କରିଦେଇଚନ୍ତି । ଯେମିତି ତାକୁ ନଚଉଚନ୍ତି, ଇଏ ସେମିତି ନାଚୁଚି । ତା’ରି କାନରେ ଏମାନେ ଫୋଡ଼ିଚନ୍ତି ଏ କଥା । ନ ହେଲେ କାଇଁକି ଏକଥା ୟା ମଗଜରେ ପଶନ୍ତା ! ତା’ଛଡ଼ା ଏଗୁଡ଼ା କ’ଣ ଭଲମଣିଷଙ୍କ ବୁଦ୍ଧି ? ନିଶାଖୋର ନ ହେଇଥିଲେ, ନିଶାମୁଣ୍ଡରେ ନ ଚଢ଼ିଥେଲେ କ’ଣ ଏମିତିଆ କଥା ବାହାରନ୍ତା ? ମାର୍କଣ୍ଡଟା ପିଲାଟାଏ । ନଙ୍ଗଳା ହେଇ କାଲି ସକାଳେ ଦାଣ୍ଡରେ ବୁଲୁଥେଲା । ତା’ପରେ ହାଫ୍‌ପେଣ୍ଟ ଖଣ୍ଡେ ପିନ୍ଧୁଥେଲା । ଚାକିରୀରେ ପଶିବାରୁ ତାକୁ ଖଣ୍ଡେ ଖଣ୍ଡେ ଲମ୍ବା ଲମ୍ବା ପେଣ୍ଟ ପିନ୍ଧିବାକୁ ଦେଇଚନ୍ତି ଯେ ସେଇଟା ପାଞ୍ଚହାତ ମରଦଟାଏ ପରି ଦିଶୁଚି । ହେଲେ, ଝୁନିୟାଁର ଅଛି କ’ଣ ? ଅସ୍ଥି କଙ୍କାଳସାର ହେଇ ଖାଲି ପଞ୍ଜରା ଦି’ଖଣ୍ଡ ଯାହା ପଡ଼ିଚି । ରକ୍ତମାଂସ ହେଇ ଯାହା ଦିହରେ ଥେଲା ସେଗୁଡ଼ା ସବୁ ତା’ ପଛକୁ ପଛକୁ ଏଗୁଡ଼ା ଜନମ ହେଇ ଝୁଣି ଝୁଣି ଶେଷ କରିଦେଲେ । ହାଡ଼ମାଳକ ଉପରେ ପତଳା ଚମ ଖୋଳଟା ଠାକୁରାଣୀଙ୍କ ଉପରେ ଏକ ମାଟିଆ ହେଲା ଭଳି ଫାଟ ଫାଟ ମେଲେଇ ନାଖି ରହିଚି । ନିଜ ଫୁଙ୍ଗୁଳା ଦିହଟା ଆଡ଼କୁ ନିଜେ ଅନେଇ ପାରୁନାଇଁ ସେ ଅବଶୋଷରେ । କାନିକୁ ଟାଣିଓଟାରି କାନ୍ଧରେ ରଖୁଚି । ଆଉ ମାର୍କଣ୍ଡ ପାଇଁ ଏ କ’ଣ ଏଥିରେ ଏତେ ଉଭା ହେଇଚି ଯେ ସେ ଖାଲି ଦିନରେ ପାଞ୍ଚ ଥର ଆସିବ... ?

 

ଯୋଉ ବାଜିଆ ତାକୁ ମୁଣ୍ଡରେ ବସେଇଥେଲା ସେ ତ ପୁଣି ଆଡ଼ଆଖିରେ ଅନଉ ନି କାଇଁକି... ? ତା’ଦିହରେ ଯଦି ସେମିତି ପୁଳାଏ ମାଉଁସ ଥାନ୍ତା, ସେମିତି ଗୋଲ ଗୋଲ ହେଇ ହାତ ଗୋଡ଼ ଦି’ଟା ଫୁଲୁକି ଉଠିଥାନ୍ତା ଆଉ ମୁହଁଟା ଯଦି ତା’ର ଏମିତି ଠାକରା ନ ହେଇ ଆଗ ଭଳି ଥାନ୍ତା, ତା’ହେଲେ କ’ଣ ଏଇ ହୀନସ୍ଥା ହବାକୁ ପଡ଼ନ୍ତା ? ବାଜିଆର କ’ଣ ଗୋଡ଼ ଉଠନ୍ତା ତା’ ଅଣ୍ଟା ଉପରକୁ ଗୋଇଠା ମାରିବା ପାଇଁ... ?

 

ସେଇଟା କମ କଥା ! ସେଦିନ ଆଉ ନାଇଁ । ହାଡ଼ରୁ ମାଉଁସ ପଳପଳ ହେଇ ଖସିଯାଇଚି । ଜୀବନରୁ ଯଉବନଟା ଦଉଡ଼ି ଦଉଡ଼ି ଏଡ଼େ ଝଅଟ ପଳେଇଗଲା....ସେ ଜମ୍ମା ଜାଣିପାରିଲା ନାଇଁ । ହେଲେ, କାଇଁକି ଯେ.... ! ବଅସ ତା’ର କ’ଣ ସତରେ ଏମିତି ବଳେଇ ଯାଇଚି ? ମନେପଡ଼ିଲା ଝୁନିୟାଁର ସେଇ ଡାକ୍ତରଖାନାକୁ ଯୋଉ ସ୍ତ୍ରୀଲୋକ ଜଣକ ଆସିଚନ୍ତି... । କ’ଣ ତାକୁ ଭିଷ୍ଟର ନାଁ ଭିଜ୍‌ଟର ବୋଲି କହୁଚନ୍ତି... ସିଏ ! ସିଏ ଦିଦି ପରା ଦିନେ କଥା ପଡ଼ୁ ପଡ଼ୁ ମହିଳା ସମିତିରେ ଝୁନିୟାଁକୁ କହୁଥେଲେ ଯେ ତାଙ୍କ ଘରୁ ଚିଠି ଆସିଚି; ସେ କିଛିଦିନ ପାଇଁ ଛୁଟି ନେଇ ଯିବେ । ଝୁନିୟାଁ କାରଣ ପଚାରିବାରେ ସେ କହିଲେ, ତାଙ୍କର କୁଆଡ଼େ ବାହାଘର ଠିକ୍‌ହେଇଚି ।

 

ଝୁନିୟାଁର ମନେହେଲା, ସେଇ କଥାରୁ ଦି’ଚାରି କଥା ପଚାରିବାକୁ । ଭଲ ମଣିଷଟିଏ ସେ ଦିଦି । ତେଣୁ ପଚାରିବାକୁ ପଛେଇଲା ନାଇଁ ଝୁନିୟାଁ ।

 

‘ଆଚ୍ଛା ଦିଦି, ତମେ ଆଜିଯାଏ କାଇଁକି ବାହା ହେଇ ନ ଥେଲ ?’

 

‘କି ଆଶ୍ଚର୍ଯ୍ୟ ! କିହୋ ବାହା ହବାକୁ ବଅସ କ’ଣ ପଳେଇଲାଣି ?’

 

ଝୁନିୟାଁ ଟିକେ ନିଜର ଭୁଲ୍‍ ଧରିଲା ମନ ଭିତରେ... ତା’ହେଲେ ସେ ଯାହା ଭାବୁଥେଲା ତା’ର ସେ ଧାରଣା ଭୁଲ.... ? ସେ ଭାବୁଥେଲା–ୟାଙ୍କୁ ତେଇଶ୍‌କି ଚବିଶ ବର୍ଷ ଖଣ୍ଡେ ହବ । ହେଲେ, ସେ କହୁଚନ୍ତି, ତାଙ୍କର ବଅସ ପଳେଇ ଯାଇ ନାଇଁ... ! ତେବେ ୟା’ର ଭୁଲ୍‌ ହେଇଗଲା । ଜାଣିବାକୁ ସେ ପଚାରିଲା–

 

‘ଆଚ୍ଛା ଦିଦି, ତମକୁ କେତେ ବର୍ଷ... ?’

 

‘ମତେ ଏଇ ଶ୍ରୀପଞ୍ଚମୀକୁ ଅଣତିରିଶ ପୂରିଯିବ.... । ଯୋଡ଼ା ବୟସ ହେଇଯିବ ନାଁ; ସେଇଥିପାଇଁ ଘରେ ଟିକିଏ ବ୍ୟସ୍ତ ହେଇ ପଡ଼ିଚନ୍ତି । ଏଇ ବରଷ ଯେମିତି ବାହାଘର କାମଟା ବଢ଼େଇ ଦେବେ ।’

 

ଆଖି ଦି’ଟା ଝୁନିୟାଁର ଅଜାଣତରେ ବଡ଼ ବଡ଼ ହେଇଗଲା । ଦିଦିକୁ ତିରିଶ ବର୍ଷ ହବ ଆସି ! ତାଙ୍କର ଦିହର ଜ୍ୟୋତି, ଲାବଣ୍ୟ, ସ୍ଵାସ୍ଥ୍ୟ, କିଛି କୁଆଡ଼ୁ କ୍ଷୟ ହେଇ ନାଇଁ; ଖାଲି ଯାହା ଆଖି ତଳଟା ଟିକେ କାଳିଆ ପଡ଼ିଯାଇଚି । ହେଲେ, ପାଉଡ଼ର ବେଶି ଲଗେଇ ଦିଅନ୍ତି ବୋଲି ସେଇଟା ବି ଜଣାପଡ଼େନା; ଅଥଚ ଝୁନିୟାଁ... ? ପଚିଶ ବର୍ଷକୁ ଛୁଇଁବା ପାଇଁ ଆହୁରି ଅନେକ ଡେରି ଅଛି ତା’ର । ସେ ହେଇଚି କ’ଣ... ?

 

କେଇଦିନ ତଳେ ଶମ୍ଭୁ ମିଶ୍ରଙ୍କ ସବା ତଳ ନାତୁଣୀର ବାହାଘର ହେଲା । ବାହାଘର ତିନି ଚାରି ଦିନ ଥାଏ; ଖରାବେଳେ ଝୁନିୟାଁ ଗଲା ମୁହଁ ମାରିଦେଇ ଆସିବ ଟିକେ; ନ ହେଲେ ସେ ମନ ଖରାପ କରିବ । ଜିନିଷପତ୍ର ଦେଖୁ ଦେଖୁ ଦେଖିଲା, ଯଉତୁକ ପାଇଁ ଗୋଟିଏ ଡ୍ରେସିଂ ଟେବୁଲ ଥୁଆ ହେଇଚି । ସେଇଟାରେ କୁଆଡ଼େ ସ୍ନୋ–ପାଉଡ଼ର ଲଗେଇ ସଜ ହେଲାବେଳେ ମୁହଁ ଦେଖିବେ, ଆଉ ତା’ର ଛୋଟ ଛୋଟ ଖୋପ ଭିତରେ ସବୁ ରଖିବେ ପାନିଆଁ, ମୁଣ୍ଡଫିତା, କଣ୍ଟା, ସିନ୍ଦୂର–ଏମିତି କେତେ କ’ଣ । ତା’ର ଦିହରେ ନାଗିବା ପାଇଁ ଦରପଣଟାଏ ଆସିଥାଏ । ଝୁନିୟାଁର ଅଣ୍ଟା–ଉଚ୍ଚ ହବ । ଏଡ଼େ ବଡ଼ ଦର୍ପଣ ସେ କୋଉଠି ଦେଖି ନ ଥେଲା । ତା’ରି ଆଗରେ ଠିଆହେଇ ଝୁନିୟାଁ ଦେଖିଲା, ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ ସବୁ ଦେଖାଯାଉଚି । ନିଜକୁ ଭଲ କରି ସେ ଦେଖିଲା ।

 

ଇସ୍‌ ! ସେ କ’ଣ ଦେଖାଯାଉଚି ! ମଢ଼ଟାଏ ପରି ଠିଆହେଇଚି ସେ । ଦିହ ପିଠି ସବୁ ସମାନ୍‌ । ଜଙ୍ଘଠୁ ପାଦତଳ ପର୍ଯ୍ୟନ୍ତ ଯେମିତି ଗଣ୍ଠିଆ ବାଉଁଶ ଗରେ ଗରେ; ଆଖି ଦି’ଟା କେତେ ଭିତରେ ପଶିଗଲାଣି । କୋରଡ଼ କୋରଡ଼ ଦିଶୁଚି । ଆଉ ହନୁହାଡ଼ ଦି’ଟା ଉଚ୍ଚା ଉଚ୍ଚା ହେଇ ଠିଆହେଇ ଗଲାଣି । ସତେ କି ଗାଲ ଉପରୁ ମାଉଁସତକ କୋରି ହେଇ ସବୁ ସେଇ ହାଡ଼ ଦି’ଟାରେ ଜମା ହେଇ ଯାଇ ତାକୁ ଉଚ୍ଚା କରି ଦେଇଚନ୍ତି । ହାତ ଦି’ଟାରେ ମେଞ୍ଚା ମେଞ୍ଚା ହେଇ ଖାଲି ଶିରାଗୁଡ଼ାକ ଦୁହିଁ ହେଇ ଉଠିଚି । ଗୋଇଠି ପଛ ପଟରୁ ଫଟଗୁଡ଼ାକ ପାଦ ଆଗପଟ ଯାକେ ବହକି ବହକି ଆସୁଚନ୍ତି । କପାଳ ଉପରୁ ବାଳ ମେଞ୍ଚାକ କେଡ଼େ ପାତଳା ହେଇ ଆସିଲାଣି !

 

ନିଜକୁ ଦେଖି ଝୁନିୟାଁ ଆଶ୍ଚର୍ଯ୍ୟ ହେଇଗଲା । ସତେ କି ଅନେକ ଦିନ ହେଲା ନିଜକୁ ସେ ଦେଖି ନଥେଲା; ଅବା କାଉଁରୀ କଲା ଭଳି ତା’ର ଏମିତି ଓଲଟପାଲଟ ହେଇଯାଇଚି ! ଅତି ଅଳ୍ପ ସମୟରେ ଯାହାକୁ କି ସେ ବିଶ୍ଵାସ କରିବାକୁ ଜମ୍ମା ରାଜି ନୁହେଁ । ବେଶିକ୍ଷଣ ସେ ସେଠି ଠିଆହେଇ ପାରିଲାନି, ପଳେଇ ଆଇଲା ।

 

କିନ୍ତୁ ଦିଦିକୁ ତିରିଶ ବର୍ଷ; ସେ ଆଜିଯାଏ.... ।

 

ମନ କଥା ମନରେ ରଖିଲା ଝୁନିୟାଁ । ଭାବିଲା, ଦିଦି ସ୍ଵାସ୍ଥ୍ୟବିଭାଗରେ ଅଛନ୍ତି, ଡାକ୍ତରମାନଙ୍କ ପାଠ ପଡ଼ିଥେବେ, ସେ ନିଶ୍ଚେ ଜାଣିଚନ୍ତି, କେମିତି ନିଜର ଦେହ ପ୍ରତି ଯତ୍ନ କରାଯାଏ, ଛୁଆଙ୍କୁ ଯତ୍ନ କରାଯାଏ । ଏ ସବୁଗୁଡ଼ାକ ପାଇଁ ତ ତାଙ୍କର ଚାକିରୀ । ତା’ହେଲେ ଝୁନିୟାଁ ନିଶ୍ଚେ ତାଙ୍କୁ ପଚାରି ବୁଝିବ କ’ଣ ତା’ର ଭିତର କଥା । କେମିତି ସେ ଆଉ କ୍ଷୟ ହବ ନାଇଁ ଦିନକୁ ଦିନ... ।

 

ସେ କଥା ଯାହା ହଉ, ବଅସ ଥାଉ ଥାଉ ଯୋଉ ରୂପ ଚୁଲିକି ଯାଇଚି ସେଇ ନିଆଁ ଜଳା ରୂପରେ ଭୁଲିବାକୁ କ’ଣ ଖାଲି ମାର୍କଣ୍ଡ ଥେଲା ? ଆଉ ବୁଢ଼ାହଡ଼ା କେହି ନଥେଲେ ? ଯଦି ସେମାନେ ଭଲମଣିଷ ହେଇ ହୋସ୍‌ରେ ଥାଇ ଏ କଥା ବିଚାର କରିଥାନ୍ତେ ତ’ହେଲେ ତା’ ସାଙ୍ଗରେ ଦୂରୁଚ୍ଛନା ଦବାକୁ କ’ଣ ମାରକଣ୍ଡ ନାଁ ଟାକୁ ପାଇଲେ ? ଆହା, ବିଚାରୀର ପାଦରେ କଣ୍ଟା ନ ବାଜୁ ! ଏ ଘରକୁ ପଟେ ହେଇ ଥେଲା ପରି ଜଣାଯାଉଚି ଝୁନିୟାଁକୁ । ପିଲାଛୁଆଁଙ୍କ ଦିହ ମୁଣ୍ଡ ପାଇଁ ତା’ର ଏକରକମ ଦକ ନାଇଁ କହିଲେ ଚଳେ । ତା’ହେଲେ ସେ କେମିତି ତାକୁ ଦୂରେଇ ଦବ-? ଦୂରେଇ ଦେଇ କ’ଣ ନିଜ ଆଖି ଆଗରେ ଜନମକଲା ଛୁଆଗୁଡ଼ାଙ୍କର ମରଣ ଦେଖିବ-? ନାଁ... ତା’ କେବେ ସେ କରିପାରିବ ନାଇଁ; ବରଂ ଏମିତି କହୁଥାନ୍ତୁ ତା’ ନାଁରେ ଉଡ଼େଇ ବୁଡ଼େଇ-। ସେ କଥାରୁ ଜମ୍ମା ଖାତିର କରିବ ନାଇଁ । ହଃ... କ’ଣ ଆଉ ଶୁଣିବାଟା ବାକି ଅଛି ଯେ ସେ ଦିହକୁ ଟାଣିବ ?

 

ବେଶି ପୁଣି ସେ ସୁନ୍ଦରା ଖଣ୍ଡକ ! ଆହା ହା...କିଏ ତୋ ନାଁ ସୁନ୍ଦରା ଦେଇଥେଲା ରେ ! ତା’ ପାଟି ଛିଣ୍ଡିପଡ଼ିଲା ନାଇଁ ଯାହା । ଜହ୍ନିମଞ୍ଜି ତ ହେଲେ ସଫା ପଡ଼ିବ ଟିକିଏ ! ସେଇ ମୁହଁକୁ ପୁଣି ଆଖି ଦିଟା ନିପଟ ଟେରା ଯେ ୟା ଆଡ଼କୁ ଅନେଇଲେ ସିଏ ଭାବିବ, ତାକୁ ଅନେଇଚି ବୋଲି-। ସେଇ ରୂପ ସାଙ୍ଗକୁ ପୁଣି ମୁଣ୍ଡରେ ଟୋକେଇଟାରେ ଟୋକେଇଏ ମାଙ୍ଗପକା ବାଳ-। ଆଗରୁ କୋଉଠି ଘର ଛାଡ଼ି, ଗାଁ ଛାଡ଼ି ଯାଇ ଯାତରା ପାଟିରେ ଥେଲା । ସେ ପାଟି କୁଆଡ଼େ ଭାଙ୍ଗିଗଲା ବୋଲି ଇଏ ଗାଁକୁ ପଳେଇ ଆଇଲା । ସମସ୍ତଙ୍କୁ ଖାଲି କହି ହଉଥବ, ‘ଆରେ ! ମୁଁ ଯୋଉ ରାଜା ପାର୍ଟ କରେ ନାଁ ଲୋକେ ଖାଲି ତାଳି ମାରୁଥେବେ ମୁଁ ପୋଷାକ ପିନ୍ଧି ବାହାରି ଆଇଲେ....-।’

 

ରୂପଟା ଏକା ରଜା ମେତି ଦେଖାଯାଉଚି; କିନ୍ତୁ କ’ଣ ହବ; ମନଟା ତ ରଜାଠଉଁ ଆହୁରି ଉପରେ ! ସତେ କି ଏ ରାଜ୍ୟର ରଜା ସିଏ... ! ଗାଁରେ ଗୋଟାଏ ସରକାରୀ ଚାଉଳଗୋଲା ହେଇଚି । ସେଇଥିରେ ସେ ଗୋଟାଏ ଚାକିରୀ କରୁଚି । କି ଚାକିରୀ ହେଇଥବ, ସେଇ ବିକିରିବଟା କରୁଥବ ବସି । ସେଥିରେ ପୁଣି ତା’ର ଏଡ଼େ ବହପ ଯେ ତାକୁ ସୂର୍ଯ୍ୟଚନ୍ଦ୍ର ଦେଖାଯାଉ ନାହାଁନ୍ତି । ଯାହାକୁ ପାରି ତାକୁ ଦରକାର ନ ଥେଲେ ବି କହୁଥବ ପାଟିଟା କରି–

 

‘ଆରେ ବାବୁ ! ଆମେ ପରା ହେଲୁ ସରକାରୀ ଚାକିରୀଆ । ଏ କ’ଣ ଯେ–ସେ କଥା ହେଇଚି... ?

 

ବାଜିଆ ସହିତେ ଆଉ ତାଙ୍କ ଗୁଲିଆ ପଞ୍ଝାକ ଭାବନ୍ତି–ସତରେ ସେ ଗୋଟାଏ ସେମିତି କ’ଣ । ଗଞ୍ଜେଇଖିଆରେ ତା’ର ଆଉ ଗୋଟାଏ ସୀମା ନାହିଁ । ସେଇ ବାଜିଆକୁ ଏ ନିଶା ଧରେଇଚି । କୁଆଡ଼େ ଗଞ୍ଜେଇ ଖାଇଲେ ଦିହ ଫୁର୍ତ୍ତି ରହିବ, ଚମ୍ଭା ରହିବ, ଏମିତି କେତେ କ’ଣ ।

 

ଏକ ନମ୍ବର ଛତରାଟାଏ, ମା ବଅସର ଜଣକୁ ଦେଖିଲେ ବି ତାକୁ ବୁଲି ବୁଲି ଅନଉଥବ-। ଝୁନିୟାଁର ଦିହ ଜଳିଯାଏ ସେଇଟାକୁ ଦେଖିଲେ । ସେଇ ତା’ର ସର୍ବନାଶ କଲା ବାଜିଆକୁ, ନିଶା ଧରେଇ ତା’ ମଣିଷପଣିଆକୁ ଦି’କଡ଼ାର କରିଚି । ସୁନା ମଣିଷଟା ମାଟି ହେଇ ଯାଇଚି । ହେଲେ, ସେ ବୁଝୁନାଇଁ.... । କେମିତି ରୁଝିବ ? ସେ ପଞ୍ଝାକ ନେଖାରେ ସୁନ୍ଦରା ତ ଗୋଟାଏ ଭଗବାନ କି ଆହୁରି ତା’ ଠାରୁ ଦି’ଆଙ୍ଗୁଳି ଅଧିକା । ଗଞ୍ଜେଇ ଟେର୍‌ ଉଠିଗଲେ ଯେତେବେଳେ କୌଣସି କଥାଟା ପାଇଁ ସେ ପାଟିକରି ଉଠେ–

 

‘ଆହେ, ସେଇ କଥାଟା କ’ଣ ଆମକୁ ବଳେଇବ ! ଆମେ ପରା ସରକାରୀ ଚାକିରୀଆ-! ହେଃ....ଏକା ମିନିଟିକେ ଖବର ଦେଇ ହାଜତ୍‌ରେ ପୂରେଇ ଦେବି ନ ହେଲେ... ।’

 

ଏ ଦଳଟି ଯାକ ଧୂଆଁର ବାସ୍ନାରେ ଆହୁରି ଝୁଙ୍କେଇ ଦିଅନ୍ତି ନିଜ ମୁଣ୍ଡଟିମାନଙ୍କୁ ।

 

ନିଶ୍ଚେ ନିଶ୍ଚେ ! ଏ ଗୋଟାଏ କଥା ! ତମ ହାତରୁ ପୁଣି ବଳେଇବ !’

 

ଆଉ ଭାବନ୍ତି ଯେ ସରକାର ବୋଲି ଯାହା ଅଛି, ସୁନ୍ଦରା ହଉଚି କେବଳ ତା’ରି ସାରାଂଶ । ଝିଅ–ବୋହୂଙ୍କୁ ଦେଖିଲେ ଆଉ ଟିକେ ବଡ଼ପାଟିରେ ବାହାପିଆ କଥାତକ, କହିଉଠେ । ଝୁନିୟାଁକୁ ଯେ କେତେଥର ଆଖି ଫେରେଇ ନ ଅନେଇଚି ନୁହେଁ, ହେଲେ, ଝୁନିୟାଁ କିଛି ମନକଷ୍ଟ କରି ନାଇଁ; ବରଂ ତା’ ପ୍ରତି ଦୟା କରିଚି ମନେ ମନେ । ହାଡ଼ କେଇ ଖଣ୍ଡିକୁ ଅନେଇଲେ ଆଖିକୁ କାଟିବ ସିନା, ଦିହକୁ କ’ଣ କାଟିବ ? ଏବକୁ ଏବକୁ ଝୁନିୟାଁ ନାଁରେ ସେ ଦି’ପଦ ରଞ୍ଜେଇ କରି କହିବାକୁ ଛାଡ଼ୁନି । ଠିକ୍‌ଯେତେବେଳେ କଥାଟା ଖାପିବ ସେତିକିବେଳେ ଫୁଣ୍ଟେ ଫୁଣ୍ଟେ କରି କଣ୍ଟା ଦଉଚି । ଝୁନିୟାଁ ଜାଣିଚି, ଜାଣିକରି ସୁଦ୍ଧା ପ୍ରତିବାଦ କରିବାକୁ ଇଚ୍ଛା କରିନି । କାରଣ ସେ କଥାର ଅସଲ ମଞ୍ଜି କୋଉଠି, ସେ ଜାଣେ । ସେଇଥିପାଇଁ କେଇଦିନ, ନୂଆବୋଉ ନୂଆବୋଉ ଡାକି ଭାରି ନସରପସର ହଉଥେଲା । ହେଲେ, ଝୁନିୟାଁ ଯୋଉଦିନ ସେବତୀଠଉଁ ସବୁକଥା ଶୁଣିଲା, ସେଦିନଠଉଁ ଆଉ ତାକୁ ଘରେ ପଶିବାକୁ ଦିଏ ନାଇଁ । ଆସିଲେ ସେମିତି ଠିଆ ଠିଆ ବିଦା କରିଦିଏ । ସତେ, ଲୋକର କେତେ ସାହସ ହେଇପାରେ ! ସେବତୀ ତାକୁ ଅତି କମ୍‌ରେ ପାଞ୍ଚ ବରଷ ପାଠ ପଢ଼େଇବ କାନ ଧରି । ପୁଣି ତା’ ଦରମାର ଦି’ଗୁଣା କି ତା’ଠଉଁ ବେଶି ପାଉଚି । ତାକୁ ତୁ ମରଦପଣିଆ ଦେଖେଇବୁ.... !

 

ସେବତୀ.... !

 

ବୟସ ତେଇଶ୍‌ ଚବିଶ୍‌ ହବ । ଶ୍ୟାମଳରଙ୍ଗ ହେଲେ ବି ଗଢ଼ଣଟା ମନ୍ଦ ନୁହେଁ । ସୁନ୍ଦରୀ ତଳେ ନ ଗଲେ ବି ଏମିତି ଦେଖିବାକୁ ସୁନ୍ଦର ଲାଗିବ । ଏମିତି ଗୋଟି ଗୋଟି କରି ଦେଖିଲେ ପାଦ, ନାକ, ଆଖି, ଓଠ– କୋଉଟା ସୁନ୍ଦର ନ ହେଇପାରେ, କିନ୍ତୁ ଚାହାଁଣୀ, କଥାବାର୍ତ୍ତା, ଢଙ୍ଗଢାଙ୍ଗ ସବୁଥିରେ ଗୋଟାଏ ରୁଚି ଅଛି । ଖ୍ରୀଷ୍ଟିୟାନ୍‌ଘରର ଝିଅ ହେଲେ ବି ଆଚାର–ବେଭାର ସବୁ ହିନ୍ଦୁ ପରି । ବାରବତ ଓଷା କରିବ । ପୂଜାପାର୍ବଣରେ ନାଗି ହେଇଥିବା ଭୋଗ ଖାଇବ । କିଛି ସେ ସବୁର ବାଛବିଚାର ନାଇଁ । ବାହା ହେଇନି ଆଜିଯାକେ ।

 

ଏ ଗାଁକୁ କେଇଦିନ ହବ ଆସିଚି; ଚାକିରୀ କରୁଚି, ଗ୍ରାମସେବିକା ! ଆସିଲା ଦିନଠଉଁ ଏ ମହିଳା ସମିତିରେ ଝୁନିୟାଁକୁ ଦେଖି କେଜାଣି କେମିତି ଭଲପାଇ ବସିଚି ତାକୁ । ଝୁନିୟାଁ ବି ଓଟାରି ହେଇ ଯାଇଚି ତା’ ପ୍ରତି ! ପରିସ୍ଥିତିଟା ଭିନ୍ନ ହେଲେ ବି ବୟସର ତ ପୁଣି ଗୋଟାଏ ମେଳ ଅଛି । ତା’ପରେ ଦିହେଁ କେମିତି ବହୁତ ଆପଣାର ହେଇ ଉଠିଚନ୍ତି ।

 

ଏଇ ଆପଣାର ହେଇ ଉଠିବା ପଛରେ ଗୋଟିଏ ଛୋଟ ଘଟଣା ଅଛି ।

 

ସେଇଦିନର ମାଡ଼ପରେ ଝୁନିୟାଁ ଆଉ ନାଁ ଧରିନାଇଁ ପିଲାଙ୍କର ରଜକୁ ଲୁଗାପଟା ହବା କଥା ବାଜିଆ ଆଗରେ ! ବରଂ ମନକୁ ମନ ବୋଧ ଦେଇଚି । ନିରିମାଖି ହେଇ ଜନମ ହେଲେ ଏ ସବୁଗୁଡ଼ାକ ଭୁଲିଯିବାକୁ ହୁଏ । ଜାଣି ସେମାନଙ୍କର ବାପ–ମା କେହି ନାହାଁନ୍ତି । ଛେଉଣ୍ଡ ଛୁଆଗୁଡ଼ାକ, ଷଠୀ ଯଦି ଗାରେ ମାରିଦେଇଥବ, ସେଇ କାହିଁରେ କ’ଣ ?

 

ରଜ ହେଲା । ଝୁନିୟାଁ ଆଉ ଯେତେ ମନକୁ ବାଧା ଦେଲେ ବି ତା’ମନ ବୁଝିଲା ନାଇଁ । ତା’ର ମନେହେଲା, କୋଉ ଏ ସଚ୍ଚୋଟପଣିଆ ଦେଖେଇଲେ ସେ ସ୍ଵର୍ଗକୁ ଚାଲିଯିବ ? ପିଲାଗୁଡ଼ାକ ଡହଳ ବିକଳ ହଉଚନ୍ତି ଅନ୍ୟର ଦେଖି ଦେଖି । ତା’ ପିଲାମାନେ ଖାଲି କାନ୍ଦୁଥେବେ...-!

 

କାନ୍ଦ ତାଙ୍କର ତୁନି ପଡ଼ିଲା । ଝୁନିୟାଁ ସେମାନଙ୍କୁ ଏକରଙ୍ଗୀ ଜାମା–ଫ୍ରକ୍‌ଆଉ ଏକରଙ୍ଗୀ ଇଝେର, ପେଣ୍ଟ ପିନ୍ଧେଇଥେଲା । ସମସ୍ତେ ଦେଖି ଭାରି ତାରିଫ୍‌କଲେ ସେ ପୋଷାକକୁ-। ଯା’ହ, ସମସ୍ତେ ଗୋଟିଏ ବାପର ଛୁଆ ଭଳି ଦିଶୁଚନ୍ତି ଏକା ରକମର ପିନ୍ଧି । ତାଙ୍କର ଅଫୁରନ୍ତ ଆନନ୍ଦ ଦେଖି ଝୁନିୟାଁ ବି ଖୁସି ହେଲା ।

 

ହେଲେ, ସେଖୁସିଟା ବେଶି ବେଳ ରହିଲା ନାଇଁ । ରଜ ବାସି କି ତିଆସି ସେ ମହିଳା ସମିତିର ହାକିମ ଜିନିଷପତ୍ରର ହିସାବ ନେଲେ । ଏମିତି ସବୁ ତାଲିକା ହଉ ହଉ ଦେଖାଗଲା ଗାଁ–ଲୋକେ ସିଲେଇ ଶିଖିବା ପାଇଁ ଯୋଉ ମାର୍କିନ କନା କେତେ ଥାନ ଆସିଥେଲା, ସେଥିରୁ କେତେ ଖଣ୍ଡର ହିସାବ ମିଳୁନି । ଆଉ ବିଭିନ୍ନ ଅଫିସ ପାଇଁ ପତାକା ତିଆରି ହବାକୁ ଯୋଉ ଖଦଡ଼ କନା ଆସିଥେଲା, ସେଥିରୁ ବି କେଇ ଗଜର ହିସାବ ମିଳୁନାଇଁ । କ’ଣ ଖରଚ ହେଇଚି ବୋଲି ଝୁନିୟାଁ ଠିକ୍‌ହିସାବ ଦେଇ ପାରୁନାଇଁ । ଶୁଣାଖବର, କଥାଟା ବିଶ୍ୱାସ କଲେ ସାହେବ । ଝୁନିୟାଁର ପିଲାଏ ସେଇ କନାର ଫ୍ରକ୍‌ପେଣ୍ଟ ସବୁ ପିନ୍ଧିଛନ୍ତି । ସବୁତକ ପଇସା ଝୁନିୟାଁ ଠଉଁ ଆଦାୟ ହବ, ଆଉ ଏଇଟା ସରକାରୀ ରିପୋର୍ଟ ହବ ବୋଲି କହିଲେ ହାକିମ । ଝୁନିୟାଁର ଫକାସୀ ଉଡ଼ିଗଲା ପରି ଜଣାଗଲା ତାକୁ ।

 

କଥାଟା ଜମ୍ମା ଲୁଚିଲା ନାଇଁ । ଗାଁରେ ଲୋକେ ଟିକେ ଫୁସ୍‌ ଫାସ୍‍ ହେଲେ । ବାଜିଆ କାନରୁ ବି କଥାଟା ଆଡ଼େଇ ଯାଇପାରିଲା ନାଇଁ । ଓଃ ! ସେଦିନ ରାତିଟା ଗୋଟାଏ ରାତି ଝୁନିୟାଁ ପାଇଁ । ପିଟି ପିଟି ସବୁ ନୋଳା ଫଟେଇ ଦେଲା ବାଜିଆ ।

 

‘ହେଇ ଲୋ, ଶେଷକୁ ତୁ ଏଇ କାମ କଲୁ ? ଚୋରି କରି ଘରେ ପୁରେଇଲୁ ? ତୋ ଜ୍ଵାଳାରେ ମୁଁ ଆଉ ମୁହଁ ଦେଖେଇ ବାଟରେ ଚାଲିବି ଟି ? କାଲି ସକାଳେ ପୁଲିସ୍‌ ଆସିବ, ମୋ ଘରେ ପଶିବ । ମଲୁ ନାଇଁ ଯାହା ! ତୁ ନିଧି ପଟ୍ଟନାୟକ କୁଳରେ କଳଙ୍କ ବୋଳିଲୁ ? ଆବେ, ତୁ ଯଦି ନିଧି ପଟ୍ଟନାୟକର ରକ୍ତ ହେଇଥାନ୍ତୁ ତା’ହେଲେ ଏ କାମ କରିଥାନ୍ତୁ ? ତୁ ପରା ଅଜାତିର ରକ୍ତ-! ମିଶାଣଟା । ତୋ ବାପ ଗୋଟାଏ ଧୋବା ଘରୁ ଆଣି ରଖିଥେଲା । ସେ ପୁଣି କୋଉଠୁ ଆଣିଥେଲା କି କ’ଣ ତତେ !’

 

ମାଡ଼ ଠଉଁ ଏଇଟା ବେଶି ବଳେଇ ପଡ଼ିଲା ଝୁନିୟାଁକୁ । ଯେଉଁଗୁଡ଼ାକ ଦିନେ କାଳେ କହେନି ବାଜିଆ, ଆଜି ସେଇଗୁଡ଼ାକ କହି ଚଉଦ ପୁରୁଷ ଉଝାଳି ବସିଚି ସେ । ନ ଶୁଣିବାକୁ କାନରେ ହାତଦେଲା ଝୁନିୟାଁ । ହେଲେ, କାନରେ ହାତ ଦେଲେ ବି ଆହୁରି ବେଶି ସ୍ପଷ୍ଟ ଶୁଣାଗଲା ବାଜିଆର ଶେଷ କଥାଗୁଡ଼ାକ ।

 

‘ସତେ ଯଦି ତୋ ଦେହରେ ମଣିଷ ରକ୍ତ ଥିବ ତା’ହେଲେ ଆଜି ରାତାରାତି ତୋ ଛୁଆଙ୍କୁ ନେଇ ତୁ ଏ ଘର ସଫା କରି ଦେଇଥବୁ । ଗୋଟି ଗୋଟି କରି ସେଗୁଡ଼ାଙ୍କୁ କୂଅ ପୋଖରୀକି ଠେଲିଦେଇ ତୁ ନିଜେ ଡେଇଁପଡ଼ି ମରିଥବୁ । ଆଉ ଯଦି ତା’ ନ କରିବୁ ତ ତା’ହେଲେ କୋଉଠି ଯାଇ ତୁ ଛତରରେ ପଶ୍‌ । ତୋ ରକ୍ତରେ ଗଢ଼ା ଏଇ ଛୁଆଗୁଡ଼ାକୁ ବି ମୁହଁଚାହାଣା କରିନାଇଁ.... ।’

 

ଝୁନିୟାଁ ଭାବିଲା, ୟା ପରେ ତା’ର ପ୍ରକୃତରେ ମରିଯିବା ଉଚିତ । ବଞ୍ଚିକରି ଏମିତି ଖୁଣ୍ଟା ସହିବା ଅପେକ୍ଷା ଆତ୍ମହତ୍ୟା କରିବା ସର୍ବଗୁଣେ ଭଲ । ଏଗୁଡ଼ାକ ଶୁଣି ଦିହରେ ଘଷିଦେଇ ଯଦି ବଞ୍ଚି ରହିବ, ତା’ହେଲେ ଆଉ କେଇଦିନ ଗଲେ ଏମିତି ନିର୍ଲ୍ଲଜ ଜୀବନକୁ ନବା ପାଇଁ ଯମ ବି ଘୃଣା କରିପାରେ । କୂଅପୋଖରୀ ବି ଲାଜେଇବ । ତା’ହେଲେ ଆଗରୁ କାଇଁକି ବାଟ ନ କାଟିବ ସିଏ ?

 

ନିଜ ପାଇଁ ସିନା ସେ ଏତକ ଠିକ୍‌ କରିଦେଲା; ହେଲେ, ତା’ ଛୁଆଗୁଡ଼ାକ ? ସତକୁ ସତ କ’ଣ ବାଜିଆ କଥାରେ ଛୁଆଗୁଡ଼ାଙ୍କୁ ସେ କୂଅ ପୋଖରୀକି ଠେଲିଦେଇ ପାରିବ ? ଆଉ ଯଦି ତା’ ନ କରି ନିଜେ ଡେଇଁପଡ଼େ, ତା’ ମଲାପରେ ସେ ପିଲାଗୁଡ଼ାଙ୍କର ଅବସ୍ଥା କ’ଣ ହବ ? କି ହିନିମାନ ହେବେ ସେଗୁଡ଼ାକ ! ଏମିତି ପଡ଼ି ଶୁଣି ଶୁଣି ମରିଯିବେ ଯଦି, ତାହେଲେ ଏକାଘରେ ନ ମରିବେ କାହିଁକି ?

 

ଟପ୍‌ ଟପ୍‌ ହେଇ ଲୁହ ଗଡ଼ିପଡ଼ିଲା ଝୁନିୟାଁର । କ’ଣ ଭାବୁଚି ସିଏ ? ତା’ର ମା–ପଣିଆର ସବୁତକ ଗର୍ବ ଏଇ ଜୀବନଗୁଡ଼ାକ ବିଷୟରେ କେତେକାଳ ଚିନ୍ତା ନ କରୁଚି ସିଏ ନାଁ...ତା’ ମୁଣ୍ଡରେ ଗୋଟାଏ ଉପାୟ ଜୁଟିଲା । ସେ ତ ମରିବ ନିଶ୍ଚେ; ଆଜି ନ ହେଲେ କାଲି । ହେଲେ, ତା’ ଆଗରୁ ସେ କେଇଟାଙ୍କର ଥଇଥାନ କରିଦେଇ ଯିବ । ଜାଣି କେଇଦିନ ଝୁରିବେ, ତା’ପରେ ବଳେ ଭୁଲିଯିବେ । ଦୁନିଆର ନୀତି ଏଇଟା ... ।

 

ଆଉ କାହାକୁ ନ ପାଇ ତା’ ପରଦିନ ସକାଳୁ ସେଇ ସେବିକା ସେବତୀ ପାଖକୁ ଗଲା ଝୁନିୟାଁ । କିଛି ନ ଲୁଚେଇ ସବୁ କଥାତକ କହିଗଲା ତା’ ଆଗରେ । ସେବତୀ କଥାଟା ଶୁଣି ଗୁମ୍‌ ମାରି ବସିପଡ଼ିଲା ଘଡ଼ିଏ ।

 

ଯେତେବେଳେ ସେବତୀ ଶୁଣିଲା ଯେ ଝୁନିୟାଁ ଆତ୍ମହତ୍ୟା କରିବ ବୋଲି ନିଧାର୍ଯ୍ୟ କରିଚି, ସେତେବେଳେ ସେ ଅଉ ସମ୍ଭାଳି ନ ପାରି ଫିକ୍‌କରି ମେଞ୍ଚାଏ ହସିଦେଲା ।

 

‘ଝୁନୁଦେଇ ! ଏ କଥାଟା କ’ଣ ଜୀବନକୁ ଶେଷ କରିବା ଭଲ ଘଟଣା ? ଏଇପରି ଗୋଟାଏ ନୁହେ, ଗୋଟା ଗୋଟା ହେଇ କେତେ ଯେ ଝଞ୍ଜା ଆସିବ, ସେଗୁଡ଼ାକ ସବୁ ସହିବାକୁ ପଡ଼ିବ । ଏଇଟା ତ ତା’ ତୁଳନାରେ କିଛି ନୁହେଁ ।

 

‘ନାଁ ସେବ ! ମୋର ଜୀବନ ପ୍ରତି ମାୟା ତୁଟିଗଲାଣି, ଆଉ କାହିଁକି; ପୁଣି କାହା ମୁହଁକୁ-? ସତକୁ ସତ ଚୋରି ତ କଲି, ଯାହାଠଉଁ ସ୍ନେହ–ମମତା ପାଇବା କଥା, ତା’ ଠଉଁ ତ ହୁଟ୍‌ପଡ଼ିଲେ ଏଇଆ । ଆଉ କାଇଁକି ଜୀବନଟା ଧରିରଖି ସନ୍ତୁଳି ହେଇ ମରିବି କହିଲ ? ମୋର ଗୋଟିଏ ନେହୁରା ତମେ ରଖ । ତମେ ନିଶ୍ଚେ ଜାଣିଚ ଏମିତିଆ ଅନାଥାଶ୍ରମ ସବୁ କୋଉଠି ଅଛି, ସେଇଠି ମୋ ପିଲା କେଇଟାକୁ ଛାଡ଼ିଦବାର ବନ୍ଦୋବସ୍ତ ତମେ କରିଦିଅ । ମୁଁ ଯାଇ ସେଠି ତାଙ୍କ ଗୋଡ଼ ହାତ ତଳେ ପଡ଼ି ଏ କେଇଟାଙ୍କୁ ରଖିଦେଲେ ମୋର ଛୁଟି । ତେଣିକି ଯୁଆଡିକି ଆଖି ପାଇବ–କୂଅ, ପୋଖରୀ, କନିଅର ମଞ୍ଜି ... । ଆଉ ମୋର ଗୋଡ଼କୁ ଶିକୁଳି ହେଇ କେହି ନଥେବେ ।

 

‘ଛି...ଛି, ଏଇ କଥାଟାରେ ତମେ ଏତେ ଆଗକୁ ଭାବିଯାଉଚ ଝୁନୁଦେଈ । ଘର କରିଥେଲେ ଏମିତି ଅଳ୍ପେ ବହୁତେ ଲାଗିଥାଏ । ସେଥିପାଇଁ ଯଦି ସମସ୍ତେ ଏଇ ଭଳିଆ ସାଧ ମେଣ୍ଟାଇବାକୁ ଚାହାଁନ୍ତି, ତା’ହେଲେ ସଂସାର ତ ଆଉ ଚଳିବ ନି ଜମ୍ମା । କଥାରେ କହନ୍ତି ପରା, ଝିଅ ଜନମଟା ଭାରି ସୁକୁମାରିଆ; ପୁଣି ଭାରି ଟାଣୁଆ । ବାପଘରେ ଯୋଉ ଝୁଅ ଆଖିରେ ଲୁହ ଢଳ ଢଳ କରି ଏତେ ଅଭିମାନିନୀ ହେଇ ବଢ଼ିଥାଏ, ଶାଶୁଘରେ ସେଇ ଝୁଅ ବେଳପଡ଼ିଲେ ଟାଣି ଓଟାରି କାନ୍ଦିଲେ ବି ସେ ଆଖିରୁ ଲୁହ ବାହାରେ ନାଇଁ । ଦିହଟାକୁ କେଡ଼େ ପଥର କରି ଜୀବନରେ ଚଳିବାକୁ ପଡ଼େ, ସେ କଥା କ’ଣ ମୁଁ ଆଉ ତମକୁ ବୁଝେଇବି ? ସଂସାର ବିଷୟରେ ମୋର ଜ୍ଞାନ କ’ଣ ତମଠଉଁ ବେଶି ?’

 

‘ନାଇଁ ନାଇଁ ସେବ, ମତେ ଆଉ ସେ ମୋହ ଦେଖାନା । ମୁଁ କ’ଣ ସହୁ ନଥିଲି ନାଁ ସହୁ ନାଇଁ ? ସହି ସହି ବରଂ ଏ ହାଡ଼ ମାଉଁସଗୁଡ଼ାକ ବଧିରା ହେଇଗଲାଣି । ସେଥିକି ଆଉ କାଟୁ ନାଇଁ ଯେ, ହେଲେ, ଏଇ ଅପବାଦଟା.... ।’

 

ଭାରି ଜୋର୍‌ରେ ଏଥର ହସିଲା ସେବତୀ । କଥାଟା ଯେମିତି ତା’ର ଜମ୍ମା ପସନ୍ଦ ହେଲାନି । କହିଲା–

‘କି ଅପବାଦ ମତେ କହୁଚ ଝୁନୁଦେଈ ଟିକେ ବୁଝେଇଦେଲ ? କ’ଣ ଏଡ଼େ ପାପଟାଏ କଲ ଯେ ତମେ ? କିହୋ ! ସେ କନାଗୁଡ଼ା ଆସିଥେଲା ଅନ୍ୟମାନେ ସିଲେଇ ଶିଖିବାକୁ; କିଏ ସିଲେଇ ଶିଖିବାକୁ କନା ନ ପାଇଚି ଭଲା ଏମିତି ଆପତ୍ତିଟାଏ ଉଠିଚି ? ସମସ୍ତେ ତ ନିଜ ନିଜର କନା ଆଣି କାଟିକରି ନିଜ ଦରକାରୀ ଜିନିଷ ତିଆରି କରି ନଉଥେବେ । କାହାର ଗରଜ ପଡ଼ିଚି ଏମିତି ଖାଲି ନୂଆ ନୂଆ ଜିନିଷ ଶିଖିବାକୁ ସମୟ କଟେଇବ ? ଯେତିକି ହେଲେ ଚଳିବ, ସେତିକି କରିବା ସମସ୍ତଙ୍କର ଗୋଟାଏ ପ୍ରକୃତି ହେଇଗଲାଣି ଆଜିକାଲି । ଏ କନାଗୁଡ଼ାକ କୋଉଦିନର ପଚରା କନା କହିଲେ ଚଳେ । ପଡ଼ି ପଡ଼ି ଖତ ଖାଇଗଲାଣି ସେ ଥାନକୁ । ସେଥିରୁ କେଇଖଣ୍ଡ ନେଇ କ’ଣ ଟିକେ କରିପକେଇଲ ଯେ ସେଇଟା ଏଡ଼େ ପାପଟାଏ ହେଇଗଲା ? ଆଉ ସେଇ ହାକିମମାନେ କେତେ ଯେ ଗୁଡ଼ଘର ବୋହି ନଉଚନ୍ତି ସେଗୁଡ଼ା ଦୋଷର ନୁହେଁ ? ସିଲେଇ ମେସିନ୍‌ ଯେତେଖଣ୍ଡ ଆସିବ, ସେଥିରୁ ଖଣ୍ଡେ ନେଇ ନିଜ ଘରେ ରଖିବେ ତାଙ୍କ ସ୍ତ୍ରୀ ପିଲା ଶିଖିବାକୁ ! ଅଫିସ୍‌କାଗଜର ଅଧେ ତାଙ୍କର; କ’ଣ ନା ଛୁଆ ପାଠ ପଢ଼ିବେ ! ଡେକ୍‌ଚି, କରେଇ, ବାଲ୍‌ଟିଠାରୁ ଆରମ୍ଭ କରି ତଉଲିଆ, ସାବୁନ୍‌ପର୍ଯ୍ୟନ୍ତ ସରକାରୀ ଜିନିଷ ତାଙ୍କ ଘରଜିନିଷ । ସେଗୁଡ଼ାକ ସେ ତୁଳନାରେ କିଛି ଦୋଷର ନୁହେଁ ?

 

‘ସେଥିରୁ ମୁଁ କ’ଣ ବୁଝେ ସେବ ? ଯେତେହେଲେ ସେମାନେ ପରା ହାକିମ ! କଥାରେ କହନ୍ତି ନାଇଁ, ସରଗକୁ ନିଶୁଣି ନାଇଁ, ବଡ଼ ଲୋକକୁ ଉତ୍ତର ନାଇଁ.. ।’

 

ସେବତୀ ବୁଝିଲା ସତ କଥା, ଝୁନିୟାଁର ଜୀବନ ବରଂ ସୁଖମୟ । କାରଣ ସେ ଏ ଛୋଟ ଛୋଟ କଥା ଜାଣିବାକୁ ମୋଟେ ସୁବିଧା ପାଇ ନାଇଁ ଆଜିଯାକେ । ସେ ସବୁଥିର ବହୁତ ପଛରେ ଝୁନିୟାଁ । ତେଣୁ ଏ ଉଦାହରଣଗୁଡ଼ାକ ତାକୁ ଦବାରେ କିଛି ମାନେ ହୁଏନି ।

 

‘ତମେ ଟିକେ ଯାଇ ଅଫିସରଙ୍କୁ ଭୁଲମାଗି କହିଲ ଝୁନୁଦେଈ ? ମୋର ମନେହଉଚି ସେ ଚାହିଁଲେ ଛାଡ଼ କରିଦେବେ ?’

 

‘କାହାକୁ କହିବି ସେବ ? ସେ ଯଦି ଛାଡ଼ିଦବାର କଥା ହେଇଥାନ୍ତା ତାହେଲେ ସେତିକିବେଳେ ତା’ର କ’ଣ ଗୋଟାଏ କିନାରା କରିଦେଇ ନଥାନ୍ତେ ? ହଲାପଟା କାଇଁକି ଲାଗିଥାନ୍ତା ? ସିଏ କ’ଣ ମତେ ଚିହ୍ନନ୍ତି ନାଇଁ ? ଏତେ ଭଲରେ ପରା କଥାବାର୍ତ୍ତା କରନ୍ତି । ଯେତେବେଳେ ପାରି ସେତେବେଳେ ଦେଖା ହେଇଗଲେ ପାନ ଖଣ୍ଡେ ମାଗି ଖାଇବେ । ଖାସ୍‌ ତାଙ୍କରି ପାଇଁ ମୁଁ ଏଠିକି ଆସିଲାବେଳେ କାନିରେ ଅଧିକ । ଦି’ଖଣ୍ଡ ପାନ ଭାଙ୍ଗି ଆଣିଥାଏ । କାଳେ ଚାଲି ଆସିବେ କି ଇଆଡ଼େ...କାଳେ ମାଗି ଦେବେ କି ପାନ ଖଣ୍ଡେ.... ? ଏମିତି.... । ଆଉ ତାଙ୍କୁ ପୁଣି ଯାଇ ନେହୁରା ହେବି କ’ଣ ? ମୋ ଦୁଃଖରେ କେତେଥର ଦୁଃଖୀ ହେଲା ପରି ଜଣାପଡ଼ିଚନ୍ତି ସେ । ଘରର ଅଭାବ–ଅସୁବିଧା ବିଷୟରେ ବେଳେ ବେଳେ ବି ପଚାରି ଦିଅନ୍ତି । ହେଲେ, ଆଜି ଆଉ ମୁହଁକୁ ଅନେଇଲେ ନାଇଁ ... ।

 

ଏଇ କଥାରୁ ସେବତୀ ଟିକିଏ କ’ଣ ବୁଝିଲା ପରି ଜଣାଗଲା କି କ’ଣ; କହିଲା–

 

‘ଝୁନୁଦେଈ ! ଥରେ ମୁଁ ଯାଇ ତମ ବିଷୟରେ କହିବି । ଦେଖାଯାଉ କ’ଣ ହଉଚି ।’

 

‘ନାଇଁ ନାଇଁ ସେବ, ଏ ଗୋଳ ହାଳିକି ସେ ଗୋଳ ବଳି ପଡ଼ିବ ! କଥାଟା ବରଂ ବେଶି ପ୍ରଘଟ ହେଇ ମୋ ବାଟ ବନ୍ଦ କରିଦବ । ତମେ କାଇଁକି ସେଥିରେ ପଶିବ ? ତମ ଚାକିରୀ... ।’

 

‘ମୋ ଚାକିରୀ ? ମୋ ଚାକିରୀ କୁଆଡ଼େ ଯାଇ ନାଇଁ କି ଆଉ ଯିବାର ଭୟ ନାଇଁ ଝୁନୁଦେଈ ! ମତେ ସେଇ ଅଭୟ ଟିକକ ଭଗବାନ୍‌ ଦେଇସାରିଚନ୍ତି । ଖାଲିଟାକୁ ତମେ ଡରୁଚ ସିନା ! ଆଜିକ ମତେ ତମେ ସମୟ ଦିଅ ।’

 

ସତକୁ ସତ ସେଇଆ ହେଲା । ସେବତୀ ଆଉ କିଛି ଶୁଣିଲା ନାଇଁ ଝୁନିୟାଁର କଥା । ଅଫିସରଙ୍କ ପାଖକୁ ଯିବାକୁ ଏକାଜିଦ୍‌ ଧରିଲା ।

 

ସେଦିନ ମୁହଁ ସଞ୍ଜକୁ ଯାଇ ସେବତୀ ପହଞ୍ଚିଲା ଝୁନିୟାଁ ଘରେ ! ଭିତର ଘରେ କ’ଣ ରୋଷେଇ ଯୋଗାଡ଼ କରୁଥାଏ ଝୁନିୟାଁ । ବାହାର ବାରଣ୍ଡାରେ ବସିଥାଏ ବାଜିଆ । କାଲିଠଉଁ ଝୁନିୟାଁକୁ ଅନେଇ ନାଇଁ ସେ । ଏଭଳି ଏକ ଅଲଜ୍ଜା ମାଇକିନାକୁ ଦେଖିଲେ କାମରେ ଇଚ୍ଛା ନାଇଁ ଜମ୍ମା । ସେବତୀ ଝୁନିୟାଁ ଦାଣ୍ଡରେ ପହଞ୍ଚିବାର ଜାଣିପାରିଲା ଝୁନିୟାଁ ଭିତରୁ ଥାଇ । ତାକୁ ଶୁଣାଗଲା–ସେବତୀ ପଚାରୁଚି ବାଜିଆକୁ–

 

‘ଝୁନୁଦେଈ ନାଇଁ କି ?’

 

ଭିତରେ ବୋଲି କହିଲା ବାଜିଆ । ଚମକି ପଡ଼ିଲା ଝୁନିୟାଁ । କ’ଣ ନାଇଁ କ’ଣ ରାଗ ମୁଣ୍ଡରେ ଯଦି କହିଦେବ ବାଜିଆ ତା’ହେଲେ ଝୁଅଟା କ’ଣ ଭାବିବ । ଆସି କାନ ପାରିଲା ଦାଣ୍ଡ କବାଟ ପାଖରେ । ଶୁଣିଲା ସେବତୀ କହୁଚି–

 

‘ତାଙ୍କୁ କାଇଁକି ଅଫିସର ଡକେଇଚନ୍ତି କାଲିଯିବାକୁ ଅଫିସକୁ ।’

 

‘କାଇଁକି….. ?’

 

‘କ’ଣ ସେ ମହିଳା ସମିତି କନା ବିଷୟରେ ଗଣ୍ଡଗୋଳ ହେଇଥେଲା । କନାର କ’ଣ ହିସାବ ମିଳୁ ନଥେଲା । ସେଗୁଡ଼ା କ’ଣ ସବୁ ବୁଝିବାକୁ... ।’

 

ବାଜିଆ ମୁଣ୍ଡରେ କେଇଦିନ ହେଲା ଛଟପଟ ହଉଥିବା ପୋକଟା ଆଉ ପୁଳାଏ କାମୁଡ଼ିଦେଲା ସତେ କି ! ନିଆଁ ପରି ଦାଉ ଦାଉ କରି ଆଖି ଦି’ଟାକୁ ତରାଟି କହିଲା–

 

‘ବୁଝିବେ ଆଉ କ’ଣ ? ପୋଲିସ୍‌ ଆଣି ତ ଘିଡ଼ି ଘିଡ଼ି କରି ଘୋଷାଡ଼ି ନେଇଯିବେ ଥାନାକୁ; ଆଉ ବୁଝିବେ ଗୋଟିଏ କ’ଣ ? ସବୁତକ କନା ତ ଇଏ ଆଣି କାଟିକରି ନିଜ ଛୁଆଁ ଙ୍କ ପାଇଁ ପୋଷାକ କରିଚି । ସେଗୁଡ଼ାକ ତ ଥୁଆ ହେଇଚି ଭିତରେ । ଯିଏ ଆସିବ, ମୁଁ ବାହାର କରିଦେବି । ଏଥିରେ ପୁଣି ଆଉ ବୁଝାବୁଝିର କ’ଣ ବାକି ରହିଲା ?’

 

ଅଳ୍ପ ହସି ଶାନ୍ତଗଳାରେ ଉତ୍ତର ଦେଲା ସେବତୀ–

 

‘ନାଇଁ ପରା, ସେଇଆ ତ ବାହାରିଲା କଥାଟା । କିନ୍ତୁ ଆଜି ଜଣାପଡ଼ିଚି ଯେ ସେଇଟା ମିଛ କଥା ।’

 

‘ମିଛ କଥା.... ?’

 

‘ହଁ....ସେ କନାଗୁଡ଼ାକ ତ ଆମ ସେଠିକାର ସମିତିର ଯୋଉମାନେ ଶିଖିବା ପାଇଁ ଆସନ୍ତି ତାଙ୍କରି କଟାକଟି ପାଇଁ ଆସିଥାଏ । ଜଣାପଡ଼ିଲା ଯେ ସେଇମାନେ ସବୁ କଟାକଟି କରି ଯୋଉଗୁଡ଼ାକ ପକେଇଥେଲେ ସେଇ ଟୁକୁରା କନାଗୁଡ଼ାକୁ ଯୋଡ଼ି ଝୁନୁଦେଈ ତିଆରି କରିଚନ୍ତି ତାଙ୍କ ଜିନିଷ । ସେ ଛିଣ୍ଡା ଜିନିଷଗୁଡ଼ାକୁ ଆମର ବାତିଲ୍‌ କରିଦିଆଯାଏ ନଷ୍ଟ ହେଇଯାଇଥିବା ଜିନିଷ ବୋଲି । ସେଥିରେ ଆଉ ସରକାରୀ ହିସାବ ଦରକାର ନାହିଁ । ଆଉ ଝୁନୁଦେଈ ଖାଲି ତାଙ୍କ ମନକୁ ବି ତିଆରି କରିନାହାନ୍ତି । ଏଥିପାଇଁ ଯେମିତି ଅନୁମତି ନବା କଥା କୁଆଡ଼େ ସେ ସେମିତି ଅଫିସରେ ପଚାରି କରିଛନ୍ତି । ଏଥିପାଇଁ ତାଙ୍କଠଉଁ ଯୋଉ କିଛି ଅଳ୍ପ ଟଙ୍କା ଆଦାୟ କରିବା କଥା, ସେଇଟା ବି ଦବା ପାଇଁ ଝୁନୁଦେଈ ଲେଖି ଦେଇଚନ୍ତି ।’

 

ଇସ୍କୁଲ ମାଷ୍ଟ୍ରାଣୀଟିଏ ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼େଇଲା ଭଳି ଅତି ସରଳ ଭାଷାରେ ବୁଝେଇଦେଲା ସେବତୀ ବାଜିଆକୁ । ଠିକ୍‌ବାଧ୍ୟ ପଢ଼ୁଆ ପିଲାଟିଏ ପରି କାନକୁ ଟେକି ଅନେଇଁଥାଏ ବାଜିଆ ସେବତୀର ମୁହଁକୁ । ସେବତୀର କଥା ଶେଷରେ ବାଜିଆ ଶୁଖିଲା ପାଟିକି ଓଦାକରି ପଚାରିଲା–

 

‘ଆଉ ଇଏ ଯୋଉ ଧରପଗଡ଼ଟାଏ ହେଇଗଲା ! ଆଉ ତା’ ନାଁରେ ରିପୋର୍ଟ ହେଇଗଲା କୁଆଡ଼େ ?’

 

‘ନାଇଁ, ରିପୋର୍ଟ ତ ହେଇ ନାଇଁ । ଯୋଉ ଧରାଧରି ଚାଲିଲା ସେଇଟା ବି ହେଇନଥାନ୍ତା । କେଇଟା ଲୋକ କୁଆଡ଼େ ମିଶିକରି ଗୋଟାଏ ଦରଖାସ୍ତ ପକେଇଥେଲେ ଏ ବିଷୟରେ ସେଇଥି ପାଇଁ ।’

 

କ’ଣ ହେଲା ? ....ବାଜିଆ ମୁଣ୍ଡକୁ ରକ୍ତ ଚହଟି ଗଲା । ତା’ ଘର ନାଁରେ ପୁଣି ଦରଖାସ୍ତ ପଠେଇବାକୁ ହେମତ ହେଇଗଲାଣି ଲୋକମାନଙ୍କର ?

 

‘ବାର ରକମର ଲୋକ ଅଛନ୍ତି । ତାଙ୍କର ବାର କଥା ଶୁଣିଲେ ଯିଏ ଯାହା ହଉ ପଛେ ଅବାଟରେ ଚାଲିଯିବ । ଆଉ ସେ ହାକିମ ବୋଲି ତ ଭଗବାନ୍‌ ନୁହନ୍ତି ? ସେଇଥିପାଇଁ ସେ ଝୁନୁଦେଈଙ୍କୁ ଡାକିଚନ୍ତି ସବୁ ବୁଝେଇଦବାକୁ ।’

 

ବାଜିଆର ଆଉ କିଛି ଶୁଣିବାକୁ ଇଚ୍ଛା ହେଲା ନାଇଁ । କାହିଁକି କେଜାଣି, ଭାରି ଦୋଷୀ ଦୋଷୀ ଲାଗିଲା । କାଲି କେତେଗୁଡ଼ାଏ ମାରିଲା ନିର୍ଦ୍ଦୋଷୀଟାକୁ । ଆହା, କର୍ମ ଆଦରି ସିଏ ପଡ଼ିଚି ବୋଲି ସିନା ! ଏ ଭାବନା କିନ୍ତୁ ତା’ ମୁଣ୍ଡରେ ବେଶି ସମୟ ରହିଲା ନାଇଁ । ତା’ ମୁଣ୍ଡରେ ପଶିଲା, କିଏ ପୁଣି ଏଡ଼େ ଅଣ୍ଡିରା ପୁଅଟାଏ ବାହାରିଲାଣି ଗାଁରେ, ତା’ ପିଲାକବିଲାକୁ ଆଖି ଦେଇ ତାଙ୍କ ନାଁରେ ଚୁଗୁଲି ଫୋଡ଼ୁଚି... !

 

ଆଉ କିଛି ବାଜିଆର କହିବାର ନାଇଁ ଜାଣି ସେବତୀ ଉଠିଲା ବାରଣ୍ଡା ଉପରକୁ ଭିତରକୁ ଯିବାକୁ । ଘର ଭିତରେ ଝୁନିୟାଁ ନିରୋଳାରେ ଟିକେ କଥାଭାଷା ହବା ପାଇଁ ଦୂରେଇଗଲା ସେ ଚୁଲିମୁଣ୍ଡ ଆଡ଼କୁ ।

 

ଅଳ୍ପକେ ସେଇ କଥାକୁ ଦୋହରେଇ ସାରିଲା ପରେ ସେବତୀକୁ କୁଣ୍ଢେଇ ପକେଇଲା ଝୁନିୟାଁ । ପଚାରିଲା–

 

‘ଆଚ୍ଛା ସେବ ! ତମେ କେମିତି ଏତେ ବଡ଼ କାମଟାଏ କରିଦେଲ ? ତମ ଥାରେ ସେ ରାଜିହେଲେ କେମିତି ?

 

ହସିଲା ସେବତୀ–କ’ଣ କହିବ ସେ ?

 

ପୁଣି ବାଧ୍ୟ କଲା ଝୁନିୟାଁ ତାକୁ । ଆଉ କିଛି ବାଟ ନ ପାଇ ସେବତୀ ଖାଲି ଏତିକି କହିଲା–

 

‘କାମଟା ମୋଟେ କଷ୍ଟ ନୁହେଁ ଝୁନୁଦେଈ । ତମ ପାଇଁ ଯୋଉଟା ଭାରି କଷ୍ଟ ମୋର ସେଇଟା ଦିହସୁହା କଥା ।’

 

କିଛି ବୁଝି ପାରିଲାନି ଏଥିରୁ ଝୁନିୟାଁ ।

 

‘ନାଇଁ, ସେ ରାଜି ହେଲେ କେମିତି ?’

 

‘ତମଠି ଯୋଉ କଥାରେ ଅରାଜି ମୋ ପାଖରେ ଠିକ୍‌ସେଇ କଥାରେ ହିଁ ରାଜି । ଛାଡ଼, ତମେ ବୁଝିପାରିବନି ଝୁନୁଦେଈ । ଏପରି ବହୁ ଟାଣୁଆ ସାପକୁ ବଶ କରିଦେଲା ଭଳି ଶକ୍ତିଟା ଭରିଦେଇଚନ୍ତି ଭଗବାନ୍‌ । ତମ ପାଖରୁ ଯୋଉ ଆଶାଟା ଅଘଟଣ, ମୋ ପାଖରୁ ସେଇଟା ଆକର୍ଷଣ; ଆଉ ମୋ ତରଫରୁ ସେଇଟା ସମର୍ପଣର ସୂଚନା ଦେଖିଲେ ଯୋଉ ଲୋକଟା ହେଲେ ବି ଲାଙ୍ଗୁଳ ଜାକିବ ।’

 

ଝୁନିୟାଁ କିଛି ନ ବୁଝିଲେ ବି ଏତକ ବୋଧଦେଲା ମନକୁ ଯେ ହେଇଥବ ସେବତୀର ଉପର ପାହ୍ୟାର ସବୁ ଚିହ୍ନାପରିଚୟ ଅଛନ୍ତି କି କ’ଣ; ନ ହେଲେ ତା’ର ଏଡ଼େ ଟାଣ କେମିତି ହୁଅନ୍ତା । ଠଣ୍‌କରି ଏଡ଼େ ବଡ଼ କଥାଟାକୁ ଛିଣ୍ଡେଇ ଦେଇ ଆସିବାକୁ ତାକୁ ଦଣ୍ଡେ ଲାଗିଲା ନାଇଁ....-!!!

 

ବେଶି ଆଉ ଗୁରେଇ ତୁରେଇ ପଚାରିଲା ନି ଝୁନିୟାଁ, କ’ଣ ବା ସେ ଜାଣେ ସରକାରୀ ଚାକିରୀ କଥା ? କୋଉ ଫାଇଲ କେମିତି କ’ଣ ହୁଏ, କେମିତି ତାକୁ, ବଢ଼ାଯାଏ ଆଉ ଛିଡ଼ାଯାଏ, ସେଇଟା ସିନା ସେବତୀ ଜାଣିଚି । କାରଣ ସେ ସରକାରୀ ଚାକିରିଆ । ସେ ବିଷୟରେ ଇଏ କାଇଁକି ଖୋଳି ତାଡ଼ି ହବ–କ’ଣ ବୁଝିବ ସେଥିରୁ ? ତୁନି ରହିଲା ଝୁନିୟାଁ । ରାତି ଗଡ଼ି ପଡ଼ିଲାଣି, ସେବତୀ ଉଠିଲା । କେମିତି ଭାଷାରେ ନିଜ ମନ ଭିତରରେ କୃତଜ୍ଞତାଟାକୁ ପ୍ରକାଶ କରିବ ଭାବିପାରିଲା ନି ଝୁନିୟାଁ । ମନକଥା ତା’ର ମନରେ ରହିଗଲା ।

 

ସେବତୀ ବାଟେଇ ଦେଲବେଳେ ଦେଖିଲା ସେତେବେଳ ସରିକି୍‌ବାଜିଆ ବସିଚି ସେଠି-। କିଛି ନ କହି ଝୁନିୟାଁ ଫେରିଲା ଘର ଭିତରକୁ । ରାତି ଦି’ଘଡ଼ିକି ଛୁଆଗୁଡ଼ାକ ଶୋଇ ପଡ଼ିଲା ପରେ ଯାଇ ଡାକିଲା ଖାଇବାକୁ ଆଗକରି ଝନିୟାଁ । ଠିକ୍‌ଦୋଷୀଟିଏ ଭଳି । କଥା ନ କହି ଏକା ଡାକରେ ଉଠି ଆସିଲା ବାଜିଆ । ସେଇ ଘରକୁ ମୁହଁ ବୁଲେଇଲା ମାତ୍ର ଝୁନିୟାଁ ଚମକି ପଡ଼ିଲା-। ପଛଆଡ଼ୁ, ତାକୁ ଶୁନ୍ୟରେ ଟେକି ନେଇଗଲା ବାଜିଆ । ଝୁନିୟାଁ । କିଛି ଭାବି ବସିଲା ଆଗରୁ-। କାଲି ରାତିରେ ଏଇ ସମୟରେ ପିଟିପକେଇଥିବା ଜାଗା ଗୁଡ଼ାକରେ ମୁହଁ ଘଷି ଚାଲିଲା ବାଜିଆ-

 

ସେତେବେଳକୁ ଦିହେଁ ଘର ଭିତର ଖଞ୍ଜାରେ ।

 

ଝୁନିୟାଁର ମନହେଲା ସତେ କି ଆଉ ଭଙ୍ଗା ବାକ୍ସଟା ଭିତରେ ଯେତେଗୁଡ଼ାଏ ଅଚଳ ପଇସା ଆଉ ଚଳିବନି ବୋଲି ରଖିଦେଇଥିଲା, ତା’ ଭିତରୁ କେତୋଟି ଚଳନ୍ତି ବୋଲି ଏଇଛୁଣିକା ଜଣାପଡ଼ୁଚି ତାକୁ !

 

କେତେବେଳକେ ଖାଇବାକୁ ମନେ ପକେଇଲା ଝୁନିୟାଁ ବାଜିଆକୁ । କିନ୍ତୁ ବାଜିଆ ଆଜି ଯେମିତି ସେ ସବୁ ଶୁଣିବାକୁ ନାରାଜ । ତା’ର ପେଟ ପୂରି ଆସିଲାଣି; ଆଉ ଖାଲି ଅଳ୍ପ ବାକି ଅଛି । ତଣ୍ଟି ଯାଏଁ ପହଞ୍ଚିଲା କହିଲେ ଚଳେ ।

 

ଏ ସବୁ ସେ କେବଳ ସେବତୀ ପାଇଁ, ସେଇଟା କିନ୍ତୁ ବେଶ୍‌ବୁଝୁଥିଲା ଝୁନିୟାଁ । ସେଇଦିନ ଠାରୁ ସେବତୀ ଆଉ ଝୁନିୟାଁ । କେମିତି ଅତି ବେଶି ଆପଣାର ହେଇ ଉଠିଚନ୍ତି । ସତେ ଯେମିତି ଏକା ପ୍ରାଣ, ଏକା ମନ, ଏକା ନାହିଁ ଦି’ଖଣ୍ଡ । ଉଭୟେ ପରସ୍ପର ଆଗରେ ନିଗାଡ଼ି ଦେଇଚନ୍ତି, ବିଛେଇ ଦେଇଚନ୍ତି । ନିଜ ଜୀବନର ହସକାନ୍ଦ, ଭଲମନ୍ଦ, ସୁଖଦୁଃଖ, ଘରସଂସାରର ପରସ୍ପର । ଆଉ ଯାହା ହଉ ନା କାହିଁକି ଦିହିଁଙ୍କର ଅମାପ ଦୁଃଖର ବୋଝରୁ ପରସ୍ପର ପାଖରେ ଓଜାଡ଼ିଦେଇ ଟିକିଏ ହାଲ୍‌କା କରଚନ୍ତି ଦୁଃଖକୁ ।

 

ଝନିୟାଁ । ଭାବେ–ସେବତୀ ! ଆହା କେଡ଼େ ଦୁଃଖିନୀ !

 

ଝନିୟାଁ । ଆଗେ ଭାବୁଥିଲା ନିଜେ ଘର ଦୁଃଖୀ ବୋଲି । ହେଲେ, ସେବତୀର କାହାଣି ଶୁଣିଲେ ପରଠଉଁ ସେ ଉଭୟଙ୍କର ଦୁଃଖକୁ ତୁଳନା କରି ଆନନ୍ଦ ପାଇଚି । ସତରେ ତ ତା’ ଠାରୁ ବି ଦୁଃଖୀ ଅଛନ୍ତି ଆଉ ତା’ର ନମୁନା ହେଲା ସେବତୀ.... ।

 

ପ୍ରଥମ ଦେଖା ଝୁନିୟାଁ । ସାଙ୍ଗରେ ।

 

ଯୋଉଦିନ ତାକୁ ଅର୍ଡ଼ର ହେଲା ଏ ଗାଁକୁ ଆସିବାରୁ, ସେଦିନ ସେ ଆସି ଗାଁରେ ଘର ଖେଜିଲା ରହିବାକୁ । ସରକାରୀ ଘର ନାହିଁ । ତାକୁ ସେ ଚାଉଳ ଗୋଲାପରର ଗୋଟାଏ ବଖରାରେ ରହିବାକୁ ସାହେବ କୁଆଡ଼େ ଅର୍ଡ଼ର ଦେଲେ । କୌଣସିମତେ ସେଠି ସେ ରହିଲା । ଗାଁରେ ସମସ୍ତଙ୍କ ସାଙ୍ଗରେ ଚିହ୍ନାପରିଚୟ ତ ହବା ଦରକାର । ଗଲା ସମିତି ଘରକୁ । ସେଇଠି ଝୁନିୟାଁ ସାଙ୍ଗରେ ଦେଖାହେଲା । କଥାବାର୍ତ୍ତା ସେଦିନ ନିହାତି ମାମୁଲି । ଘରଦୁଆର ଗାଁ ଏମିତି ବୁଝାବୁଝି । ତା’ପରେ ଏମିତି ନିତି ନିତି ଦିହିଁଙ୍କର ଆଳାପ ଜମେ ।

 

ଦି’ଦିନ ହେଇ ନାଇଁ ସେବତୀ କହିଲା ଝୁନିୟାଁକୁ ସେଇ ସମିତି ଘରେ ।

 

‘ଝୁନୁଦେଈ ! ମତେ ସେ ଗୋଲାଘରଟାରେ ରହିବାକୁ ଭଲ ଲାଗୁନାଇଁ ।’

 

ପ୍ରଥମ କଥାବାର୍ତ୍ତାରେ ଦିହିଁଙ୍କର ସାଲିସ୍‌ ହେଇଗଲା ଯେ ସେବତୀ ତାକୁ ଝୁନିୟାଁ ନ ଡାକି ଝୁନୁଦେଈ ବୋଲି ଡାକିବ । ଆଉ ସେବତୀର ଅନୁରୋଧରେ ସେ ସେବ ବୋଲି ଡାକିବ । ସେବତୀର ଏଇ କଥାରେ ଝୁନିୟାଁ ଭବିଲା– ହଁ, ନୂଆ ନୂଆ ଘରଛାଡ଼ି ଆସିଲେ ସେମିତି ଲାଗେ । ସେଇଠୁ ଉତ୍ତରରେ କହିଲା–

 

‘ଏମିତି କେଇଦିନ ନାଗିବ ସେବ ! ଘରଛାଡ଼ି ଆସିଲେ ସେମିତି ନାଗେ । ଏ କଥା କହୁଚ ? ଝୁଅ ପରା ବାହାହେଇ ଶାଶୁଘରରେ ଖାଇଲେ ବି ତାକୁ ପରପର ନାଗେ କେଇଦିନ । ଆଉ ଇଏ ତ ତମ ପାଇଁ କୋଉ ଦୂର, ଅପନ୍ତରା ଜାଗା ! ଚାକିରୀ ନ କରିଥେଲେ ତମେ କିଏ ଏ ଗାଁ କିଏ କି ଗୋଲାଘର କିଏ ?’

 

ଉତ୍ତରରେ ଟିକେ ମୁରୁକି ହସିଲା ସେବତୀ । ଝୁନିୟାଁର ଜ୍ଞାନ ପ୍ରକୃତରେ ବହୁତ କମ୍‌ । କେମିତି ହବ ଯେ–ବାପଘରୁ ଶାଶୁଘର । ତା’ ଛଡ଼ା ଆଉ ସେ କ’ଣ ଜାଣିଚି ? ସେଇ ଦୂରୁଛନା ଦେଇ କହୁଚି ସିଏ । ହେଲେ, ସେ କ’ଣ ଜାଣିଚି ଏ ଚାକିରୀରେ ସେବତୀର ୟା ଠଉଁ ଅପନ୍ତରା ଜାଗା ବି ବୁଲିବା ଭାଗ୍ୟରେ ଜୁଟି ସାରିଚି ବୋଲି ସେବତୀ କହିଲା–

 

‘ଝୁନୁଦେଈ, ତମେ କ’ଣ ଭାବୁଚ, ତମ ଚାଁକୁ ମୁଁ ଆସିଚି ବୋଲି ମତେ ଖରାପ୍‌ ଲାଗୁଚି-? ମୋ ପାଇଁ କ’ଣ ଏଇଟା ପ୍ରଥମ ଦୂର ଜାଗା ?’

 

ଆଶ୍ଚର୍ଯ୍ୟ ହେଲା ଝୁନିୟାଁ ! ତା’ହେଲେ ସେବତୀର ତା’ ଆଗରୁ ଏ ଅନୁଭୂତି ଅଛି ? ସେଇଠୁ ପଚାରିଲା–

 

‘ଆଚ୍ଛା ସେବ ! ତମର କ’ଣ ଏଇଟା ନୂଆ ଚାକିରୀ ନୁହେଁ ? ତମେ ପରା କହୁଥେଲ ଏବେ ଜଏନ୍‌ କଲ ବୋଲି ?’

 

ଏଇ କଥାରେ ସେବତୀ ଆରମ୍ଭ କଲା ତା’ ଚାକିରୀ ସମ୍ପର୍କରେ ପଦେ ।

 

ଆଜି ନୁହେଁ; ଆଜିକି ଚାରି ବର୍ଷ ପୂରିଗଲାଣି ତା’ର ଏଇ ଚାକିରୀ ଜୀବନରେ । ଅଠର ବର୍ଷ ହଉ ନ ହଉଣୁ ଟ୍ରେନିଂ ନେଇ ସେ ଗ୍ରାମସେବିକ ହେଲା । ପ୍ରଥମେ ତାକୁ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଗାଁକୁ ପଠେଇଲେ । ଘରେ କେତେ ଆପତ୍ତି କଲେ । ହେଲେ, ସେବତୀ ଶୁଣିଲା ନି ସେ କଥା । ଦାଦି ଖୁଡ଼ୀଙ୍କର ନିଜ ଛୁଆମାନଙ୍କୁ ଚଳେଇବାର ଜୁ ନାହିଁ, ଇଏ ତାଙ୍କ ଉପରେ ବୋଝଟାଏ ହେଇ ବସି ଚାକିରୀ ଛାଡ଼ିବ ? ସହଜେ ତ ବିଧବା, ମାଆଟା ଗୋଟାଏ ତଣ୍ଟିରେ ବସି ଝୁଣୁଚି । ସେ ବି କ’ଣ କରିବ ? ତା’ର କୋଉ ଚାରା ଅଛି ନାଁ କ୍ଷମତା ଅଛି ସେ ଆଉ ନିଜେ ରୋଜଗାର କରିବ-? କ’ଣ ବା କରିବ ରୋଜଗାର ? ଭିକ ତ ମାଗି ପାରିବନି... । ଗୋଟାଏ ଅବସ୍ଥାରେ ମଣିଷ ଯେତେବେଳେ ଘାସକୁ ଲମ୍ବ ପାଳକୁ ଛୋଟ ହେଇଯାଏ, ସେତେବେଳେ ଦୁର୍ଦ୍ଦଶାଟା ବେଶି ବଳେଇ ପଡ଼େ । ସ୍ଵାମୀ ତା’ର ସିନା ଦେଶ ପାଇଁ ଯାଇ ଯୁଦ୍ଧରେ କୋଉଠି ପ୍ରାଣ ହରେଇଲେ । ହେଲେ, ଦେଶ ତା’ ପାଇଁ କରିଚି କ’ଣ ? ସେ କେବଳ ଶୁଣିଚି ତାକୁ କେତେ ଟଙ୍କା ମିଳିବ ଆଉ ଜମି ମିଳିବ କ୍ଷତିପୂରଣ । ହସମାଡ଼େ ତାକୁ, କ୍ଷତିକୁ ପୁଣି ପୂରଣ କରିବେ ଇଏ ! କ’ଣ ଟଙ୍କା–ଜମି ଦେଇ ? ସେ ଟଙ୍କା–ଜମି ପୁଣି କେତେ...ସେଇଟା କ’ଣ ଏ ଦେ ଜାଣିଚି ? ଦେଇ ଶିଖିଲାଣି ? ? ନାଁ ସେଇଥିପାଇଁ ବୋଧହୁଏ ଖାଲି ପ୍ରତିଶ୍ରୁତିରେ ସେଗୁଡ଼ା ଅଛି ! କେବେ ମିଳିବ ତା’ର କୌଣସି ଠିକ୍‌ଠିକଣା ନାହିଁ କି ତା’ଉପରେ ବୁଢ଼ୀ ଆଶା ବି ରଖି ନାଇଁ !

 

ଦିଓଟି ବୋଲି ପିଲା, ବଡ଼ ଏଇ, ସେବତୀ ଆଉ ତଳେ ପୁଅଟିଏ । ସେ ପଢ଼ୁଚି ସ୍କୁଲରେ-। ତା’ର ଦାଦିପୁଅ ଭାଇଭଉଣୀଙ୍କ ସାଙ୍ଗରେ । ଯୋଉଦିନ ଖବର ପାଇଲା ସେବତୀର ମା ଯେ ସେବତୀର ବାପା ଆଉ ନାହାଁନ୍ତି...ସେଇଦିନ ସେ ଯୀଶୁଙ୍କ ଫଟୋ ପାଖକୁ ଯାଇ କେତେ ବିକଳ ହେଇ ଡାକିଚି–

 

‘ହେ ପ୍ରଭୁ ! ତମେ କ’ଣ ସତେ ଏଇଆ ଚାହିଁଥିଲ ? ମୋ ଛୁଆ ଦି’ଟା ଅନାଥ ହେଇ ଯାଆନ୍ତୁ ଏଇକଥା ତମେ ଦେଖିବ ବସି ?’

 

ଯୀଶୁ କିନ୍ତୁ ସେଦିନ କିଛି ଉତ୍ତର ଦେଇନଥିଲେ । ସେବତୀ ମାକୁ ମନେହେଲା, ଯେମିତି କ୍ରୂଶ ଉପରେ ତାଙ୍କର ବହଳ ଦାଢ଼ୀ ତଳୁ ମୁହଁଟା ଆହୁରି ଶୁଖିଆଶୁଚି । ବେଶି ଆଉ ଆଶା ନ କରି ତାଙ୍କଠାରୁ ବୁଢ଼ୀ ମୁହଁ ବୁଲେଇଲା । ଆଖିରେ ପଡ଼ିଲା ଭାରତର ମାନଚିତ୍ରଟା । ସେଇଠି ସେ ଅନେକଥର ଦେଖିଚି ତା’ ସ୍ଵାମୀ ଠିଆହେଇ ସେ ପୋଷାକଗୁଡ଼ା ପିନ୍ଧି ପକେଇ ସାରିଲା ପରେ ଦଣ୍ଡେ ମୁଣ୍ଡିଆ ମାରନ୍ତି, ତାପରେ ତାଙ୍କ ମୁହଁ ଉଜ୍ଜ୍ଵଳ ହେଇ ଉଠେ ।

 

ସେଇ ମାନଚିତ୍ରର ଚାରିକଡ଼ରେ ଛୋଟ ଛୋଟ କ୍ୟାଲେଣ୍ଡର କଟା ବନ୍ଧେଇ ଫଟୋ ମହାତ୍ମା, ନେତାଜୀ, ପଣ୍ଡିତ ନେହରୁ ପ୍ରଭୃତିଙ୍କର । ସେଠି ଠିଆହେଇ ମଧ୍ୟ ବୁଢ଼ୀ ସେଇ ପ୍ରଶ୍ନ କଲା-

 

କୁହ ହେ ଭାରତମାତା ଓ ତା’ର ପବିତ୍ର ସନ୍ତାନଗଣ ! ମୋ ସଂସାରର ଭବିଷ୍ୟତ କ’ଣ-? ଦେଶର ସେବା ପାଇଁ ଯିଏ ହସି ହସି ଜୀବନ ଦେଲା; ସେ ଗୌରବ କ’ଣ ତା’ର ପରିବାର ଶୁଖି ଶୁଖି ମରିବାରେ ?

 

କେହି ଉତ୍ତର ଦେଲେନି । ସତେ କି ମନେହେଲା ସେମାନେ କୁହାକୁହି ହେଲେ–ଆର ଜନ୍ମକୁ ବିଚାର କରିବା । ବୁଢ଼ୀ ଆଉ ଭାବିନି କିଛି । ହେଲେ, ସେବତୀର କକା ସାଙ୍ଗେ ସାଙ୍ଗେ ଆସି ସମସ୍ତଙ୍କୁ ନେଇଯିବାକୁ ବସିଲେ ତାଙ୍କ ଘରକୁ । ବୁଢ଼ୀ ବୁଝିଲା, ଆଜି ନ ଗଲେ ବି କାଲି ପରୱାନା ଆସିବ ଘର ଛାଡ଼ିବାକୁ । ସରକାର ଘର ଏଇଟା । ସରକାରୀ ଚାକିରୀଆ ତ ନାହାନ୍ତି; ଆଉ ସରକାର ଘର ଦେବେ କାଇଁକି ?

 

ସମସ୍ତେ ଦାଦାଙ୍କ ସାଙ୍ଗରେ ତାଙ୍କରି ଘରକୁ ଆସିଲେ । ହେଲେ, ଦାଦା ତ ବଡ଼ ହାକିମ ନୁହଁନ୍ତି । ତାଙ୍କ ରୋଜଗାରରେ ନିଜ ପରିବାରକୁ ଚଳେଇବା କଷ୍ଟ । ତଥାପି ସେ କୁଣ୍ଠା କରି ନାହାଁନ୍ତି-। ସେବତୀ ଆଉ ତା’ ଭାଇର କୋଉଥିରେ ଖିଲାପ କରି ନାହାଁନ୍ତି । ସେବତୀ କିନ୍ତୁ ନିଜର ବୟସର ଚେତନାରେ ବୁଝିବାକୁ ଚେଷ୍ଟା କରିଚି । ପାଠପଢୀବାକୁ ଜିଦ୍‌ନ କରି ଟ୍ରେନିଂ ଯିବା ପାଇଁ ସେ ଅଳି କରିଚି । ତା’ ଅଳି ପୂରଣ ହେଇଚି । ସେ ଟ୍ରେନିଂ ଯାଇଚି । ତା’ ସାନଭାଇ ଟ୍ରେନିଂ ଯାଇଚି, ଆଉ ମା ... ଏକା ଏକା ବସି ଲୁହ ଢାଳିବାକୁ ସମୟ ପାଇଚି ।

 

ଟ୍ରେନିଂ ପରେ ସେବତୀର ପୋଷ୍ଟିଂ ହୁଏ ସେଇ ମୟୂରଭଞ୍ଜର ଗୋଟାଏ କୋଉ ଗାଁରେ-। ଦାଦାଖୁଡ଼ି ଆପତ୍ତି କରନ୍ତି ଆଉ ମା ଚୁପ୍‌ରହେ । ଦାଦାଙ୍କର ମତ ଚାକିରୀ ନ ହଉ ପଛେ ଏତେ ବାଟ ଯିବା ହବନି । ସୁନ୍ଦରଗଡ଼ରୁ ମୟୂରଭଞ୍ଜ.... ?

 

ସେବତୀ ହତାଶ ହେଇଗଲା, ତାକୁ ନିଶ୍ଚିତ କିଛି ଗୋଟାଏ ଉପାୟ କରିବାକୁ ପଡ଼ିବ । ତା’ର ଟ୍ରେନିଂ ଅଫିସରଙ୍କୁ ଦିନେ ଯାଇ ମନରେ ସାହସ ବାନ୍ଧି ଦେଖାକଲା । ସବୁ କଥା ଜଣେଇଲା-। କିନ୍ତୁ ଅଫିସର ବୁଝେଇଦେଲେ–

 

‘ବୁଝିଲ ସେବତୀ ! ଏଇଗୁଡ଼ାକ ତମମାନଙ୍କର ଭୁଲ ଧାରଣା । କିହୋ ! ଦୂର କ’ଣ, ପାଖ କ’ଣ ? ଚାକିରୀ ତ କରିବ । ଆଜି ଏ ଜିଲ୍ଲାରେ ଅଛ ବୋଲି ତମକୁ ଏଇଟା ପାଖ ଲାଗୁଚ । ଯଦି ସେ ଜିଲ୍ଲାରେ ଥାନ୍ତ ? ସେମିତି ସବୁ ଚଳେଇ ନେଇ ହୁଏ । ପ୍ରଥମେ ପ୍ରଥମେ ଟିକେ ଅଡ଼ୁଆ ଲାଗେ । ତା’ପରେ ସବୁ ଠିକ୍‌ । ତା’ ଛଡ଼ା ତମର ଚାକିରୀ ଢଙ୍ଗ ପରା ହେଲା ସେଇଆ । ଅଘରକୁ ଘରକରିବ, ପରକୁ ଆପଣାର କରିବ, ସମସ୍ତଙ୍କୁ ସ୍ନେହମମତା ବାଣ୍ଟିକୁଣ୍ଟି ଦବ । ତାଙ୍କର ହେଇ କାମରେ ସାହାଯ୍ୟ କରିବ । ଏତେ କଥା ଶିଖିଲ ଆଉ କାମରେ କିଛି ଲଗେଇପାରିଲ ନାଇଁ ? ବରଂ ତମର ଏତେ ଦୂରକୁ ହେଇଚି ଭଲ । ଏଇ ବେଳରେ ଦୂରକୁ ଦୂରକୁ ଦେଇଥିଲେ ପଛବେଳକୁ ତମକୁ ନିଜ ଘରପାଖିଆ ଦେବେ ।’

 

କିଛି ନ ବୁଝି ବି ସବୁ ବୁଝିଲା ସେବତୀ । ସିଏ ନ ବୁଝୁ ପଛେ, ତାକୁ ପରେ ତ ସେଇ ମର୍ମରେ ବୁଝାଇବାକୁ ପଡ଼ିବ । ....ସେଇଆ ହେଲା । ସେମିତି ସବୁ ବୋଧ ଦେଇ ସେବତୀ ଘର ଛାଡ଼ିଲାବେଳେ ସେ ଦେଖିଚି । ଦାଦା ତା’ର ନୂଆ ସତରଞ୍ଜି ଖଣ୍ଡିଏ କିଣି ଆଣି ବେଡ଼ିଂ ଭିଡ଼ିଲାବେଳେ ତାଙ୍କର ଆଖିରେ ବି ଲୁହ । ଖୁଡ଼ୀ ଅଇନା, ପନିଆଁ ଆଣି ସୁଟ୍‌କେଶ୍‌ରେ ସଜେଇ ରଖିଲାବେଳେ ତାଙ୍କ ଆଖିରେ ବି ଲୁହ । ଆଉ ମା’ ପିଠା କେଇଖଣ୍ଡ କରିବା ଭିତରେ ରୋଷେଇଘରେ କେତେ ଯେ ଶିଘାଂଣୀ ପୋଛିଚି କାନିରେ ତା’ର ଠିକଣା ନାଇଁ ।

 

ଛୁଆଗୁଡ଼ାଙ୍କୁ ବହଲେଇ ମିଠା ଜିନିଷ ଆଣିବାକୁ ଯାଉଚି ବୋଲି କହି, ସରୁ ଗେଲଟିଏ ଲେଖା କରିଦେଇ ଯେତେବେଳେ ରିକ୍‌ସାକୁ ବାହାରିଲା, ସେତେବେଳେ ଖୁଡୀ ଆସି କହିଲେ–

 

‘ସେବ’ ! ମା କହିଲେ, ‘ଗଲା ଆଗରୁ ବାପାଙ୍କ ଫଟୋକୁ ଜୁହାର ହେଇଯା ।’ ସେଇ ସାମାନାରେ ଫଟୋଟା ଟଙ୍ଗା ହେଇଥାଏ ବାପାଙ୍କର । ସେଇ ପୋଷାକ । ଛାତିରେ ସରୁ ଧାଡ଼ିଟାଏ କ’ଣ ନାଲିନେଳି ରଙ୍ଗର ପାତିଆଟାଏ ମରା ହେଇଥାଏ । ଦାଉଦାଉ ହେଇ ଦିଶୁଚି ତାଙ୍କର ଆଖି । ଜୁହାର ହେଲା ତାଙ୍କୁ ସେବତୀ । ଆଉ ବାହାରିଲାବେଳେ ତା’ର ମନେହେଲା, ବାପା ଯୋଉ ଦେଶ ସେବା କରିବାକୁ ଶପଥ ନେଇ ଜୀବନ ଦେଇପାରିଲେ, ମୁଁ ସେଇ ଦେଶବାସୀଙ୍କ ଭିତରୁ ମୋ ସକ୍ଷମତେ କେଇ ଜଣଙ୍କର ସେବା କରିବାକୁ କ’ଣ ଘର ଛାଡ଼ିପାରିବି ନାଇଁ.... ?

 

ଏକା ନିଶ୍ଵାସକେ ରିକ୍ସାରେ ବସିଲା ସେ, ପାଖରେ ଦାଦା, ଆଉ ସାଙ୍ଗରେ ସାଇକେଲ୍‌ରେ ସାନଭାଇ । ରିକ୍ସା ଚାଲିଲା ।

 

ତା’ର କର୍ମକ୍ଷେତ୍ରରେ ପହଞ୍ଚି ଉପର ହାକିମଙ୍କୁ ମୁଣ୍ଡିଆ ମାରି କାମରେ ଜଏନ୍‌ କଲା ଯୋଉଦିନ । ତା’ଜୀବନରେ ସେଇଟା ବି ଗୋଟାଏ ମନେରଖିବା ଭଳି ଦିନ । ତାକୁ ଯେତେବେଳେ ତା’ର ଉପର ହାକିମ ସବୁ ବୁଝେଇ କହିଦେଲେ, ଆଉ ସାଙ୍ଗରେ ବସେଇ ଜିପ୍‌ଗାଡ଼ିରେ ସବୁ ଜାଗା ଦେଖେଇ ଆଣିବାକୁ ହେଲେ ସେତେବେଳେ ସେବତୀ କେତେ ଯେ କ’ଣ ଭାବି ଯାଉଥାଏ, ଆଜି ସେଗୁଡ଼ା ତା’ର ମନେ ନାହିଁ । ଡ୍ରାଇଭର, ତା’ ପାଖକୁ ସେବତୀ ଆଉ ତା’ ପାଖରେ ତା’ ହାକିମ; କେତେ ଜାଗା ବୁଲେଇ ତାକୁ କ’ଣ କାମଦାମ କଥା ବୁଝଉଥାନ୍ତି ଅଫିସର । ହେଲେ, ସେବତୀର ଏ କାନରେ ପଶି ସେ କାନରେ ସବୁ ବାହାରି ଯାଉଥାଏ । ସବୁ ବୁଲି ସାରିଲା ପରେ ଯେତେବେଳେ ତା’ର ହାକିମ ତାକୁ ପଚାରିଲେ–

 

‘ସବୁ ଏଥର ବୁଝିଲ ତ ? ଏଇପରି ଭାବରେ ସବୁ କରିବାକୁ ପଡ଼ିବ ।’ ସେତେବେଳେ ଯାଇ ସେବତୀର ଚେତନା ପଶିଲା । ଆରେ ! ସେ ତ ଏ ପର୍ଯ୍ୟନ୍ତ କିଛି ଶୁଣିନି । ଏ ଗାଁ ପୋଖରୀ, କୂଅ, ସ୍କୁଲ, କିଆରୀ ସବୁ ତାକୁ ଦେଖେଇଲାବେଳେ ସେ ଭାବୁଥେଲା ସାହେବଙ୍କର ଏ ଅଶେଷ ଅନୁକମ୍ପା । ତାକୁ ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଗାଡ଼ିରେ ବୁଲେଇ ଦେଖଉଚନ୍ତି ନୂଆ ଆସିଚି ବୋଲି । କିନ୍ତୁ ଏଗୁଡ଼ା ଯେ ତା’ର କାମର ନିର୍ଦ୍ଦେଶ, ସେ ତ ଜାଣି ନଥେଲା.... । ତା’ହେଲେ ସେ ଆହୁରି ମନଧ୍ୟାନ ଦେଇ ସେତକ ଶୁଣିଥାନ୍ତା; କିନ୍ତୁ କ’ଣ କହିବ ସେ.. ବୁଝିନାଇଁ ବୋଲି... ?

 

‘ସାର୍‌ ? ହଁ, ଆସ୍ତେ ଆସ୍ତେ କରୁ କରୁ କରିଯିବି’ । ଥତମତ ହେଇ କହିଲା ।

 

‘ହଁ, ତା’ ତ ସତ, ନୂଆ ସେମିତି ଲାଗିବ ଟିକେ । ମୁଁ ତ ପ୍ରଥମେ ପ୍ରଥମେ ସାହାଯ୍ୟ କରିବି ତମକୁ । ବ୍ୟସ୍ତହବାର କିଛି ଦରକାର ନାଇଁ ।’

 

କୃତକୃତ୍ୟ ହେଇଗଲା ସେ ସାହେବଙ୍କ ପ୍ରତି ।

 

ଏମିତି ଚାକିରୀ କରିବାରେ ସେଠି ଦେଢ଼ ବରଷ କଟିଗଲା । ଭାରି ଭଲ କାମ କରୁଚି ବୋଲି କୁଆଡ଼େ ତା’ର ସୁପାରିଶ୍‌କରୁଥାନ୍ତି ସେଠିକା ଅଫିସର୍‌ । ସିଏ ବି ଦିନକୁ ଦିନ ମନୋଯୋଗ ଦେଇ ଆହୁରି ଭଲ କାମ କଲା । ସବୁବେଳେ ଅତି ବାଧ୍ୟ ଭଳି ହାକିମଙ୍କ କଥାକୁ ଅନେଇଥାଏ । ଯେତେ ଯାହା କୁହନ୍ତି ବା କରିବାକୁ ବତାନ୍ତି, ସେଗୁଡ଼ାକ କୁଆଡ଼େ କାମ ଭିତରେ ଥାଏ । ସରକାରୀ ଚାକିରୀ ସେ କରୁଚି । ତେଣୁ ସେଗୁଡ଼ା ବି ବୋଧହୁଏ କାମର ନିୟମାବଳୀରେ ଥବ ।

 

ତେବେ ଏତେ ଭଲ କାମ କରୁଥାଏ । ହଠାତ୍‌ ଦିନେ ତା’ ପାଖକୁ ଖବର ଆସିଲା ତା’ ଚାକିରୀ ଦରକାର କି ନାହିଁ ବିଚାର ହବ । ଆଉ ତା’ ହାକିମଙ୍କର ବଦଳି ବି ହେଇଗଲା କେଇଟା ଦିନ ଆଗ ପଛରେ ।

 

ସେ ଯା’ହଉ, ବିଚାର କ’ଣ ହେଲା ନ ହେଲା ସେ ଜାଣେନି; କିନ୍ତୁ ଏମିତି ଦିନ ଗଡ଼ୁ ଗଡ଼ୁ ପ୍ରାୟ ବରଷ କଟିଗଲା ପରେ ତା’ର ବିଚାର ସରିଲା । ସେଇଠୁ ସେ ଜାଣିଲା ଯେ ସେଇଠି ପୁଣି ଚାକିରୀ ପାଇଚି । ଜଏନ୍‌ କରିବାର କିଛିଦିନ ପରେ ତା’ ନିଜ ଇଚ୍ଛାରେ ସେଠୁ ଛାଡ଼ିବାକୁ ଚାହିବାରୁ ଏଠିକି ଆସିଚି ।

 

ତେଣୁ ସେ କ’ଣ ନୂଆ ସରକାରୀ ଚାକିରୀଆ ନାଁ ଗାଁ ଗହଳରେ ଚିହ୍ନାପରିଚୟ ହବାକୁ ତାକୁ ବଡ଼ କଥାଟାଏ ବୋଲି ସେଇ ଗୋଲାଘରେ ରହିବାକୁ ଅଖଞ୍ଜ ଲାଗୁଚି, ତା’ ନୁହେଁ ।

 

ଝୁନିୟାଁ ସବୁ ଶୁଣିସାରିଲା ପରେ ମନକୁ ପାଞ୍ଚିଲା–ସତ କଥା ତ, ଏତେଦିନ ଚାକିରୀ କରିବାରେ ଅଭ୍ୟାସ ହେଇଗଲାଣି । ଆଉ ଘରଦୁଆର ଏତେ ବାଛବିଚାର ତା’ର ଆସିବ କାଇଁକି ? ହେଲେ ହେଇଥବ, ସେ ଗାଁରୁ ଏ ଗାଁକୁ ଆସିଚନ୍ତି । ସେ ଜାଗାଟା ପ୍ରତି ମମତା ଲାଗି ଯାଇଥିବ ଟିକେ... । କିନ୍ତୁ ନାଁ ତ, ସେ କଥା ବି ନୁହେଁ, ଏଇ ତ ସେ କହିଲେ ଯେ ତାଙ୍କ ନିଜ ଇଚ୍ଛାରେ ସେ ଜାଗାକୁ ସେ ଛାଡ଼ିଚନ୍ତି । କିନ୍ତୁ କାଇଁକି ? ଭାବିଲା ପଚାରିବ କି ସେ ... କାଇଁକି ବରଷକ ପାଇଁ ବିଚାର ତାଲିକାରେ ଥେଲେ....ଆଉ ପୁଣି କାଇଁକି ଏଠିକି ଆସିଲେ... ? ନାଁ ଥାଉ, କାଳେ ସେ କ’ଣ ଭାବିବେ ! ଏଗୁଡ଼ା ସବୁ ଘରୋଇ କଥା । ସରକାରୀ ଚାକିରୀରେ କେତେବେଳେ କ’ଣ ଥବ-। ଲୋକ ବେଶି ହେଇ ଯାଇଥେବେ ବୋଲି ୟାଙ୍କୁ ଅଣ୍ଟ ନିଅଣ୍ଟକୁ ବରଷଟାଏ ବସେଇ ଦେଇଥେବେ ।

 

ସେଦିନ ସେ ଆଉ କିଛି ପଚାରିଲା ନାଇଁ ।

 

ତା’ର ଦି’ଦିନ ପରେ ସେ ସେତେବେଳେ ଦି’ପହରେ ସେମିତି ଘରକୁ ଆସେ ସେତେବେଳେ ତା’ର ଏ ଗାଁର ହାକିମଙ୍କୁ ନେଇ ସେ ସେଠି କ’ଣ କଥାବାର୍ତ୍ତା କହୁଚନ୍ତି । ଝୁନିୟାଁକୁ ଦେଖି ସେବତୀ କହିଲା–

 

‘ହେଇ ତ ଝୁନୁଦେଈ ଆଇଲେଣି ।’

 

ଝୁନିୟାଁ ହାକିମଙ୍କୁ ଜୁହାର ହେଲା । ତା’ର ବି ତ ହାକିମ । ସେବତୀ କହିଲା–

 

‘ମୁଁ ଏଇ ବଖରାରୁ ଗୋଟାକରେ ଏଥର ରହିବି ବୋଲି ସାର୍‌ କହିଲେ ।’

 

ଝୁନିୟାଁକୁ କାଇଁକି କଥାଟା ଭାରି ଭଲ ଲାଗିଲା । ଭଲ କଥାଟାଏ, ଏଡ଼େ ବଡ଼ ଘରଟା ! କେଇଟା ଘଣ୍ଟା ଛାଡ଼ିଦେଲେ ଖାଲି ଖାଁ ଖାଁ ଗୋଡ଼ଉଥାଏ । ସେବତୀ ରହିଲେ ସେ ବି କେତେବେଳେ କେମିତି ଆସି ଜୁଟିଯିବ । ଗପସପ କରିବା ଦରକାର ପଡ଼ିଲେ, ମେସିନ୍‌ରେ ଦିଖଣ୍ଡ ନିଜର ଛୁଆଙ୍କ ପାଇଁ କାମ କରିନବାକୁ ତର ପାଇବ । କିନ୍ତୁ ଗୋଟାଏ କଥା ତା’ର ହେଜ ପଶିଲା । ଏତେ ବଡ଼ ଘରଟାରେ ଜଣେ ବୋଲି ସେ ଏକା ପୁଣି ଝିଅଟାଏ, ତାକୁ ଡର ଲାଗିବ ନାଇଁ... ? ସେଇ କଥାଟା ସେ କହିଦେଲା–

 

‘ତମକୁ ଏଡ଼େ ବଡ଼ ଘରଟାରେ ଏକା ଡର ମାଡ଼ିବ ନାଇଁ... ?’

 

ଏଇ କଥାଟାରେ ସେବତୀ ଅଳ୍ପ ଟିକେ ହସି ଦେଇ କହିଲା ଚାପିକରି–

 

‘ନାଇଁ, ଡର କ’ଣ ? ତା’ ଛଡ଼ା ସେଠି ଯୋଉ ଡରଟା ଅଛି ଏଠି ସେ ଡରଟା ତ ନାହିଁ ।’

 

ଝୁନିୟାଁ ବୁଝିପାରିଲା ନାଇଁ କଥାଟା ସିନା; କିନ୍ତୁ ମର୍ମଟାଏ ଅଛି ୟା ପଛରେ ସେତକ ଅନ୍ତତଃ ସେ ସେବତୀ କଥାରୁ ବୁଝିଲା । ପଚାରିବାକୁ ତା’ର ଇଚ୍ଛା ହଉଥେଲେ ବି ପଚାରିଲା ନାଇଁ..କାଳେ ସେମାନେ କ’ଣ ଭାବିବେ ?

 

ହାକିମ ଅର୍ଡ଼ର ଦେଲେ ରହିବାକୁ । ତା’ପରଦିନ ସକାଳୁ ସେବତୀ ତା’ର ଜିନିଷପତ୍ର କେଇଖଣ୍ଡ ବୋହିଆଣିଲା । ଖରାବେଳେ ଝୁନିୟାଁ ଯେତେବେଳେ ତା’ କତିକି ଗଲା ସେବତୀ ସେତେବେଳକୁ ମସିଣା ଖଣ୍ଡେ ପକେଇ ଗଡ଼େଇ ହଉଥାଏ । ଝୁନିୟାଁ ପଚାରିଲା–

 

‘କ’ଣ କରୁଚ କି ସେବ ! ଭଲରେ ଅଛଟି ?’

 

ବଡ଼ ନିଶ୍ଵାସଟାଏ ଏଥର ପକେଇ କହିଲା ସେବତୀ–

 

‘ଏକଥା ପଚାରୁଚ ଝୁନୁଦେଈ ! ବଞ୍ଚିଯାଇଚି କୁହ । ନିଶ୍ଵାସ ମାରୁଚି ଏଠି ।’

 

ଆଶ୍ଚର୍ଯ୍ୟ ହେଲା ଝୁନିୟାଁ । ଏଇ କେଇଟା ଦିନରେ କ’ଣ ଏମିତି ହେଇ ଯାଇପାରେ ସେବତୀର ! ଆଉ ସମ୍ଭାଳି ପାରିଲାନି ସେ ତା’ର କୌତୂହଳଟାକୁ ।

 

‘ସେଠି ଏମିତି କ’ଣ ଅସୁବିଧା ହଉଥେଲା ମଁ ସେବ ?’

 

‘ଶୁଣିବ ତମେ ଝୁନୁଦେଈ ? ହଉ ଶୁଣ, ତମକୁ ନ କହି ଆଉ କାହାକୁ କହିବି ଯେ ! ତମେ ହେଲେ ଜାଣି ଥା ।’

 

ଏତକ କହି ଆରମ୍ଭ କଲା ସେବତୀ ତା’ର ସେ ଚାରି ଛଅ ଦିନ ରହଣୀର ଅନୁଭୂତି ।

 

ସେ ସେତେବେଳେ ପ୍ରଥମେ ଆସି ସେ ଗୋଲାଘରେ ରହିଲା ସେତେବେଳଠୁ ତାକୁ କୁଆଡ଼େ ଏଇ ସୁନ୍ଦରାକୁ ଦେଖିଲେ ଅଡ଼ୁଆ ଅଡ଼ୁଆ ଲାଗେ । ଖାଲି ଶୂନ୍ୟକୁ ନୁହେଁ, ପୁରୁଷ ପୁଅ ସେ । ସେବତୀ ତା’ ନାଁରେ କ’ଣ ମିଛ କହିବ ?

 

ପହିଲେ ପହିଲେ ଟିକେ ଗଳାଖଙ୍କାର ମାରିବାଠଉଁ ଆରମ୍ଭ ହେଲା ସୁନ୍ଦରାର ଆଚରଣ-। କାମ ଥାଉ ନ ଥାଉ, ଅବେଳରେ ବି ଆସି ଗୋଲାଘରଟାକୁ ଖୋଲିଦେଇ କ’ଣ ଗୋଟାଏ କରିବା ବାହାନାରେ ବସିପଡ଼ିବ । କିଛି ଦରକାର ନ ହେଲେ ବି ପଦେ ଦି’ପଦ ପଚାରିବାକୁ ଆରମ୍ଭ କଲା ସେବତୀକୁ । ସେବତୀ ନିହାତି ସହଜରେ ଆଗ ଆଗ ଜବାବ୍‌ ଦଉଥେଲା-। ହେଲେ, ସେଇଟା ଦିନକୁ ଦିନ ବଢ଼ିବାକୁ ଲାଗିଲା ।

 

ଦି’ଚାରିଖଣ୍ଡ ଲେଖାଏଁ ପାନ ନେଇ ସଞ୍ଜ–ସକାଳେ, ଖରାବେଳ, ଅବେଳରେ ସୁଦ୍ଧା ପହଞ୍ଚିଯିବ କ’ଣ ନାଁ ତମ ପାଇଁ ପାନ ଆଣିଥେଲି । ସେବତୀକୁ ଟିକେ ମାଡ଼ି ମାଡ଼ି ପଇଲା । ହେଲେ, ଅପୁରିଦିନ ସଞ୍ଜଟାରେ ସେ ତା’ର ମତିଗତି ବୁଝିଗଲା, ଯାଇ କୁଆଡ଼େ ପହଞ୍ଚିଲା ସେଠି । ସଞ୍ଜ ସେତେବେଳକୁ ଦି’ଘଡ଼ି ଗଡ଼ିଗଲାଣି । ଏକାଥରକେ ସେବତୀର ଘର ଭିତରେ । ସେବତୀ ଆଶ୍ଚର୍ଯ୍ୟ ହେଲା । ଯିବାର କାରଣ ପଚାରିଲା । ହେଲେ, କାରଣ ସେ ଯାହା କହିଲା, ସେବତୀ ଏକବାରେ ଶୁଣି ଛାନିଆଁ ! କୁଆଡ଼େ କହିଲା–

 

‘ତମେ କ’ଣ ମୋର ମନ କଥା ବୁଝିପାରୁଚ ନାଁ ?’

 

‘ମନ କଥା ?’

 

‘ଗୋଟାଏ ପୁରୁଷ ମୁଁ, ତମେ ନାରୀ ! ଖାଲି ସେତିକି ନୁହେଁ, ତମେ ସରକାରୀ ଚାକିରୀଆ; ମୁଁ ମଧ୍ୟ ସରକାରୀ ଚାକିରୀଆ ମୁଁ ତମକୁ ପ୍ରେମ କରି ବସିଚି ।’

 

ସେବତୀକୁ ଭାରି ହସ ମାଡ଼ୁଥେଲା ତା’ କଥାରେ । ଟୋକେଇଏ ବାଳକୁ ଛୋଟି ଛୋଟି ଟେରା ଟେରା ଆଖିକୁ ଇଆଡ଼େ ସିଆଡ଼େ ବୁଲେଇ ଯାହା କହିଗଲା ଠିକ୍‌ ଗୋଟାଏ ଯାତ୍ରା ଦେଖିଲା ଭଳି ତାକୁ ଲାଗିଲା । ଏବକୁ ସିନା ସେବତୀ ଜାଣିଲା ସତରେ ସେ ଯାତ୍ରା ପାର୍ଟରେ ଥିଲା ବୋଲି !

 

ସେବତୀର ଯେତେବେଳେ ଭାବନା ଫେରେ ସେତେବେଳେ ସେ ଦେଖିଲା ଲୋକଟା ଜମ୍ମା ବଳପ୍ରୟୋଗ କରିବା ଉଦ୍ଦେଶ୍ୟରେ ନାହିଁ । ବଡ଼ ବିକଳ ହେଇ ଯେମିତି ସେ ସେବତୀକୁ ଚାହିଁଥିଲା । ସେବତୀର ମନେହେଲା, ସେ ଯଦି ଟିକେ ନିଷ୍ଠୁର ହେଇଯିବ ତା’ହେଲେ ସୁନ୍ଦରା ଲମ୍ବହେଇ ତା’ ଗୋଡ଼ତଳେ ପଡ଼ିଯିବ । କଥାଟା ଆହୁରି ଅଘଟଣିଆ ହେଇଯିବ । ତାକୁ ସେଥିପାଇଁ ବହଲେଇବାକୁ ଆରମ୍ଭ କଲା ସେବତୀ ।

 

ସେବତୀର ଦୟାସୂଚକ ମନୋଭାବ ଦେଖି ସୁନ୍ଦରା ଭାବିଲା–ସେବତୀ ଏଥର ନଇଁଚି । ଆଉ ଖାସ୍‌ ନଇଁଚି ତା’ର ସରକାରୀ ଚାକିରୀ ପାଇଁ । ସେଇ ଘରେ ଯେତେ ବଡ଼ ବଡ଼ କଥା କୁହାଯାଇପାରେ ସବୁତକ ଗପିବା ଆରମ୍ଭ କଲା ସୁନ୍ଦରା ।

 

କେମିତି ତାକୁ ଗାଁରେ ସମସ୍ତେ ଖାତିର କରନ୍ତି, ଯାତ୍ରାଦଳରେ ସେ କେମିତି ଛାଟରେ ମାରି ମାରି ଝୁଅ ପିଲାଠଉଁ ସୁନ୍ଦର ସୁନ୍ଦର ଟୋକାଗୁଡ଼ାଙ୍କୁ ଶୁଆଇ ଦଉଥେଲା, ଗୋଟାଏ ହାଙ୍କ୍‌ ମାଇଲେ କେମିତି ଗାଁର ଗୋଟାକ ଯାକ ଥରିବେ–ଏମିତି କେତେ କ’ଣ ।

 

ଲୋକ ଚିହ୍ନିବାରେ ସେବତୀର ୟା ଭିତରେ ଖୁବ୍‌ ଗୋଟାଏ ଅଭିଜ୍ଞତା ଆସି ଯାଇଥେଲା-। ସେ ଚିହ୍ନିବାରେ ସୁନ୍ଦରାକୁ ମୋଟେ ଭୁଲ୍‌କଲା ନାଇଁ, ତାକୁ ବୁଝେଇଲା–

 

‘ମୁଁ ଜାଣିଚି ସୁନ୍ଦରବାବୁ ! ଆପଣ ପ୍ରକୃତରେ ସେମିତି । ମୁଁ ଆସିଲା ଦିନଠଉଁ ବି ଆପଣଙ୍କୁ ଦେଖି ସେଇଆ ଭାବୁଥେଲି । ତେବେ ଏଇ ଯୋଉ ଆଶା ନେଇ ଆପଣ ଆସିଚନ୍ତି ସେଇଟା କ’ଣ ଦିନକର କଥା ? ମତେ ଟିକେ ଭାବିବାକୁ ସମୟ ଦିଅନ୍ତୁ । ତା’ ଛଡ଼ା ଗାଁବାଲାମାନେ ହଠାତ୍‌ ଜାଣି ପକେଇଲେ ଅସୁନ୍ଦର ହବ, କ’ଣ ନାଇଁ କ’ଣ କରିବେ ।’

 

ଆକାଶକୁ ସତେ ଟେକି ହେଇଯାଉଥାଏ ସୁନ୍ଦରା ଏଇ କଥାରେ । କିନ୍ତୁ ଏ ଶେଷ ପଦକରେ ସେ ଆଉ ସମ୍ଭାଳି ପାରିନାହିଁ । ନାଗବିଛା ସେ,ପାଟିଟାଏ କଲା ।

 

‘କ’ଣ କହିଲ ? ଏ ଶାଲା ମାଙ୍କଡ଼ପଲ ମୋ କଥାରେ କହିବେ । ଗଭର୍ଣ୍ଣମେଣ୍ଟକୁ ଡକେଇ ସାଙ୍ଗେ ସାଙ୍ଗେ ବନ୍ଧେଇ ଦେବି, କ’ଣ ଭାବିଚନ୍ତି କି ? ୟାଙ୍କ ବୋପା ଅଜା ଚଉଦ ପୁରୁଷ କେହି ଗୋଟାଏ ଗଭର୍ଣ୍ଣମେଣ୍ଟ ସର୍ଭିସ୍‌ କରିଚି ? ଏମାନେ ମୋ ଆଗରେ କୁତୀ ପରି ଚାଲନ୍ତି ଯେ ଚାଲିରେ ଶବ୍ଦ ହୁଏ ନାହିଁ, ମୁଁ ଡରିବି ?’

 

‘ନାଇଁ ନାଇଁ ଶୁଣନ୍ତୁ, ଏ କଥା ମୁଁ ଜାଣେ ଯେ ! ହେଲେ, କଥାଟା ହଉଚି ହଠାତ୍‌କରି ରିପୋର୍ଟଟାଏ ହେଇଯିବ କଥାଟା । ସେଇଥିପାଇଁ ମୁଁ କହୁଚି କ’ଣ କି ଧୀରପାଣି ପଥର କାଟେ, ସହିଶୀତଳିଆ ହେଇ କାମଟାଏ କଲେ ଆଉ ପ୍ରମାଦ ନ ଥିବ ।’

 

‘ତା’ହେଲେ... ?’

 

ମୁଁ ତା’ର ଉପାୟ ଚିନ୍ତା କରିବି । ଆପଣ ଆଜି ଯାଆନ୍ତୁ, ରାତି ବେଶି ହେଲାଣି । ସହଜେ ତ ମୁଁ ସ୍ତ୍ରୀ ଲୋକଟାଏ ଏଠି । ଅଛି ବୋଲି ସଭିଙ୍କ ଆଖି ସେଇ ଗୋଲାଘର ଉପରେ ଥିବ, ପୁଣି ଆପଣ ସେଥିର ମାଲିକ ବୋଲି ସମସ୍ତେ ଆଖିରେ ଆପଣଙ୍କୁ ହିଁ ରଖିଥେବେ । ତେଣୁ ଆପଣ ଯା’ନ୍ତୁ, ମତେ ଦି’ଚାରି ଦିନ ସମୟ ଦିଅନ୍ତୁ । ମୁଁ ଯାହା ଭାବିଚିନ୍ତି ଆପଣଙ୍କୁ ଜଣେଇବି... ?’

 

ସେବତୀର ଏଇ କଥାତକରେ ସୁନ୍ଦରା ପାଇଁ ବହୁତ ମସଲା ଥେଲା । କ’ଣ ନ କହିଲାରେ ସେବତୀ ତାକୁ ? ଗୋଲାଘରର ମାଲିକ ବୋଲି ତାକୁ କହିଲା ? ଆଉ ତା’ର ଘରେ ସେ ଅଛି... ? ଆଚ୍ଛା, ତାକୁ ଭାବିବାକୁ ଦିଆଯାଉ, ସେ ତ ରାଜି; ଆଉ କ’ଣ ? ଖୁସିଟାଏ ହେଇ ସୁନ୍ଦରା ଖାଲି ଚାହିଁ ଚାହିଁ ଚାଲି ଗଲା ସେବତୀକୁ ।

 

ତା’ରି ପରେ ଥରେ ଆସିଥେଲା ଯେ ତାକୁ ଦିନେ ଦିନେ ବିଦା କରିଦେଲା ସେବତୀ ।

 

‘ଆପଣଙ୍କୁ ପରା ମୁଁ ଦୁଇ ଚାରି ଦିନ ସମୟ ମାଗିଚି... ?’

 

ତା’ରି ଭିତରେ ଯୋଜନା କରି ଖସିଆସିଲା ସେ ଗୋଲାଘର ଛାଡ଼ି ଏ ଘରକୁ !

 

ଏ କଥା ଶୁଣି ତାଟକା ହେଇଗଲା ଝୁନିୟାଁ । ଦିହଟା ସାରା ତା’ର ରାଗ ଚରିଗଲା ସୁନ୍ଦରା ଉପରକୁ । ଏଇଟା ପୁଣି ଗୋଟାଏ ମରଦ ! ତାକୁ ପୁଣି ବାଜିଆ ମୁଣ୍ଡରେ ବସେଇଥାଏ... । ତା’ହେଲେ ଏତେ ବଢ଼ିଆ ସାଙ୍ଗମେଳ ନ ହେଇଥେଲେ ଏ ଗଞ୍ଜେଇ ଚିଲମ୍‌ କାଇଁକି ଲୋଡ଼ା ପଡ଼ୁଥାନ୍ତା ? ସେବତୀ ଆଉ ଝୁନିୟାଁ ମିଶି ସୁନ୍ଦରା କଥା ପକେଇ ବହେ ହସିଲେ । ଲୋକଟାର ଚାକିରୀ କ’ଣ....ଦରମା କେତେ...ରୂପ କ’ଣ... ଆଉ ସେଥିରେ ପୁଣି ମନଟା କେତେ....ତା’ ସାଙ୍ଗକୁ ହାକିମିଟା କୋଉଯାକେ... !

 

ଝୁନିୟାଁର ବି ମନେପଡ଼ିଲା ଏଇଥି ପାଇଁ ତା’ହେଲେ କଥା ପଡ଼ୁ ପଡ଼ୁ ସେଦିନ ବାଜିଆ ଯୋଉ କହୁଥେଲା–

 

‘ଆରେ, ସେ ମାଇକିନିଆଗୁଡ଼ା ସେଇଆ । ତାଙ୍କର କ’ଣ କିଛି ବାର–ବିଚାର ଅଛି ?’

 

ସେଇଟା ତା’ ହେଲେ ଏଇ ଗୁରୁଙ୍କ ଦକ୍ଷା ବୋଲି ଏତେବେଳକେ ଝୁନିୟାଁ ବୁଝିଲା । ସେଇଦିନଠଉଁ ସୁନ୍ଦରାକୁ ମୁହଁଟେକି ଅନାଏ ନାଇଁ ଝୁନିୟାଁ । ଘରକୁ ଆସିଲେ ୟାଙ୍କର ସାଙ୍ଗ ବୋଲି ମସିଣା ପାରି ଦଉଥେଲା । କିନ୍ତୁ ତା’ ପରଠଉଁ ଆଉ ସେ କଥା ନାଇଁ । ଘରକୁ ଗଲେ କେମିତି ଠିଆ ଠିଆ ବିଦା ଦବ ବୋଲି ତର ସହେ ନାହିଁ ଝୁନିୟାଁକୁ । ସେ ବୁଝିଲା ଯେ ଏଇ ଭଳିଆ କେଇଟା ତା’ ବାଜିଆର ମୁଣ୍ଡକୁ ଚୋବେଇ ଖାଇଚନ୍ତି । ଆଉ ନରମ ହବାରେ ଲୋଡ଼ା ନାହିଁ । ଏ ଛାଡ଼ବାଡ଼ ଦେଖି ସୁନ୍ଦରା ବି ଆପେ ଦୂରେଇ ରହିବାକୁ ଚେଷ୍ଟା କରିଚି ଏବକୁ । ହେଲେ, ପରପରକୁ ସେବତୀ ସାଙ୍ଗରେ ୟାର ମେଳ ଦେଖି ତା’ ଦିହ ଖାଲି ଗରଗର ହେଇ ପଡ଼ୁଚି । ସେଇଥିପାଇଁ ଏବେ ଟିକେ ଟିକେ ଝୁନିୟାଁ ନାଁରେ ଯୋଖିବାକୁ ଚେଷ୍ଟା କରୁଚି ବାଜିଆ ଆଗରେ ।

 

ଏ ଯେତେ କଥା ସେଦିନ ସେବତୀ ବଖାଣିଲା ସେଥିରୁ ଝୁନିୟାଁ ଯାହା ବୁଝିଲା । ହେଲେ, ଗୋଟାଏ କଥା କାହିଁକି ତା’ ମନକୁ ଜମା ପାଇଲା ନାଇଁ କି ସେ ସେବତୀକୁ ତାରିଫ କରିପାରିଲା ନାଇଁ । ଘରକୁ ଆସି କମ ଗୋଳେଇ–ଘାଣ୍ଟି ହେଇ ନାଇଁ ମନ ଭିତରେ ସେ କଥାଗୁଡ଼ାକ । ମନ ତା’ର କିନ୍ତୁ ବୁଝିଲାନି... ।

 

ଏମିତି ଯଦି କଥାଟାଏ ହେଲା ଆଉ ସେବତୀ ସେଥିରୁ ମୁକୁଳିବାକୁ ଚାହୁଁଚି ଯଦି, କଥାଟାକୁ ପ୍ରଘଟ କରିଦଉ ନାଇଁ କାହିଁକି ? ଅଫିସରଙ୍କ ଆଗରେ କହିଦେଲେ ଚୋପା ଛାଡ଼ିଯାଆନ୍ତା ମରଦର । ଗାଁ ଲୋକେ ବି କଥାଟା ଜାଣିଯାଆନ୍ତେ । ହେଲେ, ତା’ ନ କରି ସେ କାଇଁକି ଢୋକେ ପିଇ ଦଣ୍ଡେ ଜୀଇବା କାମ କରୁଚି ? ଗାଁଟା ଭିତରେ ସେଠି ରହିଲେ କ’ଣ ସୁନ୍ଦରା ଲାଗିବ ଆଉ ଏଠିକି ଆସିପାରିବ ନାଇଁ ? ଏ କଥାର ମୂଳ ଉପାଡ଼ି ଦେଲେ ଯାନ୍ତା ..ଏଇ କଥାଟା ଜମାରୁ ବୁଝିପାରିଲା ନି ସିଏ । କେତେବେଳକେ ମନକୁ ବୋଧ ହେଲା–ହଁ, ହେଇଥବ ଯଦି ଏଇ ଭୟରେ ଯେ ଗାଁଟାକୁ ଆସି ସେଇ ଗାଁ ଲୋକଙ୍କ ସାଙ୍ଗରେ କଳି କରିବ କେମିତି ? ତା’ହେଲେ କାମ କରିପାରିବ ତ ସେ ? କିନ୍ତୁ ଝୁନିୟାଁ ଯେ ଉଦିନ ସେବତୀର ଦୁଃଖବୋଳା କାହାଣୀରୁ ବାକି ତକ ଶୁଣିଲା ସେଇଦିନ ସେ ଏଇ ଅବସ୍ଥାଟାକୁ ମନେପକେଇ ସିଦ୍ଧାନ୍ତରେ ପହଞ୍ଚିଲା ଯେ ଏ ପରିସ୍ଥିତିରେ ସେବତୀର ଆଉ କିଛି କରିବାର ନ ଥେଲା ।

 

ସେଇଠି ରହିବା ପରେ ଝୁନିୟାଁ ଆଉ ସେବତୀ ନିବିଡ଼ ହେଇ ଉଠିଲେ । ସତେ କି ଏକ ପ୍ରାଣ ଦିହିଁଙ୍କର, କେତେ ଦିନ ଏମିତି କଟିଗଲା ।

 

କେତେ ଆଡ଼ୁ କେତେ ଗପ ଯେ ନ ହୁଏ ତାଙ୍କର କହିହବ ନାଇଁ ଥଟା–ନକଲରେ ବେଳେ ବେଳେ ସେଇ କଥା ଭିତରେ ଝୁନିୟାଁ ଗୋଟାଏ କଥା ପଚାରିଦିଏ ।

 

‘ସେବ ! ତମେ ବାହା ହଉ ନ କାହିଁକି ମଁ ?’

 

ଉତ୍ତରରେ ସେବତୀ ଖାଲି ଟିକେ ହସିଦିଏ । ଝୁନିୟାଁ ବୁଝେ ସେବତୀ ଲାଜ କରୁଚି । ...ମା, ଦାଦା, ଖୁଡ଼ୀ ସିନା ତା’ପାଇଁ ବୁଝିବାର କଥା ! ଆଉ ସେ କେମିତି କହିବ ଯେ ବାହାହବ ବୋଲି । ଏଇଥି ପାଇଁ ବୋଧହୁଏ ବାହା ହେଇ ନି । ଏଇ କଥା ଭାବି ଝୁନିୟାଁ ମନକୁ ବୋଧଦିଏ । ତେଣୁ ମଜା କରିବା ପାଇଁ ଏଇ ପ୍ରଶ୍ନରେ ତାକୁ ଟିକେ ଚଳେଇଦିଏ ଝୁନିୟାଁ, ସେଇ କଥାରୁ ଖିଅ ଯୋଡ଼ି ଦେଇ ଝୁନିୟାଁ ବାହାଘର ନେଇ କେତେ କଥା ପଡ଼ିଯାଏ, କେମିତି କ’ଣ ସବୁ ହେଇଥିଲା..... । କେମିତି ଆୟୋଜନ ହେଲା, ଏମିତି ଏମିତି ଗପର–ଲହଡ଼ୀ ଭାଙ୍ଗିଯାଏ ଅସୁମାରୀ । ସେଇ ନିଜ କଥାଟା ପଡ଼ିବ ବୋଲି ଜାଣି ଜାଣି ସେଇ କଥାରେ ଖୁରି ଖାଏ ଝୁନିୟାଁ; କିନ୍ତୁ ଦିନକର ଘଟଣାରେ ହତବାକ୍‌ ହେଇଗଲା ।

 

ସେଦିନ ସେବତୀ ଘରୁ ଚିଠିଟାଏ ଆସିଥାଏ, ତା’ର ମା’ ଦେଇଥାନ୍ତି । ଝୁନିୟାଁ ସମିତିକୁ ଗଲାବେଳକୁ ଚିଠିଟାକୁ ଧରି ବିଛଣାରେ ଶୋଇଥାଏ ସେବତୀ । ଝୁନିୟାଁ ଦେଖିଲା, ସେବତୀର ଆଖିଟା ଟିକେ ନାଲି ପଡ଼ିଯାଇ ପାଣି ଜମିଯାଉଚି । ସେ ବୁଝିଲା...ଏଇଟା ତ ଚୁଲୀଫୁଙ୍କା ନୁହେଁ, ଆଉ ଏତେବେଳେ କି ରୋଷେଇ ! ତାକୁ ଦେଖି ସବୁଦିନ ପରି ସେଠୁ ଉଠିଲା ନାଇଁ ସେବତୀ । ସେଇଥିରୁ ବୁଝିଲା ଝୁନିୟାଁ, ନିଶ୍ଚୟ କିଛି ଗୋଟାଏ ହେଇ ଯାଇଚି । କଥାଟା କ’ଣ ପଚାରୁ ପଚାରୁ ସେବତୀ ବଢ଼େଇଦେଲା ତା’ ମାଆର ଚିଠିଟା ଝୁନିୟାଁ ହାତକୁ । ଆମୂଳଚୂଳ ପଡ଼ିଗଲା ସେଇଟା ଝୁନିୟାଁ । କିଛି ସମ୍ପର୍କ ନ ଥାଇ ବି ତା’ ଆଖିରେ ଲୁହ ଜକେଇଲା । ଆହା ମାଆ ମନ ତ, କେତେକେ ବୁଝିବ । ତା’ ଝୁଅ ଯାହା ହେଲେ ବି ତା’ ଆଶାଟା ତ ନିଆରା । କେତେ କଳ୍ପନା କରିନଥିବ ସେ ସେବତୀର ଜନମବେଳେ । ହେଲେ, ସେଗୁଡ଼ା ତା’ ପାଇଁ । ଯେତେବେଳେ କୁହୁଡ଼ି ପହଁରିବା ହେଇଯାଇଥିବ ତାକୁ କେତେ କଷ୍ଟ ନ ହେଇଥବ !

 

ଚିଠିରେ ଆଉ ଯାହା ଥାଉ ନା କାହିଁକି, ଝୁନିୟାଁ ଗୋଟାଏ କଥା ଉପରେ ଆଳାପଟାକୁ ଆରମ୍ଭ କରିଦେଇ କଥା ନଅସରେ ସେବତୀର ମନ ଭୁଲେଇ ନବ ବୋଲି ବସିଲା । ଘରକୁ ସବୁ ବାର କଥା ଲେଖା ହେଇ ସାରିବା ପରେ ଲେଖାଥାଏ–

 

....ତୋ ପାଇଁ ମୁଁ କ’ଣ ଏଇଆ ଚାହିଁଥେଲି ? କୋଉଁ ଅପନ୍ତରା ଜାଗାରେ ତୁ କାମ କରି ପେଟ ପୋଷିବୁ, ମୋ ପାଇଁ ଟଙ୍କା ପଠେଇବୁ ଆଉ ମୁଁ ସେଥିରେ ଚଳିବି ? ସେ କଥା ଆଉ ହେଇପାରିବ ନାଇଁ । ମୋ ମା...ମୋ କଥା ମାନ୍‌ । ତୁ ଏଥର ଘରସଂସାର କର । ତୋ ପାଇଁ ପାତ୍ରଟିଏ ମୁଁ ବୁଝିଚି । ତୋ ଦାଦାର ବି ପସନ୍ଦ ହେଇଚି । ସେମାନେ ବେଶି କିଛି ଚାହିଁ ନାହାନ୍ତି । ଦାଦା ଖୁଡ଼ୀ ତାଙ୍କ କଥାରେ ରାଜି । ସେ ବି କହିଚି, ତୁ ଯଦି ଚାକିରୀ କରିବୁ, ତା’ହେଲେ ସେ ଆପତ୍ତି କରିବ ନାଇଁ ବରଂ ତୋ ଚାକିରୀ ରୋଜଗାରରେ ତୋ ସାନ ଭାଇର ପଢ଼େଇବା ଖର୍ଚ୍ଚ ତୁ ତୁଲେଇବୁ ବୋଲି ସେ ସମ୍ମତ ଦେଇଚି । ତୁ ଫେରନ୍ତା ଡାକରେ ଜବାବ୍‌ଦେ, ଆଉ କେବେ ଆସିପାରିବୁ କହିଲେ ସେଇ ଅନୁଯାୟୀ ତୋ ଦାଦା ତାରିଖ ଠିକ୍‌ କରିବେ । ମୋ ସୁନାଟା ପରା ! ଅବୁଝା ହବୁ ନାଇଁ । ତୁ ପାଠଶାଠ ପଢ଼ିଚୁ । କୋଉ ମୋ ପରି ମୂର୍ଖ ହେଇଚୁ ? ଝୁଅ ଘିଅ, ବେଶି ଦିନ ରହିଲେ ଗନ୍ଧେଇବ,...ତା’ପରେ ପାତ୍ରଟି କ’ଣ କରେ....ତା’ ଘର କୋଉଠି ଇତ୍ୟାଦି ଇତ୍ୟାଦି । ଏଇ କଥାରୁ ଝୁନିୟାଁ କହିଲା–

 

‘‘ଜାଣିବଟି ସେବ, ମୁଁ ତମ ପାଇଁ ଲେଖିଦେବି–

 

‘କ’ଣ ଲେଖିବ ?’

 

‘ମୋର ରାଜି ଆଉ ମୁଁ ଯେବେ ଇଚ୍ଛା କଲେ ଯାଇ ପାରିବି...’

 

ଆହୁରି ଟିକେ ହସିଲା ସେବତୀ । ସେ ହସରେ କିନ୍ତୁ ହସ ଅପେକ୍ଷା କାନ୍ଦ ବେଶି ଥିଲା ପରି ଜଣାପଡ଼ିଲା ଝୁନିୟାଁକୁ । ପଚାରିଲା–

 

‘କ’ଣ ? ତମର ଏଥିରେ ଅରାଜି ?’

 

‘ଏଇଟା କ’ଣ ପ୍ରଥମ ଝୁନୁଦେଈ ? ଏଇ କେତେଦିନ ଭିତରେ ମା କେତେ ଯେ ପ୍ରସ୍ତାବ ଠିକ୍‌କରି ଏମିତି ଚିଠି ଲେଖି ପଠେଇଚି ତା’ର ସୁମାରି ନାଇଁ, ହେଲେ, ମୁଁ କ’ଣ ରାଜି ହେଇଥିଲେ ଆଜି ଏଠି ଥାନ୍ତି ?’

 

ଏ କଥା ଶୁଣିବା ପରେ ଝୁନିୟାଁର ମନେହେଲା–ସତେ ଯେମିତି ତା’ର ବଡ଼ ତଥ୍ୟଟାଏ ଭୁଲ ହେଇ ଯାଇଚି,...ସେ ଭାବିଥେଲା ଯେ ମା, ଦାଦା, ଖୁଡୀ ଠିକ୍‌କରୁ ନାହାନ୍ତି ବୋଲି ! ସେ ଏ ଯାଏ ବାହା ହେଇ ନାଇଁ । ସେଇଟା ତା’ହେଲେ ନୁହେଁ ?

 

କିନ୍ତୁ କାଇଁକି ଯେ ? ଯେବେ ତ ହେଲେ ବାହା ହବ ଆଉ ତାଙ୍କ ମନରେ କଷ୍ଟ ଦେଇ ଲାଭ କ’ଣ ?

 

‘ଯେବେ ହବାର ଥାନ୍ତା ତା’ହେଲେ ଆଜି କାହିଁକି ମନା କରନ୍ତି ?’

 

ଏଁ ! ତା’ ମାନେ ତମେ ବାହାହବ ନାଇଁ ଜମ୍ମା... ?’

 

‘ବାହାହେଇ କ’ଣ କରିବି ?’

 

‘ଓ’ ! ଟିକେ ଶଙ୍କିଗଲା ଏଇ କଥାରେ ଝୁନିୟାଁ ସେବତୀ ତା’ରି ଅବସ୍ଥାକୁ ତା’ହେଲେ ଲକ୍ଷ୍ୟ କରି କହୁଚି ଯେ...ଏମିତି ପୁଳାଏ ଛୁଆ ଧରି ହନ୍ତସନ୍ତ ହଉଚି । ଆଉ ସେ ବି କ’ଣ ସେଇଆ କରିବ ? କିନ୍ତୁ ଝୁନିୟାଁ ତୁନି ରହିଲା ନାଇଁ । ମନରେ ସାହସ ବାନ୍ଧି କହିଲା–

 

ଏଇ ପିଲାଛୁଆ ଜଞ୍ଜାଳ କଥା କହୁଚ ତ ? କିନ୍ତୁ ସେ କଥା ଜାଣି ତ ସମସ୍ତେ ସେଇଆ କରନ୍ତି ସେବ ! ମାଇପି ଜନମଟା ପରା ସେଇଆ.... !’

 

‘ନାଁ ନାଁ ! ଝୁନୁଦେଈ ମୁଁ କ’ଣ ସେଇଥି ପାଇଁ ବାହା ହଉନାଇଁ ବୋଲି ଭାବୁଚ ?’

 

‘ଆଉ ?’

 

କାନ୍ଦି ଉଠିଲା ପିଲାଙ୍କ ପରି ସେବତୀ ।

 

‘କେମିତି ତମକୁ ବୁଝେଇବି ଝୁନୁଦେଈ ! ବାହା ହବାରେ କିଛି ଲାଭ ନାହିଁ ମୋର ...’

 

କଥାଟା ସିନା ବୁଝିପାରିଲା ନାଇଁ ସେବତୀର; ହେଲେ, ଏତିକି ବୁଝିଲା ଯେ ତା’ର ଆଉ ଗୋଟାଏ ଭୁଲ ହେଇଗଲା । ଝୁନିୟାଁ ଭାବିଥେଲା ଯେ ଘରକଥା ପଡ଼ି ସେବତୀ କାନ୍ଦୁଚି ତାକୁ ବାହାଘର କଥାଟା ପକେଇ ଭୁଲେଇ ଦବ ବୋଲି । କିନ୍ତୁ ଏତେବେଳେକେ ବୁଝିଲା ଯେ ସେବତୀ ସେଇ ବାହାଘର କଥାଟାରେ ହିଁ କାନ୍ଦୁଥେଲା । ଯୋଉଟା ପକେଇବାରୁ ବି ବେଶି କାନ୍ଦୁଚି । କ’ଣ ଆଉ ଉତ୍ତର ଦବ ଭାବିପାରିଲା ନାଇଁ ଝୁନିୟାଁ । । ଖାଲି ବୋକାଙ୍କ ଭଳି ପଚାରିଲା ଆଖିରେ ଚାହିଁ ରହିଲା ସେବତୀକୁ । ସେବତୀ ସେମିତି କାନ୍ଦି କାନ୍ଦି କହିଲା–

 

‘ଝୁନୁଦେଈ !’ ...ଗୋଟାଏ ଫୁଲ ଫୁଟେ ଯୋଉ ସରାଗ ନେଇ ସେ ସରାଗ ଯଦି ଫୁଟିଲା ଆଗରୁ ମଉଳି ଯାଇଥବ, ତାହେଲେ ସେ ଫୁଲରେ ଆଉ କି ମୂଲ ରହିଲା, କହିଲ ?’

 

ଝୁନିୟାଁ କିଛି ବୁଝିଲା ନି ଏଥିରୁ । ସେବତୀ ଭାବିଲା–ଝୁନିୟାଁ ବୁଝିବ ନି କିଛି ତା’ର ଏ କଥାରୁ । କାଇଁକି ନା ସେ ତ ଗପ ନଭେଲ ବହି ପଢ଼ିନି କି ଏମିତିଆ ଅବସ୍ଥାରେ କେବେ ପଡ଼ିନି । ଗାଁର ସରଳିଆ ପରିବେଶରେ ତା’ର ଜନ୍ମ ଆଉ ଚଳଣି । ସେ ଏଡ଼େ କଥାଟାଏ ସେବତୀର ବୁଝିବ କେମିତି ? ସେବତୀ ସିନା ବୁଝେଇଲେ... ?

 

‘ତମେ ମୋ ଜୀବନର ପ୍ରାୟ ସବୁତକ କାହାଣୀ ତ ଶୁଣିଚ । ଆଉ କେଇଟା କାଇଁକି ବାକି ରଖିବି ? ସେତକ ଲୁଚେଇ ରଖିବା ପଛରେ ନିଜ ପାଇଁ ଟିକେ ସମ୍ମାନ ଲୁଚେଇ ରଖୁଥେଲି ଯୋଉଟା କି ପାଇବାର ହକ୍‌ ମୋର ନାହିଁ । ହେଲେ, କାନ ପାତି ସବୁ ଦୁଃଖସୁଖ ଯେତେବେଳେ ତମେ ଶୁଣିବ, ତମକୁ ନ କହିଲେ ମୋ ମନ ହାଲ୍‌କା ହବନି । ହେଲେ, ମୋର ଏତିକି ମାଗୁଣି । ଶୁଣିସାରିଲା ପରେ ମତେ ନିଶ୍ଚେ କହିବ ମୋର ବାହାଘରରେ ଅରାଜି ହବା ଉଚିତ୍‌କି ରାଜି ହବା ଉଚିତ୍‌–

 

ଝୁନିୟାଁ ହଁ ଭରିଲା । ସେବତୀ ଆରମ୍ଭ କରିବା ପୁର୍ବରୁ ତାକୁ ମନେପକେଇ ଦେଲା–

 

‘ସେଇ ଯେ ତମକୁ ଥରେ କହୁଥେଲି ମୋ ଚାକିରୀ କରିବାର ଅଢ଼େଇ ବର୍ଷ ପରେ ମୁଁ ପ୍ରାୟ ବର୍ଷକ ପାଇଁ ବିନା ଚାକିରୀରେ ବସିଥିଲି । ମୋର ପୁଣି ଜଏନ୍‌ ଆଗରୁ ମୋ ଅଫିସରଙ୍କର ବି ବଦଳି ହେଇଗଲା... ?’

 

‘ହଁ....ହଁ...’

 

ସେଇଠି ମୁଁ ସେତକ ଗୋଳେଇ କରି କହିଦେଇଥିଲି କାଇଁକି ଜାଣିଚ ? ସେତକ କହିବାର ନୁହେଁ ବୋଲି । ଆଜି କିନ୍ତୁ କହୁଚି । ଆଉ ତା’ରି ଭିତରେ ଅଛି ମୋର କେତେଟା ଅଲିଭା ଦାଗ । ସେଇତକ ଶୁଣି ସାରିଲେ ଧରି ନବ ଯେ ମୋ ଜୀବନର ଟିକିନିକି ସବୁ ତମେ ଜାଣି ଯାଇଚ ବୋଲି ।

 

ଝୁନିୟାଁ ସଜିଲ ହେଇ ବସିଲା କ’ଣ ଗୋଟାଏ ଶୁଣିବା ଆଶାରେ । ସେବତୀ ଦମ୍ଭ ହେଇ ବସି ସେ ପୃଷ୍ଠାଗୁଡ଼ାକ ତା’ ଜୀବନର କହିଗଲା–

ସେବତୀ ପ୍ରଥମେ ଚାକିରୀରେ ଜଏନ୍‌ କରିସାରିବା ପରେ ତା’ ଅଫିସର ତାକୁ କାମ ବତେଇ ଦେଲେ । ଥରେ ଖଣ୍ଡେ ଦେଖେଇ ଦେଇ ସାରିବା ପରେ ଜାଣିଲେ ଯେ ସେବତୀ ସବୁଠାରୁ ଭଲ କାମ କରୁଚି । ବେଳକୁ ବେଳ ସେବତୀକୁ ପ୍ରଶଂସା କରିବାରେ ସେ ଶତମୁଖ ହେଇ ଉଠିଲେ । ସବୁଆଡ଼େ କହିଲେ, କୁଆଡ଼େ ସେବତୀ ଭଳିଆ ୱାର୍କରଟାଏ ପାଇବା କଷ୍ଟ । ଏଇ କଥାରେ ବି ସେବତୀ ଖୁବ୍‌ ନଇଁଗଲା ମନ ଭିତରେ । ତୁଚ୍ଛାଟାକୁ ଏତେ ପ୍ରଶଂସା ? ସେ କ’ଣ ସତରେ ଯୋଗ୍ୟା ?

ଅଫିସରେ ଜଣେ ଦି’ଜଣ କହିଲେ–ସାହେବ ଭ୍ରମ ନାଁରେ ଭଲ ଭିତରି ରିର୍ପୋଟ ଦେଇଚନ୍ତି ।

ଦିନକୁ ଦିନ ସେବତୀ କେମିତି ବେଶି କୁରୁଳି ଉଠିଲା । ହୁଏ ତ ତା’ର ଖୁବ୍‌ ଗୋଟାଏ କିଛି ପରିବର୍ତ୍ତନ ହେଇଯିବ କି କ’ଣ...

ଏମିତି କେଇଦିନ ଗଲା । କ୍ରମେ ସେବତୀ ଆହୁରି ଆପଣାର ହୋଇ ଉଠିଲା ସାହେବଙ୍କର । ସେତେବେଲକୁ ଆମେରିକା ସରକାଙ୍କର କୋଉ ଗୋଟାଏ ଯୋଜନା ତରଫରୁ ଗାଁରେ ପ୍ରାଇମେରୀ ଇସ୍କୁଲ ତଥା ଗାଁର ଅନ୍ୟ ଛୋଟ ଛୋଟ ପିଲାଙ୍କୁ ସବୁ ଉପରବେଳା ଖାଇବାକୁ ଦିଆଯାଉଥାଏ । କେତେ ରକମର ଖାଇବା ଜିନିଷ ଟିଣ ଟିଣ କରି ଗାଡ଼ିରେ ଆଣି ସେ ଆମେରିକା ସରକାରଙ୍କର ବାବୁ ଜଣକ ଗଦା କରିଦେଇଯାନ୍ତି । ଭଳି ଭଳି ତା’ର ତିଆରି ଢଙ୍ଗ । ସେଗୁଡ଼ା ଆଉ କ’ଣ ଯିଏ ସିଏ ପାଈବେ ? ଅଯତ୍ନରେ କଲେ ଅରୁଚି ଲାଗିବ । ଏତେ ବଡ଼ ଦେଶଟାରେ ବଦନାମ୍ ହବ । ତେଣୁ ସେ ଦାୟିତ୍ଵ ଅଫିସର ସେବତୀକୁ ଦେଲେ । ସେବତୀ ସେଗୁଡ଼ା ବୁଝିବ ସେ ବାବୁଙ୍କଠାରୁ । ତିଆରି କରି ଶିଖିବ; ଅନ୍ୟକୁ ଶିଖେଇବ । ତେବେ ମୋଟାମୋଟି ବଣ୍ଟାକୁଣ୍ଟାର ଦାୟିତ୍ଵ ତା’ର । ସେ ସବୁ ତା’ର ହିସାବ ରଖିବ ।

ସେଇଆ ହେଲା । ଆମେରିକା ବାବୁଙ୍କଠାରୁ ସେ ସବୁ ବୁଝିଲା । ତିଆରି କଲା ତାଙ୍କରି କଥା ଅନୁସାରେ, ସମସ୍ତଙ୍କୁ ଶିଖେଇଲା, ସମସ୍ତେ ବାହାବା କଲେ । ହାକିମଙ୍କ କଥାଟାକୁ ସମସ୍ତେ ବର୍ତ୍ତମାନ ମନରେ ପକେଇଲେ ଯେ ସେବତୀର କାମଟାକୁ ସବୁବେଳେ ପ୍ରଶଂସା କରିବାର କଥା । ପ୍ରଥମେ ଲୋକମାନେ ତାକୁ କୁଟାରୁ ତିଆରି, ଛଣରୁ ତିଆରି, ଚଷୁରୁ ତିଆରି ବୋଲି କହି ଖାଇବାକୁ ନାମଙ୍ଗ ହଉଥିଲେ । କିନ୍ତୁ କେଇଟା ଦିନ ଭିତରେ ସମସ୍ତେ ସେଇଆଡ଼କୁ ଢଳିଗଲେ । ସେଇଟା ବି ସେବତୀର କୃତୀ । ଘରେ ଘରେ ଯାଇ ଜଣ ଜଣ କରି କେତେ ବୁଝେଇଚି; ସେମାନଙ୍କର ମତ ପରିବର୍ତ୍ତନ କରିଚି ସିଏ ।

ଆମେରିକାବାବୁ ପ୍ରଶଂସା କରନ୍ତି ସେବତୀକୁ । ବେଳ ସରିକି ଏମିତି ହେଲା ଯେ ତାଙ୍କ ଗାଁକୁ ଆସିବା ମାତ୍ରେ ପିଲାଛୁଆଠଉଁ ଆରମ୍ଭ କରି ବଡ଼ ମଣିଷ ପର୍ଯ୍ୟନ୍ତ ବେଢ଼ିଯାନ୍ତି ସେ ଗାଡ଼ିକି । ଏଥରକ ଆମେରିକାବାବୁ କ’ଣ ଆଣିଚନ୍ତି ବୋଲି... । ଆମେରିକାବାବୁ ଭାରି ଭଲ । ଲୋକପ୍ରିୟ ହୋଇ ଉଠିଲେ ସେଇ ଗାଁରେ । ଏଗୁଡ଼ାକ ତ ପୁଣି ସେବତୀ ପାଇଁ..... ।

ପ୍ରକୃତରେ ସେ ବାବୁଜଣକ ଆମେରିକାର ଲୋକ ନୁହଁନ୍ତି । ଏଇ ଆମରି ଦେଶର, ଜାତିର । ଖାଲି ଆମେରିକା ସରକାରର କାମ କରୁଚନ୍ତି ବୋଲି ତାଙ୍କୁ ଆମେରିକାବାବୁ ବୋଲି କହି କହି ତାଙ୍କ ନାଁ ସେଇଆ ହେଇଗଲା ।

 

ସେ ଖାଇବା ଖୁବ୍ କଟିଲା, ଭାରି ଚାଳିଲା ଗାଁରେ । ସେବତୀର କାମ ଆହୁରି ସନ୍ତୋଷଜନକ ବୋଲି ସ ହେବ ସୁପାରିଶ୍ କଲେ । ଏବେ ସେବତୀ ହେଇଗଲାଣି ବାବୁଙ୍କ ପାଖଲୋକ । କେତେବେଳେ ତାଙ୍କ ଘରଆଡ଼େ ଯାଇ ବୁଲିଆସେ । ତାଙ୍କ ସ୍ତ୍ରୀ ସାଙ୍ଗରେ ବସି ହସଖୁସିରେ ଦି’ପଦ କଥାବାର୍ତ୍ତା କରି ଆସେ, ଛୋଟ ଛୁଆଟାକୁ ଶରଧାରେ ଗେଲ କରେ ।

 

ଦିନକୁ ଦିନ ଏଇଟା ବଢ଼ିଗଲା । ପ୍ରାୟ ସବୁଦିନେ ସେବତୀ ତାଙ୍କ ଘରଆଡ଼େ ଗଲା । ଦିନେ ଏମିତି କଥା ପଡ଼ୁ ପଡ଼ୁ କୁଆଡ଼େ ସାହାବାଣୀ କହିଲେ–

 

‘ସେବତୀ ! କ’ଣ ତମ ଆମେରିକା ଖାଇବା ଆସୁଚି ପରା ! ଦିନେ ଆମକୁ ଚଖେଇଲ ନାଇଁ ? ଇଏ କହୁଥିଲେ । ମୁଁ କହିଲାରୁ ମତେ କହିଲେ ଯେ ସେବତୀକୁ କହୁ ନାଁ, ସେ ଆଣି ଚଖେଇଦବ ଦିନେ... ।’

 

ସେବତୀ ନିଜକୁ ଭାରି ଉଚ୍ଚ ମନେକଲା ଏଇ କଥାଟାରେ । ଯା’ହଉ, ଅଫିସର ତା’ହେଲେ ତା’ଉପରେ ନିର୍ଭର କରିଚନ୍ତି... । ଆଉ କିଛି କହିଲା ନି ସେଦିନ । ତା’ପର ଦିନ ଆସିଲାବେଳକୁ ସରି ଆସୁଥିବା ଟିଣଗୁଡ଼ାକରୁ ପୁଳାଏ ପୁଳାଏ ନେଇ ଆସିଲ । ତା’ ମନ କୁରୁଳି ଉଠୁଥାଏ । ଯା’ହଉ ସାହାବାଣୀ ରାନ୍ଧ ନ ଜାଣିଥିବା ଜିଣିଷ ସେ ଆଜି ରାନ୍ଧି ଖୋଇବ....ଏଇଟା କ’ଣ କମ୍ କଥା ?

 

ଖାଇସାରିବା ପରେ ସମସ୍ତେ ତାରିଫ୍ କଲେ ସେବତୀକୁ । ପିଲା ଦି’ଟା ଅଝଟ କଲେ ଆଉ ଖାଇବେ ବୋଲି, କିନ୍ତୁ ଅଳ୍ପ ଅଳ୍ପ ତିଆରି ହେଇଥେଲା... । ହେଲେ, ସେବତୀ ଅଳ୍ପ ଚାପାସ୍ଵରରେ ସେମାନଙ୍କୁ କହିଲେ ସେ ପୁଣି କାଲି ଆଣିଦେବ ତାଙ୍କ ପାଇଁ । ଏଥିରେ ସେ ପରିଷ୍କାର ଦେଖିଲା ତା’ର ଅଫିସର ଖାଲି ମୁରୁକେଇ ଟିକେ ହସିଲେ ।

 

ବେଶ୍ ସେଇ ଯେ ଆରମ୍ଭ ହେଲା ଖାଇବା–ଆଉ ସେ ଛାଡ଼ିଲାନି । ପ୍ରତିଦିନ ଗଲାବେଳକୁ ପୂଳାଏ ପୁଳାଏ ନେଇଯାଏ ସେବତୀ ତାଙ୍କ ଘରକୁ । ତାକୁ ଆଉ ଅବଶ୍ୟ ରାନ୍ଧିବାକୁ ପଡ଼ୁ ନି । କାରଣ ସେ ସାହାବାଣୀ ସେ ଜିନିଷ ତିଆରି ଶିଖି ଗଲେଣି । ତେଣୁ ସେବତୀ ଖାଲି ନେଇ ପହଞ୍ଚେଇବା କଥା । କିନ୍ତୁ ସେବତୀ ସେଥିରେ ଜମ୍ମା ହେଲା କରୁ ନି l ଖୋଲା ହେଇଥିବା ଡବାରୁ ସେ ନିଏ । ଖୋଲା ନ ଥିଲେ ବି ଡବା ଖୋଲି କରି ସେ ନିଏ । ଯେମିତି ହେଲେ ସେଇ ଖୋଲନ୍ତି । । କାଲି ଖୋଲାହବ.....ଆଜି ଖୋଲିଦେଲେ ଯାଏ ଆସେ କ’ଣ ? ଏଇକ୍ଷଣି ଅଫିସରଙ୍କର ଘରେ ସକାଳ ସଞ୍ଜେ ସେଇଟା ଜଳଖିଆରେ ଅଭ୍ୟାସ ହେଇଗଲାଣି । ଏମିତି କି ବାବୁଆଣୀ ଦରକାର ପଡ଼ିଲେ ନୂଆ ରକମର ଜିନିଷଟାଏ ବୋଲି ଅତିଥିଚର୍ଚ୍ଚା କରିବସନ୍ତି ନିଜ ଘେଷେଇର ତାରିଫ୍ ନବା ପାଇଁ । ତାଙ୍କ ବନ୍ଧୁ ବାନ୍ଧବରୁ କିଏ ଆସିଲେ ନୂଆ ଜିନିଷଟାଏ ସିଏ ଘରକୁ ନେବେ ବୋଲି ରକମ ରକମର ସଜାଡ଼ି ବସନ୍ତି, ଗୋଟା ଗୋଟା କରି ପୁରୁଣା ଛୋଟ ଡାଲ୍‌ଡା ଘିଅଟିଣ ସବୁ । ସେଇତକ ସବୁ ଅସୁବିଧା ହୁଏ । ବେଳେ ବେଳେ ଏତେଗୁଡ଼ାଏ ପୁରୁଣା ଟିଣ କୋଉଠୁ ଆଣିବେ ବୋଲି ଭାଳେଣି ପଡ଼େ ତାଙ୍କର । ସେଇଥିପାଇଁ ଯାହାକୁ ଦିଅନ୍ତି କଥା ନଅସରେ କହିଦିଅନ୍ତି ଟିଣ କେଇଟା ପଠେଇବା ପାଇଁ କାହା ହାତରେ ।

 

ଟିଣ ସକାଶେ ସେବତୀ ସାବଧାନ । କାରଣ ୟା ଭିତରେ ଦିନେ ସେଇ ଆମେରିକାବାବୁ ଆସି ହିସାବ ନଉଥିଲେ ସେ ଜିନିଷଗୁଡ଼ାକର । ତାଙ୍କ ସାଙ୍ଗରେ ହାକିମ ବି ଥେଲେ । ଟିଣ ହିସାବ ନଉ ନଉ ଗୋଟାଏ କି ଯୋଡ଼ାଏ ମିଳିଲା ନି ପହିଲେ । ହଠାତ୍ ସେବତୀର ମନେପଡ଼ିଲା, ଚେପା ହେଇ ଯାଇଥେଲା ବୋଲି, ଗଡ଼େଇ ଦେଇ ସେ କ’ଣ ଆଡ଼କୁ; ସେଇଠି ପଡ଼ିଚି । ସେଗୁଡ଼ା ଯେତେବେଳେ ମିଳିଗଲା ସେତେବେଳେ ସାହେବ ଅଳ୍ପ ହସି ତଳକୁ ଚାହିଁ ଚାହିଁ ଖାତା’ ଦେଖୁ ଦେଖୁ କହିଲେ–

 

‘ଆଉ ଯାହା ହଉ ପଛେ, ଟିଣ କି ଡବା ମୋଟେ ହଜେଇବ ନାଇଁ ଟି ? କାଳେ କିଏ ମାଗିଲେ ଖାଈ ଟିଣଟା କ’ଣ ହବ ବୋଲି ଦେଇ ଦବ ନାଇଁ । ସେଇତକ ପାଇଁ ସ୍ପେସିଆର ଥେଲେ ହେଲା ।’

 

ସେଇଦିନଠୁ ସେବତୀ ଟିଣଗୁଡ଼ାକୁ ସାଇତି ବଡ଼ କୋଲପ ପକେଇ ରଖେ । ସିଏ ତ ବୁଝିଲା ଯେ ଆଉ ଯାହା ହଉ ପଛେ ଖାଲି ଟିଣଗୁଡ଼ାକ... । ତା’ କାମ ସେ ଠିକ୍‌ ଭାବରେ କରୁଚି ବୋଲି ସେବତୀ ଆହୁରି ପାଖେଇ ଆସିଲା ଅଫିସରଙ୍କର । ଅନ୍ୟ ଗାଁ ଗୁଡ଼ାକରେ ସେଇ ଖାଇବା ଜିଣିଷ ତିଆରି ଶିଖେଇବା ପାଇଁ ତାକୁ ସାଙ୍ଗରେ ଜିପ୍‌ରେ ଧରି ଯା’ନ୍ତି ଅଫିସର, ସେତେବେଳେ ସେବତୀର ଛାତିରେ ଆନନ୍ଦ ଅକାତ କାତ ।

 

ଦିନକର ସଞ୍ଜବେଳେ ସେ ଯାଉ ଯାଉ ଶୁଣିଲା ଉପରେ–ସାହେବ ସାହେବାଣୀଙ୍କର ଆଲୋଚନା, ସାହେବ କହୁଥାନ୍ତି–

 

‘ତମେ ଆଉ ବେଶି ଡେରି କର ନାଇଁ । ୟାରି ଭିତରେ ଗୋଟାଏ ଦିନବାର ଦେଖି ଚାଲିଯାଅ l ଯେତେହେଲେ ବି ତ ବାପା ବୋଉ ବଞ୍ଚିଛନ୍ତି । ତାଙ୍କ କଥାକୁ ତ ଆଉ ଏଡ଼ି ଦେଇ ହେବ ନାଇଁ ! ଦିନ ପାଖେଇ ଆସିଲା । ବାପା ଗୋଟାଏ ଭାରି ରାଗି କରି ଚିଠି ଲେଖିଚନ୍ତି ଆଜି ଯେ ଏଇ ଅବସ୍ଥାରେ ତାକୁ ନଈନାଳ; ପାରି କରେଇ ଆଣିବୁ କେତେବେଳେ କୋଉ କଥା.... ।’

 

ସାହେବାଣୀ ଉତ୍ତରରେ କହିଲେ–

 

‘ମୁଁ ପରା ଆଗରୁ ତମକୁ ସେଇ କଥା କହୁଚି । ତମେ ସିନା ମତେ ଖାଲି ଥଟ୍ଟା କରୁଥେଲ । ହେଲେ, ସେମାନେ ସବୁ ଭାବୁଥେବେ ଯେ ମୁଁ ଯିବାକୁ ଚାହୁଁ ନାଇଁ ।”

 

‘ନାଇଁ, ସେମାନେ କ’ଣ ମତେ ଜାଣନ୍ତି ନାଇଁ ? ହଉ, ତମେ ଏଥର ରେଡ଼ି ହୁଅ କେବେ ଯିବ ।”

 

ସତକୁ ସତ ସେଇଆ ହେଲା । ୟା’ର କେଇଟା ଦିନ ପରେ ତାଙ୍କରି ପିଲାପିଲି ସବୁ ଚାଲିଗଲେ ଘରକୁ । ପିଲାପିଲି କ’ଣ ହେଇସାରିଲା ପରେ ଯାଇ ଆସିବେ ।

 

ସେବତୀ ସେତେବେଳକୁ ଘରମଣିଷ ଭିତରୁ ଜଣେ ହେଇ ପଡ଼ିଥିଲା । କିନ୍ତୁ ଏମାନେ ସବୁ ଚାଲିଗଲା ପରେ ସିଏ ବା ଆଉ ଯା’ନ୍ତା କେମିତି.... ? ଦି’ଦିନ ପରେ ତା’ ମୁଣ୍ଡରେ ଜୁଟିଲା ଅଫିସରଙ୍କୁ କିଏ ରାନ୍ଧିକରି ଖାଇବାକୁ ଦଉଚି.... । ସେଦିନ ଅଫିସରେ ପଚାରିଲା.... ।

 

‘ସାର୍‌, ଆପଣ ଖାଉଚନ୍ତି କେମିତି ?’

 

‘କାହିଁକି ? ପିଅନଟାଏ ରାନ୍ଧି ଦଉଚ ପରା !’ ହସିହସି ଉତ୍ତର ଦେଲେ ଅଫିସର ।

 

ଟିକିଏ ପରେ ପୁଣି କହିଲେ–

 

‘ସେବତୀ, ତମେ ଥରେ ୟା ଭିତରେ ତମ ଘରେ ସେ ଜଳଖିଆ କିଛି ପଠେଇବ ତ....-। ଦି’ଟା ଦିନ ମାନଙ୍କ ହାତରେ ଖାଇଚି କି ନାଇଁ, ମୋର ଖାଇବା ପ୍ରତି ଗୋଟାଏ ଅରୁଚି ଆସିଗଲାଣି । ଏ ଗୁଡ଼ାଙ୍କୁ କିଛି ରାନ୍ଧି ଆସେନି, ଖାଲି ସିଝେଇ ଦଉଚନ୍ତି ।’

 

ସେବତୀ ଭାବିଲା–ପ୍ରକୃତରେ ସେଇଆ ହଉଥବ ନିଶ୍ଚେ । ଘର ରନ୍ଧା ଆଉ ଇଏ ପର ହେଇ କରିଦେବେ ? ଡିଉଟି ବଜେଇଲା ପରି କାମ କରୁଥିବେ । ସେଥିରେ କ’ଣ ଜଣକର କେବେ ମନଶାନ୍ତି ହବ ? ତା’ ନିଜ ମନରେ କେମିତି ଗୋଟାଏ ଅଶାନ୍ତି ଲାଗିଲା । ସେ କହିଦେଲା–

 

‘କେତେବେଳେ କେମିତି ଯଦି ଚାହିଁବେ ତା’ହେଲେ ଛୁଟି ଫୁଟି ଦିନ ଦେଖି ମୁଁ କରିଦେଇ ଆସିବି ।’

 

‘ନାଁ ନାଁ, ତମେ କାଇଁକି କଷ୍ଟ କରିବ ?’

 

‘କଷ୍ଟ ଆଉ କ’ଣ ସାର୍ ? ରନ୍ଧାବଢ଼ା କାମ କରିବା ପାଇଁ ସ୍ତ୍ରୀ ଜାତିରେ ଜନମ ହେଇ ପୁଣି କଷ୍ଟ ଗୋଟାଏ କ’ଣ ?’

 

‘ତଥାପି ବାର ଲୋକଙ୍କର ବାର ରକମର ଆଖି ଅଛି ।’

 

‘ସେଥିରେ କ’ଣ ଯାଏ ଆସେ ? ଆପଣ ତ ଜାଣନ୍ତି ଆପଣ ଭଲ । ମୁଁ ଜାଣୁଚି ମୁଁ ବି ଭଲ । ଲୋକେ କହନ୍ତୁ, କହି କହି ଥୋବରା ହେଇଯିବେ ଯେତେବେଳେ ତୁନି ରହିବେ ।’

ସତରେ ବି ସେଇଆ ହେଲା । ଲୋକେ କୁହାକୁହି ଆରମ୍ଭ କଲେ । କିନ୍ତୁ ସେବତୀ ସେ ଗୁଡ଼ାକ କାନକୁ ନିଏ ନାହିଁ । କେବେ କେବେ ଚାରିପାଞ୍ଚ ଦିନରେ ଥରେ ଯାଉଥେଲା । ଏବେ ସବୁଦିନ ଯାଇ ଦିନବେଳେ ରୋଷେଇଟା ଏକରକମ କରିଦେଇ ଆସେ କହିଲେ ଚଳେ । ଖାଲି ମାମୁଲି କାମ କେଇଟା ଚପରାସୀକୁ ହୁକୁମ ଦେଇ ଆସେ । ଆଉ ଯୋଉଦିନ ଇଚ୍ଛାହୁଏ, ରାତିଓଳି ପାଇଁ କେବେ କେବେ ସଞ୍ଜ ଆଗରୁ ଯାଇ କ’ଣ ଟିକେ କରିଦେଇ ଆସେ । ଏଇଟା ଗୋଟାଏ ଗତରେ ପଡ଼ିଗଲାଣି । ହାକିମ ବି ଅଧିକାଂଶ ବେଳେ ତାକୁ ଖାଇକରି ଯିବାକୁ ବାଧ୍ୟ କରନ୍ତି ।

 

ଦିନକର କଥା । ଅଫିସକୁ ଡକେଇ ଅଫିସର ସେବତୀକୁ କହିଲେ ଯେ ଅଡିଟ୍‌ ପାର୍ଟି ଆସିବେ ଦିନେ ଓଳିକରେ । କେତେଗୁଡ଼ାଏ ହିସାବ ଦେଖିବାର ଅଛି । ସଞ୍ଜବେଳେ ଆସିପାରିଲେ ଭଲ ହୁଅନ୍ତା । ସେବତୀ ବି ହଁ ମାରିଲା । ସହଜେ ତ ସେ ଯାଇଥାନ୍ତା ରୋଷେଇ କଥା ବୁଝି ଆସିବାକୁ । କାଲି ଦିନଟା ସାରା କାମ ଯୋଗୁଁ ଯାଇପାରି ନଥେଲା । ତେଣୁ ସହଳ ସହଳ ନିଜ କାମ ସାରିଦେଇ ବେଳଗୁଡ଼ିକୁ ସେ ବାହାରି ପଡ଼ିଲା ।

 

ସେତେବେଳକୁ ଦିନ ପୁରାପୁରି ଯାଇ ନଥାଏ ।

 

ଏକା ବସିଥାନ୍ତି ଅଗଣାଟାରେ ଅଫିସର କନାଲଗା ଆରାମ ଚେୟାର ଖଣ୍ଡେ ପକେଇ । ଆଉ କେହି ନଥାନ୍ତି । ସେବତୀ ଘର ଭିତରକୁ ପଶିଯାଇ ଆଶ୍ଚର୍ଯ୍ୟ ହେଲା–ଆରେ....ଚପରାସୀ ଗୋଟାଏ ଖଣ୍ଡେ ତ ଏ ପାଖ ସେ ପାଖ ହଉଥାନ୍ତେ ରାତି ରୋଷେଇ ପାଇଁ । ଭାରୁଆର ପାଣିଦବା ବେଳ ଏଇଟା, ସିଏ ବି ତ କ’ଣ ଆସିନାଇଁ ! ଏମିତି ଭାବି ଭାବି ପଚାରିଲା–

 

ସାର୍, ସେ ଦିଟା ଆସି ନାଇଁ କି ରୋଷେଇ କରିବାକୁ ?’

 

‘ହଁ ଆସିଥେଲା ଯେ.... କହିଲା କ’ଣ ତା’ର ଛୁଆଟାକୁ ଭାରି ଝାଡ଼ା ହଉଚି; ଡାକ୍ତର ପାଖକୁ ନେଇ କରି ଯିବ । ମୁଁ କହିଲି ହଉ ଯା.... ।’

 

‘ଆଉ ଇଆଡ଼େ ରୋଷେଇ.... ?’

 

‘ହଁ, ଗୋଟାଏ ରାତି ସେମିତି ଚଳେଇ ଦବା ।’

 

‘ତା’ ମାନେ କ’ଣ ଖାଇବେ ନାଇଁ– ?’

 

‘ନ ଖାଇଲେ କ’ଣ ହବ ଗୋଟାଏ ରାତି ?’

 

‘ନାଁ ନାଁ, ଏ ଗୋଟାଏ କଥା ! ମୁଁ ତା’ହେଲେ ଦି’ଖଣ୍ଡ ପରଟା କରି ଦଉଚି । ତା’ ସାଙ୍ଗକୁ ଭଜା ଟିକେ କରିଦେବ । ସାଥେ ସାଥେ ହେଇଯିବ । ତା’ପରେ ବସି କାମ ହବ ପଛେ ।’

 

ଏତିକି କହି ଦେଇ ଉତ୍ତରକୁ ଅପେକ୍ଷା ନ ରଖି ସେବତୀ ରୋଷେଇଘର ଭିତରକୁ ଗଲା-। ସେଇ ଅନୁଯାୟୀ ପରଟା କେଇ ଖଣ୍ଡ ଭଜା ଟିକେ କରିବା ଭିତରେ ଆର ଚୁଲୀଟାକୁ ଲଗେଇ ଦେଇ ସନ୍ତୁଳା ଟିକେ ବି କରିଦେଲା । ହେଇ ସାରିଲା ପରେ ଆସି ପଚାରିଲା ହାକିମଙ୍କୁ–

 

‘ସାର୍‌, ଆପଣ ବର୍ତ୍ତମାନ ଖାଇବେ ନାଁ କାମ ସାରି ?’

 

‘ନାଁ ଥାଉ । କାମ ସରୁ ।’

 

ଅଗତ୍ୟା ସେଇଗୁଡ଼ାକୁ ସବୁ ଘୋଡ଼େଇ ଦେଇ କାମ ପାଇଁ ଉଠିଲା ସେ । ଆଦେଶ ଅପେକ୍ଷାରେ ଠିଆହେଲା । ସାହେବ ଗୋଟାଏ ଚଉକି ଆଣି ପକେଇ ବସିବାକୁ କହିଲେ । ସେବତୀ ନିଜ ପାଇଁ ଖଣ୍ଡେ ଚଉକି ଆଣି ପକେଇଲା । କିନ୍ତୁ କାମଟା ତା’ର ସବୁବେଳେ ତାରିଫ୍‌ । ଖାଲି ଚଉକିଟାଏ ଆଣି ନିଜେ ବସି ପଡ଼ିଲେ କ’ଣ ହବ ? ସେଥିପାଇଁ ଛୋଟ ଟୁଲଟିଏ ବି ଆଣି ସାମନାରେ ପକେଇଲା ।

 

‘ସାର୍‌, ଫାଇଲ୍‌ପତ୍ରଗୁଡ଼ା କୋଉଠି ଅଛି... ?’

 

ସାର୍ ଟିକେ ଚାହିଁଲେ ସେବତୀକୁ । ତା’ପରେ କହିଲେ–

 

‘ସେ ଟେବୁଲ୍‌ଉପରେ ଥୁଆହେଇଚି ଘର ଭିତରେ...ସେଇଟାକୁ ଆଣ ।’

 

ଆଣିଲା ସେବତୀ, ଖୋଲି କରି ଦେଖିଲା କେଇଟା ବଡ଼ ବଡ଼ ତାଲିକା ଅଛି ଉପରକୁ । ପଡ଼ିକରି ଗୋଟାଏ ଜାଣିଲା ଯେ ଏଗୁଡ଼ା ସବୁ ଏ ଅଞ୍ଚଳର ଛୋଟ ଛୋଟ ଗାଁମାନଙ୍କର ନାଁ । ଆଦେଶକୁ ଅପେକ୍ଷା କରି ରହିଲା । କେତେବେଳକେ ହାକିମ କହିଲେ–

 

‘ସେଇଗୁଡ଼ାକ ପଢ଼ିଯାଅ...’

 

ପଢ଼ିଗଲା ସେବତୀ ଖାଲି ନାଁଗୁଡ଼ାକ...... । ପୁରା ତାଲିକାଟା ଯାକ ଏ ମୁଣ୍ଡ ସେ ମୁଣ୍ଡ ପଡ଼ିଗଲା । ପଢ଼ିଗଲା ପରେ ସେ ଅନେଇଁ ଦେଖିଲା ସତେ ଯେମିତି ଅଫିସର ତା’ର ଶୁଣୁ ନାହାଁନ୍ତି-। ଛୋଟ ଗୋଲାପକୁଣ୍ଡଟି ଆଡ଼କୁ ଅନେଇଁ କ’ଣ ଭାବୁଚନ୍ତି । ପଢ଼ି ସାରିଲା ପରେ ବି କେତେ ସମୟ ଯାକେ କିଛି ନ କହିବାରୁ ସେବତୀ କହିଲା–

 

‘ସାର୍, ସରିଗଲା । ସବୁ ତ ପଢ଼ି ଦେଲି......’

 

‘ପଢ଼ିଦେଲ ? ହଉ ଥାଉ ।’

 

‘ତା’ ପରେ କ’ଣ କରିବି ?’

 

‘ବସ.....’

 

‘ମୁଁ କ’ଣ କହୁଥିଲି କି–କାମଗୁଡ଼ା ଆଗ ସାରିଦେଲେ ଯାଏ । ଖାଇବାଟା ସିଆଡ଼େ ଥଣ୍ଡା ହେଇଯିବ ଆପଣଙ୍କର ।’

 

‘କାମ ସରିଗଲା ପରା....’

 

ଅଳ୍ପ ଟିକେ ହସିଦେଲେ ଅଫିସର । ଆଶ୍ଚର୍ଯ୍ୟ ଲାଗିଲା ସେବତୀକୁ । ଏତିକି ଜମା କାମ-? ଏଇ କାମ ପାଇଁ ତାକୁ ଡକେଇଥିଲେ ଏତେ ଗୁରୁତ୍ଵ ଦେଇ...... !! ଆଉ ଏତିକି ଜମା ଜାଣିବା ପାଇଁ ଗୋଟାଏ ଅଡିଟ୍‌ପାର୍ଟି ଆସିବେ ଏତେ ଖରଚ କରି !! କାଇଁକି... ମାଗିଥେଲେ କ’ଣ ସେଇଠିକି ଗୋଟାଏ ଲିଷ୍ଟ ପଠେଇ ଦେଇଥିଲେ ହେଇନଥାନ୍ତା ? କୌତୁହଳ ଜମାରୁ ସମ୍ଭାଳି ରଖିପାରିଲା ନାଇଁ ସେ । ପଚାରିଲା–

 

‘ସାର୍‌ ! ଏତିକି ଜମା କାମ ପାଇଁ ଗୋଟାଏ ପାର୍ଟି ଆସୁଚନ୍ତି ? କାଇଁକି, ସେମାନେ ମାଗିଥିଲେ ଏଇ ତାଲିକାରୁ ଗୋଟାଏ ପଠେଇ ଦେଇନଥାନ୍ତୁ ?’

ହସି ହସି ଉତ୍ତର ଦେଲେ ସାର୍‌–

‘ନାଇଁ ମ, କେତେ କାମ ଅଛି ଯେ ସେସବୁ ହେଇଯାଇଚି । ତମକୁ କ’ଣ ସତରେ ମୁଁ ସେଇଥି ପାଇଁ ଡାକିଥେଲି ? ଅଡ଼ିର୍ଟ କାମରୁ ତମେ କ’ଣ କରିବ ?’

‘ତା’ହେଲେ ?’ଆଶ୍ଚର୍ଯ୍ୟରେ ବାହାରି ପଡ଼ିଲା ସେବତୀ ମୁହଁରୁ ।

‘ଏମିତି ବସି ଟିକେ ଗପ କରିବା ପାଇଁ ।’

କହି ଉଠିଗଲେ ସେ ଗୋଲାପଗଛ ପାଖକୁ । ସେବତୀ ଆଉ କିଛି କହିଲାନି ଉତ୍ତରରେ-। କ’ଣ ବା କହନ୍ତା ସେ ଆଉ... ? ଅଫିସର ଡାକିଚନ୍ତି ଗପ କରିବା ପାଇଁ । ଏ କ’ଣ କମ୍ ଭାଗ୍ୟ ତା’ର !

ଗୋଲପଗଛ ମୂଳରୁ ମାଟି ଖସେଇ ଦଉ ଦଉ ସେବତୀକୁ ନୀରବ ଦେଖି ପୁଣି କହଲେ ଅଫିସର୍‌–

‘ଘରେ ଏମିତି ଏକା ବସି ବସି ଭାରି ବିରକ୍ତିଆ ଲାଗୁଚି ସେବତୀ ! ସବୁବେଳେ ଘରଟା ହୋ ହୋ ହଉଥାଏ । ବର୍ତ୍ତମାନ ଖାଲିପଡ଼ିଯିବାରୁ କେତେ ଖରାପ ଲାଗୁଚି ତମେ ବୁଝିପାରିବ ନାଇଁ-। ସେଇଥି ପାଇଁ ବସି ଗପ କରିବାକୁ ତମକୁ ଡକେଇଲି.... ।’

 

ସେବତୀ କିଛି ଉତ୍ତର ନ ଦେଲେ ବି ଭାବିଲା–ସତକଥା । ଭାରି ଅଡ଼ୁଆ ଲାଗୁଥିବ ସାର୍‌ଙ୍କୁ । ତାକୁ ତ ନିଜକୁ ଖରାପ ଭାବୁଚ… ?’

 

‘ତମେ କ’ଣ ଖରାପ ଭାବୁଚ ?’

 

‘ନାଁ ସାର୍‌, ଖରାପ କାଇଁକି ଭାବିବି ?’

 

ସେବତୀ ଭାବିଲା–କହିଦବ କି ଏଇଟା ମୋର ବରଂ ଭାଗ୍ୟ ବୋଲି । ଅବଶ୍ୟ କଥାଟା ସେ କହିପାରିଲା ନି ତା’ ଗଳା ପାଖରେ ଅଟକି ଲୋ ବୋଲି । ନ ହେଲେ ସେ ବିବେଚନା କଲା ଯେ ପ୍ରକୃତରେ ସେଇଟା ତା’ର ମନର କଥା । ହାକିମ ସେ । ଆଉ କୋଉ ହାକିମଙ୍କୁ ଡକେଇ ବା ତାଙ୍କ ଘରକୁ ଯାଇ ଗପ କରି ପାରିଥାନ୍ତେ । ଅବଶ୍ୟ ସେବତୀ ଭଳିଆ ଗୋଟାଏ ତଳିଆ କର୍ମଚାରୀକି ଡକେଇବା ମାନେ କ’ଣ ଭାଗ୍ୟ.... ! ସେବତୀକୁ ପୁଣି ନୀରବ ଦେଖି କହିଲେ.....

 

‘ଆଚ୍ଛା ସେବତୀ, ତମେ ବାଘର ପ୍ରବୃତ୍ତି ବିଷୟରେ ଜାଣ ?’

 

‘ନାଁ ସାର୍‌.....’

 

ସେ ବାଘ ବଣରେ ଛେଳି, ହରିଣ, କୁକୁଡ଼ାଠଉଁ ଆରମ୍ଭ କରି ଯାହା ପାଇଲା ଶିକାର କରି ଖାଏ । କିନ୍ତୁ ଯୋଉଦିନ ଥରଟାଏ ସେ ମଣିଷମାଂସ ଚାଖିନିଏ, ସେଇଦିନଠୁ ସେ ଆଉ ଅନ୍ୟ କିଛି ଶୀକାର କରି ଖାଇବାକୁ ଇଚ୍ଛା କରେ ନାଇଁ । ମଣିଷ ବାଘ ପାଲଟି ଖାଲି ମଣିଷ ଖୋଜି ବୁଲେ । ଅବଶ୍ୟ ବାଘ କହିବାମନେ ମୁଁ ଖାଲି ବାଘ କହୁନାଇଁ, ବାଘୁଣୀ ବି । ଅର୍ଥାତ୍‌ବାଘଜାତିଟା ସେଇଆ ।’

 

‘ସାର୍‌, ସତେ ସେଗୁଡ଼ା ଆଉ କିଛି ଖାଆନ୍ତି ନାଇଁ ?’

 

‘ନାଁ, ଠିକ୍‌ସେଇମିତି ଆମ ମଣିଷଜାତିଟା ଦିହରେ ଗୋଟାଏ ବାଘର ପ୍ରବୃତ୍ତି ଅଛି ।’ବୁଝି ନ ପାରି ସେବତୀ ହାଁ କରି ଅନେଇଲା । ସାହେବ କହିଲେ....

 

‘ତମର ମଣିଷମାଂସ ଚାଖିବାରେ ଅନୁଭୂତି ହେଇ ନାଇଁ ତ....ସେଇଥି ପାଇଁ । ତମେ ସେ ସ୍ଵାଦୁ ଚାଖିବ ।’

 

‘ସାର୍, ଆପଣ ମଣିଷମାଂସ ଖାଇଚନ୍ତି… ?’

 

ଅତି ଆଶ୍ଚର୍ଯ୍ୟରେ ପଚାରିଲା ସେବତୀ, କିନ୍ତୁ ତା’ର ଏତେ ବଡ଼ ଆଗ୍ରହର ପ୍ରଶ୍ନଟାର ଉତ୍ତରକୁ ବଡ଼ ହାଲ,,,,,କା ଭାବରେ ହସି ହସି କହିଲେ–

 

‘ପ୍ରାୟ ସବୁଦିନ.....’

 

‘ମିଛ କଥା.....’

 

‘ବିଶ୍ଵାସ କର । କିନ୍ତୁ ଶୀକାର କରି ନୁହେଁ । ପୋଷି କରି ।’

 

କ୍ରମେ କ୍ରମେ ଏ ସବୁ କଥାଗୁଡ଼ାକ ସେବତୀକୁ ଅଡ଼ୁଆ ଲାଗିଲା ବୁଢ଼ିଆଣୀ ଜାଲ ଛନ୍ଦି ହେଲା ଭଳି । ସେ ଭାବିଲା, ଗୋଟାଏ ଗପିବା କଥା ବୋଲି ତା’ ସାର୍ ଏମିତି ଗପୁଚନ୍ତି । ଆଉ କ’ଣ ଗପନ୍ତେ ଯେ.... !

 

‘ତମେ କେବେ ଚାଖି ନ.... ?’

 

ହସିଲା ସେବତୀ.....

 

‘ଚାଖିବାକୁ ଇଚ୍ଛା ହଉ ନାଇଁ ତମର ?’

 

ସେବତୀ କ’ଣ କହିବ କିଛି ଉତ୍ତର ପାଇଲାନି ଏ ଅସମ୍ଭବ ପ୍ରଶ୍ନର । ପୁଣି କହିବା ଆରମ୍ଭ କଲେ ଅଫିସର ସେମିତି ଅଗଣାଟାରେ ବୁଲିବୁଲି ।

 

‘ଏ ନିଃସଙ୍ଗ ଜୀବନ କେଡ଼େ ଦୁର୍ବିସହ ତମେ ତା’ ବୁଝିପାରିବନି ସେବତୀ ! ସଙ୍ଗ ଯାହାର ନାଇଁ ସେ ଅଲଗା କଥା । ଏଇ ତ ତମେ ବେଶ୍ ଆରାମରେ ଅଛ । କିନ୍ତୁ ଯାହାର ଥାଇ ବିଚ୍ଛେଦ ହେଇଚି, ସେ ବଡ଼ ଯନ୍ତ୍ରଣାଦାୟକ ।’

 

କଥାଟା କେମିତି ଟିକେ ଆଗ କଥାରୁ ଖାପ୍‌ଛଡ଼ା ଲାଗିଲା ସେବତୀକୁ । ପୂର୍ବାପର ସମ୍ବନ୍ଧରେ ମିଳେଇ ଦେଖିବାକୁ ଗଲାବେଳକୁ ସେ ଅନୁଭବ କଲା ପଛଆଡ଼ୁ ତା’ ମୁଣ୍ଡରେ କିଏ ହାତ ଦଉଚି । ଜୁଡ଼ାରେ ହାତ ଦେଇ ଦେଖିଲା ଗୋଟାଏ ଫୁଲ ଖୋସା ହେଇଯାଇଚି ୟା ଉପରେ । ସେ ବୁଝିଲା ଯେ ଯୋଉ ଗୋଲାପଫୁଲଟାକୁ ଧରି ନାକରେ ଲଗାଉଥିଲେ ହାକିମ, ସେଇଟା ତା’ ଗଭାକୁ ଆସିଯାଇଚି । ଫୁଲଟାରେ ଖୋସିବାର କିଛି ନ ଥିଲା କିନ୍ତୁ ସେ ଅନୁଭବ କଲା ଯେ ଅଫିସରଙ୍କ ଦେହ ଆଉ ତା’ ମୁଣ୍ଡ ଭିତରେ ବେଶୀ ଦୂରତ୍ଵ ନାହିଁ । ଏତିକିବେଳେ ସେ ଟିକେ ଟିକେ ବୁଝିଲା ଯେ ନିଃସଙ୍ଗତାଟାକୁ କେମିତି ଭାବରେ କଟେଇବାକୁ ଚାହୁଁଚନ୍ତି ତା’ର ଅଫିସର.... ।

 

‘ତମେ ମୋ ପାଇଁ ବହୁତ ଭଲ ଜିନିଷ ତିଆରି କରି ମତେ ଚଖେଇଚ । ହେଲେ, ମୁଁ ତମକୁ ଆଜି ମୋର ସେ ପ୍ରିୟ ମଣିଷମାଂସ ଚଖେଇବି । ତା’ପରେ ତମେ ମତେ କହିବ ସେବତୀ କୋଉଟା ମଧୁର ।’

 

ସେବତୀର ପ୍ରଥମେ ଘୃଣା ହେଲା କେମିତି ସେଗୁଡ଼ା ଚାଖିବ ସେ । ସେ ଯେ ନିଜେ ଗୋଟାଏ ମଣିଷ । ସେଇ ଏକା ରକ୍ତର ସ୍ଵାଦୁ......... !!!

 

ଏଇ କଥାର ସିଦ୍ଧାନ୍ତରେ ପହଞ୍ଚିବା ଆଗରୁ ସେ ଦେଖିଲା–ଅଫିସର ତାକୁ ଏକ ରକମ ଏକାନ୍ତ ନିଜର ଭଳି ନିଜ ଆଡ଼କୁ ଆଉଜେଇ ନଉଚନ୍ତି । ହୁଏ ତ ଏଇଟା ଆତିଥ୍ୟ ସତ୍କାର କରିବାର ପୂର୍ବାଭାସ !

 

‘ଏଇ ଫାଇଲ୍‌ଟା ନେଇ ସେଇଠି ରଖିଦିଅ ।’

 

ସରକାରୀ ଫାଇଲ୍‌ନେଇ ଶୋଇଲାଘରର ଟେବୁଲ ପାଖକୁ ଗଲା ସେବତୀ । ପଛେ ପଛେ ତା’ର ଅଫିସର । ଟେବୁଲରେ ରଖିବାବେଳକୁ ଶୋଇଲାଘରର ଦରଜା ଭିତରୁ ଆଉଜେଇ ଦେଇଥିଲେ ସେ । ସେବତୀ ପ୍ରତିବାଦ କଲାନି । କାରଣ ପ୍ରତିବାଦ କରିବାରେ ଯେହେତୁ କିଛି ମାନେ ହୁଏନା । ସେ ତ ମଣିଷ..... ଦେବତା ନୁହେଁ..... । ବରଂ ଜୀବନର ଏକ ନୂଆ ସ୍ଵାଦୁ ଆଉ ନୂଆ ବାସ୍ନା ପାଇବା ପାଇଁ ସେ ଚଞ୍ଚଳ ହେଇ ଉଠିଥିଲା ।

 

ଟିକେ ପରେ ପଚାରିଲେ ଅଫିସର–

 

‘ଦାଣ୍ଡ ଦରଜାଟା ତମେ ଆସି ବନ୍ଦ କରିଥିଲ ତ ?’

 

‘ମନେ ନାଇଁ....”

 

‘ରୁହ, ମୁଁ ବନ୍ଦ୍ କରି ଆସେ....”

 

ବେଶ୍‌, ସେଇ ଯେ ବନ୍ଦ ହେଲା ଦରଜା ସେଦିନ ସେଇଦିନଠୁ ଆଉ ସେଇଟାର ବ୍ୟତିକ୍ରମ ହେଇନି ବହୁତ ଦିନ ଯାକେ । ପ୍ରତିଦିନର ନିଃସଙ୍ଗତାକୁ ଦୂର କରିବା ପାଇଁ ଦିହେଁ ବ୍ୟଗ୍ର ହେଇଉଠନ୍ତି ଯେତେବେଳେ–ଦରଜାଟା କେଇଟି ମୂହୁର୍ତ୍ତ ପାଇଁ ଏମିତି ବନ୍ଦ ହୁଏ । ସେଇ ମୂହୁର୍ତ୍ତରେ ସେବତୀ ବୁଝିଲା ଯେ ପ୍ରକୃତରେ ମଣିଷ ଭିତରେ ବି ବାଘର ପ୍ରବୃତ୍ତି ଅଛି । ଆଉ ମଣିଷମାଂସର ସ୍ଵାଦ ଥରେ ଚାଖିଲା ପରେ ତା’କୁ ଏଡ଼ିଦବା ଭାରି କଷ୍ଟ ।

 

ସବୁଦିନିଆ ଧାରାରେ ଏଇଟା ପଡ଼ିଗଲା ପରେ ହୁଏ ତ ଏ ସମ୍ପର୍କ ଅନ୍ୟ ଲୋକମାନଙ୍କର ଯେ ଚକ୍ଷୁଶୂଳ ନ ହେଇଚି, ତା’ ନୁହେଁ । ବାର ଲୋକ ବାର ରକମର ଇଙ୍ଗିତ କରି କଥାଟାକୁ କହିଚନ୍ତି । କିନ୍ତୁ ସେବତୀ ସେ ସବୁକୁ ଖାତିର କରିନାଇଁ । ତା’ର କେବଳ ଜଣକର ମତାମତ ଲୋଡ଼ା । ସେ ହେଲେ ତା’ର ହାକିମ । ସେ ଦେବେ ତାକୁ ଚାକିରୀର ପ୍ରମୋଶନ୍‌ । ସେ ଦଉଚନ୍ତି ତାକୁ ଭଲ କାମ କରୁଚି ବୋଲି ରିପୋର୍ଟ । ଅନ୍ୟ ଲୋକଗୁଡ଼ାକ କହି ତା’ର କ’ଣ କରିବେ-?

 

କିଛିଦିନ ଏମିତି ଗଡ଼ିଗଲା ।

 

କିନ୍ତୁ ଯୋଉଦିନ ସେବତୀ ଜାଣିଲା ଯେ ବେଶ୍ କିଛିଦିନ ଗଡ଼ିଯାଇଚି, ସେତିକିବେଳେ ତା’ର ଚେତନା ପଶିଲା । ସବୁ ଯାଇ ସେଦିନ ସେ କହିଗଲା ହାକିମଙ୍କୁ କାନ୍ଦ କାନ୍ଦ ଆଖିରେ । ହାକିମ କଥାଟାକୁ ହସରେ ଉଡ଼େଇଦେଲେ–

 

‘ହଇ ହୋ, ଆଜିର ଏଇ ଯୁଗରେ ବିଜ୍ଞାନ ଯାଇ କୋଉଠି ଉଠିଲାଣି । ତମେ ଏଇଥିପାଇଁ ଗୋଟାଏ ଚିନ୍ତା କରୁଚ ? ଥରକୁ ଦି ଥର ଦରକାର ପଡ଼ିବ ନାଇଁ ଏମିତି ଜିନିଷ ସବୁ ହେଇଗଲାଣି ।

 

ଚମକି ପଡ଼ିଲା ସେବତୀ । ତା’ହେଲେ କ’ଣ ସେ ତା’ ରକ୍ତଟାକୁ ଏମିତି ମାରିଦବ....-?? ପର ମୁହୂର୍ତ୍ତରେ ଥମିଗଲା ସେ । ମାରି ନ ଦେଇ କ’ଣ କରିବ ? ସାହେବ ତା’ର ବିବାହିତ ବୋଲି ସେ କ’ଣ ଜାଣିନେଇଁ ? ତା’ହେଲେ ସେ ରାସ୍ତାଟା ବନ୍ଦ । ଘରସଂସାର କରିବାର ସ୍ୱପ୍ନଟା ନିଜର ବି ତ ଅଛି । ସମାଜରେ ସେ ଜଣେ ହତାକୁ ଚାହେଁ । ନ ହେଲେ ଏ ମଣିଷମାଂସର ସ୍ଵାଦୁ ଯାହା ତା’ ପାଟିରେ ଲାଗିଚି ସେଥିରୁ ତ ବଞ୍ଚିତ ହବ ସିଏ.... । ସେଥିପାଇଁ ଏ ପିଲାଟାକୁ ବଞ୍ଚେଇ ରଖି ପାଳିବା ପୋଷିବାଟା ବି ନୁହେଁ–ସେ ରାସ୍ତାଟା ବି ବନ୍ଦ I ତା’ହେଲେ.....-???

 

ତା’ପରଠାରୁ ଆରମ୍ଭ ହେଲା ଅଫିସରଙ୍କ ଅଭିଯାନ । ପ୍ରତିଦିନ କିଛି ନା କିଛି ଗୋଟାଏ ଆଣି ଖାଇବାକୁ ଦିଅନ୍ତି । ସବୁ ଖାଇ ଖାଇ ନୟାନ୍ତ ହେଇଗଲା ସେବତୀ; ଫଳ କିଛି ହେଲା ନାଇଁ । ଏଣେ ହାକିମଙ୍କ ସ୍ତ୍ରୀ ବାରମ୍ବାର ଚିଠି ଦେଲେଣି ତାଙ୍କୁ ନେଇ ଆସିବାକୁ । ସେ ଆସିଗଲେ ଯେତିକି ଟିକିଏ ଭରସା ଅଛି ସେବତୀର ହାକିମଙ୍କର ଆଗରେ କହିବାକୁ ସେ ବି ବନ୍ଦ ହେଇଯିବ । ଆଉ ଇଆଡ଼େ ଦିନକୁ ଦିନ ନିଜର ଦିହ ବଳେଇ ପଡ଼ୁଚି । କେଇଟା ଦିନ ଗଲେ ଅବୁଝା ବୁଲାଟାଏ ବି ଜାଣିପାରିବ ସେବତୀକୁ ଦେଖି । କ’ଣ କରିବ ସେ ?

 

ଏତେ ଚେଷ୍ଟା ପରେ ଯେତେବେଳେ କିଛି ହେଲା ନାଇଁ, ଅଫିସର ବି ଚିନ୍ତିତ ହେଇ ପଡ଼ିଲେ । ବେଳକୁ ବେଳ ତାଙ୍କର ଉତ୍କଣ୍ଠା ବି ବଢ଼ିଗଲା । ସେ ବି ବେଶୀ ବେଶୀ ଗୁରୁତ୍ୱ ଦେଇ ବସିଲେ । ନ ହେଲେ ଲୋକେ କୁହାକୁହି ହଉଥିବା କଥା ପୁଣି ସତକୁ ପାଇଯିବ । ଯେତେହେଲେ ସେ ସରକାରୀ ଚାକିରୀ କରିଚନ୍ତି ।

 

ଦିନକର ସଞ୍ଜବେଳେ ସେବତୀ କାନ୍ଦିଲା ଭାରି ହାକିମଙ୍କ ଆଗରେ । ସବୁ କହିଗଲା ତା’ର ଅବସ୍ଥା କଥା–କେମିତି ଖାଇବାକୁ ରୁଚୁ ନାହିଁ, ବାନ୍ତି ଦେଖଉଚି; ଏମିତି କେତେ କଥା । ସବାଶେଷରେ ସେବତୀ ଯେତେବେଳେ କହିଲା–

 

“ସାର୍‌ ! ଆପଣ ଯାହା କରିବାର କଥା ଶୀଘ୍ର କରିବେ ତ କରନ୍ତୁ; ନ ହେଲେ ମୁଁ ଆତ୍ମହତ୍ୟା କରିବି... !’

 

ଏଇ କଥାରେ ସାର୍‌ ଚମକି ଉଠିଲେ....ସତକୁ ସତ ଯଦି ସେବତୀ କିଛି କରିଦିଏ..... ? ତା’ହେଲେ ତ କଥାଟା ନିଶ୍ଚୟ ପରିଷ୍କାର ହୋଇଯିବ । ଶବ ବାହାରିବ । ଡାକ୍ତରୀ ପରୀକ୍ଷା ହବ । ସେଇଠୁ ସମସ୍ତେ ଜାଣିବେ ତା’ର ଅବସ୍ଥା କଥା । ନିଜେ କ’ଣ ସେ ନାଁ ଲୁଚେଇ ରକ୍ଷା ପାଇଯିବେ-? ଆଉ ସେଇଆ ନ କଟି କ’ଣ କରିବ ସେବତୀ..... ? ତାକୁ ତ କିଛି ହେଲେ ଗୋଟାଏ କରିବାକୁ ପଡ଼ିବ ! ଏଇ ରକମର ଚେଷ୍ଟାରେ ଯଦି କିଛି ଫଳ ନ ହେଲା, ତା’ହେଲେ ସେ କ’ଣ ପାଇଁ ଭରସା କରିବ ? ତା’ଛଡ଼ା ଏଇ କଥାଟା ସେ ଅଫିସରଙ୍କୁ ନ କହିବ ତ କାହାକୁ କହିବ.... ?

 

ସେଇଦିନ ଭାରି ଚଞ୍ଚଳ ହେଇ ଉଠିଲେ ଅଫିସର । ତାଙ୍କ ମୁଣ୍ଡକୁ ଗୋଟାଏ ବୁଦ୍ଧି ଜୁଟିଲା । ସେଇ ଅନୁଯାୟୀ ସବୁ ଆଲୋଚନା କରିଦେଲେ । ସେବତୀର ବି କଥାଟା ମନକୁ ପାଇଲା । ଯେତେ ଶୀଘ୍ର ହୁଏ ସେତେ ଭଲ ।

 

ଯୋଜନାଟା ହେଲା–କାଲି ଅଫିରଙ୍କର ଟୁର୍‌ ଯିବାର ଅଛି । ସେ ଟୁର୍‌କୁ ଯାଇ ସେଇଠୁ ଗୋଟାଏ ସେବତୀ ନାଁରେ ତା’ର କରିବେ ତା’ର ସାନଭାଇ ପଠେଇଚି ବୋଲି ଯେ–ମା ଦେହ ଖରାପ, ଜଲଦି ଆସ, ସେଇ ଅନୁଯାୟୀ ସେବତୀ ଛୁଟି ନେଇ ଦରଖାସ୍ତ ଆଠ ଦିନ ପାଇଁ କରି ବାହାରିବ । କିନ୍ତୁ କାଲି ଟୁର୍‌ଯିବା ଆଗରୁ ନିଜ ପିଲାପିଲିଙ୍କୁ ଆଣିବାକୁ ଯିବେ ବୋଲି ଅଫିସର ନିଜେ ଗୋଟାଏ ଛୁଟି ଦରଖାସ୍ତ କରିବେ । ଏମିତି ହେଇ ଦିହେଁ ବାହାରିବେ.... ତା’ପରେ ଯାହା କରିବାର କଥା ହାକିମ କରିବେ ।

 

ସେଇଆ ହେଲା, ସୁରୁଖୁରୁରେ ଉଭୟେ ଯାଇ କଲିକତାରେ ପହଞ୍ଚିଲେ । ସେଇଠି ସେବତୀ ଜୀବନର କେତେଗୁଡ଼ିଏ ଅଂଶ ଗୋଳିଆ ହେଇଗଲା..... ।

 

କଲିକତାରୁ ଯୋଉଦିନ ଦିହେଁ ଫେରୁଥିଲେ ସେତେବେଳେ ସେବତୀ ମନରେ କେତେ ଯେ ଭାବନାର ଜୁଆର ଉଠୁଥାଏ ତା’ର କିଛି ଇୟତ୍ତା ନାହିଁ । ନିଜ ଆଡ଼କୁ ଅନେଇ ନିଜେ ସେ ଶଙ୍କି ଯାଉଥାଏ । ଆଜିକି ବାର ଦିନ ଜମା ହେଇଚି, ହେଲେ ଏଇ ବାରଟା ଦିନ ଭିତରେ ତା’ର ଅବସ୍ଥା କ’ଣ ଦେଖାଯାଉଚି.... ! ସିଆଡ଼େ କୋଉ ଡବାରେ ବସିଚନ୍ତି ଅଫିସର–ଏକା ଡବାରେ ବସିବେ ନାଇଁ ବୋଲି । କାଳେ କିଏ କୋଉଠି ଦେଖିଦବ ତ ବାର ବର୍ଷର ତପସ୍ୟା ଶୁଖୁଆପୋଡ଼ାରେ ଯିବ-!

 

ତାଙ୍କ କଥା ଭାବିଲାବେଳକୁ ସେବତୀର ମନ ନରମ ହେଇଗଲା ଆହୁରି । ଆହା ! ସତେ ଦେବ ପୁରୁଷ ସିଏ । କି ତ୍ୟାଗ ନ କରିଚନ୍ତି ସେବତୀ ପାଇଁ । ହୁଏତ ହେଇପାରେ ତାଙ୍କ କୃତକର୍ମ, ହେଲେ ସେବତୀର କ’ଣ ସେଥିରେ କିଛି ଭାଗ ନାହିଁ... ??? ତାଙ୍କ ଅପେକ୍ଷା ତ ସିଏ ନିଜେ ବେଶୀ ପାଗଳ ହୋଇ ଉଠିଥିଲା ସେଇ ଭୋକଟା ପାଇଁ.... । କିନ୍ତୁ ଅଫିସର.... କେଡ଼େ ମହତ ସିଏ । ହୁଏ ତ ହେଇପାରେ ଫାଙ୍କିଦେଇ ଠକି ପାରିଥାନ୍ତେ । ତା’ନ କରି ଜୀବୀନପ୍ରାଣ ଦେଇ ସବୁ ତୁଚ୍ଛ କରି ଲାଗିଛନ୍ତି । ଟଙ୍କାଗୁଡ଼ାଏ ଖର୍ଚ୍ଚ ହେଇଗଲା ତାଙ୍କର । ହେଲେ କାଇଁ... ସେ ଟିକେ ତ ସେଥିପାଇଁ ଦୁଃଖ କଲା ଭଳି ଜଣା ପଡ଼ିଲାନି..... ।

 

ଏମିତି ଭାବୁ ଭାବୁ ଗୋଟାଏ ଅପକର୍ମ ପାଇଁ ସେବତୀ ମନ ଯେତିକି ଦୁଃଖିତ ହେଇ ଉଠିଥିଲା ତା’ଠାରୁ ତାକୁ ବେଶୀ ଆନନ୍ଦ ଦେଇଥିଲା ଆଉ ଗୋଟାଏ କଥା ସେଇଟା ହଉଚି–ଏଡ଼େ ସହଜର କଥାଟାକୁ ସେ ଏତେ ଗୁରୁତ୍ଵ ଦେଇ ଭାବୁଥିଲା.... ?? ପଇସା ଯାହାର ଥିବ ତା’ପାଇଁ ଏଇଟା ତ ଜମା ବିପଦ ନୁହେଁ–ବରଂ ସଉକ୍‌ !!! ଗୋଟାଏ ଦିନ ଖାଲି ଯାହା ସେ ବେହୋସ୍ ହୋଇ ରହିଲା....କିଛି ଜାଣି ନାଇଁ.... ।

 

ଯୋଉଦିନ ସେବତୀ ପହଞ୍ଚିଲା ତା’ଚାକିରୀ ଗାଁରେ, ତା’ର ଦି’ଦିନ ପରେ ପହଞ୍ଚିଲେ ତା’ଅଫିସର । ବାଟରେ କୋଉଠି ରହିଗଲେ....କେହି କିଛି ଜାଣିଲେ ନାଇଁ । ସେବତୀକୁ ଯିଏ ଯେମିତି ତା’ର ସ୍ଵାସ୍ଥ୍ୟ ଏମିତି କାଇଁ ହେଇଚି ବୋଲି ପଚାରନ୍ତି, ସେବତୀ ତାଙ୍କୁ ସନ୍ତୋଷଜନକ ଉତ୍ତରଟାଏ ଦେଇଚି–ମା’ର ଅବସ୍ଥା ସାଙ୍ଘାତିକ ହେଇ ଯାଇଥିଲା । ଏ ଦୀର୍ଘଦିନ ଧରି ଖାଲି ରାତିଅନିଦ୍ରା ରହି ଖଟି ଖଟି ତା’ର ଏ ଅବସ୍ଥା । ସମସ୍ତେ କେବଳ ବିଶ୍ଵାସ କରି ନାହାଁନ୍ତି; ଓଲଟି ତାକୁ ଉପଦେଶ ଦେଇଚନ୍ତି ସେ ଆଉ କେଇଟା ଦିନ ଛୁଟି ବଢ଼େଇ ସିଏ ନିଜେ ସୁସ୍ଥ ହେଇ ଆସିଲା ନାଇଁ କାଇଁକି ? ସବୁଠାରୁ ବେଶି ସମଦୁଃଖୀ ପାଲଟିଥିଲେ ଚେୟାରମେନ୍‌ ମହାଶୟ । ପାଠଶାଠ ନ ପଢ଼ି ବି ସେ ସରକାରୀ ହାକିମଙ୍କର ଉପରର ଲୋକ । ତାଙ୍କୁ ହାକିମଙ୍କର ସବୁଠଉଁ ବେଶି ଡର-। ରାଜନୀତିରେ କୁଆଡ଼େ ତାଙ୍କର ଭାଗ ଅଛି ବୋଲି ସେ ଆଗ ଦେଶସେବକ, ତା’ପରେ ତାଙ୍କର ତଳ ତଳିଆ ଏଇ ସରକାରୀ ଅଫିସର ।

 

ଚେୟାରମେନ୍‌ ବେଶ୍‌ ବୁଢ଼ା ନ ହେଲେ ବି ଦରବୁଢ଼ା କହିଲେ ଟିକେ କମ୍ ହେଇଯିବ । ସେବତୀକୁ ଟିକେ ଆଡ଼ଆଖିରେ ଦେଖିଲେ ବି ଏଥର କାଇଁକି ବଦଳି ପଡ଼ିଲା ପରି ଜଣାଗଲା ସେବତୀକୁ । ବାପ ଭଳି ସ୍ନେହ କରନ୍ତି ସେ । ତେଣୁ ତାଙ୍କ ଆଖିକୁ ବୋଧ ହୁଏ ବେଶି ଜଣାପଡ଼ିଲା ସେବତୀର ଦୁରବସ୍ଥାଟା । ସେଇଥିପାଇଁ ସେ କହିଲେ–

 

‘ତମେ ଆଉ କେଇଟା ଦିନ ଏଇଠି ପୂରା ବିଶ୍ରାମ ନିଅ । ବେଶି କାମଦାମ କରି ଖଟିବା ଦରକାର ନାଇଁ । ମୁଁ ତମ ଅଫିସର ଆସିଲେ ସେଇଆ କହିଦେବି । ସେ ତ ଫେରିଲେ ନାଇଁ । ବୋଧହୁଏ ଏକାଥରକେ ଫେମେଲି ନେଇ ଆସିବେ.... । ଅବଶ୍ୟ ତାଙ୍କୁ ମୁଁ କହିଚି, ଡେଲିଭରୀ ପରେ ଏତେ ଜଲ୍‌ଦି ଆଣିବାଟା ମୋଟେ ସୂଟ୍‌ହବ ନାଇଁ ପିଲାକୁ । କ’ଣ କରୁଚନ୍ତି କେଜାଣି ? ତାଙ୍କ ଫେମେଲି ଜଣକ ଯୋଉ ଲେଡି ପୁଣି.....ବାବା ।’

 

ସେବତୀ ମନେ ମନେ ଜୁହାର ହେଲା ପ୍ରଭୁଙ୍କୁ । ସତରେ ଆଉ କେଇଟା ଦିନ ପାଇଁ ନ ଆଣିବେ କି, ତା’ହେଲେ ସେବତୀ ନିଜର ଅବସ୍ଥାକୁ ବାଗେଇ ନେଇପାରିବ । ଏ ଚେୟାରମେନ୍‌ଙ୍କର ମତ ଶୁଣି ସେ ଟିକେ ଆଶ୍ଵସ୍ତ ହେଲା । ......ଯା’ହଉ ଅଫିସରଙ୍କୁ ଆଉ ବେଶି ଅପଦସ୍ତ ହବାକୁ ପଡ଼ିବ ନାହିଁ ।

 

ଚେୟାରମେନ୍‌.... !

 

Unknown

ପାଠ ପୋଥିପଢ଼ା ପର୍ଯ୍ୟନ୍ତ ହେଲେ ବି ଏବକୁ ତାଙ୍କୁ ସବୁ ହାକିମଙ୍କ ସାଙ୍ଗରେ ମିଶିବାକୁ ପଡ଼ୁଚି, ତାଙ୍କ ନାଁରେ ସବୁ ଚିଠି ଆସୁଚି, ଆଉ ତାଙ୍କ ଦସ୍ତଖତରେ ସବୁ ଚିଠି ଯାଉଚି ବୋଲି ସେ ନିଜର ଦୁର୍ବଳତାଟାକୁ ଦେଖିବାକୁ ଚାହାଁନ୍ତି ନାଇଁ ଜମା । ତେଣୁ ଏଇ କଥା ବୁଝି ସେ ଯୋଉଦିନଠାରୁ ଅଧା ଇଂରେଜୀ ମିଶା କଥା କହିବା ଆରମ୍ଭ କଲେଣି, ସେଇଦିନଠାରୁ ତାଙ୍କ କଥା ଟିକେ ବୁଝିବାକୁ ପଡ଼େ । କାରଣ କୋଉ ଶବ୍ଦଟା କିପରି ଭାବରେ ସେ ପ୍ରୟୋଗ କରନ୍ତି ଏବଂ କେତେଟା ଜାଗା ନେଇ ପ୍ରୟୋଗ କରନ୍ତି–ସେଇଟା ଜାଣିବା କଷ୍ଟ ଟିକେ । ସେ ଯା’ହଉ, ତା’ର ଅବେଳରେ ଯେ ତା’ପ୍ରତି ଚେୟାରମେନ୍‌ଙ୍କର କୃପାଦୃଷ୍ଟି ହେଇଚି ଏଇ କଥା ଜାଣି ଆଶ୍ଵସ୍ତ ହେଲା ସେବତୀ । ହୁଏ ତ ହେଇଥିବ ଯେ ଭଲ ବେଳଟାଏ ଆସିଲେ ଏମିତି ସବୁ ହେଇଯାଏ । ଚାଲିଯାଉଥେଲା ବାଧ୍ୟପିଲାଟି ପରି ତାକୁ ଡାକିଲେ ଚେୟାରମେନ୍‌– ।

 

‘ସେବତୀ ! ତମେ ଟିକେ ସେ ଆମେରିକା ଖାଇବା ଜିନିଷଗୁଡ଼ାକର ହିସାବ ଠିକ୍‌ କରିଦବ ଆଜି କାଲି ଭିତରେ । କଥାଟା କ’ଣ କି, ମୋର ତ ସେଗୁଡ଼ା ଦେଖାଦେଖି କରିବାର ନୁହେଁ । ତା’ ଛଡ଼ା ତା’ର ଭାଗମାପ ବିଷୟରେ ବି ମୁଁ କିଛି ଜାଣିନାଇଁ । ତେଣୁ ଏଇ କେଇଦିନ ଭିତରେ ସେଗୁଡ଼ା ଟିକେ ବହୁତ ଏ ପଟ ସେ ପଟ ହେଇଯାଇଚି..... । ଏଇ ଧର, ଅଧଟିଣେ ଜାଗାରେ ଗଅଣ୍ଠ କୁଆଡ଼େ ଚାଲିଯାଇଥିବ । ତାଙ୍କୁ ଟିକେ କେମିତି ମ୍ୟାନେଜ କରିବ ।’

 

ସେବତୀ ମୁଣ୍ଡଟୁଙ୍ଗାରି ସମ୍ମତି ଜଣେଇଲା । ଦିହେଁଯାକ ଛୁଟିରେ ଯିବାର ହେଲା ବୋଲି ସେ ଚେୟାରମେନ୍‌ଙ୍କ ହାତରେ ଷ୍ଟୋର୍‌ର ଚାବି ଦେଇଗଲା ସେ ଯାହାକୁ ଦବାର କଥା ଦେବେ ବୋଲି.... । ହେଲେ, ସେ କାହାକୁ ନ ଦେଇ ୟା ଭିତରେ ନିଜେ ବୁଝାସୁଝା କରିଚନ୍ତି କାଳେ କିଏ କ’ଣ ନେଇ ନାଇ ଯିବ ବୋଲି । ତେବେ ସେଇ ଦୃଷ୍ଟିରୁ କେତେ ଏମିତି ଇଆଡ଼େ ସିଆଡ଼େ ହେଇଥିବ..... ? ସେଇଟା କ’ଣ ବଡ଼ କଥାଟାଏ ?

 

ଚାବିକାଠି ନେଇଗଲା ଚେୟାରମେନ୍‌ଙ୍କ ହାତରୁ । କାଲିଠଉଁ ପୁଣି ତା’ର ପାଳି..... ।

 

ତା’ପର ଦିନ ଯେତେବେଳେ ସେ ଷ୍ଟୋର ଖୋଲିଲା, ତାକୁ କେମିତି ପ୍ରଥମେ ଅଡ଼ୁଆ ଲାଗିଲା । ଖାତା’ ମିଳେଇ ସେ ଯେତେବେଳେ ତା’ ଯିବା ଆଗର ହିସାବ ସାଙ୍ଗରେ ବର୍ତ୍ତମାନର ଜିନିଷଗୁଡ଼ାକୁ ଗଣତି କଲା, ତା’ମୁଣ୍ଡ ଉପରେ ବଜ୍ର ଛିଡ଼ିଗଲା ପରେ ଜଣାପଡ଼ିଲା । ଏଇ ପନ୍ଦର ଦିନ ଭିତରେ ନିକୁଛିଆରେ ଦେଢ଼ମାସର ଜିନିଷ ଖାଲି ହେଇଯାଇଚି । ଏଗୁଡ଼ାକ ତ ଖାଲି ବୋହି ହବ ନାଇଁ.....ତା’ହେଲେ କ’ଣ ଗାଡ଼ି ଲଗେଇ ବୋହି ନେଇଗଲେ..... ? କ’ଣ କରିବ ସେ ? କେମିତି ସେଗୁଡ଼ାକର ହିସାବ ଦବ.... ? ନ ଦେଇ ବା ଗତି କୁଆଡ଼େ ? ? ସେ କ’ଣ ଆଉ ଯାଇ କହିବ ଚେୟାରମେନ୍‌ଙ୍କୁ ଏଗୁଡ଼ା କୁଆଡ଼େ ଗଲା ବୋଲି ! ତା’ହେଲେ ଖୋଳତାଡ଼ ହେଲେ ସେବତୀ ସିନା ମରିବ ...... ତାଙ୍କର କ’ଣ ହେଇଯିବ ?–ରାଜନୀତିରେ ପରା ତାଙ୍କର ହାତ ଅଛି ? ରାଜ୍ୟଟାକୁ ଗଢ଼ୁଛନ୍ତି ସିଏ.... । ବରଂ ଏମିତି ଟିକେ ଚଳେଇ ନେଇଥିଲେ ବେଳ ପଡ଼ିଲେ ସେ ବି ଦୟା କରିବେ ।

 

ସେଦିନ ତାକୁ ଚେୟାରମେନ୍‌ ପଚାରିଲେ–

 

‘କ’ଣ ସେବତୀ ! ସବୁ ଦେଖିନେଲ ?’

 

‘ଆଜ୍ଞା ହଁ... ?’

 

‘ସବୁ ଠିକ୍‌ହେଇଗଲା ତ ?’

 

‘ହଁ ସାର୍‌.....କରିଦେବି ଚେଷ୍ଟାକରି.....’

 

‘ହଁ–ସବୁ ହେଇଯିବ ମ ଚେଷ୍ଟାକଲେ...ଇଏ ହେଇ ହେଇ କେତେ ଏମିତି ଏପଟ ସେପଟ ହେଇଥିବ ଯେ ଆଉ.... ! ଆଉ ତମ ଦିହ କେମିତି ଅଛି ?’

 

ନାଇଁ, ଟିକେ ଭଲ ଅଛି....’

 

‘ହଉ, ତମେ ରେଷ୍ଟ ନିଅ । ଆରେ ସେବତୀ ! ମୁଁ ଗୋଟିଏ କଥା କହିବାକୁ ଭୁଲି ଯାଉଚି । ସବୁବେଳେ ଏଇ ଯୋଉ କାମରେ ବ୍ୟସ୍ତ ରହିଲା ମଣିଷ ସେଥିରେ କ’ଣ ଫେମେଲି କଥା କିଛି ମନେରହୁଚି ? ସବୁବେଳେ ତ ଏଇଟା ହେଲା ନାଇଁ, ସେଇଟା ହେଲା ନାଇଁ..... । ଆଜି ଏ ବନ୍ଧ ପାଇଁ ଟଙ୍କା ମିଳିଲା..... କାଲି ସେ ନାଳ ଟଙ୍କାଗୁଡ଼ା ଡେମର୍କ୍କ ହେଇଗଲା....କେତେ ବୁଝିବି-? ଇଏ କଥା କ’ଣ କି.....ଆମ ଘରେ ବହୁତ ଥର କହିଲେଣି ତମକୁ ଦେଖିବାକୁ । ମତେ ପଚାଶ ଥର କହିଲେଣି–ହେଲେ, ମୋର କ’ଣ ମନେ ପଡ଼ୁଚି ଯେ ମୁଁ କହିବି ?’

 

‘ନାଇଁ ସାର୍‌, ମୋର କହିବା ଦରକାର କ’ଣ–ମୁଁ ଯାଇ ସାରନ୍ତିଣି ଯେ; କିନ୍ତୁ......’

 

‘କିନ୍ତୁ ପୁଣି କ’ଣ .......’

 

‘ମୁଁ ଶୁଣିଚି .... ।’

 

‘କ’ଣ ଶୁଣିଚ..... ?’

 

‘ଏଇ ଆପଣଙ୍କ ଘରେ ଟିକେ ପୂଜାପତ୍ର.....’

 

‘ଓହୋ, ଆରେ ତମେ ଏଇ ଖ୍ରୀଷ୍ଟିୟାନ୍‌ ବୋଲି କହୁଚ ତ ? ନାଇଁ ନାଇଁ, ସେଥିରେ କ’ଣ ଅଛି ? କାଲି ସେ କଥା ଫେମେଲିଙ୍କ ଆଗରେ କହୁ ନ ଥେଲେ କି ! ସେ କହିଲେ ବାହାରୁ ବାହାରୁ ବୁଲିଯିବ । ସେ କ’ଣ ଆମ ହାଣ୍ଡି କୁଣ୍ଡେଇ ଛୁଉଁଚି.... ? ଆରେ ବାବୁ ! ଆଉ ସେଗୁଡ଼ା କିଏ ମାନୁଚି ? ତଥାପି ଘର କରିଥାଇଁ ଯେତେବେଳେ...... ।’

 

‘ହଉ ସାର୍‌, ମୁଁ ତା’ହେଲେ ଯିବି ଆଜି.....’

 

ସେଦିନ ସତରେ ଗଲା ସେବତୀ ତାଙ୍କ ଘରକୁ । ସାଆନ୍ତାଣୀ କେତେ ଆଡ଼ୁ କେତେ କଥା ପଚାରିଲେ । ସବାଶେଷକୁ ପଚାରିଲେ ଯେ ସେଇ ଆମେରିକା ଖାଇବାଗୁଡିକ କେମିତି ତିଆରି ହୁଏ । ସେବତୀ ସବୁ କିତା’ କିତା’ କରି ତାଙ୍କୁ ବୁଝେଇଦେଇ ଆଇଲା । ଗୋଟି ଗୋଟି କରି ଘୋଷିଲା ଭଳି ସବୁ ମନେ ରଖିଲେ ସାଆନ୍ତାଣୀ । ସେବତୀ ଲେଉଟିଲା ।

 

ତା’ପରେ ସାହେବ ଫେରିଲେ । ସମସ୍ତଙ୍କ ସାଙ୍ଗରେ ସେବତୀ ପଚାରିଲା–ପିଲାପିଲି ଆଣିଲେ କି ନାଇଁ ବୋଲି । ସାହେବ ଉତ୍ତର ଦେଲେ ଯେ ସାନ ଛୁଆଟାକୁ ଭାରି ଜର ହେଲା । ନିମୋନିଆ ବୋଲି ଜଣାପଡ଼ିଲା । ତା’ର ଟିକେ ଅବସ୍ଥା ଭଲ ହବାରୁ ସେ ଆସିଲେ ସିନା, କିନ୍ତୁ ସେମାନଙ୍କୁ ଆଣିଲେ ନାଇଁ ।

 

ସେଦିନ ସଞ୍ଜବେଳେ ସେବତୀ ଗଲା ତାଙ୍କ ଘରକୁ । ହେଲେ, ସିଧା କରି ତାଙ୍କୁ ଚାହିଁ ପାରୁନଥାଏ । କେମିତି ଖାଲି ଲାଜ ମାଡ଼ୁଥାଏ ତାକୁ । କେତେବେଳକେ ଅଫିସର ପଚାରିଲେ–

 

‘କ’ଣ ସେବତୀ, ଦିହ ବର୍ତ୍ତମାନ କେମିତି ?’

 

‘ଭଲ ଅଛି ସାର୍‌.....’

 

‘ଏକ ଦମ୍‌ଭଲ.... ?’

 

‘ପ୍ରାୟ ...’

 

‘ଟିକେ ଯାହା ଦୁର୍ବଳ ଲାଗୁଥିବ, ନାଁ... ?’

 

‘ହଁ, ସେଇଟା ଖିଆପିଆ କଲେ ବଳେ ହେଇଯିବ ।’

 

ହସିଲେ ଅଫିସର । ଟିକେ ଅଲଗା ରକମର ଚାହିଁଲେ ସେବତୀକୁ ।

 

‘ସେଇଟା କ’ଣ ଖାଲି ଖାଇଲେ ହେଇଯିବ ବୋଲି ଭାବୁଚ ?’

 

ଆଉ କ’ଣ କଲେ ହବ ବୁଝିନପାରି ସେବତୀ ଚାହିଁଲା ଅଫିସରଙ୍କୁ । ଅଫିସର କେମିତି ଟିକେ ଗାଢେଇ କରି ଅନେଇଦେଲେ ସେବତୀକୁ ଆଉ ସେଇ ତାଙ୍କର ଶୋଇବା ଘର ଆଡ଼କୁ ଥରେ ଚାହିଁ ଫିକ୍‌କରି ହସିଦେଲେ ହସଟାଏ । ସେ ହସର ମାନେ ବୁଝି ସେବତୀ ତଳକୁ ମୁହଁ କଲା-

 

ତମେ ଏଇଟାକୁ ବହୁତ୍ ବଡ଼ କଥାଟାଏ ବୋଲି ଭାବିଥେଲ ନାଁ.. ?

 

କିଛି କହିଲା ନି ସେବତୀ । ପ୍ରକୃତ କଥାଟା ତ...... ।

 

ମନେ ଅଛି ଯୋଉଦିନ ମତେ ଆସି କହୁଥିଲ ଆତ୍ମହତ୍ୟା କରିବ ବୋଲି......ମୁଁ ଯେତେବେଳେ ବୁଝିଝେଇଥିଲି ତମେ ମତେ ନିଶ୍ଚୟ ଅବିଶ୍ୱାସ କରିଥିବ, ନୁହେଁ ?’

 

‘ନାଁ, ସାର ଅବିଶ୍ଵାସ....’

 

‘ହଁ ସେବତୀ, କରିବା କଥା । ସିଏ ହେଇଥିଲେ କରିଥାନ୍ତା’ । କିନ୍ତୁ ମୁଁ ତମକୁ କେମିତି ବୁଝେଇବି ମୋର ଅବସ୍ଥା । ବାହା ଯଦି ମୁଁ ହେଇନଥାନ୍ତି ତାହାହେଲେ ପ୍ରକୃତରେ ତମେ ମୋ ମମତାଟାକୁ ପରଖି ଦେଖିଥାନ୍ତି । ମୁଁ କାଇଁକି ପୂରାପୂରି ତମର ହେଇ ପଡ଼ିଚି...... ।’

 

ସେବତୀ ଭାବିଲା–ପ୍ରକୃତ କଥା । ତା’ ନ ହେଇଥିଲେ କ’ଣ ପିଲାଛୁଆଙ୍କର ମୋହ ଛାଡ଼ି ଅଫିସର ଏମିତି ଏକା ଏକା ରହି ସେବତୀ ପାଇଁ ଏତେ ତ୍ୟାଗ କରୁଥାନ୍ତେ ..... ! ତାକୁ ସେ ଆହୁରି ମହାନ୍‌ ଦିଶିଲେ ।

 

ସେଦିନ ଆଉ ବିଶେଷ କିଛି କଥା ହେଲା ନାହିଁ । ଖାଲି ମନଖୋଲା କେଇ ପଦ କଥାବାର୍ତ୍ତାରେ ସେବତୀ ଫେରିଲା । କଥା ପ୍ରସଙ୍ଗରେ ସେ କହିଲା ଚେୟାରମେନ୍‌ଙ୍କ କଥା ଅତି ବିଶ୍ଵାସରେ । କେମିତି ଷ୍ଟୋରରୁ କେତେ ଯାଇଚି..... ହିସାବ ଇତ୍ୟାଦି ନାହିଁ । ହେଲେ, ଉତ୍ତରରେ ହାକିମ କହିଲେ–

 

ଆଃ..... ତମେ ସେଗୁଡ଼ାକ ପାଇଁ ବ୍ୟସ୍ତ ହୁଅ ନାଇଁ ମ ! ସେଇଟା କରିବା କ’ଣ ବଡ଼ କଥାଟାଏ ? ତାକୁ କୌଣସିମତେ ଚଳେଇଦବା । ଆଉ କ’ଣ ସେଇଟା ସାଙ୍ଗରେ ଯାଇ ଖିଟି ଖିଟି ହବା ? ବାର ଖୁଞ୍ଚ ଲଗେଇଦବ ତା’ କଥା ପଡ଼ିଲେ । ମୋ ଠଉଁ ଗୋଟାଏ ସର୍ଟିଫିକେଟଟାଏ ସେ ଖାତାରେ କରେଇ ନବ–ଗଲା ଆଉ କ’ଣ ......ତାକୁ ପରେ ଦେଖିବା ।

 

ଖୁବ୍‌ଶୀଘ୍ର ସେ ଏ କଥାକୁ ଶେଷ କରିବାକୁ ଚାହିଁଥିଲେ । ମନ ଖୁସିରେ ସେବତୀ ଫେରିଲା ସେଦିନ । କିନ୍ତୁ ସେଦିନ ପରେ ଆଉ କେଇଟା ଦିନ ଯାଇଚି କି ନାଇଁ ସେବତୀ ଆଉ କଥାବାର୍ତ୍ତା ରେ ସନ୍ତୁଷ୍ଟ ହେଇ ଫେରେ ନାହିଁ । ପୁଣି ତାକୁ କେଇଟା ମୂହୁର୍ତ୍ତ ପାଇଁ ଦରଜା ଆଉଜେଇବାକୁ ପଡ଼େ । ଏଥର କିନ୍ତୁ ତା’ର ଆଉ ଉପାୟ ନାଇଁ । କାରଣ ଏଡ଼େ ସହଜ କଥାଟାକୁ ସେ ବହୁତ ବଡ଼ କରି ଧରି ନେଇଥିଲା । ତା’ ଛଡ଼ା, ଯାହା ପାଖରେ ସେ ଋଣୀ ସେ ଯଦି ଭିକ୍ଷା ମାଗି ବସନ୍ତି ତାହାହେଲେ ସେବତୀ ନିଜକୁ କ୍ଷମାଦେଇ ପାରିବ ନାଇଁ । ଓଲଟି ଅଫିସର କହିଚନ୍ତି ଯେ ଖାଲି ଖିଆରେ ଦିହ ଲାଗିବ ନାଇଁ... । ତେଣୁ ଆଉ କିଛି ତାକୁ କରିବା ଦରକାର ଆଉ ସେ କରୁଚି । ଏତିକିରେ ବି ସରିଲା ନି କଥାଟା–ସାହେବ ତାକୁ ମୁକ୍ତକଣ୍ଠରେ କହି ଦେଇଚନ୍ତି ଯେ ତା’ ପାଇଁ ସେ ପାଗଳ ହୋଇଯିବେ । ତାକୁ ବହୁତ ଝୁରୁଚନ୍ତି ସେ.... । ସେବତୀ ଖାଲି ଆଶ୍ଵସ୍ତ ହୁଏ ନାଇଁ; ତା’ର ସଚ୍ଚୋଟ ପ୍ରେମ ପାଇଁ ସେ ଉଲ୍ଲସିତ ହୁଏ–ଗର୍ବ କରେ ।

 

ପୁଣି ନିତିଦିନିଆ ଧାରାରେ ଗଡ଼ିଚାଲେ ସେଇ ପୁରୁଣା ଚକଗୁଡ଼ାକ । ଅବିକଳ ସେମିତି-। କିନ୍ତୁ ତଫାତ୍ ଏଇଆ ଯେ–ଶଙ୍କା କାହାରି ମନରେ ନାଇଁ । ପୂରାପୂରି ନିଧଡ଼କ । ସେବତୀ ଅଫିସରଙ୍କ ନିଟୋଳ ସ୍ନେହରେ କ୍ରମେ ବିହ୍ଵଳ ହେଇ ପଡ଼ିଲା...... । କେତେ ଭଲ ନ ପାଉଚନ୍ତି ସେ-! ସତେ କି ଦିହେଁ ସ୍ଵାମୀ–ସ୍ତ୍ରୀ ଯେମିତି..... !

 

କେଇଦିନ କଟିଗଲା ଏମିତି । ଦିନକର ସେ ଆମେରିକାବାବୁ ଆସିଥାନ୍ତି । ଦିନବେଳେ ସବୁ ତାଙ୍କର ଆଣିଥିବା ଜିନିଷ ସଜାଡ଼ି ଗଣାଗଣି କରି ରଖିଲା ସେବତୀ । ସେ ଦିନ ରାତିଟା ରହିକରି ଯିବା ପାଇଁ ଆମେରିକାବାବୁଙ୍କୁ ସାହେବ କହିଲେ । ବହୁତ ଥର ଗଲା ବେଳେ କହନ୍ତି ବୋଲି ଆର ଥର ସେ ଗଲାବେଳେ କଥା ଦେଇ ଯାଇଥିଲେ ଏଥର ଆସିଲେ ରହିବେ ବୋଲି–ତେଣୁ ଏଥର ମନା କରିପାରିଲେ ନାଇଁ । ରହିବେ ତ ସେଇ ସାହେବଙ୍କ ଘରେ । ଆଉ କୋଉଠି ସୁବିଧା ହବ ନାଇଁ ତାଙ୍କୁ... । ରାତିରେ ତାଙ୍କର ସବୁ ବ୍ୟବସ୍ଥା ଅଫିସରଙ୍କ ଘରେ । ଅଫିସର ଡାକି କରି ସେବତୀକୁ କହିଲେ–

 

ସେବତୀ, ସେ ଆଜି ରହିବେ । ଆଉ ତାଙ୍କର ଟିକେ ଭଲ କରି ଚର୍ଚ୍ଚା ନ କଲେ କଥାଟା ଭାରି ଅସୁନ୍ଦରିଆ ହବ । ଆମେ ସିନା ଖାଲି ନାଁ କୁ ସରକାରୀ ଚାକିରୀଆ ବୋଲେଇ ଥାଇଁ । ହେଲେ, ଆମଠଉଁ ପାଞ୍ଚ ଛଅ ଗୁଣା ଅଧିକା ଦରମା ପାଉଚନ୍ତି ସେମାନେ । ଏ ଅଫିସରେ ଯୋଉ କେଇଟା ପିଅନ ଅଛନ୍ତି । ସେଗୁଡ଼ାକ ଭଲ ଜିନିଷ ତ ଦୂରର କଥା, ସାଧାରଣ ଖାଇବାର ବି ବାସ୍ନା ଶୁଙ୍ଘି ନାହାଁନ୍ତି । ଆଉ କ’ଣ କରିବା... ?’

 

‘ଆପଣ କିଛି ସେଥିପାଇଁ ବ୍ୟସ୍ତ ହେବେ ସାର୍ ! ମୁଁ ତା’ର ବନ୍ଦୋବସ୍ତ କରିବି ।’

 

ସାହେବ ଖୁସି ହେଲେ.....

 

‘ବେଶ୍‌, ତମେ ବି ସେଇଆଡ଼େ ଖାଇବ । ତେଣୁ ରୋଷେଇ କରିବନି ଅଲଗା ।’

 

ସେବତୀ କିଛି ଉତ୍ତର ଦେଲାନି । ମନେ ମନେ ଭବିଲା–ଖାଇବା କଥାଟା କ’ଣ ଜରୁରୀ-? ଅତିଥି ଜଣେ ଆସିଚନ୍ତି । ଏଡ଼େ ବଡ଼ ବାବୁ । ତାଙ୍କର କେମିତି ସୁନ୍ଦୋବସ୍ତ ହବ ସେ କଥା ଆଗ-। ସେ ତ ଖାଲି ଅତିଥି ନୁହଁନ୍ତି କି ବନ୍ଧୁ ନୁହଁନ୍ତି, ସେବତୀର ବି ହାକିମ ।

 

ଅଫିସରେ ସେ ଯୋଉ ପିଅନକୁ ଯେମିତି ଯାହା ବରାଦ କରିବା କଥା, କରିଦେଲେ । କିଏ କୁକୁଡ଼ା କାଟିବ, କିଏ ମସଲା ବାଟିବ, କିଏ ପରିବା ଆଣିବ । ଏମିତି କେତେ କ’ଣ.... । ସହଳ ସେ ଚାଲିଗଲା ଅଫିସରଙ୍କ ଘରକୁ ଦିନ ଥାଉଁ ଥାଉଁ । ବେଳବୁଡ଼ିବା ବେଳକୁ ସେତେବେଳେ ସେ ଦିହେଁ ଗାଡ଼ିରେ ଆସିଲେ ସେତେବେଳକୁ ଅଧେ କାମ ସରି ଯାଇଥାଏ । ଆଉ ସେ ଆମେରିକାବାବୁଙ୍କର କୋଉଠି ଶୋଇବା ବସିବା ସବୁର ବ୍ୟବସ୍ଥା ହେଇଯାଇଥାଏ ।

 

ଆସି ପହଞ୍ଚି ସବୁ ଦେଖିସାରିବା ପରେ ତା’ ସାହେବ ଯେତେ ତାକୁ ଆଜି ପ୍ରଶଂସା ନ କଲେ ତା’ର ଦଶ ଗୁଣା ପ୍ରଶଂସା କଲେ ସେ ଆମେରିକାବାବୁ ଜଣକ । ଆନନ୍ଦରେ ଗଦ୍‌ଗଦ୍‌ହେଇ ଉଠିଲା ସେବତୀ ମନ ଭିତରେ.... । ଯା’ହେଉ, ତା’କାମର ତାହା ହେଲେ ଗୋଟାଏ ଆକର୍ଷଣ ଅଛି-। ଆହୁରି ଯତ୍ନରେ ଲାଗିପଡ଼ିଲା ସେ ।

 

ଖୁବ୍‌ଶୀଘ୍ର ବି ସରିଗଲା ତା’ର ସବୁ କାମ । ଅଣ୍ଡାସିଝା, କୁକୁଡ଼ା ତରକାରି, ଦି’ତିନିରକମର ଭଜା, ଅରୁଆ ଭାତ ସାଙ୍ଗକୁ ଖଣ୍ଡେ ଖଣ୍ଡେ ରୁଟି, ଖଟା, ବୁଟଡାଲି । ସବୁ ପ୍ରସ୍ତୁତ ହୋଇଗଲା । ସେତେବେଳକୁ ରାତି ଦି’ଘଡି ଜମା ହେଇଥାଏ । ସେବତୀ ଯାଇ ପଚାରିଲା–

 

‘ସାର ! ବର୍ତ୍ତମାନ କ’ଣ ଖାଇବେ ?’

 

ଆମେରିକାବାବୁ ଜଣକ କହି ଉଠିଲେ ........

 

‘ଏତିକି ବେଳୁ ? ନାଁ ନାଁ ମୋଟେ ଭୋକ ହେଇ ନାଇଁ । ଆଉ ଟିକେ ଯାଉ ।’

 

ସେବତୀ ସାମାନ୍ୟ ଅଡ଼ୁଆରେ ପଡ଼ିଲା । ଖାଇବାଟା ଡେରି ହେଲେ ତା’ର ଫେରିବାଟା ବି ଡେରି ହେବ । ସାହସ ବାନ୍ଧି ପଚାରିଲା–

 

‘ସାର୍‌, ମୁଁ ତ ସବୁ କହି ଦେଇଚି । ଦିବା ଅଛି–ସବୁ ବଢ଼ା ବଢ଼ି କରିଦବ..... ।

 

‘ଆଉ ତମେ ?’ଆମେରିକାବାବୁ ପଚାରିଲେ ।

 

ସେ ଘରକୁ ଯିବ ବୋଲି କହୁଚି ....ସାହେବ କହିଲେ ।

 

‘ନାଁ ନାଁ, ତା’ କେମିତି ହବ’ ବରଂ ଦିବାକୁ ବିଦା କରିଦିଅ । ତମେ ଥାଅ । ତମେ ଖାଇକରି ଯିବ ।’

 

‘ନାଇଁ ସାର୍‌ ! ଖାଇବା କଥା ନୁହେଁ ଯେ......ମୋର ଡେରି ହୋଇଯିବ ।’

 

‘ଆଃ......କିଛି ବ୍ୟସ୍ତ ହବାର ନାଇଁ’ମୁଁ ଆଉ ତମ ସାର ଉଭୟେ ଯାଇ ମୋ ଗାଡ଼ିରେ ଛାଡ଼ି ହୋଇ ଆସିବୁ । ନ ହେଲେ ତମେ ରହିଯିବ ରାତିଟା.....’

 

କିଛି ଉତ୍ତର ଦେଲା ନାଇଁ ସେବତୀ । ଏଠି ରହିଯିବା କଥାଟା ହୁଏ ତ ଆମେରିକାବାବୁ ରହସ୍ୟ କରି କହିଥିବେ । ହେଲେ, ସେ କ’ଣ ଜାଣନ୍ତି ଯେ କେତେ ରାତି ସେ ଏଇଠି ରହିଯାଇଚି ବୋଲି । ଆଜି ସେବତୀ ସିନା ଚାଲିଯିବାକୁ ଚାହୁଁଚି । କିଛି–ଉତ୍ତର ଦବା ପୂର୍ବରୁ ଆମେରିକାବାବୁ ଡାକିଲେ ଯିବାକୁ ।

 

‘ଦିବା, ତୁ ଚାଲି ଯା, ଦିଦି ତ ଅଛନ୍ତି, ସେ ବଢାବଢ଼ି କରିଦେଇ ସାରିଲା ପରେ ଆମେ ଦିହେଁ ନେଇ ତାଙ୍କୁ ଛାଡ଼ି ଦେଇ ଆସିବୁ ଗାଡ଼ିରେ....’

 

ଦିବା କୃତ୍ୟକୃତ୍ୟ ହେଇ ହଁ ମାରିଲା, ତା’ଘରେ ଛୋଟପିଲା ଜଞ୍ଜାଳ । ଛୁଆ ନ ଧରିଲେ ଚୁଲୀକି ଯିବ ନାହିଁ ହାଣ୍ଡି ।

 

ଅଫିସର କହିଲେ–

 

ସେବତୀକୁ ଭଲ କରି ପଚାରନ୍ତୁ । ସେ ରହିବାକୁ ରାଜି କି ନାଁ... ?’

 

ଏଇ କଥାରେ ‘ହସିଉଠି ଜୋରରେ କହି ପକେଇଲେ ଆମେରିକାବାବୁ–

 

‘ଆରେ ରାଜି କ’ଣ ମ ? ମୌନେ ସମ୍ମତି ଲକ୍ଷଣମ୍‌......’

 

ସେବତୀ ବି ଭାବିଲା ପ୍ରକୃତ କଥା । ଆଉ କିଛି ସମୟ ସେ ନ ରହିଯିବ କାଇଁକି ? ଏତେ କଷ୍ଟ କରି ବନେଇ ଚୁନେଇ ଯୋଉ ଚୂଡା ତିଆରି କରିଚି, ତାକୁ ଖାଇଲାବେଳେ ସେମାନେ କି ପ୍ରଶଂସା ବାଢ଼ୁଛନ୍ତି ସେଇଟା ନିଜେ ନ ଶୁଣି କାନ୍ଥ ବାଡ଼ ଶୁଣିବେ କାଇଁକି..... ? ଉପରେ ତୁନି ରହିଲା ସେ ।

 

ସେଇଆ ହେଲା, ଦିବା ଚାଲିଗଲା, ସେବତୀ ଅପେକ୍ଷା କଲା ।

 

ଆଉ କିଛି ସମୟ ଗପ କରିବା ପରେ ଆମେରିକା ବାବୁ ଦି’ଟା ଗିଲାସ ଆଉ କିଛି ପିଇବା ପାଣି ମାଗିଲେ । କହିବାନୁଯାୟୀ କଗିଜି ଲେମ୍ବୁ ଚେନାଏ ଚେନାଏ ବି ଦେଲା ସେବତୀ । ତା’ପରେ ସେ ବାବୁ ଉଠିଗଲେ ତାଙ୍କ ଚମଡ଼ା ସୁଟ୍‌କେଶ୍‌ ପାଖକୁ । ତାକୁ ଖୋଲି କ’ଣ ଛୋଟିଆ ବୋତଲଟିଏ ଆଣିଲେ । ସେବତୀକୁ ସେ ବୋତଲଟା କେମିତି ଅବାଗିଆ ଦେଖାଗଲା । ବୋତଲରୁ ଯେତେବେଳେ ଗିଲାସରେ ଅଜାଡ଼ିଲେ ଆମେରିକାବାବୁ । ସେତେବେଳେ ସେବତୀକୁ ଟିକିଏ କଟୁ ଜଣାଗଲା ସେ ବାସ୍ନାଟା । ସେ ରୋଷେଇଘର ଭିତରକୁ ପଶିଗଲା । ତା’ପରେ ଦୂରରୁ ଖାଲି ଦେଖିଲା ଯେ ଅଫିସର ମନା କରୁଚନ୍ତି ଆଉ ଇଏ ତାଙ୍କୁ ପ୍ରବର୍ତ୍ତାଉଛନ୍ତି ପିଇବାକୁ । କେତେ କଷ୍ଟରେ ଛାତିକୁ ଚାପି ଚାପି ଅଳ୍ପ ଟିକେ ପିଇଲେ ଅଫିସର ଆଉ ଆମେରିକାବାବୁ ଢକ୍‌ଢକ୍‌କରି ପିଇ ଯାଉଥାନ୍ତି ସେତକ ।

 

ପିଇସାରିଲା ପରେ ସେବତୀ ଶୁଣିଲା ଅଫିସର କହୁଚନ୍ତି ।

 

‘ଖାଇବା ଏଥର ?’

 

‘କାଇଁକି, ଆପଣ ଡରୁଚନ୍ତି ? ଆରେ ଏଗୁଡ଼ା ପରା ପାଣିଗୁଡ଼ା । ଆମେରିକା ଫାମେରିକା ଲୋକମାନେ ପାଣି ନ ପିଇ ଏଗୁଡ଼ା ପିଅନ୍ତି । ତା’ପରେ... ଆପଣ ତ ଦି’ଢୋକ ପିଇଲେ ନାଇଁ.....’

 

‘ନାଁ ନାଁ ସେ କଥା ନୁହେଁ ଯେ ତଥାପି ଡେରୀ ହେଇଯାଉଚି ଖାଇବାରେ... ।’

 

‘ଆରେ ମୋ ଅସଲ ଖାଇବା କାଇଁ ମ ? ସେଇଟା ନ ହେଲା ପର୍ଯ୍ୟନ୍ତ....’

 

‘କହିଚି ପରା ଦେବି ବୋଲି । ସେଇଟା ତ ଆଦୌ କଷ୍ଟ ନୁହେଁ... ।’

 

ତା’ପରେ ଇଂଲିସ୍‌ରେ ଦି’ପଦ କ’ଣ ଆସ୍ତେ ଆସ୍ତେ କଥାବାର୍ତ୍ତା ହେଲେ ସେବତୀକୁ ଶୁଭିଲା ନାଇଁ ।

 

ଟିକେ ପରେ ଆମେରିକାବାବୁ ସେବତୀକୁ ଡାକିଲେ । ଗିଲାସ ନବା ପାଇଁ କହିଲେ । ସେବତୀ ଗିଲାସି ଉଠେଇଲା ବେଳେ ତାକୁ ଟିକେ ଗନ୍ଧ ହେଲା କି କ’ଣ ସେ ଟିକେ ନାକ ସଫା କରିନେଲା । ହସି ଦେଲେ ଟିକେ ଆମେରିକା ବାବୁ ।

 

‘କ’ଣ ସେବତୀ ଗନ୍ଧେଇଲା କି ? ନ ପିଇଲେ ଗନ୍ଧାଏ ହେଲେ ପିଇଲେ ବାସେ, ଟିକେ ଚାଖିବ... ?’

 

ସେବତୀ କିଛି କହିଲାନି । ଆମେରିକାବାବୁ ପାଖକୁ ପୁଣି ଡାକିଲେ । ସେବତୀ ଆସିଲା–ବୋଧହୁଏ ବୋତଲଟା ରଖିଦବାକୁ କହିବେ ତାଙ୍କ ବାକ୍ସରେ । ହେଲେ ତା’ ବଦଳରେ କହିଲେ–’ବସ’.....

 

‘ହ ସାର୍‌, ମୁଁ ବସିଚି ଭିତରେ....’

 

‘ଆରେ ନାଁ ନା ଭିତରେ କାଇଁକି, ଏଇଠିକି ନେଇ ଆସ ଟୁଲଟା ଆରେ ଆଣନାଁ.... ।’

 

ବାଧ୍ୟ ହେଇ ସେ ଟୁଲଟା ଆଣି ପକେଇ ବସିଲା ସେଠି । ଆମେରିକାବାବୁ ପୁଣି କହିବା ଆରମ୍ଭ କଲେ–

 

‘ତମେ ଜାଣ ସେବତୀ ଆମ ଦେଶରେ ଏ ନାରୀ ଜାତିର ଏତେ ଅଧୋପତନ କାଇଁକି-? ସେମାନେ ପୁରୁଷର ସ୍ତ୍ରୀ ବୋଲି ନିଜକୁ ଭାବନ୍ତି, ହେଲେ ଆମେରିକା, ଇଂଲଣ୍ଡରେ ଏସବୁ ନୁହେଁ-। ନାରୀ ହଉଚି ପୁରୁଷର ସାଥି,ସହଚରୀ, ସହକର୍ମୀ । ତା’ ସାଙ୍ଗରେ ମୁକ୍ତ ଭାବରେ ମିଳାମିଶା କରିବ, ହସିବ, ଗପିବ, ଖାଇବ, ଗାଇବ, ସବୁ । ହେଲେ ତମେ ଯାଇ ଭିତରେ ବସିବ କାଇଁକି-?’

 

ସେବତୀ ଏ ତତ୍ତ୍ଵର ଅର୍ଥ କ’ଣ ବା ବୁଝେ । ତେଣୁ କି ଉତ୍ତର ଦବ ? ଚୂପ୍‌ହେଇ ବସିଲା ଖାଲି । ତା’ପରେ ସେ ଲକ୍ଷ୍ୟ କରିଚି ଆମେରିକାବାବୁ ଅଫିସରଙ୍କ ମୁହଁକୁ ଚାହିଁ କ’ଣ କହିଲେ ଠାରି କରି । କିନ୍ତୁ ଉତ୍ତରରେ ଅଫିସର କହିଲେ–

 

‘ହଁ ମ, ସେ ମନା କରିବନି....’

 

ଏକଥାଟା ସେବତୀକୁ କେମିତି ବେଖାପ ଜଣା ପଡ଼ିଲା, ବେଶୀ କିଛି ଭାବିବା ପୂର୍ବରୁ ତା’ ଅଫିସର ତା’ ପାଖକୁ ଆସି କହିଲେ–

 

‘ସେବତୀ ! ସେ ମୋର ଅନ୍ତରଙ୍ଗ ବନ୍ଧୁ । ଖାଲି ବନ୍ଧୁ ନୁହେଁ ସେ ମୋର ଅତିଥି । ତାଙ୍କୁ ସନ୍ତୁଷ୍ଟ କରିବାର ଦାୟିତ୍ଵ ମୁଁ ତମ ଉପରେ ଦେଇଚି । ତମେ କ’ଣ ତା’ର ମନ କଥା ଟିକେ ବୁଝିବନି-?’

 

ସେବତୀର ମୁଣ୍ଡଟା ଟିକେ କେମିତି ଝିମ୍‌ଝିମ୍‌ ହବାର ଉପକ୍ରମ କଲା । କ’ଣ କହିବାକୁ ଚାହାଁନ୍ତି ତା’ର ଅଫିସର.....ସେ କ’ଣ ଜାଣିନେଇ ଯେ ଆମେରିକାବାବୁ ତା’ ଅଫିସରଙ୍କ ଅତିଥି ବୋଲି ? ସେଥିପାଇଁ ତ ସେ ଏତେ ଚର୍ଚ୍ଚାର ଆୟୋଜନ କରିଚି । ଆଉ କ’ଣ ଚାହାନ୍ତି ସେ ? ପୁଣି ସାହେବ କହିଲେ–

 

‘ଏଇଟା ମୋର ତମକୁ ଏକାନ୍ତ ଅନୁରୋଧ ସେବତୀ ! ତମେ ମୋର କେତେ ଅନୁରୋଧ ରଖିଚ । ମୁଁ ଜାଣେ ତମେ ଏକାନ୍ତ ଭାବେ ମୋର । ସେଥି ପାଇଁ ତମକୁ ଏ ଦାୟିତ୍ଵ ଦେଲି.... ।’

 

‘ସାର୍‌, ଆପଣ କ’ଣ କହୁଚନ୍ତି ମୁଁ ବୁଝିପାରୁ ନାଇଁ ।’

 

ହସି ହସି ତା’ କାନ୍ଧ ଉପରେ ହାତ ଥୋଇ କହିଲେ ଅଫିସର–

 

‘ସେଇ ଏକା ଭୋକ ସେବତୀ ! ମଣିଷର ଯୋଉ ବାଘ ପ୍ରବୃତ୍ତି ବୋଲି କହୁଥେଲି । ତମେ କୁକୁଡ଼ା ମାଂସରେ କ’ଣ ସେ ଆଶା ମେଣ୍ଟେଇ ନବ ବୋଲି ଭାବିଚ ? ମଣିଷମାଂସ ତା’ ଠଉଁ କେରେ ଅଧିକ ରୁଚିକର ତା’ କ’ଣ ତମେ ଜାଣି ନ.... ? ସୁନାଟି ପରା, ଅବାଧ୍ୟ ହବନି । ମୁଁ ବାହାରୁ ଆସୁଚି ଟିକେ....’

 

‘ସାର....’

 

ସେତେବେଳକୁ ସାର୍, ବାହାରକୁ ଚାଲି ଯାଇଥିଲେ । ସେବତୀକୁ ଜଣା ପଡ଼ିଲା ଯେମିତି ଦଲକା ଦଲକା ହେଇ ମାଟି ତା’ ପାଦ ତଳୁ ଖସି ଯାଉଚି ଭୂଇଁ ର ଆହୁରି ଅତଳକୁ । ସେ ଚଉକି ବାଡ଼ା ଧରି ଠିଆ ହେଇଚି ବୋଲି ବୋଧହୁଏ ଖସି ପଡ଼ିପାରୁ ନାଇଁ ।

 

ସାହେବ ଚାଲିଗଲା ପରେ ଆମେରିକାବାବୁ ହସି ହସି ଆଗେଇ ଆସିଲେ ତାରି ଆଡ଼େ-

 

‘ସେବତୀ ! ବୁଝିଲନାଁ, ମଣିଷ ଜୀବନଟା କେବଳ ଉପଭୋଗ କରିବା ପାଇଁ । ଆଉ ଜୀବନରେ ଆମେ ସମସ୍ତେ ଖାଲି ଉପଭୋଗ କରିଯିବା ଉଚିତ୍‌ । କାରଣ ଜଣେ ମହାନ୍‌ ବ୍ୟକ୍ତିଙ୍କ କଥାରେ–ଏ ଜୀବନଟା ପୃଥିବୀର ବିଶାଳତା ତୁଳନାରେ ଏଡ଼େ କ୍ଷୁଦ୍ର ଯେ ଆମେମାନେ କିଛି ହେଲେ ଉପଭୋଗ କରିପାରୁ ନାଁ । ତେଣୁ ମୋ ମଢ଼ରେ ଆମେ ସମସ୍ତେ ସେଇ ଲକ୍ଷ୍ୟ ରଖି ଆଗେଇବା ଉଚିତ୍‌ ।’

 

ଏତିକି କହି ସାରିଲା ବେଳକୁ ତାଙ୍କର ଦୁଇହାତ ସେବତୀର କାନ୍ଧ ଛୁଇଁ ସାରିଥାଏ । ସେବତୀର ଦିହରେ ନିଆଁ ଜଳିଗଲା ସେତିକିରେ । ତାକୁ ସବୁ ଅନ୍ଧାର ଦେଖାଗଲା । ଅନୁତାପର ନାଗସାପ ସେଇ ମୁହୂର୍ତ୍ତରେ ତାକୁ ତିଳ ତିଳ କରି କର ଦଂଶି ପକେଇଲା I ତା’ର ଯେମିତି ମନକୁ ଆସିଲା–ନାଁ....ଆଉ ନୁହେଁ । ଯଥେଷ୍ଟ ଭୁଲ ସେ କରି ସାରିଚି । ଦୂରକୁ ଘୁଞ୍ଚିଗଲା ସେ ପଲକ ଭିତରେ..... ।

 

‘ସାର୍‌........’

 

ଆମେରିକାବାବୁ ବିବ୍ରତ ନ ହେଇ ହସିଲେ ।

 

‘ଦେଖ ସେବତୀ ! ତମେ ମତେ ଭୁଲ ବୁଝି ନାଇଁ । ମୁଁ କେବଳ ତମ ସାର୍‌ଙ୍କଠାରୁ ଆଜି ରାତିଟା ପାଇଁ ଉଧାର ଆଣିଚି କହିଲେ ଚଳେ ।’

 

ସେବତୀ ଆଉ ଏଇ କଥାଟାରେ ଜମାରୁ ସମ୍ଭାଳି ପାରିଲା ନାଇଁ । ମନ ଭିତରେ ତା’ର ଅନେକ କୋହର ସୁଅ ଏକାଥରକେ ବହି ଆସିବାକୁ ଚେଷ୍ଟା କରି ରୁଦ୍ଧ ହେଇଗଲେ ଯେମିତି । ତା’ହେଲେ ତା’ ଅଫିସର ତାଙ୍କ ବନ୍ଧୁଙ୍କୁ ତା’ ବିଷୟରେ ସବୁକଥା କହି ଏମିତି ଭେଟି ଦବାପାଇଁ ଚାହୁଁଛନ୍ତି ? ସେ ଗୋଟାଏ ତେବେ ସେହିପରି ଜିନିଷ ? ? ଚର୍ଚ୍ଚାରେ ଲାଗି ହବାପାଇଁ ତା’ର ସୃଷ୍ଟି-??? ପାଟି କରି ଉଠିଲେ ସେ–

 

‘ଆପଣ କ’ଣ ଭାଉଚନ୍ତି ସାର୍‌ ମୁଁ ଗୋଟାଏ...’

 

‘ଆଦୌ ନୁହେଁ ସେବତୀ ! ମୁଁ ତମକୁ ଆଉ କିଛି ଭାବିନି । ବରଂ ତମେ ତମ ଅଫିସରଙ୍କ ପାଖରେ ଯାହା ମୋ ପାଖରେ ଠିକ୍‌ ସେଇଆ ବୋଲି ମୁଁ ଧରି ନେଇଚି ।’

 

‘ଓ....ଅଫିସର ତା’ହେଲେ ତାଙ୍କ ବଡ଼ ପଣିଆଟା ଆପଣଙ୍କ ଆଗରେ କହି ଏ ବାହାଦୂରୀଟା ନେଇଚନ୍ତି ତ ?’

 

ସେବତୀ ଏକଥା କହିଲା ବେଳେ ତା’ର ଇଚ୍ଛା ହଉଥାଏ ତା’ ଅଫିସରକୁ ଡାକିକରି ଏଇ ଅପମାନସୂଚକ କଥାଗୁଡ଼ାକ ତାଙ୍କ ଆଗରେ କହିବା ପାଇଁ । ହେଲେ ସେ ନିଜକୁ ସଂଯତ କଲା, ଆଉ ଭାବିଲା–ବର୍ତ୍ତମାନ ପାଇଁ ଏଠୁ ଚାଲିଯିବା ତା’ର ଦରକାର । ନ ହେଲେ କଥାଟା ଭିନ୍ନ ଆକାର ଧାରଣ କରି ପାରେ....

 

‘ତମେ ମୋ କଥା ଶୁଣ ସେବତୀ....’କହି ଧରିନେଲେ ଆମେରିକାବାବୁ ତା’ ହାତକୁ । ଜୀବନ ବିକଳରେ ଛିଞ୍ଚାଡ଼ି ଦେଇ ସେବତୀ ନିଜକୁ ମୁକୁଳାଇ ନେଲା–

 

‘ଛାଡ଼ନ୍ତୁ ମତେ କହି ଦଉଚି....ଅଭଦ୍ର ।’

 

‘କ’ଣ କହିଲ ?’

 

‘ଠିକ୍‌ କହିଲି.....’କହି ବାହାରକୁ ଚାଲିଗଲାବେଳେ ଦେଖି ପକେଇଲା ଦାଣ୍ଡପଟୁ ପାଟି ଶୁଣି ଆସୁଚନ୍ତି ତା’ ଅଫିସର । କଥାରୁ କିଛି ନିଶ୍ଚୟ ତାଙ୍କ କାନରେ ପଡ଼ିଥିବ । ତାଙ୍କୁ ଦେଖିଲା ମାତ୍ରେ ଯେମିତି ସେବତୀର କାନମୁଣ୍ଡା ଗରମ ହେଇ ଆସିଲା । ଅଫିସର ପଚାରିଲେ–’

 

‘କ’ଣ ଚାଲିଯାଉଚ ?’

 

‘ଆଉ କ’ଣ ରହିଥାନ୍ତି ଆପଣଙ୍କ ବନ୍ଧୁଙ୍କର ମନ ରଞ୍ଜେଇବାକୁ ?’

 

‘ସେ...ବ...ତୀ’

 

‘ଛି ଛି.... ଆପଣ ଏଡ଼େ ଇତର ବୋଲି ମୋର ଧାରଣା ନଥିଲା । ଗୋଟାଏ ନିରୀହ ଜୀବନ ସାଙ୍ଗରେ ଖେଳ ଖେଳି ତାକୁ କଣ୍ଢେଇ ସଜେଇବାକୁ ଚାହାଁନ୍ତି ଆପଣ ?’

 

‘କ’ଣ ତମେ କହିଯାଉଚ ? ୟାର ପରିଣାମଟା କ’ଣ..’

 

‘କି ପରିଣାମର ଧମକ ଦଉଛନ୍ତି ଯେ ? ପ୍ରକୃତରେ ଆପଣଙ୍କର ନିଜର ରୂପ ଆଜି ଧରାପଡ଼ିଗଲା । ଆପଣ ମତେ ଉପଭୋଗର ସାମଗ୍ରୀ ବୋଲି ଭାବି ଆପଣଙ୍କର ବନ୍ଧୁଙ୍କର ଚର୍ଚ୍ଚାରେ ଲଗାଇବାକୁ ଚାହାଁନ୍ତି ?’

 

‘ଓଃ..... କ’ଣ ତମ ଇଜ୍ଜତ୍‌ ତଳେ ପଡ଼ିଗଲା ?’

 

‘ମୋର ଇଜ୍ଜତ୍‌ ? ଇଜ୍ଜତ୍ ବୋଲି ଆପଣ ମୋର କିଛି ରଖିଚନ୍ତି ନାଁ କ’ଣ ? ତା’ ହେଇଥିଲେ ଆପଣ ପରା କହୁଥିଲେ ମତେ ଏତେ ଭଲ ପାନ୍ତି– ଆପଣାରଠୁ ଆହୁରୀ ବେଶୀ ? କହିଲେ ଦେଖି–ଆପଣଙ୍କ ଆପଣାର ସ୍ତ୍ରୀକୁ ଏମିତି କେତେ ଥର ବନ୍ଧୁ ଚର୍ଚ୍ଚାରେ ଲଗେଇଚନ୍ତି... ?’

 

ଏଇ କଥା କହିଲା ବେଳକୁ ସେବତୀ କାନ୍ଦି ପକେଇଲା ପିଲାଙ୍କ ପରି । ହେଲେ ଯେତେ ଶୀଘ୍ର ଯଥାସମ୍ଭବ କୋହଟାକୁ ଚାପି ନେଲା ।

 

‘କ’ଣ କହିଲ ? ତମେ ଭାରୀ ବଢ଼ି ବଢ଼ି କଥା କହିଯାଉଚ ? କାହା ଆଗରେ ଠିଆ ହେଇ କହୁଚ ସେଇଟା ତମେ ଜାଣିଚ ?’

 

‘ଜାଣେ... ।’

 

‘ମୁହଁ ଉପରକୁ କରି ବାଟ ଚାଲିବାର ବନ୍ଦୋବସ୍ତ କରି ଦେଲି…. ନାଁ... ?’

 

‘ସେଇଥିପାଇଁ କ’ଣ କହୁଚନ୍ତି ଆପଣ ମତେ ନେଇ କିଣାବିକା କରିବେ ଆପଣଙ୍କର ସୁବିଧା ଆଉ ଇଚ୍ଛାନୁଯାୟୀ ... ?’

 

‘ବେଶ୍‌ ! ମୁଁ ଦେଖେଇ ଦେବି ୟା’ର ଫଳ କ’ଣ ହେଇପାରେ... ?’

 

‘ଫଳ ଆପଣ ଦେଖେଇବାଯାକେ ମୁଁ ଅପେକ୍ଷା କରିବି ନାଇଁ । ଆପଣ ଯୋଉ ଧମକ ମତେ ଦଉଚନ୍ତି ମୁଁ ଜାଣେ । ମୋର ଚରିତ୍ର କଥାରୁ ଯେତୋଟି ଆପଣ ଜାଣିଚନ୍ତି ସେଥିରେ କ’ଣ ଆପଣଙ୍କର କିଛି ଭାଗ ନାହିଁ ? କାଲିଠୁ ମୋର ସବୁ ନିଜର ଜଳାଞ୍ଜଳୀ ଦେଇ ବରଂ ମୁଁ ଖୋଲି କରି ଏଇକଥା ସମସ୍ତଙ୍କ ଆଗରେ କହିବି । ମୁଁ ଜାଣିଚି ମୋର ତ ସବୁ ଯାଇଚି । ହେଲେ ଆପଣ କ୍ଷମା ପାଇବେ କାହିଁକି ? ଆପଣଙ୍କ ମହତଟାକୁ ପଦାରେ ପକେଇଦେବି........ ।’

 

‘ଆଚ୍ଛା ମୁଁ ଦେଖିବି.....’

 

‘ଦେଖୁ ଥାନ୍ତୁ...’

 

କହି ଏକା ନିଶ୍ଵାସକେ ଝଡ଼ ପରି ପଳେଇ ଆସିଲା ସେବତୀ ତାଙ୍କ ଘରୁ । ସେଇ ଛାପ ଛାପିକିଆ ଅନ୍ଧାରରେ ବି ସେ ନିର୍ଭୟରେ ଘରକୁ ପଳେଇ ଆଇଲା । ରାତିଟା ସାରା ମନେ ପକେଇ ସେଇକଥା କାନ୍ଦି କାନ୍ଦି ତା’ ଆଖିଦି’ଟା ଫୁଲି ଉଠିଲା । ଯନ୍ତ୍ରଣାଗୁଡ଼ା ଯେମିତି ପଳ ପଳ ହେଇ ଛେଦି ହେଇଯାଉଥାନ୍ତି ତା’ ଦିହ ସାଙ୍ଗରେ । ଭବିଷ୍ୟତ ବିଷୟରେ ସବୁ କଳ୍ପନାଗୁଡ଼ା ତା’ର ଉଜୁଡ଼ିଗଲା ପରି ଜଣା ପଡ଼ିଲା । ବରଂ ସେଇ କଳ୍ପନା ଆଗରେ ଆସି ଠିଆ ହେଲା ଗୋଟାଏ ଭୟଙ୍କରିଆ ଭବିଷ୍ୟତ । ସେଥିରେ ତା’ର ଦୁଃଖ, ଯାତନା, ଅଫିସରେ ଗଣ୍ଡଗୋଳ ସବୁ ଯେମିତି ଛାଇ ଛାଇ ହେଇ ଦିଶିଗଲା ତାକୁ ।

 

ତା’ପରଦିନ ସେ ଆଉ କାମକୁ ଯାଇନି । ଘରେ ଥାଇ ଛୁଟି ଦରଖାସ୍ତ ଖଣ୍ଡକ ପଠେଇ ଦେଲା ଜଣକ ହାତରେ । ସେଇ ଦିନକ ନୁହେଁ, ଏମିତି ଏମିତି ହେଇ ତିନିଦିନ ଗଲା ନାଇଁ ସେ କାମକୁ । କେମିତି ଯିବ ? କେମିତି ମୁହଁ ଟେକି ଚାହିଁବ ସେ ଅଫିସରଙ୍କୁ ଆଉ ସେ ବିଗତ କଥାଗୁଡ଼ାକୁ ମନେ ପକେଇବ... !!

 

ହେଲେ ଏଇ ତିନିଦିନ ନୁହେଁ–ହପ୍ତାକ ଭିତରେ ତା’ର ହେଡ଼୍‌ ଅଫିସରୁ ଖବର ଆସିଲା ତା’ର ବର୍ତ୍ତମାନ ବେଶ୍ କିଛିଦିନ ପାଇଁ ଯିବା ଦରକାର ନାଇଁ ଅଫିସ୍ । ଅଫିସ୍‌ ଯିବାର ଦରକାର ହେଲେ ତାକୁ ଅଲଗା ରକମର ଡ଼କରା ହବ ।

 

କାରଣଟା ସେ କିଛି ବୁଝିପାରିଲା ନାହିଁ । ଅଫିସରେ ଖାଲି କୁହାକୁହି ହଉଥିବାର ଶୁଣିଲା ଅନ୍ୟମାନଙ୍କଠାରୁ ଯେ ସେ ସସ୍‌ପେଣ୍ଡ ହେଇଚି । ଅଜଣା ଚଡ଼କରେ ତା, ମୁଣ୍ଡ କୋଡ଼ି ହେଇଗଲା । ଆଶ୍ଚର୍ଯ୍ୟ ହେଲା ସେ....କ’ଣ ୟାର କାରଣ ହେଇପାରେ ? ଯାହା ତ ସେ ଦୋଷ କରିଚି ସେଗୁଡ଼ା ଏକାନ୍ତ ଘରୋଇ, ହେଲେ ଚାକିରୀରେ ତ ସେ କିଛି ଖିଲାପ କରି ନାଇଁ..... । ପଚାରି ବୁଝିବା ପୂର୍ବରୁ ତା’ ପାଖକୁ ଅର୍ଡ଼ର ଆସିଲା ।

 

ଦୋଷ ହେଲା ଶହ ଶହ ଟଙ୍କାର ଆମେରିକା ଖାଦ୍ୟଗୁଡ଼ାକ କୁଆଡ଼େ ଅପବ୍ୟୟ କରିଚି ସିଏ । ଏଣେ ତେଣେ ବିକାବିକି କରିଦେଇଚି । ସରକାରୀ କାର୍ଯ୍ୟରେ ଅପର୍ଯ୍ୟାପ୍ତ ହେଲା । ଚରିତ୍ରଗତ ଦୋଷ ଅନେକ... ଏମିତି ଏମିତି କେତେ କଥା । ତା’ର ଦୁଃଖ ହବା ବଦଳରେ ହସମାଡ଼ିଲା ତାକୁ ଟିକେ ପ୍ରଥମେ । ମନେ ମନେ ଭାବିଲା–ଯୋଉ ସରକାର ତାକୁ ସରକାରୀ ଚାକିରୀରୁ ଅଯୋଗ୍ୟ ବୋଲି ବିବେଚନା କରି ଏ ଖଣ୍ଡକ ତା’ ପାଖକୁ ପଠେଇଚି ସେ କ’ଣ ଥରକ ପାଇଁ ଅତୀତର ସାଟିଫିକେଟ୍‌ ଗୁଡ଼ା ଯାଞ୍ଚ କରି ଦେଖିଲା ନାଇଁ ? ଯୋଉ ଲୋକଟ ସବୁଠଉଁ କୁଆଡ଼େ ଭଲ କାମ କରୁଥିଲା ବୋଲି ରିପୋର୍ଟ ଖାଲି ଖୁନ୍ଦି ହେଇଯାଇଚି ହଠାତ୍ ସବୁଗୁଡ଼ାକ ତା’ର ଏକା ଦିନକରେ ଓଲଟିଗଲା କେମିତି ???

 

ମନଟା ତା’ର ବିଷେଇ ଉଠିଲା–ଦୁନିଆଁଟା ଏଇଆ । ଯେତେ ଦିନ ଯାକେ ପରର ସ୍ଵାର୍ଥ ଜଗି ଚଳୁଥିବ ନିଜର ସର୍ବସ୍ଵ ଦେଇ, ତା’ହେଲେ ପର ଆପଣାର ହୋଇଥିବେ । କିନ୍ତୁ ଟିକେ ସ୍ଵାର୍ଥ ଉପରେ ଆଞ୍ଚ ଆସିଲା ତ ଚୋଟେ ମାରିଦବାକୁ ପଛାନ୍ତି ନାଇଁ ଏ ଲୋକଗୁଡ଼ାକ ।

 

ଚାରିଆଡ଼ ତାକୁ ଅନ୍ଧାର ଦେଖାଗଲା, କ’ଣ କରିବ ସେ ? ଘରକୁ କେମିତି ଜଣେଇବ ଏ ଅବସ୍ଥା ? କ’ଣ ବା କାରଣ ତାଙ୍କୁ କହିବ ? କହିଲେ ବା ସମାଧାନଟା ହବ କୁଆଡ଼ୁ ? ତା’ ଘର ସଂସାର, ଦୁଃଖ ଅଭାବ ସବୁ କ’ଣ ସେଇ କୈଫିୟତ୍‌ରେ ପୂରଣ ହେଇଯିବ ?

 

ଶୋଇ ଶୋଇ ଖାଲି କାନ୍ଦିଲା ବହେ ସେବତୀ । ଘୃଣାରେ ତା’ର ମନ ପୂରି ଉଠିଲା ଏ ମଣିଷ ଜାତିଟା ପ୍ରତି କେଡ଼େ କୃତଘ୍ନ ଏଗୁଡ଼ା... ।

 

କେତେ ସମୟ ପରେ ତା’ର ସେତେବେଳେ ରାଗଟା ଆହୁରି ବେଶୀ ହେଇଗଲା ସେତେବେଳେ ସେ ଠିକ୍‌ କଲା–ଯାହାତ ଯାଇଚି ଆଉ ଯାହାତ ଗଲା । ସେ କାଇଁକି ଏମିତି ସବୁ ଦୋଷ ମୁଣ୍ଡେଇ ଚାଲିଯିବ ? ନାଁ...ସେ ବରଂ କଣ୍ଟାଟାକୁ ଥରେ କଣ୍ଟାରେ ବାହାର କରିବାର ଚେଷ୍ଟା କରିବ । ନ ବାହାରିଲେ ବି କଣ୍ଟା ଦେହରେ ଆଉ ଗୋଟାଏ କଣ୍ଟା ବାଜୁ.... ।

 

ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଯେତେବେଳେ ତା’ର ଦୁଃଖ କାହାଣୀ ସବୁ ଚେୟୋରମେନ୍‌ଙ୍କ ସ୍ତ୍ରୀଙ୍କ ଆଗରେ କହିଗଲା–ସେତେବେଳେ ତାଙ୍କ ଆଖିରୁ ବି ଲୁହ ବୋହି ପଡ଼ିଲା । ଭାରୀ ଭଲ ମଣିଷଟିଏ ସେ । ପୁଣି ସେବତୀ କହିଲା–

 

‘ମୋ ସଂସାର ଭାସିଗଲା ମାଉସୀ । ତମେ ଯଦି ମତେ ଟିକେ ଦୟା ନ କରିବ ତା’ହେଲେ ଆଉ କେହି ରକ୍ଷା କରି ପାରିବେ ନାହିଁ । ଚେୟାରମେନ୍‌ କେଇଦିନ ଯୋଉ ଚାବି ରଖିଲେ ସେଥିରେ କ’ଣ ଟିକେ ଅଧିକା ଖର୍ଚ୍ଚ ହେଇଚି ସେ ଜିନିଷଗୁଡ଼ା ବୋଲି ମତେ କହୁଥିଲେ । ମୁଁ ତାକୁ ଠିକ୍ ଠାକ୍ କରି ଦେଲି । ହେଲେ ସେ କାଇଁକି କିଛି ନେଲେ ଆଉ ମୁଁ ତାଙ୍କୁ କାଇଁକି ଧରା ନ ପକେଇଲି ବୋଲି ସେଇ ରାଗରେ ମତେ ଏ ଦୋଷ ଭୋଗିବାକୁ ପଡ଼ିବ । ଏମିତି କରି ଦେଲେ, ବାଟରୁ କଣ୍ଟାଟା ଏକବାରେ ସଫା କରି ଦେବେ ବୋଲି ସେ ଚେଷ୍ଟା କରୁଚନ୍ତି.... ।’

 

ସାଆନ୍ତାଣୀଙ୍କର ଆଖିଦି’ଟା ଆହୁରି ଖୋସି ହେଇଗଲା ଉପରକୁ । ତାଙ୍କୁ ଭାରୀ ଅଡ଼ୁଆ ଲାଗିଲା ଏ ଶେଷ କଥାତକ । ଧର୍ମ କର୍ମରେ ମନ ତାଙ୍କର । ତାଙ୍କର ଏଇ କୃତକର୍ମ ପାଇଁ ଆଉ ଜଣେ ଏମିତ ହୀନସ୍ଥା ହଉ ସେ କଥା ସେ ସହନ୍ତେ କେମିତି । ସେବତୀକୁ ସେ କଥା ଦେଲେ-। ଯା’ହଉ ପଛେ ଚେୟାରମେନ୍‌ଙ୍କୁ ସେ ବୁଝାଇ କହିବେ । ଆଉ ତାଙ୍କର ଭରସା ଅଛି ଯେ ଚେୟାରମେନ୍‌ କେବେ ତାଙ୍କ କଥାରୁ ବାହାରିବେ ନାଇଁ ।

 

ସେବତୀ ଆହୁରି କାନ୍ଦି କାନ୍ଦି ଗୋଡ଼ ତଳେ ପଡ଼ିଗଲା ତାଙ୍କର ।

 

ମାଉସୀ ! ମୁଁ ଜାଣେ ଏଇ କେଇଟା କଥା ଶୁଣି ତମେ ଘୃଣା କରିବ । ହେଲେ କୁହ ତ ମୋର କ’ଣ ଖାଲି ଦୋଷ ରହିଗଲା ? ଚେଷ୍ଟା ତ ଅଛି ନିଶ୍ଚୟ । ତା’ ବୋଲି କ’ଣ...., ତମେ ମତେ ଦୂରର ନ ଭାବି ତମର ଗୋଟାଏ ଝିଅ ହିସାବରେ ଦେଖି ବିଚାର କର ।’

 

ନାଇଁ ଲୋ ମା, ସେଇଟା ଆଉ ଖାଲି ତମର ଦୋଷ କ’ଣ ? ଘିଅ, ନିଆଁ କେତେକେ ଏକାଠି ରହନ୍ତେ ? ଘରଦୁଆର ଛାଡ଼ି ଆସି ବିଦେଶରେ ପଡ଼ିଚ, ଏଇଟା କ’ଣ ବିଚିତ୍ର କଥାଟାଏ ? ବୟସ ଦୋଷରୁ କାହା ଗୋଡ଼ ଅଳ୍ପ ବହୁତେ ଶିଉଳିରେ ନ ଖସିବ ଏକଥା କିଏ କହିପାରିବ ?

 

ଏତିକିବେଳେ ଯୋଗକୁ ପଶିଆସୁଥିଲେ ଭିତରକୁ ଚେୟାରମେନ୍‌ ସାହେବ । କାନ୍ଦ କାନ୍ଦ ଆଖିରେ ଓଳଗି ହେଲା ସେବତୀ । ପଚାରିଲେ ଚେୟାରମେନ୍‌......

 

‘କ’ଣ ସେବତୀ ! ତମର ଗୋଟାଏ ଏମିତି କ’ଣ ଅର୍ଡର ଆସିଚି ବୋଲି ଶୁଣିଲି ।’

 

‘ହଁ ସାର୍‌.....’

 

‘କାଇଁକି କାରଣଟା କ’ଣ ?’

 

‘ସାର୍‌ ! ଆପଣ ଯୋଉ କେଇଦିନ ସେ ଷ୍ଟୋର ଚାବି ରଖିଥିଲେ ସେଥିରେ କ’ଣ ଟିକେ ବେଶୀ ଖର୍ଚ୍ଚ ହେଇଥିଲା ବୋଲି ମତେ ତ ଆପଣ କହିଲେ.....’

 

‘ହଁ ସେତ ହେଲା.... । କିନ୍ତୁ ତାପରେ ହେଲା କ’ଣ ?

 

ମୁଁ ତାକୁ ଟିକେ ବାଗେଇ ଦେଇଥିଲି, ହେଲେ ଅଫିସର ମତେ ଜାଣିପାରି କହିଲେ ଯେ ତମେ କାଇଁ ଏ କାମ କଲ ? ସେ ଚେୟାରମେନ୍‌କୁ କାଇଁକି ଧରା ନ ପକେଇଲ ? ମୁଁ କହିଲି ସାର୍-! ସେ ଜଣେ ପିତୃସ୍ଥାନୀୟ ବ୍ୟକ୍ତି । ମୋ ସାଙ୍ଗରେ ତ ତାଙ୍କର କିଛି ଅପ୍ରିୟତା ନାହିଁ । ତା’ଛଡ଼ା ସେତ ତାଙ୍କ ଘରକୁ ନେଇଯାଇ ନାହାନ୍ତି । କ’ଣ ଏପାଖ ସେପାଖ ଦେଇ ଖର୍ଚ୍ଚ ହେଇଯାଇଥିବ....-। ସେଇଠୁ ମତେ କହିଲେ ଯେ ନାଁ ତମେ ଲେଖି ଆଣ ସେ ସବୁତକ ଷ୍ଟକରୁ ନେଇଚନ୍ତି ବୋଲି–ମୁଁ ଯାହା କରିବାର କରିବି । ମୁଁ ଯାଉଠୁ ଲେଖିଦେଲି ନାଇଁ ମତେ ବାଧ୍ୟ କଲେ । ତଥାପି ମୁଁ ଯେତେବେଳେ ରାଜିହେଲି ନାଇଁ ମତେ କହିଲେ ତମେ ୟାର ପରିଣାମ ପାଇବ.... ।

 

ଏତକ ଶୁଣି ସାରିଲାପରେ ଚେୟାରମେନ୍ ଖାଲି ଥରୁଥାନ୍ତି ପଡ଼ି ରାଗରେ । ଖାଲି ତାଙ୍କ ପାଟିରୁ ବାହାରିଲା—

 

‘କେମତ୍‌ ? ସେ ମୋ ସାଙ୍ଗରେ ନାଗିବାକୁ ଚେଷ୍ଟା କରୁଚି ?

 

ସେତିକିବେଳେ ତାଙ୍କ ସ୍ତ୍ରୀ କହିଲେ–

 

‘କିଛି ନ ଶୁଣି ଏମିତି କାଇଁକି ଉଚ୍ଛନ୍ନ ହଉଚ ? ଶୁଣିବ ଯଦି ମରମ କଥା ମୋଠଉଁ ଆସ ଶୁଣିବ । ସେ ଝୁଅଟା କ’ଣ ତମକୁ କହିପାରିବ ? ତୁ ଯା’ଲୋ ମା, ମୁଁ ତମ ଚେୟାରମେନ୍‌ଙ୍କୁ ସବୁକଥା କହିଦେବି.... ।’

 

ମୁଣ୍ଡିଆଟାଏ ମାରି ଆସିଲା ସେବତୀ, ଏକ ପ୍ରକାର ଟାଣି ନେଇଗଲା ପରି ନେଇଗଲେ ସାଆନ୍ତାଣୀ ଚେୟାରମେନ୍‌ଙ୍କୁ ଘର ଭିତରକୁ ।

 

ସେଇଦିନ ସଞ୍ଜ ଭଲକରି ହେଇ ନଥାଏ ଡାକରା ଆସିଲା ସେବତୀକୁ ଚେୟାରମ୍ୟାନ୍‌ଙ୍କ ଘରୁ । ସେବତୀ ଗଲା । ଚେୟାରମ୍ୟାନ୍ ବସିଥାନ୍ତି । ପାଖରେ ତାଙ୍କର ସ୍ତ୍ରୀ–ତାଙ୍କ ମୁହଁରେ ହସ, କିନ୍ତୁ ଚେୟାରମ୍ୟାନ୍ ଖାଲି ରାଗରେ ଫଁ ଫଁ ହଉଥାନ୍ତି । ନାକପୁଡ଼ା ତାଙ୍କର ପଡ଼ୁଥାଏ ଉଠିଥାଏ । ସେବତୀକୁ ବସିବାକୁ କହିଲେ । ସେବତୀ ବସିଲା ପରେ ପଚାରିଲେ–

 

‘ଆଚ୍ଛା ତମେ କଲିକତା କେତେ ତାରିଖରେ ଯାଇଥିଲ ?’

 

ସେବତୀ ମନେ ପକାଇ ତାରିଖ କହିଲା–

 

‘କେଉଠି ରହିଥିଲେ ?’

 

କହି ପାରିଲାନି, ସେ କଥାତ ଜାଣିନି କି ଜାଗାର ନାଁ ମନେ ରଖିନି । ତା’ପରେ ସେଦିନ ରାତିରେ କ’ଣ, କ’ଣ, ହେଲା ଇତ୍ୟାଦି ସବୁ ଟିପିରଖିଲେ ତାଙ୍କ ନୋଟ୍‌ବହିରେ ଚେୟାରମ୍ୟାନ୍‌, ତାଙ୍କୁ ସ୍ତ୍ରୀ ପଚାରିଲେ–

 

‘କ’ଣ କିଛି ହେଇପାରିବ ନାଇଁ ?’

 

‘ହେଇ ପାରିବି ନାଇଁ ? ହଇହେ ତମେ ମତେ କ’ଣ ଭାବିଚ କି ? ମୁଁ ପରା ପଅରଦିନ ଗୋଟାଏ ମିଟିଙ୍ଗ୍‌ପାଇଁ ଭୁବନେଶ୍ଵର ଯାଉଚି । ତା’ ଅବସ୍ଥା ଢିଲା କରିହେବ ନାଇଁ ତ ସେ ମତେ ଚିହ୍ନିବ । ମତେ ଫାଶରେ ପକେଇବାକୁ ବସିଚି ନାଇଁ ? ଏ ଗାଡ଼ିଟା ଧରି ଯୁଆଡ଼େ ପାରି ସିଆଡ଼େ ପଳଉଥିଲେ–ଦେଲୁ ଧରି ଏମିତି ଚାବି ମୋଡି ଯେ ନ ପଚାରି କୁଆଡ଼େ ଗାଡ଼ି ଇଞ୍ଚେ ବି ନେଇ ପାରିବେନି । ରହ, ଖାଲି ଦେଖ ତମେ, ବଚ୍ଚାକୁ କେମିତି ପାନେ ଦେବି । କୋଉ ମନ୍ତ୍ରୀଟା ବାହାରିଯିବ ମୋ କଥାରୁ ଏମିତି ଅଛି ?

 

‘ତା’ହେଲେ ସେବତୀର... ?’

 

‘ଓହୋ ତା’ ବିଷୟରେ ତ ନିଶ୍ଚୟ କିଛି ଗୋଟାଏ କରିବା । ଏଇ କଥାଟା ଆଉ କାଇଁକି ଲେଖିଲି । ବଳେ ସେ ଲୋକଟା ଚୋର ବୋଲି ପ୍ରମାଣିତ ହେଇଗଲେ ଯାହାକୁ ସେ ଚୋର ବୋଲି କହିଚି ସେଇଟା ମିଛ ହେଇଯିବ ନାଇଁ... । ଏଇ କେଇଦିନ ଭିତରେ ମୁଁ କ’ଣ କରୁଚି ତମେ ଖାଲି ତୁନିଟି ହେଇ ଦେଖ । ହଁ ସେବତୀ ! ତମେ କାଲି ଦଶଟାବେଳେ ମୋ କତିକି ଆସିବ... ।’

 

‘ସାର୍‌ !’

 

ଏତିକିରେ ସେବତୀ ବିଦାୟ ନେଲେ ସେଦିନ ପାଇଁ । ତା’ପରଦିନ କଥାନୁସାରେ ଯାଇଁ ଠିକ୍‌ସମୟରେ ପହଞ୍ଚିଲା । ଦେଖିଲା–ଗାଡ଼ି ଥୁଆ ହେଇଚି ତାଙ୍କ ଦୁଆର ମୁହଁରେ, ଡ୍ରାଇଭର ବସିଚି-। ବୋଧହୁଏ ଚେୟାରମ୍ୟାନ୍ କୁଆଡ଼େ ଯିବେ । ପଚାରିଲା ଡ୍ରାଇଭରକୁ–

 

‘ଚେୟାରମ୍ୟାନ୍‌କୁ ଆଡ଼େ ଯିବେ । ଏଇନେ ?

 

‘ଯାଇଥିଲେ ତ ସକାଳୁ ଡାକ୍ତରଖାନାକୁ, ଆଇଲେ, ପୁଣି କୁଆଡ଼େ ଯିବେ ପରା... ।’

 

କାଳେ ପଳେଇଯିବେ ବୋଲି ଭିତରକୁ ଗଲା ସେବତୀ । ଦେଖିଲା ଚେୟାରମ୍ୟାନ୍‌ ଖାଇ ବସିଚନ୍ତି । ସାନ୍ତାଣୀ ଆସି କହିଲେ–

 

‘ତମରି କଥାତ ଏଇଛୁଣିକା ପଚାରୁଥେଲେ ଆଉ..... ।’

 

ସେବତୀ ଅପେକ୍ଷା କଲା, ଚେୟାରମ୍ୟାନ୍‌ ଖାଇସାରି ଆସି କହିଲେ ।

 

‘ଚାଲ......’

 

‘ସେବତୀ ଜାଣି ପାରିଲାନି କୁଆଡ଼େ ଯିବ ବୋଲି, ତଥାପି ବାହାରକୁ ଆସିଲା । ଚେୟାରମ୍ୟାନ୍ ତାକୁ ଗାଡ଼ିରେ ବସିବାକୁ କହି ନିଜେ ବସିଲେ–ଗାଡ଼ିଚାଲିଲା । ଡାକ୍ତରଖାନାକୁ ଯିବାପାଇଁ ଡ୍ରାଇଭରକୁ କହିଲେ ଚେୟାରମ୍ୟାନ୍ ।

 

ଡାକ୍ତରଖାନାରେ ଯାଇ ପହଞ୍ଚିଲା ପରେ ତା’ର ମନ ହେଲା ଯେମିତି ସେଠାକାର ସବୁ ଚାକିରୀଆ ଦଳ କେବଳ ସେବତୀକୁ ଚାହିଁ ତା’ ମୁହଁରୁ କ’ଣ ଖୋଜୁଚନ୍ତି । ଚେୟାରମ୍ୟାନ୍ ଯାଇ ଡାକ୍ତରଙ୍କ ପାଖରେ ବସିଲେ । ନିହାତି କମ୍‌ବୟସର । ଏବେ ପାଶ୍‌ କରି ନୂଆ ଚାକିରୀ କରିଛନ୍ତି । ତାଙ୍କୁ ଦେଖାଇଦେଲେ ସେବତୀକୁ । ଆଶ୍ଚର୍ଯ୍ୟରେ ସେ ସେବତୀକୁ ଘଡ଼ିଏ ଚାହିଁଲେ । ତା’ପରେ ଲେଡି ହେଲ୍‍ଥ ଭିଜିଟରଙ୍କୁ ଡାକି କ’ଣ ପରାମର୍ଶ ଦେଲେ ।

 

ସେ ଡାକିନେଇ ସେବତୀକୁ ଚାଲିଗଲେ ଆଉ ଗୋଟିଏ ବଖରାକୁ । ସେଠି କେତେ କ’ଣ ପରୀକ୍ଷା କଲେ । ସେବତୀ ଲକ୍ଷ୍ୟ କଲା–ପରୀକ୍ଷା କରି ସାରିବା ପରେ ତାଙ୍କର ମୁହଁ ଶେତା’ ପଡ଼ିଗଲା । ଚୂପ୍‌ ମାରିଗଲେ ସିଏ । ସେବତୀର ଇଚ୍ଛାହେଲା ପଚାରିବାକୁ । ହେଲେ ପଚାରିଲା ନାଇଁ । କ’ଣ ପଚାରିବ ସିଏ ? ଅତୀତର ସେଇ ଗୋଳିଆ ଅଧ୍ୟାୟଟିକୁ ନିରେଖି ନିରେଖି ପଢ଼ୁଥେବେ ଆଉ କ’ଣ । ଆଉ କ’ଣ ଜାଣିବାରେ ବାକି ଅଛି ତାଙ୍କର ବା ଆଉ କ’ଣ ଲୁଚେଇବାର ବାକି ଅଛି ସେବତୀର...... ?

 

ତାଙ୍କ କାମ ସାରିଲା ପରେ ଚେୟାରମ୍ୟାନ୍‌ କହିଲେ–

 

‘ସେବତୀ ତମେ ଯାଇ ଗାଡ଼ିରେ ବସ, ମୁଁ ଯାଉଚି ।’

 

ସେବତୀ ଚାଲି ଆସିଲା, କିଛି ସମୟ ପରେ ଚେୟାରମ୍ୟାନ୍‌ ଆସିଲେ । ଗାଡ଼ି ଚାଲିଲା, ସେବତୀକୁ ଭୟରେ ଛାଡ଼ିଡେଇଗଲା ।

 

ତା’ର ଦିନେଖଣ୍ଡେ ପରେ ଚେୟାରମ୍ୟାନ୍ ଗଲେ କଟକ । ଗଲା ପୂର୍ବରୁ ସେବତୀ ପଚାରିଲା–

 

‘ସାର୍‌, ମୁଁ ତା’ହେଲେ....’

 

‘ନାଁ ମୁଁ କଟକରୁ ଫେରିବା ପର୍ଯ୍ୟନ୍ତ ତମେ ଥାଅ’–କହି ଚାଲିଗଲେ ଚେୟାରମ୍ୟାନ୍‌ ।

 

ତା’ର କେଇଦିନ ପରେ ଫେରିଲେ ସେ । ପ୍ରତ୍ୟେକ ଦିନ ଯାଇଁ ଚେୟାରମ୍ୟାନ୍‌ଙ୍କ ଘରେ ଟିକେ ମୁହଁ ମାରିଦେଇ ଆସେ, ସେବତୀ, କାଳେ ଫେରିବେଣି... ।

 

ଦିନକର ଗଲାବେଳକୁ ଫେରିଥାନ୍ତି ଚେୟାରମ୍ୟାନ୍‌ । ପଚାରିବା ଆଗରୁ ସବୁକଥା କହିଗଲେ । ସେସବୁ ନିୟମ କାନୁନ୍‍ରୁ ସିନା ସେବତୀ ବିଶେଷ କିଛି ବୁଝିଲାନି ହେଲେ ଏତିକି ବୁଝିଲା ଯେ ଖୁବ୍ ଶୀଘ୍ର ସେ ତା’ର ଚାକିରୀ ଫେରି ପାଇବ । ଆଉ ଖାଲି ଯାହା ତାକୁ କେଇଥର କୋର୍ଟ କଚେରୀ ଦଉଡ଼ିବାକୁ ପଡ଼ିବ ।

 

ସେଇଆ ବି ହେଲା । କୋର୍ଟ କଚେରୀ କେଇଥର ଦଉଡ଼ି, ସାକ୍ଷୀ ପ୍ରଣାମ ଯୋଗାଇ ଯେତେବେଳେ ଚେୟାରମେନ୍‌ ଆଉ ସେବତୀ ଉଭୟେ କ୍ଲାନ୍ତ ହେଇପଡ଼ିଲେ ସେତେବେଳେ ତାଙ୍କ ଚେଷ୍ଟାର ଗଛରେ କଷି ଧରିଲା । ସେବତୀ ଉପରକୁ ମାରିଥିବା ବାଣଟା ଅଫିସରଙ୍କ ଉପରକୁ ଆପେ ଲେଉଟି ଆସିଲା । ତାଙ୍କୁ ଚାକିରୀରେ ନାଲିଦାଗ ପଡ଼ିଲା କେଇଦିନ ପାଇଁ । ଆଉ ସେବତୀ ଫେରି ପାଇଲା ତା’ର ଚାକିରୀ । କେଇଦିନ ନୁହେଁ କେଇମାସ ଭିତରେ ସବୁ ଓଲଟ ପାଲଟ ହେଇଗଲା ।

 

ପୁଣି ସେଇଠି କାମରେ ଯୋଉଦିନ ଜଏନ୍‌କଲା ସେବତୀ, ସେଦିନ ତା’ର ସେଇ ଅଫିସର ନ ଥିଲେ ଜଏନିଂ ଦରଖାସ୍ତ ରଖିବାକୁ...... ।

 

ତା’ ଜଏନ କରିବାର ଆଠ ଦଶ ଦିନ ହେଇନାଇଁ, ଦିନେ କାଇଁକି ସେ ଲେଡି ହେଲଥ ଭିଜିଟର ତାଙ୍କ ଅଫିସ୍‌ ଆଡ଼େ ଆସିଥିଲେ । ସେବତୀକୁ ଦେଖି ଚିହ୍ନିଲେ । ସେବତୀ ବି ନମସ୍କାର କଲା । ସେ ପଚାରିଲେ......

 

‘କ’ଣ ଚାକିରୀ ପୁଣି ହେଇଗଲା ?’

 

‘ହଁ....’

 

‘ମୁଁ ଭାବୁଥିଲି ଯେ ଖୁବ୍‌ଶୀଘ୍ର ହେଇଯିବ ବୋଲି । ଆମ ରିପୋର୍ଟ ଉପରେ ତ ପ୍ରାୟ ହେଲା କହିଲେ ଚଳେ ।’

 

‘ହଁ......’

 

ଟିକିଏ କ’ଣ ସେ ପଚାରିଲେ–

 

‘ଆଚ୍ଛା ସେବତୀ ! ଚାକିରୀଟା କ’ଣ ତମ ଜୀବନର ଲକ୍ଷ୍ୟ ?’

 

‘ଆଦୌ ନୁହେଁ, ହେଲେ ଏମିତି ଏକା ଚଳିବାକୁ ଯେତେ ଦିନ ପଡ଼ିବ ସେତିକିବେଳେ ନିଜପାଇଁ ରୋଜଗାର କଲେ କ୍ଷତି କ’ଣ ? ସେ ରୋଜଗାରରୁ କିଛି ଅନ୍ୟକୁ ମଧ୍ୟ ସାହାଯ୍ୟ କରି ହବ ।’

 

‘ତା’ ହେଲେ ଭବିଷ୍ୟତର ଉଦ୍ଦେଶ୍ୟ କ’ଣ ତମର...... ?’

 

ଏଇ କଥାରେ ମନେ ମନେ ହେଜିଲା–କ’ଣ କହିବାକୁ ଚାହାନ୍ତି ଇଏ ? ତା’ ଚାକିରୀ ଜୀବନ ବିଷୟରେ ପଚାରିବାକୁ ଚାହାନ୍ତି ନାଁ ଘରୋଇ ଜୀବନ ବିଷୟରେ ପଚାରିବାକୁ ଚାହାନ୍ତି ? ନ ବୁଝିପାରି କହିଲା–

 

‘କୋଉ କଥା ପଚାରୁଚନ୍ତି ଯେ ?’

‘ନାଁ, ଏଇ ଯେ ତମେ ମନା କଲେ ଚାକିରୀଟା ତମ ଜୀବନର ଲକ୍ଷ୍ୟ ନୁହେଁ...... ।’

‘ହଁ, ମୁଁ ବି ଠିକ୍‌, କହିଚି । ଆଚ୍ଛା କୁହନ୍ତୁ ତ, ଆପଣ ଜଣେ ମୋରି ଭଳି ନାରୀ । ଆପଣ ଚାକିରୀ କରୁଚନ୍ତି ବୋଲି କ’ଣ ଜୀବନର ଆଉ ସବୁ କାମନା ଭୁଲି ଯାଇଚନ୍ତି ?’

‘କିନ୍ତୁ ସେ କାମନା ତ ତମର ପୂରଣ ହେଇ ସାରିଚି......’

‘ନାଁ ଭଉଣୀ ! ସେଇଟାକୁ କ’ଣ କାମନା ପୂରଣ କହନ୍ତି । ଗୋଟାଏ ଦୁର୍ବଳ ମୁହୂର୍ତ୍ତର ପରାଜୟ ସେଇଟା ତା’ରି ପରେ ବରଂ ମନଟା ବେଶୀ ଅନୁତାପ କରି ଖୋଜି ବସେ–ଘର, ଦୁଆର, ପିଲାଛୁଆର ସଂସାର....’

କେମିତି ଦେବାଗିଆ କରି ହସିଦେଲେ ଟିକିଏ ସେବତୀ କଥାରେ–

ହଁ, ମଣିଷ ଯୋଉ ଜିନିଷଟା ନ ପାଇବ ବୋଲି ଜାଣେ ସେଇ ଜିନିଷଟାକୁ ବେଶୀ ଆଶା କରି କଳ୍ପନା କରେ । ଆଉ ସେଇଥି ପାଇଁ ତ ଦୁଃଖ ପାଏ ।’

ଭାରୀ କାଟିଲା ଏ କଥା ସେବତୀକୁ । ଏମିତି ଲୁଚା ଚୋରାଣିଆ କିଏ ଯେ କେତେ କ’ଣ ନ କରୁଚି । ପୁଣି ସତୀ ସାବିତ୍ରୀ ପାଲଟି କୂଳବୋହୂ ସାଜି ଶଙ୍ଖା ସିନ୍ଦୂର ପିନ୍ଧି, କିଛି ନ ଜାଣିଲା ପରି ଅଭିନୟ କରୁଚନ୍ତି । ଆଉ ସେ ସେଇ ତୁଳନାରେ କ’ଣ ବା ଏମିତି କରି ପକେଇବ । ଖାଲି ଅକଳରେ ପଡ଼ି ତାକୁ ସିନା ସବୁତକ ମୁହଁ ଖୋଲିଦବାକୁ ପଡ଼ିଲା । ନ ହେଲେ ସେ କ’ଣ......ସେମିତି ଗୀର୍ଜାରେ ଘଣ୍ଟି ବଜେଇ ନିହାତି ସରଳଟି ପରି ବାହା ହେଈ ନ ଥାନ୍ତା ? ତା’ହେଲେ ନ ପାଇବା ଜିନିଷ ବୋଲି କାହିଁକି କହୁଚନ୍ତି ?

‘ଆଚ୍ଛା ଭଉଣୀ ! ଗୋଟିଏ କଥା ପଚାରିବି । ଲୋକେ କେତେ ତ କ’ଣ ଲୁଚେଇ ଛପେଇ କରି ଯାଉଚନ୍ତି । ପୁଣି ପଛକଥାକୁ ଭୁଲି ଆଉ ଜଣଙ୍କୁ ସମର୍ପଣ କରି ଦଉଛନ୍ତି । ତା’ହେଲେ ମୁଁ କ’ଣ ସେଇଆ କରିପାରିବିନି ? ଗୋଟାଏ ଭୁଲ ପାଇଁ ଅନୁତାପ କରି ଆଉ ଜଣକୁ ନିବିଡ଼ ଭାବରେ ନିଜର କରିପାରିବିନି ? ଦୁନିଆଁ ରେ ସମସ୍ତେ କ’ଣ ପ୍ରଥମ ଥର ପାଇଁ ବିବାହ ପରେ ଏ କାମନା ଜୀବନରେ ପାଇଚନ୍ତି–କେହି ତା’ ଆଗରୁ ନୁହେଁ ?

‘ହଁ, ତା’ ମୁଁ କହୁନାହିଁ ତ ? ହେଲେ ତା’ଦ୍ଵାରା ତ ବେଶୀ ଛଟପଟ ହବ ତମେ । ବର୍ତ୍ତମାନର ଜ୍ଵାଳା ପରେ ଆଉ ଯୋଉ ଗୋଟାଏ ଜ୍ଵାଳା ଆସିବ ସେଇଟା ତମ ସ୍ଵାମୀ ଅପେକ୍ଷା ବେଶୀ ଜାଳିବ ତମକୁ । ତିଳ ତିଳ ହେଇ ଦଗ୍ଧ ହବ ।’

ସଂସାର ବିଷୟରେ ଅନୁଭୂତି ବହୁତ ବେଶୀ ନୁହେଁ । ତେଣୁ ଏତିକିରୁ କିଛି ନ ବୁଝିପାରି ସେବତୀ ଚାହିଁଲା ତାଙ୍କ ମୁହଁକୁ । କୋଉ ଜ୍ଵାଳାଟା ବର୍ତ୍ତମାନ ତା’ର ଅଛି ଆଉ କୋଇଟା ଆସି ପରେ ତାକୁ ଦଗ୍ଧ କରିବ । ନାଁ.....ତା’ର ଜାଣିବା ଦରକାର, ପଚାରିଲା–

‘କୋଉଁ କଥା ? ବୁଝି ପାରିଲି ନାଇଁ.... ?’

‘ବୁଝିବାରେ କିଛି ନାଇଁ ଏଥିରେ । ଏଇ ତ ତମେ କହିଲି ପିଲା ଛୁଆର ସଂସାର ତମେ ଚାହଁ । ତମେ ଯେତିକି ଚାହିଁବ ତମର ସ୍ଵାମୀ ବି ତ ସେତିକି ଚାହିଁବେ ? ତା’ ହେଲେ ତାଙ୍କୁ କି କୈଫିୟତ୍‌ ଦବ ?’

 

‘କାହିଁକି ?’

 

ଟିକେ ଶଙ୍କି ଯାଇ ପଚାରିଲା ସେବତୀ ।

 

‘ତମେ କ’ଣ ତାଙ୍କୁ ଏକଥା ଖୋଲି କହିପାରିବ ?’

 

‘କାଇଁକି ପାରିବିନି ? କହିବି ଯେ ପିଲାଖେଳ ଭଳି ଜୀବନରେ ଏମିତି ଗୋଟାଏ ଅଜାଣତରେ ଭୁଲ ହେଇଗଲା ଅତୀତରେ ।’

 

‘ଆଃ....ସେ ଅତୀତ କଥା ଛାଡ଼ । ଭବିଷ୍ୟତ ପାଇଁ ତମେ ଯାହା କରିଚ ସେ କଥାଟା କୁହ ! ତା’ ଜାଣିଶୁଣି ତମେ ଆଉ ଜଣକର ଭାବନାକୁ କାଇଁକି ନଷ୍ଟ କରିବ ?’

 

ଏଇ କଥାରେ ସେବତୀ ଖୁବ୍‌ଗୋଟାଏ ଅଜଣା ଭୟରେ ଶିହରି ଉଠିଲ । । କ’ଣ ସେ କରିଚି ଭବିଷ୍ୟତ ପାଇଁ ଯା’ଦ୍ଵାରା କି ଆଉ ଜଣକର ଜୀବନ ନଷ୍ଟ ହବ .... ?

 

‘ଭବିଷ୍ୟତ ପାଇଁ ମୁଁ କ’ଣ କରିଚି ମୁଁ ତ ଜାଣିନି କିଛି । କୋଉ କଥାକୁ କହୁଚ ଯେ ?’

 

‘ଜାଣିନି ମାନେ ?’

 

‘ବିଶ୍ଵାସ କର ଭଉଣୀ ! ମୁଁ କେବଳ ଯେତିକି କହିଚି: ସେତିକି ମାତ୍ର ଜାଣିଚି । ହୁଏ ତ ତମେ ତମର ଅଫିସରଙ୍କୁ ସାଙ୍ଗରେ ସମ୍ପର୍କ ଅତୁଟ ରଖିବାର ସବୁଦିନିଆ ଯୋଜନାଟାଏ କରିନ ?’

 

‘ତା’ମାନେ ?’ .....ଆଖି ଦି’ଟା ବଡ଼ ବଡ଼ କରି ଅନେଇଲା ସେବତୀ ।

 

‘ସବୁଦିନ ପାଇଁ ମା’ ନ ହବାର ବନ୍ଦୋବସ୍ତ ତ ତମେ କରି ଦେଇଚ.....’

 

‘ଏଁ ?’

 

ତା’ପରେ ଆଉ କିଛି ଜାଣିନି ସେବତୀ । ଖାଲି ତାକୁ ଏତିକି ଲାଗିଲା ଯେ ମୁଁଣ୍ଡ କ’ଣ ହେଇଯାଉଚି ଚକ ଘୂରିଲା ପରି । ସେ ବୋଧହୁଏ କଚାଡ଼ିହେଇ ପଡ଼ିଲା ତା’ପରେ.... ।

 

ଯେତେବେଳେ ତା’ର ହୋସ୍‌ ଆସିଲା–ଦେଖିଲା ତା’ଘରେ ସେ ଅଛି । ସେତେବେଳକୁ ଦି’ପହର ଗଡ଼ି ଯାଇଥାଏ । ପାଖରେ ତା’ର ଆଉ କେହି ନ ଥାନ୍ତି । କେବଳ ସେଇ ହେଲ୍‌ଥ ଭିଜିଟର ଜଣକ ବସିଥାନ୍ତି । ତା’ର ହୋସ୍‌ ଆସିଲା ! ତାକୁ କ’ଣ ଟିକେ ଖାଇବାକୁ ଦେଲେ-। ତାଙ୍କରିଠଉଁ ସେବତୀ ଜାଣିଲା ଯେ ସେ ଏଇକଥା ଶୁଣି କଚାଡ଼ିହେଇ ପଡ଼ି ବେହୋସ୍‌ ହେଇଗଲା-। ସେତେବେଳେ ଇଏ ଜାଣି ପାରିଲେ ଯେ ସେବତୀର ଅଜାଣତରେ ଏଇଟା ସେ ଅଫିସରଙ୍କ ବ୍ୟବସ୍ଥା... ।

 

ବହୁତ ଆକୁଳରେ ସେବତୀ ତା’ପରେ ପଚାରିଚି ସେ ହେଲ୍‌ଥ ଭିଜିଟରଙ୍କୁ–ଆଉ ଯଦି କିଛି ତା’ର ଉପାୟ ହେଇପାରେ...ହେଲେ ସେ ମନା କରି ଦେଇଚନ୍ତି । ଯୋଉ ବିଜ୍ଞାନକୁ ସେ କଲିକତାରୁ ଫେରିଲା ଦିନ ମନେ ମନେ ଶତ ପ୍ରଶଂସା ବାଢ଼ୁଥିଲା ବର୍ତ୍ତମାନ ତାକୁ ଜଣାପଡ଼ିଲା ଯେ ସେଗୁଡ଼ା ବି ଅକୃତଜ୍ଞ ଏବଂ ଅସମ୍ପୂର୍ଣ୍ଣ । କାରଣ ବିପଦରେ ପକେଇବାର ବାଟ ଜାଣନ୍ତି, ଉଧାରିବାର ଉପାୟ କରି ନାହାଁନ୍ତି ଏ ପର୍ଯ୍ୟନ୍ତ ।

 

ଦିନେ ଖଣ୍ଡକ ପରେ ତାକୁ ସୁସ୍ଥ ଲାଗିଲାରୁ ସେବତୀ ଅଫିସ୍ ଗଲା । ହେଲେ ସେ ଲକ୍ଷ୍ୟ କଲା ତାକୁ ଯେମିତି ଦୟନୀୟ ଆଖି ନେଇ ସମସ୍ତେ ଚାହୁଁଚନ୍ତି । କିରାଣୀଦଳଙ୍କ ଭିତରେ ଟୁପୁରୁ ଫୁସୁରୁ ହବାର ଶୁଣିଲା....କୁଆଡ଼େ ତାକୁ ହିଷ୍ଟିରିଆ ହେଇଗଲାଣି... ।

 

ସେଦିନ ସେ ଯାଇଁ ସେ ହେଲ୍‍ଥ ଭିଜିଟରଙ୍କୁ ଦେଖା କରି ଗପକରିବା ସ୍ଥଳରେ ସେ ରୋଗଟା କ’ଣ ବୋଲି ପଚାରିଚି ସେ ହିଷ୍ଟିରିଆ ରୋଗ ବିଷୟରେ । ଶୁଣିଲା ଯାହା–ସେ ହସିଲା ମନେ ମନେ.... । ହଁ ସେଇଟାକୁ ମନା କରିବାର ତ ଜୂ ଆଉ ନାହିଁ ତା’ର .... ।

 

ଘରକୁ ଫେରି ସେ ବହୁତ ଚିନ୍ତା କଲା....ନାଇଁ ତା’ର ଏ ଜାଗା ଛାଡ଼ିବା ଦରକାର । ଏଇଠି ରହି ଅନେକଗୁଡ଼ାଏ ଅପବାଦର କଣ୍ଟା ଉପରେ ସେ ସାହସ ରଖି ଚାଲିପାରିବନି । ବରଂ ଅନ୍ୟ ଜାଗାଟାକୁ ଚାଲିଯିବ । ଆଜି ହୁଏ ତ ଭଲକାମ କରୁଚି ବୋଲି ଚରିତ୍ରଗତ ରିପୋର୍ଟ ଲେଖିବାର ବଦଳରେ ତା’ ଅଫିସର ଚାହିଁଲେ ତା’ର ସର୍ବସ୍ଵ । ତାକୁ ଦୋଷମୁକ୍ତ କରିବାର ଚରିତ୍ର ରିପୋର୍ଟ ବଦଳରେ ଆମେରିକାବାବୁ ଚାହିଁଲେ ତା’ର ସର୍ବସ୍ଵ । ଆଉ ସେଇ ଅତୀତର ଇତିହାସ ପୃଷ୍ଠାରୁ ଓଲଟେଇ ତା’ ଭିତରୁ ତଥ୍ୟ ଯୋଗାଇବା ରିପୋର୍ଟ ବଦଳରେ ଯଦି କାଲି ସକାଳେ ଆସନ୍ତି ତା’ର ସର୍ବସ୍ଵ ଚାହିଁ... ? ଏଭଳିଆ ଗୋଟାଏ ରୋଗୀକୁ ନିରୋଗୀ ଆଉ ଖରାପକୁ ଭଲ ବୋଲି ଚଳେଇ ନେଇ ଯଦି ଚାକିରୀ ଗତ ରିପୋର୍ଟ ଲେଖି ନୂଆ ଅଫିସର ଯଦି ଖୋଜନ୍ତି ତା’ର ସର୍ବସ୍ଵ ? ତାହେଲେ ସେ କାହାକୁ କ’ଣ ମନା କରିପାରିବ ? ? ତାଙ୍କ ଉପକାର ବଦଳରେ ଚେୟାରମେନ ସାହେବ ଯଦି ପ୍ରତିଦିନ ଲୋଡି ବସିନ୍ତି ସେତିକି ସେତିକି ସେ ଜଳଖିଆ....ତାହେଲେ ସେ କ’ଣ ତାଙ୍କୁ ମନା କରିପାରିବ ??? .... ତାହେଲେ.... !!! ନାଁ, ତା’ର ଏଠୁ ଯିବା ଦରକାର ।

 

ଛୁଟିନେଇ କେଇଦିନ ଘରକୁ ଯିବା ବାହାନାରେ ଯାଇ ତା’ର ବଡ଼ ହାକିମଙ୍କ ଇଜ୍‌ଲାସରେ ନିଜର ସବୁକଥା ଜଣେଇ ବଦଳି ହବାକୁ ଚାହିଁଲା । ଆଉ ତାକୁ ଯେତେବେଳେ ପଚାରିଲେ କୁଆଡ଼େ ଯିବ ବୋଲି...ସେତେବେଳକୁ ସେ ଉତ୍ତର ଦେଇଥିଲା ଯେ ସେ ଜାଗା ଛାଡ଼ି ପୃଥିବୀର ଯେ କୌଣସି ଅପନ୍ତରା ଜାଗାକୁ ଯିବାକୁ ସେ ରାଜି । ଖାଲିଠଉଁ ଘରଠୁ ଆଉ ସେଇ ଯାଗାଠଉଁ ଯେତେ ଦୂରକୁ ହେଲେ ସେରେ ଭଲ... ।

 

ବାସ୍‌ ତା’ପରେ ତା’ର ଏଇଠିକି ବଦଳି ହେଲା ।

 

‘‘.....ଏତିକି କହି ସେବତୀ ଲୁଗା କାନିରେ ମୁହଁ ପୋଛିଲା । ତା’ର କହିବା ସରିଗଲା ବୋଧହୁଏ । ଝୁନିୟାଁର ମନେପଡ଼ିଲା ଏଥର ତା’ର ପାଳି । କାରଣ କଥା ଆରମ୍ଭ କଲା ଆଗରୁ ସେବତୀ କହିଥିଲା ସେ ସବୁ ଶୁଣିସାରିଲା ପରେ ଝୁନିୟାଁ । କହିବ–ତା’ର ବାହାହବା ଉଚିତ୍‌ କି ଉଚିତ୍ ନୁହେଁ ।

 

କ’ଣ କହିବ ସେ...... ? ଝୁନିୟାଁର ଆଖି କଣରେ ଲୁହ ଜକେଇଲା । ନିଜ ଦୁର୍ବଳତାଟାକୁ ସେ ସେବତୀର ଅଦେଖାରେ ପୋଛି ଆଣି ଭାବିଲା–ପ୍ରକୃତରେ ସେବତୀ ବାହାହେଇ ଅନେକଗୁଡ଼ାଏ ଗର ନିଆଁରେ ଛଟପଟ ହବା ଅପେକ୍ଷା ଏମିତି ପାଉଁଶ ତଳୁ ନିଆଁର ଧାସକୁ କଳ୍ପନା କରିବାଟା ବରଂ ଭଲ ।

 

‘ସବୁ ତ ଶୁଣିଲ ଝୁନୁଦେଇ.....ଏଥର କୁହ । ମୋର ଆଉ କ’ଣ କରିବାର ଅଛି ? କି ଉତ୍ତର ଲେଖିବ ତମେ ମୋ ଚିଠିର ? ମତେ କ’ଣ ଉପଦେଶ ଦବ ତମେ ଦିଅ । ମନା କରିବା ଛଡ଼ା ଆଉ କ’ଣ ମୋର କିଛି ଚାରା ଅଛି ? ମୋ ଅବସ୍ଥା ଯଦି ଏଇଆ ନ ହୋଇଥାନ୍ତା ତାହାଲେ ଏ ଧାଙ୍ଗଡ଼ାଟାର ମରଦପଣିଆ ପକା ମିନିଟକେ ମୁଁ ଛଡ଼େଇ ଦିଅନ୍ତି ନାଇଁ । ହେଲେ ଏ କଥାରେ ଯଦି ରିପୋର୍ଟଟାଏ କରିବି ତାହେଲେ କଥାଟାକୁ କେହି ବିଚାର ନ କରିବି ଓଲଟେଇ ଦେବେ ମୋ ଉପରକୁ ଯେ..... ଯୁଆଡ଼େ ଗଲା ଏଇଆ କଲା–ୟାଠେଇଁ କିଛି ଗଲତି ଅଛି । ଧର ମୋର ଚାକିରୀ ଉପରେ ଆଞ୍ଚ ଆସିଲା । ସେଇଠୁ...... କ’ଣ କରିବି ? ବାହାହେଇ ଘରସଂସାର କରିବି.....ସେ ରାସ୍ତା ଆଉ ଖୋଲାଅଛି ମୋ ପାଇଁ ?’

 

ଝୁନିୟାଁ ବୁଝିଲା କୌଣସି ପ୍ରଶ୍ନରେ ତା’ର ଉତ୍ତର ଦବାର ଲକ୍ଷ୍ୟ ଯେମିତି ନାହିଁ । ସେ ଭେଳିକି ଲାଗିଲା ଭଳି ଖାଲି କାଠଟିଏ ପାଲଟି ଶୁଣି ଯାଇଚି ସେତକ–ସେଇ ଯଥେଷ୍ଟ । ସେବତୀର ମନକୁ ଭୁଲେଇବା ପାଇଁ ତା’ର ଏକମାତ୍ର ଉପାୟ ତାହେଲେ ତାକୁ ଛାଡ଼ି ଚାଲିଯିବା । ଉଠ ଉଠ ହେଇ ଝୁନିୟାଁ କହିଲା–

 

‘ଥାଉ ସେଇ ସେଗୁଡ଼ା ଆଉ ଘାଣ୍ଟି ଲାଭ କ’ଣ ? ଯାହା ଯାଇଚି ଆଉ କ’ଣ ଫେରିବ ଏମିତି ଭାବିଲେ, ଓଲଟି ନିଜ ମନ ଦୁହିଁହବ......’

 

ଏଥରକ କେମିତିଆ ଗୋଟିଏ ଦୁଃଖମିଶା ଫିକା ହସ ହସିଲା ସେବତୀ ।

 

‘ମୁଁ ଜାଣେ ଝୂନୁଦେଇ ତମେ ଏଇଆ କହିବ । ୟା ଛଡ଼ା ଆଉ ତମେ କ’ଣ କହିପାରନ୍ତ ମୋ ଭଳିଆ ଏକ ବିଚିତ୍ର ଜୀବନପାଇଁ ଏତେଦିନ ମଣିଷଙ୍କ ସାଙ୍ଗରେ ମିଶିବାର ସୁଯୋଗ ପାଇ ମୁଁ ଦେଖିଚି ଯେ ପରିମାଣରେ ଫରକ୍‌ପଡ଼ିଲେ ସୁଦ୍ଧା ଦୃଷ୍ଟି ସମସ୍ତଙ୍କର ଏକ । ଆଉ ମନରେ ବି କିଛି କାମନା । ତମର ମନେ ଅଛି ସେ ଯୋଉ କନା ସକାଶେ ତମର ଲାଗିଥିଲା ପଟାଏ, ଗୋଟାଏ ଅନୁରୋଧରେ ସବୁ ଓଲଟିଗଲା, କେମିତି ?’

 

‘ଏଁ, ତା’ ମାନେ ?’

 

‘ନାଁ ନାଁ, ତମେ ବହୁତ କିଛି ଭାବି ଭାବି ଯାଅନି । ଗୋଟିଏ ନାରୀର ହସିଲା ହସିଲା ଓଠର ପଦେ ଅନୁରୋଧକୁ ଏଡ଼ିଦବା ଭଳି ଶକ୍ତି ଅନ୍ତତଃ ପୁରୁଷ ଗୋଷ୍ଠୀରେ ଅଛନ୍ତି ବୋଲି କାଇଁ କହିପାରୁନି । କାରଣ ସମସ୍ତେ ମାଂସ ଲୋଭୀ, ସମସ୍ତେ ମାଂସ ଲୋଭୀ–ସେଇ ବାଘର ପ୍ରବୃତ୍ତି ନେଇ । କାହାର ବା ଭୋକଟା ବେଶୀ କାହାର ବା କମ୍‌ । ତଥାପି କମ୍‌ହଉ କି ବେଶୀ ହଉ ଯଦି ମତେ ସାହାଯ୍ୟ କରିବା ଛଳରେ ସେ କୌଣସି ଏକ ଆଶାର କ୍ଷୀଣ ସନ୍ଧାନ ପାଆନ୍ତି ତାହେଲେ ସେତିକି ଯଥେଷ୍ଟ । ବର୍ତ୍ତମାନ ନ ହେଲେ ବି ଭବିଷ୍ୟତ ଆଶା ତ ଅଛି ।’

 

‘ସେବ ! ନାଇଁ ନାଇଁ, ତମେ ତା’ କରିପାରିବ ନାହିଁ...’

 

‘ଭୟ କରିବାର ତ ଆଉ କିଛି କାରଣ–ନାଇଁ ଝୁନୁଦେଈ ! ଏ ପର୍ଯ୍ୟନ୍ତ ସିନା ଆସିନି ସେ ସୁଯୋଗ । ତଥାପି ଆସିଲେ ଆଉ ପଛଘୁଞ୍ଚା ଦବାର କ’ଣ ଥାଏ । ହଉ ବେଳ ବହୁତ ହେଲାଣି, ତମେ ଏଥର ଯାଅ । ଛୁଆଗୁଡ଼ାକ ଅଥୟ ହେଲେଣି, ଆଜି ଆଉ କେହି ଆସିବେନି–ଶିଖିବାକୁ.....-।’

 

ମୁଣ୍ଡରେ ବୋଝେ ହେଇଥାଏ ଯେମିତି ସେବତୀ କଥାଗୁଡ଼ାକ ଝୁନିୟାଁ ମନଭିତରେ । ଟଳ ଟଳ ହେଇ ଚାଲୁଥିଲା ଝୁନିୟାଁ ଛୁଆଟାକୁ ଧରି । ତା’ର ମନେହେଲା ଯେମିତି ସେ ଗୋଟାଏ ସପନ ଦେଖୁଥିଲା ହଠାତ୍‌ ଉଠି ଆଇଲା ।

 

ଘରେ ସେବତୀ ସେ କଥାଗୁଡ଼ାକ ବହୁତ ଘାଣ୍ଟି ଚକଟି ମନ୍ଥି ପକେଇଚି । କିନ୍ତୁ ସେବତୀର ସବୁ ଦୁଃଖରେ ସେ ନିଜପାଇଁ ଯୋଉ ଗୋଟିଏ ସୁଖର ଖିଅ ପାଇଚି ସେଇ ଗୋଟିକ ତା’ପାଇଁ ଯଥେଷ୍ଟ । ସେଇଟାକୁ ସେ ବହୁ ରକମର ପାକୁଳୀ କରିଚି ମନେ ମନେ । ତା’ର ମନ ଠିକ୍ କରିଚି ସେ ଭଲକରି ପଚାରିବ ସେବତୀକୁ ସେଇ କଥାଟା । କିନ୍ତୁ ପରକ୍ଷଣରେ ତା’ ବିବେକ ତାକୁ ବାଧା ଦେଇଚି । କେମିତି ପଚାରିବ । ଏଇଟା ତ ସେବତୀ ପାଇଁ ସବୁଠଉଁ ଦୁଃଖର କଥାଟା । ମନେ ମନେ ପାଞ୍ଚିଲା–ବର୍ତ୍ତମାନ ଦିନେ ଦି’ ଦିନ ଚିଠିର ଉଷୁମଟା ଥିଲାଯାକେ ସେ ଏଇଟାକୁ ଦୁଃଖ ବୋଲି ଗ୍ରହଣ କରୁଥିବ । ହେଲେ ତା’ପରେ ଆଉ ସେତେ ଦୁଃଖ କରିବାର କିଛି କାରଣ ନାହିଁ ।

 

ଏଇ ଦି’ ଚାରିଦିନ ଝୁନିୟାଁ କେମିତି କାଟିଚି ସେ କଥା ସେ ଜାଣେ । କଥାଟାଏ ପଚାରିବ ପଚାରିବ କେତେଥର କହିଦେଇ ପୁଣି କଥା ଫେରେଇ ନେଇଚି କିଛି ନୁହଁ ବୋଲି । ଏମିତି ଆଜିକାଲି ହେଇ ହେଇ ଦିନକର ପଚାରିଦେଲା ତା’ ମନର କଥାଟା ସେବତୀକୁ । ହେଲେ ଝୁନିୟାଁ ଯାହା ଭାବିଥିଲା ସେବତୀ ବହୁତ ଦୁଃଖପାଇବ ବୋଲି ତା’ ହେଲା ନାହିଁ । ଓଲଟି ସେବତୀ ତାକୁ ବୁଝେଇ ଦେଲା ଯେ ସିଏ ବିଶେଷ କିଛି ଏ ବିଷୟରେ ଜାଣିନି । ସେ ଗାଁରେ ଯେତେବେଳେ ସେବତୀ ଥିଲା ଆଉଁ ଏତେଗୁଡ଼ାଏ ଘଟଣା ଘଟିଗଲା– ସେତେବେଳେ ସେଠି ଯୋଉ ହେଲ୍‌ଥ ଭିଜିଟର ଥିଲେ ତା’ରିଠଉଁ ଯେତିକି ସେ ଶୁଣିଥିଲା । ହେଲେ ତା’ଠଉଁ କୁଆଡ଼େ ସହଜ ଉପାୟ ସବୁ ଆଜିକାଲି ବାହାରିଲାଣି । ତେଣୁ ସେବତୀ ଝୁନିୟାଁକୁ ପରାମର୍ଶ ଦେଲା–ଏ ଗାଁରେ ଯୋଉ ଭିଜିଟର ଦିଦି ଅଛନ୍ତି ତାଙ୍କୁଇ ଯାଇ–ପଚାରିଦେଲେ ସବୁ ଜଣାପଡ଼ିବ । ଇଏ କୁଆଡ଼େ ତାଙ୍କର କାମ–ଲୋକଙ୍କୁ ବୁଝେଇ ସେଇଆ କରିବାକୁ କହନ୍ତି ସେମାନେ ।

 

ଝୁନିୟାଁ ଯେତେବେଳେ ଏକଥା ଜାଣିଲା ମନେ ମନେ ବହୁତ ଅନୁତାପ କଲା । ଆଉ ଠିକ୍‌କଲା ଯେତେଶୀଘ୍ର ସେ ଦିଦିଙ୍କ ସାଙ୍ଗରେ ଯାଇ ଦେଖାକରିବ । ବାହା ହେଇ ଆଇଲା ଦିନଠାରୁ ଝୁନିୟାଁ ତାଙ୍କୁ ଦେଖା କରିନାଇଁ । ଭଲମନ୍ଦ ଖବର ପଚାରିଲା ପରେ ସବୁ ପଚାରିବ ।

 

ଯୋଉଦିନ ଝୁନିୟାଁ ଦିଦିଙ୍କଠଉଁ ସବୁ ବୁଝି ଦିନ ଧାର୍ଯ୍ୟ କରି ଫେରିଲା ସେତେବେଳେ ତାକୁ ଭାରୀ ଛକପକ ଲାଗୁଥାଏ । ମନରେ ଭାବିଲା ଏମିତିଆ କଥାଟାଏ ସେ ଜାଣିପାରିବ ବୋଲି ବାଜିଆକୁ କହିବ । ପରମୂହୁର୍ତ୍ତରେ ତା’ର ମନ ମରିଗଲା...... କାହାକୁ କହିବି ? ସେଇଟା କ’ଣ ମଣିଷଟାଏ ହୋଇ ଆଉ ଅଛି ? ନିଜେ ତ ଜାଣିନାଇଁ କିଛି ପାଇଁ ସୁନ୍ଦରାକୁ ପଚାରିବ । ସେଇଟା ଗୋଟାଏ ମୂର୍ଖ ପଣ୍ଡିତଟାଏ । କ’ଣ ବୋଲି ବୁଝେଇଦବ ଯଦି ସବୁ ପୁଣି ବନ୍ଦ୍‌ । ....ନାଃ ଝୁନିୟାଁ ଆଗ କାମଟାଏ କରିସାରି ତାକୁ ଜଣେଇବ ଆଉ ଦେଖେଇବ ଯେ–କେମିତିଆ କାମଟାଏ ସେ ବାଜିଆର ସାହାଯ୍ୟ ନନେଇ ବି କରିପାରିବ ।

 

ସତକୁ ସତ ସେଇଆ ହେଲା । କାମଟା ସୁରୁଖୁରୁରେ ବଢ଼େଇ ଦେଇ ଯେତେବେଳେ ଝୁନିୟାଁ ଫେରିଲା ଘରକୁ, ସେତେବେଳକୁ ଛାଇନେଉଟାଣୀ । ତଳ ଦି’ଟାଙ୍କୁ ନେଇକରି ଯାଇଥିଲା, ସେ ସାଙ୍ଗରେ । ତା’ଉପର ଦି’ଟା କଜିଆ କରି କାମୁଡ଼ା ଆମ୍ପୁଡ଼ା ହେଇ ନହୁନୁହାଣ ହେଇଗଲେଣି ଝୁନିୟାଁ ଆସିଲାବେଳକୁ । ବଡ଼ପୁଅ ସୂରୁଜା ପାଇଁ କୋଠି ଡାଳମାଙ୍କୁଡି ଖେଳୁଥିବ । କରଞ୍ଜ ଏକା ଥିବ ଘରେ ବୋଲି ଭାବିଲା ଝୁନିୟାଁ । ହେଲେ ଆସି ଦେଖିଲା ସେ ବି ନାଇଁ । ଆଉ କୋଉଦିନ ହେଇଥେଲେ ମନେ ମନେ ସମସ୍ତଙ୍କୁ ଚଦିଥାନ୍ତା–ଆଜି ଆସନ୍ତୁ ଘରକୁ, ସବୁଗୁଡ଼ାକ ହଟ ଦେଖୁଚନ୍ତି ଭଗାରୀ ସାଜି.... । ହେଲେ ଆଜି କିଛି କହିଲା ନି କି ଚିଡ଼ିଲାଗିଲା ନାଇଁ ତାକୁ । ତା’ମନ ଖାଲି ଉଚ୍ଛନ୍ନ ହଉଥାଏ କେମିତି ଏ ଶୁଭ ଖବରଟା ବାଜିଆକୁ ଦେଇ ସେ ଆଶ୍ଚର୍ଯ୍ୟ କରିଦବ । କାଲି ରାତିରେ ସାନଟା ଟିକିଏ କାନ୍ଦିଲା ଆଉ ତା’ନିଦ ଭାଙ୍ଗିଗଲା ବୋଲି କେତେ ସମ୍ପିକାଟି–ପକଉ ନଥାଏ ବାଜିଆ ଛୁଆଗୁଡ଼ାଙ୍କୁ ତା’ର.... । ଝୁନିୟାଁ ଟିକେ କ’ଣ କହିଲା ବୋଲି ବାଜିଆ କହିଲା–

‘ଆଲୋ ଛତର ଖାଇ, ବିଲେଇ, କୁକୁର ଭଳି ତ ପୁଳାଏ ଜନମ କରିଚୁ । ବିଲେଇ, କୁକୁର ଯେମିତି ଗଛମୂଳେ ରହୁଚନ୍ତି ସେମିତି ଯାଇ ତୁ ରହୁନ୍ତୁ କାଇଁକି ତୋ ଛୁଆଙ୍କୁ ନେଇ ।’

ଓଲଟେଇ କିଛି ଜବାବ ଦେଲାନାଇଁ ଝୁନିୟାଁ । କାହିଁକି କହିବ ମିଛଟାରେ ଦି’ପୁଞ୍ଜା ଖାଇବାକୁ । ନିଶାଟା ଟାଣୁଆ ଧରିଥିବ ଏଇନେ ।

ହେଲେ ଆଜି... ।

ଆଜି ତାକୁ ସେ କହି ଆଶ୍ଚର୍ଯ୍ୟ କରିଦବ ।

ଏଇଆ ଭାବି ଘର ଭିତରକୁ ଗୋଡ଼ ଦେଲା ସିଏ । ଦେଖିଲା ତା’ର କପାଳ ଭାରୀ ଟେକ । ଆଉ ତାକୁ ଅପେକ୍ଷା କରିବାକୁ ପଡ଼ିବ ନାଇଁ ବାଜିଆକୁ । ମସିଣାଟାଏ ପକେଇ ଶୋଇଚି । ବିଲକାମ ନାଇଁ ବୋଲି କୁଆଡ଼େ ଯାଇନାଇଁ.... । ଭଗବାନଙ୍କୁ ଡାକିଲା ଝୁନିୟାଁ । ଯା’ହଉ ଏମିତି ତା’ର ଟିକେ ସୁବୁଦ୍ଧି ହଉ... ମନ ଘରଧରୁ । ପୁଣି ଦିନ କେଇଟାରେ ସବୁ ବଦଳିଯିବ ।

ପିଲା ଦି’ଟାଙ୍କୁ ରାଗିକରି ଚୁପ୍ କରେଇଦେଲା ଝୁନିୟାଁ–ବାପା ଶୋଇଚି ଚିଡ଼ିବ ବୋଲି । ତା’ପରେ ଘର ଭିତରକୁ ଆସି କାଖରୁ ପିଲାଟାକୁ ଓହ୍ଲେଇ ଦେଇ ପଚାରିଲା–

‘ଶୋଇଚ କି... ?’

‘କାଇଁକି ? ...ବାଜିଆ ଉତ୍ତର ଦେଲା ।

‘ନାଇଁ ଏମିତି ପଚାରୁଥେଲି.....’

‘ତୁ କୁଆଡ଼େ ଯାଇଥେଲୁ ?

‘ଡାକ୍ତରଖାନା.....’

‘କ’ଣ ପାଇଁ... ?’ ସେମିତି ମୁହଁ ଉପରେ କହୁଣୀ ଥୋଇ କହୁଥାଏ ବାଜିଆ ।

‘ଜଣେ ବଡ଼ ଡାକ୍ତର ଆଉ ଡାକ୍ତରାଣୀ ଆମ ଗାଁକୁ ଆସିଥିଲେ ଯେ ତାଙ୍କରି ପାଖକୁ । ଆମର ଏଠି ଯୋଇ ଦିଦି ନାହାନ୍ତି.....ତାଙ୍କରି ସାଙ୍ଗରେ ଯାଇଥେଲି ।’

‘ବଡ଼ ଡାକ୍ତର ପାଖକୁ କାଇଁକି ଯାଇଥେଲୁ ?’

‘କହିବି ପରା ଏଇନେ ତମକୁ । ତମେ ଜାଣିଚ, ମୁଁ ଗୋଟାଏ ବାଟ କରିଦେଲି ଆଉ ଆମର ଛୁଆ ହବ ନାଇଁ...’

ଏଇ କଥାଟାରେ ଯେମିତି ଆକାଶରୁ ଛିଣ୍ଡି ପଡ଼ିଲା କ’ଣଟାଏ ବୋଲି ନିଜ ମୁହଁ ଉପରୁ ହାତ କାଢ଼ି ବାଜିଆ ଅନେଇଲା ଝୁନିୟାଁକୁ । ଝୁନିୟାଁ ଆନନ୍ଦରେ ଅନର୍ଗଳ ଭାବରେ କଥା ଏ ତା’ର ସେ କାହାଣୀ ।

 

‘ତମେ ଜାଣିଚ, ଏମିତି ବି ଜିନିଷ ହେଇଗଲାଣି ଆଜିକାଲି । ଆମେ ସିନା ମିଛରେ ଏତେ ହଇରାଣ ହଉଚେ କିଛି ଜାଣି ନାହାଁନ୍ତି ବୋଲି...’

 

‘ତୁ କୋଉଠୁ ଜାଣିଲୁ.... ?’

 

ମୁଁ ? ପ୍ରଥମେ ସେ ଯୋଉ ସେବତୀ ନାହିଁ ଆମ ଗାଁରେ ସେଇ କହୁଥେଲା ଯେ ଏମିତି ବାଗର ଜିନିଷ ଅଛି କରିଦେଲେ ଆଉ ଜମା ପିଲାହବ ନାଇଁ...

 

‘ସତେ ? ସିଏ କରିଚି ?’

 

‘ହଁ ପରା, ସେ ଅନେକ କଥା । ପରେ କହିବି ସେ କାହାଣୀ । ସେ କାମ ହଉଚି କୁଆଡ଼େ ଏଇ ଯୋଉ ଭିଜିଟର ଦିଦି ଅଛନ୍ତି ତାଙ୍କରି ବିଭାଗର । ତାଙ୍କୁ ଯାଇଁ ପଚାରିଲି ଯେମିତି ସେ କହିଲେ ସେମିତିଆ ତ କରିହବ ନାଇଁ–କାଇଁକିନା ଠିକ୍‌ପିଲା ଜନମ ପରେ ପରେ କରିଥିଲେ ହେଇଥାନ୍ତା । ବର୍ତ୍ତମାନ ତମେ ଆଉ ଗୋଟାଏ ଜିଣିଷ ଅଛି ତାକୁ କର ~ ଆଉ ପିଲା ହବନାଇଁ । ପୁଣି ଯେତେବେଳେ ଚାହିଁବ ପୁଣି ହବ–ତାକୁ କାଢ଼ିଦବ ।’

 

‘ସେଇଠୁଁ ?’

 

‘ତାଙ୍କର ପରା ଆଜିକି ବାରିଥେଲା । ମତେ ଆସି ସେ ଦିଦି ଗାଡ଼ିରେ ନେଇଗଲେ ।’

 

‘ହେଲା... ?’

 

‘ହଁ...’

 

‘କ’ଣ କଲେ ତତେ ?’

 

‘କ’ଣ ତ ଗୋଟାଏ ପେଟ ଭିତରେ ରଖିଦେଲେ...’

 

‘ଆଉ ଛୁଆ ହବ ନାଇଁ ?’

 

‘ନାଃ’

 

‘ସେ ଦିଦି ବି ସେଇଆ କରିଚି.... ?’

 

‘କରିବ ଆଉ କେଇଟା ଦିନେ...’

 

‘ତା’ହେଲେ ତମକୁ ସୁବିଧା ହେଇଗଲା । ପଞ୍ଚାଏ ଦାରୀ ଏକାଠି ହେଇ ବୁଲିବ....’

 

‘ଏମିତି କ’ଣ କହୁଚ ବା ?’

 

‘ଆଉ ତତେ କ’ଣ ଦେଲେ ସେ ଡାକ୍ତର ?’

 

‘ଏଇ ଟଙ୍କା ।’

 

ଝୁନିୟାଁ ଭାବିଲା ଥଟ୍ଟାରେ କହୁଚି ବାଜିଆ । ହେଲେ ଏଇ କଥାରେ ବାଜିଆ ଉଠିଗଲା ବାରଣ୍ଡାକୁ । ସେଠି ଯୋଉ ଶୁଖିଲା ଶୁଖିଲା ଡାହି ମୂର ଭାଙ୍ଗି ଗଦା କରିଚି ଜାଳ ହବାପାଇଁ ସେଇଥିରୁ ଲମ୍ବା ଖଣ୍ଡେ ଭିଡ଼ିଆଣି ପାହାରେ ଦେଲା ଝୁନିୟାଁକୁ ! ବୋପା ଲୋ ବୋଲି ଶୋଇଗଲା ଝୁନିୟାଁ । ତା’ପରେ ଅଣନିଶ୍ୱାସୀ ହେଇ ପିଟି ଚାଲିଲା ବାଜିଆ । ପିଟୁଥାଏ ଇଆଡ଼େ କହୁଥାଏ–

 

‘କ’ଣ ଆଣିଚୁ ? ଟଙ୍କା ? ଯବାନି ବିକି ଟଙ୍କା ରୋଜଗାର କରୁଚୁ ? ହଇଲୋ ଛତର ଖାଇ.. କ’ଣ କହିଲୁ ଆଉ ପିଲା ହବ ନାଇଁ ? ତୁ କେମିତି ଜାଣିଲୁ ହବ ନାଇଁ ? କାଇଁ, ମୋର ମରଦ ପଣିଆ କୁଆଡ଼େ ଉଭେଇଗଲା.. ? ମୁଁ ଅଣପୁରୁଷା ହେଇଗଲି ? ଏଁ ପିଲା ହବ ନାଇଁ ? ତା’ ପେଟରେ ଗୋଟାଏ କ’ଣ ରଖିଦେଲେ ? ସେଇଟା କ’ଣ ବାକ୍ସ ହେଇଚି ତାଲା ପକେଇଦେଲେ ସେଠି ? ବାହାର କର ... ବାହାର କର କହୁଚି ସେଇଟା... ଆବେ ବାହାର କର । ତୋର ତ ପିଲା ବେଶୀ ବୋଲି ତୁ ବନ୍ଦ କଲୁ ସେ ସେବତୀ ଛତରଖାଇ କାଇଁ ବନ୍ଦ କରିଚି ? ତା’ର କେଇଟା ପିଲା ? ସେ ଦିଦି କାଇଁକି ବନ୍ଦ କରିବ ? ତା’ର କେଇଟା ପିଲା ? ପିଲା ବନ୍ଦ୍‌ କରିଚୁ ନୁହେଁ ? ପିଲାଗୁଡ଼ାକ ତମ ଭଳିଆ ମାଇକିନିଆମାନଙ୍କୁ ଅଡ଼ୁଆ ହବ ନାଇଁତ ହବ କାହାକୁ ? ହଇ ବେ ! ହଉ ହେଲା, ତୁ ଯଦି ଡାକ୍ତରଙ୍କ ପାଖକୁ ଗଲୁ ତୁ ଟଙ୍କା ତାକୁ ଦେଇଥାନ୍ତୁ । ସିଏ କେମିତି ତତେ ଟଙ୍କା ଦେଲା ? କେମିତି ? ସେଇ ଯୋଉ ମାଇକିନିଆ ଆସିଚି ସେ ଦିଦି ସେଇ ସତ୍ୟାନାଶୀ ଏ ଗାଁଟାରୁ ଦାରୀ କରିଦେବ । ସବୁ ଘରକୁ ଯାଉଚି, ଆଉ ତା’ର ସାଙ୍ଗରେ ତୁ ବୁଲିବୁଲି ଏଇ ବେଉସା କରୁଚୁ , ନାଇଁ ? ଆଜି–ତତେ ଶେଷ କରିବି; କାଲି ତାକୁ ଶେଷ କରିବି । ଦେଖିବି ସେ କେଡ଼େ ପିଲା ବନ୍ଦ୍‌କଲାବାଲା ହେଇଚି...’

 

ଅଣନିଶ୍ଵାସୀ ହେଇ ଏଇମିତି ପିଟିପିଟି ଯେତେବେଳେ ବାଜିଆକୁ ଥକ୍‌କା ଲାଗିଲା ସେତେବେଳକୁ ସେ ଦେଖିଲା ଝୁନିୟାଁ । ଆଦୌ କାନ୍ଦୁ ନାଇଁ । ତା’ କାନ୍ଦ କେତେବେଳଠଉଁ ବନ୍ଦ ହେଇଗଲାଣି । ଆଉ ସିଏ ଯୋଉ କାନ୍ଦ ଶୁଣୁଛି ସେଗୁଡ଼ାକ ଏ ଛୁଆ ଦି’ଟାଙ୍କର । ରାହାଧରି ସେଇମାନେ କାନ୍ଦୁଚନ୍ତି–ଝୁନିୟାଁ ପଡ଼ିଚି । ଛୁଆ ଦି’ଟା ଡରରେ ବାଜିଆ ଗୋଡ଼କୁ ଧରିପକେଇ ବେଶୀ ବ୍ୟସ୍ତ କଲେ ରାହାଧରି ବୋଲି ଦିହିଙ୍କୁ ଗୋଟାଏ ଗୋଟାଏ ଗୋଇଠା ଦେଇ ଗାମୁଛାଟା କାନ୍ଧରେ ପକେଇ ପଳେଇ ଯାଉ ଯାଉ ଫେରି ଦେଖିଲା ଛୁଆ ଦି’ଟା ମା’ଉପରେ ଚଢ଼ି ତାକୁ ଓଟାରି ପକେଇଲେ ବି ସୁଦ୍ଧା ଝୁନିୟାଁ ଟିକେ ଚଙ୍କୁନାଇଁ । ଆଉରି ରାଗ ହେଲା ତା’ର....ଫେରି ପଡ଼ିଲା–

 

‘ସବାଖାଇ ଛଟାଗାଲୁଚି....ଛଟା’କହି ଖୁବ୍‌ଜୋରରେ ଠିଆ ଗୋଇଠାଏ କରିଦେଲା ତା’ କଙ୍କାଳକୁ । ଚାଲିଗଲା ଏକା ନିଶ୍ଵାସକେ ଘରୁ ବାହାରି ।

 

ତା’ପର ଦିନ ସକାଳ ।

 

ସୂରୁଯ ଆସି ଖୁବ୍‌ବେଶୀରେ ଘଡ଼ିକ ଭିତରେ ମୁଣ୍ଡ ଉପରକୁ ହେଇ ଯିବ । ବାଜିଆ ସେମିତି ହିଡ଼ ଉପରେ ବସିଚି । କାଲିଠଉଁ ସେତିକିବେଳୁ ସେ ଯେ ଆସିଚି ଘରୁ ଆଉ ଯାଇ ନାଇଁ । ନାଃ.... ସେ ଯିବନାଇଁ । ମାଇକିନିଆଟା ଯଦି ମରିଯାଇଥିବା ଖବର ପାଇବ ଆଉ ତା’ ସାଙ୍ଗରେ ପୁଳାଏ ଖଣ୍ଡେ ସେଥିରୁ ମରିଯାଇଛନ୍ତି ବୋଲି ଶୁଣିବ ତା’ହେଲେ ଯାଇଁ ନୀଳକଣ୍ଠଙ୍କ ପାଖରେ ମୁଣ୍ଡିଆଟାଏ ମାରି ଘରକୁ ଯିବ– ଆଉ ଶୁଦ୍ଧି ହବାର ବନ୍ଦୋବସ୍ତ କରିବ । ହେଲେ ତାରି ଆଗରୁ ଆଜିର ଦେଖିଲା କାମଟା ସେ ନ କଲେ କୁଆଡ଼େ ନ ଯାଏ ।

 

କାଲି ରାତିଟାଯାକ ତା’ର ମନ ଖରାପ ଦେଖି ତା’ ସାଙ୍ଗମାନେ କେତେ ନ ପଚାରନ୍ତି । ସମସ୍ତଙ୍କୁ ସବୁ କହିବା ପରେ ସୁନ୍ଦରା କହିଲା–

 

‘କିହୋ ! ତମେ କି ମରଦ ହୋ....ଛୁଆ ବନ୍ଦ୍‌ କରିଚି ବୋଲି ତୋପାଇଁ କହୁଚି ଆଉ କିଏ ବନ୍ଦ୍‌ କରିଚି ନାଁ ସେ କୂଳଛାଡ଼ି ଭିଜିଟର ? କିରେବାବୁ ! ତୁ ଯାଇ ପଚାରୁନୁ ସେ ଭିଜିଟରକୁ ଯେ ମୁଁ ତ ଜୀଇଚି ଆଉ ତୁ କେମିତି ତା’ ଛୁଆ ବନ୍ଦ୍‌ କରିବୁ ? ଜବରଦସ୍ତି ତାକୁ ଧର ଶଳାକୁ ଦେଖାଯାଉ । ପାଞ୍ଚ ପଚିଶ ଖରଚ ହବ ତ କ’ଣ ତତେ ବଳେଇବ ? ଧର ତାକୁ ଆଜି । ମୁଁ ଅଛି । ଏକ ମିନିଟ୍‌କେ ସିପେଇ ଡକେଇ ବନ୍ଧେଇ ନେଇଯିବ–ସେ ଶଳା ମାଇକିନିଆ ହଉ ତ ମରଦ ହଉ...’

 

ବାଜିଆ ମନକୁ କଥାଟା ପାଇଚି । ଖାଲି ସୁନ୍ଦର ସାହାଯ୍ୟ କରିବ ନାଇଁ–ସମସ୍ତେ ତା’ ପଛରେ ଅଛନ୍ତି ବୋଲି ବି କଥା ଦେଲେ....ସେ ଡରିବ କାହାକୁ ? ଅଲବତ୍‌ ସେ ପଚାରିବ । ହେଲେ କାଇଁ ...ସେ ତ ଏଇବାଟେ ସବୁଦିନେ ଯାଏ ଡାକ୍ତରଖାନାରୁ ଗାଁ ଭିତରକୁ । ଆଜି ଏତେବେଳଯାଏ ଗଲା କୁଆଡ଼େ ? ସକାଳୁ ଖାସ୍‌ସେଇ ରାଗଟା ଝଡ଼େଇବ ବୋଲି ପେଟେ ଗଞ୍ଜେଇ ଧୂଆଁ ସେ ଢୋକି ଢୋକି ଆସିଚି ସୁନ୍ଦରା ଘରେ....

 

ଏମିତିଆ କେତେ ସମୟ ଗୁରେଇ ତୁରେଇ ହେଲା ପରେ ଯୋଗକୁ ଆସିଲେ ସେଇ ଦିଦି । ଠିଆ ହେଇଗଲା ତାଙ୍କ ସାମନାରେ ବାଟ ଓଗାଳିଲା ଭଳି । ଭିଜିଟର ଭାବିଲେ ବୋଧହୁଏ କାଲିକା କଥା କହିବ । ତେଣୁ ଆଗ ବଳି ପଡ଼ି କହିଲେ–

 

‘କ’ଣ ବଜିଆ ବାବୁ ! ତମର ତ ଆଉ ପିଲାପିଲି ବୋଝ ନାହିଁ... ଖାଇବାକୁ ଦିଅ ?’

 

‘କ’ଣ କହିଲ ଦିଦି ? ମୋର ଆଉ ପିଲାପିଲି ହବନାଇଁ... ?’

 

‘ନାଇଁ ପରା, ସେ ବନ୍ଦୋବସ୍ତ ମୁଁ କରି ଦେଇଚି ।’

 

ମୁଣ୍ଡକୁ ଖୁନ୍ ପଶିଗଲା ବାଜିଆର, ଧରି ପକେଇଲା ତାଙ୍କ ହାତଟାକୁ....

 

‘ତା’ହେଲେ ସେଇଟା ମୁଁ ଆଜି ତମ ପାଖରେ ପରୀକ୍ଷା କରିବ ଯେ କେମିତି ମୋର ଆଉ ଛୁଆ ହବ ନାଇଁ ।

 

ଚମକି ପଡ଼ିଲେ ଦିଦି......

 

‘ଆରେ ଇଏ କ’ଣ ?’

 

‘ଇଏ କ’ଣ ? ମାଇକିନିଆ, ଆଜି ତୋ ଇଜ୍ଜତ୍ ଯଦି ମୁଁ ନ ନେଇଚି । ତୋ ବୋପା ଅଜା ଚଉଦ ପୁରୁଷ ଉଝାଳିବ ଆଜି...’କହି ଜବରଦସ୍ତି ତା’ ଲୁଗା କାନିକୁ ଧଇଲା ବାଜିଆ । ଭିଡ଼ି ଓଟାରି ହେଲେ ଦିଦି... ।

 

‘ଅଭଦ୍ର, ବଜାରୀ, ଛତରା ..... ମତେ ଛାଡ୍‌ କହୁଚି...’

 

‘କ’ଣ କହିଲୁ ? ତତେ ଛାଡ଼ିବି ? ତୋ ତଣ୍ଟି ଚିପି ଦେବି ଆଜି । ତୁ ଗୋଟାଏ ଏ ଗାଁରେ ପାଲା ନଗେଇଚୁ ?

 

ସେତେବେଳକୁ ଦିଦିଙ୍କର ଦିହରୁ ଅଧା ଲୁଗା ଖସିଗଲାଣି । ଜୀବନ ବିକଳରେ ଆଉ କିଛି ଉପାୟ ନ ପାଇ ପୁଳାଏ କାମୁଡ଼ି ଦେଲେ ବାଜିଆ ହାତକୁ । ବାଜିଆ ହାତ ଛାଡ଼ି ଦେଲାରୁ ଦଉଡ଼ି ପଳେଇ ଯାଉ ଥେଲେ ଦିଦି... ବାଜିଆ କିଛି ବୁଦ୍ଧି ନ ପାଇ ତା’ ଠେଙ୍ଗାଟାରେ ପାହାରେ ଦେଲା ଯେ ଦିଦି ହାମୁଡେଇ ପଡ଼ି ଘୁଷୁଡ଼ି ଗଲେ । ତଥାପି ଉଠି ଦଉଡ଼ିଲେ । ଆଗରୁ ଆସୁଥେଲା ମାରକଣ୍ଡ ଆଉ ସେ ଡ଼ାକ୍ତରଖାନାର ଚଉକିଆ । ତାଙ୍କୁ ଦେଖି ଏକ ରକମ୍‌ କୁଣ୍ଢେଇ ପକେଇଲେ ଦିଦି ଜୀବନ ବିକଳରେ ।

 

ମାରକଣ୍ଡ ଆଉ ଚଉକିଆ ଦିହେଁ ଯାକ ଧରି ପକେଇଲେ ବାଜିଆକୁ । ତଥାପି ବାଜିଆ ତାଙ୍କୁ ତଡ଼ିଯିବାକୁ ବାହାରିଥେଲା ଦିଦିଙ୍କୁ ଧରିବାକୁ । ହେଲେ ଆଉ ଦି’ଚାରିଜଣ ଗାଁ ବାଲା ଘେରି ଗଲେ ତାକୁ । କାବୁ ହେଇଗଲା ବାଜିଆ । ଦିଦି ଗଲେ ଡ଼ାକ୍ତରଖାନା ।

 

ତା’ପରେ ଲାଗିଲା ଧାଁ ଧପଡ଼ । ଡ଼ାକ୍ତରଖାନା ଗାଡ଼ି, ଡ଼ାକ୍ତର, ଗାଁର ଆଉ ସବୁ ଅଫିସର ଦଣ୍ଡକେ ସବୁ ଜାଣି ଗଲେ । ଥାନାକୁ ଖବର ଗଲା । ତଥାପି ବାଜିଆର ତେଜ ମଉଳି ନ ଥାଏ । ସେ ଖାଲି ଆମ୍ପୁଡ଼ି ରାମ୍ପୁଡ଼ି ହଉଥାଏ । ତା’ ମନର ଓରିମାନାଟା ମେଣ୍ଟିଲା ନାଇଁ ଜମା ।

 

ଓରିମାନାଟା ଆଉ ମେଣ୍ଟିବାର ବେଳ ଆସିବ କି ନାଁ ସେ କଥା ବିଚାର କରିବା ଆଗରୁ ଆସିଗଲା ପୁଲିସ୍ ଗାଡ଼ି । ସାଙ୍ଗେ ସାଙ୍ଗେ ଘଟଣାର ତଦନ୍ତ ସରିଗଲା । ଆଉ ଯେତେବେଳେ ନିଧାର୍ଯ୍ୟ ହେଲା ବାଜିଆ ଯିବ ଥାନାକୁ ବନ୍ଧା ହେଇ ସେତେବେଳେ ବାଜିଆର ହୋସ୍ ଫେରିଲା.... ସତେ ତା’ହେଲେ କ’ଣ ସେ ବନ୍ଧା ହେଇ ଥାନାକୁ ଯିବ ? .....ଆର ଥର ଭଳି ରଦ୍ଦଷ ବୋଲି କହି ପୁଲିସ୍‌ବାଲା ଫେରିବେ ନାଇଁ.... ?? ଝୁନିୟାଁ । କ’ଣ ଆସି ତା’ ପାଇଁ କିଛି ଚେଷ୍ଟା କରିବ ନାଇଁ....-???

 

ଆଉ ଭାବିବାକୁ ସମୟ ନାଇଁ ତାକୁ । ଗାଡ଼ି ରେଡି ହେଇଗଲା–ସେ ଏଥର ଥାନାକୁ ଯିବ । ସବୁଲୋକ ଜମା ହେଇଥିଲେ ତା’ଚାରିକଡ଼େ ଟିକେ ଦୂରେଇକରି । କେହି ପଦେ ହେଲେ କିଛି କହୁ ନ ଥାନ୍ତି.... । ଯୋଉମାନେ କାଲି କହୁଥିଲେ ତା’ପଛରେ ଅଛନ୍ତି ବୋଲି–ହେଲେ, କାଇଁ ତାଙ୍କ ଭିତରୁ ତ ପଦେ କେହି କିଛି କହୁ ନାହାଁନ୍ତି.... । ଏତିକିବେଳେ ପାଖଦେଇ ଚାଲିଗଲା ସୁନ୍ଦରା ବାଜିଆ ତାକୁ ଡାକ ପକେଇଲେ..... ।

 

‘ସୁନ୍ଦରାଇ.....’

 

‘ମୁଁ ଆସୁଚି, ଆସୁଚି..... ତୁ ଆଗ ଯାଉଥା । ମୁଁ ବନ୍ଦୋବସ୍ତ କରୁଚି ...କହି ଚାଲିଗଲା ସୁନ୍ଦରା ଅନ୍ୟଆଡ଼େ । ଏତେବେଳେ ବାଜିଆ ବୁଝିଲା ଯେ ସେଗୁଡ଼ା–ଖାଲି ହାଉଆର କଥା । କେହି ପିଠିରେ ପଡ଼ିବେ ନାଇଁ । ଯିଏ ପିଠିରେ ପଡ଼ିଥାନ୍ତା ସେ ଆଉ ଅଛିକି ନାଁ ସେ ବିଷୟରେ ଠିକ୍ କହି ପାରିବନି ।

 

ମନଟା ତା’ର ସେଇ କଥାରେ ତାରି ଡହଳ ବିକଳ ହେଲା କାଇଁକି । ଚାରି ଆଡ଼କୁ ଆଖି ବୁଲେଇଲା ସିଏ–ଦେଖିଲା ତା’ର ପ୍ରିୟ ବରଗଛଟାଠଉଁ ଅଳ୍ପ ଦୂରରେ ନିଜେ ଠିଆ ହେଇଚି । ସେଇ ଗଛଟାକୁ ଦେଖି କେଇଟା ଅତୀତର କଥା ତା’ର ମନେ ପଡ଼ିଗଲା । ଆଖିରେ ଜକେଇ ଆସିଲା ଲୁହ । .....ସତରେ ତା’ହେଲେ କ’ଣ ସେ ଜେଲ ଯିବ ? ଆଉ ଘରକୁ ନୁହେଁ... !!!

 

ନିଧାର୍ଯ୍ୟ ହେଲା ସେ ଯିବାର । ଗାଡ଼ିରେ ବସିବାକୁ କହିଲେ ପୁଲିସବାବୁ । ସେତିକିବେଳେ ଖାଲି ଏତିକି କହିଲା ବାଜିଆ–

 

‘ଆଜ୍ଞା ! ଯିବା ଆଗରୁ ଟିକେ ଘରକୁ ଯାଇ କହିଦେଇ ଆସିଥାନ୍ତି ମୋ ଯିବା କଥାଟା । ଘରେ କେହି କିଛି ଜାଣନ୍ତି ନାଇଁ । ଖାଲି ପଦେ କଥା ଆଜ୍ଞା....... ଏତିକି ଆସାମୀକୁ ହୁକୁମ ହଉ.....’

 

ବହୁତ କଷ୍ଟରେ ପୁଲିସବାବୁ ହଁ ଭରିଲେ । ଦି’ଟା ସିପେଇ ତାକୁ ଘେରିକରି ନେଇ ଗଲେ ଘରଯାକେ । ଯେତେବେଳେ ବାଜିଆ ଘର ଦୁଆର ମୁହଁ ରେ ପହଞ୍ଚିଲା–ଘର ଭିତରକୁ ଗୋଡ଼ ଉଠେଇବାକୁ ତାକୁ ଯେମିତି ଡର ଲାଗିଲା...... କ’ଣ ସେ ଯାଇଁ ଦେଖିବ ଭିତରେ ? କାଲିକା ଦୃଶ୍ୟଟା ଅନ୍ୟରକମର ହେଇ ଆଖିରେ ଭାସି ଉଠିଲା ଯଦି ଯାଇଁ ସେଇଆ ଦେଖେ... !!! ତା’ହେଲେ କ’ଣ ମଡ଼ା ଉଠେଇବାକୁ ଏମାନେ ଆଉ ଏତେ ସମୟ ଦେବେ ? ତା’ହେଲେ ଏ ପିଲାଗୁଡ଼ାକ ?? ସେ ଯଦି ନେହୁରା ହବ ଯେ ଏଇ ପିଲାଗୁଡ଼ାଙ୍କୁ ବି ସାଙ୍ଗରେ ନେଇ ଜେଲକୁ ଯିବ ବୋଲି ତା’ହେଲେ ସେମାନେ କ’ଣ ରାଜି ହେବେ ???

 

ଆଉ ସମୟ ନାହିଁ ଭାବି ଭିତରକୁ ପଶିଲା ସେ । ଦେଖିଲା–

 

ସେମିତି ଚାରିକାତ ମେଲେଇ ପଡ଼ିଚି ଝୁନିୟାଁ, ପାଖରେ ବସିଚି ସେବତୀ । ତା’ ଦେହରେ କ’ଣ ମାଲପା ଲଗେଇ ଦଉଚି । ମଲା ଭଳି ପଡ଼ିଚି ଝୁନିୟାଁ ତଳଟାରେ । ଆଉ ପାଖରେ ସାନ ଛୁଆଁ ଦିଟା ତଳେ ବିଞ୍ଚା ହେଇଥିବା ମୁଢ଼ି ଗୋଟେଇ କରି ଟୋକୁଚନ୍ତି । ସମ୍ଭାଳି ନ ପାରି କାନ୍ଦି ପକେଇଲା ସେ ।

 

‘ତମ ଋଣ ମୁଁ ଏ ଜୀବନରେ ଶୁଝି ପାରିବି ନି ଭଉଣୀ ! ଝୁନିୟାଁକୁ ବଞ୍ଚେଇବା ତମକୁ ଲାଗିଲି । ସେ ବଞ୍ଚିଲେ ଏ ଛୁଆଗୁଡ଼ାକ ବଞ୍ଚିବେ..... ମୁଁ ଯାଉଚି .....’

ଏଇ କଥାରେ ସତେ କି ଜୀବନ ପାଇଲା ଝୁନିୟାଁ । ଟାଣି ଓଟାରି ହେଇ ଉଠି ବସିଲା ସେ ।

 

‘କୁଆଡ଼େ ଯିବ ତମେ ।’,

 

‘ଝୁନିୟାଁ ! ତୁ ବଞ୍ଚିଚୁ । ତତେ କ୍ଷମା ମାଗିବି ନାଇଁ । ମୋ ପରାଭବ ମୁଁ ପାଇଚି । ମୁଁ ଯାଉଚି.....’କହି କାନ୍ଦି ପକେଇ ଯେତେବେଳେ କହିଗଲା ଅଳ୍ପକେ ତା’ର ଅନୁକୂଳଟା କୋଉଠିକି ବୋଲି, ଝୁନିୟାଁ କାଲିଠଉଁ ଆହୁରି ଅଧିକା ଜୋରରେ କାନ୍ଦି ଉଠିଲା ।

 

ହେଲେ ପୁଲିସ୍‌ବାଲାଙ୍କ ଡ଼ାକଶୁଣି ବିଦା ହେଇ ବାହାରକୁ ଆସିଲା ବାଜିଆ । ସେଇ ଦିହରେ ଘୋଷାଡ଼ି ହେଇ ଆସି କନଷ୍ଟେବଳ ଦି’ଟାଙ୍କ ଗୋଡ଼ ତଳେ ପଡ଼ି କେତେ ନେହୁରା ହେଲା ବାଜିଆକୁ ଛାଡ଼ି ଦବା ପାଇଁ ହେଲେ ନାଇଁ । ଏ ଦୁଃଖ ଆଉ ସହିନପାରି ଛୁଆ ଦି’ଟାଙ୍କୁ ଗେଲ ଟିକେ ଟିକେ କରି ଦେଇ ଏକ ମୁହାଁ ହେଇ ଚାଲିଗଲା ବାଜିଆ ।

 

ବାଜିଆ ଯେତେବେଳେ ସେଇ ଗଛମୂଳେ ଗାଡ଼ି ପାଖରେ ପହଞ୍ଚେ ସେତେବେଳକୁ ଥରେ ତା’ର ପଛକୁ ଫେରି ତା’ ଗାଁ ଦାଣ୍ଡକୁ ଦେଖିବାକୁ ଇଚ୍ଛା ହେଲା । ବୁଲି କରି ଅନେଇଲା ବେଳକୁ ଦେଖିଲା–ସେଇ ଦିହରେ ବି ଝୁନିୟାଁ ଗୋଟାକୁ କାଖେଇ ଧାଇଁଚି । ଆରଟାକୁ ହାତ ଧରି ସେବତୀ ଆସୁଚି ଚାଲିଚାଲି । ପୁଣି ଟିକେ ଅଟକି ଗଲା ବାଜିଆ । କୋହ ତା’ର ବାଧା ମାନିଲା ନାଇଁ, ଖାଲି ଏତିକି କହିଲା–

 

‘ସୁରୁଜା, କଞ୍ଜେଇକୁ ବି ଦେଖିପାରିଲି ନାଇଁ ଟିକେ । ଆଉ ଦି’ଟାଙ୍କ କଥା ତ ଛାଡ଼ ।’ କାନ୍ଦି କାନ୍ଦି ଆଜି ଝୁନିୟାଁ କ’ଣ କହିବାକୁ ଚାହିଁଲା ବାଜିଆ କାନରେ । ସେତେବେଳକୁ ହାତକଡ଼ା ଲାଗି ସାରିଥାଏ ତା’ ହାତରେ । ଖାଲି କାନଟା ବଢ଼େଇ ଦେଲା । ଝୁନିୟାଁ ତୁନି ତୁନି ତା’ କାନରେ କହିଲା–

 

‘ତମେ ବ୍ୟସ୍ତ ହଵ ନାଇଁ । ସେବତୀ କହୁଚି, ତମକୁ ମୁକାଳିବାକୁ ଚାରିଶହ କି ପାଞ୍ଚଶହ ଟଙ୍କା ଖରଚ କରିବାକୁ ପଡ଼ିବ । ମୁଁ ସମିତିର ଯୋଉ ସିଲେଇ ଶିଖୋଉ ଥିଲି ସେ ବାବତ କେଇଟା ଟଙ୍କା ପାଇଥିଲି । ଟଙ୍କା ତିନିଶହ ହବ–ତାକୁ ପୋତି ରଖିଚି । କରଞ୍ଜର ବାହାଘର ପାଇଁ ରଖିଥେଲି, ସେତକ । ଆଉ ବନ୍ଧା ଛନ୍ଦା ପକେଇ ଯା’ହବ ତମ ପାଇଁ ଖରଚ କରିବି । ତମେ ମତେ ଖାଲି କଥା ଦେଇ ଯା......ମତେ ଅନୁମତି ଦେଇ ଯା । ମୋ’ରାଣଟି....’

 

‘ଝୁନିୟାଁ....’ ଥାଉ କିଛି କହି ନ ପାରି ଖାଲି ତା’ କାନ୍ଧଟା ଉପରେ ମୁହଁଟାକୁ ରଖି ଦେଲା ବାଜିଆ ।

 

‘ଆଃ...’କହି କାଢ଼ି ନେଲା ଝୁନିୟାଁ ତା’ କାନ୍ଧଟାକୁ । ବାଜିଆ ଓଠରେ ବାଜି କାନିଟା ଖସିଗଲା କାନ୍ଧ ଉପରୁ । ଫୁଙ୍ଗଳା ଦିହଟାରେ ପରିଷ୍କାର ଦେଖିଲା ବାଜିଆ–ନୋଳାଫାଟି ଏବେ ବି କଞ୍ଚା ରକ୍ତ ବହିଲା ପରି ଦିଶୁଚି ସେ ଜାଗାଟା । ଠପ୍‌ଠପ୍‌ ହେଇ ଖସି ପଡ଼ିଲା ତା’ ଆଖିରୁ ଦି’ଧାର ଲୁହ ।

 

ଆଉ ଡେରୀ ନକରି ଗାଡ଼ିକୁ ଉଠିବାକୁ ବସିଚି ବାଜିଆ, ଦୂରରେ କ’ଣ ଗୋଟାଏ ପାଟିଗୋଳ ଶୁଣାଗଲା । ପୁଲିସବାବୁମାନେ ଆଉଟିକେ ସତର୍କ ହୋଇଗଲେ । ଦୂରରୁ ଦେଖାଗଲା ପ୍ରାୟ ଶହେ ଖଣ୍ଡେ ଲୋକ ଆସୁଚନ୍ତି । ସମସ୍ତେ ଏକାପରି ରଙ୍ଗୀନ୍‌ ଟୋପି ମୁଣ୍ଡରେ ଦେଇଚନ୍ତି । ହାତରେ ଗୋଟାଏ ଗୋଟାଏ ପତାକା । କଥାଟା ବୁଝିବା ପାଇଁ ସମସ୍ତେ ଅଟକି ଗଲେ । ଗଣ୍ଡଗୋଳ ପାଖେଇ ଆସିଲା ।

 

ପରିଷ୍କାରଭାବେ ଶୁଭିଲା ସେ ପାଟି ।

 

‘ମହାତ୍ମାଗାନ୍ଧୀ କୀ ଜୟ...., ଭାରତମାତା କୀ ଜୟ......ଇନ୍‌କଲବ୍‌....... ଜିନ୍ଦାବାଦ୍‌ ।’

 

କ୍ରମେ ସେ ଦଳ ପାଖେଇ ଆସିଲେ । ଆହୁରି ଶୁଣାଗଲା– ‘ଆମର ନେତା’ ମୁକୁନ୍ଦବାବୁ....ଆମର ନେତା’ ମୁକୁନ୍ଦବାବୁ....... ମୁକୁନ୍ଦବାବୁ କୀ ଜୟ ।’

 

ବାଜିଆ ବୁଝିଲା–ମୁକୁନ୍ଦା ଆସିଚି । ଯୋଉ ମୁକୁନ୍ଦା ଏତେ ବାଳୁଙ୍ଗା ଥିଲା ସେ କୁଆଡ଼େ କୋଉଠି ଏଇକ୍ଷଣି ରାଜନୀତି କରୁଚି ବୋଲି ଶୁଣୁଥିଲା ସେ । କାଲି ଶୁଣିଚି ସେ ଗାଁକୁ କୁଆଡ଼େ ଆସିଚି । ପୁଲିସବାବୁ ଟିକେ ଆଗେଇ ଗଲେ ଘଟଣାଟା ଦେଖିବା ପାଇଁ । ସେ ଦଳରୁ ଜଣେ ଆସି କ’ଣ ତାଙ୍କ ସାଙ୍ଗରେ କଥାବାର୍ତ୍ତା କଲା । ତା’ପରେ ଡାକିଲା ତା’ର ଦଳଙ୍କୁ । ସମସ୍ତେ ଘେରିଗଲେ-। ପାଖକୁ ଆଇଲାରୁ ବାଜିଆ ଚିହ୍ନିଲା ସେଇ ମୁକୁନ୍ଦା । ମୁଣ୍ଡରେ ଟୋପି, ଦିହରେ ପଞ୍ଜାବୀ, ବେକରେ ଗଜରା ଫୁଲହାର ବୋଲି ସେ ଠଉରେଇ ପାରୁ ନଥିଲା ଦୂରରୁ । ଦି’ଚାରିଜଣ ସେଇ ଟୋପିଦିଆ ଲୋକଙ୍କ ଭିତରୁ ବଡ଼ ପଥରଟାଏ ଗଡ଼େଇ ଆଣିଲେ ସେ ଗଛ ମୂଳକୁ-। ତା’ରି ଉପରେ ଠିଆ ହେଇଗଲେ ମୁକୁନ୍ଦବାବୁ । ତାଙ୍କ ଚାରିକଡ଼ଯାକ ଡାକ୍ତର ସେ ଟୋପିଦିଆ ଲୋକ ସାଙ୍ଗକୁ ସେ ଗାଁର ଲୋକ । ଖୁନ୍ଦି ହେଇଥାନ୍ତି ।

 

ମୁକୁନ୍ଦବାବୁ କହିଲେ–

 

‘ମୋର ପ୍ରିୟ ଭାଇ ଓ ଭଉଣୀମାନେ ! ଆପଣମାନେ ଜାଣନ୍ତି ନାଇଁ ଦେଶ ବର୍ତ୍ତମାନ କି ପରିସ୍ଥିତି ଭିତରେ ଗତି କରୁଚି । ମୋର ଯାହା କହିବାର କଥା ଏଇ ହଉଚି ତା’ର ଉପଯୁକ୍ତ ସମୟ-। ମୋର ନ କହିବା ପର୍ଯ୍ୟନ୍ତ ଏ ଗାଡ଼ିକୁ ଅଟକେଇବା ପାଇଁ ମୁଁ ପୁଲିସ ସାହେବ ମହାଶୟକୁ ଅନୁରୋଧ କରୁଚି ଏବଂ ମୋର ଦୁଇ ସହକର୍ମୀଙ୍କୁ ଅନୁରୋଧ କରୁଚି କି ଯଦି ଏ ଗାଡ଼ି ମୋର କଥା ଶେଷ ପୂର୍ବରୁ ସାଏ ତେବେ ତା’ଆଗରେ ଶୋଇ ଯାଆନ୍ତୁ ।’

 

କଥା ନ ସରୁଣୁ ଦୁଇଜଣ ଯାଇ ଚକାତଳେ ଶୋଇଗଲେ ଗାଡ଼ି ସାମନାରେ । ତାପରେ ମୁକୁନ୍ଦବାବୁ କହି ଚାଲିଲେ–

 

ଆମ ଦେଶରେ ଦୁର୍ନୀତି ବ୍ୟାପି ଚାଲିଛି । ଏ ଯେଉଁ ଅଗଣତାନ୍ତ୍ରିକ ମନୋଭାବ ଦେଖା ଦେଇଚି ଆଜିର ଏ ସରକାରଠାରେ ତା’ର ଶେଷ ନ ହେଲେ ରକ୍ଷା ନାହିଁ । ଆପଣମାନେ ଦେଖନ୍ତୁ, କିପରି ଭାବରେ ଆମକୁ ଲୁଟ୍‌କରା ହେଉଚି । ଆମର ମୁର୍ଖାମୀର ସୁବିଧା ନେଇ ଏମାନେ ଆମଠୁଁ ଫାଇଦା ଉଠେଇ ଚାଲିଛନ୍ତି । ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ମୁଁ କିଛି କହିବି । ଆଜି ଏଇଠି ସନ୍ଧ୍ୟାରେ ଏକ ବିରାଟ ସାଧାରଣ ସଭା ହେବ । ଆପଣମାନେ ବଡ଼ ସଂଖ୍ୟାରେ ଯୋଗ– ଦିଅନ୍ତୁ । ଏଇଠି ଆପଣମାନେ ଏକାଠି ହେଇଚନ୍ତି ଯୋଉଥିପାଇଁ ମୁଁ ସେଇଥିରୁ ଗୋଟାଏ ଉଦାହରଣ ଦେଇ କହିବି ଯେ ଆଜି ଯାହାକୁ ବାନ୍ଧି ନିଆଯାଉଚି ସେ କ’ଣ ପ୍ରକୃତରେ ଦୋଷୀ ? ନାଁ, କେବେ ନୁହଁ । ଆପଣମାନେ ଜାଣନ୍ତି ନାହିଁ ଯେ ତା’ର ସ୍ତ୍ରୀ ପରିବାର ନିୟନ୍ତ୍ରଣ କରିଚି । ଯୋଉ ବିଭାଗ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଚି, ସେ ପରିବାର ନିୟନ୍ତ୍ରଣର ପ୍ରଥମ ନିଦର୍ଶନ ଦେଖେଇଚି ଏ ଆସାମୀର ସ୍ତ୍ରୀ । ହେଲେ ସେଠି ଠିଆ ହେଇଚି । ତାହେଲେ ଆପଣମାନେ କୁହନ୍ତୁ-! ସେ ନାରୀ ଆମ ଆଖି ଆଗରେ ଏକ ମହାନ ଆଦର୍ଶ ନାଁ ନୁହେଁ ? ମୋ ମତରେ ସେ ମହନୀୟା, ବନ୍ଦନୀୟ । ମୁଁ ପ୍ରଥମେ ସେପରି ଏକ ଆଦର୍ଶମୟୀ ମହୀୟସୀ ମହିଳାଙ୍କୁ ମୋର ମାତାର ସମ୍ମାନ ଦେଇ ପ୍ରଣିପାତ କରୁଚି ଏବଂ ମୋର ବେକର ପୁଷ୍ପମାଳ୍ୟ କାଢ଼ି ମୁଁ ତାଙ୍କୁ ପଦତଳେ ଅର୍ପଣ କରୁଚି-।’

 

ଏଇଆ କହି ମୁକୁନ୍ଦବାବୁ ସାଷ୍ଟାଙ୍ଗ ପ୍ରଣିପାତ କରି ନିଜ ବେକରୁ । ଫୁଲହାର କାଢ଼ି ଝୁନିୟାଁ ପାଦରେ ଦେଲେ । ଝୁନିୟାଁ ଟିକେ ଶଙ୍କିଗଲା । କିଛି ନ ବୁଝି ସେଇ ସାଙ୍ଗେ ସାଙ୍ଗେ ସେ ଟୋପିଧାରୀ ବ୍ୟକ୍ତିମାନେ ଏକ ସ୍ଵରରେ–

 

‘ଜନନୀ ! ମା !’ କହି ଝୁନିୟାଁ ଗୋଡ଼ତଳେ ପଡ଼ିଗଲେ । ପୁଣି ମୁକୁନ୍ଦବାବୁ କହିଲେ–’

 

‘କିନ୍ତୁ ଆପଣମାନେ ଜାଣନ୍ତି ? ସେଇଭଳି ପୂଜ୍ୟା ନାରୀର ସ୍ଵାମୀ ଆଜି ଜେଲଯାଏ କାହିଁକି ? କାଲି ଯେତେବେଳେ ସେ ଜନ୍ମ ନିରୋଧ କରିଚି ବୋଲି ଶୁଣିଲା, ତା’ର ସତୀତ୍ଵ ଉପରେ ଅବିଶ୍ଵାସ କରି ତାକୁ ପ୍ରହାର କଲା ଏବଂ ସେଇ ରାଗରେ ଆଜିର ସ୍ଵାସ୍ଥ୍ୟ ବିଭାଗର ଅନ୍ୟତମା ନାରୀ କର୍ମୀଙ୍କୁ ଆକ୍ରମଣ କରି ଦୋଷଯୁକ୍ତ ହେଇ ଜେଲ ଅଭିମୁଖରେ–ତା’ହେଲେ କୁହନ୍ତୁ ଆପଣମାନେ ! ଆପଣ କ’ଣ ଏପରି ଏକ ନିରୀହ ସ୍ଵାମୀଙ୍କୁ ଏଥିପାଇଁ ଦାୟୀ କରିବେ ? ନାଁ, ସେ ଅତିବ ସରଳ । ଗାଁର ଚାଷ, ପିଲାଛୁଆ କଥା ଛାଡ଼ି ସେ କିଛି ଜାଣେନି, ତାହେଲେ ଦାୟୀ କିଏ ? ଦାୟୀ ଏଇ ସରକାର । ଯେ କି ଏଭଳି ନିରୀହ ବ୍ୟକ୍ତିଙ୍କୁ ବୁଝେଇବାକୁ ସାମାନ୍ୟ ହେଲେ ଚେଷ୍ଟା କରିନାହିଁ । ଆଜି ଯଦି ଏଭଳି ସ୍ଵାମୀ ଅନ୍ୟ କେଉଁ ଦେଶରେ ଜାଣିଥାନ୍ତେ ଯେ ବିନା ପ୍ରରୋଚନାରେ ତା’ ସ୍ତ୍ରୀ ଏଭଳି ଏକ କାର୍ଯ୍ୟ ସ୍ୱତଃପ୍ରବୃତ୍ତ ହେଇ କରିଚି ତା’ହେଲେ ଆଜି ହୁଏତ ସେ ତାକୁ ମସ୍ତକରେ ସ୍ଥାପନା କରିଥାନ୍ତା । ହେଲେ ଆଜି ଦୁର୍ଦ୍ଦଶା କାହିଁକି ? ଏ ସରକାରର ଦାସାନୁଦାସ ଏ ପୁଲିସ୍ ବିଭାଗ କର୍ମୀବୃନ୍ଦ କ’ଣ ବୁଝିଲେ ଯେ ଏଥିରେ ଅସାମୀର ଦୋଷ ନାହିଁ–ଦୋଷ ତା’ର ନିରୀହ ପଣିଆର... । ଦୋଷ ତା’ର ନିରକ୍ଷରତାର..... ? ସେମାନେ ଦଗାବାଜ୍ ସରକାରର ପଦଲେହନକାରୀ । ତାଙ୍କୁ ତଦନ୍ତ ଆସେ ନାହିଁ । କିନ୍ତୁ ମୁଁ କହିବି–ହେ ମୋର ପ୍ରିୟ ବାଜିଆବାବୁ ! ତୁମେ ଆଜି ମୋ ଆଖିରେ ଆସାମୀ ନୁହଁ । ମୋ ଆଖିରେ ମହାନ୍ ଜନନାୟକ । ମୋର ବିନୀତ ପ୍ରଣାମ ଘେନ । ତମେଇ ହୁଅ ଏ ସରଳ, ଦୁର୍ବଳ ଆଉ ନିରୀହ ଜାତିର ପଥଦ୍ରଷ୍ଟା । ତୁମରି ଅବସ୍ଥାକୁ ଦେଖି ଅନ୍ୟମାନେ ଏଥିପାଇଁ ସଚେତ ହୁଅନ୍ତୁ । ଆଗାମୀ ଦିନ ପାଇଁ ସାବଧାନ ହୁଅନ୍ତୁ । ତୁମ ସରଳତାର ଆଦର୍ଶ ତୁମକୁ ଅନ୍ଧ କରିଚି, ଫଳରେ ତୁମ ସ୍ତ୍ରୀର ପ୍ରକୃତ ମର୍ଯ୍ୟାଦା ତୁମେ ଦେଇ ପାରିନାହଁ । ସେଥିରେ ତୁମର ଦୋଷ ନାହିଁ । ଦୋଷ ଏଇ ଅନ୍ଧ ସରକାରର । ଯେକି ଥରେ ହେଲେ ତୁମକୁ ସେ ବିଷୟରେ ବୁଝାଇବାକୁ ଚେଷ୍ଟା କରିନାହିଁ । ବା ତୁମର ଭୁଲ କୋଉଠି ସେ ।

 

କଥା ବୁଝିବାକୁ ଉଦ୍‌ଯୋଗ କରିନାହିଁ । ତେଣୁ ହେ ମୋର ପ୍ରିୟ ବନ୍ଧୁଗଣ ! ତୁମେ କୁହ ନାହିଁ ମୁକୁନ୍ଦ ବାବୁ କି ଜୟ । ବରଂ ମୋରି ସାଙ୍ଗରେ କଣ୍ଠ ମିଳାଇ ଏଇ ମହାନ୍‌ବ୍ୟକ୍ତିଙ୍କର ଜୟ ବୋଲି କୁହ । କୁହ–ବାଜିଆବାବୁ କି ଜୟ,.... ବାଜିଆବାବୁ କି ଜୟ !’

 

ସମସ୍ତେ ସେଇଆ କହି ଉଠିଲେ । ଭାରତମାତା, ଗାନ୍ଧି ମହାତ୍ମା ସମସ୍ତଙ୍କ ସାଙ୍ଗରେ ବାଜିଆ ବାବୁଙ୍କର ମଧ୍ୟ ଜୟଧ୍ଵନି କରି ଆଗେଇ ଗଲେ ମୁକୁନ୍ଦବାବୁ । ନିଜ ଗଳାରୁ ଆଉ ଗୋଟିଏ ଗଜରାହାର କାଢ଼ି ଯେତେବେଳେ ସେ ବାଜିଆ ବେକରେ ଦେଇ ବାଜିଆ କୁ ପ୍ରଣାମ କଲେ ସେତେବେଳେ ସମସ୍ତେ ନିଜ ଗଳାରୁ ଫୁଲହାର କାଢ଼ି ଗଳେଇଦେଲେ ବାଜିଆ ବେକରେ । ପୁଲିସବାବୁଙ୍କ ଅନୁରୋଧରେ ସମସ୍ତେ ଏଥର ଗାଡ଼ିକୁ ଛାଡ଼ିଲେ । ସେମିତି ଫୁଲତକ ବେକରେ ପକେଇ ବାଜିଆ ବସିଲା ଗାଡ଼ିରେ ।

 

ଗାଡ଼ି ଚାଲିବାକୁ ଆରମ୍ଭ କଲା । କିଛି ନ ବୁଝି ସେ କାନ୍ଦୁଥିଲା । ସେ କାନ୍ଦ ସୁଖର କି ଦୁଃଖର ସେ ନିଜେ ବି ଜାଣେନା ।

 

ଆସ୍ତେ ଆସ୍ତେ ଲୋକଗୁଡ଼ାକ ପତଳା ହେଇଗଲେଣି । ଖାଲି ସେଇଠି ଠିଆ ହୋଇଥାଏ ଝୁନିୟାଁ । ପାଖରେ ସେବତୀ । ଆର ପିଲାଗୁଡ଼ାକ କେତେବେଳେ ଆସି ପହଞ୍ଚିଯାଇଥିଲେ ସେଠି । ଗାଡ଼ିର ଯିବା ବାଟକୁ ସେମିତି ଚାହିଁଥାଏ ଝୁନିୟାଁ । କେତେବେଳେକେ ସେବତୀ କହିଲା–

 

‘ତମେ ବ୍ୟସ୍ତ ହୁଅନି ଝୁନୁ ଦେଈ ! ଏଇ ମୁକୁନ୍ଦବାବୁଙ୍କୁ ତମେ କହିବ ଯଦି ତା’ହେଲେ ସେ ରାଜନୀତି ବାଲା । ୟାଙ୍କର ମସଲା ବେଶୀଦିନ ଯିବନାଇଁ । ଦିଦିଙ୍କୁ ମୁଁ ବାଗେଇ ଦେବି । ନାଁ କ’ଣ ? ସେ ଶୀଘ୍ର ଫେରି ଆସିବେ ।’

 

‘ଏଁ .... ହଁ..... ଅନ୍ୟମନସ୍କ ହେଇ କହିଲା ଝୁନିୟାଁ । ଏତିକିବେଳେ କରଞ୍ଜ ପଚାରିଲା–‘ବୋଉ ! ବାପା କୁଆଡ଼େ ଗଲେ କି ଗାଡ଼ିରେ ?’

 

ସୁରୁଜା କହିଲା–

 

‘ଆରେ ଏତିକି ବୁଝିଲୁନି । ସେ ପରା ସଭା କରିବାକୁ ଗଲେ ଫୁଲହାର ପକେଇ ଦେଖିଲୁନି......ଝୁନିୟାଁର କୋହ ବାଧା ମାନିଲାନି । ଚାପିନେଲା ସେ ଦୁହିଁଙ୍କୁ ନିଜ କୋଳକୁ । କ’ଣ କହିବ ସେ ପିଲା ଦି’ଟାଙ୍କୁ .....ଫୁଲହାର ପକେଇଚନ୍ତି ସିନା ବେକରେ ହେଲେ ହାତରେ ହାତକଡି ବି ଅଛି...... ।

 

ଆଖି ପୋଛିବା ପାଇଁ ମୁହଁ ଫେରେଇଲା ଝୁନିୟାଁ । ତାକୁ ଜାଲଜାଲୁଆ ଦେଖାଗଲା ବୋଲି । ତା’ ଆଖିରେ ପଡ଼ିଲା–ଆର ଛୁଆ ଦି’ଜଣଯାକ ତା’ ଗୋଡ଼ପାଖରେ ପଡ଼ିଥିବା ଫୁଲହାରକୁ ନବା ସକାଶେ ନିଜ ଭିତରେ କଜିଆ ଆରମ୍ଭ କଲେଣି ।

 

ପୁଣି ଥରେ ଆଖିଟେକି ଦେଖିଲା–ଗାଡ଼ିଟା ଦୂରରେ ମିଳେଇଗଲାଣି । ଆଉ ଆଖିପାଉନାଇଁ ତା’ର...

 

ଆଉ ଆଖି ପାଉନାଇଁ ତା’ର... ।

 

ପାଖରେ ସେବତୀ ଝୁନିୟାଁକୁ ଅପେକ୍ଷା କରିଚି । ଏକାଠି ଫେରିବେ ଘରକୁ–ଛୁଆ ଧରିବାରେ ସାହାଯ୍ୟ କରିବ..... !!!

 

ସେଇ ଝଙ୍କାଳିଆ ବରଗଛଟାରୁ କିଚିରି ମିଚିରି କରି କେଇଟା ଚଢ଼େଇ ଉଡ଼ିଗଲେ । ତଥାପି ସେ ଗଛଟା ହଲୁନାଇଁ ଜମା.... ।

Image